‘କେହି କିଛି କହିଲେ ଗୋଡ଼ ଭାଙ୍ଗି ଚୁନା କରିଦିଅ’ : ଦଳୀୟ କର୍ମୀଙ୍କୁ ଉସକାଇଲେ ବିଧାୟକ

ସଭାରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ବିଧାୟକ ।

ସଭାରେ ବିଧାୟକଙ୍କ ବିବାଦୀୟ ବୟାନ୍‌

‘ହାତ ଭାଙ୍ଗିନପାରିଲେ, ଗୋଡ଼ ଭାଙ୍ଗିଦିଅ । ବେଲ ଆଣିବା କଥା ମୁଁ ବୁଝିବି ।’ ସଭାରେ ଜନତାଙ୍କ ସାମ୍ନାରେ ବିଧାୟକଙ୍କ ବିବାଦୀୟ ବୟାନ୍‌ । ଉଦ୍ଧବ ଠାକରେ କ୍ୟାମ୍ପ ଛାଡିବାର ଏକ ମାସ ପରେ ବିଦ୍ରୋହୀ ଶିବସେନା ବିଧାୟକ ପ୍ରକାଶ ସୁର୍ବେ ସମର୍ଥକଙ୍କୁ ମଞ୍ଚରେ ଉସକାଇଥିବା ଅଭିଯୋଗ ହୋଇଛି । ଶିବ ସୈନିକଙ୍କୁ ଆକ୍ରମଣ କରିବାକୁ ସେ କହୁଥିବା ଭିଡିଓରେ ଦେଖିବାକୁ ମିଳୁଛି । କେହି ବଦମାସୀ କଲେ ବିନା ଦ୍ୱନ୍ଦ୍ୱରେ ଗୋଡ଼ ହାତ ଭାଙ୍ଗି ଦେବାକୁ କହୁଛନ୍ତି । ତେବେ ଏହି ଘଟଣାକୁ ନେଇ ଶିବସେନା ସମର୍ଥକ ଓ ବିଧାୟକଙ୍କ ସମର୍ଥକ ମୁହାଁମୁହିଁ ହୋଇଛନ୍ତି ।

ଫେସବୁକରେ ପୋଷ୍ଟ ହୋଇଥିବା ଭିଡିଓରେ ବିଧାୟକ ଏକ ସମାବେଶକୁ କହୁଛନ୍ତି, ଯେପର୍ଯ୍ୟନ୍ତ ଆମେ ସେମାନଙ୍କୁ ସେମାନଙ୍କ ଜାଗା ନଦେଖେଇ ଦେଇଛନ୍ତି, ସେ ପର୍ଯ୍ୟନ୍ତ ଚୁପ୍‌ ବସିବା ନାହିଁ । ଯଦି କେହି ବଦମାସୀ କରେ ପିଟିକି ଛତୁ କରିଦିଅ । ପ୍ରକାଶ ସୁର୍ବେ ଅର୍ଥାତ ସେ ନିଜେ ସମ୍ପୂର୍ଣ୍ଣ ସମର୍ଥନ କରିବେ ବୋଲି କହିଛନ୍ତି । ଯଦି ତୁମେ ତାଙ୍କର ହାତ ଭାଙ୍ଗିପାରୁନ, ଗୋଡ ଭାଙ୍ଗି ଚୁନା କରିଦିଅ । ପର କଥା ଚିନ୍ତା କରନି, ଜାମିନରେ ଆଣିବା ଦାୟିତ୍ୱ ମୋ ଉପରେ ଛାଡ଼ିଦିଅ । ଆମେ କାହାର ଆଗରେ କଣ୍ଟା ସାଜିବୁ ନାହିଁ, କିନ୍ତୁ ଯଦି କେହି ଆମ ରାସ୍ତାରେ ଆସେ, ଆମେ ଚୁପ୍ ବସିବା ନାହିଁ । ସେମାନଙ୍କୁ ଉଚିତ୍‌ ଜବାବ ଦିଆଯିବ ବୋଲି ଭାଷଣରେ କହିଛନ୍ତି ।

ଅଗଷ୍ଟ ୧୪ ତାରିଖ ଦିନ ସକାଳେ ଦହିସରର କୋକନିପଡା ଅଞ୍ଚଳରେ ଦଳୀୟ ନେତାଙ୍କ ପାଇଁ ଏକ କାର୍ଯ୍ୟକ୍ରମରେ ସେ ଏପରି କହୁଥିବା ବେଳେ ଭିଡିଓ ସୁଟ୍‌ କରାଯାଇଛି । ସ୍ଥାନୀୟ ଅଞ୍ଚଳର ପୂର୍ବତନ କାଉନସିଲର ସୁଜାତା ପାଟେକର ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଏକନାଥ ସିନ୍ଦେ କ୍ୟାମ୍ପରେ ଯୋଗଦେବା ପରଠାରୁ ସୁର୍ବେ ତାଙ୍କୁ ଧମକ ଦେଉଛନ୍ତି । ସେ ଏପରି ବିବାଦୀୟ ଭାଷଣ ଦେଇ ଶିବ ସୈନିକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ, ର୍ପୂବରୁ ଅନେକ ଥର ସେ ଏପରି କରିଛନ୍ତି ।

ମଞ୍ଚ ଉପରେ ଜଣେ ବିଧାୟକ ଏପରି କହିବା ଯୁକ୍ତିଯୁକ୍ତ କି ବୋଲି ସେ ପ୍ରଶ୍ନ କରିଛନ୍ତି । ଏନେଇ ଆମେ ଅଭିଯୋଗ କରିଛୁ ଏବଂ ପୋଲିସର କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରାଯାଇଛି ।