ଗଜରାଜଙ୍କ ଜୀବନ ନେଉଛି ବିଜୁଳି

ମାଟିରେ ଲୋଟିଛି ବିଶାଳକାୟ ଶରୀର । ମୃତ୍ୟୁ ପଛର କାରଣ, ମନୁଷ୍ୟକୃତ ଅବହେଳା । ଗୋଟିଏ କି ଦୁଇଟି ନୁହେଁ, ଏକାଥରକେ ଯାଇଛି ଚାରି ଚାରିଟି ହାତୀଙ୍କ ଜୀବନ ।

Four elephants electrocuted in Andhra-Odisha border

ପୁଣି ବିଜୁଳି ତାର ନେଲା ଗଜରାଜଙ୍କ ଜୀବନ । ଏଥର ଗୋଟେ କି ଦୁଇଟି ନୁହେଁ, ଏକାବେଳକେ ଚାରି ଚାରିଟି ହାତୀ । ଓଡ଼ିଶାର ରାୟଗଡ଼ା ଅଞ୍ଚଳରୁ ଖାଦ୍ୟ ସଂଗ୍ରହରେ ଆନ୍ଧ୍ର ସୀମାକୁ ଚାଲିଯାଇଥିବା ୬ଟିକିଆ ହାତୀ ପଲ ମଧ୍ୟରୁ ଗତ ବିଳମ୍ବିତ ରାତିରେ ଆନ୍ଧ୍ର ବିଜୟନଗର କାଟ୍ରାଗଡ଼ ଗାଁରେ ୪ଟି ହାତୀଙ୍କ ଜୀବନ ଯାଇଛି । ଏ ଅଘଟଣ ପାଇଁ ସ୍ଥାନୀୟ ଲୋକେ ଆନ୍ଧ୍ରର ବିଦ୍ୟୁତ ବିଭାଗକୁ ଦାୟୀ କରିଥିବା ବେଳେ ଏପଟେ ଓଡ଼ିଶାରେ ଗତ ୨ ମାସ ୧୮ଟି ହାତୀଙ୍କ ମୃତ୍ୟୁ ପାଇଁ ବିଦ୍ୟୁତ୍ ବିତରଣ କମ୍ପାନି ଓ ବନ ବିଭାଗ ଉପରେ ଅସନ୍ତୋଷ ଝାଡ଼ିଛନ୍ତି ଓଡ଼ିଶା ହାଇକୋର୍ଟ।

ମାଟିରେ ଲୋଟିଛି ବିଶାଳକାୟ ଶରୀର । ମୃତ୍ୟୁ ପଛର କାରଣ, ମନୁଷ୍ୟକୃତ ଅବହେଳା । ଗୋଟିଏ କି ଦୁଇଟି ନୁହେଁ, ଏକାଥରକେ ଯାଇଛି ଚାରି ଚାରିଟି ହାତୀଙ୍କ ଜୀବନ । ଏ ହୃଦୟ ବିଦାରକ ଦୃଶ୍ୟ ଓଡ଼ିଶା ସୀମାକୁ ଲାଗିଥିବା ଆନ୍ଧ୍ରପ୍ରଦେଶ ବିଜୟନଗର କାଟ୍ରାଗଡ଼ ଗାଁର । କୁହାଯାଉଛି, କିଛିଦିନ ମାସ ତଳେ ରାୟଗଡ଼ା ଗୁଣପୁର ଅଞ୍ଚଳରେ ବୁଲୁଥିଲେ ଏହି ୬ ଟିକିଆ ହାତୀପଲ । ବୁଲିବା ଭିତରେ ଏମାନେ ଆନ୍ଧ୍ରପ୍ରଦେଶ ପାର୍ବତୀପୁରମ୍ ଡିଭିଜନ୍ ଅଞ୍ଚଳକୁ ଚାଲି ଆସିଥିଲେ ।

ତେବେ ଏଠାରେ ବୁଲୁବୁଲୁ ଗତକାଲି ବିଳମ୍ବିତ ରାତିରେ ବିଦ୍ୟୁତ ତାର ସମ୍ପର୍ଶରେ ଆସିଯାଇଥିଲେ ୬ଟି ଯାକ ହାତୀ । ସେମାନଙ୍କ ଭିତରୁ ୪ଟି ସେଇଠି ଟଳି ପଡ଼ିଥିବା ବେଳେ ଅନ୍ୟ ଦୁଇଟି ହାତୀ ସୌଭାଗ୍ୟ କ୍ରମେ ତେବେ ବିଦ୍ୟୁତ ଆଘାତରୁ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ତେବେ ଦୁର୍ଘଟଣା ସ୍ଥଳରେ କୌଣସି ହାତୀ ବସତି ନଥିବା ବେଳେ ଧାନ, ମକା ଓ ଆଖୁ ଖାଇବା ଉଦ୍ଦେଶ୍ୟରେ ଏମାନେ ଓଡ଼ିଶାରୁ ଏ ଅଞ୍ଚଳକୁ ଆସିଥିବା କୁହାଯାଉଛି । ସେପଟେ ଏ ହାତୀ ପଲଙ୍କ ମୃତ୍ୟୁ ପାଇଁ ସ୍ଥାନୀୟ ଲୋକେ ବିଦ୍ୟୁତ ବିଭାଗର ଅବହେଳାକୁ ଦାୟୀ କରିଥିବା ବେଳେ ଏଥିପାଇଁ କାହାକୁ ଦାୟୀ କରାଯାଇପାରିବ ନାହିଁ ବୋଲି କହିଛନ୍ତି ପାର୍ବତୀପୁରମ୍ ଡିଏଫ୍ଓ ।

ସେପଟେ ଆନ୍ଧ୍ର ସୀମାରେ ୪ଟି ହାତୀଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁକୁ ନେଇ ଓଡ଼ିଶା ବନ ବିଭାଗର ଅବହେଳା ଉପରେ ଆଙ୍ଗୁଳି ଉଠାଇଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ। କହିଛନ୍ତି, ହାତୀ କୌଣସି ଭୌଗୋଳିକ ସୀମା ଦେଖେନି । ଯେଉଁଠି ତା’କୁ ଖାଦ୍ୟ ଓ ସୁରକ୍ଷା ମିଳେ ସେ ସିଆଡ଼େ ମୁହାଁଏ । ଓଡ଼ିଶାର ୧୩ ଜିଲ୍ଲାରୁ ହାତୀପଲ ପଡ଼ୋଶୀ ଆନ୍ଧ୍ର, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଜଙ୍ଗଲକୁ ଚଳପ୍ରଚଳ କରୁଥିବା ନେଇ ପୂର୍ବରୁ ବିଶେଷଜ୍ଞମାନେ ବନ ବିଭାଗକୁ ସତର୍କ କରାଇଥିଲେ। ସେମାନଙ୍କ ଉପରେ ନଜର ରଖିବାକୁ କୁହାଯାଇଥିଲା । ହେଲେ ବନ ସେ ଦିଗରେ ଦୃଷ୍ଟି ନଦେବାରୁ ଆଜି ଏ ଅଘଟଣ ସାମ୍ନାକୁ ଆସିଲା ।

ଏପଟେ ଗତ ୨ ମାସ ଭିତରେ ଓଡ଼ିଶାରେ ବିଦ୍ୟୁତ୍ ଆଘାତରୁ ୪ ହାତୀଙ୍କୁ ମିଶାଇ ମୋଟ ୧୮ ହାତୀଙ୍କ ମୃତ୍ୟୁ ହେଲାଣି । ଏ ସମ୍ପର୍କରେ ନିକଟରେ ହାଇକୋର୍ଟଙ୍କୁ ଅବଗତ କରାଇଥିଲା ଯୁଗ୍ମ ଟାସ୍କଫୋର୍ସ । ହାଇକୋର୍ଟ ଏଥିରେ କ୍ଷୋଭ ପ୍ରକାଶ କରିବା ସହ ବିଦ୍ୟୁତ୍ ଆଘାତ ଜନିତ ହାତୀ ମୃତ୍ୟୁ ରୋକିବାକୁ ମିଳିତ ଭାବେ ୟୁନିଫର୍ମ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବାକୁ ବିଦ୍ୟୁତ୍ ବିତରଣ କମ୍ପାନି ଓ ବନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ଚିହ୍ନଟ ୧୪ ହାତୀ କରିଡର ନେଇ ବିଜ୍ଞପ୍ତି ଜାରି ପାଇଁ ଏନ୍‌ଜିଟିଙ୍କ ଆଦେଶ ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି । ସେପଟେ ହାତୀ କରିଡରକୁ ସୁଦୃଢ଼ କରାଯାଇ ଏଭଳି ହାତୀ ମୃତ୍ୟୁକୁ ରୋକାଯାଇପାରିବ ବୋଲି କହିଛନ୍ତି ଏନ୍‌ଜିଟି ଓକିଲ ।