Advertisment

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶ ପାଳୁଛି ମହାପର୍ବ

ଘରେ ଘରେ ତ୍ରିରଙ୍ଗା। ରାସ୍ତାରୁ ରାଜପଥ, ଗଭୀର ସମୁଦ୍ରରୁ ମହାକାଶ - ଏଠି ସେଠି ସବୁଠି ଜାତିର ଗୌରବ ତ୍ରିରଙ୍ଗା।

ଅଦ୍ୟତନ ହୋଇଛି
Har Ghar Tiranga' campaign

Har Ghar Tiranga' campaign

Advertisment

ନୂଆ ଭାରତର ନୂଆ କାହାଣୀ କହୁଛି ତ୍ରିରଙ୍ଗା। ଜଳ, ସ୍ଥଳ ଓ ଆକାଶରେ ଫରଫର ଉଡୁଛି ଜାତିର ଧ୍ୱଜା। ଅତୀତର ସ୍ମୃତିକୁ ରୋମାନ୍ଥନ କରି ଆଗକୁ ବଢ଼ିବାର ପ୍ରେରଣା ଦେଉଛି ତ୍ରିରଙ୍ଗା। କାଶ୍ମୀରରୁ କନ୍ୟାକୁମାରୀ, କଚ୍ଛରୁ କଟକ ଲାଲକିଲ୍ଲାରୁ ପଲ୍ଲୀ, ଗାଁରୁ ସହର। ଏବେ ସବୁଠି ତ୍ରିରଙ୍ଗା ରଙ୍ଗରେ ରଙ୍ଗେଇ ହୋଇଛି ଦେଶ।  ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଭାରତ ପାଳୁଛି ଅମୃତ ମହୋତ୍ସୋବ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆଜି ସବୁଠି ତ୍ରିରଙ୍ଗାକୁ ନେଇ ଉତ୍ସାହ ଓ ଉତ୍ସବର ମାହୋଲ। ଦୁର୍ଗମ ସୀମାନ୍ତ ହେଉ, ଅବା ମରୁଭୂମିର ଶେଷ ସୀମା। ଭାରତୀୟ ସେନାର ଯବାନ ହୁଅନ୍ତୁ ଅବା ସ୍କୁଲ ଛାତ୍ରଛାତ୍ରୀ, ସାଧାରଣ ଜନତା  ନେତା- ଅଭିନେତା-କ୍ରୀଡାବିତ୍ ଓ କଳାକାର; ସମସ୍ତଙ୍କ ହାତରେ ତ୍ରିରଙ୍ଗା, ଘରେ ଘରେ ତ୍ରିରଙ୍ଗା। ରାସ୍ତାରୁ ରାଜପଥ, ଗଭୀର ସମୁଦ୍ରରୁ ମହାକାଶ - ଏଠି ସେଠି ସବୁଠି ଜାତିର ଗୌରବ ତ୍ରିରଙ୍ଗା।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ସାରା ଦେଶ ପାଳୁଛି ଅମୃତ ମହୋତ୍ସବ। ଆଜାଦୀର ଅମୃତ ମହୋତ୍ସବ ଅବସରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ଏହି ନୂଆ ଭିଡିଓ। ଘର୍ ଘର୍ ତ୍ରିରଙ୍ଗା, ହର ଘର ତ୍ରିରଙ୍ଗା ଧୂନରେ ନୂଆ ଭାରତର ନୂଆ କାହାଣୀ ଭିଡିଓରେ ଦେଖାଯାଇଛି। ଏଥିରେ ବଲିଉଡ୍ ସେଲିବ୍ରିଟି ଅମିତାଭ ବଚ୍ଚନ, ଅନୁପମ୍ ଖେର, ଅକ୍ଷୟ କୁମାର, କଣ୍ଠଶିଳ୍ପୀ ଆଶା ଭୋସଲେ, କ୍ରିକେଟର କପିଳ ଦେବ ଓ ବିରାଟ କୋହଲି, ଆଥଲେଟ୍ ନୀରଜ ଚୋପ୍ରା ଓ ପି.ଭି. ସିନ୍ଧୁଙ୍କୁ ଦେଖିବାକୁ ମିଳୁଛି।

ଭିିଡିଓରେ ଦେଶର ସାଂସ୍କୃତିକ ବିବିଧତା ସହ ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା କିପରି ସ୍ଥାନ ପାଇଛି ତାହା ଦର୍ଶାଯାଇଛି। ଓଡ଼ିଶାର ଝଲକ ମଧ୍ୟ ଏହି ଭିଡିଓରେ ଦେଖିବାକୁ ମିଳିଛି। ବିଶ୍ୱ ପ୍ରସିଦ୍ଧ କୋଣାର୍କ ଅର୍କ କ୍ଷେତ୍ରରେ ଓଡ଼ିଶା ନୃତ୍ୟାଙ୍ଗନାଙ୍କ ପ୍ରଚ୍ଛଦରେ ଶୁଭୁଛି ଘରେ ଘରେ ତ୍ରିରଙ୍ଗା। ସ୍ୱାଧୀନତାର ପ୍ରତୀକ ତ୍ରିରଙ୍ଗାର ଡିଜାଇନର ପିଙ୍ଗାଲି ଭେଙ୍କୟାଙ୍କ ଜନ୍ମ ବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧାଂଜଳି ଜଣାଇ ଆସନ୍ତା ୧୩ରୁ ୧୫ ତାରିଖ ଯାଏଁ ହର ଘର ତ୍ରିରଙ୍ଗା ଅଭିଯାନରେ ଘରେ ଘରେ ତ୍ରିରଙ୍ଗା ଉଡାଇବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ।

Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଆହ୍ବାନ କ୍ରମେ ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ତ୍ରିରଙ୍ଗା ଯାତ୍ରା। ଭାରତୀୟ ସେନା ମଧ୍ୟ ଅମୃତ ମହୋତ୍ସବକୁ ସ୍ୱତନ୍ତ୍ର ଓ ଭିନ୍ନ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି। ସୀମାନ୍ତ ଗାଁ ଗୁଡିକରେ ସେନା ପକ୍ଷରୁ ତ୍ରିରଙ୍ଗା ପ୍ରଦାନ କରାଯାଉଛି। ଭାରତୀୟ ଜାତୀୟ ପତାକା ପ୍ରତି ସଚେତନତା ବୃଦ୍ଧି ତଥା ଲୋକଙ୍କ ଭିତରେ ଦେଶପ୍ରେମ ଭାବର ଉଦ୍ରେକ ଲାଗି ଭାରତୀୟ ତଟରକ୍ଷୀ ବାହିନୀ ପାଣି ଭିତରେ ତିରଙ୍ଗା ଉଡାଇବାର ଅଭିନବ ପଦକ୍ଷେପ ଗ୍ରହଣ କରିଛି।

ଏହି ସୁନ୍ଦର ଦୃଶ୍ୟକୁ କୋଷ୍ଟଗାର୍ଡ ପକ୍ଷରୁ କ୍ୟାମେରାରେ ଉତ୍ତୋଳନ କରାଯାଇଛି। ଏଥିରେ କୋଷ୍ଟଗାର୍ଡର ଜଣେ ଯବାନ ପାଣି ଭିତରେ ଦୀର୍ଘ ସମୟ ଧରି ଜାତୀୟ ପତାକା ଉଡ଼ାଇଥିବାର ଦେଖିବାକୁ ମିଳିଛି। ସୋସିଆଲ ମିଡିଆ ବି ହୋଇଛି ତ୍ରିରଙ୍ଗାମୟ। ପ୍ରଧାନମନ୍ତ୍ରୀ ନିଜେ ଟ୍ବିଟର ଆକାଉଣ୍ଟରେ ଡିପି ପରିବର୍ତ୍ତନ କରିବା ପରେ ଭିଭିଆଇପିଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା, ନିଜ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତ୍ରିରଙ୍ଗାକୁ ସ୍ଥାନ ଦେଇଛନ୍ତି,  ଏହାକୁ ସ୍ମରଣୀୟ କରିବାକୁ ଅନେକ ସେଲିବ୍ରିଟି ମଧ୍ୟ ଆହ୍ବାନ ଦେଇଛନ୍ତି।

Advertisment

ଏବେ ଆସନ୍ତୁ ଜାଣିବା ତ୍ରିରଙ୍ଗାକୁ ନେଇ କିଛି ଜଣା ଅଜଣା କଥା....

୧୯୪୭ ମସିହା ଜୁଲାଇ ୨୨ ଥିଲା ଭାରତ ଇତିହାସର ଏକ ସ୍ବର୍ଣ୍ଣିମ ଅଧ୍ୟାୟ। ଏହି ଦିନ ତ୍ରିରଙ୍ଗାକୁ ଆପଣାଇଥିଲା ସାରା ଦେଶ। ଆଉ ଏହାକୁ ଡିଜାଇନ୍ କରିଥିଲେ ସ୍ବାଧୀନତା ସଂଗ୍ରାମୀ ପିଙ୍ଗାଲି ଭେଙ୍କେୟା। ୧୮୭୬ ଅଗଷ୍ଟ ୨ ତାରିଖରେ ଆନ୍ଧ୍ରପ୍ରଦେଶର ମଛଲିପତ୍ତନମ ନିକଟବର୍ତ୍ତି ଏକ ଗାଁରେ ଜନ୍ମିତ ପିଙ୍ଗାଲି ଭେଙ୍କେୟା ମାତ୍ର ୧୯ ବର୍ଷ ବୟସରେ ବ୍ରିଟିଶ ଆର୍ମିରେ ଯୋଗ ଦେଇଥିଲେ। ତେବେ ଗାନ୍ଧିଜୀଙ୍କ ସହ ସାକ୍ଷାତ ପରେ ତାଙ୍କ ପ୍ରେରଣାରେ ପ୍ରଭାବିତ ହୋଇ ସ୍ବାଧିନତା ସଂଗ୍ରାମରେ ଝାସ ଦେଇଥିଲେ ସେ। 

୧୯୨୧ରେ ପ୍ରଥମ ଥର ପାଇଁ ଭାରତୀୟ ପତାକାର ଡିଜାଇନକୁ ଭେଙ୍କେୟା ସମସ୍ତଙ୍କ ସମ୍ନାରେ ରଖିଥିଲେ। ବିଭିନ୍ନ ପର୍ଯ୍ୟାୟରେ ଏଥିରେ ପରିବର୍ତ୍ତନ ଏବଂ ସଂଶୋଧନ ପରେ ୧୯୪୭ ମସିହା ଜୁଲାଇ ୨୨ରେ, ଅର୍ଥାତ୍ ଭାରତ ସ୍ବାଧୀନ ହେବାର କେଇଟା ଦିନ ପୂର୍ବରୁ ଏହାକୁ ସମ୍ବିଧାନ ସଭା ରାଷ୍ଟ୍ରୀୟ ଧ୍ୱଜାର ସ୍ବୀକୃତି ଦେଇଥିଲା। ତେବେ ଏଭଳି ମହାନ୍ କାର୍ଯ୍ୟ ସତ୍ତ୍ୱେ ଅଭାବ ଅନଟନ ଭିତରେ ୧୯୬୩ ମସିହାରେ ବିଜୟଓ୍ୱାଡ଼ାର ଏକ କୁଡ଼ଇାରେ ଆଖି ବୁଜିଥିଲେ ପି. ଭେଙ୍କେୟା। 

୨୦୦୯ରେ ତାଙ୍କ ସମ୍ମାନାର୍ଥେ ଡାକ ଟିକଟ ଜାରି ହୋଇଥିଲା। ଗତବର୍ଷ ଜାନୁଆରିରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ବିଜୟଓ୍ୱାଡ଼ାର ଅଲ ଇଣ୍ଡିଆ ରେଡିଓ କୋଠାରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ।  ସିଲେଇ ମେସିନ୍‌ରେ ତ୍ରିରଙ୍ଗା ପତାକା ପ୍ରସ୍ତୁତ କରୁଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ତ୍ରିରଙ୍ଗାକୁ ସର୍ବ ପ୍ରଥମେ ତିଆରି କରିଥିବା ଦର୍ଜି ସ୍ବର୍ଗତ ନାଥେ ସିଂହଙ୍କ ଦାୟାଦ। ନିଜ ପୂର୍ବଜଙ୍କ ପାଇଁ ଆଜି ସେମାନେ ଖୁବ୍ ଗର୍ବିତ, ବଡ଼ କଥା ହେଉଛି ସେମାନେ ଆଜି ବି ଦର୍ଜି କାମ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ଆଉ ଦେଶ ଯେତେବେଳେ ସ୍ବାଧୀନର ଅମୃତ ମହୋତ୍ସବ ପାଳୁଛି, ନାଥେ ସିଂହଙ୍କ ପରିବାର ସଦସ୍ୟ ବି ତ୍ରିରଙ୍ଗା ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଉତ୍ତର ପ୍ରଦେଶ ମେରଟ ସହର ଆଜି ନାଥେ ସିଂହଙ୍କୁ ନେଇ ବେଶ୍ ଗର୍ବ ଅନୁଭବ କରୁଛି।

Har Ghar Tiranga
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ