ଥରେ ରାଜା ପ୍ରତୀପ ଗଙ୍ଗା ନଦୀ କୂଳରେ ବସି ଧ୍ୟାନ କରୁଥିଲେ । ସେତିକିବେଳେ ଗଙ୍ଗା ତାଙ୍କର ସ୍ୱର୍ଗୀୟ ରୂପ କାନ୍ତି ଧରି ତାଙ୍କ ପାଖରେ ପହଞ୍ଚିଲେ ଓ ସିଧା ଆସି ପ୍ରତୀପଙ୍କ ଡାହାଣ ଜଙ୍ଘରେ ବସିପଡିଲେ । ଜଣେ ସୁନ୍ଦରୀ ଯୁବତୀ ଏମିତି ହଠାତ୍ ଆସି ତାଙ୍କ କୋଳରେ ବସିପଡିବାରୁ ପ୍ରତୀପ ଆଶ୍ଚର୍ଯ୍ୟ ହେଇ ପଚାରିଲେ ସୁନ୍ଦରୀ ତୁମେ ମୋ ପାଖରୁ କ'ଣ ଚାହଁ?
ଗଙ୍ଗା ତାଙ୍କ ମୁହଁରେ ଲାଜମିଶା ସ୍ମିତ ହାସ ଖେଳାଇ କହିଲେ ମୁଁ ଚାହେଁ ଆପଣ ମୋତେ ଗ୍ରହଣ କରନ୍ତୁ । ପ୍ରତୀପ କହିଲେ ସେମିତି ହେଇଥିଲେ ତୁମେ ମୋର ବାମ ଜାନୁ ଉପରେ ବସିଥା'ନ୍ତ। କିନ୍ତୁ ତୁମେ ତ ମୋର ଡାହାଣ ଜାନୁରେ ବସିଲ । ଦକ୍ଷିଣ ଜାନୁ ଭଗିନୀ ଅବା ପୁତ୍ରବଧୂ ପାଇଁ । ତେଣୁ ମୋର ପୁଅ ହେଲେ ତୁମେ ମୋର ବୋହୂ ହେବ ।
ଏ ଘଟଣା ପରେ ଅନେକ ବର୍ଷ ବିତିଗଲା । ଏହା ଭିତରେ ଦିନେ ବ୍ରହ୍ମାଙ୍କ ଆଗରେ ଗଙ୍ଗାଙ୍କ ନଗ୍ନ ରୂପ ସୌନ୍ଦର୍ଯ୍ୟରେ ମୁଗ୍ଧ ହେଇ ରାଜର୍ଷି ମହାଭିଷ ପୁଣି ଥରେ ପୃଥିବୀକୁ ଫେରି ଆସିବାକୁ ଅଭିଶାପ ପାଇଲେ । ଅଷ୍ଟ ବସୁଙ୍କୁ ମହର୍ଷି ବଶିଷ୍ଠଙ୍କ ଅଭିଶାପରୁ ଉଦ୍ଧାର କରିବାକୁ ଗଙ୍ଗା ସେମାନଙ୍କ ମା ହେବେ ବୋଲି ପ୍ରତିଶୃତି ଦେଲେ ।
ସମୟକ୍ରମେ ମହାଭିଷ ବୁଢା ରାଜା ପ୍ରତୀପଙ୍କ କୋଳରେ ଜନ୍ମ ନେଲେ । ଯେହେତୁ ପୁଅର ଜନ୍ମ ବେଳକୁ ପ୍ରତୀପ ତାଙ୍କର ଇନ୍ଦ୍ରୀୟମାନଙ୍କୁ ବଶ କରିସାରିଥିଲେ ତେଣୁ ସେତେବେଳେ ଜନ୍ମିତ ପୁଅର ନାମ ଶାନ୍ତନୁ ରଖାଗଲା । ଶାନ୍ତନୁ ଧିରେ ଧିରେ ବଡ ହେଲେ । ଜଣେ ଶ୍ରେଷ୍ଠ ଧନୁର୍ଧର ଭାବରେ ତାଙ୍କର ପରିଚୟ ହେଲା ।
ଶାନ୍ତନୁ ଯୁବକ ହେଲା ପରେ ତାଙ୍କ ହାତରେ ରାଜ୍ୟ ଭାର ଅର୍ପଣ କରି ପ୍ରତୀପ ଜଣେ ସନ୍ୟାସୀର ଜୀବନ ଅତିବାହିତ କରିବାକୁ ଦିନେ ଜଙ୍ଗଲକୁ ବାହାରିଲେ । ଯିବା ଆଗରୁ ପୁଅ ଶାନ୍ତନୁଙ୍କୁ କହିଲେ ଯଦି କୌଣସି ସ୍ୱର୍ଗୀୟ ସୁନ୍ଦରୀ ଆସି ତୁମକୁ ବିବାହର ପ୍ରସ୍ଥାବ ଦିଏ ତେବେ ତାକୁ ନାଁ କହିବନି । ସେ କୋଉଠୁ ଆସିଛି ଓ କିଏ ବୋଲି ପଚାରିବନି । ତାକୁ ବିବାହ କରିବ ଓ ପ୍ରେମପୂର୍ଣ୍ଣ ସମ୍ପର୍କ ରଖିବ । ତାକୁ କେବେ ବି କିଛି କହିବନି । କାରଣ ସେ ସୁନ୍ଦରୀକୁ ମୁଁ ମୋର ବୋହୂ କରିବି ବୋଲି କଥା ଦେଇ ସାରିଛି ।
ଦିନେ ମୃଗ ଶୀକାରରୁ ଫେରି ରାଜା ଶାନ୍ତନୁ ଗଙ୍ଗା ନଦୀ କୂଳରେ ବିଶ୍ରାମ ନେଉଥା'ନ୍ତି । ସେତିକିବେଳେ ସେ ସେଇଠି ଜଣେ ଅତୀବ ସୁନ୍ଦରୀ ଯୁବତୀକୁ ଦେଖିଲେ । ସେ ସୁନ୍ଦରୀ ଯୁବତୀ ହେଉଛନ୍ତି ଗଙ୍ଗା । ରାଜା ବୁଝିପାରିଲେନି ସେ ସୁନ୍ଦରୀ ଯୁବତୀ ଜଣକ ଅପସରୀ, ଦେବୀ ନା ଗନ୍ଧର୍ବ କନ୍ୟା । ବେଶ୍ କିଛି ସମୟ ଗଙ୍ଗାଙ୍କୁ ଦେଖିଲା ପରେ ରାଜା ଶାନ୍ତନୁ ତାଙ୍କ ପାଖକୁ ଗଲେ ଓ ବିବାହର ପ୍ରସ୍ତାବ ଦେଲେ । ଶାନ୍ତନୁଙ୍କ ପ୍ରସ୍ତାବରେ ଯୁବତୀ ଜଣକ ରାଜି ହେଇଗଲେ । କିନ୍ତୁ ଶାନ୍ତନୁଙ୍କୁ କହିଲେ ତାଙ୍କୁ ବିବାହ କରିବାକୁ ହେଲେ ତାଙ୍କର କିଛି ସର୍ତ୍ତ ଅଛି। କହିଲେ, ରାଜା ! ମୁଁ ତୁମର ରାଣୀ ହେବାକୁ ରାଜି ଅଛି । କିନ୍ତୁ ଆପଣଙ୍କୁ ମୋ କଥାରେ ବି ରାଜି ହେବାକୁ ପଡିବ । କଥା ହେଲା ପସନ୍ଦ ହେଉ କି ନ ହେଉ ମୋ କାମରେ ଆପଣ କେବେ ବି ହସ୍ତକ୍ଷେପ କରିବେନି । ମୋତେ କଡ଼ା କରି କେବେ ବି କିଛି କଥା କହିବେନି । ଯେତେଦିନ ପର୍ଯ୍ୟନ୍ତ ଏମିତି ଚାଲିଥିବ ସେତେଦିନ ପର୍ଯ୍ୟନ୍ତ ମୁଁ ଆପଣଙ୍କ ପାଖରେ ଥିବି । ଏଥିରୁ ଟିକିଏ ଵି ଏପାଖ ସେପାଖ ହେଲେ ମୁଁ ମୋ ବାଟରେ ବାହାରିଯିବି ।
ଗଙ୍ଗାଙ୍କ କଥାରେ ରାଜା ଶାନ୍ତନୁ ରାଜି ହେଇଗଲେ । ତାପରେ ଗଙ୍ଗା ଓ ଶାନ୍ତନୁଙ୍କର ବିବାହ ହେଲା । ଗଙ୍ଗା ରାଣୀ ହେଇ ଶାନ୍ତନୁଙ୍କ ରାଜନଅରକୁ ଗଲେ । ଦୁହେଁ ଦୁହିଁଙ୍କୁ ବହୁତ ଭଲପାଉଥା'ନ୍ତି । ପ୍ରେମ ଓ ଆନନ୍ଦରେ ବିତିଗଲା ଅନେକ ବର୍ଷ । ଦିନେ ଗଙ୍ଗା ଗର୍ଭବତୀ ହେଲେ । ଯଥା ସମୟରେ ପୁତ୍ର ସନ୍ତାନଟିଏ ଜନ୍ମ ନେଲା । ପ୍ରଥମ ସନ୍ତାନ ଜନ୍ମ ହେବ ବୋଲି ରାଜା ଶାନ୍ତନୁ ବଡ଼ ଖୁସି ଥାଆନ୍ତି । କିନ୍ତୁ ତାଙ୍କ ଖୁସିର ମୁହୂର୍ତ୍ତ ବେଶି ସମୟ ରହିଲାନି । ଜନ୍ମ ହେଉ ହେଉ ସାନ କଅଁଳ ପିଲାଟିକୁ ଅତି ନିର୍ଦ୍ଦୟ ଭାବରେ ନଈ ପାଣିକୁ ଫିଙ୍ଗିଦେଲେ ଗଙ୍ଗା । ଆଶ୍ଚର୍ଯ୍ୟ, ଦୁଃଖ ଓ କ୍ଷୋଭର ସହ ଶାନ୍ତନୁ କେବଳ ଛାତିରେ ପଥର ରଖି ଅନେଇ ରହିଲେ । କିଛି କହି ପାରିଲେନି । କ'ଣ ବା କହିବେ? କେମିତି ବା କହିବେ? ବହୁ ଆଗରୁ ତ ସେ ଗଙ୍ଗାଙ୍କୁ କଥା ଦେଇଛନ୍ତି, ତାଙ୍କର କୌଣସି କାମରେ ହସ୍ତକ୍ଷେପ କରିବେନି । ଶାନ୍ତନୁଙ୍କର ଭୟ କିଛି ବି କହିଲେ ତାଙ୍କୁ ଛାଡି ଚାଲିଯିବେ ଗଙ୍ଗା । ପୁଅ ପଛେ ଯାଉ, ଗଙ୍ଗା ଥାଉ ।
କିଛି ମାସ ପରେ ଗଙ୍ଗା ଆଉ ଗୋଟେ ପୁଅ ଜନ୍ମ କଲେ । ତା'ର ବି ସମଦଶା ହେଲା । ତାକୁ ବି ପାଷାଣୀ ପରି ନଈକୁ ଫିଙ୍ଗିଲେ ଗଙ୍ଗା । ଏଥର ବି ଗଙ୍ଗାଙ୍କୁ ରାଜା ଶାନ୍ତନୁ କିଛି କହିପାରିଲେନି । ଏମିତି ଏମିତି ସାତ ସାତଟା ପିଲା ଜନ୍ମ କଲେ ଗଙ୍ଗା ଓ ଜନ୍ମ ହେଉ ହେଉ ସେମାନଙ୍କୁ ନଈ ପାଣିକୁ ଫୋପାଡି ମାରିଦେଲେ । ସବୁଥର ଚୁପ୍ ରହିଲେ ଶାନ୍ତନୁ ।
ତାପରେ ପୁଣି ଗର୍ଭବତୀ ହେଲେ ଗଙ୍ଗା । ଯଥା ସମୟରେ ପୁଣି ପୁଅଟିଏ ଜନ୍ମ ହେଲା । ଜନ୍ମ ହେଉ ହେଉ ତାକୁ ଧରି ନଈ ପାଖକୁ ବାହାରିଲେ ଗଙ୍ଗା । ଏଥର କିନ୍ତୁ ଅନ୍ୟ ସବୁଥର ପରି ଚୁପ୍ ରହିପାରିଲେନି ରାଜା ଶାନ୍ତନୁ । ଗଙ୍ଗାଙ୍କ ହାତକୁ ଧରି କହିଲେ ନା । ଏ ପୁଅକୁ ମୁଁ ମରିବାକୁ ଦେବିନି । ମୋର ପୁଅଟେ ଦରକାର । କିଛି ନକହି ଚୁପ୍ ରହି ଅନେକ ସହିଲିଣି । ଆଉ ନୁହେଁ । ମୁଁ ଜାଣିବାକୁ ଚାହୁଁଛି ତୁ କେମିତିକା ମା? ଜନ୍ମ କଲା କଅଁଳା ଛୁଆମାନଙ୍କୁ କେବଳ ଜଣେ ପାଷାଣୀ ପିଶାଚୀ ମାଅ ହିଁ ଏମିତି ମାରିପାରେ । ସତ କହ ତ ତୁ କିଏ? କ'ଣ ପାଇଁ ମୋର ସାତଟା ଛୁଆକୁ ମାରିପକେଇଲୁ? ନିଜ କଅଁଳ ପିଲାକୁ ମାରି ତୁ ଯୋଉ ପାପ ଅର୍ଜନ କଲୁ ତୋତେ ନର୍କରେ ବି ଯାଗା ମିଳିବନି ।
ଶାନ୍ତନୁଙ୍କ କଥା ଶୁଣି ଗଙ୍ଗା ସାମାନ୍ୟ ହସିଲେ । କହିଲେ, ହେ ରାଜା ! ଆପଣଙ୍କର ପୁଅଟିଏ ଯଦି ଦରକାର ତେବେ ଏ ପୁଅକୁ ମୁଁ ମାରିବିନି । କିନ୍ତୁ ତୁମେ ମୋତେ ବିବାହ ଆଗରୁ ଦେଇଥିବା କଥା ରଖିପାରିନ । ମୋ କାମରେ ହସ୍ତକ୍ଷେପ କଲ । ତାପରେ ପୁଣି ମୋତେ କଟୁକଥା କହି ଭର୍ତ୍ସନା କରିଛ । ତେଣୁ ମୁଁ ଚାଲିଲି । ଆଉ ଗୋଟେ ମୁହୂର୍ତ୍ତ ବି ମୁଁ ଏଠି ରହିବିନି ।
ଗଙ୍ଗା, ରାଜା ଶାନ୍ତନୁଙ୍କୁ ଛାଡି ଚାଲିଯିବା ଆଗରୁ ନିଜର ପରିଚୟ ଦେଇ କହିଲେ, ସେ ହେଉଛନ୍ତି ଜାହ୍ନୁଙ୍କ କନ୍ୟା ଜାହ୍ନବୀ । ତିନି ଲୋକରେ ତାଙ୍କୁ ପୂଣ୍ୟତୋୟା ଗଙ୍ଗା ନାମରେ ଜାଣନ୍ତି । ଦେବତାମାନଙ୍କ ଇଚ୍ଛାରେ ମୋତେ ଆପଣଙ୍କ ପତ୍ନୀ ଭାବରେ ଆଠ ପୁତ୍ର ସନ୍ତାନ ଜନ୍ମ ଦେବାକୁ ହେଇଥିଲା । ମୋ ପାଖରୁ ଜନ୍ମ ନେଇଥିବା ଆଠ ପୁତ୍ର ପ୍ରକୃତରେ ଦେବଲୋକର ଆଠ ବସୁ । ବ୍ରହ୍ମର୍ଷି ବଶିଷ୍ଠଙ୍କ ଅଭିଶାପ ପାଇ ସେମାନଙ୍କୁ ମଣିଷ ଜନ୍ମ ନେବାକୁ ହେଇଥିଲା । ଆପଣଙ୍କ ଠାରୁ ଭଲ ବାପା ଓ ମୋ ଠାରୁ ଭଲ ମା ସେମାନେ ଆଉ କୋଉଠୁ ପାଇଥା'ନ୍ତେ? ତେଣୁ ସେମାନେ ଆମ ପାଖରୁ ଜନ୍ମ ନେଲେ ଓ ଏବେ ଦେବଲୋକକୁ ପ୍ରସ୍ଥାନ କଲେ । ମୁଁ ବସୁମାନଙ୍କୁ କଥା ଦେଇଥିଲି ସେମାନଙ୍କୁ ଜନ୍ମ ପରେ ପରେ ମନୁଷ୍ୟ ଜନ୍ମରୁ ମୁକ୍ତ କରିବି । କିନ୍ତୁ ଏଇ ଶେଷ ପିଲାଟି ହେଉଛି ବସୁ ପ୍ରଭାସ । ଗଙ୍ଗାଙ୍କ ପୁଅ ବୋଲି ତାଙ୍କର ନାମ ଦିଆଗଲା ଗାଙ୍ଗେୟ । ଆଉ ଗୋଟେ ବି ନାମ ରଖାଗଲା, ଦେବବ୍ରତ । ସେ କିନ୍ତୁ ବଞ୍ଚିରହିବ । କାରଣ ତା' ଉପରେ ବଶିଷ୍ଠ ଋଷିଙ୍କ ଅଭିଶାପ ରହିଛି । ଅନ୍ୟମାନେ ଫେରିଗଲା ପରେ ବି ତାକୁ ମଣିଷ ହୋଇ ରହିବାକୁ ହେବ । ମୁଁ ଏବେ ତାକୁ ସାଙ୍ଗରେ ନେଇ ଯାଉଛି । ଉପଯୁକ୍ତ ଶିକ୍ଷା ଦୀକ୍ଷା ପରେ ଆଣି ଆପଣଙ୍କୁ ଫେରେଇ ଦେଇଯିବି । ଏତିକି କହି ସାନ ପୁଅକୁ ଧରି ଗଙ୍ଗା ସେଠାରୁ ଚାଲିଗଲେ ।
କୁରୁମାନଙ୍କର ରାଜଧାନୀ ହସ୍ତିନାପୁରର ରାଜା ଏବେ ଶାନ୍ତନୁ । ଧର୍ମ ଓ ନ୍ୟାୟ ପଥରେ ରାଜ୍ୟ ଶାସନ କରୁଥା'ନ୍ତି ।ଏହା ଭିତରେ ଅନେକ ବର୍ଷ ବିତିଗଲା । ସାନ ପିଲାଟାକୁ ଧରି ଗଙ୍ଗାଙ୍କର ଯିବା ବି ଅନେକ ବର୍ଷ ହୋଇଗଲାଣି । ଶାନ୍ତନୁ ମନେ ମନେ ଆଜିକାଲି ଗଙ୍ଗାଙ୍କ କଥା ଯେତେ ଭାବୁ ନଥିଲେ ପୁଅ କଥା ବେଶି ଭାବୁଥିଲେ ।
ଦିନେ ରାଜା ଶାନ୍ତନୁ ମୃଗୟାରେ ବୁଲୁ ବୁଲୁ ଗଙ୍ଗା କୁଳକୁ ଆସିଗଲେ । ଦେଖିଲେ ଠାଏ ଗଙ୍ଗା ନଦୀର ସ୍ରୋତ କ୍ଷୀଣ ହେଇଯାଇଛି । ଶାନ୍ତନୁ ଆଶ୍ଚର୍ଯ୍ୟ ହେଇ ତା'ର କାରଣ ଖୋଜିବାକୁ କିଛି ବାଟ ନଦୀର କୂଳରେ ବାଟ ଚାଲିଲେ । କିଛି ବାଟ ଗଲାପରେ ଶାନ୍ତନୁ ଦେଖିଲେ ଅତ୍ୟନ୍ତ ସୌମ୍ୟ ଦର୍ଶନ ଶକ୍ତିଶାଳୀ ଦିଶୁଥିବା ଜଣେ ଯୁବକ ତା'ର ଧନୁ ତୀରରେ ଗଙ୍ଗା ନଦୀର ସ୍ରୋତକୁ ଅଟକାଇଛି । ଏମିତି ଏକ ଅସମ୍ଭବ ଘଟଣା ଦେଖି ଶାନ୍ତନୁ ଆଶ୍ଚର୍ଯ୍ୟ ହେଇଗଲେ । ଶାନ୍ତନୁ ଆସି ପହଞ୍ଚିବାରୁ ସେଠୁ ତୁରନ୍ତ କୁଆଡେ ଚାଲିଗଲେ ସେ ଯୁବକ । ଦିବ୍ୟ ଶୌର୍ଯ୍ୟଯୁକ୍ତ ଯୁବକ ଜଣକ ଯେ, ତାଙ୍କ ପୁଅ ଦେବବ୍ରତ, ସେକଥା ଶାନ୍ତନୁ ଜାଣିପାରୁନଥା'ନ୍ତି । କେମିତି ବା ଜାଣିବେ? ସେ ତ ମାତ୍ର ଅଳ୍ପ ସମୟ ପାଇଁ ଖୁବ୍ ସାନ ଥିବା ବେଳେ ପୁଅକୁ ତାଙ୍କର ଦେଖିଥିଲେ ।
ତାପରେ ସେଇଠି ଗଙ୍ଗାକୁ ସ୍ମରଣ କଲେ ରାଜା ଶାନ୍ତନୁ । ଗଙ୍ଗା ପହଞ୍ଚିଲା ପରେ ପୁଅ କଥା ପଚାରିଲେ । ଶାନ୍ତନୁଙ୍କ ପ୍ରଶ୍ନ ଶୁଣି ମୁହୂର୍ତ୍ତେ ବିଳମ୍ବ ନକରି ଗଙ୍ଗା ସେଇ ଯୁବକକର ହାତ ଧରି ରାଜାଙ୍କ ଆଗରେ ଛିଡାହେଲେ । କହିଲେ, ହେ ରାଜା! ଏବେ ଆପଣଙ୍କ ପୁଅ ଆପଣଙ୍କ ସହ ଆପଣଙ୍କ ରାଜ୍ୟକୁ ଯିବାକୁ ପୂର୍ଣ୍ଣଭାବରେ ପ୍ରସ୍ତୁତ । ତା'ର ଶିକ୍ଷା ଦୀକ୍ଷା ସମାପ୍ତ ହୋଇସାରିଛି । ସେ ସମସ୍ତ ଧର୍ମଶାସ୍ତ୍ର ଅଧ୍ୟୟନ କରିସାରିଛି । ଜମଦଗ୍ନିଙ୍କ ପୁଅ ପର୍ଶୁରାମଙ୍କ ପାଖରୁ ଶସ୍ତ୍ର ଶିକ୍ଷା ବି ପାଇସାରିଛି । ମୁଁ ଆମ ପୁଅକୁ ଉପଯୁକ୍ତ ଶିକ୍ଷା ଦୀକ୍ଷା ଦେବାପାଇଁ ଯେଉଁ ଦାୟିତ୍ୱ ନେଇଥିଲି ତାହା ପୁରା ହୋଇ ସାରିଛି । ଏବେ ଆପଣ ତାକୁ ସାଙ୍ଗରେ ନେଇଯାଇ ପାରନ୍ତି ।
ରାଜା ଶାନ୍ତନୁ ଏବେ ବହୁତ ଖୁସି । ତାଙ୍କୁ ତାଙ୍କ ବଂଶଧର ଓ ହସ୍ତିନାପୁରର ପରବର୍ତ୍ତୀ ନରପତି ମିଳିଯାଇଛି । ରାଜା ବଡ଼ ଆନନ୍ଦରେ ଦେବବ୍ରତଙ୍କ ହାତ ଧରି ହସ୍ତିନାପୁରକୁ ବାହାରିଲେ । ପ୍ରିୟ ପରିଜନଙ୍କ ସହ ନଗରବାସୀ ଓ ଦେଶବାସୀଙ୍କୁ ଏ ସୁସମ୍ବାଦ ଦେବାକୁ ହେବ । ଉତ୍ସବ ସମାରୋହର ଆୟୋଜନ କରିବାକୁ ହେବ । ବହୁ ବର୍ଷ ପରେ ପୁଅ ଘରକୁ ଫେରିଛି ।