Advertisment

ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ: ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୧୦ ହଜାର

ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ। ଏଥିରେ ଲାଗି ପାରୁନି ରୋକ୍‌। ପ୍ରାୟ ୧୫ ହଜାର ସ୍ଥାନରେ ନିଆଁ ଲାଗିଥିବା ପଛରେ ନିଆଁ ଲିଭାଇବା କାମରେ ବନ କର୍ମଚାରୀ ଲାଗିଛନ୍ତି।

ଅଦ୍ୟତନ ହୋଇଛି
Fire In Forest In Various Places Across Odisha

Fire In Forest In Various Places Across Odisha

Advertisment

ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ। ଏଥିରେ ଲାଗି ପାରୁନି ରୋକ୍‌। ପ୍ରାୟ ୧୫ ହଜାର ସ୍ଥାନରେ ନିଆଁ ଲାଗିଥିବା ପଛରେ ନିଆଁ ଲିଭାଇବା କାମରେ ବନ କର୍ମଚାରୀ ଲାଗିଛନ୍ତି। ଅଧିକାଂଶ ସ୍ଥାନରେ ନିଆଁ ମଧ୍ୟ ଲିଭିଛି। ତେବେ କିଛି ସ୍ଥାନରେ ନିଆଁ ଆୟତ୍ତ ହୋଇପାରିନି। କାରଣ ପ୍ରଚଣ୍ଡ ତାତି ଓ ଝାଞ୍ଜି ପବନ ଏଥିରେ ବାଧକ ସାଜିଛି। ସବୁଠୁ ବଡ଼ ସମସ୍ୟା ହେଉଛି ବର୍ଷାର ଅଭାବ।

Advertisment

ବହୁ ଦିନ ହେଲା ରାଜ୍ୟରେ ବର୍ଷା ହୋଇନାହିଁ । ଏହି କାରଣରୁ ଜଙ୍ଗଲି ନିଆଁ ଅଧିକ ବ୍ୟାପିଛି । ବନ୍ୟଜନ୍ତୁଙ୍କୁ ଶିକାର ଉଦ୍ଦେଶ୍ୟରେ କେତେକ ଖଳପ୍ରକୃତିର ଲୋକ ନିଆଁ ଲଗାଉଥିବା ଜଣାପଡ଼ିଛି । ସେଭଳି ଶିକାରୀଙ୍କ ଉପରେ କଡ଼ା ନଜର ରଖାଯାଇଛି। ଏହାସହ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି। ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ୧୦ ହଜାର ଟଙ୍କାର ପୁରସ୍କାର ଦେବାର ମଧ୍ୟ ସରକାର ବ୍ୟବସ୍ଥା କରିଛନ୍ତି।  

ଜଳୁଛି ଜଙ୍ଗଲ, ଅସ୍ତ୍ୟବ୍ୟସ୍ତ ଜନ୍ତୁ...

ଜଙ୍ଗଲରେ ନିଆଁ ଲାଗିବା ଯୋଗୁ ଜୀବନ ବିକଳରେ ଜଙ୍ଗଲ ଛାଡ଼ି ଏବେ ଜନବସତି ମୁହାଁ ଜୀବଜନ୍ତୁ। ବାଲେଶ୍ୱର ଜିଲ୍ଲା ନୀଳଗିରି କୁଳଡିହା ଅଭୟାରଣ୍ୟର ବିଭିନ୍ନ ଅଞ୍ଚଳରେ ନିଆଁ ଲାଗିଛି। ଏଭଳି ପରିସ୍ଥିତିରେ ଜୀବଜନ୍ତୁଙ୍କ ପାଇଁ ଅସୁରକ୍ଷିତ ହୋଇ ପଡ଼ିଛି ଜଙ୍ଗଲ। ଜୀବଜନ୍ତୁ, ସରୀସୃପ ଏପରିକି ବିଷାକ୍ତ ସାପ ମଧ୍ୟ ଏବେ ଗାଁ ମୁହାଁ ହୋଇଛନ୍ତି। ପଞ୍ଚଲିଙ୍ଗେଶ୍ୱର ପଟରେ ହାତୀମାନେ ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଛି । ସେହିପରି ଜଙ୍ଗଲ ନିକଟବର୍ତ୍ତୀ ଗାଁରେ ବିଷାକ୍ତ ସାପ ବୁଲୁଛନ୍ତି। ଖାଲି କୁଳଡିହା ଅଭୟାରଣ୍ୟ ନୁହେଁ ମୟୂରଭଞ୍ଜର ଶିମିଳିପାଳ ଅଭୟାରଣ୍ୟ, ରାଜଧାନୀ ଭୁବନେଶ୍ୱରର ଶିଖରଚଣ୍ଡୀ ପାହାଡ଼ ଇତ୍ୟାଦିରେ ମଧ୍ୟ ନିଆଁ ଲାଗିଛି। 

Advertisment

ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ...

ରାଜ୍ୟର ଜଙ୍ଗଲ ଗୁଡିକରେ ଅଗ୍ନିକାଣ୍ଡ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ଗତ ଜାନୁଆରୀରୁ ଏଯାଏ ରାଜ୍ୟରେ ୧୪ ହଜାର ୭୬୦ଟି ଜଙ୍ଗଲ ସ୍ଥାନରେ ନିଆଁ ଲାଗିବାର ତଥ୍ୟ ରହିଛି। ଏହା ମଧ୍ୟରୁ ୧୪ ହଜାର ୩୯୩ଟି ସ୍ଥାନରେ କ୍ଷେତ୍ରସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ନିଆଁକୁ ନିୟନ୍ତ୍ରଣ କରିବାରେ ସମର୍ଥ ହୋଇଥିବା ସୂଚନା ମିଳିଛି। ଓଡ଼ିଶା ଫରେଷ୍ଟ ମନିଟରିଂ ସିଷ୍ଟମ ସହ ପ୍ରାୟ ୮ ହଜାର ମୋବାଇଲ ଫୋନ ପଞ୍ଜୀକରଣ କରାଯାଇଛି ଏବଂ ସେଗୁଡିକ କ୍ଷେତ୍ର ସ୍ତରରେ କାର୍ଯ୍ୟକ୍ଷମ ରହିଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

ଏପରିକି ରାଜ୍ୟର ୪୯ଟି ଜଙ୍ଗଲ ଉପଖଣ୍ଡରେ ୩୯୯ଟି ଅଗ୍ନି ପ୍ରତିରୋଧ ସ୍କ୍ୱାର୍ଡ ଗଠନ କରାଯାଇଥିବା ମୁଖ୍ୟ ସଚିବ ସୂଚନା ଦେଇଛନ୍ତି। ବନାଗ୍ନିକୁ ନିୟନ୍ତ୍ରଣ କରିବା ପାଇଁ ବିଭାଗୀୟ ଦକ୍ଷତା ବୃଦ୍ଧି ସହ ବିଭିନ୍ନ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ନିଆଁ ଲଗାଉଥିବା ଖଳ ପ୍ରକୃତିର ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।

Advertisment

ନିଆଁ ଲିଭା କାର୍ଯ୍ୟରେ ହେଲିକପ୍ଟର...

ଜଙ୍ଗଲ ନିଆଁ ଲିଭା କାର୍ଯ୍ୟରେ ଲାଗିଛି ହେଲିକପ୍ଟର। ଆକାଶ ମାର୍ଗରୁ ହେଲିକପ୍ଟର ଯୋଗେ ପାଣି ବର୍ଷା କରାଯାଇ ନିଆଁ ଲିଭା ଯାଉଛି। ଗୋଆରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଜଙ୍ଗଲ ନିଆଁ ଲିଭୁ ନଥିବା ବେଳେ ଏହାକୁ ଲିଭାଇବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି। ଭାରତୀୟ ବାୟୁସେନା ପକ୍ଷରୁ ୨ଟି MI-17 ହେଲିକପ୍ଟର ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି।

ଗତ ମାର୍ଚ୍ଚ ୯ ତାରିଖରୁ ଏଭଳି ଭାବେ ନିଆଁ ଲିଭାଇବାକୁ ଉଦ୍ୟମ ଚାଲିଥିଲେ ବି ନିଆଁ ଆୟତ୍ତ ହୋଇପାରୁନି। ପ୍ରାୟ ୭ ଘଣ୍ଟା ଧରି ନିଆଁ ଲିଭା କାର୍ଯ୍ୟରେ ହେଲିକପ୍ଟର ଲାଗିଥିଲା। ନିଆଁ ଲିଭାଇବା ଲାଗି ପ୍ରଭାବିତ ଅଞ୍ଚଳରେ ଏହି ସମୟରେ ୩୮ ହଜାର ଲିଟର ପାଣି ଆକାଶ ମାର୍ଗରୁ ସ୍ପ୍ରେ କରାଯାଇଥିଲା।

Forest Fire Fire In Forest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ