ଆଉ ଚଳିବନି ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ : ଜୁଲାଇ ପହିଲାରୁ ଉତ୍ପାଦନ, ବିକ୍ରି ଓ ବ୍ୟବହାର ନିଷେଧ କଲା କେନ୍ଦ୍ର

ଗ୍ରାହକ ଓ ବ୍ୟବସାୟୀ କହିଲେ ଆଗ ବନ୍ଦ କର ଉତ୍ପାଦନ

ଗ୍ରାହକ ଓ ବ୍ୟବସାୟୀ କହିଲେ ଆଗ ବନ୍ଦ କର ଉତ୍ପାଦନ

ଜୁଲାଇ ପହିଲାରୁ ଆଉ ବ୍ୟବହାର କରି ପାରିବେନି ଏକକ ପ୍ଲାଷ୍ଟିକ ବା ସିଙ୍ଗଲ୍ ୟୁଜ ପ୍ଳାଷ୍ଟିକ । ଏହାର ଉତ୍ପାଦନ, ବିକ୍ରି, ବ୍ୟବହାର ନିଷେଧ କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର ପରିବେଶ , ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ । ତେବେ ରାଜ୍ୟରେ ୨୦୧୯ ଅକ୍ଟୋବର ୨ରୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ନିଷେଧ କରିଥିଲେ ରାଜ୍ୟ ସରକାର । ହେଲେ ୩ ବର୍ଷ ପରେ ବି ଖୁଲମ ଖୁଲା ଚାଲିଛି ବେପାର, ଆଉ ଅବାଧରେ ବ୍ୟବହାର କରୁଛନ୍ତି ଲୋକେ । ତେବେ ସଚେତନତା ଅଭାବ ନା କାର୍ଯ୍ୟକାରୀ କରିବାରେ ପ୍ରଶାସନିକ ଅବହେଳା ତାକୁ ନେଇ ପ୍ରଶ୍ନ ଉଠିଲାଣି । ତେଣୁ ଏବେ କେନ୍ଦ୍ରର ଏହି ନିଷ୍ପତ୍ତି କେତେ କାର୍ଯ୍ୟକାରୀ ହେବ ତାକୁ ନେଇ ସନ୍ଦେହ ସୃଷ୍ଟି ହେଲାଣି ।

ନିଷିଦ୍ଧ ସାମଗ୍ରୀଗୁଡ଼ିକ ମଧ୍ୟରେ ରହିଛି ପଲିଥିନ୍, ପ୍ଲାଷ୍ଟିକରେ ତିଆରି ଇଅର ବଡ୍ , ବେଲୁନ୍ ପାଇଁ ବ୍ୟବହାର ପ୍ଲାଷ୍ଟିକ୍ , ପ୍ଲାଷ୍ଟିକ୍ ପତାକା , ଷ୍ଟିକର ପ୍ଲେଟ୍ , କପ୍ , ଗ୍ଲାସ୍ , ଚାମଚ , ଛୁରି , ଷ୍ଟ୍ର, ଟ୍ରେ ଆଦି । ୧୦୦ ମାଇକ୍ରନରୁ କମ୍ ପ୍ଲାଷ୍ଟିକ୍ କିମ୍ବା ପିଭିସି ବ୍ୟାନର, ଷ୍ଟିକର ମଧ୍ୟ ଏହା ଅନ୍ତର୍ଭୁକ୍ତ । ଚିହ୍ନଟ ହୋଇଥିବା ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ସାମଗ୍ରୀଗୁଡ଼ିକର କଡ଼ାକଡ଼ି ଯାଞ୍ଚ ଲାଗି ଜାତୀୟ ଓ ରାଜ୍ୟସ୍ତରୀୟ କଣ୍ଟ୍ରୋଲ ରୁମ ଗଠନ କରାଯିବା ସହ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ରହିବ ।

ନିଷିଦ୍ଧ ହୋଇଥିବା ଯେକୌଣସି ପ୍ରକାରର ପ୍ଲାଷ୍ଟିକ୍ ସାମଗ୍ରୀ ଗୁଡ଼ିକର ଆନ୍ତଃରାଜ୍ୟ ଚାଲାଣ ବନ୍ଦ କରିବା ନିମନ୍ତେ ସୀମା ଚେକ୍ ପଏଣ୍ଟ ରଖିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଡିସେମ୍ବର ୩୧ରୁ ୧୨୦ ମାଇକ୍ରନରୁ କମ ପ୍ଲାଷ୍ଟିକ୍ ବ୍ୟବାହର ଉପରେ ରୋକ ଲାଗିବ ବୋଲି ପରିବେଶ ମନ୍ତ୍ରାଳୟ କହିଛି । ପରିବେଶବିତ ଏହି ନିଷ୍ପତ୍ତିକୁ ସ୍ବାଗତ କରିଥିବା ବେଳେ ଏହାର କଡ଼ାକଡି କାଯର୍ୟକାରୀ ଉପରେ ଗୁରୁତ୍ତ୍ୱ ଦେବାକୁ ମତ ରଖିଛନ୍ତି ।

ଆମ ରାଜ୍ୟରେ ୨୦୧୯ ଅକ୍ଟୋବର ୨ ତାରିଖରୁ ସିଙ୍ଗଲ୍ ୟୁଜ ପ୍ଲାଷ୍ଟିକ ବ୍ୟବହାରକୁ ବ୍ୟାନ୍ କରାଯାଇଛି । ପ୍ରଥମେ ସହରାଞ୍ଚଳ ଏବଂ ପରେ ଗ୍ରାମାଞ୍ଚଳରେ ଏହି ନିୟମ କାର୍ଯ୍ୟକାରୀ ହୋଇଥିଲା ହେଲେ ବିଡ଼ମ୍ବନାର କଥା ହେଲା ୩ ବର୍ଷ ପରେ ବି ତାହା ସଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିନି । ଏବେ ବି ରାଜଧାନୀରେ ଚାଲିଛି ପ୍ଳାଷ୍ଟିକ ଆଉ ପଲିଥିନ୍ ବେପାର ଆଉ ବ୍ୟବହାର । ବିଏମସି ପକ୍ଷରୁ ମଝିରେ ମଝିରେ ଚଢାଉ ହେଉଛି, ହେଲେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉନି ।

ତେବେ ଏନେଇ ଉଭୟ ଗ୍ରାହକ ଏବଂ ବ୍ୟବସାୟୀ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି । କେବଳ ଛୋଟ ଦୋକାନ କିମ୍ବା ଗ୍ରାହକଙ୍କ ଉପରେ ନୁହେଁ ବରଂ ଉତ୍ପାଦନ ହେଉଥିବା କଂପାନୀ ଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଉତ୍ପାଦନ ବଂଦ କରାଯାଉ ବୋଲି ସେମାନେ ଦାବି କରିଛନ୍ତି । ଅନ୍ୟପଟେ ବିଏମସି ମେୟର କହିଛନ୍ତି, ଚଢାଉ ହେଉଛି ହେଲେ ଲୋକ ସଚେତନ ହେଉନାହାଁନ୍ତି ।

ତଥ୍ୟ କହୁଛି ବର୍ତ୍ତମାନ ବ୍ୟବହାର ହେଉଥିବା ପ୍ଲାଷ୍ଟିକର ପ୍ରାୟ ୫୦ ପ୍ରତିଶତ କେବଳ ସିଙ୍ଗଲ ୟୁଜ ବା ଏକକ ବ୍ୟବହାର ପ୍ଲାଷ୍ଟିକ । ତେବେ କେନ୍ଦ୍ରର ଏ ନିଷ୍ପତ୍ତି କେତେ କାଯର୍ୟକାରୀ ହେଉଛି, ସିଙ୍ଗଲ ୟୁଜ ପ୍ଲାଷ୍ଟିକର ପ୍ରଚଳନ କେତେ ବଢୁଛି, ତାହା ଦେଖିବାର କଥା ।