Mahabharat Story: ବସ୍ତ୍ର ହରଣ ଓ କୋଟି ବସ୍ତ୍ର ବୃତ୍ତାନ୍ତ 

ସଭା ଭିତରେ କାହିଁକି ଜଣେ କୂଳବଧୂଙ୍କ ବସ୍ତ୍ର ହରଣ ପାଇଁ ଅପଚେଷ୍ଟା ହେଲା ? କ'ଣ ହେଲା ତା'ର ପରିଣାମ? ପତ୍ନୀର ଲାଞ୍ଚନା ଦେଖି ବି କାହିଁକି ଚୁପ ରହିଲେ ସ୍ଵାମୀମାନେ? କୋଉ ପ୍ରଶ୍ନ ଶୁଣି ସଭିଏଁ ଚୁପ ରହିଲେ? କ'ଣ ପାଇଁ ପୁଣି ଜୁଆରେ ଜିତିଥିବା ଦ୍ରବ୍ୟ ଫେରାଇଦେଲେ ରାଜା? ଏଇ ସବୁ କଥା ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।

ମହାଭାରତ କଥା

ପଶାରେ ଯୁଧିଷ୍ଠିର ପରାଜୟ ବରଣ କଲାପରେ, କର୍ଣ୍ଣ କହିଲେ ପାଣ୍ଡବମାନଙ୍କର ସବୁକିଛି ଏବେ କୌରବଙ୍କର। ସେମାନେ ପରିଧାନ କରିଥିବା ଅଙ୍ଗ ବସ୍ତ୍ର ବି କୌରବଙ୍କର। ଏ କଥା ଶୁଣି ପାଣ୍ଡବ ପାଞ୍ଚ ଭାଇ ପରିଧାନ କରିଥିବା ଉତ୍ତରୀୟଗୁଡିକୁ ନିଜ ନିଜ ଦେହରୁ କାଢି ଫିଙ୍ଗିଦେଲେ । ତାପରେ କର୍ଣ୍ଣ ନିଜର ଓ ସଭାର ସମସ୍ତ ପଦ ମର୍ଯ୍ୟାଦା ଭୁଲି ଦୁଃଶାସନଙ୍କୁ କହିଲେ ଏ ପାଞ୍ଚାଳୀର ବସ୍ତ୍ର ବି କୌରବଙ୍କର । ସେଇଟିକୁ ଖୋଲି ଆଣିଦିଅ।

କର୍ଣ୍ଣଙ୍କ କଥାରେ ପୁରା କୁରୁ ସଭା ସ୍ତବ୍ଧ ହେଇଗଲା । ସମସ୍ତେ ଚମକି ପଡିଲେ । ଦ୍ରୌପଦୀ ଭୟ ଓ ଆଶଙ୍କାରେ ଚାରି ଦିଗକୁ ଚାହିଁବାକୁ ଲାଗିଲେ । ସେ ଜାଣିଥିଲେ ତାଙ୍କୁ ଏମିତି ଏକ ବିପଦରୁ ରକ୍ଷା କରିବାକୁ ସେଠି କେହି ଜଣେ ବି ନାହାଁନ୍ତି । ଭୁବନଜିଣା ତାଙ୍କ ପାଞ୍ଚ ସ୍ୱାମୀ ଏବେ କୌରବଙ୍କର ଦାସ । ନିଜ ନିଜ ଆସନରୁ ଉଠି ଠିଆହେବାର ସାମର୍ଥ୍ୟ ସେମାନଙ୍କର ନାହିଁ ।

କର୍ଣ୍ଣଙ୍କ କଥା ଶୁଣି ଦୁଃଶାସନ ବିଳମ୍ବ ନକରି ଦ୍ରୌପଦୀଙ୍କ ଦେହରେ ଗୁଡା ହେଇଥିବା ଖଣ୍ଡିଏ ମାତ୍ର ଲୁଗାକୁ ଟାଣିବାକୁ ଲାଗିଲେ । ଦ୍ରୌପଦୀ ପ୍ରଥମେ ନିଜକୁ ରକ୍ଷା କରିବାକୁ ଅନେକ ଚେଷ୍ଟା କଲେ । କିନ୍ତୁ ବଳଶାଳୀ ଦୁଃଶାସନ ପାଖରୁ ସେ ନିଜକୁ କେମିତି ବା ରକ୍ଷା କରି ପାରିବେ । ଯାହାର କେହି ନାହାଁନ୍ତି ତା'ର ଭଗବାନ ଅଛନ୍ତି । ଶେଷରେ ଦ୍ରୌପଦୀ ମନେ ମନେ କୃଷ୍ଣଙ୍କୁ ଡାକି କହିଲେ ହେ ସଖା, ତୁମ ଛଡା ଏ କୁରୁ ସଭା ତଳେ ମୋତେ ସହାୟ ହେବାକୁ ଆଉ କେହି ବି ନାହାଁନ୍ତି । ମୁଁ ନିଜେ ନିଜକୁ ରକ୍ଷା କରିପାରୁନି । ହେ କେଶବ! ତୁମେ ହିଁ ମୋର ଶେଷ ସହାୟ । ପାରୁଛ ଯଦି ମୋ ଲଜ୍ୟା ନିବାରଣ କର । ଜଣେ କୂଳବଧୂର ମର୍ଯ୍ୟାଦା ରକ୍ଷା କର । ଏତିକି କହି ଦ୍ରୌପଦୀ ଦୁଃଶାସନ ଯୋର କରି ଟାଣୁଥିବା ଶାଢୀକୁ ଛାଡିଦେଲେ ଓ ଆଖି ବନ୍ଦ କରି କୃଷ୍ଣଙ୍କ ଉଦ୍ଦେଶ୍ୟରେ ଦୁଇ ହାତ ଯୋଡିଲେ । କ'ଣ ଘଟିବାକୁ ଯାଉଛି ସେଠାରେ ଉପସ୍ଥିତ ସଭାଜନ ଜାଣିଥିଲେ । ସେ ଭୟାନକ ଦୃଶ୍ୟର ସାକ୍ଷୀ ନରହିବାକୁ ଅନେକ ଆଖି ବନ୍ଦ କରିନେଲେ । 

ଦ୍ରୌପଦୀ ହାତ ଛାଡିଦେଲା ପରେ ଦୁଃଶାସନ ଶାଢୀକୁ ଟାଣିବାରେ ଲାଗିଥାନ୍ତି । ଆଶ୍ଚର୍ଯ୍ୟ ଓ ଅଲୌକିକ ଘଟଣା ଘଟିଲା । ଦୁଃଶାସନ ଯେତେ ଶାଢୀ ଟାଣୁଥାନ୍ତି, ସେତେ ଶାଢୀ ଦ୍ରୌପଦୀଙ୍କ ଦେହରେ ଘୋଡାଇ ହୋଇଯାଉଥାଏ । ସଭା ସ୍ଥଳର ମଝିରେ ପାହାଡ ପ୍ରମାଣେ ଶାଢୀ ଗଦା ହେଲା ପରେ ବି ଦ୍ରୌପଦଙ୍କ ଶାଢୀ ସରୁନଥାଏ । ଶେଷରେ ଦୁଃଶାସନ ଦ୍ରୌପଦୀଙ୍କୁ ବିବସନା କରିନପାରି ହାଲିଆ ହୋଇ ତଳେ ବସି ପଡିଲେ । ଦୁର୍ଯ୍ୟୋଧନ, ଶକୁନି, କର୍ଣ୍ଣ ଓ ଅନ୍ୟ କୌରବମାନେ ଆଶ୍ଚର୍ଯ୍ୟ ଚକିତ ହେଇ ଚାହିଁରହିଥାନ୍ତି । ଅନ୍ୟମାନେ ଧର୍ମର ଜୟ ହେଲା କହି ଆଖିରୁ ଖୁସିର ଲୁହ ପୋଛିଲେ । 

ଭୀମ ତାଙ୍କ ବଜ୍ରମୁଷ୍ଠିକୁ ଭୁଇଁରେ ପିଟି ଗର୍ଜନ କରି କହିଲେ, ହେ ବୀର କ୍ଷତ୍ରୀୟ ଗଣ, କାନ ଖୋଲି ମୋ ଶପଥ ଶୁଣିନିଅ । ଏମିତି ଶପଥ ପୂର୍ବରୁ କେହି କରିନଥିଲେ କି ଭବିଷ୍ୟତରେ ବି କେହି କରିବେନି । ମୁଁ ଯୁଦ୍ଧରେ ଏ ପାପୀ ଦୁରାଚାରୀ ଦୁଷ୍ଟ ଦୁଃଶାସନକୁ ଦୁଇ ଫାଳ କରି ଦିନେ ଚିରିବି ଓ ତା' ଛାତିକୁ ଫାଡି ରକ୍ତ ପିଇବି ।

ସଭାଗୃହରେ ହଠାତ କୋଳାହଳ ଆରମ୍ଭ ହେଇଗଲା । କୌରବମାନଙ୍କ ଅଧର୍ମ କର୍ମକୁ ସମସ୍ତେ ଦେଖୁଥିଲେ । ଲୋକମାନେ ଚାହୁଁଥିଲେ ଧର୍ମର ରକ୍ଷା ହେଉ ଓ କୁରୁ ସଭାରେ ନ୍ୟାୟପୂର୍ଣ୍ଣ ବିଚାର ହେଉ । ଲୋକମାନଙ୍କ କୋଳାହଳକୁ ଅଟକାଇ ବିଦୂର ଠିଆହେଲେ । ଧିର ଓ ସ୍ପଷ୍ଟ ସ୍ୱରରେ ବିଦୂର କହିଲେ ଆଜି ଯେଉଁ କଳଙ୍କିତ ଘଟଣା ଘଟିଗଲା, ତାହା ଭାରତବର୍ଷର ଇତିହାସରେ କେବେ ବି ଘଟିନଥିଲା । ଏବେ କିନ୍ତୁ ଆମକୁ ଦ୍ରୌପଦୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ହେବ । ଜାଣି ଜାଣି ଚୁପ ରହିବା ଅଧର୍ମ । ବିକର୍ଣ୍ଣ ତାଙ୍କ କଥା କହିସାରିଛନ୍ତି । ଏବେ ସଭାର ଅନ୍ୟମାନେ ସେମାନଙ୍କ କଥା କୁହନ୍ତୁ । 

ତାପରେ ପୁରା ସଭାକୁ ବିଦୂର ଗୋଟେ କାହାଣୀ କହିଲେ । ଏକଦା ପ୍ରହ୍ଲାଦ ନାମରେ ଜଣେ ଦୈତ୍ୟ ଥିଲେ । ତାଙ୍କ ପୁଅର ନାମ ବିରୋଚନ । ଥରେ ବିରୋଚନ ଓ ଅଙ୍ଗିରସଙ୍କ ପୁଅ ସ୍ୱଧନ୍ୱାଙ୍କ ସହ ବିବାଦ ହେଲା । ଜଣେ ଅନ୍ୟଜଣକ ଠାରୁ ଶ୍ରେଷ୍ଠ ବୋଲି ଦାବି କରୁଥାନ୍ତି । ଦୁହିଁଙ୍କ ଭିତରେ କିଏ ଶ୍ରେଷ୍ଠ ଜାଣିବାକୁ ସେମାନେ ଦାନବ ରାଜା ପ୍ରହ୍ଲାଦଙ୍କୁ ପଚାରିଲେ । ସ୍ୱଧନ୍ୱା କହିଲେ ସଠିକ ଉତ୍ତର ନଦେଲେ କି ମିଛ କହିଲେ ତୁମ ମୁଣ୍ଡ ଶତ ଖଣ୍ଡ ହୋଇଯିବ । ସ୍ୱଧନ୍ୱାଙ୍କ ତେଜ ଦେଖି ପ୍ରହ୍ଲାଦ ଭୟ ପାଇଗଲେ । ତେଣୁ କଶ୍ୟପ ଋଷିଙ୍କ ପାଖରେ ଯାଇ ପହଞ୍ଚି ପଚାରିଲେ ଯିଏ ଜାଣି ଜାଣି ପ୍ରଶ୍ନର ଉତ୍ତର ଦିଏନି, ଅବା ମିଛ ଉତ୍ତର ଦିଏ, ପରଲୋକରେ ତା'ର କ'ଣ ହୁଏ? କଶ୍ୟପ ଋଷି ପ୍ରହ୍ଲାଦଙ୍କୁ ସବୁ ଜାଣି, ସବୁ ଦେଖି ଓ ସବୁର ବିଚାର କରି ଯଦି କେହି ନୀରବ ରୁହେ କିମ୍ବା ମିଛର ଆଶ୍ରୟ ନିଏ ତେବେ ତା'ର କଣ ସବୁ ପରିଣାମ ହୁଏ ବୁଝାଇ କହିଲେ । ପ୍ରହ୍ଲାଦ ଯାଇଁ ବିରୋଚନଙ୍କୁ କହିଲେ ବାପ ତୋ ଠାରୁ ସ୍ୱଧନ୍ୱା ଶ୍ରେଷ୍ଠ । ପୁତ୍ର ସ୍ନେହକୁ ପଛ କରି ସତ୍ୟ ଓ ଧର୍ମର ପଥକୁ ବାଛିଥିବାରୁ ପ୍ରହ୍ଲାଦଙ୍କୁ ସ୍ୱଧନ୍ୱା ଧନ୍ୟବାଦ ଦେଲେ ଓ ବିରୋଚନଙ୍କୁ ଆଶୀର୍ବାଦ କଲେ । 

କାହାଣୀ କହିସାରି ବିଦୂର ପୁରା ସଭାକୁ କହିଲେ ଏବେ ସମସ୍ତେ ନୀରବ ନରହି, ବିଚାର କରି, ଧର୍ମକୁ ସମ୍ନାନ ଜଣାଇ ପାଞ୍ଚାଳୀଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତୁ । 

ତଥାପି କେହି କିଛି କହିଲେନି । କର୍ଣ୍ଣ ଦୁଃଶାସନଙ୍କୁ କହିଲେ ପାଞ୍ଚାଳୀଙ୍କୁ ଦାସୀମାନଙ୍କ ଘରକୁ ନେଇଯାଅ । ସେ ସେଇଠି ରହି କୌରବଙ୍କ ସେବା କାମ କରିବେ । ଦୁଃଶାସନ ଆଉଥରେ ଦ୍ରୌପଦଙ୍କୁ ଟାଣିବାକୁ ଉଦ୍ୟମ କରିବାରୁ ଦ୍ରୌପଦ କହିଲେ ଆରେ ନରାଧମ ଟିକେ ଅପେକ୍ଷା କରେ । ତୁ ମୋତେ ଏଠାକୁ ଘୋଷାଡି ଆଣିଥିବା ବେଳେ ମୁଁ ପ୍ରକୃତିସ୍ଥ ନଥିଲି । ତେଣୁ ଗୁରୁ ଗୁରୁଜନଙ୍କୁ ଯଥାରୀତି ସମ୍ମାନ ଜଣାଇନଥିଲି । ସେମାନଙ୍କୁ ଆଗ ପ୍ରଣାମ କରିସାରେ । ମୁଁ ମୋ ସ୍ୱୟଂବର ଦିନ ଛଡା କେବେ ବି କୌଣସି ସଭାକୁ ଆସିନଥିଲି । ସ୍ୱାମୀମାନଙ୍କ ଛଡା ମୋତେ ପର ପୁରୁଷ ସ୍ପର୍ଶ କରିନଥିଲେ । ମୋ ଦେହରେ ସାମାନ୍ୟ ପବନ ବାଜିବାକୁ ଦେଇନଥିବା ମୋ ପାଞ୍ଚ ସ୍ୱାମୀ ତଳକୁ ମୁହଁ କରି ବସିଛନ୍ତି । ଏଠି ଉପସ୍ଥିତ ଥିବା ବଡ ବଡ ବୀରଙ୍କର ଧର୍ମଜ୍ଞାନ କୁଆଡେ ଗଲା? କୋଉ ରାଜା ତାଙ୍କ ଧର୍ମ ପତ୍ନୀଙ୍କୁ ସଭାକୁ ଆଣୁନଥିଲେ । ମୋତେ କିନ୍ତୁ ଆସିବାକୁ ପଡିଲା । ରାଜା ଦ୍ରୁପଦଙ୍କ ଝିଅ, ବୀର ଧୃଷ୍ଟଦ୍ୟୁମ୍ନଙ୍କ ଭଉଣୀ, ପାଞ୍ଚ ବୀରଙ୍କ ପତ୍ନୀ, କୃଷ୍ଣଙ୍କ ସଖୀ ହୋଇ କି ଲାଭ ହେଲା? ଏ କୁରୁ ସଭାର ସମସ୍ତଙ୍କୁ ପଚାରୁଛି ମୋତେ ଦୟାକରି କୁହନ୍ତୁ ନିଜକୁ ହାରି ସାରିଥିବା ଧର୍ମରାଜ ମୋତେ ପଣ ରଖି ହାରିଲେ କେମିତି? 

ଭୀଷ୍ମ କହିଲେ, ହେ ପାଞ୍ଚାଳୀ ଧର୍ମର ସୁକ୍ଷ୍ମ ଗତୀକୁ ବିଜ୍ଞ ମଣିଷ ବି ସହଜରେ ବୁଝିପାରେନି । ଏ ସଂସାରରେ ବଳବାନ ଲୋକ ଯାହାକୁ ଧର୍ମ ବୋଲି କୁହେ ତାହା ପ୍ରକୃତରେ ଅଧର୍ମ ହେଲେ ବି ଲୋକ ବ୍ୟବହାରରେ ତାକୁ ଧର୍ମ ବୋଲି କୁହନ୍ତି । ଏବେ ମୁଁ ତୁମର ପ୍ରଶ୍ନର ଉତ୍ତର ଦେଇପାରୁନି । ହଁ କୌରବମାନେ ଲୋଭ ଓ ମୋହରେ ଆସକ୍ତ ହୋଇ ବିନାଶକୁ ଡାକି ଆଣିଛନ୍ତି । ତୁମେ କିନ୍ତୁ ଏତେ ସବୁ ପରେ ବି ଧର୍ମ ଉପରେ ବିଶ୍ୱାସ ଓ ଆସ୍ଥା ରଖିଛ, ତାହା ବଡ କଥା । ଏଠାରେ ଉପସ୍ଥିତ ଥିବା ଦ୍ରୋଣ, ଶଲ୍ୟ, କୃପ ଆଦି ଜୀବନ ନଥିବା ଶରୀରରେ କେବଳ ବସି ରହିଛନ୍ତି । ମୁଁ ଭାବୁନି ସେମାନେ ତୁମ ପ୍ରଶ୍ନର ଉତ୍ତର ଦେଇ ପାରିବେ । ତୁମକୁ ଦ୍ୟୁତ କ୍ରୀଡାରେ କୌରବ ମାନେ ଜିତିଛନ୍ତି କି ନାହିଁ ସେ ଉତ୍ତର କେବଳ ହସ୍ତିନାପୁରର ରାଜା ଧୃତରାଷ୍ଟ୍ର ହିଁ ଦେଇ ପାରିବେ । 

ଧୃତରାଷ୍ଟ୍ର କିଛି କହିବା ଆଗରୁ ଦୁର୍ଯ୍ୟୋଧନ କହିଲେ, ହେ ପାଞ୍ଚାଳୀ, ତୁମ ପ୍ରଶ୍ନର ଉତ୍ତର ମହାରାଜା ଦେବା ଆଗରୁ ତୁମ ସ୍ୱାମୀ ଭୀମ, ଅର୍ଜୁନ, ନକୁଳ ଓ ସହଦେବ ଦିଅନ୍ତୁ । ସେମାନେ କୁହନ୍ତୁ ଯୁଧିଷ୍ଠିର ଜଣେ ମିଥ୍ୟାବାଦୀ ଓ ତାଙ୍କ କଥାର କିଛି ମୂଲ୍ୟ ନାହିଁ । ତେଣିକୁ ତୁମେ ତୁମ ଦାସୀ ପଣରୁ ମୁକ୍ତ । 

ଦୁର୍ଯ୍ୟୋଧନ କଥାର ଉତ୍ତର ଦେବାକୁ ଯାଇ ଭୀମ କହିଲେ ସେଇ ଧର୍ମରାଜ ଭାଇଙ୍କ ପାଇଁ ତ ମୁଁ ଚୁପ ହୋଇ ବସି ରହିଛି । ସେ ମିଥ୍ୟାବାଦୀ କାହିଁକି ଓ କେମିତି ହେବେ? ଧର୍ମ ପଥରେ ନଥିଲେ ଆଜି ପାଞ୍ଚାଳୀର କେଶାଗ୍ର ଛାଡ, ତାଙ୍କ ଛାଇକୁ କେବଳ ଛୁଇଁ ଥିଲେ ମୁଁ ଦୁରାଚାରୀ ଦୁଃଶାସନକୁ ଯମପୁରୀ ପଠେଇ ସାରନ୍ତିଣି । ଅର୍ଜୁନ ବି କହିଲେ ବଡ ଭାଇଙ୍କ ପାଇଁ ମୁଁ ବି ଚୁପ ରହିଛି । ନହୋଇଥିଲେ ଏ ସୂତପୁତ୍ର କର୍ଣ୍ଣ ଆଜି ମୋ ଅସଲ ରୂପ ପ୍ରତ୍ୟକ୍ଷ କରିଥାନ୍ତା । ଭୀମ ଓ ଅର୍ଜୁନଙ୍କ କଥାର ପ୍ରଭାବ ଦୁର୍ଯ୍ୟୋଧନ ଓ କର୍ଣ୍ଣଙ୍କ ଉପରେ କିଛି ବି ପଡିଲାନି । ସେମାନେ ପରସ୍ପରକୁ ଚାହିଁ ହସାହସି ହେଲେ ଓ ଦୁର୍ଯ୍ୟୋଧନ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ନିଜର ପିନ୍ଧା ଲୁଗାକୁ ଉଠେଇ ଆପଣା ବଳିଷ୍ଠ ଜଙ୍ଘ ଦେଖାଇଲେ। 

ଏଥର ଭୀମସେନ ଆହୁରି ରାଗିଗଲେ ଓ ଆଖି ଲାଲ କରି କହିଲେ ତୁମେ ଗର୍ବ ଅଭିମାନରେ ଅନାର୍ଯ୍ୟଙ୍କ ପରି ଗୁରୁ ଗୁରୁଜନଙ୍କ ଆଗରେ ଯୋଉ ଜାନୁ ଦେଖାଉଛ, ମୁଁ ସେଇ ଗୁରୁ ଗୁରୁଜନଙ୍କ ଆଗରେ ଶପଥ କରି କହୁଛି ଗଦା ପ୍ରହାରରେ ସେ ଜାନୁକୁ ଭାଙ୍ଗିବି । ଅର୍ଜୁନ ବି କହିଲେ ମୋ ହାତରେ ଏ ସୂତପୁତ୍ର କର୍ଣ୍ଣର ମରଣ ଯୋଗ ରହିଛି । 

ସେତିକିବେଳକୁ ହଠାତ ଧୃତରାଷ୍ଟ୍ରଙ୍କ ହୋମ ଘରେ ବିଲୁଆ ଭୁକିବାକୁ ଲାଗିଲେ। ତାକୁ ଶୁଣି ଗଧମାନେ ରଡି କରିବା ଆରମ୍ଭ କଲେ। ଅଶୁଭ ଶକୁନର ପକ୍ଷୀମାନେ ସାରା ଆକାଶରେ ଉଡି ଉଡି ରାବିବାକୁ ଲାଗିଲେ । ଭୀଷ୍ମ, ଦ୍ରୋଣ, ଶଲ୍ୟ, କୃପ, ବିଦୂର ଓ ରାଜମାତା ଗାନ୍ଧାରୀ ଏ ଅଶୁଭ ଶବ୍ଦ ଶୁଣି ପ୍ରମାଦ ଗଣିଲେ । ଗାନ୍ଧାରୀ ଓ ବିଦୂର ରାଜା ଧୃତରାଷ୍ଟ୍ରଙ୍କ ପାଖକୁ ଯାଇଁ କହିଲେ ମହାରାଜ, ଏ ଅଶୁଭ ଶକୁନ ଶୁଣି ଆପଣ ତଥାପି କ'ଣ କିଛି ଜାଣି ପାରୁନାହାଁନ୍ତି? ଏବେ ଅନ୍ତତଃ ଜଣେ ରାଜା ଭାବରେ ରାଜଧର୍ମ ପାଳନ କରନ୍ତୁ । 

ଧୃତରାଷ୍ଟ୍ର ବୁଝୁଥିଲେ ସମୟ ଭଲ ନାହିଁ । ଅମଙ୍ଗଳ ସୂଚନା ସବୁକୁ ଜାଣିଲା ପରେ ସେ ଭୟରେ ପାଟି ଖୋଲିଲେ । ନିଜ ଭିତରେ ସାହାସ ସଞ୍ଚୟ କରି ଦୁର୍ଯ୍ୟୋଧନଙ୍କୁ କହିଲେ ତୁ କିଛିବି ଠିକ୍ କଲୁନି ପୁଅ । ଘରର କୁଳବଧୂକୁ ଆଜି ଯେପରି ଅପମାନ ଦେଲୁ ତୋତେ ଧର୍ମ କ୍ଷମା କରିବନି । କୌରବଙ୍କୁ ବିନାଶ କୋଳରୁ ଆଉ କେହି ରକ୍ଷା କରିପାରିବେନି । ତାପରେ ଦ୍ରୌପଦୀଙ୍କୁ କହିଲେ ଯାହା ହେବା କଥା ହେଇ ସାରିଲାଣି, ଏବେ ତୁ କହ ମାଆ, ତୁ କ'ଣ ଚାହୁଁ । ହସ୍ତିନାପୁରର ରାଜା ଭାବରେ କଥା ଦେଉଛି ତୁ ଯାହା ଚାହିଁବୁ ମୁଁ ଦେବି । ଦ୍ରୌପଦୀଙ୍କ ହାତ ଯୋଡି କହିଲେ, ହେ ମହାରାଜା ! ଯୁଧିଷ୍ଠିର ଓ ତାଙ୍କ ସାନ ଭାଇମାନଙ୍କୁ କୌରବଙ୍କ ଦାସତ୍ୱରୁ ମୁକ୍ତ କରନ୍ତୁ । 

ଧୃତରାଷ୍ଟ୍ର ପାଣ୍ଡବମାନଙ୍କୁ ମୁକ୍ତ କଲାପରେ ସେମାନଙ୍କ ଧନ ରତ୍ନ ଓ ଦେଶ ମଧ୍ୟ ଫେରେଇଦେଲେ ଓ କହିଲେ ଏବେ ତୁମେମାନେ ତୁମ ଦେଶ ଇନ୍ଦ୍ରପ୍ରସ୍ଥକୁ ଫେରି ଶାନ୍ତିରେ ରୁହ । ମୋର ଗୋଟେ ମାତ୍ର ଅନୁରୋଧ, ନିଜ ନିଜର ଉଦାରତାରେ ନିଜର ଭାଇ ଭାବି ଦୁର୍ଯ୍ୟୋଧନର ଭୁଲକୁ କ୍ଷମା କରିଦିଅ ।