ଭାରି ଜୋରସୋରରେ ଚାଲିଛି ରାକ୍ଷୀ ତିଆରି କାମ । ଖାଲି ରାକ୍ଷୀ ତିଆରି ଚାଲିଛି ତାହା ନୁହେଁ ବରଂ ପ୍ୟାକିଂ ବି ଜୋରସୋରରେ ଚାଲିଛି । ଯେଉଁ ରାକ୍ଷୀ ତିଆରି ଚାଲିଛି, ସେହି ରାକ୍ଷୀ ଯାହା ହାତରେ ବନ୍ଧା ଯିବ ଆପଣ ଜାଣିଲେ ଆନନ୍ଦିତ ହୋଇଯିବେ । ଆଉ ରାକ୍ଷୀ ତିଆରି କରିଥିବା ଲୋକଙ୍କୁ ସଲାମ କରିବେ । କାରଣ ଏହି ସବୁ ରାକ୍ଷୀ ତିଆରି ହେଉଛି ବୀର ଯବାନଙ୍କ ପାଇଁ, ଆଉ ଏହି ରାକ୍ଷୀ ଯିବ ସୀମାକୁ ।
ଭାଇ ଭଉଣୀର ସଂପର୍କ ନିଆରା । ଏହି ନିଆରା ସଂପର୍କକୁ ଆହୁରି ଅଧିକ ମଜଭୁତ କରେ ରାକ୍ଷୀ ପୂର୍ଣ୍ଣିମା । ଭଉଣୀଟିଏ ଭାଇର ହାତରେ ରାକ୍ଷୀ ବାନ୍ଧିବା ପାଇଁ ପୂରା ବର୍ଷଟିଏ ଅପେକ୍ଷା ବି କରିଥାଏ । ହେଲେ ଦେଶ ସେବା ପାଇଁ ସୁରକ୍ଷା ଦାୟିତ୍ୱରେ ଥିବା ଯବାନଙ୍କ କ୍ଷେତ୍ରରେ ଏହା ସମ୍ଭବ ହୋଇନଥାଏ । ସେମାନେ ନିଜର ଦାୟିତ୍ୱ ପାଇଁ ନିଜ ଘରକୁ ଆସିପାରିନଥାନ୍ତି । କେବଳ ଦେଶ ସେବା ପାଇଁ ସେମାନଙ୍କୁ ଅନେକ କଥା ତ୍ୟାଗ କରିବାକୁ ବି ପଡିଥାଏ । ଏମିତିକି ଦେଶ ସେବା ପାଇଁ ନିଜ ପ୍ରାଣବଳୀ ଦେବା ପାଇଁ ବି ସେମାନେ ପଛଘୁଂଚା ଦିଅନ୍ତି ନାହିଁ।
Also Read
ଯବାନଙ୍କ କଷ୍ଟକୁ କିନ୍ତୁ ବେଶ ଭଲରେ ବୁଝିଛନ୍ତି ଯାଜପୁରର ଛାତ୍ରଛାତ୍ରୀ । ସେଥିପାଇଁ ତ ସୀମାରେ ଆମ ସମସ୍ତଙ୍କୁ ସୁରକ୍ଷା ଦେଉଥିବା ଭାଇ ପାଇଁ ରାକ୍ଷୀ ତିଆରି କରୁଛନ୍ତି ଭଉଣୀମାନେ। ଏଭଳି ଦୃଶ୍ୟ ଯାଜପୁର ଜେନାପୁର ଅଂଚଳରେ ଦେଖିବାକୁ ମିଳିଛି । ଦେଶ ସୁରକ୍ଷାରେ ନିୟୋଜିତ ଥିବା ଯବନାଙ୍କ ପାଇଁ ଏଇଠି ତିଆରି କରିଛନ୍ତି ରାକ୍ଷୀ ।
ମୋଟ୍ ଉପରେ ଏଥର ଯବାନ ପିନ୍ଧିବେ ଯାଜପୁରର ରାକ୍ଷୀ । ଏହି ଲକ୍ଷ୍ୟ ନେଇ ଛାତ୍ରଛାତ୍ରୀ ନିଜ ହାତରେ ପାଖାପାଖି ୫ଶହ ରାକ୍ଷୀ ପ୍ରସ୍ତୁତ କରିଛନ୍ତି । ଆଉ ରାକ୍ଷୀ ତିଆରି ହେବା ସରିବା ପରେ ମନ୍ଦିରରେ ପୂଜାର୍ଚ୍ଚନା ମଧ୍ୟ କରାଯାଇଛି । ପୂଜା ପରେ ରାକ୍ଷୀ ଗୁଡ଼ିକୁ ଜେନାପୁର ଉପ-ଡାକଘର ମାଧ୍ୟମରେ ଦୁଇଟି ସେନା ମୁଖ୍ୟାଳୟକୁ ପଠାଇଛନ୍ତି ଛାତ୍ରଛାତ୍ରୀ ।
ଆସାମ, ସିଆଚୀନ, କାଶ୍ମୀର ଓ କାରଗିଲରେ ମୁତୟନ ରହୁଥିବା ସୈନିକଙ୍କ ନିକଟରେ ଏହି ରାକ୍ଷୀ ପହଂଚିବ ବୋଲି ସୂଚନା ମିଳିଛି । ଏଥିପୂର୍ବରୁ ଛାତ୍ରଛାତ୍ରୀମାନେ ହାତରେ ଜାତୀୟ ପତାକା ଧରି ଜାତୀୟ ସଂଗୀତ ଗାନ କରି ଏକ ଶୋଭାଯାତ୍ରାରେ ପୋଷ୍ଟ ଅଫିସ କାର୍ଯ୍ୟାଳୟରେ ପହଂଚିଥିଲେ । ସେଠାରେ ଥିବା ଡାକ କର୍ମଚାରୀଙ୍କୁ ପ୍ରସ୍ତୁତ ରାକ୍ଷୀ ପ୍ୟାକେଟ୍ ପ୍ରଦାନ କରିଥିଲେ । ସେ ଯାହା ବି ହେଉ, ଯବାନଙ୍କ ପାଇଁ ରାକ୍ଷୀ ତିଆରି ହେଉଥିବା କାରଣରୁ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ବେଶ୍ ଚର୍ଚ୍ଚା ଲାଗିରହିଛି।
ରିପୋର୍ଟର- ଗୁଲାମ ଗସ୍