କହିପାରୁନାହାନ୍ତି.. ଶୁଣିପାରୁନାହାନ୍ତି.. ଦେଖିପାରୁନାହାନ୍ତି, ପରୀକ୍ଷାରେ ୯୫% !

ଅନେକ ବାଧା ବିଘ୍ନ ସତ୍ତ୍ୱେ ତାଙ୍କ ପାଠ ପଢ଼ାରୁ ମନ ବିଚଳିତ ହୋଇନି । ସେ ନିଜ ନିଷ୍ଠା ଓ ଏକାଗ୍ରତା ପାଇଁ ଆଜି ସଫଳ ହୋଇଛନ୍ତି ।

Lucknow girl who cannot see, hear or speak scores 95% in ICSE board

ତାଙ୍କୁ ଦେଖାଯାଉନି । ତାଙ୍କୁ ଶୁଣା ଯାଉନି । ସେ କଥା କହିପାରୁ ନାହାନ୍ତି । ହେଲେ ତଥାପି ସେ ନମ୍ବର ୱାନ । ସତେ ଯେମିତି ତାଙ୍କ ପାଖରେ ରହିଛି ଦିବ୍ୟ ଶକ୍ତି । ICSE ଦଶମ ପରୀକ୍ଷାରେ ସେ ୯୫ ପ୍ରତିଶତ ମାର୍କ ରଖି ସମସ୍ତଙ୍କୁ କରିଛନ୍ତି ଚକିତ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ଏହା କେମିତି ସମ୍ଭବ ହେଲା । ଏଭଳି ଚମତ୍କାର କେମିତି ଘଟିଲା । ପରୀକ୍ଷା ବେଳେ ସ୍ୱୟଂ ମା’ ସରସ୍ୱତୀ ତାଙ୍କ ପାଇଁ ପରୀକ୍ଷା ଦେଲେ କି ? ତାଙ୍କ କଣ୍ଠରେ ସରସ୍ୱତୀ ନିଜେ ବିରାଜିଲେ କି ? ଆଉ ଅନେକ ଲୋକ କହିଛନ୍ତି କଷ୍ଟ କଲେ କୃଷ୍ଣ ମିଳେ । ସେ କଷ୍ଟ କରିଛନ୍ତି, ଆଉ ତାର ଫଳ ପାଇଛନ୍ତି । ଅନେକ ବାଧା ବିଘ୍ନ ସତ୍ତ୍ୱେ ତାଙ୍କ ପାଠ ପଢ଼ାରୁ ମନ ବିଚଳିତ ହୋଇନି । ସେ ନିଜ ନିଷ୍ଠା ଓ ଏକାଗ୍ରତା ପାଇଁ ଆଜି ସଫଳ ହୋଇଛନ୍ତି ।

ଏତେ ସବୁ କଥା ଜାଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ । ଆମେ କାହା କଥା କହୁଛୁ । ଆଜ୍ଞା ହଁ, ଆମେ କହୁଛୁ ଏମିତି ଜଣେ ଛାତ୍ରୀଙ୍କ କଥା, ଯିଏ ଦଶମ ICSE ପରୀକ୍ଷାରେ ୯୫ ପ୍ରତିଶତ ମାର୍କ ରଖିଛନ୍ତି । ଭଗବାନ ସାଧାରଣ ମଣିଷଙ୍କୁ ଦେଇଥିବା ଅନେକ ଶକ୍ତିରୁ ତାଙ୍କୁ ବଞ୍ଚିତ କରିଛନ୍ତି ହେଲେ, ଏମିତି କିଛି ଶକ୍ତି ଦେଇଛନ୍ତି ଯାହାଫଳରେ ସେ ଆଜି ଅସାଧାରଣ କାମ କରି ଦେଖାଇଛନ୍ତି । ଆଉ ନିଜର ପରିଚୟ ସୃଷ୍ଟି କରିଛନ୍ତି ।

ସେ ହେଉଛନ୍ତି ଲକ୍ଷ୍ନୌର ସାରା ମୋଇନି । ସମସ୍ତ ଅକ୍ଷମତାକୁ ସେ ପାର୍‌ କରି ସକ୍ଷମ ବୋଲି ପ୍ରମାଣିତ କରିଛନ୍ତି । ସାରାଙ୍କର ଜନ୍ମରୁ ଦଷ୍ଟି ଶକ୍ତି ନଥିଲା । ତାପରେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କର ଶ୍ରବଣ ଶକ୍ତି ଚାଲିଗଲା । ସେ କିଛି ଶୁଣିପାରିଲେ ନାହିଁ । କିନ୍ତୁ ନିଷ୍ଠା ଓ ଦୃଢ଼ ଇଚ୍ଛା ଶକ୍ତି ଯୋଗୁଁ ସେ ଆଜି ଏତେ ବଡ଼ ଉପଲବ୍ଧି ହାସଲ କରିପାରିଛନ୍ତି ।

ତାଙ୍କ ପିତାମାତା ଜୁଲି ହମିଦ ଏବଂ ମୋଇନ୍ ଅହମ୍ମଦ ଇଦ୍ରିସିଙ୍କ କହିବା ଅନୁଯାୟୀ, ସାରାଙ୍କ ଯାତ୍ରା ଆରମ୍ଭରୁ ଯେତିକି ସଂଘର୍ଷମୟ ସେତିକି ଇଶ୍ୱରଙ୍କ ମାର୍ଗଦର୍ଶନରେ ପରିପୂର୍ଣ୍ଣ । ପିତା-ମାତା ସାରାଙ୍କୁ ସ୍ୱତନ୍ତ୍ର ଚିକିତ୍ସା ପାଇଁ ନେଇଥିଲେ, ଆଉ ଘରେ ତାଙ୍କୁ ବ୍ରେଲି ଲିପି ସାହାଯ୍ୟରେ ଶିକ୍ଷା ପ୍ରଦାନ କରିବାର ବ୍ୟବସ୍ଥା କରିଥିଲେ ।

ସାରାଙ୍କ ଦକ୍ଷତାକୁ ପ୍ରଥମେ ଲକ୍ଷ୍ନୌ ଖ୍ରୀଷ୍ଟ କଲେଜ ଚିହ୍ନିଥିଲା ଆଉ ସ୍ୱାଗତ କରିଥିଲା । ସାରାଙ୍କୁ ପାଠ ପଢ଼ାଇବା ବା କଲେଜରେ ଆଡ୍‌ମିଶନ କରିବା ପାଇଁ ଅଫର ଦେଇଥିଲା ସଂସ୍ଥା । ଜଣେ ସ୍ୱତନ୍ତ୍ର ଶିକ୍ଷକ ସଲମାନ ଅଲ୍ଲୀ କାଜିଙ୍କ ନେତୃତ୍ୱରେ ଏହି କଲେଜ ଚାଲୁଛି । ସାରାଙ୍କ ପାଇଁ ଏଭଳି ସକାରାତ୍ମକ ପରିବେଶ ଆଉ କେଉଠି ମିଳିନଥାନ୍ତା । ତେଣୁ ସେଠାରେ ସେ ପାଠ ପଢ଼ା ଆରମ୍ଭ କରିଥିଲେ ।

ସାରାଙ୍କ ବାପା କହିଛନ୍ତି, ଝିଅର ପାଠ ପଢ଼ା ପାଇଁ ସବୁଠାରୁ ଅଧିକ ସହଯୋଗୀ ହୋଇଛି ଅରବିଟ୍ ରିଡର । ଏହା ଏକ ପ୍ରକାର ଡିଭାଇସ୍ ବା ଯନ୍ତ୍ରାଂଶ । ଏଥିରେ ଥିବା ବ୍ରେଲି ଡିସ୍‌ପ୍ଲେ ସାରାଙ୍କୁ ପଢ଼ାରେ ଖୁବ୍‌ ସାହାଯ୍ୟ କରିଛି । ଏହି ଡିଭାଇସ୍‌ ଦ୍ୱାରା ବହି ଗୁଡ଼ିକୁ ଅତି ସହଜରେ ସ୍କାନ କରିହେବ ଆଉ ତାକୁ କନଭର୍ଟ କରି ଲାପ୍‌ଟପ୍‌ର ବ୍ରେଲି କି’ ବୋର୍ଡ ସାହାଯ୍ୟ ପଢ଼ି ହେବ ।