ମହାଭାରତ କଥା
ଦୁଇ ଦୁଇଟି ପାପର ପରାଭବରେ ଇନ୍ଦ୍ର ତାଙ୍କର ସମସ୍ତ ତେଜ ହରାଇ ବସିଲେ ଓ ସ୍ୱର୍ଗ ଛାଡି ଏଣେତେଣେ ବିଚଳିତ ହୋଇ ବୁଲିବାକୁ ଲାଗିଲେ । ତାଙ୍କ ପାଖରେ ଆଉ ତାଙ୍କର ଇନ୍ଦ୍ରପଦ ବି ରହିଲାନି । ଇନ୍ଦ୍ର ଲୁଚି ରହିବାରୁ ସଂସାରରେ ଅକାଳ ପଡିଲା । ବିନା ବର୍ଷାରେ ଗଛ ଲତା ଶୁଖିବାକୁ ଲାଗିଲେ । ଇନ୍ଦ୍ରପଦ ଖାଲି ପଡିବାରୁ ଋଷି ଓ ଦେବତାମାନେ ଭୟରେ ରହିଥାନ୍ତି । ସ୍ୱର୍ଗରେ ଇନ୍ଦ୍ରପଦ ଖାଲି କିନ୍ତୁ କିଏ ଏବେ ଇନ୍ଦ୍ରପଦ ସମ୍ଭାଳିବ? ଦେବତାମାନଙ୍କ ଭିତରୁ କେହି ଇନ୍ଦ୍ର ଆସନରେ ବସିବାକୁ ଆଗ୍ରହ ପ୍ରକାଶ କରୁନଥାନ୍ତି । ସବୁଆଡେ ଅରାଜକତା ଆରମ୍ଭ ହୋଇଗଲା । ସୂର୍ଯ୍ୟ, ଅଗ୍ନି, ବରୁଣ ଓ ବାୟୁଦେବତା ସେମାନଙ୍କ ସେମାନଙ୍କ କାମ ସୂଚାରୁ ରୂପେ ନିର୍ବାହ କଲେନି ।
ଶେଷରେ ଦେବତା ଓ ଋଷିମାନେ ପରସ୍ପରଙ୍କ ମଧ୍ୟରେ ଆଲୋଚନା କରି ନିଷ୍ପତ୍ତି ନେଲେ ଜମ୍ବୁଦ୍ୱୀପରେ ଶାସନ କରୁଥିବା ତେଜସ୍ୱୀ, ଯଶ୍ୱସ୍ୱୀ ଓ ପରମ ଧର୍ମିକ ରାଜା ନହୁଷଙ୍କୁ ଇନ୍ଦ୍ରପଦରେ ବସିବାକୁ ଅନୁରୋଧ କରିବାକୁ । ସ୍ୱର୍ଗ ରାଜ୍ୟରେ ଉପଯୁକ୍ତ କେହି ନମିଳିବାରୁ ସେମାନଙ୍କୁ ମର୍ତ୍ତ୍ୟମଣ୍ଡଳକୁ ଆସିବାକୁ ପଡିଲା ।
ଦେବତା ଓ ଋଷିମାନଙ୍କ ଅନୁରୋଧ ଶୁଣି ନହୁଷ କହିଲେ ସ୍ୱର୍ଗ ରାଜ୍ୟର ରାଜା ହେବାପାଇଁ ମୋର ଉପଯୁକ୍ତ ଶକ୍ତି ସାମର୍ଥ୍ୟ ନାହିଁ । ପୃଥିବୀର କୌଣସି ରାଜା କେବେବି ସ୍ୱର୍ଗର ସିଂହାସନରେ ବସି ନାହାଁନ୍ତି । ମୋର ଇନ୍ଦ୍ର ହେବାପାଇଁ ଉପଯୁକ୍ତ ଶକ୍ତି, ସାମର୍ଥ୍ୟ, ପୁଣ୍ୟ ଓ ଧର୍ମବଳ କିଛି ନାହିଁ । ମୋତେ କ୍ଷମା କରନ୍ତୁ, ମୁଁ ଆପଣଙ୍କର ସ୍ୱର୍ଗର ରାଜା ହୋଇପାରିବନି ।
ଦେବତା ଓ ଋଷିମାନେ ନହୁଷଙ୍କୁ ଅନେକ ବାଗରେ ବୁଝାଇବାକୁ ଚେଷ୍ଟା କଲେ । କହିଲେ “ହେ ରାଜନ, ବର୍ତ୍ତମାନ ଅନ୍ୟ ସମସ୍ତଙ୍କ ତୁଳନାରେ ଆପଣଙ୍କର ଯଥେଷ୍ଟ ଶକ୍ତି, ସାମର୍ଥ୍ୟ,ପୁଣ୍ୟ ଓ ଧର୍ମବଳ ଅଛି । ତାପରେ ଆପଣ ଇନ୍ଦ୍ରପଦରେ ଅଭିଷିକ୍ତ ହେଲାପରେ ଦେବ, ଦାନବ, ଯକ୍ଷ, ଗନ୍ଧର୍ବମାନଙ୍କୁ ଦେଖିପାରିବେ ଓ ସେମାନଙ୍କ ତେଜ ନେଇପାରିବେ । ଅନେକଙ୍କ ତେଜରେ ବଳିୟାନ ହେଲାପରେ ଆପଣଙ୍କୁ ଆଉ କେହି କୌଣସି ପ୍ରକାର ଭୟରେ ଭୟଭୀତ କରିପାରିବନି । ଇନ୍ଦ୍ର ଭାବରେ ଆପଣ ସମସ୍ତ ପ୍ରକାର ଶକ୍ତି ଓ ସାମର୍ଥ୍ୟର ଅଧିକାରୀ ହୋଇପାରିବେ ।
ଅନେକ ପ୍ରକାରର ବୁଝାବୁଝି ପରେ ନହୁଷ ଇନ୍ଦ୍ର ହେବାକୁ ଶେଷରେ ରାଜି ହେଲେ । ନହୁଷ ଜଣେ ଧାର୍ମିକ ଓ ସତ୍ୟନିଷ୍ଠ ମଣିଷ ଥିଲେ । ପ୍ରଥମେ ପ୍ରଥମେ ସେ ନିଷ୍ଠାପୂର୍ବକ ଇନ୍ଦ୍ରପଦର ମାନ ରକ୍ଷାକରି ଉପଯୁକ୍ତ ଭାବରେ ନିଜର ଦାୟିତ୍ୱ ପାଳନ କଲେ । ସେ ଯାହାକୁ ଚାହୁଁଥିଲେ ତା'ର ତେଜ ତାଙ୍କ ଦେହରେ ଆସି ମିଶୁଥିଲା । ଧିରେ ଧିରେ ସେ ଖୁବ ତେଜସ୍ୱୀ ଓ ବଳବାନ ହେବାକୁ ଲାଗିଲେ । କିଛି ଦିନପରେ ତେଜ, ଶୌର୍ଯ୍ୟ ଓ ଅମାପ ଶକ୍ତି ସହ ସେ ଇନ୍ଦ୍ରପଦର ମୋହରେ ପଡିବାକୁ ଲାଗିଲେ । ସ୍ୱର୍ଗର ସୁଖ ସ୍ୱଚ୍ଛନ୍ଦ୍ୟ ଓ ବିଭିନ୍ନ ପ୍ରକାର କାମବାସନା ପ୍ରତି ଆସକ୍ତ ହୋଇଗଲେ । ଚିରନ୍ତନ ଯୌବନବତୀ ସୁନ୍ଦରୀ ଅପସରୀ, ସ୍ୱର୍ଗର ନନ୍ଦନକାନନ, ସ୍ବର୍ଗୀୟ ସୁଷମାରେ ଭରପୁର ନଦ ନଦୀ ଓ ଗିରି ଶୃଙ୍ଗ, ଗନ୍ଧର୍ବଙ୍କ ସଙ୍ଗୀତ, ଅପସରୀଙ୍କ ନୃତ୍ୟ, ଦେବକନ୍ୟାମାନଙ୍କର ରୂପ ଲାବଣ୍ୟ ଭିତରେ ସେ ଏତେ ବୁଡି ରହିଲେ ଯେ ନିଜର କର୍ତ୍ତବ୍ୟ ଭୁଲିବାକୁ ଲାଗିଲେ । ସବୁବେଳେ ଭୋଗବିଳାସରେ ମାତି ରହିଲେ ।
ଥରେ ପୂର୍ବ ଇନ୍ଦ୍ରଙ୍କ ରାଣୀ ଶଚୀଦେବୀ ତାଙ୍କୁ ଦେଖା କରିବାକୁ ଆସିଥାନ୍ତି । ଶଚୀଦେବୀ ବିଦାୟ ନେଇ ଗଲାପରେ ତାଙ୍କ ସୌନ୍ଦର୍ଯ୍ୟକୁ ମନେପକାଇ ନହୁଷ ଭାବିଲେ ଇନ୍ଦ୍ର ଭାବରେ ସମସ୍ତ ସୁବିଧା ସୁଯୋଗ ସେ ପାଉଛନ୍ତି । କିନ୍ତୁ କାଇଁ ଶଚୀ ତ ତାଙ୍କର ପତ୍ନୀ ଭାବରେ ସେବା କରିବାକୁ ଆସୁନାହାଁନ୍ତି । ସେ ଏ ବିଷୟରେ କିଛି ସମୟ ଚିନ୍ତାକଲେ ଓ ଶେଷରେ ଶଚୀଙ୍କ ପାଖକୁ ଦୂତ ପ୍ରେରଣ କଲେ । ଦୂତ ପାଖରୁ ଖବର ପାଇ ଶଚୀଦେବୀ ଭୟ ଓ ଦୁଃଖରେ ଆଉ କିଛି ଉପାୟ ନପାଇ ଦେବଗୁରୁ ବୃହଷ୍ପତ୍ତିଙ୍କ ପାଖରେ ଶରଣ ପଶିଲେ । କହିଲେ ଆପଣ ଇନ୍ଦ୍ର ଓ ଅନ୍ୟ ଦେବତାଙ୍କ ଗୁରୁ । ଆପଣ ବହୁ ଆଗରୁ ମୋତେ ବରଦାନ କରିଛନ୍ତି ମୁଁ ପତିବ୍ରତା ହେବି । ଏବେ ମୁଁ ବିପଦରେ ପଡିଛି । ନୂଆ ଇନ୍ଦ୍ର ନହୁଷ ମୋତେ ତାଙ୍କ ପତ୍ନୀ ଭାବରେ ପାଇବାକୁ ବ୍ୟାକୁଳ ହେଉଛନ୍ତି । ଏବେ ମୁଁ ଆପଣଙ୍କ ଶରଣ ପଶିଲି ମୋତେ ନହୁଷଙ୍କ ପାଖରୁ ରକ୍ଷା କରନ୍ତୁ ।
ବୃହଷ୍ପତ୍ତି କହିଲେ “ମୁଁ ଯାହା କହିଛି ତାହା ଅନ୍ୟଥା ହେବନି । ତୁମେ ବ୍ୟସ୍ତ ହୁଅନି ଇନ୍ଦ୍ରଦେବ ଖୁବ ଶୀଘ୍ର ସ୍ୱର୍ଗରାଜ୍ୟକୁ ଫେରିଆସିବେ । ତୁମର ନହୁଷଙ୍କୁ ଭୟ କରିବାର କିଛି କାରଣ ନାହିଁ । ତୁମେ ଆମ ଘରେ ନିର୍ଭୟରେ ରହିପାର । ନହୁଷଙ୍କ ଭୟରେ ଶଚୀଦେବୀ ବୃହଷ୍ପତ୍ତିଙ୍କ ଘରେ ରହିବାକୁ ଲାଗିଲେ ।
ଶଚୀଦେବୀ ଯାଇଁ ବୃହଷ୍ପତ୍ତିଙ୍କ ଘରେ ରହୁଛନ୍ତି ବୋଲି ଖବର ନହୁଷଙ୍କ ପାଖରେ ପହଞ୍ଚିଲା । ନହୁଷ ଏ ଖବର ଶୁଣି ରାଗରେ ଥରିବାକୁ ଲାଗିଲେ । ତାଙ୍କ କ୍ରୋଧଦେଖି ଦେବତାମାନେ ତାଙ୍କୁ ବୁଝେଇବାକୁ ଲାଗିଲେ ଓ କହିଲେ “ହେ ଦେବରାଜ ଆପଣ ଅକାରଣରେ ଏପରି କ୍ରୋଧ କରନ୍ତୁ ନାହିଁ । ଆପଣ ଧର୍ମ ଅଧର୍ମ ବୁଝନ୍ତି । ଶଚୀ ଦେବୀ ପୂର୍ବ ଇନ୍ଦ୍ରଦେବଙ୍କ ପତ୍ନୀ । ତେଣୁ ଅନ୍ୟର ପତ୍ନୀ ପ୍ରତି କାମନା ରଖିବା ଅନୁଚିତ ।
କାମନା ଅଗ୍ନିରେ ଛଟପଟ ହେଉଥିବା ନହୁଷ ଦେବତାମାନଙ୍କ କଥା ଶୁଣିବା ଅବସ୍ଥାରେ ନଥିଲେ । ସେ ସେମିତି କ୍ରୋଧର ସହ କହିଲେ ତୁମେ ସବୁ ମୋତେ ଆଜି ଉପଦେଶ ଦେବାକୁ ଆସିଗଲ କିନ୍ତୁ ପୂର୍ବ ଇନ୍ଦ୍ରଙ୍କୁ କିଛି କହିନଥିଲ କାହିଁକି? ତାଙ୍କୁ କିଛି ପରାମର୍ଶ ଦେଇନଥିଲ କାହିଁକି? ତୁମ ପୂର୍ବ ଇନ୍ଦ୍ର ଯେତବେଳେ ଅହଲ୍ୟାଙ୍କ ସତୀତ୍ୱ ହରଣ କରିଥିଲେ ତୁମେ ସବୁ କ'ଣ କରୁଥିଲ? ତାଙ୍କୁ ବୁଝେଇନଥିଲ କାହିଁକି? ତୁମ ଧର୍ମାବତାର ଇନ୍ଦ୍ର ତପସ୍ୱୀ ବିଶ୍ୱରୂପଙ୍କୁ ହତ୍ୟା କଲେ କାହିଁକି? ବୃତ୍ତ୍ର ସାଙ୍ଗରେ କପଟ ସନ୍ଧିକରି ତାକୁ ମାରିଲେ କାହିଁକି? ତୁମେ ସମସ୍ତେ ମିଳିମିଶି ତାଙ୍କୁ ପାପ କର୍ମ କରିବାରୁ ନିବୃତ୍ତ କରିନଥିଲ କାହିଁକି । ସେ ଯଦି ଏତେ ଭଲ ଏବେ ସ୍ୱର୍ଗ ରାଜ୍ୟ ଛାଡି ଲୁଚି ଲୁଚି ବୁଲୁଛନ୍ତି କାହିଁକି? ମୁଁ ତ ଇନ୍ଦ୍ର ହେବାକୁ ନିଜେ କହିନଥିଲି । ତୁମେ ସବୁ ମିଳି ମିଶି ମୋତେ ଅନୁରୋଧ କରି ଏଠାକୁ ଆଣିଛ । ସ୍ୱର୍ଗର ଯିଏ ଇନ୍ଦ୍ର ହେବ ଶଚୀଦେବୀ ତା'ର ପତ୍ନୀ ହେବାର ବିଧି ଅଛି । ତେଣୁ ମୋତେ ଆଉ କିଛି ଅଯଥା କଥା ନବୁଝାଇ ବୃହଷ୍ପତ୍ତିଙ୍କ ଘରୁ ତାଙ୍କୁ ଆଣି ମୋ ପାଖରେ ଛାଡ ।
ମହାଭାରତ କଥାଦେବତାମାନଙ୍କ ପାଖରେ କହିବାକୁ ଆଉ କିଛି ନଥିଲା । ସେମାନେ ଶଚୀଙ୍କୁ ଆଣିବାକୁ ବୃହଷ୍ପତ୍ତିଙ୍କ ଘରେ ପହଞ୍ଚିଲେ ଓ ଶଚୀଦେବୀଙ୍କୁ କହିଲେ ଆପଣଙ୍କ କଥା ଆମେ ବୁଝୁଛୁ । କିନ୍ତୁ ଏ କଥା ବି ସତ ଯିଏ ଇନ୍ଦ୍ର ହେବ ଆପଣ ତା'ର ପତ୍ନୀ ହେବେ । ଏହାହିଁ ବିଧି । ନହୁଷ ପୂର୍ବ ଇନ୍ଦ୍ରଙ୍କ ଅପେକ୍ଷା ତେଜ ଓ ଶକ୍ତିରେ ଶ୍ରେଷ୍ଠ । ଦେବତା, ଋଷି ଓ ଗନ୍ଧର୍ବମାନେ ଚାହାଁନ୍ତି ଆପଣ ନହୁଷଙ୍କୁ ପତି ଭାବରେ ବରଣ କରନ୍ତୁ ।
ଶଚୀଦେବୀ ଦେବତାମାନଙ୍କ ପ୍ରସ୍ତାବ ଶୁଣି ଭୟରେ ଓ ଆତଙ୍କରେ କାନ୍ଦିବାକୁ ଲାଗିଲେ । ଦେବଗୁରୁ ବୃହଷ୍ପତ୍ତିଙ୍କୁ କହିଲେ, “ହେ ଗୁରୁଦେବ ମୁଁ ଆପଣଙ୍କ ଶରଣରେ ଅଛି । ଦେବର୍ଷିସମ ନହୁଷଙ୍କୁ ପତି ଭାବରେ ବରଣ କରିବାକୁ ମୋର ଇଚ୍ଛା ହେଉନି । ମୋତେ ଏ ମହାଭୟରୁ ମୁକ୍ତ କରନ୍ତୁ ।"
ବୃହଷ୍ପତ୍ତି କହିଲେ ”ଶରଣାଗତଙ୍କୁ ଆଶ୍ରୟ ଦେବା ମୋର ଧର୍ମ । ମୁଁ ତୁମକୁ କୌଣସି ପରିସ୍ଥିତିରେ ତ୍ୟାଗ କରିବିନି । ଅତୀତରେ ବ୍ରହ୍ମା କହିଥିଲେ ଯିଏ ଶରଣାଗତକୁ ଆଶ୍ରୟ ଦେଇପାରେନି, ଶତୃ ହାତରୁ ରକ୍ଷା କରିପାରେନି ତା' କ୍ଷେତରେ ବର୍ଷାଋତୁରେ ଜଳବୃଷ୍ଟି ହୁଏନି କି ତା' ଜମିରେ ମଞ୍ଜିରୁ ଗଜା ବାହାରେନି । ତା' ପୁଅ ଓ ଝିଅମାନଙ୍କର ଅକାଳମୃତ୍ୟୁ ହୁଏ ଓ ଶେଷରେ ତା'ର ସର୍ବନାଶ ହୁଏ । ତୁମେ ବିନା ଭୟରେ ଏଠାରେ ରହିପାର ।“
ଦେବତା, ଋଷି ଓ ଗନ୍ଧର୍ବମାନେ ବୃହଷ୍ପତ୍ତିଙ୍କୁ କହିଲେ, ”ହେ ଗୁରୁଦେବ ଆପଣ କୁହନ୍ତୁ ତେବେ କ'ଣ କରାଯିବ ? ସେପଟେ ନହୁଷ ଶଚୀଦେବୀଙ୍କ ବାଟ ଚାହିଁ ବସିଛନ୍ତି । ଶଚୀଦେବୀ ଆପଣଙ୍କ ଆଶ୍ରୟରେ ଅଛନ୍ତି ବୋଲି ତାଙ୍କର କ୍ରୋଧର ସୀମା ନାହିଁ । ଏପଟେ ଆପଣ ଶଚୀଙ୍କୁ ଛାଡିବାକୁ ନାରାଜ । ଶଚୀଦେବୀ ବି ନହୁଷଙ୍କ ପାଖକୁ ଯିବାକୁ ରାଜି ନୁହନ୍ତି ।“
ବୃହଷ୍ପତ୍ତି କହିଲେ "ଠିକ ଅଛି । ଏବେ ଗୋଟେ କାମ କରାଯାଉ । ଶଚୀଦେବୀ ପ୍ରଥମେ ନହୁଷଙ୍କ ପାଖକୁ ଯାଆନ୍ତୁ ଓ କୁହନ୍ତୁ ସେ ରାଜି କିନ୍ତୁ ତାଙ୍କର ଆଉକିଛି ସମୟ ଦରକାର ।“
କଥା ଅନୁସାରେ ଶଚୀଦେବୀ ନହୁଷଙ୍କ ପାଖରେ ପହଞ୍ଚିଲେ । ଶଚୀଙ୍କୁ ଦେଖି ନହୁଷ ବଡ ଖୁସି ହେଇଗଲେ । କହିଲେ “ମୁଁ ଏବେ ତ୍ରିଭୂବନ ଅଧୀଶ୍ୱର ଦେବରାଜ ଇନ୍ଦ୍ର । ତୁମର ଭୟ କରିବାର କିଛି କାରଣ ନାହିଁ । ଆଜିଠାରୁ ତୁମେ ମୋର ପତ୍ନୀ ହୁଅ ଓ ନିଷ୍ଠାପର ଭାବରେ ପତିସେବା ଆରମ୍ଭ କର । ତୁମ ଇନ୍ଦ୍ରାଣୀ ନାମକୁ ସାର୍ଥକ କର ।“
ନହୁଷଙ୍କ କଥା ଶୁଣି ଶଚୀଦେବୀ ମନରେ ଭୟରଖି ତଥାପି ସାହାସ ସଞ୍ଚୟ କରି କହିଲେ, “ହେ ଦେବରାଜ ମୁଁ ଆପଣଙ୍କୁ ପତି ଭାବରେ ଗ୍ରହଣ କରିବାକୁ ରାଜି । କିନ୍ତୁ ଆପଣଙ୍କ ପାଖକୁ ଆସିବା ଆଗରୁ ମୋର ଗୋଟେ ଛୋଟିଆ ସର୍ତ୍ତ ଅଛି । ପୂର୍ବର ଇନ୍ଦ୍ର ଏବେ କୁଆଡେ ଯାଇଛନ୍ତି ମୁଁ ଜାଣିନି । ସେ ଏବେ କୋଉଠି ଅଛନ୍ତି କେମିତି ଅଛନ୍ତି ମୁଁ ଜାଣିନି । ମୁଁ ଯଦି ଖୋଜିଲା ପରେବି ତାଙ୍କ ଖବର କିଛି ନପାଏ ତେବେ ଆପଣଙ୍କୁ ବରଣ କଲେ ମୋ ମନରେ ଆଉ କିଛି ପାପ ରହିବନି ।“
ନହୁଷ ଆନନ୍ଦରେ କହିଲେ ”ହଉ ଠିକ ଅଛି । ମୁଁ ତୁମ ସର୍ତ୍ତରେ ରାଜି ଅଛି । ତୁମେ ଯାଅ ପୁରୁଣା ଇନ୍ଦ୍ରଙ୍କୁ ଖୋଜ । ତାପରେ ମୋ ପାଖକୁ ଶୀଘ୍ର ଫେରିଆସ ।“
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753680197.jpg)