ମହାଭାରତ କଥା
ମତ୍ସ୍ୟ ଦେଶର ଦୂତ ଦ୍ୱାରକାରେ ପହଞ୍ଚି କୃଷ୍ଣ ଓ ବଳରାମଙ୍କ ନିକଟରେ ଅଭିମନ୍ୟୁ ଓ ରାଜକୁମାରୀ ଉତ୍ତରାଙ୍କ ବିବାହ ପାଇଁ ଖବର ପହଞ୍ଚାଇଲା । କୃଷ୍ଣ, ବଳରାମ ଓ ସୁଭଦ୍ରା ଖବର ପାଇ ଅତ୍ୟନ୍ତ ଆନନ୍ଦିତ ହେଲେ । ଅଭିମନ୍ୟୁଙ୍କୁ ସାଙ୍ଗରେ ଧରି ସମସ୍ତେ ବିରାଟଙ୍କ ରାଜଧାନୀକୁ ବାହାରିଲେ । ସାଙ୍ଗରେ ଦ୍ରୌପଦୀଙ୍କ ପାଞ୍ଚପୁଅ ଓ ଅନ୍ୟାନ୍ୟ ଯାଦବ ବୀରମାନେ ଅନେକ ପ୍ରକାରର ଉପହାର ସାଙ୍ଗରେ ଧରି ଆସିଲେ । ତାଛଡା ପାଣ୍ଡବମାନଙ୍କ ନିଜ ଲୋକ ଭାବରେ ପାଞ୍ଚାଳ ନରେଶ ଦ୍ରୁପଦ, ତାଙ୍କ ପୁଅ ଧୃଷ୍ଟଦ୍ୟୁମ୍ନ ଓ ଶ୍ରୀଖଣ୍ଡି ମଧ୍ୟ ଆସିଲେ । ଆହୁରି କିଛି ମିତ୍ର ରାଜା ମଧ୍ୟ ନିମନ୍ତ୍ରଣ ରକ୍ଷା କରି ଯଥା ସମୟରେ ମତ୍ସ୍ୟ ଦେଶର ରାଜଧାନୀରେ ଉପସ୍ଥିତ ହେଲେ । ରାଜା ବିରାଟଙ୍କ ରାଜପ୍ରାସାଦରେ ମହାଆଡମ୍ବର ସହକାରେ ଜାକଜମକରେ ରାଜକୁମାରୀ ଉତ୍ତରା ଓ ଅର୍ଜୁନଙ୍କ ପୁଅ ଅଭିମନ୍ୟୁଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହେଲା ।
ବିବାହର ପରଦିନ ସମସ୍ତେ ପାଣ୍ଡବମାନଙ୍କ ଅଜ୍ଞାତବାସ ପରର କାର୍ଯ୍ୟ କ'ଣ ହେବ ସେନେଇ ବିଚାର ବିମର୍ଷ କରିବାକୁ ବିରାଟଙ୍କ ରାଜସଭାରେ ଏକାଠି ହେଲେ । ବୟୋଜେଷ୍ଠ ରାଜା ବିରାଟ ଓ ଦ୍ରୁପଦ ଆସନ ଗ୍ରହଣ କଲାପରେ ବଳରାମ ଓ ସାତ୍ୟକି ରାଜା ଦ୍ରୁପଦଙ୍କ ପାଖରେ ଓ ରାଜା ବିରାଟଙ୍କ ପାଖରେ ଶ୍ରୀକୃଷ୍ଣ ଏବଂ ଯୁଧିଷ୍ଠିର ବସିଲେ । ବିବାହ ପାଇଁ ଆସିଥିବା ଅନ୍ୟ ଅତିଥିମାନେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ନିର୍ଦ୍ଦିଷ୍ଟ ଆସନରେ ବସିଲେ। କିଛି ସମୟ ନିଜ ନିଜ ଭିତରେ କଥା ହେଲାପରେ ସମସ୍ତେ କୃଷ୍ଣଙ୍କ ଆଡକୁ ଚାହିଁଲେ । ସମସ୍ତେ ଚାହୁଁଥିଲେ ଘଟଣା ଓ ବଦଳିଥିବା ସମୟକୁ ନେଇ କୃଷ୍ଣ କିଛି କୁହନ୍ତୁ । ଏବେ କ'ଣ କରିବା ଉଚିତ ଓ କ'ଣ ନକରିବା ଉଚିତ ସେନେଇ ସଭାକୁ ଉପଯୁକ୍ତ ପରାମର୍ଶ ଦିଅନ୍ତୁ ।
ଶ୍ରୀକୃଷ୍ଣ ଚୁପଚାପ୍ ନିଜ ଆସନରୁ ଉଠି ଠିଆହେଲେ ଓ କହିଲେ ଆପଣମାନେ ସମସ୍ତେ ଜାଣିଛନ୍ତି ସୁବଳନନ୍ଦନ ଶକୁନି କପଟ ପଶାରେ ଯୁଧିଷ୍ଠିରଙ୍କୁ ପରାସ୍ତ କଲାପରେ ଦୁର୍ଯ୍ୟୋଧନ ତାଙ୍କର ରାଜ୍ୟ ଓ ଧନ ସମ୍ପତ୍ତି ମାଡିବସିଛି । ପଶାରେ ପରାଜିତ ହୋଇ ପାଣ୍ଡବମାନେ ତେରବର୍ଷ ପାଇଁ ବନବାସକୁ ଯାଇ ବହୁତ ଦୁଃଖ କଷ୍ଟ ସହିଛନ୍ତି । ପାଣ୍ଡବଙ୍କ କୁଳବଧୂ ପାଞ୍ଚାଳୀଙ୍କୁ କୁରୁସଭାରେ ଯେଉଁପ୍ରକାର ଅପମାନିତ କରାଗଲା ତାହା ବି ଆପଣମାନେ ଜାଣନ୍ତି । ଦ୍ରୌପଦୀ ତାଙ୍କ ବୁଦ୍ଧି ଓ ଧର୍ମ ବଳରେ ନିଜକୁ ରକ୍ଷା କଲେ ଓ ତାଙ୍କ ପତିମାନଙ୍କୁ ଦାସତ୍ୱରୁ ମଧ୍ୟ ରକ୍ଷା କଲେ । ପାଣ୍ଡବମାନେ ଚାହିଁଥିଲେ ଅନ୍ୟାୟର ପ୍ରତିବାଦ ସେଇ ମୁହୂର୍ତ୍ତରେ କରିପାରିଥାନ୍ତେ । ଯୁଦ୍ଧ କରି ସେମାନଙ୍କ ରାଜ୍ୟ ଫେରାଇ ନେଇ ପାରିଥାନ୍ତେ। ପାଣ୍ଡବମାନେ ସେମାନଙ୍କ ଧର୍ମବଳ ଓ ବାହୁବଳରେ ସମଗ୍ର ବିଶ୍ୱ ବିଜୟ କରିପାରିଥାନ୍ତେ । ତଥାପି ସତ୍ୟପରାୟଣ ହୋଇ ସେମାନେ ନିଷ୍ଠାପର ଭାବରେ ବାର ବର୍ଷ ବନବାସ ଓ ବର୍ଷେ ଅଜ୍ଞାତବାସର ସର୍ତ୍ତ ପାଳନ କଲେ ।
ବନବାସ ସମୟରେ କୌରବମାନେ ପାଣ୍ଡବମାନଙ୍କୁ କିଛି କମ ଲାଞ୍ଛିତ କରିନାହାଁନ୍ତି । ଏବେ ପାଣ୍ଡବମାନେ ସମସ୍ତ ସର୍ତ୍ତରୁ ମୁକ୍ତ ହୋଇସାରିଛନ୍ତି। କିନ୍ତୁ ସେମାନଙ୍କ ପାଖରେ କୌଣସି ରାଜ୍ୟ ନାହିଁ । ହସ୍ତିନାପୁର ଓ ଇନ୍ଦ୍ରପ୍ରସ୍ଥ ଉଭୟ କୌରବଙ୍କ ଅଧିନରେ ଅଛି । ଏବେ ସର୍ତ୍ତ ଅନୁସାରେ କୌରବମାନେ ପାଣ୍ଡବମାନଙ୍କର ଯାହା ପ୍ରାପ୍ୟ ତାହା ନ୍ୟାୟୋଚିତ ଭାବରେ ଫେରେଇଦେବା ଉଚିତ । ଆପଣମାନେ ସମସ୍ତେ ଯୁଧିଷ୍ଠିରଙ୍କୁ ଜାଣନ୍ତି । ସେ ଧର୍ମ ରାସ୍ତାରେ ଗୋଟିଏ ମାତ୍ର ଗାଁ ପାଇ ଆନନ୍ଦରେ ରହିପାରିବେ କିନ୍ତୁ ଅଧର୍ମକୁ ଆଶ୍ରା କରି ସ୍ୱର୍ଗରାଜ୍ୟର ରାଜା ହେବାକୁ ଚାହିଁବେନି । କିନ୍ତୁ କୌରବମାନେ ପୁଣି ଥରେ ମିଥ୍ୟାଚାର ଓ କପଟର ଆଶ୍ରୟ ନେଇ କିଛିବି କରିପାରନ୍ତି ।
ଯଦି ଦୁର୍ଯ୍ୟୋଧନ ଭାବୁଥିବେ ପାଣ୍ଡବମାନଙ୍କୁ ସହାୟତା କରିବାକୁ କେହିନାହାଁନ୍ତି ତେବେ ସେ ଭୁଲ ଭାବୁଛନ୍ତି । ସେମିତି କଲେ ସେ ତାଙ୍କ ନିଜର ଧ୍ୱଂସକୁ ଡାକିଆଣିବେ । ଏବେ କୌରବମାନଙ୍କର କୌଣସି ପ୍ରକାରର ମିଥ୍ୟାଚାରକୁ ଆଉ ପ୍ରଶ୍ରୟ ଦିଆଯାଇପାରିବନି । ଅବଶ୍ୟ ଆମେ ଦୁର୍ଯ୍ୟୋଧନଙ୍କ ପ୍ରକୃତ ଅଭିପ୍ରାୟ ଜାଣିନେ । ତେଣୁ ପ୍ରଥମେ ଜଣେ କୁଳିନ ଧାର୍ମିକ ଅଭିଜ୍ଞ ଦକ୍ଷ ବ୍ୟକ୍ତିଙ୍କୁ ହସ୍ତିନାପୁରକୁ ଆମ ପ୍ରସ୍ତାବ ସହ ପଠାଯାଉ । ପ୍ରସ୍ତାବ ପଠାଯାଉ ରାଜା ଧୃତରାଷ୍ଟ୍ର ପାଣ୍ଡବମାନଙ୍କୁ ସେମାନଙ୍କ ରାଜ୍ୟ ଯଥାଶିଘ୍ର ବିନା ସର୍ତ୍ତରେ ଫେରାଇଦିଅନ୍ତୁ ।
ଏତିକି କହି ଶ୍ରୀକୃଷ୍ଣ ନୀରବ ରହିଲେ ଓ ଅନ୍ୟମାନେ ଶ୍ରୀକୃଷ୍ଣଙ୍କ ପ୍ରସ୍ତାବରେ ସହମତି ପ୍ରକାଶ କଲେ । ଏତେ ସମୟଧରି ଶ୍ରୀକୃଷ୍ଣଙ୍କ କଥା ଶୁଣୁଥିବା ବଳରାମ ପାଟି ଖୋଲିଲେ ଓ କହିଲେ ଶ୍ରୀକୃଷ୍ଣ ଯାହା କହିଲେ ମୁଁ ସେଥିରେ ଏକମତ । ନ୍ୟାୟ ରାସ୍ତରେ ହିଁ ଉଭୟ କୌରବ ଓ ପାଣ୍ଡବଙ୍କର ମଙ୍ଗଳ ହେବ । ଯୁଦ୍ଧ କେବେବି ସମାଧାନର ରାସ୍ତା ନୁହେଁ । ବିନା ଯୁ୍ଦ୍ଧରେ ଯୁଧିଷ୍ଠିର ତାଙ୍କ ରାଜ୍ୟ ଫେରିପାଇଲେ ସୁରୁଖୁରୁରେ ସବୁକିଛି ସମାଧାନ ହେଇଯାଆନ୍ତା । କୌରବ ଓ ପାଣ୍ଡବଙ୍କ ଭିତରେ ଶାନ୍ତି ଆସିଲେ ଉଭୟ ରାଜ୍ୟର ପ୍ରଜାମାନେ ସୁଖ ଶାନ୍ତିରେ କାଳ ଅତିବାହିତ କରନ୍ତେ। ତେଣୁ ଆଉ ବିଳମ୍ବ ନକରି ଦୁର୍ଯ୍ୟୋଧନ ପାଖକୁ ଦୂତ ପ୍ରେରଣ କରାଯାଉ ।
ମହାଭାରତ କଥାଯିଏ ଏଠାରୁ ଯୁଧିଷ୍ଠିରଙ୍କ ଦୂତ ହୋଇ ଯିବେ ତାଙ୍କ ହାତରେ କୌରବ ବୀରମାନଙ୍କୁ ସହଯୋଗ କାମନା କରି ବାର୍ତ୍ତା ପ୍ରେରଣ କରାଯାଉ । ଆମକୁ ମନ ରଖିବାକୁ ପଡିବ ଯେ ଯୁଧିଷ୍ଠିର ଭଲ ଭାବରେ ପଶା ଖେଳ ନଜାଣିବି ପଶା ଖେଳର ବିଶାରଦ ଶକୁନିଙ୍କ ସହ ତାଙ୍କ ସର୍ତ୍ତ ମାନି ଖେଳିବାକୁ ବସିପଡିଲେ । ନିଜ ଦୋଷରୁ ସେ ନିଜର ସର୍ବସ୍ୱ ହରାଇଲେ । ଏଥିରେ ମୁଁ ଶକୁନି କି ଦୁର୍ଯ୍ୟୋଧନଙ୍କର କିଛି ଦୋଷ ଦେଖିପାରୁନି । ତେଣୁ ଏବେ ପାଣ୍ଡବମାନେ ବିନୀତ ଭାବରେ ଧୃତରାଷ୍ଟ୍ରଙ୍କ ପାଖରେ ରାଜ୍ୟ ଭିକ୍ଷା କରିବା ଉଚିତ ।
ଆହୁରି କିଛି କଥା କହିଲା ପରେ ବଳରାମ କହିଲେ ଯୁଧିଷ୍ଠିରଙ୍କୁ ଅଧା ରାଜ୍ୟ ମିଳିଲେ ବି ଭଲ । ତାହା ବି ହକ୍ ଦାବି ଦେଖାଇ ସେ ମାଗିପାରିବେନି । ତେଣୁ ସେ ବିନୀତ ହୋଇ ରାଜ୍ୟ ଭିକ୍ଷା କରନ୍ତୁ । ରାଜ୍ୟ ମିଳୁ କି ନମିଳୁ କୌରବମାନଙ୍କ ସହ ଯୁଧିଷ୍ଠିର ସନ୍ଧି କରନ୍ତୁ । ମୋ ମତରେ କୌରବମାନଙ୍କ ସହ ଯୁଦ୍ଧ ନୁହେଁ ବରଂ ସନ୍ଧି ସ୍ଥାପନ କରିବା ହିଁ ପାଣ୍ଡବମାନଙ୍କ ପାଇଁ ମଙ୍ଗଳକର ହେବ ।
ବଳରାମଙ୍କ ବକ୍ତବ୍ୟ ପରେ ପରେ ସେଠାରେ ଉପସ୍ଥିତ ଥିବା ସାତ୍ୟକି ରାଗରେ ନିଜ ଆସନରୁ ଉଠି ଠିଆ ହୋଇ ବଳରାମଙ୍କୁ ନିନ୍ଦା କରିବାକୁ ଲାଗିଲେ । କହିଲେ ହେ ହଳଧର! ଆପଣ ଯାହା କହିଲେ ସେଥିପାଇଁ ମୁଁ ଆପଣଙ୍କୁ କିଛି ଦୋଷ ଦେଉନି । କିନ୍ତୁ ଆପଣଙ୍କ କଥା ଶୁଣି ଯେଉଁମାନେ କିଛି ନକହି ଚୁପଚାପ ଶୁଣୁଛନ୍ତି ସେମାନଙ୍କ ଉପରେ ମୋର କ୍ରୋଧ ଆସୁଛି । ଅନେକ ସମୟରେ ଗୋଟେ ଗଛର ଦୁଇ ଡାଳ ଭିତରୁ ଗୋଟେ ଡାଳରେ ପ୍ରଚୁର ଫଳ ଫଳେ ଓ ଅନ୍ୟ ଡାଳ ଫଳଶୂନ୍ୟ ଥାଏ । ସେମତି ଗୋଟେ କୁଳରେ ମଧ୍ୟ ସେଇ ପ୍ରକାର ଦୁର୍ବଳ ଓ ମହାବଳୀ ରୂପରେ ପୁରୁଷ ଜନ୍ମ ନିଅନ୍ତି ।
ହେ ବଳରାମ! ବହୁ ପରିଶ୍ରମ କରି ଖୋଜିଲେ ବି ଯୁଧିଷ୍ଠିରଙ୍କ ପାଖରେ କିଛି ବି ଦୋଷ ବାହାରିବନି । ସେ ପଶା ଖେଳ ଜାଣନ୍ତିନି ବୋଲି ତ ତାଙ୍କୁ ବନ୍ଧୁତାପୂର୍ଣ୍ଣ ଖେଳ ପାଇଁ ଦୁର୍ଯ୍ୟୋଧନ ଯୋଜନା କରି ନିମନ୍ତ୍ରଣ କରିଥିଲେ । ଯୁଧିଷ୍ଠିର ତାଙ୍କ ନିଜ ଇଚ୍ଛାରେ ପଶା ଖେଳିବାକୁ ହସ୍ତିନାପୁର ଯାଇନଥିଲେ । ଧୃତରାଷ୍ଟ୍ରଙ୍କ ଆମନ୍ତ୍ରଣକୁ ଅସ୍ବୀକାର କରିବା ଅପମାନଜନକ କଥା ହେବ ବୋଲି ସେ ନିମନ୍ତ୍ରଣ ରକ୍ଷା କରିଥିଲେ । ସେ ତ ଦୁର୍ଯ୍ୟୋଧନଙ୍କ ସହ ଖେଳିଥା'ନ୍ତେ କିନ୍ତୁ ପଶା ବିଶାରଦ ଶକୁନିଙ୍କ ସହ ଖେଳିବାକୁ ତାଙ୍କୁ ବାଧ୍ୟ କରାଗଲା କାହିଁକି? ତେବେ ଆପଣଙ୍କ କହିବା କଥା ଅନୁସାରେ ଧର୍ମକୁ ମାନିବା ହିଁ ଯୁଧିଷ୍ଠିରଙ୍କ ପାଇଁ ଦୋଷାବହ କର୍ମ ଥିଲା ।
ସାତ୍ୟକି ଆହୁରି କହିଲେ, ହେ ବଳରାମ ଯୁଧିଷ୍ଠିର କାହିଁକି ନିଜର ରାଜ୍ୟ ଫେରିପାଇବାକୁ ଭିକ୍ଷା ମାଗିବେ? ଯିଏ କପଟ କରି ତାଙ୍କ ରାଜ୍ୟ ଓ ସମ୍ପତ୍ତି ଅପହରଣ କରିଛି ତାପାଖରେ ବିନତୀ କରିବେ? ମନେରଖନ୍ତୁ ପାଣ୍ଡବମାନେ ଭିକ୍ଷୁକ ନୁହନ୍ତି । ସେମାନେ ବୀର କ୍ଷତ୍ରୀୟ । କ୍ଷତ୍ରୀୟ ତା'ର ନ୍ୟାଯ୍ୟ ପ୍ରାପ୍ୟ ଭିକ୍ଷା କରି ନୁହେଁ ଯୁଦ୍ଧ କରି ହାସଲ କରିପାରିବ । ଦୁର୍ଯ୍ୟୋଧନ ଯଦି ଭୀଷ୍ମ, ଦ୍ରୋଣ ଓ ବିଦୂର ଆଦିଙ୍କ ଉପଦେଶ ଅନୁସାରେ ଯୁଧିଷ୍ଠିରଙ୍କୁ ତାଙ୍କ ରାଜ୍ୟ ଶାନ୍ତପୂର୍ଣ୍ଣ ଭାବରେ ନଫେରାନ୍ତି, ତେବେ ମୁଁ ସେଥିପାଇଁ ଅସ୍ତ୍ର ଧରିବାକୁ ପ୍ରସ୍ତୁତ ବୋଲି ଏଇଠି ପ୍ରତିଜ୍ଞା କରୁଛି । କୌରବମାନେ ହୁଏତ ଭାବିନେଇଛନ୍ତି ପାଣ୍ଡବମାନଙ୍କୁ ସହାୟତା ଦେବାକୁ ତାଙ୍କର କେହି ମିତ୍ର ନାହାଁନ୍ତି । ଏଇଠି ଚକ୍ରଧାରୀ କୃଷ୍ଣ, ରାଜା ଦ୍ରୁପଦ, ରାଜା ବିରାଟ, ଧୃଷ୍ଟଦ୍ୟୁମ୍ନ, ଶ୍ରୀଖଣ୍ଡି, ଅଭିମନ୍ୟୁ, ଦ୍ରୌପଦୀଙ୍କର ପାଞ୍ଚ ପୁଅ, ପ୍ରଦ୍ୟୁମ୍ନ, ଶାମ୍ବ ଓ ମୁଁ ସହାୟତା କରିବାକୁ ପ୍ରସ୍ତୁତ ହୋଇ ରହିଛୁ । ମୋ ମତରେ ସେ ଆତ୍ମଗର୍ବୀ ଦୁର୍ଯ୍ୟୋଧନ ପାଖକୁ କୌଣସି ଶାନ୍ତି ପ୍ରସ୍ତାବ ନପଠାଇ ଶୀଘ୍ର ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା ଉଚିତ ।
ରାଜା ଦ୍ରୁପଦ କହିଲେ ସାତ୍ୟକି ଠିକ୍ କଥା କହୁଛନ୍ତି । ଆମକୁ ଯୁଦ୍ଧ କରିବାକୁ ହେବ । କାରଣ ଦୁର୍ଯ୍ୟୋଧନ କେବେବି ସହଜରେ ପାଣ୍ଡବମାନଙ୍କୁ ସେମାନଙ୍କ ରାଜ୍ୟ ଫେରାଇବନି । ପୁତ୍ର ପ୍ରେମରେ ଅନ୍ଧରାଜା ଧୃତରାଷ୍ଟ୍ର କେବେବି ଦୁର୍ଯ୍ୟୋଧନକୁ ବିରୋଧ କରିବେନି । ଦୁର୍ଯ୍ୟୋଧନଙ୍କ ସବୁ କଥାରେ ହଁ ମାରିବାରେ ସେ ହେଳା କରନ୍ତିନି । ଶକୁନି ଓ ଅଙ୍ଗ ରାଜା କର୍ଣ୍ଣ ତ ସବୁବେଳେ ଚାହାଁନ୍ତି ପାଣ୍ଡବଙ୍କ ସହ ଯୁଦ୍ଧ ହେଉ । ଭୀଷ୍ମ, ଦ୍ରୋଣ ଓ କୃପ ଆଦି ଯୁଦ୍ଧକୁ ବିରୋଧ ନିଶ୍ଚୟ କରିବେ, କିନ୍ତୁ ହସ୍ତିନାପୁରକୁ ରକ୍ଷା କରିବାକୁ ଠିକଣା ସମୟରେ ଅସ୍ତ୍ର ବି ଉଠେଇବେ । ତେଣୁ ବଳରାମ ଯେଉଁ ପରାମର୍ଶ ଦେଲେ ତାହା ଫଳପ୍ରଦ ହେଲା ପରି ମନ ହେଉନି ।
ପାପ ବୁଦ୍ଧି ଦୁର୍ଯ୍ୟୋଧନକୁ ମିଠାକଥା ବିଷ ପରି ଲାଗିବ । ଦୁର୍ଯ୍ୟୋଧନକୁ ଯିଏ ମଧୁର ଭାବରେ ସମ୍ଭାଷଣ କରେ ସେ ମୁଢମତି ତାକୁ ଦୁର୍ବଳ ବୋଲି ମାନ୍ୟକରେ । ହସ୍ତିନାପୁରକୁ ପ୍ରସ୍ତାବ ପଠାଯାଉ, ମୋର ଆପତ୍ତି ନାହିଁ କିନ୍ତୁ ଏପଟେ ଆମ ମିତ୍ର ଦେଶମାନଙ୍କୁ ସାହାଯ୍ୟ ପାଇଁ ଦୂତ ପ୍ରେରଣ କରିବା ଉଚିତ । ଖୁବଶୀଘ୍ର ଶଲ୍ୟ, ଜୟସେନ, ଧୃଷ୍ଟକେତୁ, କେକୟ ପ୍ରଭୃତି ରାଜାଙ୍କ ପାଖକୁ ଆମ ପ୍ରସ୍ତାବ ନେଇ ଦୂତ ଯାଆନ୍ତୁ । ହୁଏତ ଆମ ଆଗରୁ ହସ୍ତିନାପୁରରୁ ଦୁର୍ଯ୍ୟୋଧନ ସେମାନଙ୍କ ପାଖକୁ ଦୂତ ପ୍ରେରଣ କରିସାରିଥିବ । ସଜ୍ଜନଙ୍କ ପାଖରେ ଯିଏ ପ୍ରଥମେ ପହଞ୍ଚି ସାହାଯ୍ୟ ଭିକ୍ଷା କରେ ସେମାନେ ତାକୁ ହିଁ ସାହାଯ୍ୟ କରନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752817979.jpg)