Advertisment

ଇଡି ଡରରେ ଲୁଚିଥିଲେ; ହଠାତ୍‌ ଆବିର୍ଭାବ ହେଲେ ମୁଖ୍ୟମନ୍ତ୍ରୀ..ଏବେ ପଦ ରହିବ ତ ?

ଦିଲ୍ଲୀ ସ୍ଥିତ ଘରେ ଇଡି ରେଡ୍ ସତ୍ତ୍ୱେ ଗତକାଲି ଠାରୁ ତାଙ୍କର କୌଣସି ଖୋଜଖବର ନଥିବା ଚର୍ଚ୍ଚା ହେଉଥିଲା। ତେବେ ଆଜି ଅତି ନାଟକୀୟ ଢଙ୍ଗରେ ରାଞ୍ଚିରେ ଆବିର୍ଭାବ ପରେ, ସିଧାସଳଖ ମନ୍ତ୍ରୀ ଓ ଶାସକ ପକ୍ଷ ବିଧାୟକଙ୍କ ସହ ବୈଠକ କରିଛନ୍ତି JMM ମୁଖିଆ ହେମନ୍ତ।

ଅଦ୍ୟତନ ହୋଇଛି
undefined

Hemant Soren

Advertisment

ଝାଡ଼ଖଣ୍ଡରେ ରାଜନୈତିକ ଝଡ଼ର ଗତି କୁଆଡ଼େ? ୩୦-୪୦ ଘଣ୍ଟା ପରେ ରାଞ୍ଚିରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଆବିର୍ଭାବ ହୋଇଥିଲେ ମଧ୍ୟ, ଚର୍ଚ୍ଚା ହେଉଛି ଯେ, ଖୁବଶୀଘ୍ର ଝାଡ଼ଖଣ୍ଡ ରାଜନୀତିରେ ଘଟିପାରେ ବଡ଼ ପରିବର୍ତ୍ତନ। ଜମି ଦୁର୍ନୀତି ଓ ଆର୍ଥିକ ଅନିୟମିତତା ମାମଲାରେ ଯଦି ହେମନ୍ତ ସୋରେନ ଇଡି ଦ୍ୱାରା ଗିରଫ ହୁଅନ୍ତି, ତେବେ ସେ ତାଙ୍କ ପତ୍ନୀ କଳ୍ପନା ସୋରେନଙ୍କୁ ସିଏମ୍ ଗାଦିରେ ବସାଇବାର ସବୁ ବନ୍ଦୋବସ୍ତ କରି ରଖିଛନ୍ତି ବୋଲି କୁହାଯାଉଛି। ସେପଟେ ହେମନ୍ତଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଇଡି ରେଡ୍ ବେଳେ ନଗଦ ୩୬ ଲକ୍ଷ ଟଙ୍କା ଓ ଦୁଇଟି ଦାମୀ ଗାଡ଼ି ଜବତ ହୋଇଛି।

Advertisment

୩୦ ଘଣ୍ଟା ଧରି ନଥିଲା କୌଣସି ଖୋଜଖବର। ହଟଚମଟ ଭିତରେ ଅଚାନକ ରାଞ୍ଚିରେ ହେଲେ ଆବିର୍ଭାବ। କଳ୍ପନାଜଳ୍ପନା ଭିତରେ ହେମନ୍ତ ସୋରେନଙ୍କ ଭବିଷ୍ୟତ ଇଡି ସ୍କାନରରେ ଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, 'ଲାପତା' ଚର୍ଚ୍ଚା ଭିତରେ ଆଜି ଅପରାହ୍ଣରେ ଦେଖାଦେଇଥିଲେ ରାଞ୍ଚିସ୍ଥିତ ନିଜ ବାସଭବନରେ।

ଦିଲ୍ଲୀ ସ୍ଥିତ ଘରେ ଇଡି ରେଡ୍ ସତ୍ତ୍ୱେ ଗତକାଲି ଠାରୁ ତାଙ୍କର କୌଣସି ଖୋଜଖବର ନଥିବା ଚର୍ଚ୍ଚା ହେଉଥିଲା। ତେବେ ଆଜି ଅତି ନାଟକୀୟ ଢଙ୍ଗରେ ରାଞ୍ଚିରେ ଆବିର୍ଭାବ ପରେ, ସିଧାସଳଖ ମନ୍ତ୍ରୀ ଓ ଶାସକ ପକ୍ଷ ବିଧାୟକଙ୍କ ସହ ବୈଠକ କରିଛନ୍ତି JMM ମୁଖିଆ ହେମନ୍ତ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ହେମନ୍ତଙ୍କ ପତ୍ନୀ କଳ୍ପନା ସୋରେନ କୌଣସି ରାଜନୈତିକ ବ୍ୟକ୍ତିବିଶେଷ ନହେବା ସତ୍ତ୍ୱେ, ଏହି ବୈଠକରେ ଯୋଗ ଦେଇଥିଲେ। ତାଙ୍କର ଏହି ଉପସ୍ଥିତି ପରେ ଚର୍ଚ୍ଚା ହେଉଛି ଯେ, ଝାଡ଼ଖଣ୍ଡରେ 'ରାବ୍ରି' ଫର୍ମୁଲା ଆପଣାଇ ପାରନ୍ତି ହେମନ୍ତ। ସେ ଇଡି ଦ୍ୱାରା ଅଟକ କିମ୍ବା ଗିରଫ ହେଲେ, ତାଙ୍କ ପତ୍ନୀ ତଥା ଓଡ଼ିଆ ଝିଅ କଳ୍ପନା ବନିପାରନ୍ତି ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ। ବୈଠକ ପରେ, ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ ପତିପତ୍ନୀ। ଏହାପରେ ଲଢ଼ିଛୁ ଲଢ଼ିବୁ, ଜିତିଛୁ ଜିତିବୁ ବୋଲି ଟ୍ୱିଟ୍ କରିଛନ୍ତି ହେମନ୍ତ।

Advertisment

ପ୍ରଶ୍ନ ଉଠୁଛି, ୩୦ ଘଣ୍ଟା ଧରି କେଉଁଠି ଥିଲେ ହେମନ୍ତ ସୋରେନ? ହଇଚଇ ସତ୍ତ୍ୱେ କାହିଁକି ଆସୁନଥିଲେ ସାମ୍ନାକୁ? ଇଡି ଭୟରେ ଆତ୍ମଗୋପନ କରିଥିଲେ, ନା ଏହା ପଛରେ ରହିଛି ଅନ୍ୟ କୌଣସି ରହସ୍ୟ ? କୁହାଯାଉଛି, ଇଡି ଜାଲରୁ ମୁକୁଳିବାର ବାଟ ଖୋଜିବାକୁ ଆଇନଗତ ସହାୟତା ପାଇଁ ଦିଲ୍ଲୀ ଯାଇଥିଲେ ହେମନ୍ତ। ତେବେ ତାଙ୍କ ଘରେ ଇଡି ଘଣ୍ଟାଘଣ୍ଟା ରେଡ୍ କରିଥିଲେ ମଧ୍ୟ ଧରାଛୁଆଁ ଦେଇନଥିଲେ।

ଏପଟେ ହେମନ୍ତ ସୋରେନ ନିଖୋଜ ଥିବା ପୋଷ୍ଟର ମାରି, ତାଙ୍କର ଏଭଳି ଆଭିମୁଖ୍ୟକୁ କଟାକ୍ଷ କରିଥିଲା ବିଜେପି। ତାଙ୍କ ସଂପର୍କରେ ସୂଚନା ଦେଲେ ୧୧ ହଜାର ଟଙ୍କା ପୁରସ୍କାର ମିଳିବ ବୋଲି ରାଞ୍ଚିର ବିଭିନ୍ନ ସ୍ଥାନରେ ପୋଷ୍ଟର ମରାଯାଇଥିଲା। ସେପଟେ ଆଜି ହେମନ୍ତଙ୍କ ଆବିର୍ଭାବ ପରେ JMM ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ କାର୍ଯ୍ୟରେ ଦିଲ୍ଲୀ ଯାଇଛନ୍ତି ବୋଲି ଗତକାଲି ସୂଚନା ଦିଆଯାଇଥିଲା। ହେଲେ ବିଜେପିର ବୟାନ ମୁଖ୍ୟମନ୍ତ୍ରୀଙ୍କ ମର୍ଯ୍ୟାଦାହାନି କରିଛି।

Advertisment

ଜାତୀୟ ଗଣମାଧ୍ୟମର ଖବର ଅନୁସାରେ, ହେମନ୍ତ ସୋରେନଙ୍କ ବିରୋଧରେ ଅତି କମରେ ୩ଟି ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଛି ଇଡି। ଜମି ଦୁର୍ନୀତି, ଖଣି ଦୁର୍ନୀତି ଓ କୋଇଲା ଦୁର୍ନୀତି ସହ ତାଙ୍କ ଲିଙ୍କ୍ କୁ ନେଇ କାଳେ ଇଡି ପାଖରେ ରହିଛି ଠୋସ୍ ପ୍ରମାଣ। ଯାହାକି ହେମନ୍ତଙ୍କୁ ଗିରଫ କରିବା ପାଇଁ ଯଥେଷ୍ଟ। ଭାରତୀୟ ସେନାର ରାଞ୍ଚି ସ୍ଥିତ ସାଢ଼େ ୮ ଏକର ଜମି ଫର୍ଜି ନାଁରେ କିଣାବିକା ହୋଇଥିବା ଅଭିଯୋଗ ରହିଛି। ଏଥିରେ ହେମନ୍ତଙ୍କ ବହୁ ନିକଟ ସଂପର୍କୀୟ ଏବଂ ରାଜ୍ୟ ସରକାରଙ୍କ ଉଚ୍ଚ ପଦସ୍ଥ ଅଧିକାରୀ ବି ସମ୍ପୃକ୍ତ ଥିବା ସନ୍ଦେହ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି ମାମଲାରେ ପୂର୍ବରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଓ ପ୍ରାୟ ୧୫ ଜଣଙ୍କୁ ଗିରଫ କରାଯାଇଛି।

ତେବେ ଗତକାଲି ହେମନ୍ତଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ରେଡ୍ କରି ନଗଦ ୩୬ ଲକ୍ଷ ଟଙ୍କା, ଦୁଇଟି ଦାମୀ ଗାଡ଼ି ଓ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରିଛି। ପୂର୍ବରୁ ନଅ ନଅ ଥର ସମନ ଟାଳି ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିବା ହେମନ୍ତ ସୋରେନଙ୍କୁ, ଦଶମ ଥର ସମନ କରି ଜାନୁଆରୀ ୨୯ କିମ୍ବା ୩୦ରେ ହାଜର ହେବାକୁ ଶେଷ ସୁଯୋଗ ଦେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ହେଲେ ହେମନ୍ତ ଓଲଟା ଇଡିକୁ ଚିଠି ଲେଖିଛନ୍ତି ଯେ, ସେ ବଜେଟ ପାଇଁ ବ୍ୟସ୍ତ ଥିବା ବେଳେ, ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ସମନ କରାଯାଇଛି। ହେମନ୍ତ ଆସନ୍ତାକାଲି ରାଞ୍ଚିସ୍ଥିତ ତାଙ୍କ ବାସଭବନରେ ଇଡିକୁ ଭେଟିବାକୁ ରାଜି ହୋଇଥିବା ସୂଚନା ମିଳିଛି। ଗତ ୨୦ରେ ମଧ୍ୟ ରାଞ୍ଚି ସ୍ଥିତ ବାସଭବନରେ ହେମନ୍ତଙ୍କୁ ୭ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲା ଇଡି।

୩୦ ଘଣ୍ଟା ଥିଲେ ଲାପତ୍ତା, ନଥିଲା କୌଣସି ଖୋଜଖବର !
ଇଡି ରେଡ୍ ହଟଚମଟ ଭିତରେ ଅଚାନକ ରାଞ୍ଚିରେ ଆବିର୍ଭାବ
ଦେଖାଦେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ
ଦିଲ୍ଲୀ ଘରୁ ନଗଦ ୩୬ଲକ୍ଷ ସିଜ୍ ପରେ ବଢିଲା ଆରେଷ୍ଟ ଭୟ
ଓଡ଼ିଆ ଝିଅ ତଥା ପତ୍ନୀ କଳ୍ପନା ସୋରେନ ସିଏମ୍ ହେବା ଚର୍ଚ୍ଚା

Enforcement Directorate Hemant Soren
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ