Mahabharat Story: ତୃଷ୍ଣାର୍ଥ ପାଣ୍ଡବ ଓ ଅଜଣା ଶୂନ୍ୟବାଣୀ

କାହିଁକି ପାଣ୍ଡବମାନେ ଘୋର ଜଙ୍ଗଲରେ ଗୋଟେ ମୃଗର ସନ୍ଧାନ କରୁଥିଲେ? ଶୋଷରେ ଆଉଟୁ ପାଉଟୁ ହୋଇ କ'ଣ କଲେ ସେମାନେ? ଅରଣ୍ୟ ଭିତରେ ଥିବା ସରୋବରରୁ ଜଳ ଆଣିବାକୁ ଯାଇ କାହିଁକି ପାଣ୍ଡବ ଚାରି ଭାଇ ଆଉ ଯୁଧିଷ୍ଠିରଙ୍କ ପାଖକୁ ଫେରିଲେନି? ଏଇ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢ଼ନ୍ତୁ ମହାଭାରତର ଆଜିର ଅଧ୍ୟାୟ ।

ମହାଭାରତ କଥା

ସିନ୍ଧୁରାଜ ଜୟଦ୍ରଥ ପାଞ୍ଚାଳୀଙ୍କୁ ଅପହରଣ କରିନେବାର ଅପଚେଷ୍ଟା ପରେ ପାଣ୍ଡବମାନେ କାମ୍ୟକ ବନକୁ ଛାଡି ପୁର୍ନବାର ଦ୍ୱୈତ ବନକୁ ଫେରିଆସିଥା'ନ୍ତି । 

ଅରଣ୍ୟରେ ରହୁଥିବା ତପସ୍ୱୀମାନେ ଦୁଇ ଖଣ୍ଡ କାଠକୁ ଘଷି ଘଷି ସେମାନଙ୍କର ଆବଶ୍ୟକୀୟ ଅଗ୍ନି ତିଆରି କରନ୍ତି । ଦୁଇ ଖଣ୍ଡ କାଠରୁ ଗୋଟିଏକୁ ଅରଣି ଓ ଅନ୍ୟଟିକୁ ମନ୍ଥନ ଦଣ୍ଡ କୁହାଯାଏ। ଥରେ ଜଣେ ଋଷିଙ୍କ ଆଶ୍ରମ ପାଖର ଏକ ଗଛରେ ରଖାଯାଇଥିବା ତାଙ୍କ ଅରଣି ଓ ମନ୍ଥନ ଦଣ୍ଡକୁ ଗୋଟେ ମୃଗ ତା' ଶିଙ୍ଗରେ ଓଲଟ ପାଲଟ କରି ଖେଳୁଥାଏ। ଖେଳୁ ଖେଳୁ ସେ କାଠ ଦୁଇଖଣ୍ଡ ମୃଗର ଶିଙ୍ଗରେ ଲାଗିଯିବାରୁ ମୃଗ ବିଚରା ଭୟରେ ସେଠାରୁ ଧାଇଁ ପଳେଇଲା। ତା' ଶିଙ୍ଗରେ ଫସିଥିବା କାଠ ଦୁଇଟି ବି ତା' ସାଙ୍ଗରେ ପଳେଇଲେ । ବ୍ରାହ୍ମଣ ଜଣକ ଏବେ କରିବେ କ'ଣ। ଶେଷରେ ସାହାଯ୍ୟ ଆଶାରେ ଅଳ୍ପ ଦୂରରେ ରହୁଥିବା ପାଣ୍ଡବଙ୍କ ପାଖରେ ପହଞ୍ଚିଲେ ଓ ଯୁଧିଷ୍ଠିରଙ୍କୁ କହିଲେ, “ହେ ଧର୍ମରାଜ ! ଜଙ୍ଗଲର ହରିଣ ଗୋଟେ ମୋ ଅରଣି ଓ ମନ୍ଥନଦଣ୍ଡକୁ ତା' ଶିଙ୍ଗରେ ଧରି ପଳେଇଛି । ଏବେ ମୁଁ ନିଆଁ କୋଉଠୁ ଆଣିବି ଓ ମୋ ହୋମ ପୂଜା କେମିତି କରିବି? ଦୟାକରି ସେ ମୃଗ ଶିଙ୍ଗରେ ଲାଗିଥିବା ମୋ ଅରଣିକୁ ଉଦ୍ଧାର କରନ୍ତୁ ।”  

ତପସ୍ୱୀଙ୍କ ଅରଣିକୁ ଉଦ୍ଧାର କରିବାକୁ ମୃଗ ଯେଉଁ ଦିଗରେ ଯାଇଥିଲା ପାଣ୍ଡବମାନେ ସେଇ ଦିଗରେ ଧାଇଁଲେ । କିଛି ବାଟ ଯିବାପରେ ମୃଗ ଦୃଶ୍ୟ ହେଲା। ଟିକେ ସମୟ ପରେ କିନ୍ତୁ ପୁଣିଥରେ ଉଭାନ୍ ହୋଇଗଲା। ମୃଗର ପିଛା କରି କରି ପାଣ୍ଡବ ଭାଇମାନେ ଜଙ୍ଗଲର ବହୁତ ଭିତରକୁ ଆସିଯାଇଥିଲେ। ମୃଗ ଆଉ ଦିଶିଲାନି। ସମସ୍ତେ ହାଲିଆ ହୋଇ ଗୋଟେ ବଡ଼ ବରଗଛ ଛାଇରେ ବସିପଡ଼ିଲେ। ଶୋଷରେ ତଣ୍ଟି ଶୁଖିଯାଉଥାଏ। ଆଖପାଖରେ କେଉଁଠି ବି ପାଣି ଥିବା ପରି ଲାଗୁନଥାଏ ।

ନକୁଳ କହିଲେ, “ଆମେ କେବେବି କୌଣସି ଅଧର୍ମ କର୍ମ କରିନେ। କିନ୍ତୁ ଜଣେ ବ୍ରାହ୍ମଣଙ୍କୁ ଛୋଟିଆ ସାହାଯ୍ୟଟେ କରିପାରିଲେନି। ଏତେ କଷ୍ଟ କରି ଏତେ ବାଟ ଧାଇଁ ଆସିଲେ କିନ୍ତୁ ସାମାନ୍ୟ ମୃଗ ଆମମାନଙ୍କ ହାତରୁ ଖସି ଚାଲିଗଲା । କାହିଁକି ଏ ସଂଶୟ ଆସିଲା ମୁଁ ବୁଝିପାରୁନି।” 

ଯୁଧିଷ୍ଠିର କହିଲେ, “ଆପଦର କିଛି ସୀମା ନାହିଁ । ବିପଦ କେତେବେଳେ କେଉଁ ରୂପରେ ଆସି ପହଞ୍ଚିବ କେହି କହିପାରିବେନି। କର୍ମଫଳ ରୂପରେ ତାକୁ ଭୋଗିବାକୁ ହେବ।” ଭୀମସେନ କିନ୍ତୁ ଯୁଧିଷ୍ଠିରଙ୍କ କଥାରେ ଏକମତ ହେଲେନି । ସେ କହିଲେ “ଯେଉଁଦିନ କୁରୁସଭା ତଳେ ପାଞ୍ଚାଳୀର ଅପମାନ କରାଗଲା ସେଇଦିନ ସେ ଦୁଷ୍ଟ ଆତ୍ମାମାନଙ୍କୁ ସେଇଠି ହତ୍ୟା କଲେନି ବୋଲି ଆଜି ତା'ର ପରିଣାମ ଭୋଗ କରୁଛେ । ସେଦିନ ଆମେ ସମସ୍ତେ ଭୀରୁ ପରି ବସି ରହିନଥିଲେ ଆଜିର ପରିସ୍ଥିତି ଆସିନଥା'ନ୍ତା । କୌଣସି ସଂଶୟ ଆସିନଥା'ନ୍ତା। କର୍ଣ୍ଣ ସେଦିନ ଯେଉଁ ଅପମାନ କଥା ସବୁ ଆମକୁ କହିଲା ସେତେବେଳେ ବି ଆମେ ତଳକୁ ମୁହଁ ପୋତି ବସି ରହିଲେ । ସେଦିନର କର୍ମଫଳ ବାରବର୍ଷ ହେଲାଣି ଭୋଗ କରୁଛେ ।” 

ସହଦେବ କହିଲେ, “ଶକୁନି କପଟ ପଶାରେ ଆମକୁ ହରାଇଲା ବେଳେ ସେଇ କ୍ରୀଡ଼ାଭୂମିରେ ତାକୁ ସେଇଠି ତୁରନ୍ତ ବଧ କରିବାର ଥିଲା । ଆମେ କିଛି କଲେନି ବରଂ ନୀରବ ରହିଲେ । ତା'ର ପରିଣାମରେ ଏପରି ଜୀବନ ବଞ୍ଚିବାକୁ ହେଉଛି ।” 

ଯୁଧିଷ୍ଠିର ତାଙ୍କ ଭାଇମାନଙ୍କ ମନ ଭିତରେ ଥିବା କ୍ରୋଧ ଓ ଅସନ୍ତୋଷକୁ ବୁଝିପାରୁଥିଲେ । ବୁଝୁଥିଲେ ମୃଗର ପିଛା କରି କରି ସମସ୍ତେ କ୍ଲାନ୍ତ ଓ ତୃଷାର୍ତ୍ତ । ସେ ନିଜକୁ ଅବା ଅନ୍ୟକାହାକୁ ଦୋଷ ନଦେଇ କହିଲେ, “ହେ ନକୁଳ! ତମେ ପ୍ରଥମେ ଗୋଟେ ଡେଙ୍ଗା ଗଛକୁ ଚଢ଼ି ଚାରିଦିଗକୁ ଦେଖି କୁହ ତ ଆଖପାଖରେ କେଉଁଠି ପାଣି ଅଛି କି? ପ୍ରଥମେ ଆମମାନଙ୍କ ଜୀବନ ରକ୍ଷା ପାଇଁ ପାଣିର ଆବଶ୍ୟକତା ରହିଛି ।” 

ନକୁଳ ପାଖ ଗଛରେ ଚଢ଼ିଲେ ଓ ଓହ୍ଲାଇ ଆସି କହିଲେ, “ଅଳ୍ପ ଦୂରରେ ଏକ ସରୋବର ଦୃଶ୍ୟ ହେଉଛି । ହଂସମାନଙ୍କର କଳରବ ବି ଶୁଭୁଛି ।” 

ଯୁଧିଷ୍ଠିର ତୂଣୀରରେ ଭର୍ତ୍ତିକରି ପାଣି ଆଣିବାକୁ ନକୁଳଙ୍କୁ ନିର୍ଦ୍ଦେଶ ଦେଲେ। ନକୁଳ ସରୋବର ପାଖରେ ପହଞ୍ଚି ଦେଖିଲେ ପାଣି ଅତ୍ୟନ୍ତ ସ୍ୱଚ୍ଛ। ସଫା ନୀଳ ପାଣି ଦେଖି ନକୁଳଙ୍କର ଶୋଷ ଦୁଇଗୁଣା ବଢ଼ିଗଲା । ସେ ପାଣି ପିଇବା ପାଇଁ ସରୋବର ପାଣିରେ ଆଞ୍ଜୁଳି ବୁଡ଼େଇଛନ୍ତି ତ ହଠାତ୍ ଶୂନ୍ୟରୁ ଏକ ସ୍ୱର ଶୁଭିଲା । ଅଦୃଶ୍ୟରୁ କେହି ଜଣେ କହିଲା, “ହେ ପଣ୍ଡୁପୁତ୍ର ଦୁଃସାହସ କରନି। ଏ ସରୋବରର ମାଲିକ ମୁଁ। ମୋର ବିନା ଅନୁମତିରେ ଏହାର ଜଳ କେହିବି ବ୍ୟବହାର କରିପାରିବେନି। ମୋ ସରୋବରର ଜଳ ପାନ କରିବାକୁ ହେଲେ ତୁମକୁ ପ୍ରଥମେ ମୋ ପ୍ରଶ୍ନର ଉତ୍ତର ଦେବାକୁ ହେବ। ମୁଁ ତୁମ ଉତ୍ତରରେ ସନ୍ତୁଷ୍ଟ ହେଲେ ତୁମେ ପାଣି ପିଇପାରିବ ଓ ତୁମ ଭାଇମାନଙ୍କ ପାଇଁ ନେଇ ବି ପାରିବ।” 

ନକୁଳ ଆଶ୍ଚର୍ଯ୍ୟ ହୋଇ ଚାରି ଦିଗକୁ ଦେଖିବାକୁ ଲାଗିଲେ । କେହି କେଉଁଠି ନଥିଲେ । ତାପରେ ତାଙ୍କୁ ଏତେ ଯୋରରେ ଶୋଷ ହେଉଥିଲା ଯେ ମୁଣ୍ଡରେ ବୁଦ୍ଧି ପଶୁନଥିଲା । ସେ ଅଶରୀରୀ ସ୍ୱରକୁ ଉପେକ୍ଷା କରି ଆଞ୍ଜୁଳା ଭରି ପାଣି ପିଇବାକୁ ଲାଗିଲେ । ପାଣି ଢୋକେ ପିଉ ପିଉ ନକୁଳ ପ୍ରାଣହୀନ ହୋଇ ସେଇଠି ଟଳିପଡିଲେ । 

ପାଣି ଆଣିବାକୁ ଯାଇ ଅନେକ ସମୟଧରି ନକୁଳ ନଫେରିବାରୁ ଯୁଧିଷ୍ଠିର ସହଦେବଙ୍କୁ ପଠେଇଲେ । ସହଦେବ ସରୋବର ପାଖରେ ପହଞ୍ଚି ଦେଖିଲେ ନକୁଳଙ୍କ ଶରୀର ପ୍ରାଣହୀନ ହୋଇ ପଡ଼ିରହିଛି । ସେ ଏପରି ଏକ ଦାରୁଣ ପରିସ୍ଥିତି ଦେଖି ବ୍ୟସ୍ତ ହୋଇପଡିଲେ। ଭାଇମାନଙ୍କୁ ଯାଇ ଖବର ଦେବା ଆଗରୁ ଶୋଷରେ ଆତୁର ହୋଇ ସରୋବରର ଜଳ ଆଞ୍ଜୁଳାଏ ପିଇବାକୁ ପ୍ରୟାସ କଲା ବେଳକୁ ଅଶରୀରୀ ସ୍ୱର କହିଲା, “ହେ ମାଦ୍ରୀ ପୁତ୍ର ! ଏ ସରୋବରର ମାଲିକ ମୁଁ । ମୋ ଅନୁମତି ବିନା ତୁମେ ଏ ସରୋବରର ପାଣି ପିଇପାରିବନି । ସେଥିପାଇଁ ପ୍ରଥମେ ମୋର ପ୍ରଶ୍ନର ଉତ୍ତର ଦେବାକୁ ହେବ। ତୁମ ଉତ୍ତରରେ ମୁଁ ସନ୍ତୁଷ୍ଟ ହେଲାପରେ ତୁମେ ପାଣି ପିଇପାରିବ । ମୋତେ ଅବଜ୍ଞା କରି ପାଣି ପିଇବାକୁ ପ୍ରୟାସ କଲେ ତୁମ ଭାଇ ପରି ତୁମର ବି ସମ ଅବସ୍ଥା ହେବ।” ନକୁଳଙ୍କ ପରି ସହଦେବ ସେ ଶୂନ୍ୟବାଣୀକୁ ଖାତିର ନକରି ପାଣି ପିଇବାକୁ ଚେଷ୍ଟା କଲେ ଓ ପର ମୁହୂର୍ତ୍ତରେ ତାଙ୍କ ଶରୀର ମାଟି ଉପରେ ମୃତବତ୍ ପଡ଼ିଗଲା । 

ମହାଭାରତ କଥା

ନକୁଳଙ୍କ ପରେ ସହଦେବ ମଧ୍ୟ ନଫେରିବାରୁ ଯୁଧିଷ୍ଠିର ଦୁଇ ଭାଇଙ୍କୁ ଖୋଜିବାକୁ ଅର୍ଜୁନଙ୍କୁ ପଠେଇଲେ । ଅର୍ଜୁନ ତାଙ୍କ ଧନୁ ତୀର ଧରି ସରୋବର ଦିଗରେ ବାହାରିଲେ । କିଛି ବାଟ ଚାଲିଲା ପରେ ଅର୍ଜୁନ ସରୋବର ପାଖରେ ପହଞ୍ଚି ଦେଖିଲେ ତାଙ୍କ ଦୁଇ ପ୍ରିୟ ସାନଭାଇଙ୍କ ଶରୀର ଜଡ଼ପ୍ରାୟ ମାଟିରେ ଗଡୁଛି। କୌଣସି ଶତ୍ରୁ ଆକ୍ରମଣରେ ତାଙ୍କ ଭାଇମାନେ ନିହତ ହୋଇଛନ୍ତି ଭାବି ଶୋକ ଓ କ୍ରୋଧରେ ଅର୍ଜୁନ ତାଙ୍କ ଧନୁରେ ତୀର ଯୋଜନ କରି ଚାରି ପାଖକୁ ସତର୍କ ଦୃଷ୍ଟି ପକେଇଲେ । ଚାରି ଦିଗରେ କେହି କେଉଁଠି ନଥା'ନ୍ତି । ଅନ୍ୟ କିଛି ଭାବିବା ଆଗରୁ ପ୍ରଚଣ୍ଡ ଶୋଷରେ ବିଚଳିତ ଅର୍ଜୁନ ପାଣି ମୁନ୍ଦେ ପିଇବାକୁ ସରୋବର କୂଳରେ ବସିପଡ଼ିଲେ । ସାଙ୍ଗେ ସାଙ୍ଗେ ଅଶରରୀ ସ୍ୱର ତାଙ୍କୁ କହିଲା, “ହେ ପାର୍ଥ ତୁମେ ବଳ ପ୍ରୟୋଗ କରି ମୋ ସରୋବରର ଜଳ ପାନ କରିପାରିବନି। ସେଥିପାଇଁ ପ୍ରଥମେ ମୋ ପ୍ରଶ୍ନର ଉତ୍ତର ଦେବାକୁ ହେବ।” 

ଅର୍ଜୁନ ସେହି ଅଶରୀରୀ ସ୍ୱରକୁ କହିଲେ, “ତୁମେ କିଏ? ତୁମକୁ ତ ମୁଁ ଦେଖିପାରୁନି। ପ୍ରଥମେ ମୋ ସାମ୍ନାକୁ ଆସି ମୋତେ ପ୍ରତିରୋଧ କର ।” ତାପରେ ଅର୍ଜୁନ ଶବ୍ଦଭେଦୀ ବାଣ ଚାରିଦିଗକୁ ନିକ୍ଷେପ କରିବାକୁ ଲାଗିଲେ । ଅଶରୀରୀ ସ୍ୱର କହିଲା, “ହେ ସବ୍ୟସାଚୀ ବୃଥାରେ ଶର ଅପଚୟ କରୁଛ। ମୋ ପ୍ରଶ୍ନର ଉତ୍ତର ଦିଅ ଓ ମନ ଇଚ୍ଛା ଜଳପାନ କରି ଯାଅ ।” ଅର୍ଜୁନ କିନ୍ତୁ ଅବଜ୍ଞାରେ ସରୋବରର ପାଣି ପିଇବାକୁ ଉଦ୍ୟମ କଲେ ଓ ପର ମୁହୂର୍ତ୍ତରେ ନିର୍ଜୀବ ହୋଇ ପଡ଼ିଗଲେ । 

ଯୁଧିଷ୍ଠିର ଏଥରେ ବିଚଳିତ ହୋଇପଡ଼ିଲେ। ଏକରେ ଭୀଷଣ ଶୋଷ ତ ହେଉଥିଲା। ଦୁଇରେ ପାଣି ଆଣିବାକୁ ଯିଏବି ଗଲା ସେ ଆଉ ଫେରିଲାନି। ଯୁଧିଷ୍ଠିର ଶୀଘ୍ର ଅନ୍ୟମାନଙ୍କର ସନ୍ଧାନ ପାଇଁ ଭୀମଙ୍କୁ ପଠେଇଲେ । ଭୀମ ପହଞ୍ଚି ଦେଖିଲେ ତିନି ଭାଇ ତାଙ୍କର ନିର୍ଜୀବ ହୋଇ ସରୋବର କୂଳରେ ପଡ଼ିରହିଛନ୍ତି । ଭୀମ ଦୁଃଖରେ ବିଚଳିତ ହୋଇପଡ଼ିଲେ । ମନେ ମନେ ଭାବିଲେ ଏହା ନିଶ୍ଚୟ କୌଣସି ରାକ୍ଷସ ଅବା ଯକ୍ଷଙ୍କର କାମ । ଯିଏ ଏ ଅପକର୍ମ କରିଛି ତା' ସାଙ୍ଗରେ ଯୁଦ୍ଧ କରିବାକୁ ହେବ । ତା' ପୂର୍ବରୁ ପ୍ରଥମେ ଜଳ ପାନ କରି ତୃଷା ନିବାରଣ କରାଯାଉ ଭାବି ଭୀମସେନ ସରୋବରର ପାଣି ଆଞ୍ଜୁଳାରେ ଭରୁ ଭରୁ ଅଶରୀରୀ ବାଣୀ ଅନ୍ୟମାନଙ୍କୁ ଯେପରି ସତର୍କ କରିଥିଲା ଭୀମଙ୍କୁ ବି ସେମିତି କହିଲା । ଭୀମ କିନ୍ତୁ ସେ ସ୍ୱରକୁ କର୍ଣ୍ଣପାତ ନକରି ପାଣି ପିଇବାକୁ ଉଦ୍ୟତ ହେବାରୁ ଅନ୍ୟମାନଙ୍କ ପରି ସମଦଶା ଭୋଗି ମାଟି ଉପରେ ସେଇଠି ଟଳିପଡ଼ିଲେ । 

ବର ଗଛ ତଳେ କ୍ଲାନ୍ତ ଯୁଧିଷ୍ଠିର କିଛି ବୁଝି ପାରୁନଥିଲେ । ସେ ଯାହାକୁ ବି ପାଣି ଆଣିବାକୁ ପଠେଇଲେ ସେ ଆଉ ଫେରୁନାହିଁ । ସେ ବାଧ୍ୟ ହୋଇ ଅନ୍ୟମାନେ ଯେଉଁ ଦିଗରେ ଯାଇଥିଲେ ସେଇ ଦିଗରେ ଭାଇମାନଙ୍କୁ ଖୋଜି ଖୋଜି ଚାଲିଲେ । ବାଟରେ ବିଭିନ୍ନ ବଣୁଆ ପଶୁ ଓ ପକ୍ଷୀ ବୁଲୁଥା'ନ୍ତି । ବିଭିନ୍ନ ପ୍ରକାର ଚଢ଼େଇ ଓ ଭଅଁରର ଗୁଞ୍ଜନ ଶୁଭୁଥାଏ। କିଛି ବାଟ ଚାଲିଲା ପରେ ଯୁଧିଷ୍ଠିର ଦେଖିଲେ ତାଙ୍କ ଆଗରେ ଭରପୁର ପଦ୍ମ ଫୁଟିଥିବା ଏକ ବିଶାଳ ସରୋବର। ସରୋବରର ନୀଳ ସ୍ୱଚ୍ଛ ଜଳରେ ଦଳ ଦଳ ହଂସ ପହଁରୁଛନ୍ତି। ଆଉ ଟିକେ ପାଖକୁ ଯାଇ ଯୁଧିଷ୍ଠିର ଯେତେବେଳେ ଦେଖିଲେ ତାଙ୍କ ପ୍ରିୟ ବୀର ଭାଇମାନେ ସରୋବର କୂଳରେ ନିର୍ଜୀବ ହୋଇ ଗଡୁଛନ୍ତି ସେତବେଳେ ତାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲାନି । ଭୀମଙ୍କର ଗଦା, ଅର୍ଜୁନଙ୍କର ଧନୁ ତୀର, ସହଦେବଙ୍କ ଖଣ୍ଡା ଓ ନକୁଳଙ୍କ କୁନ୍ତ ଇତଃସ୍ତତଃ ହୋଇ ପଡିଛି । 

ଏପରି ଅବସ୍ଥା ଦେଖି ଯୁଧିଷ୍ଠିର ଭାଇମାନଙ୍କ ନାମ ଧରି ଡାକି ଡାକି କାନ୍ଦି କାନ୍ଦି ବିଳାପ କରିବାକୁ ଲାଗିଲେ ।