ଆଦିମ ଜନଜାତି ଲାଞ୍ଜିଆ ସଉରାମାନଙ୍କର ପାରମ୍ପରିକ ଚିତ୍ରକଳା ଇଡ଼ିତାଲ୍ ଦେଖିବାକୁ ରେଜିଂତାଲ୍ରେ ପହଞ୍ଚିବା ବେଳକୁ ଗାଁ ଟିକେ ଶୁନ୍ଶାନ୍ ଲାଗୁଥାଏ । ସୂର୍ଯ୍ୟକିରଣ ତଥାପି ନରମ ଥାଏ । ଚାରି ପାଖରେ ଘେରି ରହିଥିବା ପାହାଡ଼-ଜଙ୍ଗଲର ଥଣ୍ଡା ଥଣ୍ଡା ପବନ ତାକୁ ଆହୁରି ନରମ କରିଦେଉଥା’ନ୍ତି । ଗୁଣୁପୁରରୁ ସେଠାକୁ ଯାଉଥିବା ଟେମ୍ପୋରୁ ମୋ ପନ୍ଦର କେଜିଆ ଟ୍ରାଭେଲ୍ ବ୍ୟାକ୍ପ୍ୟାକ୍ ପକେଇ ଓହ୍ଲେଇ ପଡ଼ିଲା ବେଳକୁ ରାସ୍ତାକଡ଼ରେ ପଡ଼ିଥିବା ସିମେଣ୍ଟର ଇଲେକ୍ଟ୍ରି ଖୁଣ୍ଟ ଉପରେ ବସିଥିବା କିଛି ଗାଁ ଲୋକମାନେ ବଲବଲ କରି ଅନେଇଥା’ନ୍ତି ମୋତେ । ମୋର କିନ୍ତୁ ସେଆଡ଼କୁ ନିଘା ନଥାଏ ।
ସାମ୍ନାରେ ଥିବା ଘରର ଇଟା ରଙ୍ଗର କାନ୍ଥ ଉପରେ ହୋଇଥିବା ଧଳା ରଙ୍ଗରେ ଅଙ୍କା ଚିତ୍ର ଆଡ଼କୁ ମୁଁ କ୍ୟାମେରା ବାହାର କରି ଆପେ ଆପେ ଟାଣି ହୋଇଗଲି । ଅଦ୍ଭୁତ କଣ୍ଟ୍ରାଷ୍ଟ ରଙ୍ଗର ଆକର୍ଷଣରେ ଗୋଟିଏ ପରେ ଗୋଟିଏ ଚିତ୍ରର ଫଟୋ ଉଠେଇ ଚାଲିଥାଏ ସତ, ଏପଟେ କିନ୍ତୁ ମନଟା ମରି ମରି ଯାଉଥାଏ ଯେମିତି । ଏ କ’ଣ ମୁଁ ଜାଣିଥିବା ଓ ବହିରେ ଦେଖିଥିବା ସେଇ ଇଡ଼ିତାଲ୍? ପ୍ରକୃତ ଅଥେଣ୍ଟିକ୍ ଇଡ଼ିତାଲ୍ ଚିତ୍ର ଆଉ ଦେଖିବାକୁ ବୋଧେ ପାଇବିନି ବୋଲି ଲାଗୁଥାଏ ।
ଏ ଯେଉଁ ସଉରା ଚିତ୍ର ଗାଁର ପ୍ରତି ଘରର କାନ୍ଥରେ ଅଙ୍କା ଯାଇଥିବାର ମୁଁ ଦେଖୁଥାଏ, ସେଥିରେ ଇଡ଼ିତାଲ୍ର ଚରିତ୍ର ସବୁ ନଥିଲା । ନଥିଲା ଚରିତ୍ରମାନଙ୍କର ଅଙ୍କାବଙ୍କା ଠାଣି । ସେ ଚିତ୍ର ଭିତରୁ ଫୁଟି ଉଠୁ ନଥିଲା ଆଙ୍କିଥିବା ଲୋକର ସରଳ ବିଶ୍ୱାସର ପ୍ରତିଛବି । ଏ ଚିତ୍ର ସବୁ ଟିକେ କମର୍ସିଆଲ୍ ଲାଗୁଥିଲା । ନା, ଠିକ୍ ସେଇଆ ନୁହେଁ ହୁଏତ... ଜଙ୍ଗଲର ନିଜସ୍ୱ ଆଦିମ ସୌନ୍ଦର୍ଯ୍ୟ ଓ ପାର୍କର ବନାବଟି ସୌନ୍ଦର୍ଯ୍ୟ ଭିତରେ ଯେଉଁ ଫରକ୍ ଥାଏ ସେମିତି ଏକ ଫରକ୍ ଆସିଯାଇଥାଏ ପବିତ୍ର ଇଡ଼ିତାଲ୍ ଓ ଏବେକାର ସଉରା ଚିତ୍ର ବା ଆଦିବାସୀ ଚିତ୍ର ଭିତରେ । ଅସଲି ଚିତ୍ର ଆଉ ନାହିଁ ବୋଲି ଧାରଣା ଦୃଢ଼ ହେଉଥିଲେ ବି ଆଶା ଛାଡ଼ିନଥାଏ ମୁଁ । ସେଇ ଆଶାରେ ପ୍ରାୟ ସାତ ଦିନ ରହିଗଲି ସେଇ ଗାଁରେ । ଆଖପାଖ ଅନେକ ଗାଁ ବୁଲି ମାତ୍ର ଦୁଇଟି ଇଡ଼ିତାଲ୍ ଦେଖିବାକୁ ପାଇଲି । ସେଥିରୁ ପୁଣି ଗୋଟିଏ ମାତ୍ର ୨୦ ବର୍ଷ ପୁରୁଣା ତ ଆଉ ଗୋଟିଏ ୨୫-୩୦ ବର୍ଷର ।
ଇଡ଼ିତାଲ୍ ଆଙ୍କୁଥିବା ସଉରା ଚିତ୍ରକରମାନଙ୍କୁ ଇଡ଼ିତାଲ୍ମାର୍ କୁହାଯାଏ । ତାଙ୍କ ପାଇଁ ମାଟିର କାନ୍ଥ ହିଁ କ୍ୟାନ୍ଭାସ୍ । ଆଉ କଞ୍ଚା ଖଜୁରୀ ବା ବାଉଁଶ କାଠିର ଅଗକୁ ପଥରରେ ଛେଚି ତିଆରି ହୁଏ ତୁଳୀ । ମାଟି କାନ୍ଥ ଉପରେ ଗୋଟିଏ ଜାଗାରେ ନାଲି ମାଟିର ପରସ୍ତଟେ ଲିପି ତିଆରି ହୁଏ ଚିତ୍ର ପାଇଁ ଜାଗା । ତାଆରି ଉପରେ ଚାଉଳକୁ ବତୁରେଇ ପଥରରେ ବାଟି ତିଆରି ହୋଇଥିବା ଧଳା ରଙ୍ଗର ଚାଉଳ ଚୁନାରେ ଅଙ୍କା ହୁଏ ଚିତ୍ର ସବୁ । ଜନ୍ମ, ମୃତ୍ୟୁ, ସୁଗମ ଜୀବନ, ବିବାହ, ପିଲାଜନ୍ମ, ସ୍ୱାସ୍ଥ୍ୟ, ଜନମଙ୍ଗଳ, ପୂଜା, ବାର, ବ୍ରତ, ପୂର୍ବପୁରୁଷଙ୍କ ସୁଖ-ଶାନ୍ତି, ଡଙ୍ଗର, ଫସଲ ଆଦି ଅନେକ ଅବସରରେ ଲାଞ୍ଜିଆ ସଉରାମାନେ ପୂଜା କରନ୍ତି । ଏ ପୂଜା ପାଇଁ ଅଛନ୍ତି ନିର୍ଦ୍ଦିଷ୍ଟ ଜଣେ ପୂଜକ, ସେ ପୁଣି ଜଣେ ନାରୀ । ତାଙ୍କୁ କୁଡ଼ାମ୍ବଇ କୁହାଯାଏ ।
ଆଗରୁ ପ୍ରତି ଗାଁ ରେ ପାଞ୍ଚ ଛଅ ଜଣ କୁଡ଼ାମ୍ବଇ ଥିଲେ, ଏବେ କେଉଁଠି କେମିତି ପରମ୍ପରାର ଶେଷ ସନ୍ତକ ଭାବରେ ଜଣେ ଅଧେ ଯାହା ଅଛନ୍ତି । ଆଉ କେତେ ଗାଁରେ ଆଦୌ ନାହାଁନ୍ତି ବି । ଏବେ ଏହି କୁଡ଼ାମ୍ବଇଙ୍କ ଘରେ ହିଁ ଯାହା ଅଛି ଇଡ଼ିତାଲ୍ ଚିତ୍ର । ଏବେକାର ସଉରା ପିଲାମାନେ ତ ବେଶୀ କିଛି ଜାଣନ୍ତିନି ପୁରୁଣା ରୀତିନୀତି ବିଷୟରେ, ତେଣୁ କେତେକ ରିସର୍ଚ୍ଚ ଆର୍ଟିକିଲ୍ ପଢ଼ି ଜାଣିଲି ଯେ, ଯାହା ପାଇଁ ପୂଜା ହୁଏ, ତାଙ୍କ ଘରେ ବି ଏ ଚିତ୍ର ହେଉଥିଲା ଆଗରୁ । କିନ୍ତୁ ଏବେ ଥିବା ବୟସ୍କ ଲୋକମାନେ ମୋତେ ସେ ବିଷୟରେ ବିଶେଷ କିଛି ସୂଚନା ଦେଇପାରିଲେନି । ତାଙ୍କ ଅନୁସାରେ କୁଡ଼ାମ୍ବଇଙ୍କ ଘରେ ହୁଏ ଇଡ଼ିତାଲ୍ ଚିତ୍ର । ଓ ଏହି ଚିତ୍ର ପାଲଟି ଯାଆନ୍ତି ଦେବତା । ତାଙ୍କରି ଆଗରେ ହୁଏ ଯେତେ ସବୁ ପୂଜା-ପାଠ-ମନ୍ତ୍ର ।
ଏ ଚିତ୍ରଟି ଘରର ସାଜସଜ୍ଜା ପାଇଁ ନୁହେଁ, ଏହା ଖୁବ୍ ପବିତ୍ର ବୋଲି ମାନନ୍ତି ସଭିଏଁ । ପ୍ରତ୍ୟେକ ଚିତ୍ର, ଚରିତ୍ର, ଆକୃତି ସବୁ ଦେବତା ଓ ପୂର୍ବପୁରୁଷଙ୍କଠୁ ଆଶୀର୍ବାଦ ପାଇବା ପାଇଁ ଉଦ୍ଦିଷ୍ଟ । ସଉରାମାନଙ୍କର ବିଶ୍ୱାସ ଯେ, ସେମାନଙ୍କ ବର୍ତ୍ତମାନର ଜଗତ ଦେବତା ଓ ପୂର୍ବପୁରୁଷଙ୍କ ଜଗତ ସହ ସଂଯୁକ୍ତ । ତେଣୁ ଚିତ୍ରଗୁଡିକ ପ୍ରତୀକାତ୍ମକ । ଇଡ଼ିତାଲ୍ ଭିତରେ ଅଙ୍କା ଯାଇଥିବା ମାନବ ଆକୃତି, ଗଛ, ପତ୍ର, ପଶୁ, ପକ୍ଷୀ ଓ ପ୍ରତୀକଗୁଡ଼ିକ ଭିତରେ ଏକ ସନ୍ତୁଳନ ଥାଏ, ସଂଗତି ଥାଏ । ଏହା ସୌନ୍ଦର୍ଯ୍ୟ ନୁହେଁ, ସଉରା ଲୋକମାନଙ୍କର ବିଶ୍ୱପ୍ରକୃତି ସହ ଥିବା ଗଭୀର ସଂଯୋଗକୁ ପ୍ରତିଫଳିତ କରେ ।
ଆପଣ ଲକ୍ଷ୍ୟ କଲେ ଜାଣିପାରିବେ ଯେ, ଏତେ ବଡ଼ ଚିତ୍ର ଭିତରେ ଥିବା ଶହ ଶହ ଚରିତ୍ର ଭିତରେ କୌଣସି ଗୋଟିଏ ଚିତ୍ର ପ୍ରମୂଖ ନୁହେଁ । ଅନ୍ୟାନ୍ୟ ଭାରତୀୟ କଳାରେ ଯେମିତି ମୁଖ୍ୟ ଦେବତା ବା ଦେବୀଙ୍କର ବଡ଼ ଚିତ୍ର ସାଙ୍ଗରେ ଅନ୍ୟ ସବୁ ପାଶ୍ୱର୍ଚିତ୍ର ଓ ଚରିତ୍ର ଥାଆନ୍ତି, ସଉରାମାନଙ୍କର ସେମିତି ନୁହେଁ । ଇଡ଼ିତାଲ୍ର ପ୍ରତ୍ୟେକ ଚିତ୍ର ପ୍ରାୟ ପାଖାପାଖି ସମାନ ଆକାରର । ମଣିଷ, ଦେବତା, ପ୍ରକୃତି ସମାନ ସ୍ଥାନରେ ସମାନ ଭାବରେ ଉପସ୍ଥିତ, ଯେପରି ସମସ୍ତେ ସମାନ ଓ ସମସ୍ତେ ଗୁରୁତ୍ୱପୂର୍ଣ୍ଣ । ସଉରା ଲୋକ ବିଶ୍ୱାସରେ ‘ସମସ୍ତଙ୍କର ଆତ୍ମା ଅଛି’ ଗୋଟିଏ ଚଢ଼େଇକୁ ଦେଖାଇ କହିଲେ ଜଣେ ମହିଳା । ଏ କଥାରୁ ମନେପଡ଼ିଲା, ମଣିଷ ଦିନେ ନିଜକୁ ପ୍ରକୃତିର ଅଂଶ ବୋଲି ମନେ କରୁଥିଲା, ତା’ର ମାଲିକ ବୋଲି ନିଜକୁ ଭାବୁନଥିଲା । କିନ୍ତୁ କେବେ ଗୋଟେ ଆମେ ସେ ସନ୍ତୁଳନ ହରାଇବସିଲେ କେଜାଣି!
ଅନ୍ୟ ଆଦିବାସୀ କଳା ପରି ସଉରାମାନେ କୌଣସି ପୂର୍ବ ନିର୍ମିତ ଡିଜାଇନ୍ ବ୍ୟବହାର କରନ୍ତି ନାହିଁ କି ଅନୁସରଣ କରନ୍ତିନି । ସେମାନେ କିଛି ଜିନିଷକୁ ଦେଖି ତା’ର ପ୍ରତିରୂପ ଆଙ୍କନ୍ତି ନାହିଁ । ସେମାନେ ଯାହା ଅନୁଭବ କରନ୍ତି ତାହା ହିଁ ଆଙ୍କନ୍ତି ।
ଚିତ୍ରକର କହେ, ତା’ ଭିତରେ ସବାର୍ ହେଇଥିବା ଦେବତା ଚିତ୍ର ଅଙ୍କାଇନିଏ । ସେଥିପାଇଁ ଇଡ଼ିତାଲ୍ ସହ ପବିତ୍ରତାର କଥାଟି ଯୋଡ଼ି ହୋଇ ରହିଛି । ଉପଲକ୍ଷ୍ୟ ଅନୁସାରେ ତିଆରି ହୁଏ ଚିତ୍ର । ଚିତ୍ରର ଆକାର ପ୍ରାୟତଃ ଗୋଟିଏ ଘର ଭଳି, ଚାରିକୋଣିଆ ମଣ୍ଡଳ ଓ ତା’ ଉପରେ ଗୋଟେ ତ୍ରିକୋଣ ଆକାର । ତାଙ୍କ ଚିତ୍ରରେ ଗୋଟିଏ ଜାଗାରେ ନିର୍ଦ୍ଦିଷ୍ଟ ଚରିତ୍ରଟିଏ ନଥାଏ, କେତେଗୁଡିଏ ଚରିତ୍ରଙ୍କୁ ନେଇ ସତେ ଯେମିତି ରଚାଯାଇଥାଏ ଚିତ୍ରନାଟ୍ୟଟିଏ । ଗୋଟିଏ ଇଡ଼ିତାଲରେ ପୁଣି ଥାଏ ୧୦-୨୦ରୁ ଅଧିକ ଚିତ୍ରନାଟ୍ୟ । ସେମାନେ ଭାବନ୍ତି ପାଶ୍ୱର୍ ଚରିତ୍ର ବିନା ଚରିତ୍ରଟିଏର ପରିଚୟ ଫୁଟି ଉଠିବ ନାହିଁ । ଗୋଟିଏ ଧାଡ଼ିରୁ ଆରମ୍ଭ ହୋଇଥିବା ଚିତ୍ର ସ୍ୱତଃସ୍ଫୁର୍ତ୍ତ ଭାବରେ ବହିଯାଏ ।
ଆଉ ଏହି ପ୍ରବାହରେ ସ୍ୱାଧିନତା ଥାଏ, ଥାଏ ସରଳତା, ଥାଏ ଜୀବନର ସ୍ପନ୍ଦନ । ଗୋଟିଏ ମୁହୂର୍ତ୍ତରେ ଏହା ଚିତ୍ର ବୋଲି ମନେହୁଏ ତ ପରବର୍ତ୍ତୀ ମୁହୂର୍ତ୍ତରେ ଏହା ପାଲଟିଯାଏ ଜୀବନ୍ତ ସମ୍ପ୍ରଦାୟ, ଜୀବନ୍ତ ଘଟଣା, ଡଙ୍ଗରରେ ଚାଷ ଅବା ନାଚ ପଟୁଆର । କିନ୍ତୁ ସଉରା ଭାଷା ଜାଣିନଥିଲେ ସବୁ ଚରିତ୍ରଙ୍କୁ ଜାଣିହେବନି । ମୁଁ ବୟସ୍କ ଲୋକମାନଙ୍କ ସହ କଥା ହେବା ବେଳେ ତାଙ୍କରି ପିଲାମାନଙ୍କ ଭିତରୁ କାହାକୁ ଜଣକୁ ଗୋଟେ ଓଡ଼ିଆରେ ଅନୁବାଦ କରିବାକୁ ପାଖରେ ରଖୁଥିଲି । ସେ ମୋତେ ଚିହ୍ନେଇ ଦେଉଥିଲା ଇଡ଼ିତାଲର ଚରିତ୍ର ।
କେତେବେଳେ ପଶୁପକ୍ଷୀ; ମାରା (ମୟୁର), କୋକୁଆଡା (ବଗ), ରାଆ (ହାତୀ), ଆଲିବ୍ (ହରିଣ), କୁରତା (ଘୋଡା), କିନା (ବାଘ), ଡାନାଙ୍ଗ (ଝିଟିପିଟି), କୁଲୁ (କଇଁଛ), କାନସିମ୍ (କୁକୁଡା), ଡ୍ରାମେଙ୍ଗ (ବିଲେଇ), ଆର୍ସି (ମାଙ୍କଡ) ତ କେତେବେଳେ ପ୍ରକୃତି; ଆଙ୍ଗାଇତା (ଜହ୍ନ), ଓଇୟୁଙ୍ଗ (ସୂର୍ଯ୍ୟ), ଆରା (ଗଛ) ଓ ଆହୁରି ଅନେକ । ମୋତେ ତାଙ୍କ ଭାଷାରେ ଶବ୍ଦ ସବୁ ଲେଖି ଶିଖି କହିବାକୁ ବେଶ୍ ଭଲ ଲାଗୁଥିଲା । ମୁଁ ଯେତେ ଅଭ୍ୟାସ କରି ଯାଇଥିଲେ ବି ବୟସ୍କମାନଙ୍କୁ କହି ଶୁଣାଇଲା ବେଳେ କ’ଣ ଟିକିଏ ଏପଟସେପଟ ତ ନିଶ୍ଚୟ ହୁଏ, ଆଉ ସେମାନେ ହସି ହସି ଗଡ଼ି ଯାଆନ୍ତି ।
ଇଡ଼ିତାଲ୍ ଚିତ୍ରର ଚରିତ୍ରମାନେ ଆଖି ନୁହେଁ ସିଧାସଳଖ ହୃଦୟ ସହ କଥା ହେବା ପରି ମନେହୁଅନ୍ତି ମୋତେ । ସେମାନେ ମିଳିମିଶି କହିବାକୁ ଚାହୁଁଥିବା କାହାଣୀଟିକୁ ଚାହିଁଲେ ମୁଁ ବୁଝିପାରିବି ବୋଲି ମୋତେ ଲାଗେ । ପୁରୁଣା ଚିତ୍ରମାନଙ୍କୁ ଦେଖିଲେ ସେ ସରଳ ହୃଦୟର ଚିତ୍ରକରଟିକୁ ଭେଟିବାକୁ ନିଶ୍ଚୟ ଇଚ୍ଛା ହେବ । ପ୍ରକୃତିର ଭିନ୍ନ ଭିନ୍ନ ପ୍ରକାରର ଚିତ୍ର, ମଣିଷର ଚିତ୍ର, ଫଇସଲ, ଡଙ୍ଗରର ଚିତ୍ର ଏକ ଅଦ୍ଭୁତ ଆବେଗ ତିଆରି କରିବ ମଣିଷର ମନରେ । ଛୋଟପିଲାଟିଏ ଯେମିତି ନିଜ ଅଙ୍କାବଙ୍କା ଗାରକୁ ଦେଖାଇ ଅସରନ୍ତି କାହାଣୀ କହିଯାଏ, ମୁଁ ସେମିତି ଏ ଚିତ୍ରକୁ ଦେଖାଇ କହିପାରିବି ବୋଲି ମନେହୁଏ । ତା’ ସାଙ୍ଗରେ ଏବେକାର କାନ୍ଥବାଡ଼ର ଚିତ୍ରକୁ ଦେଖିଲେ ଖୁବ୍ ଅଚିହ୍ନା ଲାଗିବେ । କମର୍ସିଆଲ୍, ସୁନ୍ଦର ଓ ସିଷ୍ଟମେଟିକ୍ ବର୍ଗରେ ଆମେ ନେଇପାରିବା ତାକୁ । ଏବେ ଏହା ହିଁ ସଉରା ଜନଜାତିର ଯୁବବର୍ଗଙ୍କ ରୋଜଗାରର ମାଧ୍ୟମ । ତେବେ ଅନେକ ଅଣସଉରା ସେଇତକରେ ବି ଭାଗ ବସେଇଲେଣି ଏବେ ।
ମୁଁ ଭେଟିଥିବା ଏହି ସଉରାମାନଙ୍କର ଏକ ବିଶେଷତ୍ୱ ନକହିଲେ ପ୍ରସଙ୍ଗଟି ସରିବନି ଲାଗୁଛି । କଥାଟି ହେଲା, ସଉରାମାନେ ଏମିତି ଏକ ଆଦିମ ଜନଜାତି, ଯେଉଁମାନେ କୃତଜ୍ଞତା ଜଣାଇବାରେ ପୃଥିବୀର ସମସ୍ତଙ୍କୁ ଟପିଯିବେ ହୁଏତ । କୃତଜ୍ଞତା ଜଣାଇବାକୁ ଖାଲି ତାଙ୍କର ଶହେ ସରିକି ପୂଜାପର୍ବ ଥିବ ବୋଲି ମୋତେ ଲାଗେ । ଧରନ୍ତୁ ଫସଲ କଥା ଆମେ ନେବା । ପ୍ରଥମେ ଡଙ୍ଗର ସଫାସଫି କରିବା ପାଇଁ ପର୍ବ, ଜମି କୋଡ଼ା ଖୋସା ପାଇଁ ପର୍ବ, ବୀଜ ବୁଣିବା ପାଇଁ ପର୍ବ, ଫସଲ ହେଲା ବୋଲି ପର୍ବ, ଫସଲ ଅମଳ କରିବାକୁ ପର୍ବ, ଫସଲ ସୁରୁଖୁରୁରେ ଘରକୁ ଆସିଲା ବୋଲି ପର୍ବ, ଫସଲ ଠିକ୍ରେ ଆଟୁରେ ରହିଲା ବୋଲି ପର୍ବ, ଫସଲ ପ୍ରଥମେ ଖିଆ ହେଲା ବୋଲି ପର୍ବ, ଏମିତି ଅନେକ । ଆଉ ପ୍ରାୟ ସବୁ ପୂଜାପର୍ବରେ ଇଡ଼ିତାଲ୍ ରହେ । ପ୍ରତି ପଦକ୍ଷେପରେ କୃତଜ୍ଞତା ଜଣାଇବାର ଗୋଟେ ଅନନ୍ୟ ପରମ୍ପରା ଯେମିତି ଖୋଜି ପାଇଛନ୍ତି ସେମାନେ । ଅଥଚ ଆମ ପାଖରେ ସବୁ ଥାଇ ବି କୃତଜ୍ଞତା ଜଣେଇବାକୁ ଆମର କେବେ ମନେପଡେନି, କିନ୍ତୁ ଅଭିଯୋଗ କରିବାକୁ ଆମେ କେବେବି ଭୁଲନ୍ତିନି ତ ! ତେଣୁ କୃତଜ୍ଞତା ଜଣାଇବା ଶିଖିବାକୁ ଚାହୁଁଥିଲେ ଲାଞ୍ଜିଆ ସଉରାମାନଙ୍କୁ ଗୁରୁ ମାନିବାକୁ ହେବ ।
ଇଡ଼ିତାଲ୍ ଚିତ୍ର ସନ୍ଧାନରେ ଯାଇ ସାତ ଦିନ ଭିତରେ ପାଞ୍ଚ ସାତୋଟି ଗାଁ ବୁଲି ଯେଉଁ ପୁଞ୍ଜି ଟିକକ ହାସଲ କଲି ତାହା ହେଲା ତାଙ୍କ କୃତଜ୍ଞତା ଓ ସୃଜନଶୀଳତା । ଆଜିକାଲି ମଣିଷ ପାଖରେ ଖୁବ୍ କମ୍ ଦେଖାଯାଉଥିବା କୃତଜ୍ଞତା ଜଣାଇବାର ଗୁଣ କିନ୍ତୁ ପ୍ରକୃତରେ ଜୀବନ ବଞ୍ଚିବା ଲାଗି ବେଶ୍ ସହାୟକ, ପ୍ରଶ୍ୱାସ ସିନା ଆମେ ବଞ୍ଚିଛେ ବୋଲି ଜଣାଇଦିଏ, କୃତଜ୍ଞତା ଜୀବନକୁ ନଈ ପରି ବହିଯିବାରେ ସାହାଯ୍ୟ କରେ । ଆଉ ଇଡ଼ିତାଲ୍ ମାଧ୍ୟମରେ ସୃଜନାତ୍ମକ ଶୈଳୀରେ ତାଙ୍କର ପରିପ୍ରକାଶ କହେ ସେ ସୁଖ ହେଉ ବା ଦୁଃଖ, ସୁବିଧା ହେଉ ବା ଅସୁବିଧା, ଉଦ୍ବେଗ ହେଉ ବା ବିଷାଦ, ଅକୁହା କଥା ହେଉ ବା ସତ ଘଟଣା ସବୁକୁ ପ୍ରକାଶ କରିବା ଲାଗି ସୃଜନାତ୍ମକ ବାଟଟିଏ ଅଛି ।