Mahabharat Story: ବାର ବର୍ଷ ବନବାସ ଓ ବର୍ଷେ ଅଜ୍ଞାତବାସର ଦଣ୍ଡ କଥା

ମଣିଷ ସବୁ ଜାଣି ବାର ବାର ଭୁଲ୍ କରେ । ପୁରୁଣା ଭୁଲରୁ କିଛି ବି ଶିଖିପାରେନି । ହିତାକାଂକ୍ଷୀମାନଙ୍କ କଥା ବିଷ ପରି ଲାଗେ। ଜୁଆ ଖେଳର ପରାଭବ ଜାଣିଲା ପରେ ବି ପୁଣି ଥରେ ସେଇ ପଶାପାଲି ପାଖରେ କାହିଁକି ବସିଲେ ରାଜା? କ'ଣ ପାଇଁ ବାର ବର୍ଷ ବନବାସ ଓ ବର୍ଷେ ଆଜ୍ଞାତ ବାସରେ ଗଲେ ରାଜ ପରିବାର? ଏଇ ପରି ଆହୁରି ଅନେକ କାହାଣୀ ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।

ମହାଭାରତ କଥା

ଅଶୁଭ ଶକୁନ ସବୁ ଦେଖି ଧୃତରାଷ୍ଟ୍ର ପାଣ୍ଡବମାନେ ଜୁଆ ଖେଳରେ ହାରିଥିବା ସବୁ କିଛି ଫେରେଇଦେଲେ । ପାଞ୍ଚଭାଇଙ୍କୁ ଦାସ ପଣରୁ ମୁକ୍ତ କଲା ପରେ ପାଣ୍ଡବମାନେ ଇନ୍ଦ୍ରପ୍ରସ୍ଥକୁ ଫେରିଗଲେ। 

ପାଣ୍ଡବମାନଙ୍କ ଭାଗ୍ୟରେ କିନ୍ତୁ ସୁଖ ଶାନ୍ତି ବେଶି ସମୟ ପାଇଁ ନଥିଲା । କାରଣ ଧୃତରାଷ୍ଟ୍ର ପାଣ୍ଡବମାନଙ୍କୁ ସବୁକିଛି ଫେରାଇଦେବା କଥାକୁ ସହଜରେ ଦୁର୍ଯ୍ୟୋଧନ, ଦୁଃଶାସନ, ଶକୁନି ଓ କର୍ଣ୍ଣ ଆଦି ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ । ପାଣ୍ଡବମାନେ ଫେରିଗଲା ପରେ ପରେ ସେମାନେ ଗୋଟେ ଯାଗାରେ ଏକାଠି ହେଲେ ଓ ମନ୍ତ୍ରଣା କରିବାକୁ ଲାଗିଲେ । ଶକୁନି କହିଲେ ଯାହା ହେଲା ଠିକ ହେଲାନି । ସବୁ ଶ୍ରମ ମୋର ବୃଥାରେ ଗଲା। ପାଣ୍ଡବମାନଙ୍କୁ ପାଦ ତଳକୁ ଆଣାଗଲା କିନ୍ତୁ କେତେ ସହଜରେ ଦେଖ ସେମାନେ କେମିତି ଖସିଗଲେ । ଦୁର୍ଯ୍ୟୋଧନଙ୍କୁ ଅନେଇ କହିଲେ ସବୁ ତୁମ ଅନ୍ଧ ବାପାଙ୍କ ପାଇଁ ହେଲା । କୌଣସି ବାଘ ଅବା ସିଂହକୁ ଆହତ କରି ଜଙ୍ଗଲେ ଛାଡି ଦିଆଯାଏନି । ପାଣ୍ଡବମାନଙ୍କୁ ଛାଡିଦେଇ ତୁମେ ନିଜ ଉପରକୁ ବିପଦ ଡାକିଆଣିଲ । ସେମାନେ ଆନନ୍ଦରେ ଫେରିନାହାଁନ୍ତି । ଦେଖିବ ଅଳ୍ପ ଦିନ ଭିତରେ ସେମାନେ ବଳ ସଞ୍ଚୟ କରି ସୈନ ସାମନ୍ତ ଧରି ହସ୍ତିନାପୁରକୁ ଆକ୍ରମଣ କରିବାକୁ ଫେରିବେ । 

ଏପରି ଅନେକ ପ୍ରକାରର ମନ୍ତ୍ରଣା ପରେ ସଭିଏ ସାଙ୍ଗ ହୋଇ ରାଜା ଧୃତରାଷ୍ଟ୍ରଙ୍କ ପାଖକୁ ଗଲେ । ଶକୁନି ଧୃତରାଷ୍ଟ୍ରଙ୍କୁ କହିଲେ ଅନ୍ୟମାନଙ୍କ କଥାରେ ପଡି ଆପଣ ପାଣ୍ଡବମାନଙ୍କୁ ମୁକ୍ତ କରିଦେଲେ । କିନ୍ତୁ ସେମାନେ କ'ଣ ସହଜରେ ପାଇଥିବା ଅପମାନକୁ ଭୁଲି ସତରେ ଦୁର୍ଯ୍ୟୋଧନଙ୍କୁ କ୍ଷମା କରିଦେବେ? ରାଗିଥିବା ସାପକୁ କେହି କେବେ ବେକରେ ପକାଏନି । 

ଦୁର୍ଯ୍ୟୋଧନ କହିଲେ, ସେମାନେ ଏଠାରୁ ଫେରିଲା ବେଳେ ସେମାନଙ୍କ ମୁଖରେ ଯେଉଁ କ୍ରୋଧ ଥିଲା ତାହା ଖୁବ ଶୀଘ୍ର ହସ୍ତିନାପୁରକୁ ବିପଦରେ ପକାଇବ । ପାଞ୍ଚ ପାଣ୍ଡବ କେହି ବି ପାଞ୍ଚାଳୀଙ୍କ ଅପମାନ ନେଇ ଆମମାନଙ୍କୁ କ୍ଷମା କରିବେନି । ଶାସ୍ତ୍ରରେ ଅଛି ସର୍ବସ୍ୱ ଅପହରଣ କଲାପରେ ଶତୃକୁ ନିହତ କରିବା ଉଚିତ। ଏବେବି ସମୟ ଅଛି ସେମାନେ ସେମାନଙ୍କ ସୈନ୍ୟ ସାମନ୍ତ ଧରି ହସ୍ତିନାପୁରକୁ ଆକ୍ରମଣ କରିବା ପୂର୍ବରୁ ଆମେ ସେମାନଙ୍କୁ ନିପାତ କରିଦେଲେ ସମସ୍ତଙ୍କ ପାଇଁ ମଙ୍ଗଳ ହେବ । 

ପାଣ୍ଡବମାନଙ୍କ ଉପରେ ଆକ୍ରମଣକୁ ଧୃତରାଷ୍ଟ୍ର ପସନ୍ଦ କଲେନି । ସେ ଜାଣିଥିଲେ ଭରା ସଭାରେ ଦ୍ରୌପଦୀଙ୍କୁ ଯେଉଁପରି ଭାବରେ ଅପମାନିତ କରାଯାଇଛି ଦୁର୍ଯ୍ୟୋଧନଙ୍କ ଏପରି ପ୍ରସ୍ଥାବକୁ କେହି ସମର୍ଥନ କରିବେନି । ଧୃତରାଷ୍ଟ୍ର ଅରାଜି ହେବାରୁ ଶକୁନି ଆଉ ଏକ ପ୍ରସ୍ଥାବ ରଖିଲେ । କହିଲେ ତେବେ ପାଣ୍ଡବମାନଙ୍କୁ ଆଉ ଥରେ ଦ୍ୟୁତ କ୍ରୀଡା ପାଇଁ ଆମନ୍ତ୍ରଣ କରାଯାଉ । ଏଥର ଆମେ ପଣ ଭାବରେ କୌଣସି ଦ୍ରବ୍ୟ ରଖିବାନି । ଏଥର ପଣ ରହିବ ଯିଏ ହାରିବ ସେ ଦେଶ ଛାଡି ବାର ବର୍ଷପାଇଁ ମୃଗ ଚମଡା ପିନ୍ଧି ବନବାସରେ ଯିବ ଓ ବାର ବର୍ଷ କାଟିଲା ପରେ ବର୍ଷକ ପାଇଁ ଅଜ୍ଞାତ ବାସରେ ରହିବ । ସେଇ ଅଜ୍ଞାତ ବାସ ସମୟରେ ଧରା ପଡିଲେ ପୁଣି ବାର ବର୍ଷ ବନବାସ । ଦ୍ୟୁତକ୍ରୀଡାରେ ଯୁଧିଷ୍ଠିର କେବେ ହେଲେ ମୋ ପାଖରୁ ଜିତି ପାରିବେନି। ପାଣ୍ଡବମାନଙ୍କର ବାର ବର୍ଷ ପାଇଁ ବନବାସ ଯିବା ଥୟ ଜାଣ । 

ଶକୁନିଙ୍କ କଥା ସରୁ ସରୁ ଦୁର୍ଯ୍ୟୋଧନ କହିଲେ ପାଣ୍ଡବମାନେ ବାର ବର୍ଷ ପାଇଁ ବନବାସରେ ଯିବାପରେ ଆମକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ଢେର ସମୟ ମିଳିବ । ସେମାନେ ବନବାସରୁ ଫେରି ଆମ ଉପରେ ଆକ୍ରମଣ କଲା ପୂର୍ବରୁ ଆମେ ସେମାନଙ୍କୁ ବଣ ଭିତରେ ସହଜରେ ନିହତ କରିପାରିବା । ତେଣୁ ସେମାନଙ୍କୁ ଆଉଥରେ ପଶାପାଲି ପାଖକୁ ଫେରାଇ ଅଣାଯାଉ । କ୍ଷତ୍ରୀୟ ଧର୍ମକୁ ସମ୍ମାନ ଦେଇ ଯୁଧିଷ୍ଠିର ଆଉଥରେ ପଶା ଖେଳିବାକୁ ମନା କରିବେନି । ସମ୍ମୁଖ ଯୁଦ୍ଧରେ ଏବେ ସେମାନଙ୍କୁ ପରାଜୟ କରିବା ଅସମ୍ଭବ । କେବଳ ଜୁଆ ଖେଳରେ ହିଁ ସେମାନଙ୍କୁ ହରାଇ ବଶ କରାଯାଇପରିବ । ମାମୁଁ ଶକୁନିଙ୍କ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ଅଛି । 

ବିଦୁର ଓ ଗାନ୍ଧାରୀଙ୍କ କଥା ଶୁଣି ଓ ଅଶୁଭ ଶକୁନ କଥା ଜାଣି ଧୃତରାଷ୍ଟ୍ର ସାହସ ଓ ବିଜ୍ଞତା ଦେଖାଇ ପାଣ୍ଡବମାନଙ୍କୁ ଶାନ୍ତ କରି ସେମାନଙ୍କ ରାଜ୍ୟ ସେମାନଙ୍କୁ ଫେରାଇଦେଇଥିଲେ । କିନ୍ତୁ ପୁତ୍ର ସ୍ନେହରେ ଅନ୍ଧ ରାଜା ପୁଣିଥରେ ଶକୁନି ଆଦିଙ୍କ ଭୁଲ ପରାମର୍ଶ ମାନିନେଲେ । ପ୍ରାତିକାମୀଙ୍କୁ ଆଦେଶ ଦେଲେ ପାଣ୍ଡବମାନେ ବେଶି ଦୂର ଯାଇନଥିବେ । ସେମାନଙ୍କୁ ଖେଳ ମଣ୍ଡପକୁ ଆଉ ଥରେ ଡାକିଦିଅ । ନୂଆ ନୀୟମରେ ଆଉ ଥରେ ଖେଳ ହେବ ।

ପୁଣି ଥରେ ପଶା ଖେଳର ଆୟୋଜନ ହେଉଛି ଶୁଣି ଭୀଷ୍ମ, ଦ୍ରୋଣ, କୃପ, ଶଲ୍ୟ, ବିଦୁର, ସୋମଦତ୍ତ, ବହ୍ଲୀକ, ଭୂରିଶ୍ରବା,ଅଶ୍ଵତ୍ଥାମା, ଯୁଯୁତ୍ସୁ, ବିକର୍ଣ୍ଣ ଆଦି ଆସି ଅନେକ ଭାବରେ ଧୃତରାଷ୍ଟ୍ରଙ୍କୁ ବୁଝାଇଲେ । କହିଲେ ସମସ୍ୟା ସମାଧାନ ହୋଇ ସାରିଛି । ପୁଣିଥରେ ପୋଡା କାଠରେ ନିଆଁ ଲଗାଇବାର କୌଣସି ଆବଶ୍ୟକତା ନାହିଁ । କପଟ, ଛଳନା ଓ ଶଠତା ବାଟରେ ଯାହା ଅର୍ଜନ ହେବ ତାହା ଅଳ୍ପ ସମୟରେ ନଷ୍ଟ ହେଇଯିବ । ଗାନ୍ଧାରୀ ମନେପକେଇ ଦେଲେ ଦୁର୍ଯ୍ୟୋଧନ ଜନ୍ମ ସମୟରେ କେମିତି ଅନେକ ପ୍ରକାରର ଅଶୁଭ ଶକୁନ ଦେଖା ଯାଇଥିଲା । ଦୁର୍ଯ୍ୟୋଧନ ଜନ୍ମ ହେଉ ହେଉ ଶୃଗାଳ ପରି ଭୁକିଥିଲା । ସେଇଥିପାଇଁ ବିଦୁର କହିଥିଲେ ଏ ପିଲା ବଂଶ ନାଶ କରିବ, ତାକୁ ଶୀଘ୍ର ତ୍ୟାଗ କର । ମୁଁ କିନ୍ତୁ କାହା କଥା ଶୁଣିନଥିଲି । ଏବେ ତା'ର ପରିଣାମ ଭୋଗିବାକୁ ହେଉଛି। 

ଚୁପ ଚାପ ସବୁ ଶୁଣି ରାଜା ଧୃତରାଷ୍ଟ୍ର କହିଲେ, ଯଦି କୁଳ ନାଶ ହେବାର ଥିବ, ହେଲେ ହେବ । ମୁଁ କ'ଣ ରକ୍ଷା କରିପାରିବି? ମୁଁ କିଏ? 

ପାଣ୍ଡବମାନେ ଇନ୍ଦ୍ରପ୍ରସ୍ଥରେ ପହଞ୍ଚିବା ଆଗରୁ ଧୃତରାଷ୍ଟ୍ରଙ୍କ ଦୂତ ଭାବରେ ପ୍ରାତିକାମୀ ସେମାନଙ୍କ ପାଖରେ ପହଞ୍ଚିଲେ ଓ ଆଉ ଥରେ ଦ୍ୟୁତ କ୍ରୀଡା ପାଇଁ ନିମନ୍ତ୍ରଣ କଲେ । ଆଉ ଥରେ ହସ୍ତିନା ଫେରି ଶକୁନିଙ୍କ ସହ କପଟ ପଶା ଖେଳିବାକୁ କେହି ରାଜି ନଥିଲେ । ଯୁଧିଷ୍ଠିର କିନ୍ତୁ ତାଙ୍କ ଭାଇମାନଙ୍କୁ ବୁଝେଇ କହିଲେ ଦେଖ ଭାଗ୍ୟ ଠାରୁ ବଡ କିଛି ନାହିଁ । ଯାହା ହେବାର କଥା ହେବ। ଆମେ କିଛି ଅନ୍ୟଥା କରିପାରିବାନି । ବୃଦ୍ଧ ରାଜା ଧୃତରାଷ୍ଟ୍ର ଯେତେବେଳେ ଆଉ ଥରେ ଖବର ପଠେଇଛନ୍ତି ଆମେ ଯିବା ଉଚିତ । କ୍ଷତ୍ରୀୟ ଧର୍ମ ଅନୁସାରେ ପ୍ରସ୍ଥାବ ଗ୍ରହଣ କରିବାକୁ ପଡିବ । 

ପାଣ୍ଡବମାନେ କ୍ରୀଡା ମଣ୍ଡପରେ ପହଞ୍ଚିଲା ପରେ ଖେଳ ଆରମ୍ଭ ପୂର୍ବରୁ ଶକୁନି କହିଲେ ଏଥର ଆମେ ଧନ ରତ୍ନ, ମଣିଷ କି ଦେଶକୁ ପଣ ରଖିବାନି । ଆମେ ହାରିଲେ ବାର ବର୍ଷ ପାଇଁ ହରିଣ ଚମଡା ପିନ୍ଧି ବଣକୁ ଯିବୁ । ତାପରେ ବର୍ଷେ ଅଜ୍ଞାତବାସ। ଅଜ୍ଞାତବାସରେ ଧରା ପଡିଲେ ଆଉ ଥରେ ବାର ବର୍ଷ ବନବାସ । ଆଉ ବର୍ଷେ ଅଜ୍ଞାତବାସ। ତୁମେମାନେ ହାରିଲେ ସେଇ ବାର ବର୍ଷ ବନବାସ ଓ ବର୍ଷେ ଅଜ୍ଞାତବାସ । ଯିଏ ବି ବନବାସରେ ଯାଉ ନା କାହିଁକି, ତେର ବର୍ଷ ପରେ ଫେରିଲା ପରେ ତାକୁ ତା' ଦେଶ ଫେରାଇ ଦିଆଯିବ । 

ସଭାରେ ଉପସ୍ଥିତ ଥିବା ଅନେକ ସଜ୍ଜନ ଯୁଧିଷ୍ଠିରଙ୍କୁ ପଶାପାଲି ପାଖରେ ନବସିବାକୁ ଯେତେ ବୁଝେଇଲେ ସେ ଶୁଣିଲେନି । ସେ ପଶା ଖେଳ ପ୍ରତି ଏତେ ଆସକ୍ତ ଥିଲେ ଯେ, କାହା କଥା ଶୁଣିବାକୁ ଆଦୌ ପ୍ରସ୍ତୁତ ନଥିଲେ । କିଛି ସମୟ ଆଗରୁ ଖେଳରେ ସମ୍ପତ୍ତି ଓ ସମ୍ମାନ ସବୁକିଛି ହରାଇଥିଲେ ବି ତାଙ୍କର ତଥାପି ବୁଦ୍ଧି ଉଦୟ ହେଇ ନଥିଲା । ସେ ପୁଣି ଥରେ ଶକୁନିଙ୍କ କଥା ମାନି ପଶାପାଲି ପାଖରେ ବସିପଡିଲେ । 

ଖେଳର ପରିଣାମ କ'ଣ ହେବ ସେକଥା ସମସ୍ତେ ଜାଣିଥିଲେ । ଶକୁନିଙ୍କୁ ପଶା ଖେଳରେ ପରାଜୟ କରିବା ଏକବାର ଅସମ୍ଭବ ଥିଲା । ଖେଳ ଆରମ୍ଭ ହେବାର ଅଳ୍ପ ସମୟ ପରେ ଶକୁନି ଆନନ୍ଦରେ ଦୁର୍ଯ୍ୟୋଧନଙ୍କ ଉଦ୍ଦେଶ୍ୟରେ ଚିତ୍କାର କରି କହିଲେ ଭଣଜା ଆମେ ପୁଣି ଥରେ ଜିତିଲେ । ଶକୁନିଙ୍କ ଘୋଷଣା ଶୁଣି କୌରବ ଶିବିରରେ ଆନନ୍ଦ ଖେଳିଗଲା । 

ଦୁଃଶାସନ ବଡ ପାଟି କରି କହିଲେ, ହେ ପାଞ୍ଚାଳୀ ଏବେ ପାଞ୍ଚ ଭାଇ ବଣକୁ ଯିବେ। ତୁମେ ଏ ଅପଦାର୍ଥ ଭାଇମାନଙ୍କ ସାଙ୍ଗରେ ପୁଣି କାହିଁକି ବନବାସରେ ଯିବ? ସେମାନେ ରାଜସଭାରେ ତୁମକୁ ସୁରକ୍ଷା ଦେଇ ପାରିଲେନି । ସେମାନଙ୍କ ଭରସାରେ ବଣ ଜଙ୍ଗଲରେ ବୁଲିବା ଠିକ ହେବନି । ବରଂ ଏଠାରେ ଉପସ୍ଥିତ ଅନେକ ସୁପରୁଷଙ୍କ ଭିତରୁ କାହାକୁ ବିବାହ କରି ରାଜ ପ୍ରାସାଦରେ ସୁଖ ଶାନ୍ତିରେ ରୁହ । 

ଦୁଃଶାସନଙ୍କ ଅଭଦ୍ର ବ୍ୟବହାରେ ଭୀମସେନ ଭୀଷଣ ରାଗି ଗଲେ। ଆଖି ଲାଲ କରି କହିଲେ ରେ ମୁର୍ଖ,ପାପି, ହୀନବୁଦ୍ଧି ଚଣ୍ଡାଳ ଦୁଃଶାସନ.. .. ତୁ ଯେମିତି ବ୍ୟବହାର କରୁଛୁ ଚାହିଁଲେ ତୋତେ ଏବେ ଉତ୍ତର ଦେଇପାରିଥାନ୍ତି । କିନ୍ତୁ ତୁ ମୋର ଫେରିବା ପର୍ଯ୍ୟନ୍ତ ଅପେକ୍ଷା କର । ତୋର ତେଜ ବଳ କେତେ ମୁଁ ସବୁ ଜାଣିଛି । ଯାହା ବଳରେ ଆଉ ଯାହା ବୁଦ୍ଧିରେ ତୁ ଏମିତି ହେଉଛୁ ସେଦିନ କେହିବି ତୋର ସହାୟ ହେବେନି । ମନେରଖିଥା କଡା ଗଣ୍ଡା କରି ସବୁର ହିସାବ ମୁଁ ନେବି । ଭୀମଙ୍କ କଥାକୁ ହସରେ ଉଡେଇ ଦୁଃଶାସନ ପାଣ୍ଡବମାନଙ୍କୁ ଆହୁରି ଅଧିକ ଟାହି ଟାପରା କରି ଅପମାନ କରିବାକୁ ଲାଗିଲେ । 

ମୃଗ ଚମଡା ପରିଧାନ କରି ପାଣ୍ଡବ ପାଞ୍ଚ ଭାଇ ସଭା ଗୃହ ଛାଡି ବାହାରିଯିବା ବେଳକୁ ଦୁର୍ଯ୍ୟୋଧନ ଭୀମଙ୍କ ଚାଲିକୁ ନକଲ କଲେ । ଦୁର୍ଯ୍ୟୋଧନଙ୍କ ନକଲ ଚାଲି ଦେଖି କୌରବ ଭାଇମାନେ ବଡ ପାଟିରେ ହସି ଉଠିଲେ । ଅନ୍ୟମାନେ ନିଜ ନିଜର କ୍ରୋଧକୁ ଦମନ କରିରଖିଲେ କିନ୍ତୁ ଭୀମ କୌରବମାନଙ୍କ ଉଦ୍ଦେଶ୍ୟରେ କହିଲେ, ତୁମମାନଙ୍କ ପରି ପାପୀମାନଙ୍କ ସହ ଖୁବ ଶୀଘ୍ର ଯୁଦ୍ଧ ହେବ । ଦୁର୍ଯ୍ୟୋଧନ ଆଉ ଦୁଃଶାସନ ମୋଅରି ହାତରେ ମୋ ଗଦା ପ୍ରହାରରେ ମରିବେ ।ଏ ପାପୀ କର୍ଣ୍ଣ ମରିବ ଅର୍ଜୁନ ହାତରେ। ଶକୁନିକୁ ସହଦେବ ପଶୁ ପରି ହତ୍ୟା କରିବ । କାହାକୁ ଜଣକୁ ବି ଆମେ କ୍ଷମା କରିବୁନି । ଗଣି ଗଣି ସମସ୍ତଙ୍କୁ ଯମଙ୍କ ପାଖକୁ ପଠାଇବୁ । 

ତାପରେ ପାଞ୍ଚ ଭାଇ ଓ ପାଞ୍ଚାଳୀ ବନବାସରେ ବାହାରିବା ପୂର୍ବରୁ ଭୀଷ୍ମ, ଦ୍ରୋଣ, ଶଲ୍ୟ, କୃପ, ସଞ୍ଜୟ ଓ ବିଦୁର ଆଦିଙ୍କୁ ସାକ୍ଷାତ କରି ଆଶୀର୍ବାଦ ନେଲେ । ବିଦୁର ପାଣ୍ଡବ ଭାଇମାନଙ୍କୁ କହିଲେ ତୁମମାନଙ୍କ ସହ ମାତା କୁନ୍ତୀ ଆଉ ଥରେ ବନବାସରେ ଯାଇପାରିବେନି । ତାଙ୍କର ବୟସ ହୋଇ ସାରିଛି। ବଣ ଜଙ୍ଗଲ ଭିତରେ ବିଭିନ୍ନ ପ୍ରକାର ପ୍ରତିକୂଳ ପରିବେଶରେ ଚଳିବା ତାଙ୍କ ପକ୍ଷରେ ଏବେ ସହଜ ହେବନି । ତେଣୁ ତୁମେମାନେ ଫେରିବା ପର୍ଯ୍ୟନ୍ତ ସେ ଆମ ଘରେ ବିଶ୍ରାମ ନିଅନ୍ତୁ? କୁନ୍ତୀ ବିଦୁରଙ୍କ ଘରେ ରହିଲେ । 

ହସ୍ତିନାର ରାଜଦାଣ୍ଡରେ ମୃଗ ଚମଡା ପିନ୍ଧି, ତଳକୁ ମୁହଁ ପୋତି, ପାଣ୍ଡବ ପାଞ୍ଚଭାଇ ଓ ସେମାନଙ୍କ ପଛେ ପଛେ ଖଣ୍ଡେ ମାତ୍ର ଶାଢୀ ପିନ୍ଧି ଦ୍ରୌପଦୀ ଧୀର ପାଦରେ ଚାଲି ଚାଲି ଯାଉଥା'ନ୍ତି । ବାର ବର୍ଷ ପାଇଁ ବନବାସ ଓ ବର୍ଷେ ଆଜ୍ଞାତ ବାସରେ ବାହାରିଗଲା ବେଳକୁ, ନଗରବାସୀ ସେମାନଙ୍କ ଆଖିର ଲୁହକୁ ଅଟକାଇ ପାରୁନଥା'ନ୍ତି । ସମସ୍ତେ କାନ୍ଦୁଥାନ୍ତି ଓ ଶକୁନି ଏବଂ କୌରବ ଭାଇମାନଙ୍କୁ ଅଭିସମ୍ପାତ ଦେଉଥା'ନ୍ତି ।