ରେଳଧାରଣାରେ ଶୋଇ ମୋବାଇଲରେ କଥା ହେଉଥିଲେ ଯୁବତୀ : ଉପରେ ମାଡ଼ିଗଲା ଲୌହଦାନବ . ଆଉ ତା’ପରେ

ମୋବାଇଲ ପାଇଁ ଜୀବନକୁ ବିପଦରେ ପକାଉଛନ୍ତି ଯୁବପିଢ଼ି । ସବୁବେଳେ ମୋବାଇଲ ବ୍ୟବହାର କରିବାରେ ବ୍ୟସ୍ତ ।

ରେଇ ଧାରଣାରେ ଶୋଇ ମୋବାଇଲରେ ଗପୁଛନ୍ତି ଯୁବତୀ

ମୋବାଇଲ ପାଗଳ ଯୁବପିଢ଼ି । ସବୁବେଳେ ହାତରେ ରହୁଛି ମୋବାଇଲ । ଖାଇବା, ପିଇବା, ଶୋଇବା ଠାରୁ ଆରମ୍ଭ କରି ଚଳାବୁଲ ସମୟରେ ମଧ୍ୟ ସମସ୍ତଙ୍କ ହାତରେ ମୋବାଇଲ ଦେଖିବାକୁ ମିଳୁଛି । ବାପାମା’, ପରିବାର ଲୋକ, ପ୍ରେମିକ,ପ୍ରେମିକା ବିନା ସେମାନେ ରହିଯିବେ, କିନ୍ତୁ ମୋବାଇଲ ବିନା ଗୋଟିଏ ମୁହୁର୍ତ୍ତ ରହିବା ସେମାନଙ୍କ ପକ୍ଷେ ସମ୍ଭବ ହେଉ ନାହିଁ । ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏପରି ପାଗଳାମୀ ପାଇଁ ଅନେକ ଲୋକ ନିଜ ଜୀବନକୁ ମଧ୍ୟ ବିପଦକୁ ଠେଲି ଦେଉଛନ୍ତି । ନିକଟରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ।

ଭିଡିଓରେ ଦେଖିବାକୁ ମିଳୁଛି ଜଣେ ଯୁବତୀ ରେଳଧାରଣାରେ ଶୋଇ ରହି ମୋବାଇଲରେ ଗପିବାରେ ଭୋଳ । କେତେବେଳେ ଟ୍ରେନ୍‌ ଆସି ତାଙ୍କ ଉପରେ ଚାଲିଗଲାଣି ତାଙ୍କୁ ତାହାର ଖୋଜଖବର ନାହିଁ । ତେବେ ଟ୍ରେନ୍‌ ତାଙ୍କ ଉପର ଦେଇ ଚାଲିଯିବା ପରେ ସେ ଉଠି ବସି ପଡ଼ୁଛନ୍ତି । ହେଲେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲେ ଟ୍ରେନ୍‌ ଯିବା ପରେ ମଧ୍ୟ ଯୁବତୀ ଜଣକ ଫୋନରେ କଥା ହେଉଛନ୍ତି । ଅମୂଲ୍ୟ ଜୀବନ ବଞ୍ଚିଯାଇଥିବା କଥା ଚିନ୍ତା କରିବେ କ’ଣ ପୁଣି ସେହି ଭୁଲ କରୁଛନ୍ତି । ଟ୍ୱିଟରରେ ଏହି ଭିଡିଓକୁ ଆଇପିଏସ ଅଧିକାରୀ ଦୀପାଂଶୁ କାବ୍ରା ସେୟାର କରିଛନ୍ତି ।

ଦୀପାଂଶୁ କାବ୍ରା ଏକ ମଜାଦାର କ୍ୟାପସନ ଦେଇ ଭିଡିସ ସେୟାର କରିଛନ୍ତି । କ୍ୟାପସରେ ଲେଖାଅଛି, ଜୀବନ ଅପେକ୍ଷା ଫୋନରେ ଗପସପ ଅଧିକ ଗୁରୁତ୍ୱପୂର୍ଣ୍ଣ ପରି ଲାଗୁଛି । ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଟ୍ୱିଟର ୟୁଜରମାନେ ଭିଡିଓ ଦେଖିବା ପରେ ବିଭିନ୍ନ ପ୍ରକାର ମଜାଳିଆ ମନ୍ତବ୍ୟ ଦେଉଛନ୍ତି । ଯୁବତୀଙ୍କୁ ଆୱାର୍ଡ ମିଳିବା ଉଚିତ୍ ବୋଲି କହିଛନ୍ତି ଜଣେ ୟୁଜର ।

ମୋବାଇଲ ପାଇଁ ଲୋକେମାନେ ମୃତ୍ୟୁ ମୁଖରେ ପଡ଼ୁଥିଲେ ମଧ୍ୟ ସୁଧୁରୁ ନାହାନ୍ତି । କେତେବେଳେ ସେଲଫି ନେଉ ନେଉ ତ ଆଉ କେତେବେଳେ ଇୟର ଫୋନ୍‌ରେ କଥା ହେଉ ହେଉ ଲୋକଙ୍କ ଜୀବନ ଚାଲିଯାଉଛି । ତଥାପି ମୋବାଇଲ ଠାରୁ ଦୂରେଇ ପାରୁନାହାନ୍ତି ଲୋକେ । ବର୍ତ୍ତମାନ ଜୀବନରେ ମୋବାଇଲ ଗୁରୁତ୍ୱପୂର୍ଣ୍ଣ ହେଲେ ଜୀବନକୁ ବିପଦରେ ପକାଇବା ନିହାତି ବୋକାମୀ । ଏଣୁ ବେଳହଁ ସାବଧାନ ହେବା ସହ ସଚେତନ ରହିବା ଉଚିତ୍‌ ।