ବିଶ୍ୱମିତ୍ର ଋଷିଙ୍କ ପାଖରେ ତାଙ୍କର ଜଣେ ଶିଷ୍ୟ ଶିକ୍ଷା ଗ୍ରହଣ କରୁଥା'ନ୍ତି । ତାଙ୍କ ନାମ ହେଲା ଗାଲବ । ଶିକ୍ଷା ସମାପ୍ତ ହେଲା ପରେ ଗାଲବ ଗୁରୁ ବିଶ୍ୱମିତ୍ରଙ୍କୁ ଦକ୍ଷିଣା ଭାବରେ କ'ଣ ଦେବେ ବୋଲି ଯେତେବେଳେ ପଚାରିଲେ, ସେତବେଳେ ବିଶ୍ୱାମିତ୍ର ଏକପ୍ରକାର ଅସମ୍ଭବ ଗୁରୁ ଦକ୍ଷିଣାଟେ ମାଗିଲେ । ବିଶ୍ୱାମିତ୍ର ମାଗିଲେ ଆଠଶହ ଘୋଡ଼ା। ତା' ପୁଣି ଏମିତି ସେମିତି ସାଧାରଣ ଘୋଡ଼ା ନୁହେଁ । ସର୍ତ୍ତ ଥିଲା ଘୋଡ଼ା ସବୁ ଧଳା ରଙ୍ଗର ହେଇଥିବେ ଓ ସେମାନଙ୍କ କାନ କେବଳ କଳା ହୋଇଥିବ। ଏମିତି ଏକ ଗୁରୁଦକ୍ଷିଣା ଗାଲବ ଅବା କେମିତି ଯୋଗାଡ଼ କରିବେ? ତେଣୁ ସେ ରାଜା ଯଯାତିଙ୍କ ଶରଣ ପଶିଲେ । କିନ୍ତୁ ଯଯାତିଙ୍କ ପାଖରେ ବି କଳା କାନ ଥିବା ଧଳା ଘୋଡ଼ା ନଥିଲା ।
ଗାଲବଙ୍କୁ ତାଙ୍କ ଦରବାରରୁ ଖାଲି ହାତରେ ଫେରାଇ ଦେବାକୁ ଚାହିଁଲେନି ଯଯାତି । ଯଯାତି ଓ ଦେବଯାନୀଙ୍କର ଝିଅଟିଏ ବି ଥାଏ। ନାଁ ତାର ମାଧବୀ । ଗାଲବଙ୍କୁ ନିଜ ଝିଅ ମାଧବୀଙ୍କୁ ଦେଇ ଯଯାତି କହିଲେ ଆପଣ ମୋର ଏଇ ଝିଅକୁ ସାଙ୍ଗରେ ନିଅନ୍ତୁ । ନିଜର ବଂଶ ରକ୍ଷା କରିବାକୁ ଚାହୁଁଥିବା ଭିନ୍ନ ଭିନ୍ନ ରାଜାଙ୍କ ସହ ତା'ର ସାମୟିକ ବିବାହ ଦେଇ ଆପଣ ପ୍ରତିବଦଳରେ ଆବଶ୍ୟକୀୟ ଘୋଡ଼ା ସଂଗ୍ରହ କରନ୍ତୁ । ମାଧବୀ ପିଲାଦିନରୁ ବର ପାଇଥିଲେ, ସେ କାହା ସହ ସମ୍ପର୍କ ରଖି ସନ୍ତାନ ଜନ୍ମ କଲା ପରେ ମଧ୍ୟ କୁମାରୀ ରହିବେ । ତାଙ୍କର ଯୌବନ ଯେମିତିକୁ ସେମିତି ଅତୁଟ ରହିବ । ଏମିତି ଏକ ବର ମାଧବୀଙ୍କ ପାଇଁ ଏକାବେଳକେ ସୁବିଧା ଓ ଅସୁବିଧା ଉଭୟ ପରିସ୍ଥିତି ସୃଷ୍ଟି କଲା।
ବିଶ୍ୱାମିତ୍ରଙ୍କ ଗୁରୁ ଦକ୍ଷିଣା ପୂରଣ କରିବାକୁ ମାଧବୀଙ୍କୁ ଧରି ଗାଲବ ଅଯୋଧ୍ୟାର ରାଜା ହର୍ଯ୍ୟଶ୍ୱଙ୍କ ପାଖରେ ପ୍ରଥମେ ପହଞ୍ଚିଲେ । ରାଜାଙ୍କ ସହ ସମ୍ପର୍କ ରଖି ରାଜାଙ୍କ ଔରସରୁ ମାଧବୀ ପୁତ୍ର ସନ୍ତାନଟିଏ ଜନ୍ମ ଦେଲେ । ପିଲାର ନାମ ରଖାଗଲା ଅଷ୍ଟକ । ପ୍ରତିବଦଳରେ ଗାଲବଙ୍କୁ ରାଜା ହର୍ଯ୍ୟଶ୍ୱ ଦୁଇ ଶହ କଳା କାନ ଥିବା ଧଳା ଘୋଡ଼ା ପ୍ରଦାନ କଲେ । ତାପରେ ଗାଲବ କାଶୀ ନରେଶ ଦିବୋଦାସଙ୍କ ପାଖକୁ ଚାଲିଲେ । ସେଠି ବି ମାଧବୀ କାଶୀ ନରେଶଙ୍କ ଔରସରୁ ପୁତ୍ର ସନ୍ତାନ ଜନ୍ମ କଲେ । ପୁଅର ନାମ ଦିଆଗଲା ପ୍ରତର୍ଦନ । ଦିବୋଦାସ ମଧ୍ୟ ପ୍ରତିବଦଳରେ ଦୁଇଶହ କଳା କାନ ଥିବା ଘୋଡ଼ା ଗାଲବଙ୍କୁ ଦେଲେ । କାଶୀରୁ ଗାଲବ ଏବେ ମାଧବୀଙ୍କୁ ଧରି ଭୋଜ ରାଜାଙ୍କ ପାଖରେ ପହଞ୍ଚିଲେ । ଭୋଜ ରାଜ ଉଶିନର ମାଧବୀଙ୍କୁ ଗ୍ରହଣ କଲେ ଓ କିଛି ମାସ ପରେ ମାଧବୀ ପୁଅଟିଏ ଜନ୍ମ କଲେ । ପୁଅର ନାମ ଦିଆଗଲା ଶିବି । ଉଶିନର ସର୍ତ୍ତ ଅନୁସାରେ ଦୁଇ ଶହ କଳା କାନ ଥିବା ଧଳା ଘୋଡ଼ା ଗାଲବଙ୍କୁ ଦେଲେ ।
ତିନି ରାଜାଙ୍କ ପାଖରୁ ଦୁଇ ଶହ କରି ଗାଲବ ସମୁଦାୟ ଛଅଶହ ଘୋଡ଼ା ପାଇଲେ । କିନ୍ତୁ ବିଶ୍ୱାମିତ୍ର ଯେ ଆଠଶହ ଘୋଡ଼ା ମାଗିଛନ୍ତି । ଗାଲବଙ୍କ ପାଖରେ ଆଉ କିଛି ଉପାୟ ନଥିଲା । ସେ ସେହି ଛଅଶହ ଘୋଡ଼ା ଓ ମାଧବୀଙ୍କୁ ସାଙ୍ଗରେ ଧରି ବିଶ୍ୱାମିତ୍ରଙ୍କ ପାଖରେ ପହଞ୍ଚିଲେ । ଗୁରୁଙ୍କ ଇଚ୍ଛା ପୂରଣ କରିପାରି ନଥିବାରୁ ଗାଲବ କ୍ଷମା ପ୍ରର୍ଥନା କରି କହିଲେ, ହେ ଗୁରୁଦେବ! ବାକି ଦୁଇ ଶହ ଘୋଡ଼ା ପାଇଁ ଆପଣ ଏହି କୁମାରୀ କନ୍ୟାକୁ କିଛି ଦିନ ପାଇଁ ଗ୍ରହଣ କରନ୍ତୁ ଓ ଅନ୍ୟ ତିନି ରାଜାଙ୍କ ପରି ଆପଣ ବି ଏଇ କନ୍ୟା ପାଖରୁ ପୁତ୍ର ସନ୍ତାନ ପ୍ରାପ୍ତ କରନ୍ତୁ । ଗାଲବଙ୍କ କଥାରେ ବିଶ୍ୱାମିତ୍ର ରାଜି ହୋଇ ମାଧବୀ ପାଖରୁ ନିଜ ଔରସରୁ ପୁଅଟିଏ ଜନ୍ମ କରାଇଲେ ଓ ଶେଷରେ ଗାଲବଙ୍କୁ ଋଣ ମୁକ୍ତ କଲେ ।
ତିନିରାଜା ଓ ବିଶ୍ୱାମିତ୍ରଙ୍କ ପୁଅଙ୍କୁ ଜନ୍ମ ଦେଇସାରି ମାଧବୀ ନିଜ ବାପା ଯଯାତିଙ୍କ ପାଖକୁ ତାପରେ ଫେରିଆସିଲେ । ଗାଲବଙ୍କ ଗୁରୁ ଦକ୍ଷିଣାରୁ ମୁକ୍ତ ହେବା କଥା ଶୁଣି ଯଯାତି ଖୁସି ହେଲେ ଓ ମାଧବୀଙ୍କ ବିବାହ ପାଇଁ ପ୍ରସ୍ତୁତ ହେଲେ । ମାଧବୀ କିନ୍ତୁ ଆଉ ବିବାହ କରିବାକୁ ଇଚ୍ଛା ପ୍ରକଟ କଲେନି । ସେ କାହାର ପତ୍ନୀ ହୋଇ ସାଂସାରିକ ଜୀବନ ବିତାଇବା ଅପେକ୍ଷା ଜଣେ ସନ୍ୟାସିନୀର ଜୀବନ ଅତିବାହିତ କରିବାକୁ ପସନ୍ଦ କରି ଜଙ୍ଗଲକୁ ଚାଲିଗଲେ ।
ଶ୍ୱଶୁର ଶୁକ୍ରାଚାର୍ଯ୍ୟଙ୍କ ଅଭିଶାପ ପାଇ ଯଯାତି ଅକାଳରେ ବୁଢା ହେଲେ ଓ ସବା ସାନପୁଅ ପୁରୁଙ୍କୁ ରାଜ ଗାଦି ସମର୍ପଣ କରି ସନ୍ୟାସୀ ଜୀବନ ବିତାଇବାକୁ ଜଙ୍ଗଲ ଚାଲିଗଲେ । ଅନେକ ଦିନ ଧରି ଜଣେ ସନ୍ୟାସୀର ଜୀବନ ଅତିବାହିତ କଲା ପରେ ଯଯାତି ଦିନେ ମୃତ୍ୟୁ ବରଣ କଲେ । ସଞ୍ଚିତ ଧର୍ମ ବଳରେ ମୃତ୍ୟୁ ପରେ ସେ ଅନ୍ୟ ଦେବତାମାନଙ୍କ ସହ ସ୍ୱର୍ଗରେ ବାସ କଲେ । ଥରେ ଦେବରାଜ ଇନ୍ଦ୍ରଙ୍କ ସହ କଥା ହେଉଥିଲେ ଯଯାତି । ଇନ୍ଦ୍ରଦେବ ତାଙ୍କୁ ଅନେକ ପୁରୁଣା କଥା ପଚାରୁଥିଲା ବେଳେ ପ୍ରଶ୍ନ କଲେ ଯେ, ରାଜ ସିଂହାସନ ତ୍ୟାଗ କଲାପରେ ଅନେକ ତପସ୍ୟା କରିଛନ୍ତି ସେ ଓ ଜଣେ ଶୁଦ୍ଧପୂତ ସନ୍ୟାସୀର ଜୀବନ ଯାପନ କରିଛନ୍ତି । ତେବେ ସେ ଦେବତା –ଋଷି ଓ ମାନବମାନଙ୍କ ଭିତର ତାଙ୍କ ସମକ୍ଷକ ଆଉ କୌଣସି ତପସ୍ୱୀଙ୍କୁ ଜାଣନ୍ତି କି? ଯଯାତି କହିଲେ ନା ଦେବରାଜ ମୁଁ ଦେବ, ମାନବ, ଗନ୍ଧର୍ବ ଓ ଋଷିମାନଙ୍କ ଭିତରେ ମୋ ସମକ୍ଷକ କାହାକୁ ବି ଦେଖୁନାହିଁ ।
ଯଯାତିଙ୍କ ଏପରି ଉତ୍ତର ଶୁଣି ଇନ୍ଦ୍ର ଆଶ୍ଚର୍ଯ୍ୟ ହେଇଗଲେ ଓ କହିଲେ ଅନ୍ୟମାନଙ୍କର ପ୍ରକୃତ ଶକ୍ତି ଓ ସାମର୍ଥ୍ୟ ନଜାଣି ତୁମେ ଯଦି ତୁମ ଠାରୁ ଅଧିକ, ତୁମ ଠାରୁ ଅଳ୍ପ ଓ ତୁମର ସମାନରେ ଥିବା କାହାକୁ ବି ସମ୍ମାନ ଦେଉନାହଁ ତେବେ ତୁମେ ସ୍ୱର୍ଗଲୋକରେ ବାସ କରିବାର ଯୋଗ୍ୟତା ହରେଇ ସାରିଛ । ତୁମକୁ ଏଇ ମୁହୂର୍ତ୍ତରେ ସ୍ୱର୍ଗଲୋକ ପରିତ୍ୟାଗ କରିବାକୁ ହେବ । ସ୍ୱର୍ଗରୁ ପତନ ପରେ ପୁର୍ନବାର ଯୋଗ୍ୟତା ଅର୍ଜନ କଲାପରେ ତୁମକୁ ହୁଏତ ଏଠାକୁ ଆସିବାକୁ ଅନୁମତି ମିଳିବ ।
ଦେବରାଜ ଇନ୍ଦ୍ରଦେବଙ୍କ କଥା ଶୁଣି ଯଯାତି କହିଲେ, ଠିକ ଅଛି । ମୋର ଭାବନା ଦ୍ୱାରା ଯଦି ମୁଁ ଦେବତା, ଋଷି, ଗନ୍ଧର୍ବ ଓ ମାନବଙ୍କୁ ଅସମ୍ମାନିତ କରିଛି ଏବଂ ଯାହା ଫଳରେ ଆଜି ମୋତେ ସ୍ୱର୍ଗ ଛାଡିବାକୁ ଯିବାକୁ ହେବ, ତେବେ ମୋତେ ଧର୍ମଜ୍ଞମାନଙ୍କ ପାଖକୁ ଯିବାକୁ ଅନୁମତି ଦିଆଯାଉ । ମୋର ସ୍ୱର୍ଗ ରାଜ୍ୟରୁ ପତନ ପରେ ମୁଁ ଯେମିତି ଅନ୍ୟ କେଉଁଠିକି ନଯାଏ ।
ଯଯାତି ସ୍ୱର୍ଗରୁ ପତନ ପରେ ଯେଉଁଠି ଆସି ପହଞ୍ଚିଲେ, ସେଠି ତାଙ୍କର ସାକ୍ଷତ ହେଲା ରାଜର୍ଷି ଅଷ୍ଟକଙ୍କ ସହିତ । ପରିଚୟ ହେଲା ପରେ ଯଯାତି ଜାଣିଲେ ଅଷ୍ଟକ ତାଙ୍କ ଝିଅ ମାଧବୀର ପୁଅ। ତେଣୁ ହିସାବରେ ଯଯାତିଙ୍କ ନାତି ହେବେ ଅଷ୍ଟକ । ସେ ଵି ଯଯାତିଙ୍କ ପରିଚୟ ପାଇଲେ ।
ସ୍ୱର୍ଗ ରାଜ୍ୟରୁ ପତନ ଲଭିଥିବା ଯଯାତିଙ୍କୁ ଅଷ୍ଟକ ପଚାରିଲେ ଯେ ମୃତ୍ୟୁ ପରେ ମଣିଷର ଶରୀର ତ ନଷ୍ଟ ହୋଇଯାଏ । ସେ ପୁଣି ନିଜକୁ ଜାଣେ କେମିତି? ପ୍ରଶ୍ନର ଉତ୍ତରରେ ଯଯାତି କହିଲେ ମଣିଷର ମୃତ୍ୟୁ ଠିକ୍ ନିଦରେ ଶୋଇପଡିଲା ପରି । ମୃତ୍ୟୁ ପରେ ପବନ ଠାରୁ ଅଧିକ ବେଗରେ ସେ ତା'ର କର୍ମ ଅନୁସାରେ ଅଲଗା ରୂପ ଧାରଣ କରେ । ଭଲ କର୍ମ ପାଇଁ ଭଲ ଜନ୍ମ। ମନ୍ଦ କର୍ମ ପାଇଁ ମନ୍ଦ ଜନ୍ମ । ସେଇ ଅନୁସାରେ ସେ ପୁଣି ପୃଥିବୀ ବକ୍ଷରେ ଆଉଥରେ ଜନ୍ମ ନିଏ । ଅଷ୍ଟକ ଜନ୍ମ, ମୃତ୍ୟୁ ଓ ପୁର୍ନଜନ୍ମକୁ ନେଇ ଥିବା ଅନେକ ପ୍ରଶ୍ନର ଉତ୍ତର ଯଯାତିଙ୍କ ପାଖରୁ ପାଇଲେ । ଶେଷରେ ଯଯାତି କହିଲେ, ସ୍ୱର୍ଗଲୋକରେ ବି କାମନା, ସଂପୃକ୍ତି ଓ ସାଂସାରିକ ବିଳାସ ତୁମକୁ ନିମ୍ନଗାମୀ କରିଦେବ ।
ସେଇ ଧର୍ମକ୍ଷେତ୍ରରେ ଯଯାତିଙ୍କର ତାଙ୍କ ଝିଅ ମାଧବୀଙ୍କ ସହ ବି ଦେଖା ହେଲା । ମାଧବୀ ମଧ୍ୟ ସେଇ ଜଙ୍ଗଲରେ ତପ ଆଚରଣ କରି ସନ୍ୟାସିନୀର ଜୀବନ ଅତିବାହିତ କରୁଥା'ନ୍ତି । ମାଧବୀ ନିଜ ବାପାଙ୍କର ଏପରି ପତନ ଅବସ୍ଥା ଦେଖି ଦୁଃଖିତ ହେଲେ । ମାଧବୀ ବୁଝୁଥିଲେ ଯଯାତିଙ୍କୁ ଆଉଥରେ ସ୍ୱର୍ଗକୁ ପଠାଇବାକୁ ହେଲେ, ଅନ୍ୟମାନଙ୍କର ପୂଣ୍ୟରୁ ତାଙ୍କୁ କିଛି ଦେବାକୁ ହେବ । ମାଧବୀଙ୍କ ଚାରି ପୁଅ ଅତ୍ୟନ୍ତ ଧର୍ମ ପରାୟଣ ଥିଲେ । ମାଧବୀ ଭାବୁଥିଲେ ସେ କ'ଣ ଧର୍ମପଥରେ ଆତଯାତ ହୋଇଥିବା ତାଙ୍କ ଚାରି ପୁଅଙ୍କୁ ଅନୁରୋଧ କରିବେ କି, ସେମାନେ ସେମାନଙ୍କ ସଞ୍ଚିତ ଧର୍ମରୁ କିଛି କିଛି ଯଯାତିଙ୍କୁ ଦେବେ?
ପିଲାମାନେ ସମସ୍ତେ ଜାଣିଥିଲେ ସେମାନଙ୍କ ମାଆଙ୍କ ସାଙ୍ଗରେ ଯଯାତି ଅତୀତରେ କ'ଣ କରିଥିଲେ । ଜଣେ ତପସ୍ୱୀଙ୍କୁ ତାଙ୍କ ଗୁରୁ ଋଣରୁ ମୁକ୍ତ କରିବାକୁ ସେ ନିଜ ଝିଅକୁ ଭିନ୍ନ ଭିନ୍ନ ରାଜାଙ୍କ ପାଖକୁ ସନ୍ତାନ ଜନ୍ମ ପାଇଁ ପଠାଇଥିଲେ । ତା' ଆଗରୁ ଶୁକ୍ରାଚାର୍ଯ୍ୟଙ୍କ ଅଭିଶାପକୁ ଏଡାଇବାକୁ ନିଜ ସାନ ପୁଅ ପାଖରୁ ଯୌବନ ଧାର ନେଇ ଆପଣା ଜୀବନ ଭରପୁର ଉପଭୋଗ କରିଥିଲେ । ଏବେ ପୁଣି ତାଙ୍କର ନାତିମାନଙ୍କ ସଂଚିତ ଧର୍ମ ଦରକାର ।
ମାଧବୀ ଅନେକ ବର୍ଷ ହେଲାଣି ଆଶ୍ରମରେ ରହି ଜଣେ ସନ୍ୟାସିନୀର ଜୀବନ କାଟୁଥିଲେ । ସେ ବୁଝି ସାରିଥିଲେ ଜୀବନ କ'ଣ ଓ ଧର୍ମର ପଥ କ'ଣ । କର୍ମ କ'ଣ ଓ କର୍ମ ଫଳ କ'ଣ । ସେ ବୁଝୁଥିଲେ ତାଙ୍କ ବାପା ଯଯାତି ଜଣେ ମହାନ ରାଜା ଥିଲେ । ତାଙ୍କୁ ସେତେବେଳେ ଯାହା ଠିକ ଲାଗିଥିଲା ତାହା ସେ କରିଛନ୍ତି । ନିଜର ପ୍ରଜାମାନଙ୍କୁ ନିଷ୍ଠାର ସହ ପାଳନ କରିଛନ୍ତି । ଯଜ୍ଞ କରି ଦେବତାମାନଙ୍କୁ ସନ୍ତୁଷ୍ଟ କରିଛନ୍ତି । ମାଧବୀ ଆହୁରି ଭାବୁଥିଲେ, ତପସ୍ୱୀ ଗାଲବଙ୍କ ସହ ତାଙ୍କୁ ପଠାଇଲାବେଳେ ତାଙ୍କ ବାପା ଯଯାତି ଜାଣିଥିଲେ, ବରପ୍ରାପ୍ତି ଫଳରେ ସେ ସନ୍ତାନ ଜନ୍ମ କଲାପରେବି ଯେଉଁ କୁମାରୀକୁ ସେଇ କୁମାରୀ ରହିବେ । ଏହି ସାଧନା ଓ ତପ ବଳରେ ମାଧବୀ ବୁଝିସାରିଥିଲେ କ୍ଷମା ହିଁ ବଡ ଧର୍ମ । ଯେଉଁ ସମୟ ଚାଲିଯାଇଛି ତାହା ଆଉ ଥରେ ଫେରି ଆସିବନି । କିନ୍ତୁ କ୍ଷମା ବଳରେ ହିଁ ଅତୀତର ସବୁ ଦୁଃଖ କଷ୍ଟ ଓ କଷଣକୁ ଜଣେ ଅତିକ୍ରମ କରିପାରିବ ।
ନିଜ ଚାରି ନାତିଙ୍କ ପାଖରୁ କିଛି କିଛି ପୂଣ୍ୟ ଧରି ଯଯାତି ପୁଣି ଥରେ ସ୍ୱର୍ଗାରୋହଣ କଲେ । ସେ ଏବେ ଅଧିକ ବୁଦ୍ଧିମାନ ଓ ଆତ୍ମଜ୍ଞାନ ଦ୍ୱାରା ସଚେତନ ହୋଇସାରିଥିଲେ । ଯଯାତି ବୁଝି ସାରିଥିଲେ ସାଂସାରିକ ସୁଖ କିମ୍ବା ସ୍ୱର୍ଗୀୟ ସୁଖ ମଣିଷକୁ ପ୍ରକୃତ ଆନନ୍ଦ ପ୍ରଦାନ କରିପାରିବନି । ସେଥିପାଇଁ ନିଜର କର୍ମ, ଆତ୍ମ ନିବୃତ୍ତ ଓ ଆତ୍ମ ଉପଲବଧି ହିଁ ଗୁରୁତ୍ୱପୂର୍ଣ୍ଣ ।
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)