Advertisment

Dharavi Slum: ଗରିବୀର ପାହାଡ଼ରୁ ହାଇଟେକ ସିଟିର ସ୍ୱପ୍ନ, ଏସିଆର ସବୁଠାରୁ ବଡ଼ ବସ୍ତି ଧାରାବିର କାହାଣୀ

ଧାରାବିରେ ରିସାଇକ୍ଲାଇକିଂ କରି ଅଲୋଡ଼ା ଜିନିଷରୁ ସାମଗ୍ରୀ ତିଆରି କରାଯାଏ। ଏହା ଧାରାବିର ସବୁଠାରୁ ବଡ଼ ପରିଚୟ ଏବଂ ଏହାକୁ ଦେଶର ରିସାଇକ୍ଲାଇକିଂ ହବ୍ ମଧ୍ୟ କୁହାଯାଏ। ମୁମ୍ବାଇ ସହରର ପ୍ରାୟ ୬୦ ପ୍ରତିଶତ ପ୍ଲାଷ୍ଟିକ୍ ଅପଚୟ ଧାରାବିରେ ହିଁ ରିସାଇକିଲ ହୁଏ। ପ୍ଲାଷ୍ଟିକ୍, ଲୁହା, କାଚ, କାଗଜ ଏବଂ ଇଲେକ୍ଟ୍ରୋନିକ୍ ଅପଚୟ, ପ୍ରତ୍ୟେକ ପ୍ରକାରର ଜିନିଷ ଏଠାକୁ ଆସେ ଏବଂ ପ୍ରକ୍ରିୟାକରଣ କରାଯାଏ। ଏକ ଆକଳନ ଅନୁଯାୟୀ, ରିସାଇକ୍ଲାଇକିଂ ଶିଳ୍ପର ବାର୍ଷିକ କାରବାର ଏକ ବିଲିୟନ ଡଲାର ଅର୍ଥାତ୍ ପ୍ରାୟ ୮୬୦୦ କୋଟି ଟଙ୍କା ଏବଂ ଏହା ପ୍ରାୟ ୨.୫ ଲକ୍ଷ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରେ।

ଅଦ୍ୟତନ ହୋଇଛି
Dharabi

Dharabi

Advertisment

ଗୋଟିଏ ପଟେ ପ୍ରାଚୁର୍ଯ୍ୟର ପାହାଡ଼, ଅନ୍ୟପଟେ ଗରିବ ମଳିମୁଣ୍ଡିଆର ବିକଳ ରଡ଼ି । ଗୋଟିଏ ପଟେ ସମୁଦ୍ର ଓ ଦିଗବଳୟର ଅନ୍ତରଙ୍ଗ ଦୃଶ୍ୟ, ବାଲିରେ ରଙ୍ଗିନ ଛତା ତଳେ ଉଲ୍ଲସିତ ସଂଭ୍ରାନ୍ତ ମଣିଷ, ଅନ୍ୟପଟେ ଜରିପାଲ ଘୋଡ଼ା ଝୁପୁଡ଼ି ଘରେ ମଳିଚିଆ ସାର୍ଟ ପିନ୍ଧା ମଣିଷର ବଞ୍ଚିବା ପାଇଁ ପ୍ରାଣମୂର୍ଚ୍ଛା ସଂଘର୍ଷ । ପ୍ରକୃତି ଉପରେ ସବୁ ମଣିଷର ସମାନ ଅଧିକାର ରହିଛି । ପ୍ରକୃତି କୋଳରେ ଯେପରି ମଣିଷର ଜନ୍ମ ନେବାର ଅଧିକାର ରହିଛି ସେହିପରି ବଞ୍ଚିବାର ହକ୍ ରହିଛି । ହେଲେ ଧନୀଗରିବର ଭେଦଭାବ ଅନେକଙ୍କ ଠାରୁ ଶାନ୍ତିରେ ରହିବାର ଅଧିକାର ଛଡ଼େଇ ନେଇଛି । କେଉଁମାନେ କୋଠାରେ ରହି ଅଜସ୍ର ସମ୍ପଦରେ ଡୁବିଛନ୍ତି ତ କେଉଁମାନେ ଭାତ ମୁଠାଏ ପାଇଁ ଜୀବନକୁ ବାଜିରେ ଲଗେଇ ଦେଉଛନ୍ତି । ମାୟାନଗରୀ ମୁମ୍ବାଇ ସହରର ଚାକଚକ୍ୟଭରା ପରିବେଶ ଭିତରେ ଜୀବନ ଖୋଜୁଥିବା କିଛି ଅସହାୟଙ୍କ ପାଇଁ ଆଞ୍ଜୁଳାଏ ସ୍ୱପ୍ନ ହେଲା ଧାରାବି ବସ୍ତି ।

Advertisment

ସେମାନଙ୍କ ଅସହାୟତା ଦେଖି ଦୁନିଆ ହସେ ... ଅତ୍ୟନ୍ତ କଦର୍ଯ୍ୟ ଏବଂ ଅପରିଷ୍କାର ପରିବେଶ ଭିତରେ ଜୀବନ କଟେ । ଛୋଟିଆ ଛୋଟିଆ ଘର ଭିତରେ ଖୁନ୍ଦା ଖୁନ୍ଦି ହୋଇ ରୁହେ ପୂରା ପରିବାର । ମୌଳିକ ସୁବିଧାରୁ ବଞ୍ଚିତ ଲୋକଙ୍କର ହାରିହାରି ଜୀବନକାଳ ଅନ୍ୟମାନଙ୍କ ତୁଳନାରେ ୧୦ ବର୍ଷ କମ । ଅସ୍ୱାସ୍ଥ୍ୟକର ପରିବେଶ ଭିତରେ ମୁଣ୍ଡ ଗୁଞ୍ଜିଥିବାରୁ ସେମାନଙ୍କୁ ଏପରି ଶାସ୍ତି ମିଳୁଛି । କୁହାଯାଏ ଏସିଆର ସବୁଠାରୁ ବଡ଼ ବସ୍ତି ଧାରାବିରେ କେବେ ରାତି ହୁଏନି, ଏଠାକାର ଗରିବ, ନିସ୍ୱ, ଅସହାୟ ମଣିଷ ଗୁଡ଼ିକ ଦିନରାତି କାମରେ ଲାଗିଥାଆନ୍ତି । ସ୍ୱପ୍ନକୁ ସତ କରିବା ପାଇଁ ସେମାନଙ୍କ ହାତଗୋଡ଼ ଅହରହ ଚାଲୁଥାଏ ।

ଏସିଆର ସର୍ବବୃହତ ବସ୍ତି

ପାଖାପାଖି ୬୦୦ ଏକର ବ୍ୟାପ୍ତ ଏହି ବସ୍ତିରେ ୮ରୁ ୧୦ ଲକ୍ଷ ଲୋକ ବାସ କରନ୍ତି । ପ୍ରତି ବର୍ଗ କିଲୋମିଟରରେ ୪ ଲକ୍ଷ ଲୋକ ରହୁଥିବାରୁ ଏହାକୁ ବିଶ୍ୱର ସବୁଠାରୁ ଘନ ଜନବସତି ଅଞ୍ଚଳ ମଧ୍ୟରୁ ଗୋଟିଏ ବୋଲି କୁହାଯାଏ । ଧାରାବିକୁ ଏସିଆର ସର୍ବବୃହତ ବସ୍ତି କୁହାଯାଏ । ମୁମ୍ବାଇର ଠିକ୍ ମଧ୍ୟଭାଗରେ ସ୍ଥିତ ଏହି ଅଞ୍ଚଳକୁ ମିନି ଇଣ୍ଡିଆ ବୋଲି ମଧ୍ୟ କୁହାଯାଏ, କାରଣ ଦେଶର ବିଭିନ୍ନ ସ୍ଥାନରୁ ଆସି ଲୋକମାନେ ଏଠାରେ ବସତି ସ୍ଥାପନ କରିଛନ୍ତି।

Advertisment
Dharavi
ମୁମ୍ବଇର ଧରାବି ବସ୍ତି

ଧାରାବିରୁ ଝୁପୁଡ଼ି ହଟାଇ ଏହି ଅଞ୍ଚଳକୁ ମଡର୍ନ ସିଟି କରିବା ଲକ୍ଷ୍ୟରେ କାମ ଆରମ୍ଭ ହୋଇସାରିଛି । ଏଥିପାଇଁ ଆଦାନୀ ଗ୍ରୁପ୍ ଏବଂ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଏକ ଚୁକ୍ତିନାମା ହୋଇଛି । ଚୁକ୍ତି ଅନୁଯାୟୀ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସରକାର ୯୫,୭୯୦ କୋଟି ଟଙ୍କାର ମାଷ୍ଟର ପ୍ଲାନକୁ ଅନୁମୋଦନ କରିଛନ୍ତି। ଜାନୁଆରୀ ୨୦୨୫ ରୁ ଏହି ପ୍ରକଳ୍ପକୁ ନେଇ କାମ ମଧ୍ୟ ଆରମ୍ଭ ହୋଇଛି । ଜାନୁଆରୀ ୨୦୩୨ ସୁଦ୍ଧା ଧାରାବିକୁ ଏକ ଆଧୁନିକ ଏବଂ ସହରୀ ଅଞ୍ଚଳରେ ପରିଣତ କରିବା ଏହି ପ୍ରକଳ୍ପର ଲକ୍ଷ୍ୟ। ତଥାପି ଏହାକୁ ନେଇ ବିବାଦ ଥିବାବେଳେ ସ୍ଥାନୀୟ ଲୋକଙ୍କ ମନରେ ଅନେକ ଆଶଙ୍କା ରହିଛି ।

ଧାରାବିର ଇତିହାସ

ଦେଶ ଇଂରେଜ ଶାସନ ଅଧୀନରେ ଥିବାବେଳେ ୧୮୮୦ରେ ସ୍ଥାପନ ହୋଇଥିଲା ଧାରାବି ବସ୍ତି । ମୁଖ୍ୟ ସହରକୁ କଳକାରଖାନା ଓ ଶିଳ୍ପମୁକ୍ତ କରିବା ପାଇଁ ଧାରାବିର ମୂଳଦୁଆ ରଖିଥିଲେ ବ୍ରିଟିଶ ଶାସକ । ଫଳରେ ରୋଜଗାର ଆଶାରେ ଦେଶର ଅନେକ ପ୍ରାନ୍ତରୁ ଶ୍ରମିକମାନେ ଏଠାକୁ ଆସିଥିଲେ । ପୂର୍ବରୁ ମୁମ୍ବାଇ ୭ ଦ୍ୱୀପର ଏକ ସମୂହ ଥିଲା । ଏହି ଦ୍ୱୀପପୁଞ୍ଜଗୁଡ଼ିକ ୧୭ଶ ଶତାବ୍ଦୀ ପର୍ଯ୍ୟନ୍ତ ପର୍ତ୍ତୁଗୀଜଙ୍କ ନିୟନ୍ତ୍ରଣରେ ଥିଲା। ପରେ ପର୍ତ୍ତୁଗୀଜ ରାଜକୁମାରୀ କ୍ୟାଥରିନ ଡି ବ୍ରାଗାଞ୍ଜା ବ୍ରିଟିଶ ସମ୍ରାଟ ଚାର୍ଲ୍ସ ଦ୍ୱିତୀୟଙ୍କୁ ବିବାହ କରିଥିଲେ ଏବଂ ପର୍ତ୍ତୁଗୀଜମାନେ ମୁମ୍ବାଇକୁ ଯୌତୁକ ଭାବରେ ବ୍ରିଟିଶମାନଙ୍କୁ ଦେଇଥିଲେ।

Advertisment
Dharaviମୁମ୍ବାଇର ଧରାବୀ ବସ୍ତି

ମୁମ୍ବାଇକୁ ସେତେବେଳେ ବମ୍ବେ କୁହାଯାଉଥିଲା । ସହରର ଅଧିକାଂଶ ଅଞ୍ଚଳ ମାଛ ଧରିବା ପାଇଁ ବ୍ୟବହୃତ ହେଉଥିଲା, ତେଣୁ ବ୍ରିଟିଶ ସରକାର ଏହାକୁ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ଲିଜ୍ ଦେଇଥିଲେ । ମୁମ୍ବାଇ ବିଭିନ୍ନ ଦ୍ୱୀପରେ ବିଭକ୍ତ ହୋଇଥିବାରୁ ସାମଗ୍ରୀ ପରିବହନ ତଥା ଗମନାଗମନରେ ସମସ୍ୟା ସୃଷ୍ଟି ହେଉଥିଲା। ଗୋଟିଏ ଦ୍ୱୀପରୁ ଅନ୍ୟ ଦ୍ୱୀପକୁ ଯିବା ପାଇଁ ପ୍ରାୟତଃ ଡଙ୍ଗା ବ୍ୟବହାର କରୁଥିଲେ ଲୋକେ । ଦ୍ୱୀପପୁଞ୍ଜ ମଧ୍ୟରେ ଚୋରାବାଲି ଏବଂ ଘନ ଜଙ୍ଗଲ ଥିଲା।

ପ୍ରଥମେ ଆସି ରହିଥିଲେ ମତ୍ସ୍ୟଜୀବୀ

ଏଥିପାଇଁ ଟାପୁଗୁଡ଼ିକୁ ଯୋଡ଼ିବା ପାଇଁ ଯୋଜନା କରିଥିଲା ଇଷ୍ଟ ଇଣ୍ଡିଆ କମ୍ପାନୀ । ୧୭୦୮ ମସିହାରେ ପାଣି ଉପରେ ଦେଇ ଯାଇଥିବା ଏକ ରାସ୍ତା ନିର୍ମାଣ କରାଯାଇଥିଲା, ଯଦ୍ୱାରା ଦୁଇ ଦ୍ୱୀପକୁ ସଂଯୋଗ କରାଯାଇପାରିବ । ଆଉ ସେହି ରାସ୍ତା କଡ଼େ କଡ଼େ ଧାରାବି ବସ୍ତି ଗଢ଼ି ଉଠିଥିଲା । ଧାରାବିର ଦୁଇଟି ଅର୍ଥ ଅଛି – ଗୋଟିଏ ହେଲା ଉପସାଗର କୂଳରେ ଥିବା ଅଞ୍ଚଳ ଏବଂ ଖୋଲା ମାଟି। ଆରମ୍ଭରେ ଧାରାବି ଚୋରାବାଲିରେ ପରିପୂର୍ଣ୍ଣ ଥିଲା । ମତ୍ସ୍ୟଜୀବୀମାନେ ପ୍ରଥମେ ରାସ୍ତା ଚାରିପାଖେ ବସତି ସ୍ଥାପନ କରିଥିଲେ ।

ଆଜି ଧାରାବି ନାମରେ ପରିଚିତ ଅଞ୍ଚଳକୁ ୧୯ ଶତାବ୍ଦୀରେ ବମ୍ବେ ମ୍ୟୁନିସିପାଲ୍ କର୍ପୋରେସନ୍ ସହରରେ ସାମିଲ କରିଥିଲା। ୨୦ ଶତାବ୍ଦୀ ସୁଦ୍ଧା ବମ୍ବେ ଏକ ପ୍ରମୁଖ ବନ୍ଦର ଏବଂ ଦେଶର ବାଣିଜ୍ୟ ରାଜଧାନୀ ହୋଇସାରିଗଲା। ସହରର ବିକାଶ ଆବଶ୍ୟକ ଥିଲା, ତେଣୁ ସହରର ପରିଷ୍କାର ପରିଚ୍ଛନ୍ନତାକୁ ଧ୍ୟାନରେ ରଖି ମଇଳା ସୃଷ୍ଟି କରୁଥିବା ସମସ୍ତ ବ୍ୟବସାୟକୁ ସହରରୁ ବାହାର କରିଦିଆଗଲା। ସେତେବେଳକୁ ଧାରାବିରେ ଏକ ଚମଡ଼ା କାରଖାନା ଖୋଲିଗଲା ଏବଂ ଧୀରେ ଧୀରେ ତାହା ବ୍ୟବସାୟର ମୁଖ୍ୟ କେନ୍ଦ୍ର ପାଲଟିଗଲା ।

କିପରି ଆରମ୍ଭ ହେଲା ଛୋଟ ଛୋଟ ବ୍ୟବସାୟ ?

ଚମଡ଼ା କାରଖାନା ତିଆରି ହେବାପରେ ଏଠାକୁ ତାମିଲନାଡ଼ୁରୁ ଶ୍ରମିକମାନେ ଆସିବା ଆରମ୍ଭ କରିଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ସମାଜରେ ଅସ୍ପୃଶ୍ୟ ବୋଲି ବିବେଚନା କରାଯାଉଥିଲା। ଏହି ଲୋକମାନେ ଧାରାବିରେ ଏକ ବସ୍ତି ସ୍ଥାପନ କରିଥିଲେ। ଏହା ପରେ ମାଟି କାମ କରୁଥିବା କୁମ୍ଭାରମାନେ ଆସି ଧାରାବିରେ ବସତି ସ୍ଥାପନ କଲେ। ୧୯୩୦ ଦଶକରେ ଗୁଜୁରାଟରୁ କୁମ୍ଭାରମାନଙ୍କର ଏକ ବଡ଼ ଦଳ ମୁମ୍ବାଇ ଆସିଥିଲେ। ୧୮୯୫ ମସିହାରେ ବ୍ରିଟିଶ ସରକାର ସେମାନଙ୍କୁ ୯୯ ବର୍ଷର ଲିଜରେ ଜମି ଦେଇଥିଲେ ଏବଂ ସେମାନେ ଧାରାବିରେ ସେମାନଙ୍କର କଲୋନୀ ସ୍ଥାପନ କରିଥିଲେ, ଯାହାକୁ ଏବେ ବି କୁମ୍ଭାରୱାଡା ଅର୍ଥାତ୍ କୁମ୍ଭାରଙ୍କ କଲୋନୀ ଭାବରେ ପରିଚିତ।

ଧାରାବିରେ ଧୀରେ ଧୀରେ ଲୋକଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଲା । ଏହା ବିଶ୍ୱର ସବୁଠାରୁ ଘନ ଜନବହୁଳ ଅଞ୍ଚଳ ମଧ୍ୟରୁ ଗୋଟିଏ। ଏଠାରେ ଏତେ ଲୋକ ବସବାସ କରିବାର ମୁଖ୍ୟ କାରଣ ଥିଲା କାମ ଏବଂ ଜମି। ମୁମ୍ବାଇର ଅନ୍ୟ ଅଞ୍ଚଳ ତୁଳନାରେ ଏଠାରେ ଜମି ବହୁତ ଶସ୍ତା ଥିଲା, ତେଣୁ କାମ ଖୋଜିବା ପାଇଁ ମୁମ୍ବାଇ ଆସୁଥିବା ଲୋକମାନେ ଧାରାବିରେ ରହିବାକୁ ଲାଗିଲେ। ୨୦ ଶତାବ୍ଦୀର ଆରମ୍ଭରେ ତାମିଲ ଚମଡା କାରିଗର ଆସିଲେ, ତା\'ପରେ ଗୁଜରାଟୀ କୁମ୍ଭାର ଆସିଲେ । ତା’ପରେ ଉତ୍ତର ପ୍ରଦେଶରୁ ସିଲାଇ କାରିଗରମାନେ ମଧ୍ୟ ଏଠାରେ ବସତି ସ୍ଥାପନ କଲେ, ଯାହା ପରେ ଏଠାରେ ରେଡିମେଡ ପୋଷାକ ତିଆରି କାମ ଆରମ୍ଭ ହେଲା।

Dharaviମୁମ୍ବଇର ଧରାବୀ ବସ୍ତି

ଶ୍ରମିକଙ୍କ ଠିକଣା ପାଲଟିଗଲା ଧାରାବି

୧୯୪୭ ମସିହାରେ ଦେଶ ସ୍ୱାଧୀନ ହେଲା ସତ କିନ୍ତୁ ସମସ୍ତଙ୍କୁ ବିଭାଜନର ଯନ୍ତ୍ରଣା ସହିବାକୁ ପଡିଲା। ପାକିସ୍ତାନରୁ ବହୁ ସଂଖ୍ୟକ ହିନ୍ଦୁ ଶରଣାର୍ଥୀ ଦିଲ୍ଲୀ ଏବଂ ମୁମ୍ବାଇ ଭଳି ସହରକୁ ଚାଲି ଆସିଲେ । ସେମାନଙ୍କ ମଧ୍ୟରୁ ଅନେକ ଧାରାବିରେ ଆଶ୍ରୟ ନେଲେ। ଧୀରେ ଧୀରେ ସାରା ଦେଶରୁ ଗରିବ ପରିବାର କାମ ଖୋଜିବା ପାଇଁ ମୁମ୍ବାଇ ଆସିବା ଆରମ୍ଭ କରିଥିଲେ। ଆଉ ଧାରାବି ଦୁଇ ବାହୁ ପ୍ରସାରି ମୁକ୍ତଚିତ୍ତରେ ସମସ୍ତଙ୍କୁ ଗ୍ରହଣ କରିବାକୁ ଲାଗିଲା।

ଦେଶ ସ୍ୱାଧୀନ ହେଲାବେଳକୁ ଧାରାବି ଦେଶର ସବୁଠାରୁ ବଡ଼ ବସ୍ତିରେ ପରିଣତ ହୋଇସାରିଥିଲା। ତଥାପି ଲୋକଙ୍କ ଆଗମନ ବନ୍ଦ ହୋଇନଥିଲା। ୧୯୭୦ ଦଶକରେ ମହାରାଷ୍ଟ୍ରର ଅନେକ ଗ୍ରାମାଞ୍ଚଳ ଭୟଙ୍କର ମରୁଡ଼ିର ଶିକାର ହୋଇଥିଲା । ଗାଁ ଲୋକଙ୍କ ପାଖରେ ଘର ଛାଡି ସହରକୁ ଯିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା। ଫଳରେ ହଜାର ହଜାର ଚାଷୀ, ଶ୍ରମିକ, କାରିଗର ଆସି ଧାରାବିରେ ବସବାସ କଲେ। ବିହାର ଏବଂ ୟୁପି ଭଳି ରାଜ୍ୟରୁ ହଜାର ହଜାର ଲୋକ ମୁମ୍ବାଇ ଆସିଥିଲେ। ମୁମ୍ବାଇ ସେମାନଙ୍କ ପାଇଁ କାମ କରିବା ଏବଂ ଟଙ୍କା ରୋଜଗାର କରିବାର ସ୍ଥାନ ଥିଲା।

ଧାରାବି ପାଇଁ ଚ୍ୟାଲେଞ୍ଜ ବଢ଼ିଲା

ଦେଶର ବିଭିନ୍ନ ରାଜ୍ୟରୁ ଏଠାକୁ ଲୋକ ଆସି ବସବାସ କରିବା ପରେ ସ୍ଥାନର ଅଭାବ ଆରମ୍ଭ ହୋଇଥିଲା । ପ୍ରଥମେ ରେଳଧାରଣା କଡ଼େ କଡ଼େ ରହିବା ଆରମ୍ଭ କରିଥିଲେ ଲୋକେ । ଧୀରେ ଧୀରେ ଯେଉଁଠାରେ ମୁଣ୍ଡ ଗୁଞ୍ଜିବାକୁ ରାହା ମିଳିଲା ସେଠାରେ ରହିବା ଆରମ୍ଭ କଲେ । ବିନା ନକ୍ସା ଓ ଯୋଜନାରେ ଧାରାବିର ଆକାର ବଢ଼ି ବଢ଼ି ଚାଲିଲା । ଧୀରେ ଧୀରେ ଧାରାବିର ରୂପରେଖରେ ପରିବର୍ତ୍ତନ ଆସିବା ସହ ଚ୍ୟାଲେଞ୍ଜ ମଧ୍ୟ ବଢ଼ି ବଢ଼ି ଚାଲିଲା ।

ବାହାର ଲୋକଙ୍କ ପାଇଁ ଧାରାବି ବସ୍ତି ଅତ୍ୟନ୍ତ ଦୟନୀୟ । ପ୍ରଥମ ଏବଂ ସବୁଠାରୁ ବଡ଼ ସମସ୍ୟା ହେଉଛି ପ୍ରଚୁର ଭିଡ଼। ମୁମ୍ବାଇ ସହରର ହାରାହାରି ଜନସଂଖ୍ୟା ଘନତା ପ୍ରତି ବର୍ଗ କିଲୋମିଟରରେ ପ୍ରାୟ ୨୪,୦୦୦, ଏଥିପାଇଁ ଏହାକୁ ଅତ୍ୟନ୍ତ ଜନଗହଳିପୂର୍ଣ୍ଣ ସହର କୁହାଯାଏ। ହେଲେ ଧାରାବିରେ ଏହି ସଂଖ୍ୟା ପ୍ରତି ବର୍ଗ କିଲୋମିଟରରେ ଏକରୁ ଦୁଇ ଲକ୍ଷ। ଅର୍ଥାତ୍ ସହରର ହାରାହାରି ଜନସଂଖ୍ୟା ତୁଳନାରେ ଚାରି ଗୁଣ ଅଧିକ। କିଛି ସ୍ଥାନରେ ଏହି ଘନତା ପ୍ରତି ବର୍ଗ କିଲୋମିଟରରେ ଚାରି ଲକ୍ଷ ପର୍ଯ୍ୟନ୍ତ ମଧ୍ୟ ରହିଛି ।

Dharaviମୁମ୍ବାଇର ଧରାବୀ ବସ୍ତି

ଆବର୍ଜନାମୟ ଗଳି ଓ ପାଣିର ଅଭାବ

ବିଶ୍ୱର ସବୁଠାରୁ ଘନ ଜନବସତି ବିଶିଷ୍ଟ ଧାରାବିର ରାସ୍ତାଗୁଡ଼ିକ ଏତେ ସଂକୀର୍ଣ୍ଣ ଯେ ଏକାଥରେ ଦୁଇଜଣ ଯିବା କଷ୍ଟକର। ଘରଗୁଡ଼ିକ ଲାଗିଲାଗି ଥିବାରୁ ସୂର୍ଯ୍ୟକିରଣ ପହଞ୍ଚିପାରେ ନାହିଁ। ମୌଳିକ ସୁବିଧା ପ୍ରାୟ ନାହିଁ କହିଲେ ଚଳେ । ଧାରାବିରେ ରାସ୍ତା, ଡ୍ରେନ୍, ପରିମଳ, ସବୁକିଛି ସ୍ଥିତି ଅତି ଦୟନୀୟ। ଅଧିକାଂଶ ଡ୍ରେନ୍ ଏବଂ ନର୍ଦ୍ଦମା ଖୋଲା ଥିବାରୁ ବର୍ଷା ସମୟରେ ରାସ୍ତାଗୁଡ଼ିକ ନାଳରେ ପରିଣତ ହୋଇଯାଏ । ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କଥା ନକହିବା ଭଲ । ସକାଳ ହେବା ମାତ୍ରେ ପାଣି ଟ୍ୟାପ୍ ପାଖରେ ମହିଳା ଏବଂ କୁନି କୁନି ପିଲାମାନଙ୍କର ଲମ୍ବା ଧାଡ଼ି ଦେଖିବାକୁ ମିଳେ । ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ କେବଳ କିଛି ଲୋକ ପାଣି ପାଇବାରେ ସଫଳ ହୋଇଥାହାନ୍ତି। ଗାଧୋଇବା, କପଡା ଧୋଇବା ଏବଂ ବାସନକୁସନ ସଫା କରିବା ଭଳି ଦୈନନ୍ଦିନ କାମ ପ୍ରାୟତଃ ଘର ବାହାରେ ଥିବା ରାସ୍ତାରେ କରାଯାଏ।

ଧାରାବିରେ ଶୌଚାଳୟର ସ୍ଥିତି କହିଲେ ନସରେ । ପାଖାପାଖି ୫୦୦ ଲୋକଙ୍କ ପାଇଁ ଗୋଟିଏ ଶୌଚାଳୟର ବ୍ୟବସ୍ଥା ରହିଛି । ଅନେକ ଲୋକ ଖୋଲା ଡ୍ରେନ୍ କିମ୍ବା ସାର୍ବଜନୀନ ସ୍ଥାନକୁ ଶୌଚାଳୟ ଭାବରେ ବ୍ୟବହାର କରନ୍ତି। ଏହି ପରିସ୍ଥିତି ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଏ। ମଇଳା, ଅତ୍ୟଧିକ ଭିଡ଼ ଏବଂ ପାନୀୟ ଜଳର ଅଭାବ ଯୋଗୁଁ ଏଠାରେ ରୋଗ ବ୍ୟାପିବା ସାଧାରଣ। ଏଠାରେ ଲୋକମାନେ ପ୍ରାୟତଃ ହଇଜା, ଟିବି, ଟାଇଫଏଡ୍ ଭଳି ରୋଗରେ ପୀଡିତ ହୁଅନ୍ତି । ଏହି କାରଣରୁ ଭାରତରେ ହାରାହାରି ବୟସ ୭୦ ବର୍ଷରୁ ଅଧିକ ହୋଇଥିଲେ ମଧ୍ୟ ଧାରାବିରେ ଏହା ୬୦ ବର୍ଷରୁ କମ୍।

ଅର୍ଥବ୍ୟବସ୍ଥାରେ ଯୋଗଦାନ କେତେ?

ଆକଳନ ଅନୁଯାୟୀ ଧାରାବିରେ ପ୍ରାୟ ପାଞ୍ଚ ହଜାର ବ୍ୟବସାୟ ଏବଂ ୧୫ ହଜାରରୁ ଅଧିକ ଛୋଟ କାରଖାନା ଅଛି । ସେଥିମଧ୍ୟରୁ ଅଧିକାଂଶ ଘର ଭିତରେ ଚାଲିଥାଏ। ପ୍ରତିବର୍ଷ ଧାରାବିରେ ହଜାର ହଜାର କୋଟି ଟଙ୍କାର ବ୍ୟବସାୟ ହୁଏ। ଧାରାବିରେ ମୁଖ୍ୟତଃ ଚମଡ଼ା ସାମଗ୍ରୀ ପାଇଁ ଜଣାଶୁଣା। ପୂର୍ବରୁ ଏଠାକାର ଚମଡ଼ା ବ୍ରିଟିଶ ସେନା ପାଇଁ ଜୋତା ଏବଂ ଉପକରଣ ତିଆରି ପାଇଁ ବ୍ୟବହୃତ ହେଉଥିଲା। ଆଜି ଧାରାବିର ନିଜସ୍ୱ ଚମଡ଼ା ବ୍ରାଣ୍ଡ ୯୦ ଫିଟ ଖୁବ ପରିଚିତ, ଯାହା ଉନ୍ନତ ଗୁଣବତ୍ତାର ଜ୍ୟାକେଟ୍ ଏବଂ ପର୍ସ ତିଆରି ପାଇଁ ଜଣାଶୁଣା।

ଧାରାବିର କୁମ୍ଭାରୱାଡାରେ ମାଟି ପାତ୍ର ତିଆରି କରାଯାଏ। ପିଢ଼ି ପରେ ପିଢ଼ି କୁମ୍ଭାରମାନେ ଏଠାରେ ମାଟିକୁ ଆକୃତି ଦେଇ ଆସୁଛନ୍ତି। ୟୁପିର କାରିଗରମାନେ ଏଠାରେ ରେଡିମେଡ ପୋଷାକ କାମ ଆରମ୍ଭ କରିଥିଲେ, ଆଜି ଏଠାରେ ଏହାର ଏକ ବଡ଼ ଶିଳ୍ପ ରହିଛି । ଛୋଟ ଛୋଟ କାରାଖାନାରେ ପୋଷାକ ସିଲେଇ କରାଯାଇ ସେଗୁଡ଼ିକ ଏମ୍ବ୍ରୋଡେରୀ କରାଯାଏ ଏବଂ ଏଠାରେ ତିଆରି ପୋଷାକ ଦେଶ ଏବଂ ବିଦେଶକୁ ମଧ୍ୟ ରପ୍ତାନି କରାଯାଏ।

ଏହାବ୍ୟତୀତ ଧାରାବିରେ ରିସାଇକ୍ଲାଇକିଂ କରି ଅଲୋଡ଼ା ଜିନିଷରୁ ସାମଗ୍ରୀ ତିଆରି କରାଯାଏ। ଏହା ଧାରାବିର ସବୁଠାରୁ ବଡ଼ ପରିଚୟ ଏବଂ ଏହାକୁ ଦେଶର ରିସାଇକ୍ଲାଇକିଂ ହବ୍ ମଧ୍ୟ କୁହାଯାଏ। ମୁମ୍ବାଇ ସହରର ପ୍ରାୟ ୬୦ ପ୍ରତିଶତ ପ୍ଲାଷ୍ଟିକ୍ ଅପଚୟ ଧାରାବିରେ ହିଁ ରିସାଇକିଲ ହୁଏ। ପ୍ଲାଷ୍ଟିକ୍, ଲୁହା, କାଚ, କାଗଜ ଏବଂ ଇଲେକ୍ଟ୍ରୋନିକ୍ ଅପଚୟ, ପ୍ରତ୍ୟେକ ପ୍ରକାରର ଜିନିଷ ଏଠାକୁ ଆସେ ଏବଂ ପ୍ରକ୍ରିୟାକରଣ କରାଯାଏ। ଏକ ଆକଳନ ଅନୁଯାୟୀ, ରିସାଇକ୍ଲାଇକିଂ ଶିଳ୍ପର ବାର୍ଷିକ କାରବାର ଏକ ବିଲିୟନ ଡଲାର ଅର୍ଥାତ୍ ପ୍ରାୟ ୮୬୦୦ କୋଟି ଟଙ୍କା ଏବଂ ଏହା ପ୍ରାୟ ୨.୫ ଲକ୍ଷ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରେ।

ଧାରାବି ପୁନଃବିକାଶ ପ୍ରକଳ୍ପ କ’ଣ?

ଧାରାବିର ପୁନଃବିକାଶ ପ୍ରକଳ୍ପର ଦାୟିତ୍ୱ ଆଦାନୀ ଗ୍ରୁପ୍କୁ ଦିଆଯାଇଛି । ନଭେମ୍ବର ୨୦୨୨ରେ ଆଦାନୀ ଗ୍ରୁପ୍ ୫୦୬୯ କୋଟି ଟଙ୍କା ନିଲାମ ଦେଇ ଏହି ପ୍ରକଳ୍ପକୁ ଅଧିଗ୍ରହଣ କରିଥିଲା। ଏହା ପରେ ମହାରାଷ୍ଟ୍ର ସରକାର ଏବଂ ଆଦାନୀ ଗ୍ରୁପ୍ ମଧ୍ୟରେ ଏକ ମିଳିତ ଉଦ୍ୟୋଗ କମ୍ପାନୀ ନବଭାରତ ମେଗା ଡେଭଲପର୍ସ ପ୍ରାଇଭେଟ୍ ଲିମିଟେଡ୍ ଗଠନ କରାଯାଇଥିଲା। ଏହି କମ୍ପାନୀ ଧାରାବି ପୁନଃବିକାଶ କାର୍ଯ୍ୟ କରୁଛି। ଏହି କମ୍ପାନୀରେ ଆଦାନୀ ଗ୍ରୁପ୍ ର ୮୦ ପ୍ରତିଶତ ଅଂଶଧନ ରହିଛି ଏବଂ ବାକି ୨୦ ପ୍ରତିଶତ ଖର୍ଚ୍ଚ ବହନ କରିବେ ମହାରାଷ୍ଟ୍ର ସରକାର । ଏହି ପ୍ରକଳ୍ପକୁ ବିଶ୍ୱର ସର୍ବବୃହତ ସହରାଞ୍ଚଳ ପୁନରୁଦ୍ଧାର ପ୍ରକଳ୍ପ ଏବଂ ମୁମ୍ବାଇକୁ ବସ୍ତିମୁକ୍ତ କରିବା ଦିଗରେ ପ୍ରଥମ ପଦକ୍ଷେପ ମଧ୍ୟ କୁହାଯାଏ।

ଧାରାବିର ମୋଟ ୬୨୧ ଏକର ଜମି ମଧ୍ୟରୁ ପ୍ରାୟ ୨୭୦ ଏକର ପୁନଃବିକାଶ ଏବଂ ଆଉ ଥରେ ରହିବା ପାଇଁ ବ୍ୟବହାର କରାଯିବ। ଏହି ୨୭୦ ଏକର ମଧ୍ୟରୁ ପ୍ରାୟ ୧୧୬ ଏକର ଫ୍ଲାଟ୍, ଦୋକାନ ଏବଂ କାରଖାନା ପାଇଁ ବ୍ୟବହାର କରାଯିବ ଏବଂ ବାକି ୧୧୮ ଏକର ଜମି ବଜାରରେ ଖୋଲା ବିକ୍ରୟ ପାଇଁ ରଖାଯିବ। ଯୋଜନା ଅନୁଯାୟୀ ୫୦ ପ୍ରତିଶତରୁ ଅଧିକ ଜମି ଅର୍ଥାତ ପ୍ରାୟ ୩୫୨ ଏକର ପୁନଃବିକାଶ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ । କାରଣ ଏହି ଜମି ରେଳବାଇ, ପ୍ରକୃତି ପାର୍କ ଏବଂ ବିମାନବନ୍ଦର ଅଧୀନରେ ଆସୁଛି ।

ସବୁଜ ସ୍ଥାନଗୁଡ଼ିକୁ ମଧ୍ୟ ମାଷ୍ଟର ପ୍ଲାନରେ ଅନ୍ତର୍ଭୁକ୍ତ କରାଯାଇଛି। ଏଥିରେ ବଡ଼ ସହର ପାର୍କ ଏବଂ ଛୋଟ ସମ୍ପ୍ରଦାୟ ଖେଳ ପଡ଼ିଆ ନିର୍ମାଣ କରାଯିବ। ଏହା ଲୋକଙ୍କୁ ବୁଲିବା ପାଇଁ ଖୋଲା ସ୍ଥାନ ପ୍ରଦାନ କରିବ। ପ୍ରାୟ ୨୫ ଏକର ଅଞ୍ଚଳରେ ସଂଗ୍ରହାଳୟ, ମହିଳାଙ୍କ ପାଇଁ ଛାତ୍ରାବାସ, ହସ୍ପିଟାଲ, ସାଂସ୍କୃତିକ କେନ୍ଦ୍ର, ସ୍କୁଲ ଭଳି ଭିତ୍ତିଭୂମି ବିକାଶ କରିବାର ଯୋଜନା ଅଛି। ଏହି ପ୍ରକଳ୍ପର ମୋଟ ମୂଲ୍ୟ ୨.୫ ରୁ ୩ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି, ଯାହା ମଧ୍ୟରୁ ୨୫,୦୦୦ କୋଟି ଟଙ୍କା ପୁନର୍ବାସ ୟୁନିଟ୍ ନିର୍ମାଣରେ ଖର୍ଚ୍ଚ ହେବ।

Mumbai Slum Up-gradation Dharavi Slum Slums
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ