ଖାଣ୍ଡବ ବଣ ଜଳି ପୋଡି ଧ୍ୱଂସ ହେଇଗଲା । ବିଭିନ୍ନ ଔଷଧୀୟ ବନସ୍ପତ୍ତି ଓ ପଶୁ, ପକ୍ଷୀମାନଙ୍କ ମେଦ ଖାଇ ଅଗ୍ନି ଦେବଙ୍କ ପୁରାତନ ଅଗ୍ନିମାନ୍ଦ୍ୟ ରୋଗ ଭଲ ହେଲା । କାହିଁରେ କେତେ ପୋଡି ହେଇ ମଲେ । ଯିଏ ଜୀବନ ବଞ୍ଚେଇ ଖସି ଯିବାକୁ ଚାହିଁଲା କୃଷ୍ଣ ଓ ଅର୍ଜୁନ ସେମାନଙ୍କୁ ମାରି ପୁଣି ସେଇ ନିଆଁର ସର୍ବଗ୍ରାସୀ ମୁହଁରେ ସମର୍ପି ଦେଲେ । କିନ୍ତୁ ସେ ନିଆଁ ଭିତରୁ ମାତ୍ର ଚାରିଜଣ ରକ୍ଷା ପାଇଗଲେ । ଜଣେ ହେଲେ ଦାନବ ମାନଙ୍କ ସ୍ଥପତି ମୟ, ନାଗରାଜ ତକ୍ଷକଙ୍କ ପୁଅ ଅଶ୍ଵସେନ ଓ ଶାର୍ଙ୍ଗକ ଚଢେଇର ପର କଅଁଳି ନଥିବା ଚାରି ଶାବକ ।
ଶାର୍ଙ୍ଗକ ଚଢେଇଙ୍କ କାହାଣୀ:
ଏକଦା ମନ୍ଦପାଳ ନାମରେ ଜଣେ ଋଷି ଥିଲେ । ସେ ବଡ ନୈଷ୍ଠିକ ଭାବରେ ଯାଗ ଯଜ୍ଞ କରୁଥିଲେ ଓ ବେଦ ଅଧ୍ୟୟନ କରୁଥିଲେ । ସଦା ସର୍ବଦା ଧର୍ମ ପଥରେ ବାଟ ଚାଲୁଥିଲେ । ଅନେକ ବର୍ଷ ବଞ୍ଚିଲା ପରେ ଦିନେ ତାଙ୍କର ସ୍ୱର୍ଗବାସ ହେଲା । ସ୍ୱର୍ଗରେ ପହଞ୍ଚିଲା ପରେ ତାଙ୍କୁ ତାଙ୍କ ପୂଣ୍ୟ ବଳରେ ଯେଉଁ ଆସନ ମିଳିବା କଥା ମିଳିଲାନି । ସେ ତା'ର କାରଣ ଜାଣିବାକୁ ଧର୍ମରାଜ ଯମଙ୍କୁ ପଚାରିଲେ । ଧର୍ମରାଜ କହିଲେ ହେ ତପସ୍ୱୀ ମୋ ଜାଣିବାରେ ତୁମେ ସଦା ସର୍ବଦା ଧର୍ମ ପଥରେ ବାଟ ଚାଲିଛ । ସେଥିରୁ ତିଳେବି ବିଚ୍ୟୁତ ହେଇନ ।
ଦେବତାମାନଙ୍କୁ ସନ୍ତୁଷ୍ଠ କରିବାକୁ ଜପ, ତପ ଓ ଯାଗ ଯଜ୍ଞ ବି କରିଛି । ଦାନ ପୂଣ୍ୟ କରି ଧର୍ମ ଅର୍ଜନ କରିଛ । କିନ୍ତୁ ବଂଶ ରକ୍ଷା ପାଇଁ କିଛି ବି ବ୍ୟବସ୍ଥା କରିନ । ତୁମର ଆତ୍ମାର ସଦଗତୀ ପାଇଁ ତୁମେ କୌଣସି ସନ୍ତାନ ସନ୍ତତିଙ୍କୁ ଛାଡି ଆସିନ । ସେଇଥିପାଇଁ ଅନେକ ଧର୍ମ ଅର୍ଜନ କଲାପରେ ବି ତୁମକୁ ଶ୍ରେଷ୍ଠ ପଦ ମିଳିପାରିନି ଓ ତୁମେ ତୁମ ପୂଣ୍ୟର ଫଳ ପାଇପାରିନ । ପୁତ୍ ନାମକ ନର୍କରୁ କେବଳ ତୁମ ସନ୍ତାନ ହିଁ ତୁମକୁ ଉଦ୍ଧାର କରିପାରିବେ ।
ମନ୍ଦପାଳ ଋଷି ବୁଝିଲେ ତାଙ୍କୁ ଆଉ ଥରେ ପୃଥିବୀକୁ ଫେରିବାକୁ ପଡିବ ଓ ଶୀଘ୍ର ସନ୍ତାନ ଜନ୍ମ ପାଇଁ କିଛି ଗୋଟେ ବ୍ୟବସ୍ଥା କରିବାକୁ ହେବ । ଭାବିଚିନ୍ତି ମନ୍ଦପାଳ ଋଷି ଠିକ କଲେ ଯେହେତୁ ପକ୍ଷୀମାନେ ଅଳ୍ପ ସମୟ ଅବଧିରେ ଅଧିକ ସନ୍ତାନ ସନ୍ତତି ଜନ୍ମ କରିନ୍ତି ତେଣୁ ସେ ପକ୍ଷୀ ରୂପରେ ସନ୍ତାନ ଜନ୍ମ କରିବେ । ତାପରେ ମନ୍ଦପାଳ ଋଷି ଏକ ଶାର୍ଙ୍ଗକ ଚଢେଇର ରୂପରେ ଖାଣ୍ଡବ ବନରେ ରହୁଥିବା ଜଇତା ନାମକ ଅନ୍ୟଏକ ମାଦା ଶାର୍ଙ୍ଗକ ଚଢେଇକୁ ବିବାହ କଲେ । କିଛିଦିନ ପରେ ଜଇତା ଚାରୋଟି ଅଣ୍ଡା ପ୍ରସବ କଲେ । ଅଣ୍ଡାସବୁ ଫୁଟି ଛୁଆ ବାହାରିବା ଆଗରୁ କିନ୍ତୁ ଋଷି ମନ୍ଦପାଳ ଜଇତା ଓ ଅଣ୍ଡା ଭିତରେ ଥିବା ସନ୍ତାନକୁ ଛାଡି ତାଙ୍କ ପୂର୍ବତନ ସ୍ତ୍ରୀ ଲପିତାଙ୍କ ପାଖକୁ ଚାଲିଗଲେ। ଋଷିଙ୍କର ଏପରି ବ୍ୟବହାରରେ ଜଇତା ବଡ ଆଶ୍ଚର୍ଯ୍ୟ ଓ ଆହତ ହେଲେ ।
ବାପ ଛାଡିଗଲା ବୋଲି ସେ ତ ଆଉ ନିଜ ପିଲାମାନଙ୍କୁ ପରିତ୍ୟାଗ କରିପାରିବେନି ଭାବି, ଜଇତା ଅଣ୍ଡା ଚାରୋଟିର ଯତ୍ନ ନେଲେ । କିଛି ଦିନ ପରେ ଚାରୋଟି ଅଣ୍ଡାରୁ ଚାରୋଟି ଶାର୍ଙ୍ଗକ ଚଢେଇ ଶାବକ ଜନ୍ମ ହେଲେ । ପତ୍ନୀ ଓ ପିଲାମାନଙ୍କୁ ପରିତ୍ୟାଗ କରି ଯିବା ବେଳକୁ ମନ୍ଦପାଳ ଋଷି ପିଲାମାନଙ୍କ ନାମ କରଣ କରିଯାଇଥାନ୍ତି । ବଡ ପୁଅର ନାମ ଜରିତାରି । ଜରିତାରି ବଡ ହୋଇଥିବାରୁ ତା'ରି ନାମରେ ବଂଶର ନାମ ରହିବ । ତା' ତଳ ପୁଅର ନାମ ରହିବ ସାରିସୃକ୍ୱ । ସେ ବଡ ହେଲେ ବିବାହ କରିବ ଓ ବଂଶ ଲତାକୁ ଆଗକୁ ବଢାଇବ । ତା' ତଳ ପିଲାର ନାମ ରହିବ ସ୍ତମ୍ବମିତ୍ର । ସେ ତପ ଆଚରଣ କରିବ । ଶେଷ ପୁଅ ଦ୍ରୋଣ । ସେ ବେଦ ଆଦି ଅଧ୍ୟୟନ କରିବ ଓ ଜ୍ଞାନ ମାର୍ଗରେ ଯିବ। ପକ୍ଷୀ ଶାବକମାନଙ୍କର ପର କଅଁଳି ନଥାଏ । ସେତିକି ବେଳେ ଅଗ୍ନିଦେବଙ୍କ କଥାରେ ଅର୍ଜୁନ ଓ କୃଷ୍ଣ ଖାଣ୍ଡବ ବନ ଜାଳିବାର ଯୋଜନା କଲେ ।
ଯେଉଁଦିନ ନିଆଁ ଲାଗିଲା ସେଦିନ ମନ୍ଦପାଳ ଋଷି ଓ ତାଙ୍କ ପତ୍ନୀ ଲପିତାଙ୍କ ସହ ଖାଣ୍ଡବ ବନରେ ବୁଲୁଥିବା ବେଳେ ଦେଖିଲେ ଅଗ୍ନି ଦେବ ପ୍ରବଳ ବେଗରେ ତାଙ୍କ ଜିହ୍ୱା ବିସ୍ତାର କରି ପୁରା ଖାଣ୍ଡବ ବନକୁ ତାଙ୍କ ଗ୍ରାସକୁ ନେବାକୁ ବ୍ୟଗ୍ର । ଋଷି ଜାଣିଥିଲେ ତାଙ୍କର ସନ୍ତାନମାନେ ଏବେବି ଅସହାୟ ଶିଶୁ ଅବସ୍ଥାରେ ଅଛନ୍ତି । କୌଣସି ଉପାୟରେ ସେମାନେ ନିଜକୁ ଅଗ୍ନିଙ୍କ କବଳରୁ ରକ୍ଷା କରି ପାରିବେନି । ତେଣୁ ମନ୍ଦପାଳ ଋଷି ଅଗ୍ନି ଦେବଙ୍କୁ ହାତ ଯୋଡି ପ୍ରାର୍ଥନା କରି କହିଲେ, ହେ ଅଗ୍ନିଦେବ ଆପଣ ସର୍ବ ଦେବତାଙ୍କ ମୁଖ । ଆପଣ ଦିବ୍ୟବାହ ଓ ପାବକ । ଆପଣଙ୍କ ବିନା ସହଯୋଗରେ ଏ ଜଗତର ସୃଷ୍ଟି ରଚନା ଅସମ୍ଭବ । ଆପଣଙ୍କ ବିନା ଯଜ୍ଞ କର୍ମ ଅନୁଷ୍ଠିତ ହେଇ ପାରିବନି । ଦୃଶ୍ୟ ଓ ଅଦୃଶ୍ୟ ଭାବରେ ଆପଣ ସର୍ବତ୍ର ବିଦ୍ୟମାନ ।
ଏପରି ଆହୁରି ଅନେକ କଥା କହି ଋଷି ମନ୍ଦପାଳ ଅଗ୍ନିଦେବଙ୍କୁ ସନ୍ତୁଷ୍ଠ କରିବାକୁ ପ୍ରାର୍ଥନା କରିବାକୁ ଲାଗିଲେ । ଋଷିଙ୍କ ପ୍ରାର୍ଥନାରେ ଅଗ୍ନିଦେବ ସନ୍ତୁଷ୍ଟ ହେଇ କହିଲେ, ହେ ବ୍ରାହ୍ଣଣ ମୋ ପାଖରୁ କ'ଣ ଚାହୁଁଛ କୁହ। ମନ୍ଦପାଳ କହିଲେ ମୋର ଶିଶୁ ପୁତ୍ରମାନେ ଏଇ ଖାଣ୍ଡବ ବନ ମଧ୍ୟରେ ଅଛନ୍ତି । ଆପଣ ସମଗ୍ର ବନକୁ ଗ୍ରାସ କଲାବେଳେ ଦୟାକରି ମୋ ପିଲମାନଙ୍କର କୌଣସି କ୍ଷତି କରିବେନି । ଅଗ୍ନିଦେବ ହଁ କହିଲେ ।
ନିଆଁ ମାଡି ମାଡି ଆସୁଥିବାର ଦେଖି ଚାରି ଶାର୍ଙ୍ଗକ ଚଢେଇ ଶାବକ ଭୟରେ ବ୍ୟସ୍ତ ହେଉଥାନ୍ତି । ସେମାନେ ସେଠାରୁ ନିରାପଦରେ ମୁକ୍ତିର ରାସ୍ତା ଭାବିପାରୁନଥାନ୍ତି । ଶାବକମାନଙ୍କ ମାଆ ଜରିତା ମଧ୍ୟ ଭୟାତୁର ହେଇ କାନ୍ଦୁଥାନ୍ତି ଓ ଆପଣା ସନ୍ତାନମାନଙ୍କ ପାଖରେ ବସି ଭାବୁଥାନ୍ତି ଏବେ କ'ଣ କରାଯିବ । ସେ ପିଲାମାନଙ୍କୁ ଏକା ଛାଡି ଯାଇପାରିବେନି କି କିଛିବି ସାହାଯ୍ୟ କରିପାରିବେନି । କାହାକୁ ଅବା ନେବେ ଓ କାହାକୁ ଅବା ଛାଡିକି ଯିବେ? ଜରିତା କାନ୍ଦ କାନ୍ଦ ହେଇ ପିଲାମାନଙ୍କୁ କହିଲେ, ଏବେ ମୁଁ ତୁମମାନଙ୍କୁ ମୋ ପର ତଳେ କିଛି ସମୟ ପାଇଁ ସୁରକ୍ଷା ଦେବି ଓ ତାପରେ ଆମେ ସମସ୍ତେ ସାଙ୍ଗ ହେଇ ପୋଡି ମରିବା ।