ଅନ୍ଧ ରାଜା ଧୃତରାଷ୍ଟ୍ର ସବୁ ଜାଣି, କିଛି ଜାଣି ପାରୁନଥା'ନ୍ତି । ପାଣ୍ଡବମାନେ ପୁଣି ଥରେ ପଶା ଖେଳରେ ହାରି ବାର ବର୍ଷ ପାଇଁ ବନବାସକୁ ଯିବା କଥାରେ ସେ ଦୁଃଖ କରୁଥା'ନ୍ତି ଓ ସେପଟେ ତାଙ୍କ ପ୍ରିୟପୁତ୍ର ଦୁର୍ଯ୍ୟୋଧନ ପୁଣି ଥରେ ପଶା ଖେଳରେ ଜିତିଥିବାରୁ ଆନନ୍ଦ ଅନୁଭବ କରୁଥାନ୍ତି । ପାଣ୍ଡବମାନେ ବନବାସକୁ କେମିତି ଗଲେ ବୁଝିବାକୁ ସେ ବିଦୂରଙ୍କ ପାଖକୁ ଖବର ପଠେଇଲେ । ବିଦୂର ଆସି ପହଞ୍ଚିଲା ପରେ ତାଙ୍କୁ ବଡ ବ୍ୟଗ୍ର ହୋଇ ଧୃତରାଷ୍ଟ୍ର ପଚାରିଲେ ପାଣ୍ଡବ ଭାଇମାନେ କେମିତି ବନବାସକୁ ଗଲେ ମୋତେ ଟିକେ କୁହ ତ। ବିଦୂର କହିଲେ ଧର୍ମରାଜ ଯୁଧିଷ୍ଠିର ଲୁଗାରେ ମୁହଁକୁ ଘୋଡାଇ ଗଲେ । ଭୀମସେନ ତାଙ୍କ ବଳିଷ୍ଠ ବାହୁକୁ ଚାହିଁ ଚାହିଁ ଗଲେ। ଅର୍ଜୁନ ବାଲି ବୁଣି ବୁଣି ଗଲେ। ମାଦ୍ରୀ ପୁତ୍ର ନକୁଳ ମୁହଁରେ ଓ ଦେହରେ ଭଷ୍ମ ବିଲୋପନ କରି ଓ ସହଦେବ ତଳକୁ ମୁଁହ କରି ହସ୍ତିନାପୁରରୁ ବାହାରି ଗଲେ ମହାରାଜ ।
ଧୃତରାଷ୍ଟ୍ର ବୁଝିପାରିଲେନି ପାଣ୍ଡବମାନେ ଗଲାବେଳକୁ ଏମିତି ଅଜବ ବ୍ୟବହାର କାହିଁକି କଲେ । କାରଣ ଜାଣିବାକୁ ସେ ବିଦୂରଙ୍କୁ ପଚାରିଲାରୁ ବିଦୂର କହିଲେ ମହାରାଜ, ପଣ୍ଡୁପୁତ୍ର ଧର୍ମରାଜ ଯୁଧିଷ୍ଠିର ଜଣେ ଧର୍ମାତ୍ମା ମଣିଷ । ତାଙ୍କ ମନରେ କୌରବ ଭାଇମାନଙ୍କ ପ୍ରତି କେବେବି କୌଣସି ବିଦ୍ୱେଷ ଭାବ ନଥିଲା । କିନ୍ତୁ ଯେଉଁ ପରିସ୍ଥିତିରେ ସେମାନଙ୍କୁ ଅପମାନିତ କରାଗଲା ଓ ଆପଣା ରାଜ୍ୟରୁ ବହିଷ୍କୃତ କରାଗଲା, ସେଥିରେ ସେ ଅତ୍ୟନ୍ତ କ୍ରୋଧୀତ ହୋଇଛନ୍ତି ।
ତାଙ୍କ କୋପିତ ଦୃଷ୍ଟି ଅନ୍ୟ କାହା ଉପରେ ନପଡୁ ବୋଲି ସେ ନିଜ ମୁହଁକୁ ଲୁଗାରେ ଘୋଡାଇ ଥିଲେ। ଭୀମସେନ ତାଙ୍କ ବଳିଷ୍ଠ ମାଂସପେଶୀକୁ ଚାହିଁ ଚାହିଁ ଗଲେ, କାରଣ ସେ କୁରୁ ସଭାରେ ଯେଉଁ ଶପଥ ନେଇଥିଲେ ତାକୁ ତାଙ୍କ ବାହୁବଳରେ ପୁରା କରିବେ । ଅର୍ଜୁନ ବାଲି ବିଞ୍ଚି ବିଞ୍ଚି ଗଲେ । କାରଣ ଆଗାମୀ ଯୁଦ୍ଧରେ ସେ ବାଲି ବୁଣିଲା ପରି ଶତୃଙ୍କ ଉପରେ ତାଙ୍କ ହାତରୁ ନିରନ୍ତର ତୀର ବର୍ଷା କରିବେ ।
Also Read
ନକୁଳଙ୍କ ନାରୀ ମନୋଲୋଭା ସୌନ୍ଦର୍ଯ୍ୟ ଯେପରି କୌଣସି ପୁରନାରୀଙ୍କ ମନକୁ ଚଞ୍ଚଳ ନକରେ ସେଥିପାଇଁ ସେ ମୁହଁ ଓ ଦେହରେ ଭଷ୍ମ ବୋଳି ହୋଇଥିଲେ । ତାଙ୍କୁ କେହି ନଜାଣନ୍ତୁ ଓ କାହା ଆଖିରେ ତାଙ୍କ ଆଖି ନମିଶୁ ବୋଲି ସହଦେବ ତଳକୁ ମୁହଁ ପୋତି ପୋତି ଚାଲୁଥିଲେ । ଆଉ ସମସ୍ତଙ୍କ ପଛରେ ଦ୍ରୌପଦୀ ବାଳ ମୁକୁଳା କରି, ଖଣ୍ଡିଏ ମାତ୍ର ବସ୍ତ୍ର ପରିଧାନ କରି କାନ୍ଦି କାନ୍ଦି ଯିବାର ଅର୍ଥ ହେଲା ତାଙ୍କୁ ଯିଏ ଏମିତି ଅବସ୍ଥା କରିଛି ସେମାନଙ୍କ ପତ୍ନୀ, ମାତା ଓ ଭଉଣୀମାନଙ୍କର ସେମିତି ଅବସ୍ଥା ଖୁବ ଶୀଘ୍ର ହେବାକୁ ଯାଉଛି। ଦୁଃଶାସନର ରକ୍ତରେ ତାଙ୍କ କେଶ ନ ଭିଜାଇଲା ପର୍ଯ୍ୟନ୍ତ ପାଞ୍ଚାଳୀ ସେମିତି ମୁକ୍ତକେଶା ରହିବେ ବୋଲି ଶପଥ ବି କରିଛନ୍ତି । ଆପଣଙ୍କ ପ୍ରଜାମାନେ କ୍ଷୁବ୍ଧ ଓ ଅସନ୍ତୁଷ୍ଟ ।
ବିଦୂରଙ୍କ ଏପରି ବର୍ଣ୍ଣନା ଶୁଣି ରାଜା ଧୃତରାଷ୍ଟ୍ର ବଡ ବ୍ୟସ୍ତ ହୋଇପଡିଲେ । ବିଦୂରଙ୍କୁ ସାଙ୍ଗେ ସାଙ୍ଗେ ପଚାରିଲେ ତେବେ ପାଣ୍ଡବମାନେ ହସ୍ତିନାର ରାଜପଥରେ ଚାଲି ଚାଲି ଯିବା ବେଳକୁ ହସ୍ତିନାବାସୀ କ'ଣ କହୁଥିଲେ? କେମିତି ଥିଲା ସେମାନଙ୍କର ବ୍ୟବହାର ।
ବିଦୂରଙ୍କୁ ଏସବୁ କଥା ବର୍ଣ୍ଣନା କରି ରାଜା ଧୃତରାଷ୍ଟ୍ରଙ୍କୁ କହିବାକୁ ଭଲ ଲାଗୁନଥିଲା । ସେ ନିଜେ ବଡ ଦୁଃଖି ଥିଲେ । ପାଣ୍ଡବମାନଙ୍କ ପାଇଁ ଯେତିକି ଥିଲେ କୌରବଙ୍କ ପାଇଁ ବି ସେତିକି ଥିଲେ। ଦେଶବାସୀଙ୍କ ମନ କଥା କହିବାକୁ ଯାଇ ବିଦୂର କହିଲେ, ପାଣ୍ଡବମାନେ ବନବାସରେ ଗଲାବେଳକୁ ଦେଶର ପ୍ରଜାମାନେ ରାସ୍ତାର ଦୁଇ ପାଖରେ ଛିଡା ହେଇ ଅଶ୍ରୁ ମୋଚନ କରୁଥିଲେ । ସେମାନଙ୍କୁ ନିଜ ପରିବାରର କାହାକୁ ହରାଇଲା ପରି ଲାଗୁଥିଲା। ଲୋକେ କହୁଥିଲେ ଧନ ଓ ଦେଶ ଲୋଭରେ ଧୃତରାଷ୍ଟ୍ର ନିଜର ସାନଭାଇଙ୍କ ପିଲାମାନଙ୍କୁ କପଟ କରି ବଣକୁ ତଡି ଦେଲେ ।
କୁରୁ ସଭାରେ ଥିବା ବିଜ୍ଞ ବୃଦ୍ଧମାନଙ୍କୁ ଲୋକମାନେ ଧିକ୍କାର କରୁଥିଲେ । ସେମାନେ ଦୁର୍ଯ୍ୟୋଧନ ଓ ଶକୁନିଙ୍କ ଉଦ୍ଦେଶ୍ୟରେ ଅନେକ ପ୍ରକାରର କଟୁ କଥା ବି କହୁଥିଲେ। କେବଳ ସେତିକି ନୁହେଁ ମହାରାଜ, ଦେଶର ଲୋକମାନେ ଆତଙ୍କିତ ଅଛନ୍ତି । କାରଣ ଚାରିଆଡେ ଅଶୁଭ ଶକୁନମାନ ଦେଖାଯାଉଛି । ଦେବାଳୟ ଓ ବଡ ବଡ ଘରମାନଙ୍କ ଉପରେ ମାାଂସାସୀ ଶାଗୁଣା ଓ କାଉ ଆଦି ବସି ଚିତ୍କାର କରୁଛନ୍ତି ।
ବିଦୂର ଓ ରାଜା ଧୃତରାଷ୍ଟ୍ର ବସି କଥା ହେଉଥିବାବେଳେ ସେମାନଙ୍କ ପାଖରେ ଦେବର୍ଷି ନାରଦ ଆସି ପହଞ୍ଚିଲେ । ଦେବର୍ଷିଙ୍କ ପଦ ବନ୍ଦନା କରି ତାଙ୍କୁ ସମ୍ମାନର ସହ ବିଦୂର ଆସନରେ ବସାଇଲେ । ତାପରେ ଧୃତରାଷ୍ଟ୍ରଙ୍କୁ ଆହୁରି ଭୟଙ୍କର କଥା ନାରଦ କହିଲେ । କହିଲେ ଆଜିଠାରୁ ତେର ବର୍ଷ ପରେ ଦୁର୍ଯ୍ୟୋଧନର କର୍ମ ପାଇଁ ପୁରା କୌରବକୂଳ ଧ୍ୱଂସ ହେବ। କୌରବଙ୍କ ପାଖ ଲୋକ ସମସ୍ତେ ନିହତ ହେବେ ।
ନାରଦଙ୍କ କଥା ଶୁଣି ଦୁର୍ଯ୍ୟୋଧନ ଭୟ ପାଇଗଲେ । ଆତଙ୍କିତ ହୋଇ ସାଙ୍ଗେ ସାଙ୍ଗେ ଗୁରୁ ଦ୍ରୋଣାଚାର୍ଯ୍ୟ, ବନ୍ଧୁ କର୍ଣ୍ଣ ଓ ପରାମର୍ଶଦାତା ଶକୁନି ମାମୁଙ୍କ ପାଖରେ ପହଞ୍ଚିଲେ । ସେମାନଙ୍କୁ ଅନୁରୋଧ କରି କହିଲେ ଯଦି ସେମିତି କିଛି ଖରାପ ସମୟ ସତରେ ଆସେ ତେବେ ତାଙ୍କୁ ଯେମିତି କେହି ଏକୁଟିଆ ନକରନ୍ତି। ଦୁର୍ଯ୍ୟୋଧନଙ୍କ କଥା ଶୁଣି ଆଚାର୍ଯ୍ୟ ଦ୍ରୋଣ ଗମ୍ଭୀର ହୋଇ କହିଲେ ପାଣ୍ଡବମାନେ ଦେବ ପୁତ୍ର, ସେମାନଙ୍କୁ ଯୁଦ୍ଧରେ ପରାସ୍ତ କରିବା ଅସମ୍ଭବ । କିନ୍ତୁ ଭୟ କରନି, ଯୁଦ୍ଧ ହେଲେ ମୁଁ ତୁମ ପକ୍ଷରୁ ହିଁ ଲଢିବି ।
ମୁଁ ରାଜା ଧୃତରାଷ୍ଟ୍ରଙ୍କ ଅନ୍ନରେ ପ୍ରତିପାଳିତ ଓ ତୁମେ ମୋର ଶରଣ ନେଇ ସାହାଯ୍ୟ ଭିକ୍ଷା କରୁଛ ମାନେ, ମୁଁ ତୁମକୁ ଛାଡି ଯିବିନି । କିନ୍ତୁ ତୁମେ ମନେରଖିଥାଅ ବିଧିର ନିର୍ଦ୍ଦେଶ ପାଖରେ ଆମର ଆମାପ ବଳ ଅର୍ଥହୀନ । ପାଣ୍ଡବମାନଙ୍କୁ ଯେଉଁପରି ଭାବରେ ଅପମାନିତ କରି ସେମାନଙ୍କୁ ଅନ୍ୟାୟ ଭାବରେ ରାଜଗାଦିଚ୍ୟୁତ କରି ବନବାସରେ ପଠାଗଲା, ସେମାନେ ପ୍ରତିଶୋଧ ନେବାକୁ ନିଶ୍ଚୟ ଫେରିବେ । ସେମାନଙ୍କ କ୍ରୋଧକୁ ସାମ୍ନା କରିବା ସହଜ ହେବନି । ଶୁଣ ଦୁର୍ଯ୍ୟୋଧନ, କ୍ରୋଧର ସର୍ବଗ୍ରାସୀ ଅଗ୍ନିକୁ ମୁଁ ଜାଣେ ।
ଏକଦା ମୋ ବାଲ୍ୟକାଳର ବନ୍ଧୁ ରାଜା ଦ୍ରୁପଦଙ୍କୁ ଯୁଦ୍ଧରେ ପରାସ୍ତ କରି ମୁଁ ତାଙ୍କୁ ରାଜ୍ୟଚ୍ୟୁତ କରିଥିଲି । ରାଗରେ ମୋର ବିନାଶ ପାଇଁ ସେ ନିଷ୍ଠାପର ଭାବରେ ଗୋଟେ ଯଜ୍ଞର ଆୟୋଜନ କରିଥିଲେ । ସେଇ ଯଜ୍ଞକୁଣ୍ଡରୁ ଦ୍ରୌପଦୀ ଓ ଧୃଷ୍ଟଦ୍ୟୁମ୍ନଙ୍କର ଜନ୍ମ ହେଲା । ସେଇ ଧୃଷ୍ଟଦ୍ୟୁମ୍ନର ହାତରେ ମୋ ମୃତ୍ୟୁ ଯୋଗ ଅଛି । ବିଧିର ନିର୍ଦ୍ଦେଶକୁ କେହି ଅମାନ୍ୟ କରିପାରିବେନି । ତୁମେ ଜାଣିଛ ପାଣ୍ଡବମାନେ ଅଗ୍ନୀ କନ୍ୟା ଦ୍ରୌପଦୀଙ୍କୁ ବିବାହ କଲାପରେ ଧୃଷ୍ଟଦ୍ୟୁମ୍ନ ଏବେ ସେମାନଙ୍କର ଶ୍ୟାଳକ। ନାରଦ ମୁନି ମିଛ କୁହନ୍ତିନି । ତେରବର୍ଷ ପରେ ହେବାକୁ ଥିବା ବିନାଶ ପର୍ବ ତୁମେ ତୁମ ହାତରେ ତିଆରି କରିଛ । ତେଣୁ ଆଜି ଠାରୁ କିଛି ଧର୍ମ କର୍ମ କର ।
ଦୁର୍ଯ୍ୟୋଧନ ଆତଙ୍କିତ ହୋଇ ସମସ୍ତଙ୍କ ସାହାଯ୍ୟ ଭିକ୍ଷା କରୁଥିବା ବେଳେ ହସ୍ତିନାର ରାଜପ୍ରାସାଦର ନିଭୃତ କକ୍ଷରେ ଅନ୍ଧ ରାଜା ଧୃତରାଷ୍ଟ୍ର ଚିନ୍ତାର ସହ ତାଙ୍କ ପରାମର୍ଶଦାତାଙ୍କ ସହ ଆଲୋଚନା କରୁଥାନ୍ତି । ପାଣ୍ଡବମାନଙ୍କ ବନବାସ ପରେ ଓ ନାରଦଙ୍କ କଥା ଶୁଣି ସେ ମନେ ମନେ ବହୁତ ଭୟ ପାଇଯାଇଥାନ୍ତି । ଧୃତରାଷ୍ଟ୍ରଙ୍କ ଭୟ ଓ ଆତଙ୍କରେ ମଳିନ ପଡିଥିବା ମୁହଁ ଦେଖି ମନ୍ତ୍ରୀ ସଞ୍ଜୟ ପଚାରିଲେ, ମହାରାଜ ଆପଣଙ୍କ ପୁଅମାନେ ପଶା ଖେଳରେ ବିଜୟ ଲାଭ କରି ପାଣ୍ଡବମାନଙ୍କ ଏତେବଡ ଦେଶ ଓ ଅମାପ ଧନ ସମ୍ପତ୍ତି ଲାଭ କଲେ । ସେଥିରେ ଆପଣ ଆନନ୍ଦିତ ହେବା କଥା, କିନ୍ତୁ ଆପଣଙ୍କ ମୁହଁରେ ବିଷର୍ଣ୍ଣତାର ଛାପ କାହିଁକି?
ଧୃତରାଷ୍ଟ୍ର କହିଲେ, ହେ ସଞ୍ଜୟ, ପାଣ୍ଡବମାନଙ୍କ ଶକ୍ତି, ସାମର୍ଥ୍ୟ, ଶୌର୍ଯ୍ୟ, ବୀର୍ଯ୍ୟ ଓ ବୀରତ୍ୱ ବିଷୟରେ ମୁଁ ଜାଣିଛି । ଯେଉଁପରି ଭାବରେ ସେମାନଙ୍କୁ ଅପମାନିତ କରି ବନବାସରେ ପଠାଗଲା ସେଥିରେ ସେମାନେ ଆମମାନଙ୍କୁ ଶତ୍ରୁ ଭାବରେ ବିବେଚନା କରୁଥିବେ । ଶକ୍ତିଶାଳୀ ପାଣ୍ଡବମାନଙ୍କ ସହ ଶତ୍ରୁତା କରି କିଏ ଅବା ଶାନ୍ତିରେ ଘଡିଏ ବସିପାରିବ?
ରାଜାଙ୍କ ଚିନ୍ତା ଶୁଣି ମନ୍ତ୍ରୀ ସଞ୍ଜୟ କହିଲେ, ମହାରାଜ ଆତ୍ମୀୟଙ୍କ ସହ ଶତ୍ରୁତାପୂର୍ଣ୍ଣ ଆଚରଣ କରି କିଏ ଅବା ଶାନ୍ତିରେ ରହିପାରିବ? ତାପରେ ସେ ଶତ୍ରୁ ପୁଣି ଦୁର୍ଜୟ ପାଣ୍ଡବ। ଦୁର୍ଯ୍ୟୋଧନ ତାଙ୍କ ମାମୁ ଶକୁନିଙ୍କ ବୁଦ୍ଧିରେ ପରିଚାଳିତ ହୋଇ ଯେଉଁପରି ଭାବରେ ଧର୍ମବିରୁଦ୍ଧ କର୍ମ ସବୁ କଲେ, ତା'ର ପରିଣାମ ତ ତାଙ୍କ ସହ ଅନ୍ୟମାନଙ୍କୁ ବି ଭୋଗିବାକୁ ହେବ । ବଳପୂର୍ବକ କୂଳବଧୁ ଦ୍ରୌପଦୀଙ୍କୁ ଏପରି ସଭା ମଝିରେ ଅପମାନିତ କରିବାର ନଥିଲା କି କପଟ ପଶାରେ ପାଣ୍ଡବମାନଙ୍କୁ ପରାଜିତ କରିବାର ନଥିଲା । ଆପଣ ଆପଣଙ୍କ ପୁଅମାନଙ୍କୁ ଠିକଣା ସମୟରେ ଅଟକାଇଲେ ନାହିଁ । ବିନାଶ ସମୟରେ ଏମିତି ବିପରୀତ ବୁଦ୍ଧି ଘାରେ । ପାଣ୍ଡବମାନଙ୍କ କ୍ରୋଧ ଆଗରୁ ଏବେ କୁରୁକୁଳକୁ କେହି ବି ରକ୍ଷା କରିପାରିବେନି ।
ମହାମନ୍ତ୍ରୀ ସଞ୍ଜୟଙ୍କ କଥା ଶୁଣି ରାଜା ଧୃତରାଷ୍ଟ୍ର ଚିନ୍ତାଶୀଳ ହୋଇ ବସି ପଡିଲେ । କିଛି ସମୟ ନୀରବ ରହିଲା ପରେ କହିଲେ, ହେ ସଞ୍ଜୟ ତୁମେ ସତ କଥା କହୁଛ । କୁଳବଧୂ ଦ୍ରୌପଦୀଙ୍କୁ ଅପମାନିତ କରିବା ଠିକ ହେଲାନି । ଘଟଣା ସବୁ ପଛକୁ ପଛ ଏମିତି ଘଟିଲା ଯେ ନିୟନ୍ତ୍ରଣ କରିହେଲାନି । ବିଦୂର ଓ ଗାନ୍ଧାରୀ ମୋତେ ବାର ବାର ସତର୍କ କରାଇଥିଲେ । ମୁଁ ବି ସେମାନଙ୍କ କଥା ମାନି ପାଣ୍ଡବମାନେ ପଶାରେ ହାରିଥିବା ସମସ୍ତ ଦ୍ରବ୍ୟ ଫେରାଇ ଦେଇଥିଲି । କିନ୍ତୁ ଦୁର୍ଯ୍ୟୋଧନ ଓ ଶକୁନିଙ୍କ କଥାରେ ପଡି ପୁଣି ଆଉ ଥରେ ପଶା ଖେଳକୁ ଅନୁମତି ଦେଇ ହାୟ ବିନାଶକୁ ନିମନ୍ତ୍ରଣ କରି ଆଣିଲି ।
ଧୃତରାଷ୍ଟଙ୍କ ମନକୁ ଶାନ୍ତି ଆସୁନଥାଏ । ଦିନେ ସେ ବିଦୂରଙ୍କୁ ଡାକି ମନ କଥା କହିଲେ । ବିଦୁର କହିଲେ ମନର ଶାନ୍ତି ପାଇଁ ଓ ବଂଶର ମଙ୍ଗଳ ପାଇଁ ଦୁର୍ଯ୍ୟୋଧନ, କର୍ଣ୍ଣ ଓ ଶକୁନିଙ୍କ କଥାରେ ନପଡି ପାଣ୍ଡବମାନଙ୍କୁ ବନବାସରୁ ଫେରାଇ ଆଣି ସେମାନଙ୍କ ଦେଶ ଫେରାଇ ଦିଅନ୍ତୁ । ବିରୋଧ କଲେ ଦୁର୍ଯ୍ୟୋଧନ ପରି କୁଳାଙ୍ଗାର ପୁତ୍ର ସହ ଅନ୍ୟମାନଙ୍କୁ ତ୍ୟାଗ କରନ୍ତୁ । ପାଣ୍ଡବମାନଙ୍କ ସହ ଶତ୍ରୁତା ଆପଣଙ୍କୁ କେବେବି ଶାନ୍ତିରେ ରହିବାକୁ ଦେବନି ।
ବିଦୂରଙ୍କ ଉପଦେଶ ଶୁଣି ଧୃତରାଷ୍ଟଙ୍କୁ ଅଧିକ ଅଶାନ୍ତି ଲାଗିଲା । ସେ ବିଦୂରଙ୍କ ଉପରେ କ୍ରୋଧ ପ୍ରକାଶ କରି କହିଲେ, ତୁମର ବିଚାର ଏକପାଖିଆ । ତୁମେ ସବୁବେଳେ ପାଣ୍ଡବମାନଙ୍କର ମଙ୍ଗଳ ଓ କୌରବଙ୍କର ଅମଙ୍ଗଳ ଚିନ୍ତା କରୁଛ । ତୁମେ କେମିତି ଭୁଲିଯାଉଛ ଦୁର୍ଯ୍ୟୋଧନ ମୋର ନିଜ ପୁଅ ? ପାଣ୍ଡବମାନଙ୍କ ମଙ୍ଗଳ ପାଇଁ ମୁଁ ନିଜ ପୁତ୍ରକୁ ପରିତ୍ୟାଗ କରିପାରିବିନି । ଯଦି ବଂଶ ଧ୍ୱଂସ ହେବାର ଥିବା ହେବ । ମୁଁ କ'ଣ ବା କରିପାରିବି? ତୁମର ମନ୍ଦ ପରାମର୍ଶ ମୋର ଆଉ ଲୋଡ଼ା ନାହିଁ । ତମ ଇଚ୍ଛା ହେଲେ ରୁହ ଅବା ଅନ୍ୟ ଆଡେ ପଳାଇଯାଅ ।
ବିଦୂର ବୁଝିପାରିଲେ ରୋଗୀକୁ ବୈଦ୍ୟଙ୍କ ପଥି ପିତା ଲାଗେ । ସେମିତି ତାଙ୍କ ଉପଯୁକ୍ତ ପରାମର୍ଶ ରାଜାଙ୍କୁ ଖରାପ ଲାଗୁଛି । ବିଦୂର ଜାଣୁଥିଲେ କୁରୁ ବଂଶକୁ ବ୍ରହ୍ମା ଆସିଲେ ବି ଆଉ ରକ୍ଷା କରିପାରିବେନି। ବିଦୂର ରାଜା ଆଜ୍ଞା ପାଳନ କରି ପାଣ୍ଡବମାନେ ବାସ କରୁଥିବା ଜଙ୍ଗଳକୁ ଚାଲିଗଲେ । କିନ୍ତୁ ବିଦୂର ଯିବା ପରେ ରାଜା ଧୃତରାଷ୍ଟ ବେଶି ବେଶି ବିଦୂରଙ୍କ ଅନୁପସ୍ଥିତିକୁ ଅନୁଭବ କଲେ । ତାଙ୍କୁ ଲାଗିଲା ତାଙ୍କୁ ବୁଝିପାରୁଥିବା ଜଣେ ବି ମଣିଷ ରାଜ ନଅରରେ ନାହିଁ । ଦିନେ ଧୃତରାଷ୍ଟ ମନ୍ତ୍ରୀ ସଞ୍ଜୟଙ୍କୁ ବିଦୂରଙ୍କୁ ଫେରାଇ ଆଣିବାକୁ ବଣକୁ ପଠାଇଲେ ।