Gujrat BJP
ଆସନ୍ତା ନିର୍ବାଚନ ମତଦାନ ଏବଂ ଗଣତି ପୂର୍ବରୁ ଖାତା ଖୋଲିଲା ବିଜେପି। ବିନା ନିର୍ବାଚନରେ ସଂସଦକୁ ନିର୍ବାଚିତ ହୋଇଛନ୍ତି ଗୁଜରାଟ ସୁରତର ବିଜେପି ପ୍ରାର୍ଥୀ ମୁକେଶ ଦଲାଲ । ନିର୍ଦ୍ୱନ୍ଦ୍ୱରେ ସେ ସୁରତ ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇଛନ୍ତି। କଂଗ୍ରେସ ଏଠାରେ ନିଲେଶ କୁମ୍ଭାନିଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ନାମାଙ୍କନ ଯାଞ୍ଚ ବେଳେ ତାଙ୍କ ପ୍ରାର୍ଥିପତ୍ରକୁ ଗତକାଲି ରଦ୍ଦ କରି ଦେଇଥିଲେ। ଆଉ ଆଜି ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ସମସ୍ତ ପ୍ରତିଦ୍ବନ୍ଦୀ ସେମାନଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ତେଣୁ ମୁକେଶ ଏକମାତ୍ର ପ୍ରାର୍ଥୀ ଭାବେ ସୁରତ ଆସନରୁ ବିଜୟୀ ଘୋଷଣା ହୋଇଛନ୍ତି ।
ତେବେ ଏପରି ବିଜୟୀକୁ ନେଇ ମ୍ୟାଚ୍ ଫିକ୍ସିଂର ଅଭିଯୋଗ ଆଣିଛି କଂଗ୍ରେସ। କଂଗ୍ରେସ ନେତା ଜୟରାମ ଆଜି ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଲୋକଙ୍କ ମଧ୍ୟରେ ଥିବା ଆକ୍ରୋଶକୁ ଦେଖି ବିଜେପି ଭୟଭୀତ। ତେଣୁ ସୁରତ ଲୋକସଭା ଆସନରେ ବିଜେପି ମ୍ୟାଚ୍ ଫିକ୍ସିଂ ପାଇଁ ଉଦ୍ୟମ କରିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନ୍ୟାୟ ଯୁଗରେ ଏମଏସ୍ଏମଇ ମାଲିକ ଓ ବ୍ୟବସାୟୀମାନେ ଭୋଗୁଥିବା ସମସ୍ୟାକୁ ଦେଖି ବିଜେପି ଭୟଭୀତ ହୋଇ ପଡ଼ିଛି। ଏଥିପାଇଁ ସେମାନେ ମ୍ୟାଚ୍ ଫିକ୍ସିଂ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ସବୁ କିଛି ଏବେ ଅତ୍ୟନ୍ତ ବିପଦରେ ରହିଛି। ଆମ ନିର୍ବାଚନ, ଆମ ଗଣତନ୍ତ୍ର ଓ ବାବାସାହେବ ଆମ୍ବେଦକରଙ୍କ ସମ୍ବିଧାନ ଏବେ ବିପଦରେ।”
ମେ’ ୭ରେ ଏଠାରେ ନିର୍ବାଚନ ହେବାର ଥିଲା। ନିଲେଶଙ୍କ ବ୍ୟତୀତ କଂଗ୍ରେସର ବଦଳ ପ୍ରାର୍ଥୀ ଭାବେ ସୁରେଶ ପଡସାଲାଙ୍କ ପ୍ରାର୍ଥିପତ୍ର ମଧ୍ୟ ନାକଚ ହୋଇଛି।
କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି, “ତାନାଶାହର ଅସଲି ‘ସୁରତ’ ପୁଣି ଦେଶ ସାମ୍ନାକୁ ଆସିଛି। ଜନତାଙ୍କ ଠାରୁ ନିଜ ପସନ୍ଦର ନେତା ବାଛିବାର ଅଧିକାରକୁ ଛଡ଼ାଇ ନେବା ବାବା ସାହେବ ଆମ୍ବେଦକରଙ୍କ ସମ୍ବିଧାନକୁ ଶେଷ କରିବା ଦିଗରେ ଆଉ ଏକ ପଦକ୍ଷେପ। ମୁଁ ପୁଣିଥରେ କହୁଛି-ଏହା କେବଳ ସରକାର ଗଠନ କରିବାର ନିର୍ବାଚନ ନୁହେଁ, ଏହା ଦେଶକୁ ବଞ୍ଚାଇବାର ନିର୍ବାଚନ। ସମ୍ବିଧାନ ସୁରକ୍ଷାର ନିର୍ବାଚନ।”
ନିଲେଶଙ୍କ ସତ୍ୟପାଠରେ ବିସଙ୍ଗତି ଦେଖାଯାଇଥିଲେ ମଧ୍ୟ ସେ ତାଙ୍କର ୩ ପ୍ରସ୍ତାବକଙ୍କୁ ମଧ୍ୟରୁ ଜଣଙ୍କୁ ବି ନିର୍ବାଚନ ଅଧିକାରୀଙ୍କ ପାଖରେ ହାଜର କରାଇ ପାରି ନଥିଲେ। ନିଲେଶଙ୍କ ନାମାଙ୍କନ ପତ୍ରରେ ଥିବା ୩ ପ୍ରସ୍ତାବକଙ୍କ ଦସ୍ତଖତରେ ବିସଙ୍ଗତି ରହିଥିବା ବିଜେପି ଅଭିଯୋଗ କରିଥିଲା।
ନିଲେଶଙ୍କ ନାମାଙ୍କନ ରଦ୍ଦ ସମ୍ପର୍କରେ ରିଟର୍ଣ୍ଣିଂ ଅଫିସର ସୌରଭ ପାରଧି କହିଛନ୍ତି, କୁମ୍ଭାନି ଓ ପାଡସାଲା ଦାଖଲ କରିଥିବା ୪ଟି ନାମାଙ୍କନ ଫର୍ମକୁ ରଦ୍ଦ କରି ଦିଆଯାଇଛି। କାରଣ ପ୍ରଥମ ଦେଖାରେ ହିଁ ସେମାନଙ୍କ ପ୍ରସ୍ତାବକଙ୍କ ଦସ୍ତଖତରେ ବିସଙ୍ଗତି ଦେଖାଯାଇଥିଲା।
ଏହା ଉପଯୁକ୍ତ ବା ପ୍ରକୃତ ଦସ୍ତଖତ ବୋଲି ଅନୁମେୟ ହୋଇ ନଥିଲା। ଏଥିସହ ପ୍ରସ୍ତାବକମାନେ ସେମାନଙ୍କ ସତ୍ୟପାଠରେ କହିଥିଲେ ଯେ ସେମାନେ ନିଜେ ଫର୍ମରେ ଦସ୍ତଖତ କରି ନାହାନ୍ତି ବୋଲି ସେ କହିଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କୁମ୍ଭାନିଙ୍କ ୩ ପ୍ରସ୍ତାବକ ତାଙ୍କର ସମ୍ପର୍କୀୟ। ପ୍ରସ୍ତାବକମାନେ ଦସ୍ତଖତ ବିରୋଧରେ ସତ୍ୟପାଠ ଦେବାରୁ ଏହା ଉପରେ ଜବାବ ରଖିବାକୁ ନିଲେଶ କୁମ୍ଭାନିଙ୍କୁ ଗୋଟିଏ ଦିନର ସମୟ ମିଳିଥିଲା। ସେ ନିର୍ବାଚନ ଅଧିକାରୀଙ୍କ ପାଖକୁ ନିଜର ଓକିଲଙ୍କୁ ଧରି ଆସିଥିଲେ। ହେଲେ ଜଣେ ହେଲେ ବି ପ୍ରସ୍ତାବକ ତାଙ୍କ ସହ ଆସି ନଥିଲେ । କୁମ୍ଭାନି ଓ ଆଇନଜୀବୀ ବାବୁ ମଙ୍ଗୁକିୟା ଅଭିଯୋଗ କରିଛନ୍ତି ଯେ ୩ ପ୍ରସ୍ତାବକୁ ଅପହରଣ କରାଯାଇଥିଲା। ରିଟର୍ଣ୍ଣିଂ ଅଫିସର ଦସ୍ତଖତର ସତ୍ୟତା ଜାଣିବା ପାଇଁ ଏହାର ତଦନ୍ତ କରିବା ଉଚିତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Gujrat_BJP_1713796240.jpg)