ଦ୍ୱିତୀୟ ଥର ପାଇଁ ଗୋଆର ମୁଖ୍ୟମନ୍ତ୍ରୀ ହେଲେ ପ୍ରମୋଦ ସାୱନ୍ତ : ୮ ମନ୍ତ୍ରୀଙ୍କ ସହ ନେଲେ ଶପଥ

ଆଜି ଦିନ ୧୧ଟାରେ ଗୋଆର ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ପ୍ରମୋଦ ସାୱନ୍ତ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି

Pramod Sawant

ଗୋଆରେ ଆରମ୍ଭ ହେଲା ପ୍ରମୋଦଙ୍କ ସେକେଣ୍ଡ ଇନିଂସ । ପ୍ରମୋଦ ସାୱନ୍ତ ଲଗାତାର ଦ୍ୱିତୀୟ ଥର ପାଇଁ ଗୋଆର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଆଜି ସେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ପି.ଏସ. ଶ୍ରୀଧରନ୍ ପିଲାଇ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ତାଙ୍କ ସହ ୮ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ବଡ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ ।

ଆଜି ଦିନ ୧୧ଟାରେ ଗୋଆର ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ପ୍ରମୋଦ ସାୱନ୍ତ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିଶତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ସମେତ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ଥିଲେ । କାର୍ଯ୍ୟକ୍ରମରେ ପ୍ରାୟ ୧୦ ହଜାର ବ୍ୟକ୍ତିଙ୍କ ପାଇଁ ସାମିଲ ହେବାକୁ ବ୍ୟବସ୍ଥା କରାଯାଇଥିଲା ।

୪୮ବର୍ଷୀୟ ପ୍ରମୋଦ ସାୱନ୍ତ ଉତ୍ତର ଗୋଆର ସାଙ୍କାଲିମରୁ ବିଧାୟକ ଅଟନ୍ତି । ୨୦୧୭ ମସିହାରେ ଯେତେବେଳେ ମନୋହର ପାରିକରଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ କଲା, ସେତେବେଳେ ସେ ବିଧାନସଭା ବାଚସ୍ପତି ଭାବରେ ନିର୍ବାଚିତ ହୋଇଥିଲେ । ତେବେ ପାରିକରଙ୍କ ମୃତ୍ୟୁ ପରେ ସେ ମାର୍ଚ୍ଚ ୨୦୧୯ରେ ସେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ବୃତ୍ତିରେ ପ୍ରମୋଦ ସାୱନ୍ତ ଜଣେ ଆୟୁର୍ବେଦିକ ଡାକ୍ତର ।

ନିକଟରେ ଶେଷ ହୋଇଥିବା ହୋଇଥିବା ରାଜ୍ୟ ନିର୍ବାଚନରେ ​​ବିଜେପି ୨୦ ଟି ସିଟ୍ ଜିତିଛି, ଯାହା ୪୦ ସଦସ୍ୟ ବିଶିଷ୍ଟ ଗୃହରେ ବହୁମତରୁ ଗୋଟିଏ କମ୍‌ । ତେବେ ତିନିଜଣ ସ୍ୱାଧୀନ ବିଧାୟକ ଏବଂ ମହାରାଷ୍ଟ୍ରୱାଦି ଗୋମନ୍ତକ ପାର୍ଟିର ଦୁଇଜଣ ବିଧାୟକ ବିଜେପିକୁ ସମର୍ଥନ କରିଛନ୍ତି ।