ଦିଲ୍ଲି ହାଇକୋର୍ଟ ବିଚାରପତି ଯଶୱନ୍ତ ବର୍ମାଙ୍କ ଘରୁ ୧୫ କୋଟିର ନଗଦ କ୍ୟାସ ବାହାରିବା ପରେ ନ୍ୟାୟିକ ବ୍ୟବସ୍ଥାକୁ ନେଇ ଅନେକ ଗୁଞ୍ଜରଣ ଶୁଣିବାକୁ ମିଳୁଛି । ଏହି ଗୁଞ୍ଜରଣକୁ ଆହୁରି ବଳ ଯୋଗାଇଛି ଯଶୱନ୍ତ ବର୍ମାଙ୍କ ଆହ୍ଲାବାଦ ହାଇକୋର୍ଟକୁ ବଦଳି ପ୍ରସ୍ତାବ । ତାଙ୍କୁ ନିଲମ୍ବନ ନ କରି କାହିଁକି ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଗଲା ତାକୁ ନେଇ ଅନେକ କଥା ଶୁଣିବାକୁ ମିଳୁଛି । ଅନ୍ୟପକ୍ଷେ ବଦଳି ଘଟଣା ଶୁଣିବା ପରେ ପ୍ରତିକ୍ରିୟା ପ୍ରକାଶ କରିଛି ଆହ୍ଲାବାଦ ହାଇକୋର୍ଟ ବାର୍ ଆସୋସିଏସନ୍ । ଏଭଳି ଦାଗ ଲାଗିଥିବା ବିଚାରପତିଙ୍କୁ କାହିଁକି ଆମ ପାଖକୁ ପଠାଯାଉଛି, ଆମେ କ’ଣ ଡଷ୍ଟବିନ୍ ବୋଲି ବାର୍ ଆସୋସିଏସନ୍ ପ୍ରଶ୍ନ କରିବା ପରେ ନ୍ୟାୟପାଳିକା ଭିତରେ ଝଡ଼ ସୃଷ୍ଟି ହୋଇଛି । ଯାହା ବି ହେଉ, ବିଚାର ବ୍ୟବସ୍ଥାର ଏ ଅବ୍ୟବସ୍ଥା ଲୋକଙ୍କ ଭରସାକୁ ଦୋହଲାଇ ଦେଇଛି ।
ଯଶୱନ୍ତ ବର୍ମାଙ୍କ ଘରୁ କ୍ୟାସ ବାହାରିବା ଘଟଣା ହୋଲି ଦିନ ରାତିରେ ଘଟିଥିଲା । ହଠାତ ହୋଲି ଦିନ ରାତିରେ ତାଙ୍କ ଘରେ ନିଆଁ ଲାଗି ଯାଇଥିଲା । ଅଗ୍ନିଶମ ବାହିନୀ ନିଆଁ ଲିଭାଇବାକୁ ଆସି ଗୋଟିଏ ଘରେ ଏତେ ପରିମାଣରେ ଟଙ୍କା ଥିବା ଦେଖିବାକୁ ପାଇଥିଲେ । ଏହା ପରେ ଘଟଣା ସାମ୍ନାକୁ ଆସିଥିଲା । ତେବେ ମୁଖ୍ୟ ପ୍ରଶ୍ନ ଏଠି, ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ବିରୋଧରେ ଏଫଆଇଆର ଦାଏର କରାଯାଇ ପାରିବେ ତ ? ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇ ପାରିବ ତ ?
Also Read
ଯଶୱନ୍ତ ବର୍ମାଙ୍କ ଭାଗ୍ୟର ନିଷ୍ପତ୍ତି ନେବାକୁ ହେଲେ ୩୪ ବର୍ଷ ତଳର ଫାଇଲକୁ ଓଲଟାଇବାକୁ ପଡିବ । କାରଣ, ସୁପ୍ରିମକୋର୍ଟଙ୍କ ୧୯୯୧ ମସିହାର ଏକ ନିଷ୍ପତ୍ତି ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆ ଯାଇପାରିବ ଏବଂ ଜଷ୍ଟସ ଯଶୱନ୍ତ ବର୍ମାଙ୍କ ବିରୋଧରେ ମୋକଦ୍ଦମା ଦାଏର ହୋଇ ପାରିବ । ଅବଶ୍ୟ ଏଥିରେ କେତେ ଗୁଡିଏ ସର୍ତ୍ତ ରହିଛି । ଏଠି କହିରଖିବୁ, ଆଜକୁ ୩୪ ବର୍ଷ ପୂର୍ବେ ଅର୍ଥାତ ୧୯୯୧ ମସିହାରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସୁପ୍ରିମକୋର୍ଟ କହିଥିଲେ, ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟର କୌଣସି ଜଜ ଯଦି ନିଜ କାର୍ଯ୍ୟକାଳ ସମୟରେ ଅପରାଧରେ ସଂପୃକ୍ତ ଥିବା ପ୍ରମାଣ ମିଳେ ତେବେ ଦୁର୍ନୀତି ନିବାରଣ ଅଧିନିୟମ ଅନୁସାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇ ପାରିବ ।
ଯଶୱନ୍ତ ବର୍ମାଙ୍କ ସହ ୧୯୯୧ ମାମଲାର ସମ୍ପର୍କ
ଯାହା ବି ହେଉ, ସୁପ୍ରିମକୋର୍ଟଙ୍କ କହିବା ଅନୁସାରେ, କୌଣସି ଜଜଙ୍କ ବିରୋଧରେ ସିଆରପିସି ଧାରା ୧୫୪ ଅନୁସାରେ କୌଣସି ଅପରାଧିକ ମାମଲା ରୁଜୁ ହୋଇ ପାରିବ ନାହିଁ । ଅର୍ଥାତ ବିଚାରପତିଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇ ପାରିବ ନାହିଁ । ଯଦି ସରକାର ଏହି ପ୍ରସଙ୍ଗରେ ଭାରତର ପ୍ରଧାନ ବିଚାରପତିଙ୍କ ସହ ପରାମର୍ଶ କରନ୍ତି, ତେବେ ଏହା ଏକ ଅଲଗା କଥା । ତେବେ ସୁପ୍ରିମକୋର୍ଟଙ୍କର ଏହି ନିଷ୍ପତ୍ତିରେ କୁହାଯାଇଛି ଯେ, ଯଦି ଭାରତର ପ୍ରଧାନ ବିଚାରପତିଙ୍କୁ ଲାଗିବ ଯେ ଏହି ମାମଲା ଦୁର୍ନୀତି ନିବାରଣ ଅଧିନିୟମ ଅନୁସାରେ ଆଗକୁ ବଢିବାର ଆବଶ୍ୟକତା ନାହିଁ ତେବେ ଏହି ମାମଲାରେ ଏଫଆଇଆର ରୁଜୁ ହୋଇ ପାରିବ ନାହିଁ । ଏହାର ଅର୍ଥ ଜଣେ ବିଚାରପତିଙ୍କ ବିରୋଧରେ ମାମଲା ରୁଜୁ ହେବ କି ନାହିଁ ତାହା ସିଜେଆଇଙ୍କ ଉପରେ ନିର୍ଭର କରେ ।
ଜଷ୍ଟିସ ବର୍ମାଙ୍କ ନିଷ୍ପତ୍ତି ଏହି ରାୟ ଆଧାରରେ ନିଆଯିବ କି ?
ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ, ବିଚାରପତି ଯଶୋବନ୍ତ ବର୍ମା ମାମଲାରେ ଦିଲ୍ଲୀ ପୁଲିସ କମିଶନର ପକ୍ଷରୁ ତାଙ୍କ ଘରର ଷ୍ଟୋର ରୁମରୁ ଜବତ ହୋଇଥିବା ନଗଦ କ୍ୟାସର ଜବତ ସମୟର ଫଟୋ ଏଂବ ଭିଡିଓ ଦିଲ୍ଲୀ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ହ୍ୱାଟସଅପରେ ସେୟାର କରାଯାଇଛି । ତେବେ ତାଙ୍କ ବିରୋଧରେ ଏ ଯାଏ ଏଫଆଇଆର ଦାଏର କରାଯାଇ ନାହିଁ । ଯଦି ସରକାର ଏହି ମାମଲାରେ ସିଜେଆଇଙ୍କ ପରାମର୍ଶ ନେବେ ଏଫଆଇଆର ରୁଜୁ କରାଯାଇ ପାରିବ । ତେବେ ବର୍ତ୍ତମାନ ସୁଦ୍ଧ ବର୍ମାଙ୍କ ଏଫଆଇଆର ରୁଜୁ ବିଷୟ ନେଇ ଭାରତ ସରକାର ଏବଂ ସିଜେଆଇଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇ ନ ଥିବା ଜଣାଯାଇଛି ।
କ’ଣ ଥିଲା ୧୯୯୧ ମସିହାର ରାୟ
ସୁପ୍ରିମକୋର୍ଟ ୧୯୯୧ରେ ଇନ ହାଉସ ପ୍ରସିଜିଓର (In-House Procedure) କୁ ନେଇ ଏକ ଐତିହାସିକ ରାୟ ଶୁଣାଇଥିଲେ । ଏହା ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ଦୁର୍ନୀତି, ଅସଦାଚରଣ, ଅନୁଚିତ ବ୍ୟବହାର ବିରୋଧରେ ଯାଞ୍ଚକୁ ନେଇ ଏକ ଦିଗଦର୍ଶନ ଦେଇଥାଏ । ୧୯୯୧ରେ ସୁପ୍ରିମକୋର୍ଟର ତତ୍କାଳୀନ ପ୍ରଧାନ ବିଚାରପତି ଏବଂ ବରିଷ୍ଠ ବିଚାରପତି ଚିନ୍ତାରେ ଥିଲେ ଯେ, ଯଦି କୌଣସି ବିଚାରପତିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସେ ତେବେ ଏହାର ତଦନ୍ତ ଏବଂ ଅନୁଶାସନଗତ କାର୍ଯ୍ୟାନୁଷ୍ଠାନ କିପରି ନିଆଯିବ । ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ‘ଇନ ହାଉସ ପ୍ରସିଜିଓର’କୁ ମଞ୍ଜୁରୀ ଦେଇଥିଲେ ।
କ’ଣ ଥିଲା ମୂଳ ମାମଲା
କହିବାକୁ ଗଲେ, ୧୯୯୧ମସିହାର ଏହି ଐତିହାସିକ ନିଷ୍ପତ୍ତି ମାଡ୍ରାସ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି କେ.ବୀରସ୍ୱାମୀଙ୍କ ମାମଲା ସହ ଜଡିତ ଥିଲା । କେ.ବୀରସ୍ୱାମୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଥିଲା । ସିବିଆଇ ତାଙ୍କ ବିରୋଧରେ ଆୟଠାରୁ ଅଧିକ ସମ୍ପତ୍ତି ରଖିଥିବା ନେଇ ମାମଲା ରୁଜୁ କରିଥିଲେ । ସିବିଆଇ କେ.ବୀରସ୍ୱାମୀଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲେ । କିନ୍ତୁ ସେତେବେଳେ କୁହାଯାଇଥିଲା ଯେ, ସିଟିଂ କିମ୍ବା ଅବସରପ୍ରାପ୍ତ ବିଚାରପତିଙ୍କ ବିରୋଧରେ ମାମଲା ଚଳାଇବାକୁ ହେଲେ କେନ୍ଦ୍ର ସରକାରଙ୍କ ଅନୁମତି ନେବା ଆବଶ୍ୟକ । ମାମଲା ସୁପ୍ରିମକୋର୍ଟ ପହଞ୍ଚିଥିଲା । ଏହାପରେ ୧୯୯୧ରେ ନିଷ୍ପତ୍ତି ନିଆଯାଇଥିଲା । ସୁପ୍ରିମକୋର୍ଟ ଏହି ନିଷ୍ପତ୍ତିରେ କହିଥିଲେ, ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟ ଜଜଙ୍କ ବିରୋଧରେ ମାମଲା ଚଲାବାକୁ ହେଲେ ସିଜେଆଇଙ୍କ ସହମତି ଜରୁରୀ ଅଟେ । ଏହି ନିଷ୍ପତ୍ତି ଅନୁସାରେ In-House Procedureର ଆରମ୍ଭ ହୋଇଥିଲା । ଏହା ଦ୍ୱାରା ନ୍ୟାୟପାଳିକାର ଗରିମା ଏବଂ ପାରଦର୍ଶିତା ରକ୍ଷା କରାଯାଇ ପାରିବ । କହିବାକୁ ଗଲେ, ଏହି ନିଷ୍ପତ୍ତି ନ୍ୟାୟପାଳିକାରେ ଶୃଙ୍ଖଳା ଏବଂ ଦାୟିତ୍ୱକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା।
ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ନିଷ୍ପତ୍ତିର ମୁଖ୍ୟ କଥା
ତଦନ୍ତ ଏବଂ ଅନୁଶାସନ ପାଇଁ ବ୍ୟବସ୍ଥା: ଯଦି କୌଣସି ବିଚାରପତିଙ୍କ ବିରୋଧରେ ଦୁର୍ନୀତି, ଅସଦାଚରଣ କିମ୍ବା ଖରାପ ବ୍ୟବହାର ଦେଖାଇଥିବା ପରି ଅଭିଯୋଗ ଆସେ ତେବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି (CJI) ଏହି ଅଭିଯୋଗର ତଦନ୍ତ ପାଇଁ ଏକ ଇନ-ହାଉସ୍ କମିଟି ଗଠନ କରିପାରିବେ।
ଇନ-ହାଉସ୍ କମିଟି ଗଠନ: ସାଧାରଣତଃ ଏହି କମିଟିରେ ଥାଆନ୍ତି ସୁପ୍ରିମକୋର୍ଟର ଜଣେ ବରିଷ୍ଠ ବିଚାରପତି ଏବଂ ହାଇକୋର୍ଟର ଦୁଇଜଣ ମୁଖ୍ୟ ବିଚାରପତି ।
ତଦନ୍ତ ପ୍ରକ୍ରିୟା:
-କମିଟି ସଂପୃକ୍ତ ଜଜଙ୍କୁ ନୋଟିସ ଦେଇ ତାଙ୍କର ପକ୍ଷ ଶୁଣିଥାଏ
-ଯଦି ଅଭିଯୋଗ ସତ୍ୟ ବୋଲି ପ୍ରମାଣିତ ହୁଏ ତେବେ କମିଟି ସିଜେଆଇଙ୍କୁ ରିପୋର୍ଟ ହସ୍ତାନ୍ତର କରିଥାଏ ।
ଅନୁଶାସନଗତ କାର୍ଯ୍ୟାନୁଷ୍ଠାନ
-ଯଦି କମିଟିର ରିପୋର୍ଟରେ ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ ତେବେ ସିଜେଆଇ ରାଷ୍ଟ୍ରପତିଙ୍କୁ ସଂପୃକ୍ତ ବିଚାରପତିଙ୍କୁ ହଟାଇବା ପାଇଁ ସୁପାରିଶ କରିପାରନ୍ତି ।
-ଏଥି ସହିତ ସଂସଦ ମହାଅଭିଯୋଗ ପ୍ରକ୍ରିୟା ଆରମ୍ଭ କରିପାରେ ।
କ’ଣ ଥିଲା ଯଶୱନ୍ତ ବର୍ମାଙ୍କ ମାମଲା ?
ଦିଲ୍ଲୀ ହାଇକୋର୍ଟ ଜଜ ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ସରକାରୀ ବାସଗୃହରେ ହୋଲିଦିନ ରାତିରେ ନିଆଁ ଲାଗି ଯାଇଥିଲା । ଏହା ପରେ ନିଆଁଲିଭାଳି ଦଳ ଆସିଥିଲେ । ନିଆଁ ଲିଭାଇବା ପରେ ତାଙ୍କ ଘରୁ ଠାବ ହୋଇଥିଲା ଟଙ୍କାର ଭଣ୍ଡାର । ଏହି ସୂଚନା ବରିଷ୍ଠ ଅଧିକାରୀ ଏବଂ ସରକାରଙ୍କୁ ଦିଆ ଯାଇଥିଲା । ଏହି ଘଟଣା ପରେ ସିଜେଆଇ ସଞ୍ଜୀବ ଖନ୍ନା ମାମଲାକୁ ଗୁରୁତ୍ୱର ସହ ବିଚାର କରି କଲେଜିୟମ ବୈଠକ ଡକାଇଥିଲେ ଏବଂ ତୁରନ୍ତ ଜଷ୍ଟିସ ବର୍ମାଙ୍କୁ ଆଲାହାବାଦ ହାଇକୋର୍ଟକୁ ଟ୍ରାନ୍ସଫର କରି ଦେଇଥିଲେ । ଏହି ଘଟଣାକୁ ନେଇ ନ୍ୟାୟବ୍ୟବସ୍ଥାରେ ଚାଞ୍ଚଲ୍ୟ ଖେଳି ଯାଇଥିଳା । ଘଟଣାର ଯାଞ୍ଚ ପାଇଁ ଦାବି ଉଠିଥିଲା । ଏଥି ସହିତ ସୁପ୍ରିମ କୋର୍ଟରେ ଜଷ୍ଟିସ ବର୍ମାଙ୍କ ବିରୋଧରେ ଏଫଆଇଆର ଦାଏର କରିବା ଏବଂ ତଦନ୍ତ କରିବା ପାଇଁ ମଧ୍ୟ ଦାବି ଉଠିଥିଲା । ତେବେ ଏହି ଘଟଣାର ତୁରନ୍ତ ଶୁଣାଣି ପାଇଁ ସୁପ୍ରିମକୋର୍ଟ ମନା କରି ଦେଇଥିଲେ ।