ଏଠି ଚାଲିଥିଲା ନକଲି ଷ୍ଟେଟ୍ ବ୍ୟାଙ୍କ...କର୍ମଚାରୀ ଥିଲେ, ଲୋକେ ଟଙ୍କା ବି ଡିପୋଜିଟ୍ କରୁଥିଲେ...

ଦିନକୁ ଦିନ ସାଇବର୍ କ୍ରାଇମ୍ ବଢ଼ି ବଢ଼ି ଚାଲୁଛି । ଆଖି ପିଛୁଳାକେ ଆକାଉଣ୍ଟରୁ କଟି ଯାଉଛି ଟଙ୍କା ।

Duplicate Bank

ଆଜିକାଲିର ଜମାନାରେ ସମସ୍ତେ ପ୍ରାୟ ମୋବାଇଲ୍ ଉପରେ ନିର୍ଭରଶୀଳ । ଏପରି ସ୍ଥଳେ ଦିନକୁ ଦିନ ସାଇବର୍ କ୍ରାଇମ୍ ବଢ଼ି ବଢ଼ି ଚାଲୁଛି । ଆଖି ପିଛୁଳାକେ ଆକାଉଣ୍ଟରୁ କଟି ଯାଉଛି ଟଙ୍କା । ୟାଡ଼ୁସାଡ଼ୁ ଲିଙ୍କ୍ ଉପରେ କ୍ଲିକ୍ କରିବାକୁ ବ୍ୟାଙ୍କ ତରଫରୁ ବାର୍ ବାର୍ ସଚେତନ କରାଯାଉଛି । ଅସୁବିଧାରେ ପଡ଼ିଲେ ବ୍ୟାଙ୍କ ଆସିବାକୁ କୁହାଯାଉଛି ।

କିନ୍ତୁ ଆପଣ କେବେ ଭାବିଛନ୍ତି କି, ଯଦି ଆପଣ ଯାଉଥିବା ସେଇ ବ୍ରାଞ୍ଚଟି ଫେକ୍ ହୋଇଥିବ !! ଅର୍ଥାତ୍ ଯେଉଁପରି ଫେକ୍ ନୋଟ୍ ରହିଛି, ସେପରି ଫେକ୍ ବ୍ୟାଙ୍କ । ଅର୍ଥାତ୍ ଆପଣ ଡିପୋଜିଟ୍ କରିଥିବା ସମସ୍ତ ତଥ୍ୟ ଓ ଟଙ୍କା ଏକ ଫେକ୍ ବ୍ୟାଙ୍କକୁ ଦେଇଥିଲେ । ଏପରି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟତଃ ଖାଦ୍ୟ, ଟଙ୍କା ପରି କେତେକ ଜିନିଷର ଡୁପ୍ଲିକେଟ୍ ବା ଫେକ୍ ଦେଖିବାକୁ ମିଳୁଥିଲା ।

ତେବେ ଏ ଘଟଣା ଅନୁସାରେ ପୂରା ବ୍ୟାଙ୍କ ହିଁ ନକଲି ବାହାରିଛି । ଛତିଶଗଡ଼ରେ ଏହି ଘଟଣାଟି ଘଟିଛି । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ନକଲି ଶାଖା ତିଆରି କରି ଗ୍ରାହକମାନଙ୍କଠାରୁ ଟଙ୍କା ହଡ଼ପ କରିବା ଥିଲା ମୂଳ ଲକ୍ଷ୍ୟ । ସେଥିପାଇଁ ଏସବିଆଇର ଏକ ନକଲି ଶାଖା ସୃଷ୍ଟି କରାଯାଇଥିଲା । ଏପରି ଏକ ସ୍କାମ୍‌ରେ ବେକାର ଲୋକଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ବ୍ୟବସାୟୀ ମଧ୍ୟ ଜଡ଼ିତ ଥିଲେ ।

ଏ ସମସ୍ତଙ୍କର ଟଙ୍କା ଠକି ନେବାର ଏକ ବିସ୍ତୃତ ପ୍ଲାନ୍ ପ୍ରସ୍ତୁତ କରାଯାଇଥିଲା । ରାଜ୍ୟ ରାଜଧାନୀ ରାୟପୁରଠାରୁ ପ୍ରାୟ ୨୫୦ କିଲୋମିଟର ଦୂରରେ, ସାକଟି ଜିଲ୍ଲାର ଚାପୋରା ନାମକ ଏକ ଗାଁରେ ଏହି ବ୍ୟାଙ୍କଟି ଖୋଲା ଯାଇଥିଲା। ଅନ୍ୟପଟେ ଏହି ବ୍ୟାଙ୍କରେ ୬ ଜଣ ବ୍ୟକ୍ତିଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଥିଲା । ୧୦ ଦିନ ପୂର୍ବରୁ ଖୋଲିଥିବା ଏହି ଶାଖାରେ ଏକ ପ୍ରକୃତ ବ୍ୟାଙ୍କ ପରି ସମସ୍ତ ଜିନିଷ ଉପଲବ୍ଧ ଥିଲା ।

ତେବେ ଏନେଇ ସେପ୍ଟେମ୍ବର ୨୭ରେ ରେ ନିକଟସ୍ଥ ଡାବ୍ରା ଶାଖାର ପରିଚାଳକଙ୍କ ସନ୍ଦେହ ବଢ଼ିଥିଲା । ପରେ ଏହି ବ୍ୟାଙ୍କ ଫ୍ରଡ୍ ବିଷୟରେ ଜଣାପଡ଼ିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବ୍ୟାଙ୍କ ଜାଲିଆତିରେ ଚାରି ଜଣଙ୍କୁ ଗିରଫ କରାଯାଇଛି । କର୍ମଚାରୀମାନେ ଟଙ୍କା ଦେଇ ସେଠାରେ କାମ କରୁଥିବା ପରେ ଜାଣିବାକୁ ମିଳିଛି । ମୁଖ୍ୟ ଅଭିଯୁକ୍ତ ଟଙ୍କା ନେବା ପରେ ସରକାରୀ ଚାକିରିର ପ୍ରଲୋଭନ ଦେଖାଇ ବ୍ୟାଙ୍କ କାମ କରିଆସୁଥିଲା ।

ବିନା ବିଜ୍ଞପ୍ତିରେ ଏକ ନୂଆ ଶାଖା ଖୋଲିଥିବାରୁ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଥିଲା । ପରେ ପୋଲିସ ତଦନ୍ତରେ ମଧ୍ୟ ବ୍ୟାଙ୍କର କର୍ମଚାରୀମାନେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ।