ଗାଡ଼ି ପଛରେ ଥାଏ ନମ୍ବର ପ୍ଲେଟ । ନମ୍ବର ପ୍ଲେଟ ନ ଥିଲେ ଫାଇନ । ଭାରତରେ ଗାଡି ପଛରେ ନମ୍ବର ପ୍ଲେଟ ଲଗାଇବା ବାଧ୍ୟତାମୂଳକ । ଆରଟିଓ ବା ରୋଡ ଟ୍ରାନ୍ସପୋର୍ଟ ଅଫିସରେ ରେଜିଷ୍ଟ୍ରେସନ କରିବା ପରେ ଏହି ନମ୍ବର ପ୍ଲେଟ ମିଳିଥାଏ । ହେଲେ ଭାରତରେ ଏମିତି କିଛି ଗାଡ଼ି ରହିଛି ଯାହା ପାଇଁ ନମ୍ବର ପ୍ଲେଟର ଆବଶ୍ୟକତା ନାହିଁ କି ଆରଟିଓ ରେଜିଷ୍ଟ୍ରେସନ ବି ଦରକାର ନାହିଁ । ଏସବୁ ଗାଡ଼ି ବିନା ନମ୍ବର ପ୍ଲେଟରେ ରାସ୍ତାରେ ଦୌଡୁଥାଏ । ଏହାକୁ କେହି ଧରି ପାରିବେନି କି ଫାଇନ କରି ପାରିବେନି । ଏଠି ପ୍ରଶ୍ନ, ଏ ଗାଡିସବୁ କେଉଁ VVIP ଙ୍କର ? କାହିଁକି ଏସବୁ ଗାଡିକୁ ବିଶେଷ ସୁବିଧା ମିଳିଥାଏ ?
ଭାରତରେ ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କ ସରକାରୀ ଗାଡ଼ିରେ ସାଧାରଣ ନମ୍ବର ପ୍ଲେଟ ନ ଥାଏ । କାରଣ ଏହି ଗାଡ଼ିର ନମ୍ବର କରାଯାଇ ନ ଥାଏ । ନମ୍ବର ପ୍ଲେଟ ଜାଗାରେ ଏହି ଗାଡ଼ିରେ ରାଷ୍ଟ୍ରୀୟ ପ୍ରତୀକ ଅଶୋକ ଚିହ୍ନ ଲାଗିଥାଏ । ଏସବୁ ଗାଡି ପାଇଁ ପାରମ୍ପରିକ ନମ୍ବର ପ୍ଲେଟର ଆବଶ୍ୟକତା ପଡ଼ି ନ ଥାଏ । କାରଣ ଗାଡ଼ିର ପରିଚୟ ଏଥିରେ ଲାଗିଥିବା ପ୍ରତୀକରୁ ହିଁ ଜଣା ଯାଇଥାଏ । ଏହି ଗାଡ଼ିର ନମ୍ବର ପ୍ଲେଟରେ ଲାଗିଥାଏ ଅଶୋକ ଚିହ୍ନ।
Also Read
ରାଷ୍ଟ୍ରପତିଙ୍କ ଗାଡିକୁ ଆରଟିଓରେ ରେଜିଷ୍ଟ୍ରେସନ ବି କରାଯାଇ ନଥାଏ । ଅର୍ଥାତ ମୋଟର ବାହନ ଅଧିନିୟମ ୧୯୮୮ ଅନୁସାରେ ଏହି ଗାଡିର ପଞ୍ଜୀକରଣ କରାଯାଇ ନ ଥାଏ । ଏହି ଗାଡ଼ିର ରକ୍ଷଣାବେକ୍ଷଣ, ପରିଚାଳନା ରାଷ୍ଟ୍ରପତି ଭବନର ପ୍ରଶାସନିକ ବିଭାଗ ନିୟନ୍ତ୍ରଣରେ ଥାଏ । ଏହି ଗାଡିର ପଞ୍ଜୀକରଣ ସେମାନେ ନିଜ ଶୈଳୀରେ ରାଷ୍ଟ୍ରପତି ଭବନ ରେକର୍ଡ ଅନୁସାରେ କରନ୍ତି । ଏହା କୌଣସି ସମୟରେ ଆରଟିଓ ଅର୍ଥାତ ପରିବହନ ମନ୍ତ୍ରାଳୟ ଅଧୀନରେ ହୋଇ ନ ଥାଏ ।
ସେନାବାହିନୀ ଗାଡିର ରେଜିଷ୍ଟ୍ରେସନ ହୋଇ ନ ଥାଏ
ଭାରତରେ ସେନାବାହିନୀ ଗାଡିର ମଧ୍ୟ ଆରଟିଓ ରେଜିଷ୍ଟ୍ରେସନ କରାଯାଇ ନ ଥାଏ । ସେନାବାହିନୀର ନମ୍ବର ସିଷ୍ଟମ ସାଧାରଣ ଗାଡି ପରି ହୋଇ ନ ଥାଏ । ଏହି ଗାଡ଼ିର ରେଜିଷ୍ଟ୍ରେସନ ଏବଂ ପରିଚାଳନା ପ୍ରତିରକ୍ଷା ମନ୍ତ୍ରାଳୟ କରିଥାଏ । ସେନାବାହିନୀ ଗାଡ଼ିରେ ଲାଗିଥାଏ ସ୍ୱତନ୍ତ୍ର କୋଡ । ସେନାବାହିନୀ ଗାଡ଼ିର ନମ୍ବର ପ୍ଲେଟରେ ନମ୍ବର ଜାଗାରେ ଏକ ବିଶେଷ କୋଡ ଥାଏ ଯାହା ଏକ ପ୍ରତୀକ ତଥା ସଂଖ୍ୟାର ମିଶ୍ରଣ । ସେନାବହିନୀ ଗାଡିରେ ଯେଉଁ ପ୍ଲେଟ ଲାଗିଥାଏ ସେଥିରେ ଏକ ଊର୍ଦ୍ଧ୍ୱମୁଖି ତୀର ଚିହ୍ନ (↑) ଲାଗିଥାଏ । ଏହି ଚିହ୍ନ ସେନାବାହିନୀର ପ୍ରତୀକ । ଆପଣ କୌଣସି ଗାଡିର ନମ୍ବର ପ୍ଲେଟରେ ଯଦି ତୀର ଚିହ୍ନ ଥିବା ଦେଖନ୍ତି, ତେବେ ବୁଝିଯିବେ ଯେ ଏହା ସେନାବାହିନୀର ଗାଡ଼ି । ତୀର ଚିହ୍ନ ବ୍ୟତୀତ ଏଥିରେ ଦୁଇ ଅଙ୍କ ଥାଏ । ଏହି ଅଙ୍କ ଗାଡ଼ିର ରେଜିଷ୍ଟ୍ରେସନ ବର୍ଷକୁ ଦର୍ଶାଇଥାଏ । ଉଦାହରଣ ସ୍ୱରୂପ ଯଦି ଗାଡିରେ ୨୨ ଲେଖା ଯାଇଛି ତେବେ ଏହାର ଅର୍ଥ ଗାଡ଼ିଟି ୨୦୨୨ରେ ରେଜିଷ୍ଟ୍ରେସନ କରାଯାଇଛି ।
ନମ୍ବର ପ୍ଲେଟରେ କ’ଣ ରହିଥାଏ ?
ସେନାବାହିନୀ ଗାଡ଼ିରେ ସଂଖ୍ୟାର ଏକ ମିଶ୍ରଣ ଥାଏ । ଗାଡିର ଶ୍ରେଣୀ ଏବଂ ବିଶେଷତାର ପରିଚୟ ବୋଲି କହିହେବ । ଉଦାହରଣ ସ୍ୱରୂପ- ↑ 22 B 123456 । ସେନାବାହିନୀ ଗାଡ଼ିର ନମ୍ବର ପ୍ଲେଟ ସାଧାରଣତଃ କଳାରଙ୍ଗ ଉପରେ ଧଳା ରଙ୍ଗର ଅକ୍ଷରରେ ଲେଖା ଯାଇଥାଏ । ଅନ୍ୟପକ୍ଷେ ସାଧାରଣ ଲୋକଙ୍କ ଗାଡ଼ିରେ ଧଳା, ହଳଦିଆ କିମ୍ବା ନୀଳ ରଙ୍ଗର ପ୍ଲେଟ ଉପରେ ନମ୍ବର ଲେଖାଯାଇଥାଏ । ସେନା ବାହିନୀର ଗାଡ଼ି ମୋଟର ଅଧିନିୟମ ୧୯୯୮ ଅନୁସାରେ ଆରଟିଓରେ ରେଜିଷ୍ଟ୍ରେସନ ହୋଇ ନ ଥାଏ । ଏହାର ପଞ୍ଜୀକରଣ ସେନାର ନିଜସ୍ୱ ଆଭ୍ୟନ୍ତରୀଣ ବ୍ୟବସ୍ଥା ଅନୁସାରେ ହୋଇଥାଏ । ସେନାବାହିନୀର ସୁରକ୍ଷା ଏବଂ ଗୋପନୀୟତାକୁ ଦୃଷ୍ଟିରେ ରଖି ଏହାର ଗାଡି ପଞ୍ଜୀରକରଣ ଏବଂ ନମ୍ବରର ଅଲଗା ନିୟମ ଓ ପ୍ରକ୍ରିୟା ରହିଛି ।
କେମିତି ବିକ୍ରି ହୁଏ ସେନାବାହିନୀ ଗାଡ଼ି ?
ଯଦି କୌଣସି ସେନାବାହିନୀର ଗାଡ଼ି ସାଧାରଣ ଲୋକଙ୍କ ଉପଯୋଗ ପାଇଁ ବିକ୍ରି କରାଯାଏ ତେବେ ଏହାକୁ ନିଲାମ କରାଯାଏ । ହେଲେ ତା ପୂର୍ବରୁ ଏହାକୁ ଆରଟିଓ ପଞ୍ଜୀକରଣ କରାଇବାକୁ ପଡିଥାଏ ଓ ସାଧାରଣ ନମ୍ବର ପ୍ଲେଟ ଲଗାଯାଇଥାଏ ।
ଗାଡ଼ିରେ ନମ୍ବର ପ୍ଲେଟ ଲାଗିବା ବ୍ୟବସ୍ଥା ଭାରତରେ କେବେଠୁ ଆରମ୍ଭ ?
୧୯୧୪ରେ ଭାରତରେ ମୋଟର ବାହନ ଅଧିନିୟମ 1914 (Indian Motor Vehicles Act, 1914) ଲାଗୁ କରାଯାଇଥିଲା । ଏହା ପରଠାରୁ ଗାଡ଼ିରେ ନମ୍ବର ପ୍ଲେଟ ଲାଗିବା ବ୍ୟବସ୍ଥା ୧୯୧୪ରୁ ଆରମ୍ଭ ହୋଇଥିଲା । ଏହି ଅଧିନିୟମ ବ୍ରିଟିଶ ସରକାରଙ୍କ ସମୟରେ ଲାଗୁ କରାଯାଇଥିଲା । ଏଥିରେ ଗାଡ଼ିର ପଞ୍ଜୀକରଣ ତଥା ଡ୍ରାଇଭିଂ ଲାଇସେନ୍ସ ସହ ଜଡିତ ନିୟମ ଇତ୍ୟାଦି ରହିଛି । ବ୍ରିଟିଶ ଶାସନ ପୂର୍ବରୁ ଭାରତରେ ରାଜା ମହାରାଜା ଏବଂ ନବାବଙ୍କ ପାଖରେ ନିଜସ୍ୱ ସବାରୀ ଥିଲା । ଏହି ରାଜକୀୟ ବାହନର କୌଣସି ଔପଚାରିକ ରେଜିଷ୍ଟ୍ରେସନ ପ୍ରଣାଳୀ ନ ଥିଲା । ଅନ୍ୟପକ୍ଷେ ବ୍ରିଟିଶ ଶାସନରେ ଅର୍ଥାତ ୧୯୧୪ରେ ‘ଭାରତୀୟ ମୋଟରଯାନ ଅଧିନିୟମ’ ଲାଗୁ କରାଯାଇଥିଲା । ସେବେଠାରୁ ଭାରତରେ ଗାଡ଼ି ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଏହି ନମ୍ବର ପ୍ଲେଟ ପ୍ରଣାଳୀରେ କେମିତି ହୋଇଛି ପରିବର୍ତ୍ତନ ?
୧୯୧୪- ଭାରତୀୟ ମୋଟର ବାହନ ଅଧିନିୟମ ଲାଗୁ ହୋଇଥିଲା ଯେଉଁଥିରେ ପ୍ରତ୍ୟେକ ଗାଡିର ରେଜିଷ୍ଟ୍ରେସନ ବାଧ୍ୟତାମୂଳକ ଥିଲା ।
୧୯୩୯- ୧୯୩୯ରେ ନୂଆ ମୋଟରଯାନ ଅଧିନିୟମ ଆସିଲା ଯେଉଁଥିରେ ନମ୍ବର ପ୍ଲେଟର ସ୍ୱରୂପ ଏବଂ ମାନଦଣ୍ଡକୁ ଆହୁରି ସ୍ପଷ୍ଟ କରାକଲା
୧୯୮୯- ୧୯୮୯ରେ କେନ୍ଦ୍ର ସରକାର ଷ୍ଟାଣ୍ଡାର୍ଡ ନମ୍ବର ପ୍ଲେଟ ଡିଜାଇନ ଲାଗୁ କରିଥିଲେ
୨୦୧୯- HSRP ବା ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ ବାଧ୍ୟତାମୂଳକ କରାଯାଇଥିଲା । ଏଥିରେ ନମ୍ବର ପ୍ଲେଟରେ ହେରାଫେରିକୁ ରୋକିବା ପାଇଁ ପଦକ୍ଷେପ ନିଆଯାଇଥିଲା ।
ବିଶ୍ୱରେ ପ୍ରଥମ ନମ୍ବର ପ୍ଲେଟ ସିଷ୍ଟମ କେଉଁଠି ଲାଗୁ ହୋଇଥିଲା
ବିଶ୍ୱରେ ସବୁଠାରୁ ପ୍ରଥମ ନମ୍ବର ପ୍ଲେଟ ସିଷ୍ଟମ ଫ୍ରାନ୍ସରେ ଲାଗୁ ହୋଇଥିଲା । ଏହା ୧୮୯୩ରେ ଆରମ୍ଭ ହୋଇଥିଲା । ସେ ସମୟରେ ଗାଡ଼ିର ସଂଖ୍ୟା ବୃଦ୍ଧି ପାଉଥିବାରୁ ରାସ୍ତାରେ ଯାତାୟାତ ଜନିତ ସମସ୍ୟା ଦେଖା ଦେଇଥିଲା । ଦୁର୍ଘଟଣା ସଂଖ୍ୟା ମଧ୍ୟ ବଢୁଥିଲା । ସେଥିପାଇଁ ଗାଡି ଚିହ୍ନଟ କରିବା ପାଇଁ ଏକ ବ୍ୟବସ୍ଥିତ ଉପାୟର ଆବଶ୍ୟକତା ଦେଖା ଦେଇଥିଲା ।
ଫ୍ରାନ୍ସ ପରେ ଅନ୍ୟ ୟୁରୋପୀୟ ଦେଶରେ ମଧ୍ୟ ଗାଡ଼ି ନମ୍ବର ପ୍ଲେଟ ଲଗାଇବା ବ୍ୟବସ୍ଥା ଆରମ୍ଭ ହେଲା । ବ୍ରିଟେନରେ ୧୯୦୩ରେ ଏବଂ ଜର୍ମାନୀରେ ୧୯୦୬ରେ ଏହି ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଥିଲା । ଆମେରିକାରେ ମଧ୍ୟ ବିଂଶ ଶତାବ୍ଦୀର ଆରମ୍ଭରେ ଗାଡ଼ିରେ ନମ୍ବର ପ୍ଲେଟ ଲଗାଇବା ବ୍ୟବସ୍ଥା ଆରମ୍ଭ ହୋଇଥିଲା । ଭାରତରେ ନମ୍ବର ପ୍ଲେଟର ବ୍ୟବହାର ବିଂଶ ଶତାବ୍ଦୀରେ ଆରମ୍ଭ ହୋଇଥିଲା ।
ରାଜା ମହାରାଜାଙ୍କ ଗାଡ଼ି ପଞ୍ଜୀକୃତ ହେଉଥିଲା କି ?
ବ୍ରିଟିଶ ଶାସନ ସମୟରେ ରାଜା ଏବଂ ଗଡ଼ଜାତ ଅଞ୍ଚଳର ଗାଡିଗୁଡିକରେ ବିଶେଷ ନମ୍ବର ପ୍ଲେଟ ଲାଗିବା ସହ ପଞ୍ଜୀକୃତ ହେଉଥିଲା । ଏଥିରେ ସେହି ରାଜ୍ୟର ନାମ କିମ୍ବା ପ୍ରତୀକ ରହୁଥିଲା । କେତେକ ରାଜ୍ୟରେ ସ୍ୱତନ୍ତ୍ର ନମ୍ବରିଂ ବ୍ୟବସ୍ଥା ରହୁଥିଲା । ଯେମିତି ଜୟପୁର ଗଡଜାତ-“JP” , ଗୋଆଲିୟର ଗଡଜାତ- GWL, ହାଇଦ୍ରାବାଦ ଗଡଜାତ- HYD ଏବଂ ବଡୌଦା ଗଡଜାତ- BRD ରହୁଥିଲା ।
ରାଜାଙ୍କ ଗାଡ଼ିର ଥିଲା ସ୍ୱତନ୍ତ୍ର ପରିଚୟ
ଅନେକ ରାଜାଙ୍କ କାରରେ ରାଜକୀୟ ପ୍ରତୀକ ଯେମିତି ଅସ୍ତ୍ରର ଚିହ୍ନ ରହୁଥିଲା । ନଚେତ ରାଜ୍ୟର ମୋହର ଲାଗୁଥିଲା । କେତେକ କାରରେ ନମ୍ବର ପ୍ଲେଟ ବଦଳରେ ରାଜ୍ୟର ନାମ ଏବଂ ରାଜାଙ୍କ ସାଂଜ୍ଞା ଲେଖାଯାଉଥିଲା । ବ୍ରିଟିଶ ସରକାର କେତେକ ଗଡ଼ଜାତାକୁ ସ୍ୱତନ୍ତ୍ର ମାନ୍ୟତା ଦେଇଥିଲେ ଯଦ୍ୱାରା ସେମାନେ ବିନା ରେଜିଷ୍ଟ୍ରେସନରେ ମଧ୍ୟ ଗାଡ଼ି ଚଳାଇ ପାରୁଥିଲେ ।
ସ୍ୱତନ୍ତ୍ରତା ପରେ ବଦଳିଗଲା ନିୟମ
ଭାରତରେ ଗଡ଼ଜାତର ବିଲୟ ହେବା ପରେ ରାଜା ଏବଂ ନବାବଙ୍କ ଗାଡ଼ିକୁ ମଧ୍ୟ ସାଧାରଣ ନାଗରିକଙ୍କ ପରି ପଞ୍ଜୀକୃତ କରିବାର ଆବଶ୍ୟକତା ପଡିଲା ।
-ନବାବ ହାଇଦ୍ରାବାଦଙ୍କ ରୋଲ୍ସ ରାୟସ ଗାଡି:ଏଥିରେ ପାରମ୍ପରିକ ନମ୍ବର ପ୍ଲେଟ ଲାଗି ନ ଥିଲା । କେବଳ “Hyd” ଲେଖା ଯାଇଥିଲା ।
-ସେହିପରି ଜୟପୁର ମହାରାଜାଙ୍କ ବୁଗାଟି କାରରେ ରାଜକୀୟ ମୋନୋଗ୍ରାମ ଲାଗିଥିଲା । ହେଲେ ବ୍ରିଟିଶ ସରକାର ଏଥିରେ ସରକାରୀ ରେଜିଷ୍ଟ୍ରେସନ କରିଥିଲେ ।
ପଟିଆଲାର ମହାରାଜାଙ୍କ ପାଖରେ ଥିଲା ୪୪ଟି ରୋଲ୍ସ ରୟସ ଗାଡ଼ି । ଏସବୁ ଗାଡ଼ିରେ ରାଜ୍ୟର ପ୍ରତୀକ ଲାଗିଥିଲା ।
ଭାରତରେ ପ୍ରଥମ ପଞ୍ଜୀକୃତ ଗାଡ଼ି
ଭାରତରେ ନମ୍ବର ପ୍ଲେଟ ସହ ପ୍ରଥମ ପଞ୍ଜୀକୃତ ଗାଡି ବାହାରି ଥିଲା ମୁମ୍ବାଇରେ । ଏହି ଗାଡ଼ିକୁ“MH-01” ନାମରେ ପଞ୍ଜୀକୃତ କରାଯାଇଥିଲା । ଏହି ଗାଡ଼ିର ମାଲିକ ଜଣେ ବ୍ରିଟିଶ କିମ୍ବା ଭାରତୀୟ ବ୍ୟବସାୟୀ ଥିଲେ ।