ସରିଲା ପ୍ରଥମ ଲଢ଼େଇ; ୧୦୨ ଆସନ ସହ ୧,୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍

ସରିଲା ୨୪ ମହାସଂଗ୍ରାମର ପ୍ରଥମ ଲଢ଼େଇ । ପଶ୍ଚିମବଙ୍ଗ ଓ ମଣିପୁରର କିଛି ଛୋଟମୋଟ ହିଂସାକୁ ଛାଡ଼ି ମୋଟାମୋଟି ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି ୨୪ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ।

Election

ସରିଲା ୨୪ ମହାସଂଗ୍ରାମର ପ୍ରଥମ ଲଢ଼େଇ । ପଶ୍ଚିମବଙ୍ଗ ଓ ମଣିପୁରର କିଛି ଛୋଟମୋଟ ହିଂସାକୁ ଛାଡ଼ି ମୋଟାମୋଟି ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି ୨୪ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନରେ ଆଜି ଭୋଟ୍ ପଡ଼ିଛି । ଇଭିଏମରେ ସିଲ୍ ହୋଇଛି ୮ କେନ୍ଦ୍ରମନ୍ତ୍ରୀ ୨ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୧,୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ।

ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତର ସବୁଠୁ ବଡ଼ ଗଣତାନ୍ତ୍ରିକ ପର୍ବରେ ସାମିଲ ହେବାର ଉତ୍କଣ୍ଠା । ନେତା, ଜନତା, ଅଭିନେତା...ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ସବୁଠି ବୁଥ ଆଗରେ ଲମ୍ବା ଲାଇନ୍ । ପ୍ରଥମ ଥର ଭୋଟ୍ ଦେଉଥିବା ଯୁବ ମତଦାତାଙ୍କଠାରୁ ଆରମ୍ଭ କରି ଶତାୟୁଙ୍କ ମନରେ ସେଇ ଉତ୍ସାହ ... ଗୋଟିଏ ଇଚ୍ଛା, ନିଜ ମନ ମୁତାବକ ପ୍ରାର୍ଥୀକୁ ଭୋଟ ଦେଇ ଆମରି ଭାଗ୍ୟ ଆମ ହାତେ ଗଢ଼ିବୁ ।

ସେଥିପାଇଁ ଛତିଶଗଡ଼ର ନକ୍ସଲ ପ୍ରଭାବିତ ଦାନ୍ତେୱାଡ଼ା, ସୁକମା ହେଉ କିମ୍ବା କିଛିଦିନ ତଳେ ହିଂସା ପ୍ରପୀଡ଼ିତ ମଣିପୁରରେ ଦେଖିବାକୁ ମିଳିଛି ଭୋଟିଂ ବୁଥ୍ ଆଗରେ ଭିଡ଼। ଆସାମ ଜୋରହାଟରେ ତ ଡଙ୍ଗାରେ ନଈ ପାର୍ ହୋଇ ଲୋକେ ଅତି ଆଗ୍ରହରେ ଭୋଟ ଦେବାକୁ ଆସିଛନ୍ତି । ସେପଟେ ଭୋଟ୍ ଆଗ, ତା’ପରେ ବିବାହ ।

ଏହା ଭାବି ଉତ୍ତରପ୍ରଦେଶ ମୁଜାଫରନଗରରେ ଆଗେ ବୁଥ୍ କୁ ଆସିଲେ, ଭୋଟ୍ ଦେବା ପରେ ବେଦୀକୁ ଯାଇଥିଲେ ବର-କନ୍ୟା । ସେହିପରି ନାଗପୁରରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ବିଶ୍ୱର ସବୁଠୁ କମ୍ ଉଚ୍ଚତା ମହିଳା ଜ୍ୟୋତି ଅମଗୋ । ତାମିଲନାଡୁରେ ଭୋଟ ଦେଇଛନ୍ତି ଜଣେ ୧୦୨ ବର୍ଷର ମହିଳା ।

ସେହିପରି ନିର୍ବାଚନ ପର୍ବରେ ସାମିଲ ହୋଇ ଆଜି ଭୋଟ ଦେଇଛନ୍ତି ସୁପର ଷ୍ଟାର୍ ରଜନୀକାନ୍ତ, କମଲ ହାସନଙ୍କଠାରୁ ଆରମ୍ଭ କରି ସୂରିୟା, ଥଲାପତି ବିଜୟ, ଧନୁଷ, ବିଜୟ ସେତୁପତି, ଅଜିତ ଓ ଅଭିନେତ୍ରୀ ତ୍ରିଷା । ନାଗପୁରରେ ଆରଏସଏସ୍ ମୁଖ୍ୟ ମୋହନ ଭାଗବତ ନିଜ ମତାଧିକାର ସାବ୍ୟସ୍ତ କରିଥିବା ବେଳେ ହରିଦ୍ୱାରରେ ଭୋଟ ଦେଇଛନ୍ତି ବାବା ରାମଦେବ ।

୨୪ ମହାସଂଗ୍ରାମର ପ୍ରଥମ ଚରଣ ଲଢ଼େଇରେ ଆଜି ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଆସନରେ ଭୋଟ ପଡ଼ିଛି । ଏଥିରେ ରହିଛି ତାମିଲନାଡୁର ସମସ୍ତ ୩୯ ସିଟ୍ ସମେତ ରାଜସ୍ଥାନର ୧୨ଟି, ଉତ୍ତର ପ୍ରଦେଶର ୮ଟି, ମଧ୍ୟପ୍ରଦେଶର ୬ଟି, ମହାରାଷ୍ଟ୍ର, ଆସାମ ଓ ଉତ୍ତରାଖଣ୍ଡର ୫ଟି ଲେଖାଏଁ ଆସନ ।

ମୈଦାନରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି, ଅର୍ଜୁନ ମେଘାୱାଲଙ୍କ ଭଳି କେନ୍ଦ୍ରମନ୍ତ୍ରୀଙ୍କ ସମେତ ୧,୬୨୫ ପ୍ରାର୍ଥୀ । ତେଣୁ ନୀତିନ ଗଡ଼କରି ନାଗପୁର ସ୍ଥିତ ଏକ ବୁଥରେ ଭୋଟ୍ ଦେଇଥିଲା ବେଳେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ, ତାମଲନାଡୁ ବିଜେପି ମୁଖ୍ୟ ଆନ୍ନାମଲାଇ, ସୌନ୍ଦର୍ଯ୍ୟରାଜନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିଦାମ୍ବରମ ପ୍ରମୁଖ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।

ବାଇକରେ ଆସି ଭୋଟ ଦେଇଛନ୍ତି ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ୍.ରଙ୍ଗାସ୍ୱାମୀ । ଆଜି ଏକା ସାଙ୍ଗରେ ସିକିମ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ପାଇଁ ବି ଭୋଟ ପଡ଼ିଛି । ତେବେ ଭୋଟ୍ ଗ୍ରହଣ ସମୟରେ ପଶ୍ଚିମବଙ୍ଗ ଓ ମଣିପୁରର କେତେକ ସ୍ଥାନରେ ଛୋଟମୋଟ ଗଣ୍ଡଗୋଳ ଦେଖିବାକୁ ମିଳିଥିଲା ବେଳେ ଅନ୍ୟତ୍ର ମତଦାନ ମୋଟା ମୋଟି ଶାନ୍ତିପୂର୍ଣ୍ଣ ରହିଛି ।