ସେ ବି ଜଣେ ମା’ ! ଯନ୍ତ୍ରଣାରେ ଛଟପଟ ପିଲାକୁ ଦେଖି କାନ୍ଦିଲେ ମହିଳା ଆଇଏଏସ୍‌

ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି ଭିଡିଓ ।

ଆହତ ପିଲାକୁ ଦେଖି ମହିଳା ଆଇଏଏସ୍‌ଙ୍କ ଆଖିରେ ଲୁହ

ମେଡିକାଲ ବେଡରେ ରକ୍ତ ଜୁଡ଼ୁବୁଡ଼ୁ ଶରୀର । ଯନ୍ତ୍ରଣାରେ ଛଟପଟ୍‌ ହେଉଥାଏ ପିଲାଟି । ଦୁର୍ଘଟଣାରେ ଆହତ ହୋଇଥିବା କୁନି ପୁଅକୁ ଦେଖି କାନ୍ଦି ପକାଇଲେ ଆଇଏଏସ୍‌ ଅଫିସର ରୋଶନ୍ ଜ୍ୟାକବ୍‌ । ବଡ଼ ଅଫିସର ହେଲେ କ’ଣ ହେଲା ପିଲାଟିର ଅବସ୍ଥା ଦେଖି ତାଙ୍କ ହୃଦୟ ଯେପରି ଭାଙ୍ଗି ପଡ଼ିଥିଲା । ଛୋଟ ପିଲାକୁ ଦେଖି ସେ କଇଁ କଇଁ କାନ୍ଦି ପକାଇଲେ । ଆଇଏଏସ୍‌ ଅଫିସର୍‌ ହେଲେ କ’ଣ ହେଲା ସେ ବି ଜଣେ ମା’ । ପିଲାର ଦୁଃଖକଷ୍ଟ ସେ ଠିକରେ ଠଉରାଇ ପାରିଥିଲେ ।

ଉତ୍ତରପ୍ରଦେଶର ଲଖିମ୍‌ପୁର ଜିଲ୍ଲାରେ ଏପରି ଏକ ଘଟଣା ଘଟିଛି । ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଅନେକ ଲୋକଙ୍କ ଜୀବନ ଯିବା ସହ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଖବର ପାଇବା ପରେ ଆହତଙ୍କୁ ଭେଟିବାକୁ ଆସିଥିଲେ ଲକ୍ଷ୍ନୌ ମଣ୍ଡଳର ବିଭାଗୀୟ କମିଶନର ଆଇଏଏସ୍ ରୋଶନ ଜ୍ୟାକବ୍‌ । ହେଲେ ମେଡିକାଲରେ ଏକ ଶିଶୁର ଅବସ୍ଥା ଦେଖିବା ପରେ ତାଙ୍କ ଆଖି ଛଳଛଳ ହୋଇଯାଇଥିଲା । ସେ ତାଙ୍କ ଲୁହକୁ ରୋକିପାରି ନଥିଲେ । ଧାର ଧାର ହୋଇ ଆଖିରୁ ଲୁହ ବହି ଯାଇଥିଲା ।

ସେ ଆହତ ପିଲାର ପରିବାର ଲୋକଙ୍କ ସହିତ କଥାବାର୍ତ୍ତା କରିଥିଲେ । ତେବେ ସେଠାରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅବେହଳା ସମ୍ପର୍କରେ କହିଥିଲେ ପରିବାର ଲୋକ । ତିନି ଦିନ ହେଲା ପିଲାଟି ବେଡରେ ପଡ଼ିଥିବା ବେଳେ ଠିକ୍‌ ଭାବରେ ଚିକିତ୍ସା ହେଉନଥିବା ପିଲାଟିର ମା’ ଅଭିଯୋଗ କରିଥିଲେ । ଏହା ଶୁଣି ମହିଳା ଆଇଏଏସ୍‌ ଛଳଛଳ ଆଖିରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ କ୍ଲାସ୍‌ ନେବା ସହ ଏପର୍ଯ୍ୟନ୍ତ ପିଲାଟିର ସ୍ୱାସ୍ଥ୍ୟ ପରୀକ୍ଷା କାହିଁକି କରାଯାଇ ନାହିଁ ବୋଲି ପ୍ରଶ୍ନ କରିଥିଲେ ।

ଏହା ପରେ ତୁରନ୍ତ ଶିଶୁକୁ ଉତ୍ତମ ଚିକିତ୍ସା ସହାୟତା ଯୋଗାଇବାକୁ ତାଙ୍କ ସହ ଉପସ୍ଥିତ ଥିବା ଜିଲ୍ଲାର ଏଡିଏମ, ସିଡିଏ, ସିଏମଓ ଏବଂ ଡିଏମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପିଲାଟିର ଚିକିତ୍ସା ପାଇଁ ସମସ୍ତ ଖର୍ଚ୍ଚ ପ୍ରଶାସନ ବହନ କରିବ ବୋଲି ମଧ୍ୟ ପରିବାର ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି । ତେବେ ଯିବା ସମୟରେ ପିଲାଟିର ପିଠିକୁ ସାଉଁଳି ଦେଇ ଖୁବ୍‌ ଶୀଘ୍ର ତୁମେ ଭଲ ହୋଇଯିବ ବୋଲି ମଧ୍ୟ କହିଥିଲେ । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି । ଆଇଏଏସ ରୋଶନ୍ ଜ୍ୟାକବ ଜଣେ ହୃଦୟବାନ୍ ସରକାରୀ ଅଧିକାରୀ ବୋଲି ଲୋକେ କହୁଛନ୍ତି।