ଚର୍ଚ୍ଚାରେ କାବେରୀ ଇଂଜିନ୍
ଅପରେସନ ସିନ୍ଦୂର ମାଧ୍ୟମରେ ଭାରତର ସାମରିକ ଶକ୍ତି ଓ ମେକ ଇନ ଇଣ୍ଡିଆର ସଫଳତା ଦେଖିଛି ସାରା ବିଶ୍ୱ । ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ପ୍ରାଣହାନୀ ପରେ ଭାରତର ଜବାବି କାର୍ଯ୍ୟାନୁଷ୍ଠାନ ସମୟରେ ଦେଶର ଲଢ଼ୁଆ ବିମାନ ଗୁଡ଼ିକ ଶକ୍ତି ଓ ସାମର୍ଥ୍ୟର ଝଲକ ଦେଖାଇଛନ୍ତି । ଶତ୍ରୁ ଦେଶର ସୀମା ପାର କରି ଲକ୍ଷ୍ୟସ୍ଥଳକୁ ସଠିକତା ସହ ଟାର୍ଗେଟ କରିବା ପରେ ଭାରତୀୟ ଯୁଦ୍ଧ ବିମାନଗୁଡ଼ିକ ସୁରକ୍ଷିତ ଫେରିଆସିଥିଲେ । ଭାରତ ଏହାର ସାମରିକ ଶକ୍ତି ପ୍ରଦର୍ଶନ କରି ପ୍ରାଚ୍ୟ ତଥା ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକୁ ବିସ୍ମିତ କରିଦେଇଛି। ବର୍ତ୍ତମାନ ଭାରତର ଶକ୍ତିକୁ ନିରପେକ୍ଷ ଭାବରେ ନିର୍ଣ୍ଣାୟକ ଶକ୍ତି ବୋଲି କୁହାଯାଉଛି ।
ଅପରେସନ୍ ସିନ୍ଦୂର ପ୍ରମାଣିତ କରିଛି, ଭାରତ ଆଧୁନିକ ପ୍ରତିରକ୍ଷା ଉପକରଣ ଏବଂ ପ୍ରଯୁକ୍ତିବିଦ୍ୟା ନିର୍ମାଣ କରିବାରେ ସକ୍ଷମ। ଭାରତର ପ୍ରତିରକ୍ଷା ଉପକରଣ ଯେପରି ତୁର୍କୀ ଡ୍ରୋନକୁ ଖସାଇ ଚୀନର ଏୟାର ଡିଫେନ୍ସ ସିଷ୍ଟମର ପର୍ଦ୍ଦାଫାଶ କରିଥିଲା, ତାହାକୁ ସାରା ବିଶ୍ୱର ପ୍ରତିରକ୍ଷା ବିଶେଷଜ୍ଞମାନେ ମଧ୍ୟ ପ୍ରଶଂସା କରୁଛନ୍ତି । ଋଷର ସହଯୋଗରେ ନିର୍ମିତ ବ୍ରହ୍ମୋସ କ୍ଷେପଣାସ୍ତ୍ର ଓ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ ଆକାଶ ସିଦ୍ଧ କରିଛି, ଆମର ପ୍ରତିରକ୍ଷା ବୈଜ୍ଞାନିକମାନେ କାହାଠାରୁ କମ୍ ନୁହଁନ୍ତି। ସେମାନଙ୍କୁ ପୂର୍ଣ୍ଣ ପ୍ରୋତ୍ସାହନ ଦେବା ଆବଶ୍ୟକ।
ଯୁଦ୍ଧ ସମୟରେ ଆଶ୍ଚର୍ଯ୍ୟଜନକ ସଠିକତା ଏବଂ ଅଗ୍ନିଶକ୍ତି ପ୍ରଦର୍ଶନ କରୁଥିବା ଯୁଦ୍ଧବିମାନ ଗୁଡ଼ିକର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଏଗୁଡ଼ିକର ଇଞ୍ଜିନ। ବିମାନରେ ଲାଗିଥିବା ଇଞ୍ଜିନ ଯୋଗୁଁ ଏହା ଧ୍ୱନୀ ଠାରୁ ମଧ୍ୟ ଅଧିକ ବେଗରେ ଗତି କରିବା ସହ ଆକାଶରେ ଆଶ୍ଚର୍ଯ୍ୟଜନକ ଷ୍ଟଣ୍ଟ କରିବାର କ୍ଷମତା ରଖନ୍ତି । ଭାରତ ବହୁତ ଦିନ ଧରି ଏପରି ଏକ ସ୍ୱଦେଶୀ ଇଞ୍ଜିନ ତିଆରି କରିବାକୁ ଚେଷ୍ଟା କରିଆସୁଛି । ଏହି ପ୍ରକଳ୍ପର ନାମ ହେଉଛି କାବେରୀ ଇଞ୍ଜିନ ପ୍ରୋଜେକ୍ଟ।
ଆଜି ଯେତେବେଳେ ଯୁଦ୍ଧର ପଦ୍ଧତି ପରିବର୍ତ୍ତନ ହେଉଛି, ଭାରତକୁ ସ୍ୱଦେଶୀ ଭାବରେ ସମସ୍ତ ପ୍ରକାରର ପ୍ରତିରକ୍ଷା ଉପକରଣ ନିର୍ମାଣ କରିବାକୁ ପଡିବ । ଫଳରେ ଆଗାମୀ ସମୟରେ ପ୍ରକୃତ ଅର୍ଥରେ ଭାରତ ଏକ ମହାଶକ୍ତି ହୋଇପାରିବ। ଆରମ୍ଭରେ ବିଦେଶୀ କମ୍ପାନୀଗୁଡ଼ିକଠାରୁ ସାହାଯ୍ୟ ନେବାରେ କୌଣସି କ୍ଷତି ନାହିଁ, କାରଣ ଏହା ଦ୍ୱାରା ହିଁ ଉନ୍ନତ ପ୍ରତିରକ୍ଷା ଉପକରଣ ଦ୍ରୁତ ଗତିରେ ନିର୍ମାଣ କରାଯାଇପାରିବ। ଅନ୍ୟ ଦେଶରୁ ସେଗୁଡ଼ିକୁ କିଣିବାରେ ବିଦେଶୀ ପୁଞ୍ଜି ଖର୍ଚ୍ଚ ହୋଇଥାଏ ଏବଂ ଅନେକ ପ୍ରକାରର ଚାପର ସମ୍ମୁଖୀନ ମଧ୍ୟ ହେବାକୁ ପଡ଼ିଥାଏ। ଅନେକ ସମୟରେ ବିମାନ ପାଇବାରେ ବିଳମ୍ବ ହୁଏ। ଅନ୍ୟ ପ୍ରତିରକ୍ଷା ସାମଗ୍ରୀ କ୍ଷେତ୍ରରେ ମଧ୍ୟ ସମାନ ପରିସ୍ଥିତି ଦେଖାଯାଏ। ଅନେକ ଦେଶ ଉନ୍ନତ ପ୍ରତିରକ୍ଷା ଉପକରଣ ଯୋଗାଇ ଦିଅନ୍ତି, କିନ୍ତୁ ସେମାନଙ୍କର ପ୍ରଯୁକ୍ତିବିଦ୍ୟା ପ୍ରଦାନ କରନ୍ତି ନାହିଁ କିମ୍ବା ସେମାନଙ୍କର ସ୍ପେୟାର ପାର୍ଟସ୍ ଯୋଗାଇବାରେ ବିଳମ୍ବ କରନ୍ତି।
କାବେରୀର କାହାଣୀ
୧୯୮୯ ମସିହାରେ ଆରମ୍ଭ ହୋଇଥିଲା କାବେରୀ ଇଞ୍ଜିନ ପ୍ରକଳ୍ପ । ସେତେବେଳେ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟାରେ ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱ ଦେଇଥିଲା ଭାରତ । ଏହି ପ୍ରକଳ୍ପର ଲକ୍ଷ୍ୟ ଥିଲା ୮୧-୮୩ କେଏନ ଥ୍ରଷ୍ଟ ସହିତ ଏକ ଟର୍ବୋଫାନ ଇଞ୍ଜିନ ବିକଶିତ କରିବା, ଯାହାଦ୍ୱାରା ଇଞ୍ଜିନକୁ ହାଲୁକା ଯୁଦ୍ଧ ବିମାନ ତେଜସରେ ସ୍ଥାପନ କରାଯାଇପାରିବ। ଭାରତର ଗ୍ୟାସ ଟରବାଇନ ଗବେଷଣା ପ୍ରତିଷ୍ଠାନ (GTRE) ରେ ବିକଶିତ ହୋଇଥିଲା ଏହି ପ୍ରକଳ୍ପ । GTRE ହେଉଛି ଭାରତ ସରକାରଙ୍କ ଏକ ପ୍ରତିଷ୍ଠାନ DRDOର ଏକ ପ୍ରୟୋଗଶାଳା।
ହେଲେ ବୈଷୟିକ ଚ୍ୟାଲେଞ୍ଜ, ସାମଗ୍ରୀ ଅଭାବ ଏବଂ ପର୍ଯ୍ୟାପ୍ତ ପାଣ୍ଠି ଯୋଗୁଁ ପ୍ରକଳ୍ପ ବିଳମ୍ବିତ ହୋଇଥିଲା । ପ୍ରାରମ୍ଭରେ ଏହାକୁ ତେଜସ୍ ପାଇଁ ଡିଜାଇନ୍ କରାଯାଇଥିଲା, କିନ୍ତୁ ଆଶାନୁରୂପ ପ୍ରଦର୍ଶନ ନମିଳିବାରୁ ତେଜସରେ ଆମେରିକୀୟ GE F404 ଇଞ୍ଜିନ୍ ବ୍ୟବହାର କରାଯାଇଥିଲା। ୧୯୯୮ ମସିହାର ପରମାଣୁ ପରୀକ୍ଷଣ ପରେ ବିଶ୍ୱର କିଛି ଦେଶ ଭାରତକୁ ଯୁଦ୍ଧ ବିମାନର ସମ୍ବେଦନଶୀଳ ପ୍ରଯୁକ୍ତିବିଦ୍ୟା ଦେବା ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲେ । ତଥାପି କାବେରୀ ଇଞ୍ଜିନକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯାଇ ନଥିଲା ।
ଏବେ DRDO ଏହାକୁ ମାନବହୀନ ବାୟୁଯାନ (UAV), ଘାତକ (Ghatak) UCAV ଏବଂ ସମ୍ଭାବ୍ୟ ପଞ୍ଚମ ପିଢ଼ିର ଆଡଭାନ୍ସଡ୍ ମିଡିୟମ୍ କମ୍ବାଟ୍ ଏୟାରକ୍ରାଫ୍ଟ (AMCA) ପାଇଁ ବିକଶିତ କରୁଛି । ସାମ୍ପ୍ରତିକ ବର୍ଷଗୁଡ଼ିକରେ ଏହାର ପ୍ରାସଙ୍ଗିକତା ପୁଣି ଥରେ ବୃଦ୍ଧି ପାଇଛି, କାରଣ ମୋଦି ସରକାର ସ୍ୱଦେଶୀ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ ଦେଉଛନ୍ତି । ଅପରେସନ୍ ସିନ୍ଦୂର ପରେ ଏହି ପ୍ରକଳ୍ପକୁ ପୁଣି ଥରେ ତ୍ୱରାନ୍ୱିତ କରିବା ପାଇଁ ଦାବି ହେଉଛି। ସୋମବାର ଦିନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଥିଲା #FundKaveriEngine ଏବଂ ଏହି ପ୍ରକଳ୍ପ ପାଇଁ ସରକାର ଟଙ୍କା ଖର୍ଚ୍ଚ କରନ୍ତୁ ବୋଲି ଲୋକମାନେ ଦାବି କରିଥିଲେ । ସୋମବାର ଦିନ ଲକ୍ଷ ଲକ୍ଷ ଲୋକ ଏହି ଟ୍ରେଣ୍ଡ ଉପରେ ମତାମତ ପ୍ରକାଶ କରିଥିଲେ।
ନିକଟରେ କାବେରୀ ଇଞ୍ଜିନ ପରୀକ୍ଷଣରେ ଅନେକ ସଫଳତା ହାସଲ କରିଛି GTRE । ଏହି ଇଞ୍ଜିନକୁ ବର୍ତ୍ତମାନ ଅଧିକ ନିର୍ଭରଯୋଗ୍ୟ ଏବଂ ଉଚ୍ଚ-କ୍ଷମତା ପ୍ରଚଳନ ପ୍ରଣାଳୀ ସହିତ ବିକଶିତ କରାଯାଇଥିବା GTRE ପକ୍ଷରୁ ପ୍ରକାଶ । କାବେରୀର କଠୋର ପରୀକ୍ଷଣ କରାଯାଇଛି ଏବଂ GTRE ଅନୁଯାୟୀ ଏହି ଇଞ୍ଜିନ ଉତ୍କୃଷ୍ଟ ଫଳାଫଳ ଦେଇଛି। କାବେରୀରେ ଏକ ପ୍ରମୁଖ ସଫଳତା ମଧ୍ୟରୁ ଗୋଟିଏ ହେଲା ଉଚ୍ଚ କ୍ଷମତା ସମ୍ପନ୍ନ ଫ୍ୟାନର ବିକାଶ। କାବେରୀର ଏହି ବୈଶିଷ୍ଟ୍ୟ ୧୩ ଟନ୍ RSPA (Remotely Piloted Strike Aircraft) ପାଇଁ ଆବଶ୍ୟକ। ଏହି ସିଷ୍ଟମ ସାହାଯ୍ୟରେ ଲଢ଼ୁଆ ବିମାନଗୁଡ଼ିକୁ ଦୂରରୁ ପରିଚାଳିତ କରାଯାଇପାରିବ। ସୂଚନାଯୋଗ୍ୟ 13-ton RSPA ହେଉଛି ଭାରତର ପରବର୍ତ୍ତୀ ପିଢ଼ିର ମାନବହୀନ ଲଢ଼ୁଆ ବିମାନ।
କାବେରୀ ପ୍ରକଳ୍ପରେ କାହିଁକି ବିଳମ୍ବ ?
ବୈଷୟିକ ଅସୁବିଧା, ପାଣ୍ଠିର ଅଭାବ ଏବଂ ପଶ୍ଚିମ ଦେଶଗୁଡ଼ିକର ଦ୍ୱୈତ ମାନଦଣ୍ଡର ପରିଣାମ ଯୋଗୁଁ କାବେରୀ ପ୍ରକଳ୍ପରେ ବିଳମ୍ବ ହେଉଛି । ଏହି ଦେଶଗୁଡ଼ିକ ଭାରତକୁ କେବଳ ଏକ ଅସ୍ତ୍ରଶସ୍ତ୍ର ବଜାର ଭାବରେ ଦେଖନ୍ତି, କିନ୍ତୁ ଭାରତ ସହିତ ପ୍ରଯୁକ୍ତିବିଦ୍ୟା ବାଣ୍ଟିବାକୁ ଆଦୌ ରାଜି ନୁହନ୍ତି । ଭାରତ ନିଜେ ଯୁଦ୍ଧ ବିମାନର ଇଞ୍ଜିନ ନିର୍ମାଣ ଆରମ୍ଭ କଲେ କୋଟି କୋଟି ଡଲାର ମୂଲ୍ୟର ଏକ ବଜାର ହରାଇବା ଭୟରେ ସେମାନେ ଏପରି କରୁଛନ୍ତି ।
୧୯୯୮ ମସିହାରେ ଭାରତର ପରମାଣୁ ପରୀକ୍ଷଣ ପରେ ଲାଗୁ ହୋଇଥିବା ପ୍ରତିବନ୍ଧକର ଅଂଶ ଭାବରେ ପାଶ୍ଚାତ୍ୟ ଦେଶଗୁଡ଼ିକ ଦ୍ୱାରା ଭାରତକୁ ସିଙ୍ଗଲ-କ୍ରିଷ୍ଟାଲ ବ୍ଲେଡ୍ ଭଳି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ପ୍ରଦାନ କରିବାରୁ ବଞ୍ଚିତ କରାଯାଇଥିଲା । ସେତେବେଳେ ଭାରତରେ ଦକ୍ଷ ମାନବସମ୍ବଳ ଏବଂ ଉଚ୍ଚମାନର ପରୀକ୍ଷଣ ସୁବିଧାର ଅଭାବ ଥିଲା, ଫଳରେ ଦେଶକୁ ରୁଷର ଉଓଇଗ ଭଳି ବିଦେଶୀ ସେଟଅପ୍ ଉପରେ ନିର୍ଭର କରିବାକୁ ବାଧ୍ୟ କରିଥିଲା । ୨୦୦୮ ମସିହାରେ ତେଜସ୍ କାର୍ଯ୍ୟକ୍ରମରୁ କାବେରୀ ଇଞ୍ଜିନକୁ ବାଦ ଦିଆଯାଇଥିଲା । କିନ୍ତୁ ଏବେ ଏହାକୁ ମାନବହୀନ ବିମାନ ପାଇଁ ବିକଶିତ କରାଯାଉଛି। ଏହି କାରଣରୁ ସୋସିଆଲ ମିଡିଆରେ ଏହି ସ୍ୱଦେଶୀ ଇଞ୍ଜିନ ପାଇଁ ସରକାରଙ୍କୁ ପାଣ୍ଠି ଯୋଗାଇବାକୁ ଦାବି ହେଉଛି। ୨୯ ନଭେମ୍ବର ୨୦୨୧ର, ତତ୍କାଳୀନ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ ରାଜ୍ୟସଭାରେ କାବେରୀ ଇଞ୍ଜିନ ପ୍ରକଳ୍ପ ସହିତ ଜଡିତ ଏକ ପ୍ରଶ୍ନର ଉତ୍ତର ଦେଇ କହିଥିଲେ, ଭବିଷ୍ୟତରେ ଆମର ନିଜସ୍ୱ ବିମାନକୁ ଶକ୍ତି ପ୍ରଦାନ କରିବା ପାଇଁ LCA ଭାରିଆଣ୍ଟ ଏବଂ AMCA ଭଳି ସ୍ୱଦେଶୀ ଇଞ୍ଜିନ ବିକଶିତ କରିବାର ପ୍ରସ୍ତାବ ରହିଛି ।
ଭାରତରେ 'ମେକ୍ ଇନ୍ ଇଣ୍ଡିଆ' ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱ ଆରମ୍ଭ ହେବା ପରେ କାବେରୀ ଇଞ୍ଜିନ୍ ପ୍ରକଳ୍ପ ମଧ୍ୟ ଗତି ପାଇଛି। ସରକାର ପ୍ରତିବର୍ଷ ୧୦୦ଟି ଇଞ୍ଜିନ୍ ତିଆରି କରିବା ପାଇଁ DRDOକୁ ବଜେଟ୍ ଆବଣ୍ଟନ କରିଛନ୍ତି। ଏହା କେବଳ ପ୍ରତିରକ୍ଷା କ୍ଷେତ୍ର ପାଇଁ ନୁହେଁ ବରଂ ବେସାମରିକ ବିମାନ ଚଳାଚଳ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। କାବେରୀର ଆବଶ୍ୟକତା ପଛରେ ଭୂ-ରାଜନୈତିକ ଆବଶ୍ୟକତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଅପରେସନ୍ ସିନ୍ଦୂର ପରେ ଭାରତ ପାଇଁ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର କେତେ ଗୁରୁତ୍ୱପୂର୍ଣ୍ଣ ତାହା ଜଣାପଡ଼ିଛି । କାରଣ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ଗୁଡ଼ିକ ଯୁଦ୍ଧରେ ଭଲ ପ୍ରଦର୍ଶନ କରିଛି। ଭାରତ-ଚୀନ୍ ସୀମା ଉତ୍ତେଜନା ଏବଂ ଆଞ୍ଚଳିକ ସୁରକ୍ଷା ଚ୍ୟାଲେଞ୍ଜ ଆଦି ସ୍ୱଦେଶୀ ପ୍ରତିରକ୍ଷା ପ୍ରଯୁକ୍ତିର ଚାହିଦା ବୃଦ୍ଧି କରିଛି। ବିଦେଶୀ ଯୋଗାଣ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ କାବେରୀ ଇଞ୍ଜିନ୍ ଏକ ରଣନୈତିକ ପଦକ୍ଷେପ।
କାବେରୀ ଇଞ୍ଜିନର ବୈଶିଷ୍ଟ୍ୟ
• ଟର୍ବୋଫ୍ୟାନ ଉପରେ ଆଧାରିତ ଏହି ଇଞ୍ଜିନ ଦ୍ରୁତ ଓ ଉଚ୍ଚ ଗତିରେ ମଧ୍ୟ କମ୍ ଇନ୍ଧନ ବ୍ୟବହାର କରିବ।
• ଉଚ୍ଚ ଗତିରେ ମଧ୍ୟ ଦକ୍ଷତାକୁ ସଫଳତା ସହ ପ୍ରତିପାଦନ କରିବାକୁ ଏହା ଡିଜାଇନ୍ କରାଯାଇଛି ।
• ତେଜସ୍ ଭଳି ବିମାନ ବ୍ୟତୀତ ଏହାକୁ ଡ୍ରୋନ୍, କାର୍ଗୋ ବିମାନ ଏବଂ ବେସାମରିକ ବିମାନ ଚଳାଚଳରେ ମଧ୍ୟ ବ୍ୟବହାର କରାଯାଇପାରିବ।
• ଏଥିରେ ଉଚ୍ଚ-ଚାପ କମ୍ପ୍ରେସର, କମ୍ବାଷ୍ଟର ଏବଂ ଟରବାଇନ୍ ଅଛି, ଯାହା ଏହାକୁ ବିଭିନ୍ନ ଆବଶ୍ୟକତା ପାଇଁ ଉପଯୋଗୀ କରିଥାଏ।
ସୋର୍ସ କୋଡ୍ ବିବାଦ
ସମ୍ପ୍ରତି ରାଫେଲର ସୋର୍ସ କୋଡ୍ ଦାବି କରିଥିଲା ଭାରତ, ଯାହା ଦ୍ଵାରା ଏହି ଲଢ଼ୁଆ ବିମାନରେ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ସଂସ୍ଥାପିତ ହୋଇପାରିବ। କିନ୍ତୁ ଫ୍ରାନ୍ସ ଭାରତକୁ ଏହି ସୋର୍ସ କୋଡ୍ ଦେବାକୁ ମନା କରିଦେଇଥିଲା। ସୋର୍ସ କୋଡ୍ ହେଉଛି ଏକ ସଫ୍ଟୱେର୍ କିମ୍ବା ଡିଜିଟାଲ୍ ସିଷ୍ଟମର ମୂଳ ପ୍ରୋଗ୍ରାମିଂ କୋଡ୍, ଯାହାକୁ ମଣିଷ ପଢ଼ିପାରିବ ଏବଂ ବୁଝିପାରିବ। ସରଳ ଭାଷାରେ, ଏହା ଏକ ପ୍ରକାରର ନିର୍ଦ୍ଦେଶନା ମାନୁଆଲ, ଯାହା କମ୍ପ୍ୟୁଟରକୁ କ'ଣ କରିବାକୁ ହେବ ଏବଂ କିପରି କରିବାକୁ ହେବ ନିର୍ଦ୍ଦେଶ ଦେଇଥାଏ । ରାଫେଲର ସୋର୍ସ କୋଡ୍ ହେଉଛି ରାଫେଲର ସମ୍ପୂର୍ଣ୍ଣ ସିଷ୍ଟମ। ଅର୍ଥାତ୍ ରାଫେଲକୁ ଚଲାଇବା ପାଇଁ ପ୍ରଯୁକ୍ତିବିଦ୍ୟା। ଏହି କୋଡରୁ ଜଣାପଡ଼େ ବିମାନର ସିଷ୍ଟମ କିପରି କାମ କରିବ, ଯେପରିକି କ୍ଷେପଣାସ୍ତ୍ର କିପରି ଲଞ୍ଚ କରାଯିବ କିମ୍ବା ରାଡାରକୁ କିପରି ସ୍କାନ କରାଯିବ।
ରାଫେଲର ସୋର୍ସ କୋଡ୍ ହେଉଛି ଡାସଲ୍ଟ ଆଭିଏସନ୍ ଏବଂ ସାଫ୍ରାନ୍ ଭଳି ଫରାସୀ କମ୍ପାନୀଗୁଡ଼ିକର ବୌଦ୍ଧିକ ସମ୍ପତ୍ତି। ଭାରତ ଚାହୁଁଥିଲା,ସ୍ୱଦେଶୀ ଅସ୍ତ୍ରଶସ୍ତ୍ର (ଯେପରିକି ଅସ୍ତ୍ର କ୍ଷେପଣାସ୍ତ୍ର) ରାଫେଲର ସିଷ୍ଟମ ସହିତ ସଂଯୁକ୍ତ ହୋଇପାରିବ ଏବଂ ଭବିଷ୍ୟତରେ ଏହାର ଆବଶ୍ୟକତା ଅନୁଯାୟୀ ବିମାନକୁ ଅପଗ୍ରେଡ୍ କରାଯାଇପାରିବ। ହେଲେ ଫ୍ରାନ୍ସ ଏହି ସୋର୍ସ କୋଡ ଦେବାକୁ ମନା କରିଦେଇଛି, କାରଣ ଏହା ସେମାନଙ୍କର ଗୋପନୀୟ ପ୍ରଯୁକ୍ତିବିଦ୍ୟା।
ଏଥିପାଇଁ ଦେଶରେ ଏବେ କାବେରୀ ଇଞ୍ଜିନର ଗୁରୁତ୍ୱ ବୃଦ୍ଧି ପାଇଛି । କାବେରୀ ଇଞ୍ଜିନ ପୂର୍ଣ୍ଣ ସଫଳତା ହାସଲ କରିବା ପରେ ଭବିଷ୍ୟତରେ ରାଫେଲ ପରି ବିମାନ ପାଇଁ ଏହା ଏକ ସ୍ୱଦେଶୀ ବିକଳ୍ପ ହୋଇପାରିବ ବୋଲି କୁହାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748510410.jpg)