ଆତଙ୍କୀ ଗୁଳିରେ ଆହତ ହୋଇଥିବା ଆର୍ମି କୁକୁର ‘ଜୁମ୍‌’ ସହିଦ୍‌

ଅନନ୍ତନାଗରେ ଅପରେସନରେ ବେଳେ ଆହତ ହୋଇଥିଲା ହୀରୋ ଜୁମ୍ ।

ଆତଙ୍କବାଦୀ ଗୁଳିରେ ଗୁରୁତର ଆର୍ମି କୁକୁର ଜୁମ୍‌ର ମୃତ୍ୟୁ

ଚାଲିଗଲା ହୀରୋ ଜୁମ୍‌ । ଭାରତ ମାତା ପାଇଁ ଦେଲା ପ୍ରାଣବଳୀ । ସାହସିକତା ପାଇଁ ପ୍ରସଂଶିତ ହୋଇଥିବା ଆର୍ମି କୁକୁର ଜୁମ ସହିଦ୍‌ ହୋଇଛି । କିଛି ଦିନ ହେଲା ଆତଙ୍କବାଦୀ ଗୁଳିରେ ଗୁରୁତର ହୋଇ ଚିକିତ୍ସିତ ହେଉଥିଲା ଜୁମ୍ । ଗୁରୁତର ଥିବା ଜୁମର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଶ୍ରୀନଗରରେ ସ୍ଥିତ ୫୪ ଆଡଭାନ୍ସ ଫିଲ୍ଡ ଭେଟେରାନାରୀ ଚିକିତ୍ସାଳୟରେ ସେ ଆଜି ରାତି ୧୨.୪୫ ରେ ଶେଷ ନିଶ୍ୱାସ ତ୍ୟାଗ କରିଛି ।

ଜାମ୍ମୁ କାଶ୍ମୀର ଅନନ୍ତନାଗ ଜିଲ୍ଲାର କୋକରନାଗରେ ଏକ ଏନକାଉଣ୍ଟରରେ ଜୁମଙ୍କ ସହାୟତାରେ ୨ ଆତଙ୍କବାଦୀଙ୍କୁ ସଫା କରିପାରିଥିଲେ ସୁରକ୍ଷାକର୍ମୀ । ହେଲେ ସେହି ସମୟରେ ଆତଙ୍କବାଦୀଙ୍କ ଦୁଇଟି ଗୁଳି ବାଜିଥିଲା ଜୁମ୍ ଦେହରେ । ଗୁଳି ବାଜିବା ସତ୍ତ୍ୱେ ଦବି ଯାଇନଥିଲା ଜୁମ୍ ବରଂ ସାହସିକତା ଦେଖାଇ ନିଜର ଟାସ୍କ ପୂରଣ କରିଥିଲା । ଏହା ଦ୍ୱାରା ୨ଦୁର୍ଦ୍ଦାନ୍ତ ଆତଙ୍କବାଦୀ ନିହତ ହୋଇଥିଲେ । ଆଉ ତା’ପରେ ଶ୍ରୀନଗର ଆର୍ମି ଭେଟନାରି ହସ୍ପିଟାଲରେ ଜୁମର ଚିକିତ୍ସା କରାଯାଉଥିଲା ।

ଜୁମର ବୟସ ଅଢ଼େଇ ବର୍ଷ ।  ଦୁର୍ଦ୍ଧର୍ଷ ବେଲ୍‌ଜିଆନ୍‌ ମାଲିନୋଏସ୍ ପ୍ରଜାତିର କୁକୁର ଜୁମ୍ । ୧୦ ମାସ ଧରି ସେ ଭାରତୀୟ ସେନାରେ ପାଇଁ କାମ କରୁଥିଲା । ତେବେ ଦେଶ ପାଇଁ ସେ ଦେଇଥିବା ବଳିଦାନ ସମ୍ପର୍କରେ ଜାଣିବା ପରେ ଲୋକମାନ ତାର ଶୁଭମାନସି ପ୍ରାର୍ଥନା କରୁଥିଲେ । ହେଲେ ଶତ ଚେଷ୍ଟା ସତ୍ତ୍ୱେ ଜୁମ୍ ବଞ୍ଚି ପାରିଲା ନାହିଁ । କେବଳ ଆତଙ୍କବାଦୀଙ୍କୁ ଧରିବା ଏବଂ ହତ୍ୟା କରିବା ପାଇଁ ଜୁମକୁ ତାଲିମ ଦିଆଯାଇଥିଲା । ଆଉ ସେ ମଧ୍ୟ ଖୁବ୍‌ ମନ ଲଗାଇ କାମ କରୁଥିଲା । 

ସୂଚନାଯୋଗ୍ୟ ରବିବାର ଅନନ୍ତନାଗର ତଙ୍ଗପାୱା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା । ସୁରକ୍ଷାକର୍ମୀ ରାତି ତମାମ ଆତଙ୍କବାଦୀ ଲୁଚି ରହିଥିବା ଅଞ୍ଚଳକୁ କର୍ଡନ କରିଥିଲେ । ସୋମବାର ଆତଙ୍କବାଦୀ ଲୁଚି ରହିଥିବା ଗୋଟିଏ ସନ୍ଦିଗ୍ଧ ଘର ଭିତରକୁ ଜୁମ୍‌କୁ ଛଡ଼ା ଯାଇଥିଲା । ଜୁମ୍ ମଧ୍ୟ ଆତଙ୍କବାଦୀଙ୍କୁ ଠାବ କରି ସେମାନଙ୍କୁ ଆକ୍ରମଣ କରିଥିଲା । ତେବେ ଏହି ଲଢ଼େଇ ବେଳେ ଦୁଇଟି ଗୁଳି ତା’ ଦେହରେ ମାଡ଼ ହେବାରୁ ସେ ଗୁରୁତର ହୋଇଥିଲା ।