Mahabharat Story: ଆଖି ଥାଇ ଜାଣି ଜାଣି ଅନ୍ଧ ହୋଇଥିବା ଜଣେ ରାଣୀ ଓ ମୃଗ ମାରି ଅଭିଶାପ ପାଇଥିବା ଜଣେ ରାଜାଙ୍କ କାହାଣୀ

କାହିଁକି ଜଣେ ଋଷି ମୃଗ ରୂପ ଧାରଣ କରିଥିଲେ? ମରଣ ଆଗରୁ ମୃଗ ରୁପି ଋଷି କଣ ଅଭିଶାପ ଦେଲେ ରାଜାଙ୍କୁ? ଆଖି ଥାଇ କାହିଁକି ଜାଣି ଜାଣି ଅନ୍ଧ ହେଲେ ଜଣେ ରାଣୀ? ଏମିତି ଆହୁରି ଅନେକ ପ୍ରଶ୍ନର ଉତ୍ତର ଓ ଅନ୍ୟାନ୍ୟ କାହାଣୀ ଜାଣିବାକୁ ପଢ଼ନ୍ତୁ ଆଜିର ଅଧ୍ୟାୟ ।

ଆଖି ଥାଇ ଜାଣି ଜାଣି ଅନ୍ଧ ହୋଇଥିବା ଜଣେ ରାଣୀଙ୍କ କାହାଣୀ

ଧୃତରାଷ୍ଟ୍ର ଓ ପଣ୍ଡୁ ଦୁଇ ରାଜକୁମାର ଏବେ ଯୁବକ । ପଣ୍ଡୁ ହସ୍ତିନାପୁରର ରାଜା । ଧନୁ ବିଦ୍ୟାରେ ପାରଙ୍ଗମ । ଧୃତରାଷ୍ଟ୍ର ଶାରିରୀକ ବଳରେ ଶକ୍ତିଶାଳୀ । ହଜାରେ ହାତୀର ବଳ ତାଙ୍କର। ଏବେ ସତ୍ୟବତୀ ଓ ଭୀଷ୍ମଙ୍କର ଇଚ୍ଛା ଦୁହିଁଙ୍କର ବିବାହ କରାଇବେ । ସେଥିପାଇଁ ଉଚ୍ଚବଂଶର କ୍ଷତ୍ରୀୟ କନ୍ୟା ଦରକାର ।

ଗାନ୍ଧାର ଦେଶର ରାଜା ହେଲେ ମହାରାଜ ସୁବଳ । ରାଜାଙ୍କ ଝିଅର ନାମ ଗାନ୍ଧାରୀ ଓ ପୁଅର ନାମ ଶକୁନି । ଗାନ୍ଧାରୀ ବଡ ଧର୍ମ ପରାୟଣ ଓ ଶିବ ମହାଦେବଙ୍କର ଭକ୍ତ । ସେଥିପାଇଁ ମହାଦେବଙ୍କ ପାଖରୁ ବର ପ୍ରାପ୍ତ ବି କରିଥିଲେ । ଦିନେ ଭୀଷ୍ମ ଖବର ପାଇଲେ ଗାନ୍ଧାର ଦେଶର ରାଜକୁମାରୀ ମହାଦେବଙ୍କ ଠାରୁ ବର ପାଇଛନ୍ତି । କୁରୁ ବଂଶର ଜ୍ୟେଷ୍ଠ ପୁତ୍ର ଧୃତରାଷ୍ଟ୍ରଙ୍କ ସହ ଗାନ୍ଧାରୀଙ୍କର ବିବାହ ପାଇଁ ଭୀଷ୍ମ ଗାନ୍ଧାର ନରେଶଙ୍କ ପାଖକୁ ଖବର ପଠାଇଲେ । ହସ୍ତିନାର ରାଜପୁତ୍ର ଧୃତରାଷ୍ଟ୍ର ଜନ୍ମରୁ ଅନ୍ଧ ଥିବା କଥା ଗାନ୍ଧାର ନରେଶ ଜାଣିଥିଲେ । ସେଥିପାଇଁ ବିବାହ ପ୍ରସ୍ଥାବ ଶୁଣି ସେ ପ୍ରଥମରୁ ଟିକେ କୁଣ୍ଠା ଅବଶ୍ୟ ପ୍ରକାଶ କରୁଥା'ନ୍ତି। କିନ୍ତୁ ପ୍ରସିଦ୍ଧ କୁରୁ ବଂଶ ସହ ସମ୍ପର୍କ ବାନ୍ଧିବାକୁ ମନରେ ଇଚ୍ଛା ଓ ଆଗ୍ରହ ବି ଥାଏ । ଶେଷରେ ବିବାହ ସ୍ଥିର ହେଲା। କିନ୍ତୁ ଯେତେବେଳେ ଗାନ୍ଧାରୀ ଜାଣିଲେ ତାଙ୍କ ସ୍ଵାମୀ ଜନ୍ମରୁ ଅନ୍ଧ ଓ ତଥାପି ତାଙ୍କ ବାପା ମା ସେଇଠି ତାଙ୍କ ବିବାହ ଦେବାକୁ ସ୍ଥିର କରିସାରିଛନ୍ତି, ସେତେବେଳେ ସେ ଚୁପ-ଚାପ ବଡମାନଙ୍କ ନିଷ୍ପତ୍ତିକୁ ମାନିନେଲେ । ମାନିନେବା ସହ ଗାନ୍ଧାରୀ ଠିକ୍ କଲେ ସେ ବି ତାଙ୍କ ସ୍ୱାମୀଙ୍କ ପରି ଅନ୍ଧ ରହିବେ । ବାହାର ସଂସାରକୁ ଆଉ ଦେଖିବେନି । ସେଥିପାଇଁ ସେ ତାଙ୍କ ନିଜ ଆଖିରେ ଖଣ୍ଡେ ଅନ୍ଧପୁଟୁଳି ବାନ୍ଧିଦେଲେ । ତାପରେ ଗାନ୍ଧାରୀଙ୍କ ଭାଇ ଶକୁନି ଅନେକ ଧନ, ରତ୍ନ, ଉପହାର ଓ ଉପଢୌକନ ସହ ଭଉଣୀଙ୍କୁ ଆଣି ହସ୍ତିନାପୁରରେ ଛାଡିଦେଇଗଲେ । ଧୃତରାଷ୍ଟ୍ରଙ୍କ ସହ ଗାନ୍ଧାରୀଙ୍କ ବିବାହ ସମ୍ପନ୍ନ ହେଲା ।

ଆଖି ଥାଇ ଜାଣି ଜାଣି ଅନ୍ଧ ହୋଇଥିବା ଜଣେ ରାଣୀଙ୍କ କାହାଣୀ

ହସ୍ତିନାପୁରର ଦକ୍ଷିଣରେ ଯମୁନା ନଦୀର କୂଳରେ ଯାଦବମାନଙ୍କର ଏକ ଅତ୍ୟନ୍ତ ସମୃଦ୍ଧ ଦେଶ ଥାଏ । ସେଠାର ଯାଦବ ରାଜା ସୁରସେନ ଶାସନ କରୁଥା'ନ୍ତି । ସୁରସେନଙ୍କର ପୁଅ ହେଉଛନ୍ତି ବାସୁଦେବ । ବାସୁଦେବ ହେଲେ କୃଷ୍ଣଙ୍କ ବାପା । ସୁରସେନଙ୍କର ଦିନେ ଝିଅଟିଏ ହେଲା । ଝିଅର ନାମ ଦିଆଗଲା ପୃଥା । ସୁରସେନଙ୍କ ପିଇସି ପୁଅ ଭାଇ କୁନ୍ତିଭୋଜଙ୍କର କେହି ସନ୍ତାନ ସନ୍ତତି ନଥିଲେ । ତେଣୁ ସୁରସେନ ଆଗରୁ କଥା ଦେଇଥିଲେ, ତାଙ୍କ ପ୍ରଥମ ଜନ୍ମିତ ସନ୍ତାନକୁ ସେ କୁନ୍ତୀଭୋଜଙ୍କୁ ଦେଇଦେବେ । ସୁରସେନଙ୍କ ପତ୍ନୀ ପ୍ରଥମ ଗର୍ଭରେ ଝିଅଟିଏ ଜନ୍ମ ଦେଲେ ଓ କଥା ଅନୁସାରେ କୁନ୍ତିଭୋଜ ଝିଅଟିକୁ ନେଇଗଲେ । କୁନ୍ତିଭୋଜଙ୍କ ଝିଅ ହେଲେ ବୋଲି ପୃଥାଙ୍କ ନାମ କୁନ୍ତି ହେଲା । ରାଜା କୁନ୍ତିଭୋଜ ବଡ ସ୍ନେହ ଶ୍ରଦ୍ଧା ଓ ଆଦରରେ କୁନ୍ତିଙ୍କୁ ଲାଳନପାଳନ କରି ବଡ କଲେ ।

ଥରେ ରାଜାଙ୍କ ଘରକୁ ତପସ୍ୱୀ ଦୁର୍ବାଶା ଅତିଥି ହୋଇ ଆସିଥା'ନ୍ତି । ଦୁର୍ବାଶା ଜଣେ ଅତ୍ୟନ୍ତ କ୍ରୋଧି ତପସ୍ୱୀ ବୋଲି ସମସ୍ତେ ଜାଣନ୍ତି । ତେଣୁ ଋଷିବରଙ୍କ ଚର୍ଚ୍ଚାରେ ଯେମିତି କିଛି ବ୍ୟାଘାତ ନଘଟେ, ସେଥିପାଇଁ ରାଜା ତାଙ୍କ ଝିଅ କୁନ୍ତିଙ୍କୁ ଗୁରୁ ଦାୟିତ୍ୱ ଦେଲେ । କୁନ୍ତି ସେତେବେଳକୁ ଯୌବନରେ । ସୁନ୍ଦରୀ ଓ ସର୍ବଗୁଣା ସମ୍ପନ୍ନା । କୁନ୍ତିଙ୍କ ସେବା ଓ ଯତ୍ନରେ ଦୁର୍ବାଶା ଋଷି ଶେଷରେ ଖୁସି ହେଇ କୁନ୍ତିଙ୍କୁ ଏକ ମନ୍ତ୍ର ଉପହାର ଦେଲେ । ସେ ମନ୍ତ୍ରର ଶକ୍ତି ହେଲା କୁନ୍ତି ଯେତେବେଳେ ଚାହିଁବେ, ସେତେବେଳେ ଯେ କୌଣସି ଦେବତାକୁ ପାଖକୁ ଡାକି ପାରିବେ । ଋଷି ଚାଲିଗଲା ପରେ କୁନ୍ତି କୌତୁହଳରେ ମନ୍ତ୍ରର ଶକ୍ତି ପରୀକ୍ଷା କରିବାକୁ ସୂର୍ଯ୍ୟଦେବଙ୍କୁ ସ୍ମରଣ କଲେ । ସୂର୍ଯ୍ୟଦେବ ବି ତତକ୍ଷଣାତ୍ ତାଙ୍କ ସାମ୍ନାରେ ଉଭା ହେଇଗଲେ । କୁମାରୀ ଥିବା କୁନ୍ତିଙ୍କ ସହ ସୂର୍ଯ୍ୟଦେବଙ୍କ ମିଳନ ହେଲା । ମିଳନରୁ ପୁଅଟିଏ ବି ଜନ୍ମ ହେଲା । ସୂର୍ଯ୍ୟଦେବ କୁନ୍ତୀଙ୍କୁ ପୁଣିଥରେ ଅକ୍ଷତ କୁମାରୀ କରି ବିଦାୟ ନେଇ ସେଠାରୁ ଚାଲିଗଲେ । ଏବେ କୁନ୍ତୀ ନବଯାତ ପୁଅଟିକୁ ନେଇ କରିବେ କ"ଣ? ସେ ପୁଣି ସୂର୍ଯ୍ୟଦେବଙ୍କ ପୁଅ । ଦେବ ଶିଶୁ । ଛାତିରେ କବଚ ଓ କାନରେ କୁଣ୍ଡଳ ପିନ୍ଧି ସେ ଜନ୍ମ ନେଇଛି । କୁନ୍ତିଙ୍କ ପାଖରେ ଆଉ ଉପାୟ କ'ଣ? ବିବାହ ଆଗରୁ ସେ ପିଲାଟିଏ ଜନ୍ମ କରିଛନ୍ତି ବୋଲି କେହି ଜାଣିଲେ କ'ଣ ଯେ ହେବ କିଏ ଜାଣେ? ତେଣୁ କେହି କିଛି ଜାଣିବା ଆଗରୁ, କୁନ୍ତୀ ଶିଶୁ ପୁତ୍ରକୁ ଗୋଟେ ପେଟିକାରେ ରଖି ନଦୀରେ ଭସେଇ ଦେଲେ ।

ଅଧିରଥ ନାମରେ ଜଣେ ରଥଚାଳକ ଥାଅନ୍ତି । ତାଙ୍କ ପତ୍ନୀଙ୍କ ନାମ ରାଧା । ବିଚରା ସ୍ୱାମୀ ସ୍ତ୍ରୀଙ୍କର ପିଲାପିଲି ନଥାନ୍ତି । ଦିନେ ଅଧିରଥ ଦେଖିଲେ ନଦୀରେ ପେଟିକା ଗୋଟେ ଭାସି ଭାସି ଯାଉଛି । ପେଟିକାକୁ ଉଦ୍ଧାର କଲାରୁ ସେ ଦେଖିଲେ ପେଟିକା ଭିତରେ ସୁନ୍ଦର ରଜା ଛୁଆ ପରି କୁନି ପୁଅଟେ ଶୋଇଛି । ଅଧିରଥ ପିଲାଟିକୁ ଘରକୁ ନେଇ ପତ୍ନୀ ରାଧାଙ୍କ ହାତରେ ଦେଇ କହିଲେ ଆଜିଠାରୁ ଏ ହେଲା ଆମର ପୁଅ । ସ୍ୱାମୀ ସ୍ତ୍ରୀ ଦୁହେଁ ବଡ ଆନନ୍ଦରେ ପିଲାଟିକୁ ଲାଳନ ପାଳନ କଲେ । ଛାତିରେ କବଚ ଓ କାନରେ କୁଣ୍ଡଳ ଦେଖି ସେମାନେ ଜାଣିଲେ ପିଲାଟି ନିଶ୍ଚୟ କୌଣସି ରାଜା ଘରର ପୁଅ । ସେଇଥିପାଇଁ ପୁଅର ନାମ ଦେଲେ ବସୁସେଣ । ପରେ ସେହି ବସୁସେଣ ମହାବୀର କର୍ଣ୍ଣ ନାମରେ ପରିଚିତ ହେଲେ ।

ଆଖି ଥାଇ ଜାଣି ଜାଣି ଅନ୍ଧ ହୋଇଥିବା ଜଣେ ରାଣୀଙ୍କ କାହାଣୀ

ବିବାହ ପୂର୍ବରୁ କୁନ୍ତି ତାଙ୍କ କୁମାରୀ ଅବସ୍ଥାରେ ସୂର୍ଯ୍ୟଦେବଙ୍କ ଔରସରୁ ପୁଅ ଜନ୍ମ କରି ନଦୀରେ ଭସେଇ ଦେବାର କିଛି ଦିନ ପରେ ଝିଅର ବିବାହ ପାଇଁ ରାଜା କୁନ୍ତିଭୋଜ ଏକ ସ୍ୱୟଂବର ସଭାର ଆୟୋଜନ କଲେ । ଚାରି ଦିଗରୁ ଅନେକ ରାଜା କୁନ୍ତିଙ୍କ ରୂପ ଗୁଣ ପାଇଁ ସ୍ୱୟଂବର ସଭାରେ ପହଞ୍ଚିଥାନ୍ତି । କିନ୍ତୁ ଅନ୍ୟ କୌଣସି ରାଜାଙ୍କୁ ପସନ୍ଦ ନକରି କୁନ୍ତୀ ଶେଷରେ ହସ୍ତିନାପୁରର ନରପତି ପଣ୍ଡୁଙ୍କ ବେକରେ ବରଣମାଳ ପିନ୍ଧାଇଦେଲେ ।

ବିବାହ ପରେ ପଣ୍ଡୁ ନିଜ ଦେଶରେ ସୁଶାସନ ଆଣିବା ସହ ଯୁଦ୍ଧ କରି ଅନ୍ୟ ଅନେକ ଦେଶ ଜୟ କଲେ । ରାଜ୍ୟ ଜୟରୁ ଆଣିଥିବା ଧନ ରତ୍ନରୁ କିଛି ଭୀଷ୍ମ, ବିଦୁର, ସତ୍ୟବତୀ ଓ ଦୁଇ ମାତାଙ୍କୁ ଉପହାରରେ ଦେବାପାଇଁ ଧୃତରାଷ୍ଟ୍ର ପଣ୍ଡୁଙ୍କୁ କହିଲେ । ସେଥିରୁ ଆଉ କିଛି ଧନ ରତ୍ନ ନେଇ ଧୃତରାଷ୍ଟ୍ର ଶହେ ଅଶ୍ୱମେଧ ଯଜ୍ଞର ଆୟୋଜନ ମଧ୍ୟ କଲେ ।

ମଦ୍ର ଦେଶର ରାଜକୁମାରୀ ମାଦ୍ରୀ । ଯେତିକି ସୁନ୍ଦରୀ ସେତିକି ଗୁଣବତୀ । ମାଦ୍ରୀଙ୍କ ଭାଇ ହେଉଛନ୍ତି ସଲ୍ୟ । ଭୀଷ୍ମ ହସ୍ତିନାପୁରର ଶକ୍ତି ବଢାଇବାକୁ ମଦ୍ର ରାଜନନ୍ଦିନୀଙ୍କ ସହ ପଣ୍ଡୁଙ୍କ ବିବାହ ପ୍ରସ୍ଥାବ ପଠାଇଲେ ଓ ମଦ୍ର ନରେଶ ପ୍ରସ୍ଥାବ ସ୍ୱୀକାର କଲେ । ମାଦ୍ରୀ ଦ୍ୱିତୀୟ ରାଣୀ ହୋଇ ହସ୍ତିନାପୁରକୁ ଆସିଲେ । ପଣ୍ଡୁଙ୍କର ଦ୍ୱିତୀୟ ବିବାହର ଅନ୍ୟ ଏକ କାରଣ ବି ଥିଲା । ପ୍ରଥମ ରାଣୀ କୁନ୍ତିଙ୍କର ସେଯାଏଁ କୌଣସି ସନ୍ତାନ ଜନ୍ମ ହେଉନଥାଏ ।

ଧୃତରାଷ୍ଟ୍ର ଓ ପଣ୍ଡୁଙ୍କର ବିବାହ ପରେ ଭୀଷ୍ମ ବିଦୁରଙ୍କ ପାଇଁ ବି ଉପଯୁକ୍ତ କନ୍ୟା ଖୋଜିଲେ । ରାଜା ଦେବକଙ୍କର ଏକ କନ୍ୟା ଥାଏ । ସେଇ ଝିଅ ସହ ବିଦୁରଙ୍କର ବିବାହ ହେଲା ।

ସବୁକିଛି ସରୁଖୁରୁରେ ଚାଲିଥାଏ । ଦିନେ ବ୍ୟାସଦେବ ବଡ ଭୋକିଲା ଅବସ୍ଥାରେ ଗାନ୍ଧାରୀଙ୍କ ପାଖରେ ପହଞ୍ଚିଲେ । ଗାନ୍ଧାରୀ ଯତ୍ନ ଓ ଶ୍ରଦ୍ଧାର ସହ ହାତରେ ରାନ୍ଧି ବ୍ୟାସଙ୍କୁ ଖାଇବାକୁ ଦେଲେ ଓ ଋଷିଙ୍କର ସତ୍କାର କଲେ । ବ୍ୟାସ ଖୁସିହେଇ ଗାନ୍ଧାରୀଙ୍କୁ ବର ଦେଇ କହିଲେ ଯେ, ସେ ଧୃତରାଷ୍ଟ୍ରଙ୍କ ପରି ଶକ୍ତିଶାଳୀ ଶତ ପୁତ୍ରର ଜନନୀ ହେବେ । ବହୁତ ଆଗରୁ ମହାଦେବ ଶିବ ମଧ୍ୟ ତାଙ୍କୁ ବହୁ ପୂତ୍ରର ଜନନୀ ହେବାର ଆର୍ଶିବାଦ ଦେଇଥିଲେ । କିଛିଦିନ ପରେ ଗାନ୍ଧାରୀ ଗର୍ଭବତୀ ହେଲେ ।

ହସ୍ତିନାର ରାଜା ପଣ୍ଡୁ ଶିକାର କରିବାକୁ ଜଙ୍ଗଲକୁ ଯାଇଥା'ନ୍ତି । ଶିକାର ଉଦ୍ଦେଶ୍ୟରେ ଅନେକ ବୁଲାବୁଲି କଲା ପରେ ରାଜା ଦେଖିଲେ ଏକ ମୃଗ ଦମ୍ପତ୍ତିଙ୍କର ପ୍ରେମ ମିଳନ ଚାଲିଛି । ମୃଗ ଓ ମୃଗୁଣୀ ତାଙ୍କ ପ୍ରେମରେ ଏତେ ମଗ୍ନ ଥାଆନ୍ତି ଯେ କିଛି ଦୂରରେ ଧନୁ ତୀର ଧରି ଛିଡା ପଣ୍ଡୁଙ୍କ ଉପସ୍ଥିତିକୁ ଜାଣିପାରୁନଥା'ନ୍ତି । ପଣ୍ଡୁଙ୍କୁ ବି ଏହା ସୁବର୍ଣ୍ଣ ସୂଯୋଗ ପରି ଲାଗିଲା । ସେ କାଳ ବିଳମ୍ବ ନକରି ଧନୁରୁ ତୀର ଗୋଟେ ମୃଗ ଓ ମୃଗୁଣୀଙ୍କ ଦିଗରେ ଛାଡିଦେଲେ । ତୀର ସିଧା ଯାଇ ଦୁହିଁଙ୍କୁ ବିଦ୍ଧ କଲା । ମୃଗ ମୃଗୁଣୀ ଦୁହେଁ ଆର୍ତ୍ତ ଚିତ୍କାର କରି ସେଇଠି ଟଳିପଡିଲେ।

ଆଖି ଥାଇ ଜାଣି ଜାଣି ଅନ୍ଧ ହୋଇଥିବା ଜଣେ ରାଣୀଙ୍କ କାହାଣୀ

ତାପରେ ମୃଗ ଓ ମୃଗୁଣୀଙ୍କ ପାଖରେ ପହଞ୍ଚି ପଣ୍ଡୁ ଜାଣିଲେ, ସେ ମସ୍ତବଡ ଭୁଲ କରିସାରିଛନ୍ତି । ସେ ମୃଗ ଦମ୍ପତ୍ତି ଭାବି ଯାହାଙ୍କୁ ତୀର ମାରି ହତ୍ୟା କରିଛନ୍ତି, ପ୍ରକୃତରେ ସେମାନେ ହେଲେ ଋଷି ଦମ୍ପତ୍ତି । ସେଦିନ ଋଷି କିନ୍ଦମ ଓ ତାଙ୍କ ପତ୍ନୀ ଅନ୍ୟମାନଙ୍କ ଦୃଷ୍ଟିକୁ ଏଡାଇ ଘନ ଜଙ୍ଗଲ ଭିତରେ ନିରୋଳାରେ ମହା ଆନନ୍ଦରେ ମୃଗ ମୃଗୁଣୀ ରୂପରେ ସଙ୍ଗମ କରୁଥିଲେ । ଠିକ ସେତିକିବେଳେ ପଣ୍ଡୁଙ୍କର ତୀର ତାଙ୍କୁ ବିଦ୍ଧ କରିଥାଏ ।

ଋଷି କିନ୍ଦମ ତୀର ଆଘାତରେ ଯନ୍ତ୍ରଣାରେ କାତର ହୋଇ ରାଜା ପଣ୍ଡୁଙ୍କୁ କହିଲେ ଏ କ'ଣ କଲ ରାଜା? ପ୍ରେମରେ ଶୃଙ୍ଗାର କରୁଥିବା ପ୍ରେମୀ ଯୁଗଳଙ୍କୁ ବିନା ଦୋଷରେ ତମେ ହତ୍ୟା କାହିଁକି କଲ? ଏତେ ଜ୍ଞାନୀ ହୋଇ ବି ତମେ ଜଣେ ଅବିବେକୀ ପରି କେମିତି ଏ ପାପ କର୍ମ କଲ? ଋଷିଙ୍କ କଥା ଶୁଣି ପଣ୍ଡୁ କହିଲେ, ହଁ ଅଜଣାତରେ ମୁଁ ଭୁଲ କରିଛି । କିନ୍ତୁ ମୁଁ କୋଉ ଜାଣି ଶୁଣି ଆପଣମାନଙ୍କୁ ତୀର ମାରିଥିଲି କି? ଜଣେ କ୍ଷତ୍ରୀୟ ଭାବରେ ମୁଁ ମୃଗ ଶିକାର କରିଛି । ଏଥିରେ ମୋର ଭୁଲ କୋଉଠି ରହିଲା? ମୃଗ ଶୀକାରରେ ମୋର ପାପ କାହିଁକି ହେବ? ରାଜାଙ୍କ ଉତ୍ତର ଶୁଣି ମୃଗ ରୂପୀ ଋଷି କହିଲେ, ହଁ ଜଣେ କ୍ଷତ୍ରୀୟ ରାଜା ଭାବରେ ତୁମେ ମୃଗ ଶିକାର କରିପାର । କିନ୍ତୁ ତୁମେ ତୀର ନିକ୍ଷେପ କରିବା ଆଗରୁ କ'ଣ ଦେଖି ପାରିଲନି ସେମାନେ ଶୃଙ୍ଗାର କରୁଛନ୍ତି? କିଛି ସମୟ ତୁମେ ଅପେକ୍ଷା ତ କରିପାରିଥାନ୍ତ । ମୁଁ ଏବେ ତୁମକୁ ମୃଗଙ୍କୁ ତୀକ୍ଷ୍ଣ ତୀର ମାରିବା ନେଇ କିଛି କହୁନି, କିନ୍ତୁ ଦୁଇ ପ୍ରେମୀ ଶୃଙ୍ଗାରର ସ୍ୱର୍ଗୀୟ ଅନୁଭବ ଭିତରେ ମଗ୍ନ ଥିବା ସମୟରେ ସେମାନଙ୍କୁ ହତ୍ୟା କରିବା ଅନୁଚିତ । ତାହା ହିଁ ପାପ । ଧର୍ମ, ଅର୍ଥ ଓ କାମ ବିଷୟରେ ଜ୍ଞାନ ରଖିଥିବା ଉଚ୍ଚ କୂଳର ଜଣେ ରାଜା ପାଖରୁ ଏପରି ମୂର୍ଖତା ଓ କ୍ରୁରତା ଆଶା କରାଯାଏନି । ତେଣୁ ମୁଁ ତୁମକୁ ଅଭିଶାପ ଦେଉଛି । ତୁମେ ତୁମର ଅବଶିଷ୍ଠ ଜୀବନ କାଳ ଭିତରେ ଆଉ କେବେବି ଶୃଙ୍ଗାରର ଅନୁଭବ ନେଇପାରିବନି । କାମନାର ବଶବର୍ତ୍ତୀ ହୋଇ ତୁମେ ଯେବେବି କାହା ସହ ମିଳନର ପ୍ରୟାସ କରିବ ତତକ୍ଷଣାତ୍ ତୁମର ମୃତ୍ୟୁ ହେବ ରାଜା । ସାବଧାନ ଥିବ ।

ଏତିକି କହି ମୃଗ ରୂପୀ କିନ୍ଦମ ଋଷି ଦେହତ୍ୟାଗ କଲେ ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)