ବିବାହର ୫୪ ବର୍ଷ ପରେ ଘରକୁ ଆସିଲା ଖୁସି : ୭୦ ବର୍ଷ ବୟସରେ ମା’ ହେଲେ ମହିଳା

ରାଜସ୍ଥାନରେ ଜଣେ ମହିଳା ବିବାହର ୫୪ ବର୍ଷ ପରେ ପ୍ରଥମ ଥର ପାଇଁ ମା ହୋଇଛନ୍ତି ।

ବୟସର ଅପରାହ୍ନରେ ବାପାମା’ ହେଲେ ବୃଦ୍ଧ ଦମ୍ପତି

ଘରେ ଶୁଭିଲା କୁଆଁ କୁଆଁ ଶଦ୍ଦ । ବିଳମ୍ବରେ ହେଉ ପଛେ ଭଗବାନ୍‌ ଡାକ ଶୁଣିଲେ । ବୟସର ଅପରାହ୍ନରେ ବାପାମା’ ହେବାର ସୌଭାଗ୍ୟ ପାଇଲେ ବୃଦ୍ଧ ଦମ୍ପତି । ରାଜସ୍ଥାନର ଅଲୱାର ଜିଲ୍ଲାରେ ଜଣେ ୭୦ ବର୍ଷ ବୟସ୍କ ମହିଳା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ପ୍ରାୟ ୫୪ ବର୍ଷ ପୂର୍ବେ ଦମ୍ପତି ବିବାହ କରିଥିଲେ । ହେଲେ ଏତେ ବର୍ଷ ଧରି ତାଙ୍କର ପିଲାପିଲି ହେଉନଥିଲା । ବର୍ତ୍ତମାନ ଆଇଭିଏଫ୍ ଟେକ୍ନୋଲୋଜି ଦ୍ୱାରା ତାଙ୍କ ଦୁଃଖ ଦୂର ହୋଇଛି । ପିଲା ହେବା ପରେ ବୃଦ୍ଧ ଦମ୍ପତିଙ୍କ ଖୁସିର ଠିକଣା ନାହିଁ ।

ମା’ ହୋଇଥିବା ମହିଳାଙ୍କ ବୟସ ୭୦ ବର୍ଷ ହୋଇଥିବା ବେଳେ ତାଙ୍କ ସ୍ୱାମୀଙ୍କ ବୟସ ୭୫ ବର୍ଷ । ବୃଦ୍ଧ ଦମ୍ପତ୍ତି ହେଲେ ଅଲୱାର ଜିଲ୍ଲା ସିଂଘାଣା ଗାଁ ଚନ୍ଦ୍ରାବତୀ ଓ ଗୋପୀ ସିଂ । ଗୋପୀ ସିଂ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ । ବିବାହର ଅନେକ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ସନ୍ତାନ ସୁଖ ମିଳିନଥିଲା । ଅନେକ ସ୍ଥାନରେ ଚିକିତ୍ସା କରାଇଥିଲେ ସୁଦ୍ଧା କୌଣସି ପ୍ରକାର ସୁଫଳ ମିଳିନଥିଲା ।

ତେବେ ପ୍ରାୟ ଅଢ଼େଇ ବର୍ଷ ପୂର୍ବେ ଜଣେ ସମ୍ପର୍କୀୟ ତାଙ୍କୁ IVF ପ୍ରକ୍ରିୟା ସମ୍ପର୍କରେ କହିଥିଲେ । ତା’ପରେ ସେ ସନ୍ତାନ ଟିଏ ପାଇଁ ଡାକ୍ତଙ୍କର ସହ ଯୋଗାଯୋଗ କରି IVF ପ୍ରକ୍ରିୟା ମାଧ୍ୟମରେ ଗର୍ଭବତୀ ହେବାକୁ ମନସ୍ଥ କରିଥିଲେ । ତୃତୀୟ ପ୍ରୟାସରେ ଚନ୍ଦ୍ରାବତୀ ଦେବୀ ୯ ମାସ ପୂର୍ବରୁ ଗର୍ଭବତୀ ହୋଇଥିଲେ । ତେବେ ଗର୍ଭଧାରଣ ପରେ ସେ ଯେତିକି ଖୁସି ଥିଲେ, ତା’ ଠାରୁ ଅଧିକ ଚିନ୍ତିତ ଥିଲେ । ଡାକ୍ତରୀ ଟିମ୍‌ ମଧ୍ୟ ଆଶଙ୍କାରେ ଥିଲେ । କିନ୍ତୁ ଶେଷରେ ଗତ ସୋମବାର ଦିନ ସବୁକିଛି ସମ୍ଭବ ହୋଇଛି । ବୟସର ଅପରାହ୍ନରେ ହେଉ ପଛେ ମା’ବାପା ହୋଇଛନ୍ତି ଚନ୍ଦ୍ରାବତୀ ଓ ଗୋପୀ ସିଂ ।

ଜୁନ୍ ୨୦୨୨ରୁ ଏକ ନୂତନ ନିୟମ ଲାଗୁ ହୋଇଛି

ଡିସେମ୍ବର ୨୦୨୧ ଏବଂ ଜାନୁୟାରୀ ୨୦୨୦ ରେ ଭାରତର ସଂସଦର ଏକ ଆଇନ ପାରିତ ହୋଇଛି। ଏହା ଜୁନ୍ ୨୦୨୨ରୁ କାର୍ଯ୍ୟକାରୀ ହୋଇଛି । ଆଇଭିଏଫ୍ ମାଧ୍ୟମରେ ୫୦ ବର୍ଷରୁ ଅଧିକ ମହିଳା ଏବଂ ପୁରୁଷଙ୍କ ଚିକିତ୍ସା କରାଯିବ ନାହିଁ । କିନ୍ତୁ ଏହି ଦମ୍ପତିଙ୍କର ଭାଗ୍ୟ ଭଲ, ଏହି ଆଇନ୍ କାର୍ଯ୍ୟକାରୀ ହେବା ଆଗରୁ ସେମାନେ ଆଇଭିଏଫ୍‌ ପ୍ରକ୍ରିୟା କରାଇ ନେଇଥିଲେ । ଆଉ ଏବେ ତାଙ୍କ ଘରେ ପିଲାଟିଏ ଜନ୍ମ ହୋଇଛି ।