Glorifying history of the battle of longewala fought between India-Pakistan
ଅଦ୍ଭୁତ ବୀରତ୍ୱ, ଦୃଢ଼ ସଂକଳ୍ପ, ପ୍ରବଳ ପରାକ୍ରମ, ଶତସିଂହର ବଳ, ଦୁଃସାହସ ଆଉ ସମର୍ପଣ। ଏସବୁ ଶବ୍ଦକୁ ଗୋଟିଏ ନାମ ଦିଆଗଲେ.. ଏହାର ନାମ ହେବ ଭାରତୀୟ ସେନା। ଦେଶର ଗର୍ବ ଓ ଗୌରବ ବୋଲାଉଥିବା ଆମ ଯବାନମାନେ ଜୀବନର ଶେଷ ରକ୍ତବିନ୍ଦୁ ଥିବାଯାଏ ମାଟି ମା’ର ସୁରକ୍ଷା ପାଇଁ ଲଢ଼େଇ କରିଥାଆନ୍ତି। କ୍ଷଣ କ୍ଷଣରେ ମୃତ୍ୟୁର ତାଣ୍ଡବକୁ ଆଖି ସାମ୍ନାରେ ଦେଖି ମଧ୍ୟ ଅବିଚଳିତ ହିମାଳୟ ପରି ସୀମା ସୁରକ୍ଷାରେ ସର୍ବଦା ଜାଗ୍ରତ ଥାଆନ୍ତି। ଶତ୍ରୁ ସଂହାର କରି ହେଉ କିମ୍ବା ରଣଭୂମିରେ ଜୀବନ ଦେବାକୁ ଏମାନେ ଗୌରବ ବୋଲି ମନେକରନ୍ତି। ଶୀତ ରାତିର ବରଫ ଚାଦର ତଳେ ତାଙ୍କ ମନୋବଳ କେବ ଶୀତଳ ହୋଇଯାଏନି କି ଉତ୍ତପ୍ତ ମରୁଭୂମି ତାଙ୍କ ଦମ୍ଭ ଭାଙ୍ଗି ପାରେନି। ଭାରତର ବୀରପୁତ୍ରମାନେ ଅନେକ ଯୁଦ୍ଧର ନୂଆ ଭୂଗୋଳ ଓ ଇତିହାସ ଲେଖିଛନ୍ତି। ଏପରି ଏକ ଯୁଦ୍ଧ ହୋଇଥିଲା ୧୯୭୧ରେ, ପାକିସ୍ତାନ ଡିସେମ୍ବର ୩ରେ ଭାରତର ଅନେକ ଏୟାର ବେସ୍ ଉପରେ ଆକ୍ରମଣ କରି ଔପଚାରିକ ଭାବରେ ଯୁଦ୍ଧ ଘୋଷଣା କରିଥିଲା। ଏହି ଯୁଦ୍ଧର ପରିଣତିରେ ହୋଇଥିଲା ବାଂଲାଦେଶର ଉତ୍ପତ୍ତି, ଯେଉଁଥିରେ ଭାରତ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା।
୧୯୭୧ ମସିହାର ଭାରତ-ପାକ୍ ଯୁଦ୍ଧ ଦେଶକୁ ବିଜୟର ସର୍ବଶ୍ରେଷ୍ଠ ସ୍ୱାଦ ଦେଇଥିଲା। ସେତେବେଳେ ମଧ୍ୟ ପାକିସ୍ତାନୀ ସେନାର ଘୃଣ୍ୟ କାର୍ଯ୍ୟକଳାପ ଯୋଗୁଁ ଏକ ଯୁଦ୍ଧ ଘଟିଥିଲା ଯାହା ବିଶ୍ୱର ମାନଚିତ୍ର ଏବଂ ଦୃଷ୍ଟିକୋଣକୁ ବଦଳାଇ ଦେଇଥିଲା। ସେହି ଐତିହାସିକ ଯୁଦ୍ଧରେ ପାକିସ୍ତାନ କେବଳ ଯେ ଲଜ୍ଜାଜନକ ପରାଜୟ ବରଣ କରିଥିଲା ତା’ନୁହେଁ, ୯୩ ହଜାର ସୈନିକଙ୍କ ସହ ପାକିସ୍ତାନ ସେନାବାହିନୀ ଭାରତ ନିକଟରେ ଆତ୍ମସମର୍ପଣ କରିଥିଲା। ଭାରତୀୟ ସେନା ପାକିସ୍ତାନକୁ ଖଣ୍ଡ ଖଣ୍ଡ କରି ଏକ ଉଦାହରଣ ସୃଷ୍ଟି କରିଥିଲା। ଏହି ଯୁଦ୍ଧ ଜଳ, ସ୍ଥଳ ଏବଂ ଆକାଶରରେ ଲଢ଼ା ଯାଇଥିଲା। ଏଥିମଧ୍ୟରୁ ଗୋଟିଏ ଥିଲା ଲୋଙ୍ଗେୱାଲା ଯୁଦ୍ଧ।
ଏହି ଯୁଦ୍ଧ ୧୯୭୧ ମସିହାର ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ପଶ୍ଚିମ ସେକ୍ଟରରେ ଲଢ଼ିଥିବା ପ୍ରମୁଖ ନିର୍ଣ୍ଣାୟକ ଯୁଦ୍ଧ ମଧ୍ୟରୁ ଗୋଟିଏ ଥିଲା। ଏହି ଯୁଦ୍ଧରେ ୪୬ଟି ଟ୍ୟାଙ୍କ ଏବଂ ତୋପ ସହିତ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ଆସିଥିବା ୪୦୦୦ରୁ ଅଧିକ ପାକିସ୍ତାନୀ ସୈନିକଙ୍କୁ ପରାସ୍ତ କରିଥିଲେ ମାତ୍ର ୧୨୦ ଜଣ ଭାରତୀୟ ଯବାନ।
ଲୋଙ୍ଗେୱାଲା ଉପରେ କାହିଁକି ଆକ୍ରମଣ ହୋଇଥିଲା?
ଲୋଙ୍ଗେୱାଲା ଚେକ୍ ପୋଷ୍ଟ। ରାଜସ୍ଥାନର ଭାରତ-ପାକିସ୍ତାନ ସୀମାରେ ଏକ ଛୋଟ ସୁରକ୍ଷା ପୋଷ୍ଟ। ଏହି ସ୍ଥାନ ଜୟସଲମେରରୁ ୧୨୦ କିଲୋମିଟର, ରାମଗଡ଼ରୁ ୫୫ କିଲୋମିଟର ଏବଂ ଆନ୍ତର୍ଜାତୀୟ ସୀମାରୁ ୨୦ କିଲୋମିଟର ଦୂରରେ ଅବସ୍ଥିତ। ସେହି ସମୟରେ ମରୁଭୂମିର ପ୍ରାନ୍ତରେ ସୀମା ସୁରକ୍ଷା ପାଇଁ ପଞ୍ଜାବ ରେଜିମେଣ୍ଟର ୨୩ତମ ବାଟାଲିୟନର ଏକ ଦଳ ଏଠାରେ ନିୟୋଜିତ ହୋଇଥିଲା।
ଲୋଙ୍ଗେୱାଲା ରାମଗଡ଼ ରୋଡ଼ର ଏକ ସମତଳ ଭୂମିରେ ଏକ ହେଲିପ୍ୟାଡ୍ ନିର୍ମାଣ କରାଯାଇଥିଲା, ଯାହାର ଦୂରତା ସୁରକ୍ଷା ପୋଷ୍ଟଠାରୁ ୭୦୦ ମିଟର ଥିଲା। ଲୋଙ୍ଗେୱାଲା ଉପରେ ଶତ୍ରୁର ନଜର ଯିବାର ପ୍ରାୟ କୌଣସି ସମ୍ଭାବନା ନଥିଲା। ତେଣୁ ଏଠାରେ ସାମରିକ ସତର୍କତା ଥିଲେ ସୁଦ୍ଧା କୌଣସି ଅତିରିକ୍ତ ପ୍ରସ୍ତୁତି ନଥିଲା। ଭାରତୀୟ ଯବାନଙ୍କ ପାଖରେ ଦୁଇଟି ମଧ୍ୟମ ମେସିନ୍ ଗନ୍, ଦୁଇଟି ୮୧ ଏମଏମ୍ ମୋର୍ଟାର, ଚାରୋଟି କାନ୍ଧରେ ଚଲାଉଥିବା ରକେଟ୍ ଲଞ୍ଚର୍ ଥିଲା। ଏହାବ୍ୟତୀତ ଭାରତୀୟ ଯବାନଙ୍କ ପାଖରେ କିଛି ଲ୍ୟାଣ୍ଡମାଇନ୍ ମଧ୍ୟ ଥିଲା, କିନ୍ତୁ ସେଠାରେ ଆକ୍ରମଣର ସମ୍ଭାବନା କ୍ଷୀଣ ଥିବାରୁ ସେଗୁଡ଼ିକୁ ବିଛାଯାଇ ନଥିଲା।
ଭାରତୀୟ ସେନାର ଏକ ବଡ଼ ଅଂଶ ପୂର୍ବ ସୀମାରେ ନିୟୋଜିତ ଥିଲା ବେଳେ ବାକି ସେନା ଜମ୍ମୁ-କାଶ୍ମୀର ଏବଂ ଅନ୍ୟାନ୍ୟ ଅଞ୍ଚଳର ସୁରକ୍ଷାରେ ନିୟୋଜିତ ଥିଲା। ଡିସେମ୍ବର ଆରମ୍ଭରେ ଥର ଅଞ୍ଚଳରେ ଏକ ଗୁଜବ ପ୍ରସାରିତ ହୋଇଥିଲା - ପାକିସ୍ତାନୀମାନେ ଡିସେମ୍ବର ୪ ଜୈସଲମେର ଅକ୍ତିଆର କରିବେ। ହେଲେ କେହି ଏକଥାକୁ ଗୁରୁତ୍ୱ ଦେଉନଥିଲେ।
୫ ଡିସେମ୍ବର ରାତିରେ ଲୋଙ୍ଗେୱାଲାରେ କ’ଣ ଘଟିଥିଲା?
ଡିସେମ୍ବର ୪-୫ ରାତି। ସେହି ରାତି ଥିଲା ଚାନ୍ଦିନୀ ରାତି। ଲୋଙ୍ଗେୱାଲାର ଆଖପାଖ ଅଞ୍ଚଳରେ ସୁଲୁସୁଲିଆ ପବନ ବହୁଥିଲା। ସୁରକ୍ଷା ପୋଷ୍ଟ ଇନଚାର୍ଜ ମେଜର କୁଲଦୀପ ସିଂହ ଚାନ୍ଦପୁରୀ ସୀମା ଆଡ଼କୁ ପାଟ୍ରୋଲିଂ ପାଇଁ କ୍ୟାପଟେନ ଧରମବୀର ସିଂହଙ୍କ ନେତୃତ୍ୱରେ କିଛି ସୈନିକଙ୍କୁ ପଠାଇଥିଲେ।
ଡିସେମ୍ବର ୪-୫ ରାତିର ନୀରବତା ମଧ୍ୟରେ ହଠାତ୍ ଟ୍ୟାଙ୍କ ଇଞ୍ଜିନର ମୃଦୁ ଶବ୍ଦ ଶୁଣିବାକୁ ମିଳିଥିଲା। ପ୍ରାରମ୍ଭରେ ଏହି ଶବ୍ଦ କେଉଁଠାରୁ ଆସୁଛି ତାହା କେହି ଅନୁମାନ କରିପାରି ନଥିଲେ। ସମଗ୍ର ପ୍ଲାଟୁନ ସେହି ସ୍ୱରକୁ ଧ୍ୟାନର ସହିତ ଶୁଣୁଥିଲା ଏବଂ ବୁଝିବାକୁ ଚେଷ୍ଟା କରୁଥିଲା। ସେ ଅଞ୍ଚଳରେ ଆକ୍ରମଣର ସମ୍ଭାବନା କମ ଥିବାରୁ କେହି ଶବ୍ଦକୁ ଗୁରୁତ୍ୱ ଦେଇନଥିଲେ।
ହେଲେ ପାଖାପାଖି ରାତି ୧୨ ସମୟରେ ପାକିସ୍ତାନ ଟ୍ୟାଙ୍କ ଧୀରେ ଧୀରେ ବଢ଼ୁଥିବା ଦେଖିବାକୁ ପାଇଥିଲେ ଭାରତୀୟ ସେନା। ବାଲିରେ ଚାଲୁଥିବାରୁ ଧୀରେ ଧୀରେ ଆସୁଥିଲା ଟ୍ୟାଙ୍କ ଏବଂ ଚାଲାକି କରି ଟ୍ୟାଙ୍କର ଲାଇଟ ବନ୍ଦ କରିଦେଇଥିଲେ ପାକିସ୍ତାନୀ ସୈନ୍ୟ।
୪୦୦୦ ସୈନିକଙ୍କୁ ଅଟକାଇ ରଖିଥିଲା ଏକ ବାଟାଲିୟନ
ରାତି ପ୍ରାୟ ୧୨:୩୦ ରେ ପାକିସ୍ତାନୀ ଟ୍ୟାଙ୍କଗୁଡ଼ିକ ଅତର୍କିତ ଭାବରେ ଗୁଳି ବର୍ଷଣ ଆରମ୍ଭ କରିଦେଲେ। ପ୍ରାରମ୍ଭିକ ଆକ୍ରମଣରେ ସୀମା ସୁରକ୍ଷା ବାହିନୀର ପାଞ୍ଚଟି ଓଟ ନିହତ ହୋଇଥିଲେ। ହେଲେ ପାକିସ୍ତାନୀ ସେନାର ଟ୍ୟାଙ୍କଗୁଡ଼ିକ କଣ୍ଟକିତ ତାରଲଗା ସୀମା ପାଖରେ କିଛି ସମୟ ପାଇଁ ଅଟକି ଯାଇଥିଲା, କାରଣ ସେଠାରେ ଥିଲା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଭୟ।
ଏହାର ସୁଯୋଗ ନେଇ ଭାରତୀୟ ଯବାନଙ୍କୁ ସ୍ଥିତି ମଜଭୁତ କରିବା ପାଇଁ ସମୟ ମିଳିଯାଇଥିଲା। ଡିସେମ୍ବର ୫ ତାରିଖ ସକାଳ ସୂର୍ଯ୍ୟୋଦୟ ପୂର୍ବରୁ ପାକିସ୍ତାନୀ ସୈନିକମାନେ ଭାରତୀୟ ପୋଷ୍ଟ ଉପରେ ଆକ୍ରମଣ କରିଥିଲେ। ପୂର୍ବରୁ ଭାରତ-ପାକ୍ ସୀମାରୁ ୧୬ କିଲୋମିଟର ଦୂରତା ଅତିକ୍ରମ କରିବାକୁ ପାକିସ୍ତାନୀ ଟ୍ୟାଙ୍କଗୁଡ଼ିକୁ ୬ ଘଣ୍ଟାରୁ ଅଧିକ ସମୟ ଲାଗୁଥିଲା।
ଏପଟେ ପାକ ସେନାର ଘନଘନ ଆକ୍ରମଣର ଜବାବ ଦେବାପାଇଁ ଭାରତୀୟ ଯବାନଙ୍କ ପାଖରେ ଯଥେଷ୍ଟ ଅସ୍ତ୍ରଶସ୍ତ୍ର ନଥିଲା। ମେଜର କୁଲଦୀପ ସିଂହ ଚାନ୍ଦପୁରୀ ରାତିସାରା ବାଟାଲିୟନ ମୁଖ୍ୟାଳୟ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ସକାଳ ୪ଟାରେ ହିଁ ଯୋଗାଯୋଗ ସ୍ଥାପନ ହୋଇଥିଲା। ମେଜର ଚାନ୍ଦପୁରୀ ତା’ପରେ ମୁଖ୍ୟାଳୟକୁ ସୂଚନା ଦେଇଥିଲେ ଯେ ପାକିସ୍ତାନୀ ଟ୍ୟାଙ୍କଗୁଡ଼ିକ ଭାରତୀୟ ଅଞ୍ଚଳରେ ପ୍ରବେଶ କରି ସାରିଛନ୍ତି ଏବଂ ଲୋଙ୍ଗେୱାଲା ଆଡକୁ ମୁହାଁଇଛନ୍ତି। ମେଜର ଚାନ୍ଦପୁରୀ ଫୋନ୍ ମାଧ୍ୟମରେ ସାହାଯ୍ୟ ଏବଂ ଅସ୍ତ୍ରଶସ୍ତ୍ର ମାଗିଥିଲେ।
ହେଲେ ସକାଳ ପୂର୍ବରୁ ସେଠାରେ କୌଣସି ସାହାଯ୍ୟ ପହଞ୍ଚିବା ଅସମ୍ଭବ ଥିଲା। ଏପରି ପରିସ୍ଥିତିରେ ମେଜର ଚାନ୍ଦପୁରୀଙ୍କ ପାଖରେ ଦୁଇଟି ବିକଳ୍ପ ଥିଲା- ପ୍ରଥମ, ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ବାଟାଲିୟନ ସହିତ ଲଢ଼ିବା ଏବଂ ଦ୍ୱିତୀୟ, ବାଟାଲିୟନ ସହିତ ଚେକ୍ ପୋଷ୍ଟ ଛାଡ଼ିବା। କିନ୍ତୁ ମେଜର ଚାନ୍ଦପୁରୀ ସମେତ ସମଗ୍ର ବାଟାଲିୟନ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ। ବାଟାଲିୟନ ରାତିସାରା ହଜାର ହଜାର ପାକିସ୍ତାନୀ ସୈନିକଙ୍କୁ ଅଟକାଇ ରଖିଥିଲା।
ବାୟୁସେନା ଆଶାର କିରଣ ପାଲଟିଲା
ଲୋଙ୍ଗେୱାଲାରେ ପାକିସ୍ତାନୀ ସେନା ପୂର୍ଣ୍ଣ ବଳରେ ଆକ୍ରମଣ କରୁଥିବା ଖବର ଶୁଣିବା ପରେ ମେଜର ଜେନେରାଲ ଆରଏଫ ଥମ୍ବାଟା ଆଶ୍ଚର୍ଯ୍ୟ ହୋଇଗଲେ। ପରିସ୍ଥିତିର ଗମ୍ଭୀରତା ବୁଝିବାକୁ ତାଙ୍କୁ ଅଧିକ ସମୟ ଲାଗିଲା ନାହିଁ। ଶତ୍ରୁକୁ ମୁକାବିଲା କରିବା ପାଇଁ ପାଖରେ ସମ୍ବଳ ନଥିବା କଥା ସେ ଭଲରେ ଜାଣିଥିଲେ। ଏପରି ସ୍ଥିତିରେ ବାୟୁସେନା ସେମାନଙ୍କ ପାଇଁ ଏକମାତ୍ର ଆଶାର କିରଣ ଥିଲା। ରାତି ୨ଟାରେ ସେ ଜୈସଲମେର ବାୟୁସେନା ଘାଟି କମାଣ୍ଡର ଏମଏସ ବାୱାଙ୍କ ସହିତ ୱୟାରଲେସ୍ ରେଡିଓ ମାଧ୍ୟମରେ ଯୋଗାଯୋଗ କରିଥିଲେ।
ଜୈସଲମେର ଏୟାରବେସରେ ଏକ ହଣ୍ଟର ଲଢ଼ୁଆ ବିମାନ ଉପସ୍ଥିତ ଥିଲା, ଯାହା ରାତିରେ ଉଡ଼ି ପାରୁନଥିଲା। ଫଳରେ ବାଧ୍ୟ ହୋଇ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା। ବେସ୍ କମାଣ୍ଡର ମେଜର ଆରଏଫ୍ ଥମ୍ବାଟାଙ୍କୁ ଆଶ୍ୱାସନା ଦେଇଥିଲେ, ସୂର୍ଯ୍ୟର ପହିଲି କିରଣ ମାଟି ଛୁଇଁବା ପୂର୍ବରୁ ହଣ୍ଟର ବିମାନ ଉଡ଼ାଣ ଭରିବ ଏବଂ ପାକିସ୍ତାନୀ ଟ୍ୟାଙ୍କଗୁଡ଼ିକୁ ଠାବ କରିବାକୁ ଚେଷ୍ଟା କରିବ ବୋଲି କହିଥିଲେ। ସେତେବେଳକୁ ପାକିସ୍ତାନୀ ସେନାର ଲିଡ୍ ଟ୍ୟାଙ୍କ ଲୋଙ୍ଗେୱାଲା ପୋଷ୍ଟରୁ ମାତ୍ର କିଛି କିଲୋମିଟରରୁ କମ୍ ଦୂରରେ ଥିଲା।
ସକାଳ ପ୍ରାୟ ୪ଟାରେ କମାଣ୍ଡର ଏମଏସ ବାୱା ସ୍କ୍ୱାଡ୍ରନ୍ ଲିଡର ଆରଏନ ବାଲିଙ୍କୁ ପରିସ୍ଥିତି ବିଷୟରେ ସୂଚନା ଦେଇଥିଲେ। ଏୟାର ମାର୍ଶାଲ ଭାରତ କୁମାର ତାଙ୍କ ପୁସ୍ତକ ‘ଦି ଏପିକ୍ ବ୍ୟାଟେଲ୍ ଅଫ୍ ଲୋଙ୍ଗେୱାଲା’ ରେ ଏହା ଉଲ୍ଲେଖ କରିଛନ୍ତି।
ବାୟୁସେନାକୁ ଦେଖି ରଣନୀତି ବଦଳାଇଲା ପାକିସ୍ତାନୀ ସେନା
ପାକିସ୍ତାନୀ ଟ୍ୟାଙ୍କଗୁଡ଼ିକ ଲୋଙ୍ଗେୱାଲା ପୋଷ୍ଟ ଉପରେ ପରବର୍ତ୍ତୀ ଆକ୍ରମଣ କରିବାକୁ ଯାଉଥିଲା ବେଳେ ଜୈସଲମେରରୁ ଉଡ଼ାଣ ଭରୁଥିବା ଭାରତୀୟ ଲଢ଼ୁଆ ବିମାନ ହଣ୍ଟର ଉପର ଦେଇ ଚାଲି ଆସିଥିଲା। ସେହି ସମୟରେ ପାକିସ୍ତାନୀ ଲିଡ୍ ଟ୍ୟାଙ୍କ ଲୋଙ୍ଗେୱାଲା ଚେକ୍ ପୋଷ୍ଟରୁ ମାତ୍ର ୮୦୦ ମିଟର ଦୂରରେ ଥିଲା। ଯୁଦ୍ଧ ବିମାନକୁ ଦେଖିବା ମାତ୍ରେ ପାକିସ୍ତାନୀ ଟ୍ୟାଙ୍କଗୁଡ଼ିକ ପଛକୁ ହଟିଯାଇଥିଲେ। ହଣ୍ଟର ବିମାନକୁ ଉଡ଼ାଉଥିଲେ ସ୍କ୍ୱାଡ୍ରନ୍ ଲିଡର ଡିକେ ଦାସ ଏବଂ ଫ୍ଲାଇଟ୍ ଲେଫ୍ଟନାଣ୍ଟ ରମେଶ ଗୋସାଇଁ।
ଜୀବନ ବଞ୍ଚାଇ ପଳାୟନ କଲେ ପାକିସ୍ତାନୀ ସୈନ୍ୟ
ପାକିସ୍ତାନୀ ସେନାର ଯୋଜନା ଚମତ୍କାର ଥିଲା, କିନ୍ତୁ ଆମର ମାତ୍ର ୧୨୦ ଜଣ ସୈନିକ ସେମାନଙ୍କ ଯୋଜନାକୁ ସଫଳ ହେବାକୁ ଦେଇ ନଥିଲେ। ୬ ଡିସେମ୍ବର ସନ୍ଧ୍ୟା ସୁଦ୍ଧା ଲୋଙ୍ଗେୱାଲା ଯୁଦ୍ଧ ଶେଷ ହୋଇଥିଲା। ପାକିସ୍ତାନୀ ସୈନିକମାନେ ସେମାନଙ୍କର ଟ୍ୟାଙ୍କ ଏବଂ ତୋପ ଛାଡି ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ପଳାଇବାକୁ ବାଧ୍ୟ ହୋଇଥିଲେ।
୪୦୦୦ ପାକିସ୍ତାନୀ ସୈନିକ ଏବଂ ୪୬ଟି ଟ୍ୟାଙ୍କ, ତୋପ ଏବଂ ପ୍ରଚୁର ଗୋଳାବାରୁଦ ସତ୍ତ୍ୱେ ଆମ ଯବାନଙ୍କ ରଣନୀତି ଏବଂ ସାହସିକତା ଦ୍ୱାରା ଶତ୍ରୁକୁ ଶୋଚନୀୟ ଭାବରେ ପରାସ୍ତ କରିଥିଲେ। ଏହି ଯୁଦ୍ଧରେ ୨୦୦ ରୁ ଅଧିକ ପାକିସ୍ତାନୀ ସୈନିକ ନିହତ ହୋଇଥିଲେ। ୪୬ଟି ଟ୍ୟାଙ୍କରୁ ୩୬ଟି ଏବଂ ୫୦୦ରୁ ଅଧିକ ସଶସ୍ତ୍ର ଯାନ ନଷ୍ଟ ହୋଇଯାଇଥିଲା।
ପାକିସ୍ତାନୀ ଅଧିକାରୀମାନଙ୍କୁ ଇସ୍ତଫା ଦେବାକୁ ପଡିଲା
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏପରି ପ୍ରଥମ ଥର ହୋଇଥିଲା, ଯେତେବେଳେ ଗୋଟିଏ ଦେଶ ଯୁଦ୍ଧରେ ଏତେ ସଂଖ୍ୟକ ଟ୍ୟାଙ୍କ ହରାଇଥିଲା। ଏହି ପରାଜୟ ପାକିସ୍ତାନୀ ସେନାର ମନୋବଳକୁ ଦୋହଲାଇ ଦେଇଥିଲା। ଲୋଙ୍ଗେୱାଲା ଯୁଦ୍ଧରେ ଶତ୍ରୁକୁ ସାହସିକତାର ସହ ପରାସ୍ତ କରିବା ପାଇଁ ମେଜର କୁଲଦୀପ ସିଂହ ଚାନ୍ଦପୁରୀଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମରିକ ସମ୍ମାନ ମହାବୀର ଚକ୍ର ପ୍ରଦାନ କରାଯାଇଥିଲା।
ଏବେ ବି ରହିଛି ଲୁହାର ବୁଲେଟପ୍ରୁଫ ବଙ୍କର
ଲୋଙ୍ଗେୱାଲା ଯୁଦ୍ଧ ଆମର ସାହସୀ ସୈନିକମାନଙ୍କର ଏପରି ଆବେଗ ଏବଂ ସାହସର କାହାଣୀ, ଯାହା ସମଗ୍ର ବିଶ୍ୱ ପାଇଁ ସାହସିକତାର ଉଦାହରଣ ସୃଷ୍ଟି କରିଛି। ମରୁଭୂମିର ଉତ୍ତପ୍ତ ବାଲି ଉପରେ ଭାରତୀୟ ସେନାର ଲୁହା ବୁଲେଟପ୍ରୁଫ୍ ବଙ୍କର ଏବେ ବି ରହିଛି। ଏହି ବଙ୍କରଗୁଡ଼ିକରୁ ଭାରତୀୟ ସୈନିକମାନେ ଶତ୍ରୁ ଦେଶର ପ୍ରତ୍ୟେକ କାର୍ଯ୍ୟ କଳାପ ଉପରେ ନଜର ରଖୁଥିଲେ।
୪୭ ଡିଗ୍ରୀ ଉପରେ ରହେ ତାପମାତ୍ରା
୧୯୭୧ ମସିହାର ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ସୁରକ୍ଷା ଦୃଷ୍ଟିରୁ ସେନା ଏହି ଗାଁକୁ ଖାଲି କରିଥିଲା। ପ୍ରାୟ ୫୦୦ ଲୋକଙ୍କ ଜନସଂଖ୍ୟା ବିଶିଷ୍ଟ ଏହି ଗାଁକୁ ସୀମାନ୍ତର ଶେଷ ଗାଁ କୁହାଯାଏ। ଗାଁରେ ଯେପରି କୌଣସି ସନ୍ଦିଗ୍ଧ ବ୍ୟକ୍ତି ଦେଖା ନଯାଏ, ସେଥିପାଇଁ ଗୁଇନ୍ଦା ଅଧିକାରୀମାନେ ନିରନ୍ତର ନଜର ରଖିଥିଲେ। ଏଠାରେ ତାପମାତ୍ରା ସବୁବେଳେ ୪୭ ଡିଗ୍ରୀ ଉପରେ ରହେ, ତଥାପି ସୈନିକଙ୍କ ମନୋବଳ କେବେ କମ ହୋଇନି। ଯେଉଁଠାରେ ପ୍ରଚଣ୍ଡ ଖରାରେ ଗୋଟିଏ ମିନିଟ୍ ପାଇଁ ମଧ୍ୟ ଠିଆ ହେବା କଷ୍ଟକର, ସେହିଠାରୁ ଭାରତୀୟ ସୈନିକମାନେ ୧୯୭୧ ମସିହାର ଯୁଦ୍ଧ ଲଢ଼ି ପାକିସ୍ତାନୀ ସେନାକୁ ପରାସ୍ତ କରିଥିଲେ।
ଲୋଙ୍ଗେୱାଲା ପୋଷ୍ଟ ଏବେ ଭାରତ-ପାକ୍ ସ୍ତମ୍ଭ ୬୩୮ ଭାବରେ ଜଣାଶୁଣା। ୧୯୭୧ ମସିହାର ଭାରତ-ପାକିସ୍ତାନ ଯୁଦ୍ଧକୁ ଦର୍ଶାଇବା ପାଇଁ ଭାରତ ଲୋଙ୍ଗେୱାଲାରେ ଏକ ଯୁଦ୍ଧ ସ୍ମାରକୀ ଏବଂ ଜୈସଲମେରରୁ ୧୦ କିଲୋମିଟର ଦୂରରେ ଏକ ଯୁଦ୍ଧ ସଂଗ୍ରହାଳୟ ନିର୍ମାଣ କରିଛି।
ଏଠାରେ ପାକିସ୍ତାନୀ ସେନାର ଟ୍ୟାଙ୍କ, ହଣ୍ଟର ବିମାନ ଏବଂ ଭାରତୀୟ ସୈନିକଙ୍କ ଅସ୍ତ୍ରଶସ୍ତ୍ର ପ୍ରଦର୍ଶିତ ହୋଇଛି। ଏଠାରେ ଏକ ୧୫ ମିନିଟର ଡକ୍ୟୁମେଣ୍ଟାରୀ ମଧ୍ୟ ପ୍ରଦର୍ଶିତ ହୁଏ। ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଏଠାକୁ ଆସି ଭାରତୀୟ ସୈନିକଙ୍କ ବୀରତ୍ୱର ଗାଥାର ସାକ୍ଷୀ ହୁଅନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747490709.jpg)