ଭାରତ ସହ ଚିତାର ସଂପର୍କ ବହୁ ପୁରୁଣା : ମୃଗ ଶିକାରରେ ସହାୟତା ପାଇଁ ପୋଷୁଥିଲେ ରାଜା

ରାଜାରାଜୁଡ଼ା ଅମଳରେ ମୃଗୟାରେ ଯାଉଥିଲା ଚିତା

ଭାରତରେ ଚିତା ବଂଶ କିପରି ଲୋପ ପାଇ ଯାଇଥିଲା ?

ଚିତା... ପୃଥିବୀର ସବୁଠୁ ଦ୍ରୁତଗାମୀ ଜୀବର ନାଁ । ଏହି ଶବ୍ଦ ଆସିଛି ସଂସ୍କୃତ ଶବ୍ଦ ଚିତ୍ରକରୁ, ଯାହାର ଅର୍ଥ ଟୋପା ଟୋପା ଦାଗ ଥିବା ଜୀବ । ଏଥିରୁ ଅନୁମାନ ଲଗାଇ ହୁଏ, ଚିତା ସହ ଭାରତର ସଂପର୍କ କେତେ ପୁରୁଣା । ମଧ୍ୟପ୍ରଦେଶ ରାଜଧାନୀ ଭୋପାଳ ଓ ଗୁଜରାଟ ରାଜଧାନୀ ଗାନ୍ଧିନଗରରେ ଦେଖିବାକୁ ମିଳେ ଚିତାର ନବପ୍ରସ୍ତର ଯୁଗୀୟ ଗୁମ୍ଫାଚିତ୍ର । ତେବେ ରାଜାରାଜୁଡ଼ା ଅମଳରେ ଚିତାକୁ ସେଭଳି ବିଶେଷ ଶିକାର କରାଯାଉନଥିଲା ।

ଚିତା ଅପେକ୍ଷାକୃତ ଛୋଟ ଏବଂ ଏହାକୁ ପୋଷା ମନାଇବା ସହଜ । ଇତିହାସ କହେ, ଚିତାକୁ ସିଧାସଳଖ ଶିକାର କରିବା ଅପେକ୍ଷା ଏହାକୁ ପୋଷା ମନାଇ, ହରିଣ ଓ ଅନ୍ୟ ଜୀବଜନ୍ତୁଙ୍କ ଶିକାର ପାଇଁ ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଥିଲେ ରାଜା । ମହାରାଜା ମାନେ ଏହାକୁ ନେଇ ମନୋରଞ୍ଜନ ଧର୍ମୀ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରୁଥିଲେ । ରାଜସ୍ଥାନର ଯୋଧପୁର ଓ ଝୁନଝୁନୁ, ପଞ୍ଜାବର ଭଟିଣ୍ଡା ଏବଂ ହରିୟାଣାର ହିସାରରେ ଜଙ୍ଗଲୀ ଚିତା ବହୁସଂଖ୍ୟାରେ ଥିବାରୁ ସେମାନଙ୍କୁ ଧରିବା ପାଇଁ ଏହିସବୁ ଅଞ୍ଚଳରେ ରାଜା ଶାସନ ବେଳେ ସ୍ୱତନ୍ତ୍ର ଅଭିଯାନ ଚାଲୁଥିଲା ।

ମୋଗଲ ଶାସନ ବେଳେ ମଧ୍ୟ ଏହି ପ୍ରଥା ପ୍ରଚଳିତ ଥିବା ପ୍ରମାଣ ମିଳେ । ଏକ ତଥ୍ୟ ଅନୁସାରେ, ଆକବର ନିଜ ଶାସନ କାଳ ୧୫୫୬ରୁ ୧୬୦୫ ମଧ୍ୟରେ ପ୍ରାୟ ହଜାରେଟି ଚିତା ପାଳିଥିଲେ । ଏହାକୁ କୃଷ୍ଣସାର ମୃଗ ଶିକାର ପାଇଁ ବ୍ୟବହାର କରୁଥିଲେ ଆକବର । ତାଙ୍କ ପୁଅ ଜାହାଙ୍ଗିର ଚିତା ସାହାଯ୍ୟରେ ୪ଶହ ମୃଗ ଶିକାର କରିଥିବା କୁହାଯାଏ । ତେବେ ଏହାହିଁ ଭାରତରେ ଚିତା ବଂଶ ଲୋପ ପାଇବାର ପ୍ରମୁଖ କାରଣ ହେଲା ।

ପୋଷା ଅବସ୍ଥାରେ ବା ଆବଦ୍ଧ ଭାବେ ରହିଥିବା ଚିତା ସହଜରେ ବଂଶବୃଦ୍ଧି କରିପାରନ୍ତି ନାହିଁ । ତେଣୁ ଧିରେ ଧିରେ ଭାରତରେ ଚିତା ସଂଖ୍ୟା କମିବାରେ ଲାଗିଲା । ବ୍ରିଟିଶ ଶାସନ ବେଳକୁ ଭାରତରେ ଚିତା ଖୁବ୍ କମ୍ ସଂଖ୍ୟାରେ ବଞ୍ଚିଥିଲେ । ତେବେ ସେମାନେ ବାଘ, ସିଂହ ଓ ଗୟଳ ଆଦି ବଡ଼ ବଡ଼ ଜନ୍ତୁ ତୁଳନାରେ ଚିତାକୁ ଶିକାର କରିବା ସେତେ ଅଧିକ ପସନ୍ଦ କରୁନଥିଲେ । ହେଲେ ଘୋଡ଼ା ପିଠିରେ ବସି ବର୍ଚ୍ଛାରେ କିମ୍ବା ଗୁଳି କରି ଚିତାକୁ ମାରିବା ସେତେବେଳେ ବି ଏକ କ୍ରୀଡ଼ା ଭଳି ଥିଲା ।

ବ୍ରିଟିଶ ଶାସନ ବେଳେ ଚିତା ସଂଖ୍ୟା କମିବାର ଆଉ ଏକ ପ୍ରମୁଖ କାରଣ ବନିଲା ବାସସ୍ଥଳୀର ଅଭାବ । ଚାଷଜମି, ଚାହା ବଗିଚା ଓ କଫି ବଗିଚା ଆଦି ପାଇଁ ବ୍ୟାପକ ଭାବେ ଜଙ୍ଗଲ ସଫା କରାଯିବାରୁ ଚିତାଙ୍କୁ ବାସସ୍ଥଳୀ ଅଭାବର ସାମ୍ନା କରିବାକୁ ପଡ଼ିଲା । ଏଥିସହ ଚିତାକୁ କ୍ଷତିକାରକ ମନେ କରୁଥିବାରୁ ୧୮୭୧ ଠାରୁ ଚିତା ମାରିବା ପାଇଁ ଇଂରେଜ ସରକାର ୧୨ ଟଙ୍କା ପୁରସ୍କାର ଦେଉଥିଲେ । ଶାବକ ମାରିବା ପାଇଁ ୬ଟଙ୍କା ମିଳୁଥିଲା । ବିଂଶ ଶତାବ୍ଦୀ ପ୍ରାରମ୍ଭ ବେଳକୁ ଚିତା ଭାରତରେ ବିରଳ ହୋଇସାରିଥିଲା ।

ତେଣୁ ରାଜକୁମାର ମାନେ କ୍ରୀଡ଼ାରେ ବ୍ୟବହାର କରିବା ପାଇଁ ଆଫ୍ରିକାରୁ ଜାହାଜରେ ଚିତା ଆଣୁଥିଲେ । ୧୯୧୮ରୁ ୧୯୪୫ ଭିତରେ ଏଭଳି ପ୍ରାୟ ୨ଶହ ଆଫ୍ରିକୀୟ ଚିତା ଭାରତକୁ ଆସିଥିବା ଅନୁମାନ କରାଯାଏ । ଭାବନଗର ଓ କୋହ୍ଲାପୁରକୁ ସବୁଠୁ ଅଧିକ ଚିତା ଆମଦାନୀ ହୋଇଥିଲା । ତେବେ ଭାରତ ସ୍ୱାଧୀନ ହେବା ପରେ ପରେ ରାଜା ମାନଙ୍କ ପାଇଁ ଆଉ ଚିତା ଆମଦାନୀ ସମ୍ଭବ ହୋଇପାରିଲା ନାହିଁ । ଏଣେ ଭାରତରେ ଥିବା ଶେଷ ୩ଟି ଏସୀୟ ଚିତା ବି ୧୯୪୭ ବେଳକୁ ଜଣେ ରାଜାଙ୍କ ଗୁଳିର ଶିକାର ହୋଇ ଆଖି ବୁଜିଲେ ।