Advertisment

ସକାଳୁ ଆଖି ଖୋଲିଲା ବେଳକୁ ସମୁଦ୍ର ମଝିରେ ଆପାର୍ଟମେଣ୍ଟ !

ତାମିଲନାଡ଼ୁରେ ‘ମିଗଜୋମ’ ତାଉ, ଜନଜୀବନ ଅସ୍ତବ୍ୟସ୍ତ । ମୂଷଳ ବର୍ଷାରେ ଉବୁଟୁବୁ ଚେନ୍ନାଇ ସହର, ସମୁଦ୍ର ସମ ଦିଶୁଛି ବିମାନ ବନ୍ଦର ।

Chennai Flood

Chennai Flood

Advertisment

ରାସ୍ତାରେ ନଦୀର ଭ୍ରମ... ହ୍ରଦ ପାଲଟିଛି ଆପାର୍ଟମେଣ୍ଟ କ୍ୟାମ୍ପସ୍ । ସମୁଦ୍ର ସମୁଦ୍ର ଲାଗୁଛି ଏୟାରପୋର୍ଟର ବିଶାଳ ରନୱେ । ସବୱେ ଏଠି ସ୍ୱିମିଂ ପୁଲ୍ । ଆଉ କାର୍ ଏମିତି ଭାସୁଛି, ସତେକି ବିଭିନ୍ନ ରଙ୍ଗର କାଗଜ ଡଙ୍ଗା । ସମୁଦ୍ରରେ ଥାଇ ତାମିଲନାଡ଼ୁ ଉପରେ ତାଉ ଦେଖାଉଛି ବାତ୍ୟା 'ମିଗଜୋମ୍'।

Advertisment

ରାତି ପାହିବା ଆଗରୁ ଆରମ୍ଭ ହୋଇସାରିଥିଲା ଅବିଶ୍ରାନ୍ତ ବର୍ଷା। ପବନ ବି ଗଡ଼ାଇ ଦେଇଥିଲା ବେଶ୍ କିଛି ଗଛବୃଚ୍ଛ। ଚେନ୍ନାଇ ରାଜରାସ୍ତା ଡେଇଁ ସୁରକ୍ଷିତ ସ୍ଥାନ ଖୋଜିନେଇଥିଲା ୧୨ ଫୁଟିଆ କୁମ୍ଭୀର। ହେଲେ ଚେନ୍ନାଇବାସୀ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ ଯେ, ସକାଳ ହେଉ ହେଉ ଆଖି ଆଗରେ ଭାସିଉଠିବ ୨୦୦୫ ଓ ୨୦୧୫ ବନ୍ୟା ବିଭୀଷିକା ଭଳି ଚିତ୍ର।

ସକାଳୁ ବାଲକୋନିକୁ ବାହାରିବା ବେଳକୁ ଆଖି ଆଗରେ ଆଖି ପାଇବା ଯାଏଁ ପାଣି। ରାତାରାତି ଘର ପାଲଟିଯାଇଥିଲା ଲେକ-ଭିୟୁ ଆପାର୍ଟମେଣ୍ଟ। ପାର୍କିଂ ଏରିଆରେ ମଣିଷ ଉଚ୍ଚର ପାଣି, କାରଗୁଡ଼ିକ କେଉଁଠି ବୁଡ଼ି ରହିଛି, ତ ଆଉ କେଉଁଠି ଧାଡ଼ିରେ ଭାସୁଛି । ରାସ୍ତାଘାଟ ଓ ଦୋକାନବଜାର ଉବୁଟୁବୁ ହେଉଥିବା ବେଳେ, ବହୁ ସ୍ଥାନରେ ବସ୍, ଆମ୍ବୁଲାନ୍ସ ଓ ଅନ୍ୟ ଯାନବାହାନ ପାଣି ଭିତରେ ଅଟକି ରହିଛି । ଲୋକଙ୍କ ଘରେ ବି ପାଣି ପଶିଛି, କିଛି ଘର କ୍ଷତିଗ୍ରସ୍ତ ହୋଇଥିବା ଚିତ୍ର ମଧ୍ୟ ସାମ୍ନାକୁ ଆସିଛି।

Advertisment

ଏବେ ଯିବା ସବୱେ ଓ ରନୱେ। ଚେନ୍ନାଇ ବିମାନବନ୍ଦର ରନୱେ ଓ ଏରୋପ୍ଲେନ ପାର୍କିଂ ଜୋନ୍ ସମୁଦ୍ରର ଭ୍ରମ ସୃଷ୍ଟି କରୁଛି। ବୁଡ଼ିଯାଇଛି ବିମାନ ଚକ। ସ୍ଥିତି ସାଂଘାତିକ ହେବା ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆଜି ରାତି ୧୧ଟା ଯାଏଁ ସେଠାରେ ଫ୍ଲାଇଟ୍ ଅପରେସନ୍ ବାତିଲ କରାଯାଇଥିବା ବେଳେ, ୩୦ରୁ ଅଧିକ ବିମାନ ଡାଇଭର୍ଟ ହୋଇଛି ।

ସବୱେ ଓ ଅଣ୍ଡରପାସ ତ ଏବେ ପାଣିରେ ବୁଡ଼ି ସ୍ବିମିଂ ପୁଲ୍ ଭଳି ଦିଶୁଛି। ଇଏ ପାଲାଭାନ୍ଥଙ୍ଗଲ୍ ସବୱେ, ଯାହାକି କହିବା ଆବଶ୍ୟକ ନୁହେଁ ଯେ, ଏବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିଛି ।

Advertisment

ଚେନ୍ନାଇ ବନ୍ୟାସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ସମୟ ବିତିବା ସହ ସ୍ଥିତି ଉତ୍କଟ ହେବା ଦେଖି, ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି ସେନା । ଭାରତୀୟ ସ୍ଥଳସେନାର ୧୨ ମାଡ୍ରାସ୍ ୟୁନିଟ ମୁଗଲିଭକ୍କମ ଓ ମନପକ୍କମ ଅଞ୍ଚଳରେ ଜଳବନ୍ଦୀଙ୍କୁ ରେସ୍କ୍ୟୁ କରିଛି । ସ୍କୁଲ, କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ, ବ୍ୟାଙ୍କ୍‌ଠୁ ଆରମ୍ଭ କରି ଅଫିସ୍ ସବୁ ବନ୍ଦ ଘୋଷଣା କରାଯାଇଛି। ତିରୁଭଲ୍ଲୁର, କାଞ୍ଚିପୁରମ ଓ ଚେଙ୍ଗାଲପଟ୍ଟୁରେ ଆସନ୍ତାକାଲି ମଧ୍ୟ ସବୁ ଶିକ୍ଷାନୁଷ୍ଠାନ ଓ ଅଫିସ ବନ୍ଦ ରହିବ ।

ସେପଟେ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ଯେ, ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଚେନ୍ନାଇ ଓ ଆଖପାଖ ଅଞ୍ଚଳରେ ଅତି ପ୍ରବଳ ବର୍ଷା ଜାରି ରହିବ ।

୨୦୧୫ରେ ଚେନ୍ନାଇ ଦେଖିଥିଲା ଭୟଙ୍କର ବନ୍ୟା ବିପତ୍ତି। ସେହିବର୍ଷ ନଭେମ୍ବର-ଡିସେମ୍ବର ମାସରେ ୨୭୦ ଜୀବନ ନେଇଥିଲା ଜଳ ପ୍ରଳୟ। ଏହାପୂର୍ବରୁ ୨୦୦୫ ମସିହା ନଭେମ୍ବର-ଡିସେମ୍ବର ମାସରେ ବନ୍ୟା ସ୍ଥିତି ଅଣାୟତ୍ତ ହୋଇଥିବା ବେଳେ, ୨ଟି ଭିନ୍ନ ଭିନ୍ନ ରିଲିଫ କେନ୍ଦ୍ରରେ ଦଳାଚକଟା ହୋଇ ପ୍ରାୟ ୫୦ ଜଣଙ୍କ ମୃତ୍ୟୁ ଘଟିଥିଲା।

Weather News Heavy Rain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ