Mahabharat Story: କର୍କୋଟକ ନାଗ ଓ ସାରଥୀ ସାଜିଥିବା ରାଜାଙ୍କ କାହାଣୀ

କାହିଁକି ସାହାଯ୍ୟ ପାଇଲା ପରେ ବି ନଳଙ୍କୁ କର୍କୋଟକ ନାଗ ଦଂଶନ କଲା? କାହିଁକି ପାଗଳୀ ପ୍ରାୟ ଦିଶୁଥିବା ଦମୟନ୍ତୀକୁ ରାଜମାତା ଆଶ୍ରୟ ଦେଲେ? ହଜି ଯାଇଥିବା ଦମୟନ୍ତୀଙ୍କୁ କେମିତି ଖୋଜି ପାଇଲେ ଜଣେ ବ୍ରାହ୍ମଣ ? ଦଂଶନ ପରେ ନଳଙ୍କୁ କ'ଣ କ'ଣ ଉପଦେଶ ଦେଲେ ନାଗରାଜ? ଏଇ ସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।

ମହାଭାରତ କଥା

ବଣିକମାନଙ୍କ ପାଖରୁ ଖସି ଆସି ଦମୟନ୍ତୀ ଜଙ୍ଗଲ ଭିତରେ ଧାଉଁଥାନ୍ତି । ମନେ ମନେ ଭାବୁଥାନ୍ତି ଭାଗ୍ୟ ଆଉ କେତେ ହୀନସ୍ଥା କରିବ କେଜାଣି? ଅସହାୟ ହୋଇ ଯେଉଁ ଡାଳ ଧରୁଛନ୍ତି ସେ ଡାଳ ଭାଙ୍ଗି ଯାଉଛି । ନଳ ତାଙ୍କୁ ଛାଡି କୁଆଡେ ଚାଲିଗଲେ । ବାଟରେ ବଣିକ ଦଳ ମିଳିଲେ ଯେ ବଣୁଆ ହାତି ଦଳେ ଆସି ସେମାନଙ୍କୁ ମାରି ପକେଇଲେ । ସ୍ୱୟଂବର ସଭାରେ ସେ ଦେବତାମାନଙ୍କୁ ବରଣ କଲେନି ବୋଲି ସେଇ ଦେବତାମାନେ ହୁଏତ ଏତେ ସବୁ ଦୁଃଖ କଷ୍ଟ ଖଞ୍ଜୁଛନ୍ତି । 

ରାତି ପାହି ସକାଳ ହେଲା । ଦମୟନ୍ତୀ ଦେଖିଲେ କିଛି ବ୍ରାହ୍ମଣ ଜଙ୍ଗଲ ରାସ୍ତାରେ କୁଆଡେ ଗୋଟେ ଚାଲିଛନ୍ତି । ବ୍ରାହ୍ମଣମାନେ ଚେଦୀ ରାଜାଙ୍କ ରାଜଧାନୀକୁ ଯାଉଥାନ୍ତି । ସାହାରା ପାଇ ଦମୟନ୍ତୀ ସେମାନଙ୍କ ପଛେ ପଛେ ଚାଲିଲେ ଓ ରାଜଧାନୀରେ ପହଞ୍ଚିଲେ । ଦମୟନ୍ତୀ ଯେତେବେଳେ ଛିଡା ଶାଢୀ, ମୁକୁଳା ରୁକ୍ଷ କେଶ, ଅସନା ଦେହରେ ପାଗଳୀ ପରି ରାଜରାସ୍ତାରେ ଚାଲିଥାନ୍ତି, ସେତେବେଳେ ନଗରୀର ସାନ ସାନ ପିଲାମାନେ ତାଙ୍କୁ ପାଗଳୀ ଭାବି ତାଙ୍କ ପଛରେ ଧାଇଁଲେ । ସେତିକିବେଳେ ରାଜମାତା ରାଜପ୍ରାସାଦ ଉପରୁ ଏ ଦୃଶ୍ୟ ଦେଖୁଥାନ୍ତି । ଦମୟନ୍ତୀଙ୍କର ଛିଣ୍ଡା ବସନ ଭିତରେ ଉକୁଟୁଥିବା ରୂପକାନ୍ତି ଦେଖି ତାଙ୍କୁ ଲାଗିଲା ରାସ୍ତାରେ ପାଗଳି ପ୍ରାୟ ଚାଲୁଥିବା ନାରୀ ଜଣକ କୌଣସି ଉଚ୍ଚ ବଂଶର । ତେଣୁ ସେ ପରିଚାରିକାଙ୍କୁ ପଠେଇ ରାସ୍ତାରୁ ଦମୟନ୍ତୀଙ୍କୁ ତାଙ୍କ ପାଖକୁ ଡାକି ଆଣିଲେ । 

ଦମୟନ୍ତୀଙ୍କୁ ପାଖରେ ବସେଇ ରାଜମାତା ତାଙ୍କ ପରିଚୟ ମାଗିଲେ । ଦମୟନ୍ତୀ ନିଜର ଅସଲ ପରିଚୟ ଗୁପ୍ତ ରଖି କହିଲେ ସେ ତାଙ୍କ ହଜିଯାଇଥିବା ପତିଙ୍କୁ ଖୋଜିବାକୁ ବାହାରିଛନ୍ତି । ଭାଗ୍ୟ ବାମ ହେବାରୁ ସବୁ ଥାଇ ତାଙ୍କର ଆଜି କିଛି ନାହିଁ । ରାଜମାତା କହିଲେ, ଠିକ ଅଛି ତୁମେ ଏବେ ମୋ ପାଖରେ ରୁହ । ଆମେ ଲୋକ ପଠାଇ ତୁମ ସ୍ୱାମୀଙ୍କୁ ଖୋଜିବା ଅବା ସେ ତୁମକୁ ଖୋଜି ଖୋଜି ଏଇଠି ଆସି ଦିନେ ପହଞ୍ଚିବେ । ଦମୟନ୍ତୀ କହିଲେ ମୋର ଏକ ସର୍ତ୍ତ ଅଛି । ମୁଁ କାହାର ଅଇଁଠା ଖାଇବିନି କି କାହା ପାଦ ଧୋଇବିନି । କୌଣସି ପୁରୁଷଙ୍କ ସହ କଥା ହେବିନି । ମୋତେ କୌଣସି ପୁରୁଷ ଖରାପ ଦୃଷ୍ଟିରେ ଦେଖିଲେ ଆପଣ ତାକୁ ଦଣ୍ଡ ଦେବେ । ସ୍ୱାମୀଙ୍କ ସନ୍ଧାନ ପାଇଁ ମୁଁ କେବଳ ବ୍ରାହ୍ମଣଙ୍କ ସହ କଥା ହେବି । 

ମହାଭାରତ କଥା

ରାଜମାତା କହିଲେ ହଉ ସେଇଆ ହେଉ । ତାପରେ ସେ ତାଙ୍କ କନ୍ୟା ସୁନନ୍ଦାଙ୍କୁ ଡାକିଲେ ଓ କହିଲେ ଏ ଝିଅଟି ତୁମ ବୟସର । ତାକୁ ତୁମ ସାଙ୍ଗରେ ନିଅ ଓ ସେ ସଖୀ ହୋଇ ଆଜିଠାରୁ ତୁମ ସାଙ୍ଗରେ ରହିବ । 

ଦମୟନ୍ତୀଙ୍କ ଜୀବନରେ ଏତେ ସବୁ ଘଟଣା ଘଟିଲା ବେଳକୁ ସେପଟେ ନଳଙ୍କ ଜୀବନରେ ଆହୁରି ଅନେକ କିଛି ଘଟଣା ଘଟିସାରିଥିଲା । ଶୋଇଥିବା ଅବସ୍ଥାରେ ବଣ ଭିତରେ ଦମୟନ୍ତୀଙ୍କୁ ଏକା ଛାଡି ଚାଲି ଆସିଲା ପରେ ଆହୁରି ଘନ ଅରଣ୍ୟ ଭିତରେ ପଶିଗଲେ ସେ । କିଛି ବାଟ ଗଲା ପରେ ଦେଖିଲେ ଠାଏ ଜଙ୍ଗଲ ହୁ ହୁ ହୋଇ ଜଳୁଛି । ସେଇ ନିଆଁ ଭିତରୁ କେହି ଜଣେ ବଡ ପାଟି କରି ଡାକୁଛି, ହେ ପୂଣ୍ୟଶ୍ଲୋକ ନଳ ମୋତେ ରକ୍ଷା କର... ମୋତେ ରକ୍ଷା କର ....। ନଳ ସେ ଶବ୍ଦକୁ ଅନୁସରଣ କରି ଅଗ୍ନିରେ ପ୍ରବେଶ କରି ଦେଖିଲେ ଅଗ୍ନି ବଳୟ ଭିତରେ ବିରାଟ ଏକ ସାପ କୁଣ୍ଡଳୀ ମାରି ଶୋଇଛି । ନଳ ସାପ ପାଖରେ ପହଞ୍ଚିଲାରୁ ସାପ କହିଲା, ହେ ରାଜା ମୋ ନାମ ହେଉଛି କର୍କୋଟକ ନାଗ ।

ଜଣେ ବ୍ରହ୍ମର୍ଷିଙ୍କ ଅଭିଶାପରେ ଏଇଠି ଚଳତ୍ ଶକ୍ତୀହୀନ ହୋଇ ପଡିରହିଛି । ସେଇ ବ୍ରହ୍ମର୍ଷି ମୋତେ କହିଥିଲେ ଏ ରାସ୍ତାରେ ଯେବେ ରାଜା ନଳ ଯିବେ ସେ ତୋତେ ଛୁଇଁ ଅନ୍ୟ ସ୍ଥାନକୁ ଉଠେଇ ନେଲେ ତୁ ଅଭିଶାପରୁ ମୁକ୍ତ ହେବୁ । ହେ ରାଜା ମୋତେ ସାହାଯ୍ୟ କଲେ ମୁଁ ତୁମକୁ ସାହାଯ୍ୟ କରିବି । ମୋ ଶରୀର ବହୁତ ଭାରୀ । ଅପେକ୍ଷା କର ମୁଁ ନିଜକୁ ସାନ କରିଦେଉଛି କହି ନାଗରାଜ ନିଜକୁ ଆଙ୍ଗୁଠି ପରି ସାନ କରିଦେଲେ । ନଳ ନାଗକୁ ହାତରେ ଉଠେଇ ନିଆଁ ବାହାରକୁ ଆଣି ଦେଲେ । ନଳ ନାଗକୁ ମାଟିରେ ଛାଡିଲା ବେଳକୁ ନାଗ ତାଙ୍କ ହାତକୁ ଦଂଶନ କଲା । ସାଙ୍ଗେ ସାଙ୍ଗେ ନଳଙ୍କ ଚେହେରା କଳା ପଡି କୁରୂପ ହେଇଗଲା ଓ ସେ ନିଜ ରୂପକୁ ଚିହ୍ନି ପାରିଲେନି। ନଳ ଦେଖିଲେ ତାଙ୍କ ରୂପ ସମସ୍ତ କାନ୍ତି ହରେଇ ବସିଛି ଓ ତାଙ୍କ ରୂପକୁ ଧାରଣ କରିଛି କର୍କୋଟକ ନାଗ ।

ଆଶ୍ଚର୍ଯ୍ୟ ହୋଇ ନଳ ନାଗକୁ ପଚାରିଲେ ଏ କଣ ତୁମକୁ ସାହାଯ୍ୟ କରିବାର ପ୍ରତିଫଳ? ମୁଁ ତୁମକୁ ବଞ୍ଚେଇଲି ଅଥଚ ତୁମେ ମୋତେ ଦଂଶନ କଲ? ନାଗ କହିଲେ ହେ ରାଜା ବ୍ୟସ୍ତ ହୁଅନି । ତୁମକୁ କଦାକାର କରି ଓ ତୁମ ରୂପ ଧାରଣ କରି ପ୍ରକୃତରେ ମୁଁ ତୁମକୁ ସାହାଯ୍ୟ ହିଁ କଲି । କାରଣ ଏବେ ତୁମକୁ ଆଉ କେହି ଚିହ୍ନି ପାରିବେନି । ତାପରେ ତୁମ ଭିତରେ ଯିଏ ରହି ତୁମକୁ ହଇରାଣ କରୁଛି ସେ ଏବେ ମୋ ବିଷ ଜ୍ୱାଳାରେ ବଡ ଦୁଃଖରେ ରହିବ । ତୁମେ ମୋ କଥା ମାନି ଏବେ ଅଯୋଧ୍ୟା ନଗରୀକୁ ଯାଅ ।

ସେଠାର ରାଜା ଋତୁପର୍ଣ୍ଣଙ୍କୁ ଯାଇ ନିଜର ନାମ ବାହୁକ ବୋଲି କୁହ ଓ କୁହ ମୁଁ ଭଲ ରଥ ଚାଳନା କରିପାରେ । ରାଜା ଋତୁପର୍ଣ୍ଣଙ୍କୁ ରଥ ଚାଳନା ଶିକ୍ଷା ଦେଇ ପ୍ରତିବଦଳରେ ତାଙ୍କ ପାଖରୁ ଅକ୍ଷ ବିଦ୍ୟା ଶିକ୍ଷା କର । ସେଇ ଅକ୍ଷ ବିଦ୍ୟା ହିଁ ତୁମକୁ ସବୁ ବିପଦରୁ ଉଦ୍ଧାର କରିବ । ତୁମକୁ ଦୁଇଖଣ୍ଡ ଦିବ୍ୟ ବସ୍ତ୍ର ଦେଉଛି । ଯେବେ ସଠିକ ସମୟ ଆସିବ ସେବେ ନିଜର ପୂର୍ବ ରୂପ ଫେରି ପାଇବାକୁ ଏଇ ବସ୍ତ୍ର ପରିଧାନ କରି ମୋତେ ସ୍ମରଣ କରିବ । ନଳଙ୍କୁ ଏତିକି କହି ଓ ବସ୍ତ୍ର ଦୁଇଟି ପ୍ରଦାନ କରି ନାଗରାଜ ସେଉଠୁ ଅର୍ନ୍ତଦ୍ଧାନ ହୋଇଗଲେ। 

ମହାଭାରତ କଥା

ନଳ ସେଇ ଜଙ୍ଗଲ ଭିତରେ ଦଶ ଦିନ ଚାଲି ଯାଇ ଅଯୋଧ୍ୟା ନଗରୀରେ ପହଞ୍ଚିଲେ । ରାଜା ଋତୁପର୍ଣ୍ଣଙ୍କୁ ସାକ୍ଷାତ କରି କହିଲେ ହେ ରାଜା ମୁଁ ସାରଥି ବାହୁକ । ଅଶ୍ୱ ଚାଳନାରେ ମୋ ସହ କେହି ସମକ୍ଷକ ନୁହଁନ୍ତି । ମୁଁ ବହୁତ ଭଲ ସୁସ୍ୱାଦୁ ରନ୍ଧନ ମଧ୍ୟ କରିପାରେ। ତାଛଡା ଆହୁରି ଅନେକ କାମ ମୁଁ ସୁଚାରୁ ରୂପେ ନିର୍ବାହ କରିପାରିବି । ନଳଙ୍କ ଅନୁରୋଧ ଶୁଣି ରାଜା ଋତୁପର୍ଣ୍ଣ ତାଙ୍କୁ କାମରେ ରଖିଲେ । ପୂର୍ବରୁ ନଳଙ୍କ ସାରଥି ବର୍ଷ୍ଣେୟ ବି ସେଇଠି ଥିଲେ । ନଳ ବର୍ଷ୍ଣେୟ ଓ ଜୀବନ ନାମକ ସାରଥିଙ୍କ ସହ ବାସ କରିବାକୁ ଲାଗିଲେ । ରୂପ ବଦଳିଥିବା ନଳଙ୍କୁ କେହି ଚିହ୍ନିବାର କିଛି ଉପାୟ ନଥିଲା । 

ନଳ ସବୁଦିନ ରାତିରେ ଖାଇ ପିଇ ସାରି ଶୋଇବା ଆଗରୁ ଦମୟନ୍ତୀଙ୍କୁ ମନେ ପକାଇ ଗୀତ ଗୋଟେ ଗାଆନ୍ତି । ଦିନେ ସାରଥି ଜୀବନ ନଳଙ୍କୁ ପଚାରିଲେ ତୁମେ ସବୁଦିନ ରାତିରେ ଯାହା ପାଇଁ ବିରହ ଗୀତିକା ଗାଉଛ ସେ କିଏ? କ'ଣ ସେ କାହାଣୀ? ନଳ ପରିଚୟ ନଦେଇ ବୁଲେଇ ବଙ୍କେଇ ଦମୟନ୍ତୀ ଓ ତାଙ୍କ କାହାଣୀକୁ କହିଲେ । 

ସେପଟରେ ରାଜା ଭୀମ ତାଙ୍କ ଝିଅ ଦମୟନ୍ତୀ ଓ ଜ୍ୱାଇଁ ନଳଙ୍କୁ ଖୋଜିବାକୁ ଚାରିଦିଗକୁ ବ୍ରାହ୍ମଣ ପଠେଇଲେ । ଘୋଷଣା କଲେ ଯିଏ ସେମାନଙ୍କ ଖବର ଆଣିବ ତାକୁ ହଜାରେ ଗାଈ ସେ ଦାନ କରିବେ । ଦିନେ ସୁଦେବ ନାମକ ବ୍ରାହ୍ମଣ ଚେଦି ରାଜ୍ୟରେ ବୁଲୁ ବୁଲୁ ଦମୟନ୍ତୀଙ୍କୁ ଦେଖିଲେ । ଦମୟନ୍ତୀଙ୍କ ମଳିନ ରୂପ କାନ୍ତି ଦେଖି ପ୍ରଥମରୁ ଚିହ୍ନିପାରିଲେନି । କିନ୍ତୁ ଚିହ୍ନା ହେଲା ପରେ ନିଜର ପରିଚୟ ଦେଲେ ଓ କହିଲେ ରାଜା ରାଣୀ ଓ ଦମୟନ୍ତୀଙ୍କ ପୁଅ ଏବଂ ଝିଅ ଭଲରେ ଅଛନ୍ତି । ବାପା ମାଆ ଓ ପୁଅ ଝିଅଙ୍କ ଖବର ପାଇ ଦମୟନ୍ତୀ ଖୁସି ଓ ଦୁଃଖରେ କାନ୍ଦିବାକୁ ଲାଗିଲେ । 

ରାଜକନ୍ୟା ସୁନନ୍ଦା ରାଜାମାତାଙ୍କ ପାଖରେ ପହଞ୍ଚି କହିଲେ ତାଙ୍କ ସଖି ଜଣେ ବ୍ରାହ୍ମଣଙ୍କ ପାଖରେ କାନ୍ଦୁଛନ୍ତି । ରାଜମାତା ସୁଦେବ ବ୍ରାହ୍ମଣଙ୍କୁ ପାଖକୁ ଡାକିଲେ ଓ ପଚାରିଲେ ଆମ ପାଖରେ ଆଶ୍ରୟ ନେଇଥିବା ସେ ନାରୀକୁ ତୁମେ କେମିତି ଜାଣିଲ? କ'ଣ ତାଙ୍କର ପ୍ରକୃତ ପରିଚୟ? ସୁଦେବ କହିଲେ, ହେ ରାଜମାତା ଆପଣଙ୍କ ପାଖରେ ଯିଏ ଆଶ୍ରୟ ନେଇଛନ୍ତି ସେ ହେଉଛନ୍ତି ବିଦର୍ଭ ନରେଶ ଭୀମଙ୍କର ଦୁହିତା ଓ ନିଷଧ ରାଜା ପୂଣ୍ୟଶ୍ଲୋକ ନଳଙ୍କ ପତ୍ନୀ ଦମୟନ୍ତୀ । ଘଟଣା ଚକ୍ରରେ ସେମାନେ ଦେଶାନ୍ତରରେ । ବିଦର୍ଭ ରାଜା ଭୀମ ତାଙ୍କ ଝିଅ ଓ ଜ୍ୱାଇଁଙ୍କୁ ଖୋଜିବାକୁ ଚାରିଦିଗକୁ ବ୍ରାହ୍ମଣ ପଠେଇଛନ୍ତି । ଭାଗ୍ୟ ବଳରୁ ମୁଁ ଦମୟନ୍ତୀଙ୍କ ସନ୍ଧାନ ଏଇଠି ପାଇଗଲି । ଦମୟନ୍ତୀଙ୍କ ମୁହଁରେ ଥିବା ତିଳ ଚିହ୍ନ ହିଁ ତାଙ୍କୁ ଚିହ୍ନାଇ ଦେଲା । 

ସୁଦେବଙ୍କ କଥା ଶୁଣି ରାଜମାତା କାନ୍ଦିବାକୁ ଲାଗିଲେ । ସେ ଯାହାକୁ ନିରାଶ୍ରୟା ଭାବି ଆଶ୍ରୟ ଦେଇଥିଲେ ସେଇ ଦମୟନ୍ତୀ ହେଉଛନ୍ତି ପ୍ରକୃତରେ ତାଙ୍କ ନିଜ ଭଉଣୀର ଝିଅ । ସୁନନ୍ଦା ଓ ରାଜମାତା ଦମୟନ୍ତୀଙ୍କ ପାଖକୁ ଗଲେ ଏବଂ ତାଙ୍କୁ ଶ୍ରଦ୍ଧାର ସହ ଆଲିଙ୍ଗନ କଲେ । ଦମୟନ୍ତୀ ତାଙ୍କ ମାଉସୀଙ୍କୁ ଚିହ୍ନିଲେ । ଚିହ୍ନା ପରିଚୟ ପର୍ବ ସରିଲା ପରେ ଦମୟନ୍ତୀ କହିଲେ ସେ ଅନେକ ଦିନରୁ ବାପା ମାଆ ଓ ପ୍ରିୟ ପରିଜନଙ୍କୁ ଦେଖିନାହାଁନ୍ତି । ପୁଅ ଝିଅଙ୍କ ସହ ବି ଦେଖା ସାକ୍ଷାତ ହେଇନି । ତେଣୁ ମୋତେ ଅନୁମତି ଦିଅନ୍ତୁ ମୁଁ ସେମାନଙ୍କୁ ସାକ୍ଷାତ କରିବାକୁ ବିଦର୍ଭ ଦେଶକୁ ଯିବାକୁ ଚାହୁଁଛି । 

ରାଜାମାତା ଏ କଥାରେ ଆପତ୍ତି ଅବା କାହିଁ କରିଥାନ୍ତେ । ସେ ତୁରନ୍ତ ରଥ ସଜ କରିବାକୁ ଆଦେଶ ଦେଲେ । ସୁନ୍ଦର ଶାଢୀ ଓ ଅନେକ ଅଳଙ୍କାର ପିନ୍ଧାଇ ଦମୟନ୍ତୀଙ୍କୁ ତାଙ୍କ ବାପାଙ୍କ ଦେଶ ବିଦର୍ଭକୁ ପଠେଇଲେ । ବାଟରେ ସୁରକ୍ଷା ପାଇଁ ଅନେକ ସୈନ୍ୟ ସାମନ୍ତଙ୍କୁ ବି ସାଙ୍ଗରେ ପଠେଇଲେ । ଦମୟନ୍ତୀ ବିଦର୍ଭରେ ପହଞ୍ଚିଲେ । ତାଙ୍କୁ ଦେଖି ସମସ୍ତେ ଖୁସି ହେଲେ । ପିଲାମାନେ ମାଆକୁ ତାଙ୍କର ଅନେକ ଦିନ ପରେ ପାଖରେ ପାଇ ପାଖ ଆଉ ଛାଡିଲେନି । ଦମୟନ୍ତୀ ତାଙ୍କ ମାଆଙ୍କୁ କହିଲେ ଏବେ ନଳଙ୍କୁ ଖୋଜିବାକୁ ହେବ । କିଏ ଜାଣେ ସେ କୋଉଠି କେମିତି ଅଛନ୍ତି? ରାଜା ଭୀମ ଚାରିଦିଗକୁ ନଳଙ୍କୁ ଖୋଜିବାକୁ ଆହୁରି ଚର ଓ ବ୍ରାହ୍ମଣମାନଙ୍କୁ ପଠେଇଲେ । 

ବ୍ରାହ୍ମଣମାନେ ନଳଙ୍କୁ ଖୋଜିବାକୁ ଯିବା ପୂର୍ବରୁ ଦମୟନ୍ତୀ ସେମାନଙ୍କୁ ଗୀତଟିଏ ଶିଖାଇଲେ । ଗୀତରେ ଥିଲା, ହେ ପ୍ରିୟତମ ତୁମେ କେମିତି ତୁମ ପ୍ରିୟତମାଙ୍କୁ ଜଙ୍ଗଲରେ ଏକା ଛାଡି ଯାଇପାରିଲ? ତୁମ ବିରହରେ ସେ ସବୁବେଳେ ତୁମକୁ ମନପକାଇ କାନ୍ଦୁଛି । ପତି ଭାବରେ ତୁମେ କଥା ଦେଇଥିଲ ପତ୍ନୀର ସବୁ ଦାୟିତ୍ୱ ନେବ । ଅଥଚ ତୁମର କିଛିବି ଖୋଜ ଖବର ନାହିଁ। ଏ କେମିତିକା କଥା? ଧର୍ମଶ୍ଲୋକଙ୍କର ଏ କେମତିକା ବିଚାର? 

ଦମୟନ୍ତୀ ନଳଙ୍କୁ ଖୋଜିବାକୁ ଯାଉଥିବା ବ୍ରହ୍ମଣମାନଙ୍କୁ କହିଲେ ଏ ଗୀତିକାକୁ ଶୁଣି ଯଦି କେହି ଉତ୍ତର ଫେରାଏ, ତେବେ ସେ ଲୋକ କୋଉଠି ଅଛନ୍ତି କ'ଣ କରୁଛନ୍ତି ସବୁ କିଛି ଗୋପନରେ ସଂଗ୍ରହ କରି ତାଙ୍କ ପାଖରେ ଯଥାଶୀଘ୍ର ଖବର ପହଞ୍ଚାଇବାକୁ ହେବ ।