Advertisment

ମନେ ପଡ଼େ କଲାମଙ୍କ କଥା, ‘ସ୍ୱପ୍ନ ତାହା, ଯାହା ଶୋଇବାକୁ ଦିଏ ନାହିଁ’

ସମାଜର ସମସ୍ତ ବର୍ଗ ବିଶେଷକରି ଯୁବକମାନଙ୍କର ପ୍ରେରଣା ଥିଲେ ଡକ୍ଟର କଲାମ । ଆଜି ବି ଭାରତବାସୀଙ୍କ ହୃଦୟରେ ତାଙ୍କ ପାଇଁ ରହିଛି ଏକ ସ୍ୱତନ୍ତ୍ର ସ୍ଥାନ।

ଅଦ୍ୟତନ ହୋଇଛି
undefined

APJ Abdul Kalam

Advertisment

ଡକ୍ଟର ଏପିଜେ ଅବଦୁଲ୍‌ କାଲାମ । ଭାରତର ମିସାଇଲ ମ୍ୟାନ୍‌ । ସାରା ବିଶ୍ୱରେ ରହିଛି ତାଙ୍କର ସ୍ୱତନ୍ତ୍ର ପରିଚୟ । ଭାରତ ତଥା ସାରା ବିଶ୍ୱରେ ସେ ଖୁବ୍‌ ଲୋକପ୍ରିୟ । ସେହି ମହାନ୍ ବ୍ୟକ୍ତି ଡକ୍ଟର ଏପିଜେ ଅବଦୁଲ୍‌ କଲାମଙ୍କର ଆଜି ଜନ୍ମଦିନ। ୧୯୩୧ ମସିହା ଅକ୍ଟୋବର ୧୫ତାରିଖରେ ରାମେଶ୍ୱରମ୍‌ରେ ସେ ଜନ୍ମଗ୍ରହଣ କରିଥିଲେ । ବେଶ୍‌ ସରଳ ସ୍ୱଭାବ ଏବଂ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଉଥିବାରୁ ତାଙ୍କୁ 'ଲୋକଙ୍କ ରାଷ୍ଟ୍ରପତି' କୁହାଯାଏ । ସମାଜର ସମସ୍ତ ବର୍ଗ ଏବଂ ବିଶେଷକରି ଯୁବକମାନଙ୍କର ପ୍ରେରଣା ଥିଲେ ଡକ୍ଟର କଲାମ । ଆଜି ବି ଭାରତବାସୀଙ୍କ ହୃଦୟରେ ତାଙ୍କ ପାଇଁ ରହିଯାଇଛି ଏକ ସ୍ୱତନ୍ତ୍ର ସ୍ଥାନ।

Advertisment

ରାମେଶ୍ୱରମ୍‌ର ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ଶ୍ରୀ କଲାମ । ତାଙ୍କ ବପା ଜୈନୁଲାବ୍‌ବ୍ଦୀନ ଡଙ୍ଗା ଚାଳନା କରୁଥିଲେ ଏବଂ ମାଛ ଧରୁଥିଲେ। ଅବଦୁଲ୍‌ଙ୍କ ମାଆ ଅସିଅମ୍ମା ଜଣେ ଗୃହିଣୀ। ପିରବାରର ଆର୍ଥିକ ସ୍ଥିତି ଭଲ ନଥିଲା । ଯେଉଁଥିପାଇଁ ଅବଦୁଲ୍‌ ପେପର୍‌ ବିକି ପାଠ ପଢୁଥିଲେ। କଲାମ ତିରୁଚିରପଲ୍ଲୀର ସେଣ୍ଟ ଜୋସେଫ୍ କେଜରୁ ପଦାର୍ଥ ବିଜ୍ଞାନ ଓ ଚେନ୍ନାଇର ମାଦ୍ରାସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରୁ ଅନ୍ତରୀକ୍ଷ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ। ଦେଶର ରାଷ୍ଟ୍ରପତି ହେବା ପୂର୍ବରୁ ସେ ଡିଆରଡିଓ ଏବଂ ଇସ୍ରୋରେ ଅନ୍ତରୀକ୍ଷ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ । କଲାମ ହିଁ ଅଗ୍ନି ଓ ପୃଥିବୀ ଭଳି ମିସାଇଲ ତିଆରି କରି ସାରା ବିଶ୍ୱରେ ଭାରତର ଭିନ୍ନ ପରିଚୟ ସୃଷ୍ଟି କରିବା ସହ ଦେଶର ମଥା ଉଚ୍ଚ କରିଥିଲେ । ବାଲିଷ୍ଟିକ୍‌ ମିସାଇଲ ଲଞ୍ଚ କରିବାରେ କଲାମଙ୍କ ବଡ଼ ଭୂମିକା ରହିଛି । ତେଣ ତାଙ୍କୁ ଭାରତର ମିସାଇଲ ମ୍ୟାନ୍ କୁହାଯାଏ ।

୨୦୦୨ରେ ଦେଶର ଏକାଦଶତମ ରାଷ୍ଟ୍ରପତି ଭାବରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ। ଦେଶର ପ୍ରଥମ ଅବିବାହିତ ରାଷ୍ଟ୍ରପତି କଲାମଙ୍କ ହେୟାର ଷ୍ଟାଇଲକୁ ନେଇ ସେ ସମୟରେ ବେଶ୍‌ ଚର୍ଚ୍ଚା ହେଉଥିଲା। ୧୯୯୨ରୁ ୧୯୯୯ ପର୍ଯ୍ୟନ୍ତ କଲାମ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ଗୁରୁଦାୟିତ୍ୱ ତୁଲାଇଥିଲେ। ତାଙ୍କରି ସମୟରେ ବାଜପେୟୀ ସରକାର, ଦ୍ୱିତୀୟ ଥର ପାଇଁ ପୋଖରାନରେ ପରମାଣୁ ପରୀକ୍ଷଣ କରିଥିଲା । ଆଉ ଏହା ପରେ ଭାରତ ପରମାଣୁ ରାଷ୍ଟ୍ର ଭାବେ ଗଣାହୋଇଥିଲା। କଲାମ ଭିଜନ ୨୦୨୦ ଦେଇଥିଲେ। ଏହା ଅଧୀନରେ କଲାମ ବିଜ୍ଞାନର ଅଗ୍ରଗତି ମାଧ୍ୟମରେ ୨୦୨୦ ସୁଦ୍ଧା ଭାରତକୁ ଅତ୍ୟାଧୁନିକ କରିବା ପାଇଁ ବିଶେଷ ଚିନ୍ତା କରିଥିଲେ। କଲାମ ମଧ୍ୟ ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଦାୟିତ୍ୱ ତୁଲାଇଛନ୍ତି।

Advertisment

କଲାମଙ୍କୁ ୧୯୯୦ରେ ପଦ୍ମବିଭୂଷଣ ଏବଂ ୧୯୯୭ରେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା । ଭାରତର ସର୍ବୋଚ୍ଚ ପଦବୀରେ ନିଯୁକ୍ତ ହେବା ପୂର୍ବରୁ ଭାରତ ରତ୍ନ ଗ୍ରହଣ କରିଥିବା କଲାମ ଦେଶର ତୃତୀୟ ରାଷ୍ଟ୍ରପତି। ଏହାପୂର୍ବରୁ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଏବଂ ଜାକିର ହୁସେନ୍ ଏହି ସମ୍ମାନରେ ସମ୍ମାନୀତ ହୋଇଥିଲେ ।

୧୯୮୦ ଦଶକ ପୂର୍ବରୁ ଅଗ୍ନି ସିରିଜ୍ କ୍ଷେପଣାସ୍ତ୍ରର ଉତ୍ପାଦନ ଆରମ୍ଭ ହୋଇଥିଲା ଏବଂ ପରୀକ୍ଷଣ ପାଇଁ ଏକ ସୁରକ୍ଷିତ ସ୍ଥାନ ଖୋଜା ଚାଲିଥିଲା ​। ଇତିମଧ୍ୟରେ ଡକ୍ଟର କଲାମ ଓଡ଼ିଶା ସରକାରଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କୁ ହ୍ୱିଲର୍ ଦ୍ୱୀପ ଦିଆଯାଇଥିଲା । ପରେ କଲାମ ଏହି ଦ୍ୱୀପକୁ ଥିଏଟର ଅଫ୍‌ ଏକ୍ସନ ବୋଲି କହୁଥିଲେ। ଏହା ହେଉଛି ସେହି ସ୍ଥାନ ଯେଉଁଠାରେ ଦେଶର ପ୍ରାୟ ସମସ୍ତ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି। ଆକାଶ, ଅଗ୍ନି, ଏଷ୍ଟ୍ରା, ବ୍ରହ୍ମୋସ୍, ନିର୍ଭୟ, ପ୍ରହାର ମିସାଇଲ୍ ଠାରୁ ଆରମ୍ଭ କରି ପୃଥ୍ୱୀ, ଶୌର୍ଯ୍ୟ ‍ଇତ୍ୟାଦି କେତେ ନୂଆ ନୂଆ ପରୀକ୍ଷଣ କରାଯାଉଛି ।

Advertisment

ଅବଦୁଲ୍‌ କଲାମ୍‌ ସବୁବେଳେ କହନ୍ତି ପ୍ରଥମ ଉପଲବ୍ଧି ପରେ କେବେ ଆରାମ କରନି । ନହେଲେ ଲୋକେ କହିବେ ଯାହା କିଛି ମିଳିଛି ସେ ସବୁ ଭାଗ୍ୟରେ ଥିଲା । ୨୦୧୫ ଜୁଲାଇ ୨୭ରେ ସିଲଂରେ ପ୍ରାଣ ହରାଇଥିଲେ ଡ. କଲାମ୍‌ ।

Scientist APJ Abdul Kalam Former President Missile Man
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ