Mahabharat Story: ଦେବକନ୍ୟାଙ୍କ ମର୍ତ୍ତ୍ୟଲୋକରେ ବିବାହ ଓ ଜଣେ ରାଜାଙ୍କର ତପସ୍ୱୀ ହେବାର କାହାଣୀ

ଦେବକନ୍ୟା ହୋଇ ବି ମର୍ତ୍ତ୍ୟର ରାଜାଙ୍କୁ ବିବାହ କଲେ କେମିତି? କିଏ ସାଜିଥିଲେ ମଧ୍ୟସ୍ଥି ? ଜଣେ ରାଜା କାହିଁକି ଚୋରୀ କରୁଥିଲେ ଗାଈ? କାହିଁକି ପୁଣି ରାଜ ସିଂହାସନ ଛାଡି ସେ ତାପସ୍ୱୀ ହେବାକୁ ନିଷ୍ପତ୍ତି ନେଲେ? ଏଇ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।

ଦେବକନ୍ୟାଙ୍କ ମର୍ତ୍ତ୍ୟଲୋକରେ ବିବାହ ହେବାର କାହାଣୀ

ଅର୍ଜୁନଙ୍କୁ ଅଙ୍ଗାରପର୍ଣ୍ଣ କହିଲେ ଅତୀତରେ ଘଟିଥିବା ଗୋଟେ ଘଟଣା କହୁଛି । ମନଦେଇ ଶୁଣ ।

ସୂର୍ଯ୍ୟ ଦେବଙ୍କ ଝିଅଙ୍କ ନାମ ତପତୀ । ତପତୀଙ୍କ ପରି ସୁନ୍ଦରୀ ତିନି ଭୂବନରେ କେହି ନଥାନ୍ତି । ଦେବତା, ଅସୁର, ଗନ୍ଧର୍ବ, ନାଗ, ଯକ୍ଷ କି ଅପସରୀ ଦୁନିଆରେ ତାଙ୍କ ସରି କେହି ନଥାନ୍ତି । ଏମିତି ରୂପର ଓ ଗୁଣର ଝିଅ ପାଇଁ ସେମିତିକା ବର ଯେ ଦରକାର । ହେଲେ ତିନି ଲୋକରେ ସୂର୍ଯ୍ୟଦେବଙ୍କୁ କେହି ବି ପସନ୍ଦ ଆସୁନଥାନ୍ତି ।

ସେତେବେଳେ ପୁରୁ ବଂଶ ରାଜା ସମ୍ବରଣ ଶାସନ କରୁଥାନ୍ତି । ଅତ୍ୟନ୍ତ ଧର୍ମପରାୟଣ ପ୍ରଜାବତ୍ସଳ ରାଜା । ଥରେ ରାଜା ଶିକାର ଉଦ୍ଦେଶ୍ୟରେ ଜଙ୍ଗଲକୁ ଯାଇଥାନ୍ତି । ଜଙ୍ଗଲ ବୁଲି ବୁଲି ଓ ଅନେକ ପାହାଡ ଉପରକୁ ଚଢିବା ଏବଂ ଓହ୍ଲାଇବା ଭିତରେ ରାଜାଙ୍କ ଘୋଡାକୁ ଶୋଷ ହେଲା । କିନ୍ତୁ ଆଖ ପାଖରେ କେଉଁଠି ବି ପାଣି ଟୋପେ ମିଳିଲାନି । ଶେଷକୁ ରାଜାଙ୍କ ପ୍ରିୟ ଘୋଡା ସେଇ ପାହାଡି ଘାଟିରେ ପଡି ମରିଗଲା । ରାଜା ତାପରେ ପାଦରେ ଚାଲି ଚାଲି ପାହାଡ ଚଢିଲେ ଓ ଉପରେ ପହଞ୍ଚି ଦେଖିଲେ ଅତ୍ୟନ୍ତ ସୁନ୍ଦରୀ ଯୁବତୀ ଜଣେ ଛିଡା ହେଇଛନ୍ତି । ଯୁବତୀ ଜଣକ ଏତେ ସୁନ୍ଦରୀ ଥିଲେ ଯେ ରାଜା ସମ୍ବରଣଙ୍କର ଆଖି ଆଉ ସେଠୁ ଖସିଲାନି । ରାଜା ତାଙ୍କ ଜୀବନ କାଳରେ ଏମିତିକା ସୁନ୍ଦରୀ ନାରୀକୁ ଦେଖିନଥିଲେ କି ସ୍ୱପ୍ନରେ କଳ୍ପନା ବି କରିନଥିଲେ । ତାପରେ ପ୍ରେମରେ ମୋହାବିଷ୍ଟ ହୋଇ ରାଜା ସେ ଯୁବତୀର ପାଖକୁ ଯାଇ ତାଙ୍କ ପରିଚୟ ମାଗିଲେ । କିନ୍ତୁ ସେ ଯୁବତୀ ରାଜାଙ୍କୁ କୌଣସି ବି ଉତ୍ତର ଦେଲେନାହିଁ । ରାଜା ବୁଝିପାରିଲେନି ଯୁବତୀ ଜଣକ ଦେବୀ, ଗାନ୍ଧର୍ବି, ମାନବୀ ନା ଦାନବୀ? ରାଜା ଭାବୁଥିଲେ ଏ ଯୁବତୀ ତେବେ କ'ଣ କୋଉ ନାଗକନ୍ୟା, ଯକ୍ଷିଣୀ ନା ଅପସରୀ? କିଏ ଏହି ଅପରୂପା ସୁନ୍ଦରୀ।

ରାଜାଙ୍କୁ ଲାଗିଲା ଏକମାତ୍ର ଏଇ ଅପରୂପା ଯୁବତୀ ହିଁ ତାଙ୍କ ପତ୍ନୀ ହେବାକୁ ଯୋଗ୍ୟ । ରାଜା ଭାବିଲେ ଏହି ଆୟତ ନୟନୀ, ତନୁ ପାତଳୀ, ଉଜ୍ଜଳ ସୁନା ରଙ୍ଗର ଗୋରୀ ତାଙ୍କ ଜୀବନକୁ ନଆସିଲେ ତାଙ୍କ ଜୀବନର କିଛି ମୂଲ୍ୟ ନାହିଁ କି ଅର୍ଥ ନାହିଁ । ସେଉଠୁ ରାଜା ସେ ସୁନ୍ଦରୀ ଯୁବତୀଙ୍କ ପାଖକୁ ଯାଇ ସିଧା ବିବାହର ପ୍ରସ୍ଥାବ ଦେଲେ । କିନ୍ତୁ ଯୁବତୀ ଜଣଙ୍କ କହିଲେ - ହେ ରାଜା, ମୋ ବିବାହ ନିଷ୍ପତ୍ତି ମୁଁ ନିଜେ ନେଇ ପାରିବନି । ସେଥିପାଇଁ ମୋ ବାପାଙ୍କ ପାଖରୁ ଅନୁମତି ଆଣିବାକୁ ହେବ । ଏତିକି କହି ସେ ଯୁବତୀ ରାଜାଙ୍କୁ ଅନେଇ ହସି ହସି ଆକାଶକୁ ଉଠି ଧିରେ ଉଭାନ ହେଇଗଲା ।

ରାଜା ସମ୍ବରଣଙ୍କ ଅବସ୍ଥା ଖରାପ । ବିରହ ଯନ୍ତ୍ରଣାରେ ସେ ସେଇଠି ମୂର୍ଚ୍ଛା ହେଇ ପଡିଗଲେ । କିଛି ସମୟ ପରେ ରାଜାଙ୍କୁ ଖୋଜି ଖୋଜି ତାଙ୍କ ମନ୍ତ୍ରୀ ଓ ପରିଚାରକମାନେ ଆସି ଦେଖନ୍ତି ରାଜା ତାଙ୍କ ଅସ୍ତ୍ର ଶସ୍ତ୍ର ତଳେ ପକେଇ ମାଟି ପଥର ଉପରେ ଚେତା ହରେଇ ପଡିଛନ୍ତି । ସେମାନେ ହଠାତ୍ କାରଣ କଣ ବୁଝି ପାରିଲେନି । ମନ୍ତ୍ରୀ ଭାବୁଥିଲେ ରାଜା ଭୋକ ଶୋଷ କିମ୍ବା କ୍ଲାନ୍ତିରେ ହୁଏତ ମୂର୍ଚ୍ଛା ଯାଇଛନ୍ତି । ସାଷ୍ଠାଙ୍ଗ କଲାପରେ ରାଜା ମନ୍ତ୍ରୀଙ୍କୁ ସବୁକଥା କହିଲେ । ମନ୍ତ୍ରୀଙ୍କ ଉପଦେଶ ଅନୁସାରେ ରାଜା ସେଇଠି ତାଙ୍କ କୂଳଗୁରୁ ବଶିଷ୍ଠଙ୍କୁ ସ୍ମରଣ କରି ଧ୍ୟାନରେ ବସିଲେ । ବାର ଦିନ ପରେ ରାଜାଙ୍କ ପାଖରେ ବ୍ରହ୍ମର୍ଷି ବଶିଷ୍ଠ ଆସି ପହଞ୍ଚିଲେ । ରାଜାଙ୍କ ଠାରୁ ସବୁ ଶୁଣି ସାରିଲା ପରେ ସେ ବୁଝିଗଲେ ସେ ସୁନ୍ଦରୀ ଯୁବତୀ କିଏ । ସେଉଠୁ ବ୍ରହ୍ମର୍ଷି ସୂର୍ଯ୍ୟ ଦେବଙ୍କୁ ଭେଟିବାକୁ ସ୍ୱର୍ଗଲୋକକୁ ବାହାରିଲେ ।

ସୂର୍ଯ୍ୟ ଦେବତାଙ୍କ ସହ ସାକ୍ଷାତ କରି ବ୍ରହ୍ମର୍ଷି ବଶିଷ୍ଠ ରାଜା ସମ୍ବରଣଙ୍କ ସହ ତପତୀଙ୍କ ବିବାହ ପ୍ରସ୍ଥାବ ରଖିଲେ । କହିଲେ ହେ ସୂର୍ଯ୍ୟଦେବ! ଏ ସମଗ୍ର ବ୍ରହ୍ମାଣ୍ଡରେ ଆପଣଙ୍କ ଝିଅ ତପତୀଙ୍କ ପାଇଁ ରାଜା ସମ୍ବରଣଙ୍କ ଠାରୁ ବଳି ଯୋଗ୍ୟ ଆଉ ଉପଯୁକ୍ତ ବର ପାଇବେନି । ସୂର୍ଯ୍ୟ ରାଜା ସମ୍ବରଣଙ୍କୁ ଜାଣିଥିଲେ ଓ ତାଙ୍କର ଅରାଜି ହେବାର କିଛି ନଥିଲା । ତାପରେ ବ୍ରହ୍ମର୍ଷି ବଶିଷ୍ଠ ସୂର୍ଯ୍ୟକନ୍ୟା ତପତୀଙ୍କୁ ସାଙ୍ଗରେ ଧରି ରାଜାଙ୍କ ପାଖରେ ପହଞ୍ଚିଲେ । ସେଇ ପାହାଡ ଉପରେ ତପତୀ ଓ ରାଜା ସମ୍ବରଣଙ୍କ ବିବାହ ବ୍ରହ୍ମର୍ଷି ବଶିଷ୍ଠ କରାଇଲେ । ତପତୀଙ୍କୁ ପତ୍ନୀ ରୂପରେ ପାଇ ରାଜା ଯେତିକି ଖୁସି ଥାଆନ୍ତି, ତପତୀ ମଧ୍ୟ ରାଜା ସମ୍ବରଣଙ୍କୁ ପତି ରୂପରେ ପାଇ ସେତିକି ଆନନ୍ଦରେ ଥାଆନ୍ତି ।

ବିବାହ କାର୍ଯ୍ୟ ସମ୍ପନ୍ନ ପରେ ରାଜା ତାଙ୍କ ରାଜ୍ୟ ଶାସନର ଭାର ମନ୍ତ୍ରୀଙ୍କ ହାତରେ ଦେଇ କିଛି ଦିନ ତାଙ୍କ ନବ ବିବାହିତ ପତ୍ନୀଙ୍କ ସହ ବିତାଇବାକୁ ଚାଲିଗଲେ । ଅନେକ ଦିନ ଧରି ଦୁହେଁ ଦୁହିଁଙ୍କ ସାନିଧ୍ୟରେ ଆନନ୍ଦରେ ବିଭିନ୍ନ ପାହାଡ, ଜଙ୍ଗଲ, ଉପତ୍ୟକା ଭ୍ରମଣ କରୁଥାନ୍ତି । ଏହା ଭିତରେ ବାର ବର୍ଷ ବିତିବାକୁ ବସିଲାଣି। କିନ୍ତୁ ସେପଟେ ରାଜ୍ୟରେ ରାଜାଙ୍କ ଅନୁପସ୍ଥିତରେ ଅକାଳ ମାଡିଆସିଥାଏ । ବର୍ଷା ବିନା ପ୍ରଜାମାନଙ୍କ ଉପରେ ଦୁଃଖର ବୋଝ ପଡିଥାଏ । ଅନାହାର ଓ ମହାମରୀରେ ପ୍ରଜାକୂଳ ହନ୍ତ ସନ୍ତ ହେଇ ତ୍ରାହି ତ୍ରାହି ଡାକୁଥାନ୍ତି । ଦେଶର ଅବସ୍ଥା ଦେଖି ଦିନେ ମହର୍ଷି ବଶିଷ୍ଠ, ରାଜା ସମ୍ବରଣ ଓ ରାଣୀ ତପତୀଙ୍କ ପାଖରେ ପହଞ୍ଚିଲେ ଏବଂ ରାଜ୍ୟର ଅବସ୍ଥା ବିଷୟରେ ଅବଗତ କରାଇ ସେମାନଙ୍କୁ ରାଜଧାନୀକୁ ଫେରିଯିବାକୁ କହିଲେ । ରାଜା ମହର୍ଷିଙ୍କ ପାଖରୁ ଖବର ପାଇ ପତ୍ନୀଙ୍କୁ ଧରି ତୁରନ୍ତ ରାଜଧନୀ ଫେରିଆସିଲେ । ରାଜା ଓ ରାଣୀଙ୍କ ଆଗମନରେ ରାଜ୍ୟକୁ ପୁଣି ଥରେ ବର୍ଷା ଫେରି ଆସିଲା। ପ୍ରଜାମାନେ ଖୁସି ହେଲେ ।

କିଛିଦିନ ପରେ ରାଣୀ ତପତୀ ଗର୍ଭବତୀ ହେଲେ ଓ ଏକ ପୁତ୍ର ସନ୍ତାନ ଜନ୍ମ କଲେ । ସେ ପୁଅର ନାମ ରଖାଗଲା କୁରୁ । ଯାହାଙ୍କ ନାମରେ ମହାନ କୁରୁ ବଂଶର ପ୍ରତିଷ୍ଠା ହେଲା ।

ଅଙ୍ଗାରପର୍ଣ୍ଣ ଗନ୍ଧର୍ବ ଏ କାହାଣୀ ଅର୍ଜୁନଙ୍କୁ କହିସାରି କହିଲେ, ହେ ଧନଞ୍ଜୟ ! ତୁମେ ଏବେ ବୁଝିପାରୁଥିବ କେଉଁ ମହାନ ବଂଶରେ ତୁମେ ଜନ୍ମ ନେଇଛ । ତପତୀଙ୍କ ବଂଶଧର ବୋଲି ତୁମମାନଙ୍କୁ ତପତ୍ୟ ବି କୁହାଯାଏ ।

ଗନ୍ଧର୍ବଙ୍କ ଠାରୁ ନିଜ ବଂଶର ପୁରୁଣା କାହାଣୀ ଶୁଣି ଅର୍ଜୁନ କହିଲେ ମୋତେ ବ୍ରହ୍ମର୍ଷି ବଶିଷ୍ଠଙ୍କ ବିଷୟରେ କିଛି କୁହ । ଅତୀତରେ ଆମ ବଂଶର କୂଳ ପରୋହିତ ଓ ତାଙ୍କ ତପଶକ୍ତି ବିଷୟରେ ମୁଁ ଜାଣିବାକୁ ଚାହୁଁଛି । ଅର୍ଜୁନଙ୍କ ଆଗ୍ରହ ଦେଖି ଗନ୍ଧର୍ବ ଅଙ୍ଗାରପର୍ଣ୍ଣ କହିଲେ ଲୋଭ ଓ କ୍ରୋଧ ଅଜ୍ଞାନତାକୁ ଜନ୍ମ ଦିଏ । ଅଜ୍ଞାନୀ ମଣିଷ ରାକ୍ଷସ ପରି ଆଚରଣ କରେ । ବାହୁ ଓ ଅସ୍ତ୍ର ଶକ୍ତି ଠାରୁ ବଳି ଅନ୍ୟ ଶକ୍ତି ବିଷୟରେ ଗପ ଗୋଟେ କହୁଚି ଶୁଣ । ସେ ଶକ୍ତି ହେଲା କ୍ଷମା ।

ଅଙ୍ଗାରପର୍ଣ୍ଣ ଅନ୍ୟ ଏକ କାହାଣୀ କହିବାକୁ ଆରମ୍ଭ କଲେ-

ପୁରା କାଳର କଥା । କାନ୍ୟକୁବ୍ଜରେ ଜଣେ ଚନ୍ଦ୍ରବଂଶୀ ରାଜା ଶାସନ କରୁଥାନ୍ତି । ତାଙ୍କୁ ଗାଧି ନାମରେ ସମସ୍ତେ ଜାଣିଥାନ୍ତି । ତାଙ୍କ ପୁଅଙ୍କ ନାମ କୌଶିକ । ଗାଧିଙ୍କ ଅନ୍ତେ କୌଶିକ ଦେଶର ରାଜା ହେଲେ । କୌଶିକ ଜଣେ ପରାକ୍ରମୀ ବୀର ଯୋଦ୍ଧା ଥିଲେ ଓ ଯୁଦ୍ଧ କରି ଶତ୍ରୁଙ୍କୁ ପରାସ୍ତ କରି ଅନେକ ରାଜ୍ୟ ଜୟ କରିଥିଲେ। ଅବସର ସମୟରେ ଘନ ଜଙ୍ଗଲକୁ ଯାଇ ମୃଗ ଓ ଜଙ୍ଗଲି ବରାହ ଶିକାର କରିବା ତାଙ୍କର ଅନ୍ୟତମ ସଉକ ଥିଲା। ଥରେ ସେ ସେମିତି ଶିକାରରେ ବାହାରି ଜଙ୍ଗଲ ଭିତରେ ବୁଲୁ ବୁଲୁ ଖାଦ୍ୟ ଓ ପାଣି ସନ୍ଧାନରେ ଏକ ଆଶ୍ରମରେ ପହଞ୍ଚିଲେ । ଆଶ୍ରମଟି ତପସ୍ୱୀ ବଶିଷ୍ଠଙ୍କର । ରାଜା କୌଶିକ ଓ ତାଙ୍କ ସାଙ୍ଗରେ ଥିବା ସୈନ୍ୟ ସାମନ୍ତଙ୍କୁ ଦେଖି ବଶିଷ୍ଠ ଆନନ୍ଦ ପ୍ରକାଶ କଲେ ଓ ସମସ୍ତଙ୍କୁ ପାଛୋଟି ଆଣି ଯଥାରୀତି ଆଦର ସମ୍ବର୍ଦ୍ଧନା କଲେ । ରାଜାଙ୍କୁ ବସିବାକୁ ଆସନ ଦେଲେ ଓ ପିଇବାକୁ ପାଣି ଦେଲେ ।

ତାପରେ ବଶିଷ୍ଠ ସମସ୍ତ ଅତିଥିଙ୍କ ପାଇଁ ଖାଦ୍ୟ ପେୟର ଆୟୋଜନ କଲେ । ରାଜା କୌଶିକ ଘନ ଅରଣ୍ୟ ଭିତରେ ବଶିଷ୍ଠ ଋଷିଙ୍କର ଭବ୍ୟ ଆୟୋଜନ ଦେଖି ଆଶ୍ଚର୍ଯ୍ୟ ହେଇଗଲେ । ଏତେ କମ ସମୟରେ ଏତେ ରକମର ଠା ସେ ତାଙ୍କ ରାଜ ଉଆସରେ ବି ଖାଉନଥିଲେ । ସୈନ୍ୟ ସାମନ୍ତଙ୍କ କଥା ଛାଡ । ସେମାନେ ସେମାନଙ୍କ ଜୀବନକାଳରେ ଏତେ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଚନ ଖାଇବା ଦୂରର କଥା, ଦେଖି ବି ନଥିଲେ । ରୂପ, ବାସ୍ନା ଓ ସ୍ୱାଦରେ ଏକେ ଆରକୁ ବଳି ଖାଦ୍ୟ ଖାଇସାରିଲା ପରେ ରାଜା କୌଶିକ କୌତୁହଳରେ ଋଷିଙ୍କୁ ଏପରି ଆୟୋଜନ ଏ ଜଙ୍ଗଲ ଭିତରେ କିପରି ସମ୍ଭବ ହେଇପାରିଲା ବୋଲି ପଚାରିଲେ । ବ୍ରହ୍ମର୍ଷି ବଶିଷ୍ଠ କୌଣସି କପଟ ନକରି କହିଲେ ତାଙ୍କ ପାଖରେ କାମଧେନୁଙ୍କ କନ୍ୟା ନନ୍ଦିନୀ ଗାଈ ଅଛନ୍ତି । ସେଇ ନନ୍ଦିନୀଙ୍କ ପାଇଁ ଏତେ ସବୁ ଆୟୋଜନ ଏତେ କମ ସମୟରେ ହୋଇପାରିଲା । ସେ ହିଁ ସବୁ କରିଛନ୍ତି । ରାଜା କୌଶିକ ନନ୍ଦିନୀ ଗାଈକୁ ଦେଖିଲେ । ଅତ୍ୟନ୍ତ ସୁନ୍ଦର ସ୍ୱର୍ଗୀୟ ରୂପକାନ୍ତିରେ ଚମକୁଥିବା ଗାଈ ଓ ତା'ର ଗୁଣ ଗ୍ରାମ ଶୁଣିଲା ପରେ କୌଶିକଙ୍କ ମନରେ ଲୋଭ ଆସିଲା । ସେ ଭାବିଲେ ଏ ଗାଈ ରାଜାଙ୍କ ଉଆସରେ ରହିବା କଥା । ଜଣେ ରାଜାର ଅନେକ ଆବଶ୍ୟକାତା ଅଛି । ଜଙ୍ଗଲରେ ପତର କୁଡିଆ କରି ଯାଗ ଯଜ୍ଞ କରୁଥିବା ତପସ୍ୱୀଙ୍କ ଆଶ୍ରମରେ ଏ ଗାଈର କିବା ପ୍ରୟୋଜନ । ମନରେ ଏକଥା ଭାବି କୌଶିକ ତପସ୍ୱୀ ବଶିଷ୍ଠଙ୍କୁ କହିଲେ, ହେ ବ୍ରହ୍ମର୍ଷି ମୋତେ ଏ ନନ୍ଦିନୀ ଗାଈ ଏବଂ ତା ବାଛୁରୀକୁ ଦେଇ ଦିଅନ୍ତୁ । ପ୍ରତିବଦଳରେ ମୁଁ ଆପଣଙ୍କୁ ଦଶ ହଜାର ଅନ୍ୟ ଗାଈ ଦେବି ।

କୌଶିକଙ୍କ ପ୍ରସ୍ତାବ ଶୁଣି ବଶିଷ୍ଠ କହିଲେ, ନା ରାଜା ଏହା ଅସମ୍ଭବ। ଅତିଥିଙ୍କ ସତ୍କାର ଯଜ୍ଞ କର୍ମ ଓ ଆଶ୍ରମର ଆବଶ୍ୟକତା ପୁରଣ ପାଇଁ ନନ୍ଦିନୀ ଆମ ସାଙ୍ଗରେ ଜଣେ ହୋଇ ରହିଛନ୍ତି । ତାଙ୍କୁ କୌଣସି ଉପାୟରେ ଅନ୍ତର କରାଯାଇ ପାରିବନି । ଏପରିକି ଆପଣ ଆପଣଙ୍କ ରାଜ୍ୟରୁ ଅଧା ଦେଲେବି ନୁହେଁ ।

ରାଜା କୌଶିକଙ୍କ ମନ ନନ୍ଦିନୀ ଗାଈ ପାଖରେ । ସେ ଭାବିଲେ ଭଲରେ ନଦେଲେ ସେ ନନ୍ଦିନୀଙ୍କୁ ବଳ ପ୍ରୟୋଗ କରି ନିଜ ରାଜଧାନୀ ନେଇଯିବେ । ରାଜା ସେଇଆ ହିଁ କଲେ । ନିଜ ସୈନ୍ୟମାନଙ୍କୁ ଆଦେଶ ଦେଲେ ଏ ଗାଈ ଓ ତା'ର ବାଛୁରୀକୁ ସାଙ୍ଗରେ ଧରି ଚାଲ । ରାଜାଙ୍କ ଆଦେଶ ପାଳନ କରି ସୈନ୍ୟମାନେ ନନ୍ଦିନୀ ଓ ତାଙ୍କ ବାଛୁରୀର ବେକରେ ଦଉଡିରେ ବାନ୍ଧି ଟାଣିବା ଆରମ୍ଭ କଲେ । ବଶିଷ୍ଠ କିଛି କହିଲେନି । ସେ ଓ ତାଙ୍କ ଶିଷ୍ୟମାନେ ଚୁପ ଚାପ ଛିଡା ହେଇ ରାଜାଙ୍କ କାର୍ଯ୍ୟକଳାପ ଦେଖୁଥାନ୍ତି । ରାଜା କୌଶିକ ଓ ତାଙ୍କ ସୈନ୍ୟ ସାମନ୍ତ ଏଯାଏ ନନ୍ଦିନୀ ଗାଈର ଗୋଟେ ରୂପ ଦେଖିଥିଲେ । ଅନ୍ୟ ରୂପଟି ଦେଖିନଥିଲେ । ବେକରେ ଦଉଡି ଲଗେଇ ଗାଈ ବାଛୁରିକୁ ଟାଣିଲା ବେଳକୁ ନନ୍ଦନୀ ହଠାତ୍ ତାଙ୍କ ଶରୀରରୁ ଶହ ଶହ ସୈନ୍ୟ ଜନ୍ମ କରାଇଲେ । ତାପରେ ସେ ସୈନ୍ୟମାନେ ରାଜା କୌଶିକ ଓ ତାଙ୍କ ସୈନ୍ୟମାନଙ୍କୁ ଚାରି ପାଖରୁ ଘେରିଗଲେ । ଅସ୍ତ୍ର ଶସ୍ତ୍ରରେ ସୁସଜ୍ଜିତ ସେ ସୈନ୍ୟମାନଙ୍କ ଆଗରେ କୌଶିକଙ୍କ ସୈନ୍ୟ ଅଳ୍ପ କେଇ ମୁହୂର୍ତ୍ତ ଭିତରେ ପରାସ୍ତ ଓ ବନ୍ଦୀ ହେଲେ ।

ନନ୍ଦିନୀଙ୍କ ସୈନ୍ୟମାନଙ୍କ ଦ୍ୱାରା ପରାସ୍ତ ରାଜା କୌଶିକି ଏଥର ବୁଝିସାରିଥିଲେ ରାଜାର ଶକ୍ତି ଠାରୁ ଜଣେ ତପସ୍ୱୀର ଶକ୍ତି କେତେ ଅଧିକ । ସେ ଜାଣିଲେ ଏତେ ଦିନ ଧରି ସେ ଯେଉଁ ବାହୁର ଶକ୍ତିକୁ ବଳଶାଳୀ ଭାବୁଥିଲେ ତାହା ଜଣେ ବ୍ରହ୍ମର୍ଷିର ଶକ୍ତି ଆଗରେ ତୁଚ୍ଛ। କୌଶିକି ନିଷ୍ପତ୍ତି ନେଲେ ତାଙ୍କୁ ତପସ୍ୟା କରି ବ୍ରହ୍ମର୍ଷି ହେବାକୁ ହେବ । ବ୍ରହ୍ମର୍ଷି ହେବାକୁ କୌଶିକୀ ରାଜଗାଦି ଛାଡି ତପସ୍ୟା କରିବାକୁ ଜଙ୍ଗଲକୁ ବାହାରିଗଲେ । ତପସ୍ୟାରେ ସିଦ୍ଧ ହେଲାପରେ କୌଶିକ ସମସ୍ତଙ୍କ ପାଖରେ ବିଶ୍ୱାମିତ୍ର ନାମରେ ପରିଚିତ ହେଲେ ।

ତାପରେ ଅଙ୍ଗାରପର୍ଣ୍ଣ ଗନ୍ଧର୍ବ ଅର୍ଜୁନଙ୍କୁ କହିଲେ, ଏଇ ବିଶ୍ୱାମିତ୍ର ଓ ଦେବଲୋକର ଅପସରୀ ମେନକାଙ୍କ ଝିଅ ହେଲେ ଶକୁନ୍ତଳା । ଶକୁନ୍ତଳାଙ୍କ ପୁଅ ହେଉଛନ୍ତି ତୁମ ବଂଶର ମହାନ ରାଜା ଭରତ ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)