Mahabharat Story: ମୟଙ୍କ ମାୟା ନଗରୀ ଓ ସେଥିରେ ଅପଦସ୍ଥ ଜଣେ ରାଜକୁମାରର କଥା

ଆଜିଠୁ ତେର ବର୍ଷ ପରେ ଘଟିବାକୁ ଥିବା କୋଉ ଅଘଟଣ ବିଷୟରେ ଚେତେଇଦେଲେ ବ୍ୟାସଦେବ? ଇନ୍ଦ୍ରପ୍ରସ୍ଥରେ କାହିଁକି ଅପଦସ୍ଥ ହେଲେ ଦୁର୍ଯ୍ୟୋଧନ? କ'ଣ ପାଇଁ କୌରବ ଭାଇମାନଙ୍କୁ ବିଧବାର ପୁଅ କହିଲେ ଭୀମସେନ? ମହାଭାରତ ମହାକାବ୍ୟରେ ବର୍ଣ୍ଣିତ ଏମିତି ଅନେକ ଅଜଣା କଥା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

ମହାଭାରତ କଥା

ଦୁର୍ଯ୍ୟୋଧନ ମାମୁଁ ଶକୁନିଙ୍କ ସହ ଇନ୍ଦ୍ରପ୍ରସ୍ଥର ମୟଙ୍କ ଦ୍ୱାରା ନିର୍ମିତ ସଭାଗୃହକୁ ବୁଲି ବୁଲି ଦେଖୁଥାନ୍ତି । ଏତେ ସୁନ୍ଦର ଓ ଅଭିନବ କୌଶଳରେ ସଭାଗୃହଟି ନିର୍ମିତ ହୋଇଥାଏ ଯେ ଦୁର୍ଯ୍ୟୋଧନ ଆଶ୍ଚର୍ଯ୍ୟ ହେଉଥାନ୍ତି । ମୟ ସଭାରେ ମାୟାର ଇନ୍ଦ୍ରଜାଲ ଭରପୁର ଥିଲା । ଯାହା ଦିଶୁଥିଲା ତାହା ସେଠି ନଥିଲା ଓ ଯାହା ନଥିଲା ତାହା ସେଇଠି ରହିଥିଲା। ବୁଲୁ ବୁଲୁ ଦୁର୍ଯ୍ୟୋଧନ ଗୃହର ମଝାମଝି ପହଞ୍ଚି ଦେଖିଲେ ସେଠି ପାଣି ଭରି ରହିଛି । ଓଦା ହେବେନି ବୋଲି ଲୁଗା ଉପରକୁ ଉଠେଇ ପାଣିରେ ପଶିଲା ବେଳକୁ ଜାଣିଲେ ପାଣିର ଭ୍ରମ ସୃଷ୍ଟି କରୁଥିବା ସ୍ଥାନଟି ସ୍ପଟିକରେ ନିର୍ମିତ ହେଇଛି । ଦୁର୍ଯ୍ୟୋଧନଙ୍କ ଅବସ୍ଥା ଦେଖି ଭୀମ, ଅର୍ଜୁନ, ନକୁଳ ଓ ସହଦେବ ହସି ପକେଇଲେ ।

କିଛି ସମୟ ପରେ ସେ ଖୋଲା ଦରଜା ଭାବି ଯେଉଁ କୋଠରୀରେ ପଶିବାକୁ ଉଦ୍ୟତ ହେଉଥିଲେ ପ୍ରକୃତରେ ସେ ଦରଜା ବନ୍ଦ ଥିଲା ଓ ଠୋ କରି ସେଥିରେ ତାଙ୍କ ମୁଣ୍ଡ ବାଜିଲା । ଆଉ ଥରେ ଯେଉଁ ଦରଜାଟି ବନ୍ଦ ପରି ଦିଶୁଥିଲା ସେଇଟି ପ୍ରକୃତରେ ଖୋଲା ଥିଲା । ଦୁର୍ଯ୍ୟୋଧନଙ୍କ ଏ ଅବସ୍ଥା ଦେଖି ସେଠି କାମ କରୁଥିବା ଚାକର ଚାକରାଣୀ ବି ମୁରୁକି ହସିଲେ । ତାପରେ ଦୁର୍ଯ୍ୟୋଧନ ସ୍ଫଟିକରେ ତିଆରି ପାଣି ଏବଂ ପଦ୍ମର ବଣ ଭାବି ଯେଉଁଠି ପଶିଗଲେ ସେଠି ସତରେ ପାଣି ଥିଲା ଓ ସେ ସିଧା ପୋଖରୀରେ ପଡି ଗୋଟାପଣେ ଓଦା ହେଇଗଲେ। ଏମିତି ଦୁର୍ଯ୍ୟୋଧନଙ୍କ ପାଣିରେ ପଡିଯିବା ଦେଖି ଅଳ୍ପ ଦୂରରେ ଥିବା ଦ୍ରୌପଦୀ ‘ଅନ୍ଧ ବାପର ଅନ୍ଧ ପୁଅ’ କହି ଖୁବ ଯୋରରେ ହସି ପକେଇଲେ । 

ଦୁର୍ଯ୍ୟୋଧନ ଖୁବ ଅପମାନିତ ମନେ କଲେ ଓ ମାମୁଁ ଶକୁନିଙ୍କୁ ଧରି ହସ୍ତିନାପୁରକୁ ଫେରିଆସିଲେ । ଏମିତି ତ ପାଣ୍ଡବମାନଙ୍କ ଘର ଦ୍ୱାର, ରାଜସୂୟ ଯଜ୍ଞ ଓ ପ୍ରତିପତ୍ତି ଦେଖି ସେ ଇର୍ଷାରେ ଜଳି ଯାଉଥିଲେ । ସେଥିରେ ଅପଦସ୍ଥ ହେବା ଓ ଦ୍ରୌପଦୀଙ୍କ ହସିବା କଟା ଘା'ରେ ଚୁନ ଦେବା ପରି କଥା ହେଲା । ବାଟରେ ଫେରିଲା ବେଳକୁ ଶକୁନି ଦେଖିଲେ ଦୁର୍ଯ୍ୟୋଧନ ଗଭୀର ଚିନ୍ତାରେ ମଗ୍ନ । ମୁହଁ ଶୁଖିଯାଇଛି। ଯାହାବି କହିଲେ ଅନ୍ୟମନସ୍କ ରହି କିଛି ଶୁଣି ପାରୁନାହାଁନ୍ତି । କଥା କ'ଣ ବୋଲି ପଚାରିବାରୁ ଦୁର୍ଯ୍ୟୋଧନ କହିଲେ;

 -‘ନା ମାମୁ ମୋର ଆଉ ବଞ୍ଚିବାକୁ ତିଳେ ହେଲେ ଇଚ୍ଛା ନାହିଁ । କାହିଁ କେତେ ଥର ସେ ପାଣ୍ଡବମାନଙ୍କୁ ବାଟରୁ ହଟେଇବାକୁ ଚେଷ୍ଟା କଲି, ହେଲେ ପାଣି ତଳର ଅନ୍ଧାର ଭିତରୁ ପଦ୍ମ ଉପରକୁ ଉଠିଲା ପରି ସେମାନେ ସବୁବେଳେ ଖସି ଗଲେ । ଏବେ ଦେଖନ୍ତୁ କେତେ ରାଜା ସେମାନଙ୍କୁ ସମ୍ମାନ ଜଣେଇ କେତେ କ'ଣ ଧନରତ୍ନ ଉପହାରରେ ଦେଲେ । କୃଷ୍ଣ ଶିଶୁପାଳକୁ ସମସ୍ତଙ୍କ ଆଗରେ ମାରିଦେଲେ, ହେଲେ ହେହି ଜଣେ ବି ପାଟି ଫିଟେଇଲେନି । କେତେ ସୁନ୍ଦର ଭବ୍ୟ ଘର ଆଉ ସଭା ଘର ତିଆରି କରିଛନ୍ତି ଆପଣ ତ ନିଜ ଆଖିରେ ଦେଖିଲେ । ଏସବୁ କଥା ଦେଖି ମୋ ଛାତି ଫାଟିଯାଉଛି । ଆଉ ବଞ୍ଚି ରହି ଲାଭ ନାହିଁ । ମୁଁ ବିଷ ଖାଇ, ନହେଲେ ପାଣିରେ ବୁଡି ଅବା ନିଆଁରେ ପୋଡି ନିଶ୍ଚୟ ଆତ୍ମହତ୍ୟା କରିବି ।’ 

ଶକୁନି କହିଲେ, ମୁଁ ସବୁ ବୁଝୁଛି ଭଣଜା । ଆମେ ପାଣ୍ଡବମାନଙ୍କୁ ହତ୍ୟା କରିବାକୁ ଅନେକ ପ୍ରୟାସ ଅବଶ୍ୟ କରିଛେ । କିନ୍ତୁ ଭାଗ୍ୟ ସେମାନଙ୍କର ସହାୟତା କଲା । ଭାଗ୍ୟ ବଳରେ ସେମାନେ ଦ୍ରୌପଦୀ ପରି ଭାର୍ଯ୍ୟା, ଦୃପଦ ପରି ଶ୍ୱଶୁର, ପୁଣି କୃଷ୍ଣଙ୍କ ପରି ବନ୍ଧୁ ପାଇଲେ । ଅର୍ଜୁନ ଅଗ୍ନି ଦେବଙ୍କ ପାଖରୁ ଓ ମହାଦେବଙ୍କ ପାଖରୁ ଦିବ୍ୟ ଅସ୍ତ୍ର ପାଇଲା । ଆମେ ସେମାନଙ୍କୁ କପଟ କରି ଯୋଉ ଅପନ୍ତରା ଜାଗା ଖଣ୍ଡେ ଦେଲେ, ତାକୁ ସେମାନେ ସ୍ୱର୍ଗ କରିସାରିଲେଣି । ହଉ ସେମାନେ ତାଙ୍କ ନିଜ ବଳ ଓ ପ୍ରଚେଷ୍ଠାରେ ଯାହା କରିବା କଥା କରିଛନ୍ତି । ତୁମେ ଏଥିରେ ଏତେ ବିବ୍ରତ ହେବା କଥା ନୁହେଁ । ତୁମ କ'ଣ ଖରାପରେ ଅଛ କି? ହସ୍ତିନାପୁର କ'ଣ ଇନ୍ଦ୍ରପ୍ରସ୍ଥରୁ କୋଉ ଗୁଣରେ ଉଣା କି? ବରଂ ଖୁସି ହୁଅ ତୁମ ସାଥିରେ ଛିଡା ହେବାକୁ ତୁମର ଅନେଶତ ଭାଇ, ଆଚାର୍ଯ୍ୟ ଦ୍ରୋଣ, ଅଙ୍ଗ ନରେଶ କର୍ଣ୍ଣ, କୃପାଚାର୍ଯ୍ୟ, ଅଶ୍ୱତ୍ଥମା, ରାଜା ସୋମଦତ୍ତ ଆଦି ବୀର ଅଛନ୍ତି । ମୁଁ ବି ତ ତୁମ ପାଖେ ପାଖେ ସବୁବେଳେ ଅଛି । 

ଶକୁନିଙ୍କ କଥା ଶୁଣି ଦୁର୍ଯ୍ୟୋଧନ ସାମାନ୍ୟ ଖୁସି ହେଲେ ଓ କିଛି ଗୋଟେ ଭାବିଲେ । ତାପରେ କହିଲେ, ଠିକ କହିଛ ମାମୁଁ । ଆମେ ପାଣ୍ଡବମାନଙ୍କ ପାଖରୁ କିଛି କମ ନୁହନ୍ତି । ଚାଳନ୍ତୁ ଆମେ ଗୋଟେ କାମ କରିବା, ଆଉ ଛନ୍ଦ କପଟ କି ଛଳନାର ରାସ୍ତା ନଧରି ଏଥର ପାଣ୍ଡବମାନଙ୍କ ଉପରେ ସିଧା ଆକ୍ରମଣ କରିବା ।

ଶକୁନି କହିଲେ; ନା ନା ଭଣଜା, ତୁମେ ପାଣ୍ଡବମାନଙ୍କୁ ଏଯାଏଁ ବୁଝିପାରିନ । ପାଣ୍ଡବ ପାଞ୍ଚଭାଇ, କୃଷ୍ଣ, ଦୃପଦ ଓ ତାଙ୍କ ପୁଅମାନଙ୍କ ସହ ତାଙ୍କ ବଶମ୍ବଦ ମିଳିମିଶି ଯେତେବେଳେ ସାମ୍ନାରେ ଠିଆ ହେବେ, ସେତେବେଳେ ଆମେ କ'ଣ ଦେବତାମାନେ ବି ତାଙ୍କୁ ହରେଇ ପାରିବେନି । ସେ କଥା ଭୁଲିଯାଅ । ମୁଁ ଗୋଟେ ଭଲ ଉପାୟ ଭାବିଛି । ଚାଲ ହସ୍ତିନାପୁରରେ ପହଞ୍ଚିଲା ପରେ ସେ ଉପାୟଟି କହିବି । 

ଦୁର୍ଯ୍ୟୋଧନ ତାଙ୍କ ରଥକୁ ଶୀଘ୍ର ଚଳେଇବାକୁ ନିର୍ଦ୍ଦେଶ ଦେଲେ । 

ସେପଟେ ଯଜ୍ଞ ଶେଷ ହେଲା ପରେ ଓ ସମସ୍ତ ବନ୍ଧୁବାନ୍ଧବ ଏବଂ ପ୍ରିୟ ପରିଜନ ଯେଝା ବାଟରେ ଚାଲିଗଲା ପରେ ବ୍ୟାସ ଦେବ ଯୁଧିଷ୍ଠିରଙ୍କ ପାଖରୁ ବିଦାୟ ମାଗିଲେ । କହିଲେ ଯାହା ହେଉ ସବୁ କିଛି ନିର୍ବିଘ୍ନରେ ସମାହିତ ହେଲା । ତୁମେ ଏବେ ସମ୍ରାଟ ହେଲ । କୁରୁ ବଂଶର ଟେକ ରହିଲା । ଯୁଧିଷ୍ଠିର କହିଲେ, ହଁ ସବୁ କିଛି ଭଲରେ ଭଲରେ ହେଲା ଯେ କିନ୍ତୁ ଯଜ୍ଞ ଆରମ୍ଭରୁ ଶିଶୁପାଳର ମରଣର କିଛି କୁପ୍ରଭାବ ରହିବ ନାହିଁ ତ? 

ମହାଭାରତ କଥା

ବ୍ୟାସ ଦେବ ସାମାନ୍ୟ ନୀରବ ରହି କହିଲେ, ନା ଏବକୁ ତ କିଛି ବିପଦ ଦିଶୁନି । କିନ୍ତୁ ଆଗକୁ ବହୁତ ଖରାପ ସମୟ ଆସୁଛି । ମନେରଖ ଦୁର୍ଯ୍ୟୋଧନର ଦୁଷ୍ଟ ବୁଦ୍ଧି ବେଳକୁ ବେଳ ବଢିବ । ଶକୁନିର ମନ୍ତ୍ରଣାରେ ପରିଚାଳିତ ହେଇ ସେ ସବୁକିଛିକୁ ଧ୍ୱଂସ ଆଡକୁ ଟାଣିନେବ । ଆଜିଠୁ ତେର ବର୍ଷ ପରେ ସେ ମହାବିପତ୍ତି ତୁମ ସମସ୍ତଙ୍କୁ ଗ୍ରାସ କରିବ । ଅନେକ କ୍ଷତ୍ରୀୟ ବଂଶ ଲୋପ ପାଇଯିବ । ତୁମେ ଆଜି ରାତିରେ ଏକ ଭୟଙ୍କର ସ୍ୱପ୍ନ ଦେଖିବ। ସ୍ୱପ୍ନରେ ଦେଖିବ ଭଗବାନ ଶଙ୍କର ହାତରେ ନରମୁଣ୍ଡ ଧରି ଭୟଙ୍କର ରୂପରେ ଏକ ଧଳା ରଙ୍ଗର ଷଣ୍ଢ ଉପରେ ବସି ଦକ୍ଷିଣ ଦିଗକୁ ଚାହିଁ ରହିଛନ୍ତି । ଏସବୁ ଖରାପ ସମୟରେ ପୂର୍ବାଭାସ । ସ୍ୱପ୍ନ ଦେଖି ଡରିଯିବନି । ତୁମେ ଯଥାସମ୍ଭବ ଜାଗ୍ରତ ହୋଇ ରହିଥିବ । ଆମେ ସବୁକିଛିକୁ ନିୟନ୍ତ୍ରଣ କରିପାରିବାନି କି ଭବିତବ୍ୟକୁ ବଦଳାଇ ପାରିବାନି । କାଳକୁ ବାଧା ଦେଇ ବି ପାରିବାନି । 

ତାପରେ ବ୍ୟାସ ଦେବ ପାଣ୍ଡବମାନଙ୍କୁ ଆଶୀର୍ବାଦ ଦେଇ ତାଙ୍କ ଆଶ୍ରମକୁ ଲେଉଟି ଗଲେ । 

ହସ୍ତିନାପୁରରେ ପହଞ୍ଚୁ ପହଞ୍ଚୁ ଦୁର୍ଯ୍ୟୋଧନ ମାମୁଁ ଶକୁନିଙ୍କ ପଛରେ ପଡିଗଲେ । କି ନୂଆ ଉପାୟ ମାମୁଁ ଭାବିଛନ୍ତି । ସେ ଚାହୁଁଥିଲେ ଯେକୌଣସି ଉପାୟରେ ପାଣ୍ଡବମାନଙ୍କୁ ରାସ୍ତାରୁ ହଟେଇବେ । ଶକୁନି ଏକ ନିରୋଳା କୋଠରୀରେ ଦୁର୍ଯ୍ୟୋଧନଙ୍କ ପାଖକୁ ଘୁଞ୍ଚିଆସି କହିଲେ; ଭଣଜା ଶୁଣ, ଯୁଧିଷ୍ଠିର ଜଣେ ଧର୍ମଭୀରୁ ମଣିଷ। କିନ୍ତୁ ମୋ ଜାଣିବାରେ ତାଙ୍କର ଗୋଟେ ବଡ ଦୁର୍ବଳତା ଅଛି । ସେ ଦୁର୍ବଳତା ହେଉଛି ପଶା ଖେଳ ପ୍ରତି ପ୍ରବଳ ଝୁଙ୍କ । ତାଙ୍କୁ ମୋ ସାଙ୍ଗରେ ଦ୍ୟୁତକ୍ରୀଡା ଖେଳିବାକୁ ହସ୍ତିନାପୁରକୁ ତୁମେ କେବଳ ଥରେ ଡାକିଆଣ । ତା ପର କଥା ମୁଁ ବୁଝିବି । ତମେ ତ ଜାଣିଛ, ପଶା ଖେଳରେ ମୋତେ ହରାଇବାକୁ ଏ ଧରା ତଳେ କେହି ଜଣେ ବି ନାହିଁ । 

ଦୁର୍ଯ୍ୟୋଧନ ଶକୁନିଙ୍କ କଥା ଶୁଣି ବଡ ଖୁସି ହୋଇଗଲେ । ଆଖିରେ ଚମକ ଖେଳେଇ କହିଲେ, ମାମୁଁ ଆପଣଙ୍କ ବୁଦ୍ଧିକୁ ମାନିବାକୁ ପଡିବ । କିନ୍ତୁ ଗୋଟେ ଅସୁବିଧା ଅଛି । ମୁଁ କିମ୍ବା ଆପଣ ଚାହିଁଲେ ଏ ପାଶା ଖେଳର ଆୟୋଜନ କରିପାରିବାନି । ସେଥିପାଇଁ ରାଜାଙ୍କ ଅନୁମତି ଲୋଡା । ଏବେ ଧୃତରାଷ୍ଟ୍ରଙ୍କୁ ଏକଥା କହିବ କିଏ? ତାପରେ ସଭାର ଅନ୍ୟମାନେ ବି ରାଜ ପ୍ରସାଦରେ ଜୁଆ ଖେଳକୁ ବିରୋଧ କରିପାରନ୍ତି । ଆମ ରାଜ ଦରବାରରେ ପାଣ୍ଡବମାନଙ୍କ ପଟରେ ବାହାରିବାକୁ କିଛି କମ ଲୋକ ନାହାଁନ୍ତି । 

ଶକୁନି କହିଲେ ବ୍ୟସ୍ତ ହବାର ନାହିଁ । ରାଜା ଧୃତରାଷ୍ଟ୍ର ଏକା ଥିବା ବେଳେ ଆମେ ଭେଟିବା । ମୁଁ ଜାଣେ ଧୃତରାଷ୍ଟ୍ର ତୁମକୁ ଜୀବନରୁ ବଳି ଭଲ ପାଆନ୍ତି । ତୁମର କଥାରୁ ସେ କେବେବି ବାହାରି ଯିବେନି । କିଛି ଅରାଜି କଥା ଉଠିଲେ ମୁଁ ସମ୍ଭାଳି ନେବି । ଦୁର୍ଯ୍ୟୋଧନ ଆନନ୍ଦରେ ମାମୁଁ ଶକୁନିଙ୍କୁ ପ୍ରଣାମ କରି ମନ୍ତ୍ରଣା କକ୍ଷରୁ ବାହାରି ଗଲେ । 

ଶକୁନିଙ୍କ ଓଠରେ ଧାରେ କୁଟିଳ ହସ ଫୁଟି ଉଠିଲା । ମୁହଁ ଆପେ କଠୋର ହେଇ ଆସିଲା ଓ ମନେ ମନେ ସେ କହିଲେ ସମୟ ଅନୁସାରେ ସେ ସବୁକିଛି ସମ୍ଭାଳି ନେବେ । 

ଶକୁନିଙ୍କର ଏବେ ସବୁକିଛି ଗୋଟି ଗୋଟି ମନେ ପଡୁଥିଲା । 

ପୁରୁଣା ଦିନର କଥା । ଥରେ ପିଲାଦିନେ କୌରବ ଓ ପାଣ୍ଡବମାନେ ଖେଳୁଥାନ୍ତି । ସବୁଦିନ ପରି ସେଦିନ ବି କିଛି ସମୟ ମିଶି ଖେଳିଳା ପରେ ଉଭୟଙ୍କ ଭିତରେ ଝଗଡା ହେଲା । କୌରବ ଭାଇମାନେ ଆଗେ ହାତ ଉଠେଇଲେ ଓ ଭୀମ ବାହାରି କୌରବ ଭାଇମାନଙ୍କୁ ପିଟିଲେ । ଭୀମଙ୍କ ପାଖରୁ ମାଡ ଖାଇ ରାଗରେ କୌରବ ଭାଇମାନେ ପାଣ୍ଡବଭାଇଙ୍କୁ କହିଲେ, ଯାଅ ଯାଅ ତମ ଗୁଡା ଗୋଟେ ବାପର ଛୁଆ ନୁହଁ । ତୁମମାନଙ୍କ ସାଙ୍ଗରେ ଆମେ ଆଉ ଖେଳିବୁନି । ଏମିତି କଥା ଶୁଣି ପାଣ୍ଡବମାନେ କାହିଁକି ବା ଚୁପ ରହିଥା'ନ୍ତେ । ଭୀମ ସାଙ୍ଗେ ସାଙ୍ଗେ ଦୁର୍ଯ୍ୟୋଧନଙ୍କୁ ଦେଖେଇ କହିଲେ, ତୁମେଗୁଡା ତ ବିଧବାର ଛୁଆ । ତମେ କ'ଣ ଖେଳିବନି, ଆମେ ଆଉ ତମ ସାଙ୍ଗରେ ଖେଳିବୁନି । 

ଦୁର୍ଯ୍ୟୋଧନ, ଦୁଃଶାସନ ଆଦି ବୁଝିପାରିଲେନି ଭୀମ ସେମାନଙ୍କୁ ବିଧବା ପିଲା କାହିଁକି କହିଲେ । ଦୁର୍ଯ୍ୟୋଧନ ପିଲା ଦିନରୁ ଗର୍ବି ଓ ଅଭିମାନୀ । ସେ କାନ୍ଦି କାନ୍ଦି ମାତା ଗାନ୍ଧାରୀଙ୍କ ପାଖକୁ ଗଲେ । ଗାନ୍ଧାରୀ ପ୍ରଥମେ କଥାକୁ ଟାଳି ଦେବାକୁ ଅନେକ ଚେଷ୍ଟା ଅବଶ୍ୟ କଲେ, କିନ୍ତୁ ଦୁର୍ଯ୍ୟୋଧନଙ୍କର ଏକା ଜିଦ, ସେ ଆଜି ଜାଣିବେ, ଭୀମ ତାଙ୍କୁ ବିଧବାର ଛୁଆ କାହିଁକି କହିଲା? 

ଶେଷକୁ ଅନ୍ୟ ଉପାୟ ନପାଇ ଗନ୍ଧାରୀ ତାଙ୍କ କାହାଣୀ କହିଲେ।

ସେ ଅନେକ ଦିନ ତଳର କଥା... ...