ମିଛ ପାଲଟିଲା ପ୍ରେମ । ଠକ ପ୍ରେମିକକୁ ବାନ୍ଧିଲେ ପୋଲିସ୍ ମାଡାମ୍ । କିଛି ଦିନ ପରେ ଠିକ୍ ଭାବେ ସ୍ୱାମୀଙ୍କ ହାତରେ ହାତ ରଖି ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ । ସ୍ୱାମୀଙ୍କ ସହ ସୁନେଲି ସ୍ୱପ୍ନ ଦେଖି ବିଭୋର ହୋଇଥାନ୍ତେ । ହେଲେ କ୍ଷଣିକରେ ସବୁକିଛି ଓଲଟପାଲଟ ହୋଇଯାଇଛି । ବଦଳି ଯାଇଛି ଚିତ୍ର । ସ୍ୱପ୍ନ ସବୁ ଭାଙ୍ଗି ରୁଜି ଚୁରମାର ହୋଇଯାଇଛି । ଦିଗହରା ହୋଇଯାଇଛି ଭାବି ପତି ଓ ପତ୍ନୀଙ୍କ ଭବିଷ୍ୟତ । ଯାହାର ହାତ ଧରି ବାଟ ଚାଲିଥାନ୍ତେ ତା ହାତରେ ହ୍ୟାଣ୍ଡକପ୍ ପକାଇ ଜେଲ୍ ପଠାଇ ଦେଇଛନ୍ତି ମହିଳା ଦବଙ୍ଗ ଅଫିସର । ପରିଣାମକୁ ପରବାୟ ନ କରି ଭାବି ସ୍ୱାମୀକୁ ଠକେଇ ମାମଲାରେ ଗିରଫ କରି ଜେଲ୍ ପଠାଇ ପ୍ରଶଂସା ସାଉଁଟୁଛନ୍ତି ଆସାମ ପୋଲିସରେ ସବ୍ ଇନସ୍ପେକ୍ଟର ଭାବେ କାର୍ଯ୍ୟ କରୁଥିବା ଜୁନମୋନି ରାଭା ।
ଆସାମର ନୌଗାଁ ଥାନାରେ ସବ ଇନସ୍ପେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି ଜୁନମୋନି । ଆସନ୍ତା ମାସରେ ସେ ରାଣା ପୋଗାଗ ନାମକ ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥାନ୍ତେ । ପରିବାର ସହମତିରେ ଏହି ବିବାହ ହୋଇଥାନ୍ତା । ଗତ ନଭେମ୍ବରରେ ଉଭୟଙ୍କ ର୍ନିବନ୍ଧ ସରିଥିବା ବେଳେ ବିବାହ ଉତ୍ସବ ପାଇଁ ସବୁ ପ୍ରସ୍ତୁତି ଜୋରସୋରରେ ଚାଲିଥିଲା । କିନ୍ତୁ ଯେତେବେଳେ ଭାବି ସ୍ୱାମୀ ଜଣେ ଠକ ବୋଲି ଜାଣିବାକୁ ପାଇଲେ ଏବଂ ଅଧିକ ଅନୁସନ୍ଧାନ କରି ସତ ଜାଣିଲେ, ସେତେବେଳେ ସବୁ ସ୍ୱପ୍ନକୁ ମାରି ଭାବି ସ୍ୱାମୀଙ୍କୁ ବାନ୍ଧି ଜେଲର ଚାରିକାନ୍ଥ ଭିତରକୁ ପଠାଇ ଦେଇଛନ୍ତି ।
ଗିରଫ ଯୁବକ ଜଣଙ୍କ ହେଉଛନ୍ତି ଓଏନଜିସିରେ ନିଜକୁ ଜନସମ୍ପର୍କ ଅଧିକାରୀ ବୋଲି ଦାବି କରୁଥିବା ରାଣା । ସେ ଚାକିରୀ କରାଇ ଦେବାକୁ କହି ଲୋକଙ୍କ ଠାରୁ ମୋଟା ଅଙ୍କର ଅର୍ଥ ହଡ଼ପ କରୁଥିବା ନେଇ ଅଭିଯୋଗ ରହିଥିବା ଜାଣିବାକୁ ପାଇଥିଲେ ଜୁନମୋନି । ଖବର ନେବାରୁ ଜଣାପଡ଼ିଛି ସବ୍ ଇନସ୍ପେକ୍ଟର ଜୁନମୋନିଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କୁ ବିବାହ ପାଇଁ ରାଜି କରିବାରେ ସଫଳ ହୋଇଥିଲେ । ଆଉ ନିଜର ଅପରାଧିକ କାର୍ଯ୍ୟକଳାପକୁ ସୁରକ୍ଷା ଦେବା ପାଇଁ ସେ ଜୁନମୋନିଙ୍କୁ ବିବାହ କରିବାକୁ ଯୋଜନା କରିଥିଲେ, ଯାହା ଏବେ ଫେଲ୍ ମାରିଛି ।
ଏହା ପ୍ରଥମ ଥର ନୁହେଁ , ପୂର୍ବରୁ ମଧ୍ୟ ନିଜର ନିଆରା ଆନ୍ଦାଜ, ଦବଙ୍ଗଗିରି ଷ୍ଟାଇଲ ପାଇଁ ଖୁବ୍ ଚର୍ଚ୍ଚା ସାଉଁଟିଛନ୍ତି ଜୁନମୋନି । କିଛି ଦିନ ତଳେ ହିଁ ଜଣେ ଶାସକ ଦଳର ବିଧାୟକଙ୍କୁ ମୁହଁତୋଡ ଜବାବ ଦେଇ ଆଇନର ପାଠ ପଢ଼ାଇ ଚର୍ଚ୍ଚାକୁ ଆସିଥିଲେ ସବ୍ ଇନସ୍ପେକ୍ଟର । ଏବେ କିନ୍ତୁ ନିଜ ଭାବି ପତିଙ୍କୁ ଜେଲ୍ ପଠାଇ ଅଧିକ ଚର୍ଚ୍ଚାକୁ ଆସିଛନ୍ତି ।