‘ଟଙ୍କା ଥାଉ କି ନଥାଉ ମିଳିମିଶି ନୂଆ ଖାଇବା’

ଏମିତି ସରପଞ୍ଚ ଥିଲେ ଚିନ୍ତା କଣ? ସମସ୍ତେ ସାଙ୍ଗ ହୋଇ ନୂଆ ଖାଇବେ ବୋଲି ପଞ୍ଚାୟତ ସବୁ ଗରିବ ଲୋକଙ୍କୁ ମାଗଣାରେ ବାଣ୍ଟିଲେ ଶାଢି ସହିତ ଡାଲି, ଚାଉଳ ଓ ଚିନି। କାଲି ସମସ୍ତେ ସାଙ୍ଗ ହୋଇ ନୂଆ ଖାଇବାକୁ ଦେଲେ ପ୍ରତିଶ୍ରୁତି।

Nuakhai

ଘର ସାମ୍ନାରେ ଲୋକଙ୍କ ଲାଗିଛି ଲମ୍ବା ଲାଇନ୍‌ । କିଏ ହାତରେ ନୂଆ ଶାଢୀ ଧରିଛି ତ ଆଉ କିଏ ଚାଉଳ, ଚିନି ଆଉ ଡାଲି ଧରିଛି । ଆଉ ଏଇ ସବୁ ଜିନିଷ ସେମାନେ ବଜାରରୁ କିଣିନାହାନ୍ତି ବରଂ ସେଠାକାର ସରପଞ୍ଚ ସେମାନଙ୍କୁ ଦେଇଛନ୍ତି । ଆଉ କହିଛନ୍ତି ଯେ, ‘ତୁମେ ବ୍ୟସ୍ତ ହୁଅନା, ମୁଁ ପରା ଅଛି । ଟଙ୍କା ଥାଉ କି ନଥାଉ କିନ୍ତୁ ଆମେ ସମସ୍ତେ ଏକାଠି ହେବା ନୂଆ ଖାଇବା’ ।

ନୂଆ ନୂଆ ଶାଢୀ ସହିତ ନୂଆ ଖାଇବା ସାମଗ୍ରୀ ପାଇବା ପରେ ଖୁସି ଗ୍ରାମବାସୀ । ଖୁସି ହେବେ ନି ବା କାହିଁକି ? ବର୍ଷକରେ ଥରେ ଆସୁଛି ଗଣପର୍ବ ନୂଆଖାଇ। ତେଣୁ ନୂଆ ଖାଇବା ପାଇଁ ସମସ୍ତେ ପ୍ରସ୍ତୁତ । ହେଲେ ଅନେକ ସମୟରେ ଦେଖାଯାଏ, ଟଙ୍କା ଅଭାବରୁ ଅନେକ ନୂଆ ଖାଇବାକୁ ସମର୍ଥ ହୁଅନ୍ତି ନାହିଁ । ସେଇଥି ପାଇଁ ତ ରାଣୀମୁଣ୍ଡା ସରପଞ୍ଚ ଏମିତି ବ୍ୟବସ୍ଥା କରିଛନ୍ତି । ନିଜସ୍ୱ ଉଦ୍ୟମରେ ଲୋକଙ୍କୁ ବାଣ୍ଟିଛନ୍ତି ଶାଢୀ, ଚାଉଳ, ଚିନି ସହିତ କେତେ କଣ ।

ନୂଆପଡା ଖଡିଆଳରେ ସମସ୍ତେ ଏକ ହୋଇ ନୂଆ ଖାଇବାକୁ ଚେଷ୍ଟା କରିଛନ୍ତି ସରପଂଚ । ଖାଲି ଚେଷ୍ଟା କରିଛନ୍ତି ତାହା ନୁହେଁ ବରଂ କେମିତି ସମସ୍ତେ ସାଙ୍ଗ ହୋଇ ନୂଆ ଖାଇବେ ସେନେଇ ପ୍ରସ୍ତୁତି ବି କରିଛନ୍ତି । ପଂଚାୟତରେ ଥିବା ଲୋକଙ୍କ ସ୍ଥିତି ଦେଖି ଗରିବ ପରିବାର ଓ ବିଧବା ମହିଳା ମାନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ସରପଞ୍ଚ ।

 

ଗ୍ରାମ ପଞ୍ଚାୟତର ରାଣୀମୁଣ୍ଡା, କୋଟାମାଲ, ପଲମା, କମ୍ପାନୀଗୁମା, ମହୁଲ କୋଟ ଓ ସମାଡ଼ ପଦର ଗ୍ରାମର ଦୁଇ ଶହ ପରିବାରକୁ ନୁଆ ଶାଢ଼ୀ ସହିତ ଚାଉଳ, ଚିନି, ନଡ଼ିଆ,ଡାଲି ଆଦି ବଣ୍ଟନ କରିଛନ୍ତି ରାଣୀମୁଣ୍ଡାର ସରପଞ୍ଚ । ଖାଲି ଏତିକି ନୁହେଁ ବରଂ ସମସ୍ତଙ୍କୁ ନୂଆ ଖାଇବାକୁ ସେ ଅନୁରୋଧ ବି କରିଛନ୍ତି । ଖାଲି ଏତିକି ନୁହେଁ ବରଂ ଆଗକୁ ବି ଏମିତି ପ୍ରୟାସ ଜାରି ରହିବ ବୋଲି କହିଛନ୍ତି ସରପଂଚ । ସତରେ ଏମିତି ସରପଂଚ ଥିଲେ ସମସ୍ତେ ଏକ ହେବେ ଆଉ ନୂଆ ବି ଖାଇବେ ।

ରିପୋର୍ଟର- ନୂଆପଡା ଖଡିଆଳରୁ କୁନାଲ ଚରଣ ବେହେରା