କୋଠାବାଡ଼ି... ରାସ୍ତାଘାଟ... ମଠ ମନ୍ଦିର... ସବୁଠି ବିରାଟ ବିରାଟ ଫାଟ । କାନ୍ଥ ଫାଟି ଆଁ କରିବା ପରେ ଭୟରେ ଘର ଛାଡ଼ୁଛନ୍ତି ଯୋଶୀମଠ ବାସିନ୍ଦା । ପଳାୟନ କଲେଣି ପ୍ରାୟ ୭୦ ପରିବାର । ଶଙ୍କରାଚାର୍ଯ୍ୟ ମାଧବ ମଠର ଶିବଲିଙ୍ଗରେ ମଧ୍ୟ ଫାଟ ସୃଷ୍ଟି ହୋଇଛି । ସହରର ଅସ୍ଥିତ୍ୱ ପ୍ରତି ବିପଦ ସୃଷ୍ଟି କରିଛି କ୍ରମାଗତ ଭୁସ୍ଖଳନ । ଦେବଭୂମି ଉତ୍ତରାଖଣ୍ଡର ଧାର୍ମିକ ସହର ଭାବେ ପରିଚିତ ଯୋଶୀମଠ ଧିରେ ଧିରେ ତଳକୁ ଦବୁଥିବାରୁ ସହରବାସୀଙ୍କ ଆଖିରୁ ନିଦ ହଜିଯାଇଛି ।
ଶୀତୁଆ ରାତିରେ ବି ଘର ଭିତରେ ରହିବା ଅପେକ୍ଷା, ଲୋକେ ବାହାରେ ବସିବାକୁ ସୁରକ୍ଷିତ ମଣୁଛନ୍ତି । ବିପଦସଂକୁଳ ଘର ସଂଖ୍ୟା ୬ ଶହ ଟପିଛି । ରାସ୍ତା ଫାଟି ସେଥିରୁ ପାଣି ବହିବାରେ ଲାଗିଛି । ପୂରା ସହର ବିପର୍ଯ୍ୟୟ ମୁହାଁ ହେବା ପରେ, ଏକପ୍ରକାର ସମୂହ ପଳାୟନର ଆଶଙ୍କା ସୃଷ୍ଟି ହୋଇଛି । ତେଣେ ଚୀନ୍ ସୀମାକୁ ସଂଯୋଗ କରୁଥିବା ଯୋଶୀମଠ-ମଲାରୀ ରାସ୍ତା ଫାଟି ଯିବାରୁ ପ୍ରତିରକ୍ଷା ଦୃଷ୍ଟିରୁ ବି ଚିନ୍ତା ବଢ଼ିଛି ।
Also Read
ଯୋଶୀମଠ ବିପତ୍ତିର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମାନସମନ୍ଥନ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ NDMA ସଦସ୍ୟଙ୍କ ସହ ଉଚ୍ଚସ୍ତରୀୟ ସୀମକ୍ଷା ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ର । ତେଣେ ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ବିପନ୍ନଙ୍କ ଥଇଥାନ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି ।
ବାସହରା ପରିବାରକୁ ୬ମାସ ଭଡ଼ାଘରେ ରହିବାକୁ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମାସିକ ୪ହଜାର ଟଙ୍କା ସହାୟତା ଦିଆଯାଉଛି । ଜରୁରୀ ସ୍ଥିତି ପାଇଁ ଏନଡିଆରଏଫ ଟିମ୍ ଏବଂ ଚପର୍ ପ୍ରସ୍ତୁତ ରଖାଯାଇଛି । ସାଟେଲାଇଟ୍ ଫଟୋ ଉଠାଇ ଭୂସ୍ଖଳନର ସବିଶେଷ ରିପୋର୍ଟ ଦେବାକୁ ନ୍ୟାସନାଲ ରିମୋଟ୍ ସେନ୍ସିଂ ସେଣ୍ଟରକୁ କହିଛନ୍ତି ଉତ୍ତରାଖଣ୍ଡ ସରକାର । ଜିଓଲଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ବି ସ୍ଥିତି ସମୀକ୍ଷା କରୁଛି । ସ୍ଥାନୀୟ ଲୋକେ ଭୂସ୍ଖଳନ ପାଇଁ ଟନେଲ୍ ଖନନ ଓ ଜଳ ବିଦ୍ୟୁତ ପ୍ରକଳ୍ପକୁ ଦାୟୀ କରିବା ପରେ ଯୋଶୀମଠ ଅଞ୍ଚଳରେ ସମସ୍ତ ନିର୍ମାଣ କାମ ବନ୍ଦ କରି ଦିଆଯାଇଛି ।
ତେଣେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଗତକାଲି ଯୋଶୀମଠ ଗସ୍ତରୁ ଫେରିବା ପରେ ଆଜି ଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଥିତି ସଂପର୍କରେ ଜଣାଇଛନ୍ତି । ଯୋଶୀ ମଠକୁ ରକ୍ଷା କରିବାକୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଭରସା ଦେଇଛନ୍ତି ମୋଦି ... ।
କାହିଁକି ତଳକୁ ତଳକୁ ଦବୁଛି ଯୋଶୀମଠ? ଏହି ଭୌଗୋଳିକ ବିପଯର୍ୟୟ ପ୍ରାକୃତିକ ନା ମନୁଷ୍ୟକୃତ? ବିଶେଷଜ୍ଞଙ୍କ ଅନୁସାରେ, ୬/୭ ହଜାର ବର୍ଷ ତଳେ ହିମାଳୟ ପାଦ ଦେଶରେ ଏକ ବିରାଟ ଭୂସ୍ଖଳନ ହୋଇଥିଲା । ପାହାଡ଼ ଧସିବାରୁ ମାଟି ପଥର ଆଦି ଜମାହୋଇ ସୃଷ୍ଟି ହୋଇଥିଲା ନୂଆ ଭୂମିରୂପ । ସମୟକ୍ରମେ ତାରି ଉପରେ ଗଢ଼ିଉଠିଛି ଯୋଶୀମଠ ସହର ।
ତେବେ ଏଠାକାର ମାଟି ଏବେବି ଦୁର୍ବଳ ମାଟି ତଳ ଦେଇ ପାଣି ଝରିବା ଯୋଗୁଁ ଭୂତଳ ପଥରଖଣ୍ଡ ଗୁଡ଼ିକ ବି ହୁଗୁଳା ହୋଇଯାଉଛି । ୧୯୭୦ରେ ଅଳକାନନ୍ଦାରେ ବଡ଼ ବନ୍ୟା ଆସିବା ପରେ, ପ୍ରଥମ ଥର ପାଇଁ ଘରକାନ୍ଥ ଗୁଡ଼ିକରେ ଫାଟ ଆସିଥିଲା । ୧୯୭୬ରେ ଗଠିତ ଏମ୍.ସି. ମିଶ୍ର କମିଶନ କହିଥିଲେ, ଯୋଶୀମଠ ସହରର ଆୟୂଷ ମାତ୍ର ଶହେବର୍ଷ । ବଡ଼ ଅଟ୍ଟାଳିକା ନିର୍ମାଣ, ପଥର ବ୍ଲାଷ୍ଟିଂ ଓ ଗଛକଟା ଆଦି ଉପରେ ତତ୍କାଳ ରୋକ୍ ଲଗାଇବାକୁ ପରାମର୍ଶ ବି ଦେଇଥିଲେ କମିଶନ । ହେଲେ ୪୭ ବର୍ଷ ତଳର ସତର୍କବାଣୀକୁ ଭୃକ୍ଷେପ କରାନଯିବାରୁ, ଆଜି ଏଭଳି ବିପତ୍ତି ଆସିଥିବା ଅଭିଯୋଗ ହେଉଛି ।
ଯୋଶୀମଠ ଭଳି ନୈନିତାଲ ଓ ଉତ୍ତରକାଶୀ ମଧ୍ୟ ଭବିଷ୍ୟତରେ ବିପଦର ସାମ୍ନା କରିପାରେ ବୋଲି ଆଶଙ୍କା କରିଛନ୍ତି ବିଶେଷଜ୍ଞ ।