ଯୁଦ୍ଧର ଅସଲ ହିରୋ
ଷଡ଼ଯନ୍ତ୍ର, ବିଶ୍ୱାସଘାତକତା, ପ୍ରତାରଣା, ଘୃଣ୍ୟ ଓ ଅମାନବୀୟ କାର୍ଯ୍ୟରୁ ଜନ୍ମ ନିଏ ଯୁଦ୍ଧ । ଯୁଦ୍ଧର ପରିଣାମ କେବେ ବି ଭଲ ନୁହେଁ, କିଏ ବା ଚାହେଁ ଅକାରଣରେ ରକ୍ତର ନଦୀ ବହୁ, କାହାକୁ ବା ଭଲଲାଗେ ଖଣ୍ଡବିଖଣ୍ଡିତ ଶରୀର.. କିନ୍ତୁ ବିନା ରକ୍ତପାତରେ କିଛି ପଶୁ ପ୍ରବୃତ୍ତିର ମଣିଷ ଶାନ୍ତିର କଥା ବୁଝି ପାରନ୍ତି ନାହିଁ । ଧର୍ମ ନାଁରେ ଲୋକଙ୍କ ମନରେ ଜହର ଭରୁଥିବା ପାପୀକୁ ସମୟ ଥାଉ ଥାଉ ଉଚିତ ଶିକ୍ଷା ଦେବା ଜରୁରୀ । ପହଲଗାମରେ ନୀରିହ ପର୍ଯ୍ୟଟକଙ୍କୁ ହତ୍ୟା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧର କଳାବାଦଲ ଘୋଟିବାରେ ଲାଗିଛି ।
ଭୁଲ କରିବା ପରେ ମଧ୍ୟ ଆତଙ୍କବାଦୀ ଓ ଆତଙ୍କବାଦର ଦେଶ ପାକିସ୍ତାନର ଔଦ୍ଧତ୍ୟ କମ ହେଉନି । ସମାଧାନର ବାଟ ନ ଖୋଜି ପାକ୍ ସରକାର ନିଆଁରେ ଘିଅ ଢାଳିବା ଭଳି କାର୍ଯ୍ୟ କରିବା ଯୁଦ୍ଧକୁ ଆହୁରି ତୀବ୍ର କରିଦେବାର ସୁଯୋଗ ସୃଷ୍ଟି କଲାଣି । ସିନ୍ଧୁ ସନ୍ଧି ବାତିଲକୁ ନେଇ ସମୟ ସମୟରେ ପାକିସ୍ତାନ ପକ୍ଷରୁ ପରମାଣୁ ଆକ୍ରମଣର ଧମକ ଦିଆଯାଉଛି । ଯୁଦ୍ଧକୁ ନେଇ ପାକିସ୍ତାନ ସରକାର ମୁହଁ ଫୁଟାଣି ସିନା କରୁଛନ୍ତି, ହେଲେ ଭିତରେ ଭିତରେ ସମସ୍ତଙ୍କ ଛାତି ଧଡ଼ଧଡ଼ ହେଲାଣି । ଏପଟେ ମୋଦି ସରକାର ଆତଙ୍କ ଓ ଆତଙ୍କୀଙ୍କୁ କଡ଼ା ଜବାବ ଦେବାପାଇଁ ସେନାକୁ ଫ୍ରି ହ୍ୟାଣ୍ଡ ଦେଇଛନ୍ତି । ଯୁଦ୍ଧର କଥା ଉଠିଲେ ଏବେ ବି ମନେ ପଡ଼ିଯାଏ ୧୯୭୧ ଇଣ୍ଡୋ-ପାକ୍ ଯୁଦ୍ଧ କଥା ।
୧୯୭୧ ମସିହା . .ଭାରତ, ପାକିସ୍ଥାନ ଏବଂ ବାଂଲାଦେଶ ଇତିହାସ ପାଇଁ ଗୁରୁତ୍ୱପୂର୍ଣ୍ଣ । ଭାରତର ଶହ ଶହ ବୀର ପୁତ୍ରଙ୍କ ରଣହୁଙ୍କାରରେ ଛତ୍ରଭଙ୍ଗ ଦେଇଥିଲେ ପାକିସ୍ତାନୀ ସେନା । ମିଛରେ ବାହୁସ୍ପୋଟ ମାରୁଥିବା ପାକ୍ ସୈନିକଙ୍କୁ ଧୂଳି ଚଟାଇ ବିଜୟ ତ୍ରିରଙ୍ଗା ଉଡ଼ାଇଥିଲେ ଭାରତର ବୀର ଯବାନ । ୧୯୭୧ରେ ଦୀର୍ଘ ୧୩ ଦିନ ଯାଏ ଚାଲିଥିବା ଇଣ୍ଡୋ-ପାକ୍ ଯୁଦ୍ଧରେ ପାକ୍ ସେନାକୁ ପରାସ୍ତ କରି ଡିସେମ୍ବର ୧୬ ତାରିଖରେ ବିଜୟ ହାସଲ କରିଥିଲା ଭାରତୀୟ ସେନା । ବାଂଲାଦେଶର ସ୍ୱାଧୀନତା ପାଇଁ ପାକିସ୍ତାନ ବିରୋଧରେ ଯୁଦ୍ଧ କରିବା ସମୟରେ ସାରା ବିଶ୍ୱ ଭାରତର ଶକ୍ତିକୁ ସ୍ୱୀକାର କରିଥିଲା। ବାଂଲାଦେଶର ସ୍ୱାଧୀନତାରେ ଭାରତୀୟ ସେନାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ଭାରତୀୟ ସେନା ବାଂଲାଦେଶକୁ ସାହାଯ୍ୟ କରିନଥିଲେ, ହୁଏତ ସେ କେବେ ସ୍ୱାଧୀନତା ପାଇ ନଥାନ୍ତା। ଏହି ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଭାରତୀୟ ସେନା ଅଧିକାରୀମାନଙ୍କ ମଧ୍ୟରୁ ଜଣେ ଥିଲେ ଲେଫ୍ଟନାଣ୍ଟ ଜେନେରାଲ ଜଗଜିତ ସିଂହ ଆରୋରା, ଯାହାଙ୍କୁ ଭାରତ-ପାକିସ୍ତାନ ଯୁଦ୍ଧର ପ୍ରକୃତ ହିରୋ କହିଥିଲେ ଫିଲ୍ଡ ମାର୍ଶାଲ ଜେନେରାଲ ମାନେକଶା ।
ପାକିସ୍ତାନ ସହିତ ଯୁଦ୍ଧର ଏକ ଅଂଶ ଥିଲେ ଜଗଜିତ ସିଂହ ଆରୋରା
ଲେଫ୍ଟନାଣ୍ଟ ଜେନେରାଲ ଜଗଜିତ ସିଂହ ଆରୋରା ୧୩ ଫେବୃଆରୀ ୧୯୧୬ରେ ଅବିଭକ୍ତ ଭାରତରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମସ୍ଥାନ ଝେଲମ୍ ଜିଲ୍ଲାର କଲ୍ଲେ ଗୁଜରନ୍, ଯାହା ବର୍ତ୍ତମାନ ପାକିସ୍ତାନରେ ଅଛି। ୧୯୩୯ ମସିହାରେ ଜଗଜିତ ସିଂହ ଆରୋରା ବ୍ରିଟିଶ ଇଣ୍ଡିଆ ଦ୍ୱିତୀୟ ପଞ୍ଜାବ ରେଜିମେଣ୍ଟର ପ୍ରଥମ ବାଟାଲିୟନରେ ନିଯୁକ୍ତି ପାଇଥିଲେ। ୧୯୪୭ ମସିହାରେ ଦେଶ ସ୍ୱାଧୀନତା ପାଇବା ସମୟରେ ଜଗଜିତ ସିଂହ ଆରୋରା ସେନାରେ ଜଣେ କ୍ୟାପଟେନ ଥିଲେ। ସ୍ୱାଧୀନତା ପରେ ଭାରତ-ପାକିସ୍ତାନ ଏବଂ ଭାରତ-ଚୀନ ମଧ୍ୟରେ ହୋଇଥିବା ତିନୋଟି ଯୁଦ୍ଧରେ ସେ ଅଂଶ ଥିଲେ । ୧୯୬୨ ମସିହାରେ ଭାରତ-ଚୀନ୍ ଯୁଦ୍ଧରେ ବ୍ରିଗେଡିୟର ଭାବରେ ଲଢ଼ିଥିଲେ ଜଗଜିତ ସିଂହ ଆରୋରା ।
ଜଣେ ସାମରିକ ଅଧିକାରୀ ଭାବରେ ସେ ୧୯୭୧ ମସିହାରେ ବାଂଲାଦେଶର ସ୍ୱାଧୀନତା ଆନ୍ଦୋଳନକୁ ଶେଷ ପର୍ଯ୍ୟନ୍ତ ନେତୃତ୍ୱ ନେଇଥିଲେ । ଏଥିପାଇଁ ତାଙ୍କୁ ପରମ ବିଶିଷ୍ଟ ସେବା ପଦକ ଏବଂ ପଦ୍ମଭୂଷଣ ପ୍ରଦାନ କରାଯାଇଥିଲା। ସେନାରୁ ଅବସର ନେବା ପରେ ୧୯୮୬ ମସିହାରେ ଅକାଳୀ ଦଳ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା। ୩ ମଇ ୨୦୦୫ରେ ୮୯ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।
ବିଭାଜନ ପରଠାରୁ ଅତ୍ୟାଚାର ଆରମ୍ଭ ହୋଇଥିଲା
ଭାରତ ବିଭାଜନ ପରେ ସୃଷ୍ଟି ହୋଇଥିବା ପାକିସ୍ତାନର ପୂର୍ବ ଭାଗରେ ରହୁଥିବା ଲୋକଙ୍କ ଉପରେ ଅତ୍ୟାଚାର ଆରମ୍ଭ ହୋଇଥିଲା। ୧୯୭୧ ମସିହାରେ ବାଂଲାଦେଶ ସ୍ୱାଧୀନତା ସଂଗ୍ରାମ ସମୟରେ ପାକିସ୍ତାନ ସେନାଙ୍କର ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ପ୍ରାୟ ୧ କୋଟି ବାଂଲାଦେଶୀ ପୂର୍ବ ଭାରତରେ ଥିବା ସେମାନଙ୍କ ପଡ଼ୋଶୀ ରାଜ୍ୟ ଗୁଡ଼ିକରେ ଶରଣ ନେବା ପାଇଁ ଆସିଥିଲେ। ଏହି ବଙ୍ଗୀୟ ଶରଣାର୍ଥୀଙ୍କୁ ଆଶ୍ରୟ ଦେବା ପାଇଁ ଭାରତ ସରକାର ପୂର୍ବରେ ଥିବା ଭାରତ-ପାକିସ୍ତାନ ସୀମାକୁ ଖୋଲି ଦେଇଥିଲେ। ପଶ୍ଚିମବଙ୍ଗ, ବିହାର, ଆସାମ, ମେଘାଳୟ ଏବଂ ତ୍ରିପୁରା ସରକାର ଶରଣାର୍ଥୀମାନଙ୍କ ପାଇଁ ଶିବିର ପ୍ରତିଷ୍ଠା କରି ଶରଣ ଦେଇଥିଲେ। ଅନ୍ୟପଟେ ଭାରତରେ ଶରଣାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା।
ବର୍ଷକ ମଧ୍ୟରେ ବାଂଲାଦେଶରୁ ପ୍ରାୟ ୧ କୋଟି ଶରଣାର୍ଥୀ ଭାରତରେ ଆଶ୍ରୟ ନେଇଥିଲେ, ଯାହାକି ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ଉପରେ ଚାପ ପକାଇଥିଲା। ଏହି ଅତ୍ୟାଚାର ବିଷୟରେ ଭାରତ ଅନ୍ୟ ଦେଶମାନଙ୍କୁ ଜଣାଇ ସେମାନଙ୍କ ସହଯୋଗ ଲୋଡ଼ିଥିଲା, ମାତ୍ର ସେମାନେ ସାହାଯ୍ୟ କରିବାକୁ ମନା କରିଦେଇଥିଲେ। ଏହା ଉପରେ ସ୍ୱାଧୀନତା ସଂଗ୍ରାମରେ ପୂର୍ବ ପାକିସ୍ତାନକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ ଏବଂ ଏଥିପାଇଁ ଏକ ସ୍ୱତନ୍ତ୍ର ଅପରେସନ୍ ପ୍ରସ୍ତୁତ କରାଯାଇଥିଲା ।
ପାକିସ୍ତାନ ସହିତ ଯୁଦ୍ଧ ଚାହୁଁ ନଥିଲା ଭାରତୀୟ ସେନା
ପୂର୍ବ ପାକିସ୍ତାନକୁ ପାକିସ୍ତାନରୁ ମୁକ୍ତ କରିବା ପାଇଁ ପ୍ରସ୍ତୁତ ଅପରେସନର ନେତୃତ୍ୱ ତତ୍କାଳୀନ ଲେଫ୍ଟନାଣ୍ଟ ଜେନେରାଲ ଜଗଜିତ ସିଂହ ଆରୋରାଙ୍କ ଉପରେ ନ୍ୟସ୍ତ ଥିଲା । ସେତେବେଳେ ସେ ଭାରତୀୟ ସେନାର ପୂର୍ବ କମାଣ୍ଡ’ର କମାଣ୍ଡର ଥିଲେ। ଅପରେସନ୍ ଆରମ୍ଭ ହେବା ମାତ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଲା। ତଥାପି ଭାରତୀୟ ସେନା ସେତେବେଳେ କୌଣସି ଯୁଦ୍ଧ ଚାହୁଁ ନଥିଲା। ପାକିସ୍ତାନ ସହିତ ଯୁଦ୍ଧ ପରିସ୍ଥିତି ସୃଷ୍ଟି ନହେବା ପାଇଁ ଭାରତୀୟ ସେନାକୁ ମଧ୍ୟ ସ୍ୱତନ୍ତ୍ର ଭାବରେ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ସେସମୟରେ ମଧ୍ୟ ପାକିସ୍ତାନ ତାର କାର୍ଯ୍ୟକଳାପରୁ ନିବୃତ୍ତ ହେଉନଥିଲା। ପୂର୍ବ ପାକିସ୍ତାନର ସ୍ୱାଧୀନତା ସଂଗ୍ରାମକୁ ଦମନ କରିବା ସହ ଯୁଦ୍ଧରେ ଭାରତକୁ ମଧ୍ୟ ପରାସ୍ତ କରିବ ବୋଲି ଭାବିଥିଲା ପାକିସ୍ତାନ । ସେଥିପାଇଁ ସେ ଭାରତ ଉପରେ ପ୍ରଥମେ ଆକ୍ରମଣ କରିଥିଲା।
ଭାରତୀୟ ସେନା ଦ୍ରୁତ ଗତିରେ ଆଗକୁ ବଢ଼ିଲା
୩ ଡିସେମ୍ବର ୧୯୭୧ରେ ପାକିସ୍ତାନର ବାୟୁସେନା ଭାରତ ଉପରେ ଆକ୍ରମଣ କରିଥିଲା । ପାକିସ୍ତାନ ପକ୍ଷରୁ ଯୁଦ୍ଧ ଆରମ୍ଭ ପରେ ଭାରତର ବୀର ପୁତ୍ରମାନେ ବା କିପରି ଚୁପ ହୋଇ ବସି ରହିଥାଆନ୍ତେ.. ଜେନେରାଲ ମାନେକଶାଙ୍କ ନେତୃତ୍ୱରେ ଲେଫ୍ଟନାଣ୍ଟ ଜେନେରାଲ ଜଗଜିତ ସିଂହଙ୍କ ଭଳି ସାହସୀ ସୈନିକମାନେ ଏକ ନୂତନ ରଣନୀତି ପ୍ରସ୍ତୁତ କରି ପାକିସ୍ତାନୀ ସେନା ଉପରେ ଆକ୍ରମଣ କରିଥିଲେ। ଅତୁଳନୀୟ ସାହସ ଏବଂ ରଣନୈତିକ ନେତୃତ୍ୱ ପ୍ରଦର୍ଶନ କରିଥିବା ମହାନ କମାଣ୍ଡର ଲେଫ୍ଟନାଣ୍ଟଙ୍କ ଇସାରାରେ ଭାରତୀୟ ସେନା ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇ ଥିଲା । ୧୯୭୧ ମସିହାର ଏହି ଯୁଦ୍ଧରେ ଭାରତ ଆଗକୁ ଆଗକୁ ମାଡ଼ି ଚାଲିଥିଲା ଏବଂ ପାକିସ୍ତାନୀ ସେନା ପଛକୁ ହଟିବାକୁ ଲାଗିଲା।
ପାକିସ୍ତାନକୁ ଆତ୍ମସମର୍ପଣ କରିବାକୁ ପଡ଼ିଲା
ଯୁଦ୍ଧରେ ସେନାଙ୍କ ଛତ୍ରଭଙ୍ଗ ଦେଖି ପାକିସ୍ତାନର ତତ୍କାଳୀନ ଲେଫ୍ଟନାଣ୍ଟ ଜେନେରାଲ ଆମିର ଅବଦୁଲ୍ଲା ଖାନ ନିଆଜି ପଛକୁ ହଟିବାକୁ ନିଷ୍ପତ୍ତି ନେଇଥିଲେ। ଏହା ସହିତ ପାକିସ୍ତାନ ଭାରତ ନିକଟରେ ଆତ୍ମସମର୍ପଣ କରିବାକୁ ପ୍ରସ୍ତୁତ ହୋଇଗଲା। ଏହା ସହିତ ୯୦ ହଜାର ପାକିସ୍ତାନୀ ସୈନିକ ପରାଜୟ ସ୍ୱୀକାର କରି ଆତ୍ମସମର୍ପଣ କରିଥିଲେ। ଲେଫ୍ଟନାଣ୍ଟ ଜେନେରାଲ ନିଆଜି ଯେତେବେଳେ ଭାରତୀୟ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଜଗଜିତ ସିଂହ ଆରୋରାଙ୍କୁ ଆତ୍ମସମର୍ପଣ ବିଷୟରେ ଜଣାଇ ଏକ ୱାୟାରଲେସ୍ ମେସେଜ୍ ପଠାଇଲେ, ସେତେବେଳେ ଭାରତୀୟ ସେନା ମଧ୍ୟ ପାକିସ୍ତାନ ସୀମା ଛାଡିବାକୁ ପ୍ରସ୍ତୁତ ହୋଇଗଲା।
ଜେନେରାଲ ଜଗଜିତ ସିଂହ ଆରୋରା ପତ୍ନୀଙ୍କୁ ସାଙ୍ଗରେ ନେଇଥିଲେ
ପାକିସ୍ତାନ ସେନା ଆତ୍ମସମର୍ପଣ କରିବା ପରେ ଜେନେରାଲ ମାନେକଶା ନିଷ୍ପତ୍ତି ନେଇଥିଲେ, ସନ୍ଧି ପାଇଁ ଭାରତ ପକ୍ଷରୁ ଲେଫ୍ଟନାଣ୍ଟ ଜେନେରାଲ ଜଗଜିତ ସିଂହ ଆରୋରାଙ୍କୁ ପଠାଯିବ । ଭାରତ ଦ୍ୱାରା ପଠାଯାଇଥିବା ଚୁକ୍ତିନାମା ଦଲିଲରେ ଲେଖାଯାଇଥିଲା, ଯଦି କୌଣସି ପାକିସ୍ତାନୀ ଅଧିକାରୀ କିମ୍ବା ସୈନିକ ଆତ୍ମସମର୍ପଣ କରନ୍ତି, ତେବେ ଜେନେଭା ଚୁକ୍ତି ଅନୁଯାୟୀ ସେମାନଙ୍କ ସୁରକ୍ଷାର ଦାୟିତ୍ୱ ନିଆଯିବ। ଜେନେରାଲ ନିଆଜିଙ୍କୁ ଆତ୍ମସମର୍ପଣ କରାଇବାକୁ ଯାଇଥିବା ଲେଫ୍ଟନାଣ୍ଟ ଜେନେରାଲ ଜଗଜିତ ସିଂହ ତାଙ୍କ ପତ୍ନୀ ଭଗବନ୍ତ କୌରଙ୍କୁ ମଧ୍ୟ ସାଙ୍ଗରେ ନେଇ ଯାଇଥିଲେ। ସେ ସାରା ବିଶ୍ୱକୁ ଦେଖାଇବାକୁ ଚାହୁଁଥିଲେ, ଯୁଦ୍ଧ ସମୟରେ ମହିଳାମାନଙ୍କ ସହିତ ଅମାନବୀୟ ବ୍ୟବହାର କରାଯାଇଥିଲା।
ସ୍ୱାକ୍ଷର ସମୟରେ ନିଆଜିଙ୍କ ଆଖିରେ ଲୁହ ଥିଲା
ଶେଷରେ ୧୬ ଡିସେମ୍ବର ୧୯୭୧ରେ ଢାକାରେ ଆତ୍ମସମର୍ପଣ କରିବାର ନିଷ୍ପତ୍ତି ନିଆଯାଇଥିଲା । ଲେଫ୍ଟନାଣ୍ଟ ଜେନେରାଲ ଜଗଜିତ ସିଂହ ଆରୋରାଙ୍କ ସହିତ ପ୍ରାୟ ତିନି ହଜାର ଭାରତୀୟ ଯବାନ ଢାକାରେ ଥିଲେ। ପାକିସ୍ତାନୀ କମାଣ୍ଡର ନିଆଜିଙ୍କ ସହିତ କ୍ଳାନ୍ତ ପାକିସ୍ତାନୀ ସୈନିକମାନେ ଥିଲେ। ଜେନେରାଲ ନିଆଜି ତାଙ୍କର ୯୩,୦୦୦ ସୈନିକଙ୍କ ସହିତ ଭାରତ ନିକଟରେ ଆତ୍ମସମର୍ପଣ ପତ୍ରରେ ସ୍ୱାକ୍ଷର କଲେ, ତାଙ୍କ ଆଖିରୁ ଲୁହ ଝରି ଆସିଲା। ଆତ୍ମସମର୍ପଣ ଡକ୍ୟୁମେଣ୍ଟର ଛଅଟି କପି ତିଆରି କରାଯାଇଥିଲା ଏବଂ ଧଳା କାଗଜରେ ଟାଇପ୍ କରାଯାଇଥିଲା। ଏଥିରେ ନିଆଜି କେବଳ ଏଏକେ ନିଆଜି ଦସ୍ତଖତ କରିଥିଲେ, କିନ୍ତୁ ଜେନେରାଲ ଜଗଜିତ ସିଂହ ତାଙ୍କୁ ସଂପୂର୍ଣ୍ଣ ଦସ୍ତଖତ କରିବାକୁ କହିଥିଲେ। ଡିସେମ୍ବର ୧୬ରେ ପ୍ରାୟ ୯୩,୦୦୦ ପାକିସ୍ତାନୀ ସୈନିକଙ୍କ ଆତ୍ମସମର୍ପଣ ପରେ ଏହି ଯୁଦ୍ଧର ସମାପ୍ତି ହୋଇଥିଲା । ଏହି ଯୁଦ୍ଧର ସମାପ୍ତି ସହିତ ବାଂଲାଦେଶ ନାମରେ ଏକ ନୂତନ ଦେଶର ନିର୍ମାଣ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746440139.jpg)