ବୁଧଙ୍କୁ ଅତି ସରାଗରେ ଲାଳନ ପାଳନ କଲେ ତାରା । ଧିରେ ଧିରେ ବୁଧଙ୍କ ପିଲା ଦିନ ସରି ସରି ଆସିଲା । ବୁଧଙ୍କ ଜୀବନକୁ ଯୌବନ ଆସିଲା । ଏମତି ପରିସ୍ଥିତି ଓ ଘଟଣା ଚକ୍ରରେ ତାଙ୍କର ଜନ୍ମ ହେଇଥିଲା ଯେ ବୁଧଙ୍କ ଜୀବନରେ କିନ୍ତୁ ଦ୍ୱନ୍ଦର ଅନ୍ତ ହେଉନଥାଏ । ବୃହସ୍ପତିଙ୍କ ଅଭିଶାପ ଯୋଗୁଁ ବୁଧ ନା ପୁରୁଷ ହେଇପାରିଲେ ନା ନାରୀ । ବୁଧଙ୍କୁ ଯେଉଁ ବାହାନଟି ମିଳିଲା ସେଇଟି ହେଲା ହସ୍ତୀ-ବିଡାଳ । ସିଏ ବି ସେମିତିକା ମିଶାମିଶି ଗୋଟେ ଜୀବ । ସିଂହର ଶରୀର ସହ ଶୁଣ୍ଢ ଓ ହାତୀର ମୁହଁ ଥିବା ଏକ ଅଜିବ୍ ଜୀବ । ସିଂହ ପାଖରେ ଯେତିକି ପୁରୁଷ ଭାବ, ହାତୀ ପାଖରେ ସେତିକି ନାରୀ ଭାବ ।
ବୁଧଙ୍କ ମନରେ ଅନେକ ସମୟରେ ଇଚ୍ଛା ଜାଗେ, କାହା ସାଙ୍ଗରେ ଟିକେ ଦୁଃଖ ସୁଖ ହୁଅନ୍ତେ । ମନର କଥା କାହାକୁ ଟିକେ ଖୋଲିକରି କୁହନ୍ତେ । ମାଆ ତାରାଙ୍କ ସାଙ୍ଗରେ ବୁଧ ଅନେକ କଥା ହୁଅନ୍ତି ଯେ, ହେଲେ ସବୁ କଥା କ'ଣ ମାଆଙ୍କୁ କହିହେବ? ତଥାପି ମନ ଭାରି ହେଲେ ବୁଧ ଆସି ତାରାଙ୍କ ପାଖରେ କିଛି ନକହି ଚୁପ୍ ଚାପ୍ ବସନ୍ତି । ତାରା କିନ୍ତୁ ସବୁ ବୁଝିପାରନ୍ତି । ପୁଅ ମନରେ କ'ଣ ସବୁ ଚାଲିଛି ଜାଣିପାରନ୍ତି । ସେଉଠୁ ପ୍ରବୋଧେଇ କୁହନ୍ତି, ବ୍ୟସ୍ତ ହଅନିରେ ଧନ । ଦିନେ ନା ଦିନେ ତୋ ଜୀବନ ସାଥି ତୋତେ ନିଶ୍ଚୟ ମିଳିବ ।
ବୁଧ ଉଦାସ ହେଇ କୁହନ୍ତି, କିଏ ମିଳିବ ମା? କୋଉଠୁ ମିଳିବ? ପୁଅଟେ ମିଳିବ ନା ଝିଅଟେ? କିଏ ମିଳିବ ମୋତେ? ସ୍ୱାମୀ ଭାବରେ ମିଳିବ ସେ ନା ସ୍ତ୍ରୀ ଭାବରେ ମିଳିବ?
ବୁଧଙ୍କର ଏମିତିକା ପ୍ରଶ୍ନ ଶୁଣି ତାରା ତାଙ୍କୁ ବୁଝାଇ କୁହନ୍ତି । -ସଂସାରରେ କିଛି ବି ଅକାରଣରେ କେବେବି ଘଟେନିରେ ବାପ । ଯାହା ପୁଣି ଘଟେ ତାହା ସମସ୍ତଙ୍କ ଭଲ ପାଇଁ ହିଁ ଘଟେ । ଏ ସଂସାରରେ ବିନା କାରଣରେ ଗଛରୁ ପତ୍ରଟେ ବି ଖସେନି । ମୋ ମନ କହୁଛି, ତୋ ବାପା ତୋତେ ଯୋଉ ଏମିତି ଅକଳିଆ ଅଭିଶାପଟେ ଦେଇଛନ୍ତି, ତା' ପଛରେ କିଛି ନା କିଛି ଗୋଟେ ବଡ଼ କାରଣଟେ ନିଶ୍ଚୟ ଅଛି । ଆମକୁ କେବଳ ଅପେକ୍ଷା କରିବାକୁ ହେବ । ସେଇଥିରେ ହିଁ ତୋର ମଙ୍ଗଳ । ମନେରଖ ଠିକଣା ସମୟ ଆଗରୁ ଏ ସଂସାରରେ କିଛି ବି ଘଟିବନି ।
ତାରାଙ୍କର ବିଶ୍ୱାସରେ ଶକ୍ତି ଥିଲା । ସମୟ ଉପରେ ତାଙ୍କର ଅଖଣ୍ଡ ଭରସା ଥିଲା । ତାଙ୍କ କଥା ଦିନେ ସତ ହେଲା । ବୁଧଙ୍କ ଜୀବନରେ ଠିକଣା ସମୟରେ ଠିକଣା ଘଟଣାଟି ଥରେ ଆକସ୍ମିକ ଭାବରେ ଘଟିଗଲା । ବୁଧଙ୍କର ଇଳା ନାମକ ଝିଅଟି ସହ ଦିନେ ଦେଖା ହେଲା ଓ ବୁଧ ତା'ର ପ୍ରେମରେ ପଡିଗଲେ ।
ସୂର୍ଯ୍ୟଦେବ ଓ ସରଣ୍ୟାଙ୍କ ପୁଅ ହେଲେ ବୈବସୂତ ମନୁ । ବୈବସୂତ ମନୁ ଓ ତାଙ୍କ ପତ୍ନୀ ଶ୍ରଦ୍ଧାଙ୍କର ପିଲାପିଲି କିଛି ହେଉନଥାଏ । ଉଭୟେ ସ୍ୱାମୀ ସ୍ତ୍ରୀ ପୁତ୍ର ସନ୍ତାନର ପ୍ରାପ୍ତି ପାଇଁ ବଶିଷ୍ଠ ଋଷିଙ୍କ ନିକଟରେ ପହଞ୍ଚିଲେ । ବଶିଷ୍ଠ ଋଷି ଉପଦେଶ ଦେଲେ କି ସେମାନେ ମିତ୍ର-ବରୁଣଙ୍କୁ ସନ୍ତୁଷ୍ଟ କରିବାକୁ ଏକ ଯଜ୍ଞର ଆୟୋଜନ କରନ୍ତୁ । ସେ ଦେବତା ଦ୍ୱୟ ଯଦି ଖୁସି ହୁଅନ୍ତି ତେବେ ହୁଏତ ରାଜା ତାଙ୍କର ଉତ୍ତରାଧିକାରୀ ପାଇପାରିବେ ।
ଯଜ୍ଞର ଆୟୋଜନ ଆରମ୍ଭ ହେଲା । ଯଜ୍ଞରେ ଦେବତାମାନେ ସନ୍ତୁଷ୍ଟ ହେଲେ ଏବଂ ମନୁ ଓ ତାଙ୍କ ପତ୍ନୀଙ୍କୁ ଆଶୀର୍ବାଦ ବି କଲେ । ତାପରେ ଯଥା ସମୟରେ ଶ୍ରଦ୍ଧା କନ୍ୟା ସନ୍ତାନଟିଏ ଜନ୍ମ ଦେଲେ । ଝିଅର ନାମ ଦିଆଗଲା ଇଳା । ପୁଅ ବଦଳରେ ଝିଅ ଗୋଟିଏ ଜନ୍ମ ହେବାରୁ ବାପା ମାଆ ଉଭୟେ ଟିକେ ଦୁଃଖୀ ଥାଆନ୍ତି । ମନୁଙ୍କର ଦୁଃଖ ଯେ, ଏବେ କିଏ ତାଙ୍କ ଅନ୍ତେ ରାଜ୍ୟଭାର ସମ୍ଭାଳିବ? ତାଙ୍କ ପରେ କିଏ ହେବ ଦେଶର ରଜା? କିଏ ହେବ ତାଙ୍କର ପ୍ରକୃତ ଉତ୍ତରାଧିକାରୀ । ସ୍ୱାମୀ ସ୍ତ୍ରୀ ଦୁହେଁ ବଶିଷ୍ଠ ଋଷିଙ୍କ ପାଖରେ ପୁଣି ଥରେ ନୂଆ ଦୁଃଖ ଧରି ପହଞ୍ଚିଲେ । ବଶିଷ୍ଠ ଋଷି ରାଜା ଓ ରାଣୀଙ୍କ ପାଖରୁ ସବୁକଥା ଶୁଣିସାରିଲା ପରେ ନିଜର ତପ ଶକ୍ତି ବଳରେ ଇଳାଙ୍କୁ ଝିଅରୁ ପୁଅ କରିଦେଲେ । ରାଜା ରାଣୀ ଖୁସି ହେଲେ । ଏବେ ପୁଅର ନାଁ ଦିଆଗଲା ସୁଦ୍ୟୁମ୍ନ ।
ସୁଦ୍ୟୁମ୍ନ କ୍ରମେ ବଡ ହେଲେ ଓ ବାପାଙ୍କ ଅନ୍ତେ ରାଜ୍ୟ ଭାର ସମ୍ଭାଳିଲେ । ଥରେ ସେ ମୃଗୟାରେ ଗୋଟେ ମୃଗକୁ ଶୀକାର କରିବା ପାଇଁ ତା' ପଛେ ପଛେ ଏକ ଅଜଣା ଜଙ୍ଗଲରେ ଅଜାଣତରେ ପ୍ରବେଶ କରିଗଲେ । ସେ ଜଙ୍ଗଲର ନାମ ଥିଲା କୁମାରବନ । କୁମାରବନ ହେଉଛି ମା ପାର୍ବତୀଙ୍କର ଏକାନ୍ତ ବ୍ୟକ୍ତିଗତ ସ୍ଥାନ । ସେ ବନର ଏକ କାହାଣୀ ରହିଛି ।
ଏକଦା ଶିବ ପାର୍ବତୀ ଦୁହେଁ ନିରୋଳା ଏକାନ୍ତ ନିବିଡ଼ ପ୍ରେମରେ ବନ ମଧ୍ୟରେ ମଗ୍ନ ଥାଆନ୍ତି । ସେତିକିବେଳକୁ ସୁନକ ଓ ଅନ୍ୟ କିଛି ଋଷି ମହାଦେବଙ୍କୁ ସାକ୍ଷାତ କରିବାକୁ ସେଇଠି ହଠାତ୍ ପହଞ୍ଚିଗଲେ । ଋଷିମାନଙ୍କ ଆସିବା ନେଇ ଉଭୟେ ମା ପାର୍ବତୀ ଓ ମହାଦେବ ସଚେତନ ହେଇପାରିନଥିଲେ । ପ୍ରେମ ରଚନାର ଏକାନ୍ତ ବ୍ୟକ୍ତିଗତ ସମୟରେ ଋଷିମାନଙ୍କ ହଠାତ୍ ଏମିତି ଆକସ୍ମିକ ଆଗମନରେ ଦେବୀ ପାର୍ବତୀ ଅତ୍ୟନ୍ତ ଅପ୍ରତିଭ ଓ ଲଜ୍ୟାଶୀଳା ହୋଇଗଲେ । ମାତା ପାର୍ବତୀ ଏମିତି କିଛି ଘଟଣାର ପୁନରାବୃତ୍ତି ଯେପରି ଆଉ ନହୁଏ, ତା'ର ବିହିତ ପଦକ୍ଷପ ପାଇଁ ମହାଦେବ ଶିବଙ୍କୁ ଅନୁରୋଧ କଲେ କି, କୁମାରବନରେ ସମସ୍ତ ଜୀବଜନ୍ତୁ, ପକ୍ଷୀ ଓ ଗଛଲତାଙ୍କୁ ନାରୀ କରିଦିଆଯାଉ । ସମଗ୍ର କୁମାରବନରେ କେବଳ ଦେବ ଦେବ ମହାଦେବଙ୍କ ଛଡା ଆଉ କୌଣସି ପୁରୁଷ ଯେମିତି ନରୁହନ୍ତି । ଏମିତି ବ୍ୟବସ୍ଥା କରାଯାଉ, ଯେମିତି କୁମାରବନ ଭିତରକୁ ଅକସ୍ମାତ ଯଦି କୌଣସି ପୁରୁଷ କେବେ ପ୍ରବେଶ କରେ, ତେବେ ସେ ଆପଣା ଛାଏଁ ନାରୀ ପାଲଟି ଯିବ । ପାର୍ବତୀଙ୍କ ଅନୁରୋଧ କ୍ରମେ ମହାଦେବ ଅନୁରୂପ ବ୍ୟବସ୍ଥା ଵି କରିଦେଲେ ।
ସେଇ କୁମାରବନ ଜଙ୍ଗଲରେ ମୃଗୟା ଉଦ୍ଦେଶ୍ୟରେ ଭୁଲରେ ପ୍ରବେଶ କରୁ କରୁ ସୁଦ୍ୟୁମ୍ନ ହଠାତ୍ ଜଣେ ନାରୀରେ ପରିଣତ ହେଇଗଲେ । ସୁଦମ୍ୟୁଙ୍କ ସାଙ୍ଗରେ ଥିବା ସୈନ୍ୟ,
ସାମନ୍ତ, ଘୋଡା ଓ କୁକୁର ସମସ୍ତେ ଏବେ ନାରୀ । ସୁଦ୍ୟୁମ୍ନ ବୁଝି ପାରୁନଥିଲେ ଏସବୁ ଅଲୌକିକ ଘଟଣା ଘଟିଲା କେମିତି । ହଠାତ୍ ଜଣେ ଧନୁର୍ଦ୍ଧର ବୀର ଯୁବକ ଅକସ୍ମାତ ଭାବରେ ଏକ ନାରୀରେ ପରିଣତ ହେଇଗଲେ, ତା'ର ଯେଉଁ ମନସ୍ଥିତି ତାହା ନକହିଲେ ଭଲ ।
ନାରୀରେ ପରିଣତ ହେଲା ପରେ ସୁଦ୍ୟୁମ୍ନ ପ୍ରଥମେ ବଡ ଦୁଃଖି ହେଇଗଲେ । ସେ ତ ଜଣେ ଝିଅ ରୂପରେ ପ୍ରଥମରୁ ଜନ୍ମ ହେଇଥିଲେ । ଏବେ ସେଇ ମୂଳ ଅବସ୍ଥାକୁ ପୁଣି ଫେରିଗଲେ । ଏବେ ତାଙ୍କର ନାମ ପୁଣିଥରେ ପରିବର୍ତ୍ତିତ ହୋଇ ପୂର୍ବର ନାମ ଇଳା ହେଇଗଲା ।
ନାରୀ ଇଳାରୁ ସେ ତାଙ୍କର ପୂର୍ବ ଅବସ୍ଥାର ପୁରୁଷ ସୁଦ୍ୟୁମ୍ନକୁ ଫେରି ଆସିବାକୁ ବିକଳ ହେଇ ମାତା ପାର୍ବତୀଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ । ପ୍ରାର୍ଥନାରେ ପ୍ରୀତ ହୋଇ ପାର୍ବତୀ ଆର୍ବିଭୂତା ହେଲେ ଓ କହିଲେ, ସେ ଦେବ ଦେବ ମହାଦେବଙ୍କ ବାକ୍ୟକୁ ଅନ୍ୟଥା କରିପାରିବେନି । ସେ ଶକ୍ତି ତାଙ୍କର ନାହିଁ । ଅବଶ୍ୟ ନିଜର ଶକ୍ତି ବଳରେ ଏତିକି କରିପାରିବେ ଯେ, ମାସରେ ଥରେ ସେ ତାଙ୍କ ଲିଙ୍ଗ ପରିବର୍ତ୍ତନ କରିପାରିବେ । ସେ ଏଣିକି ପ୍ରତି ଶୁକ୍ଳପକ୍ଷରେ ପୁରୁଷ ଭାବରେ ସୁଦ୍ୟୁମ୍ନ ଓ କୃଷ୍ଣପକ୍ଷରେ ନାରୀ ଭାବରେ ଇଳା ହୋଇ ରହିବେ । ନାରୀରୁ ପୁରୁଷ ଓ ପୁରୁଷରୁ ନାରୀ ହେବାର ଦ୍ୱନ୍ଦ ଓ ଦୁଃଖ ବି ସେ ଭୋଗିବେନି । କାରଣ ନାରୀ ସମୟର ସ୍ମୃତି, ପୁରୁଷ ହେବା ସମୟରେ ରହିବନି କି ପୁରୁଷ ସମୟର ସ୍ମୃତି, ନାରୀ ହେବା ସମୟରେ ତାଙ୍କର ରହିବନି ।
ଏଇ ଘଟଣାର କିଛି ଦିନ ପରେ ଦିନେ ଇଳା ନିଜର ଅତୀତ ଭୁଲି ଜଙ୍ଗଲରେ ନିଜର ପରିଚାରିକା ଓ ସହଚରୀମାନଙ୍କ ସହ ଥରେ ବୁଲୁଥିବା ବେଳେ ବୁଧଙ୍କ ସହ ତାଙ୍କର ଭେଟ ହେଲା । ରୂପସୀ ଇଳାଙ୍କୁ ବୁଧ ଦେଖିଲେ ଓ ବୁଧଙ୍କୁ ଇଳା । ପ୍ରଥମ ଦେଖାରୁ ହିଁ ବୁଧ ଇଳାଙ୍କ ପ୍ରେମରେ ପଡିଗଲେ । ପ୍ରେମ ଦ୍ୱିପାକ୍ଷିକ ବି ହେଲା । ଇଳା ବି ବୁଧଙ୍କୁ ପସନ୍ଦ କଲେ । ଘଟଣା କ୍ରମେ ବୁଧ ଓ ଇଳାଙ୍କର ବିବାହ ହେଲା । ବୁଧଙ୍କ ବିବାହରେ ଆଉ କିଏ ଖୁସି ହେଉ କି ନ ହେଉ ମା ତାରା କିନ୍ତୁ ବଡ ଖୁସି ହେଲେ । ଯା ହେଉ ପୁଅର ଘର ସଂସାର ତ ହେଲା ।
ବୁଧ ଓ ଇଳାଙ୍କର ଦାମ୍ପତ୍ୟ ଜୀବନ ଭଲରେ କଟିବାକୁ ଲାଗିଲା । ପକ୍ଷ ସରିବାରୁ କିନ୍ତୁ ହଠାତ୍ ଦିନେ ଇଳା ପାଲଟିଗଲେ ସୁଦ୍ୟୁମ୍ନ । ସୁଦ୍ୟୁମ୍ନ ହେବାରୁ ସେ ନିଜର ଇଳା ସମୟର ଜୀବନ ବିଷୟରେ ଭୁଲିଗଲେ । ସୁଦ୍ୟୁମ୍ନ ହେବାର ସମୟତକ ବୁଧ ତାଙ୍କୁ ଶିଷ୍ୟ ଭାବରେ ଗ୍ରହଣ କଲେ ଓ ବିଭିନ୍ନ ଶାସ୍ତ୍ର ଜ୍ଞାନ ପ୍ରଦାନ କଲେ । କିଛି ମାସ ପରେ ଇଳା ଗର୍ଭବତୀ ହେଲେ ଓ ଯଥା ସମୟରେ ପୁତ୍ର ସନ୍ତାନଟିଏ ଜନ୍ମ ଦେଲେ । ଶିଶୁପୁତ୍ରର ନାମ ଦିଆଗଲା ପୁରୁରବା । ପୁରୁରବା ପରିଚୟରେ ବୃହସ୍ପତିଙ୍କ ନାତି, କିନ୍ତୁ ଅସଲରେ ସେ ଚନ୍ଦ୍ରଙ୍କର ନାତି । ଆଗରୁ ସୂର୍ଯ୍ୟବଂଶ ଥିଲା । ଇଳା ବା ସୁଦ୍ୟୁମ୍ନଙ୍କ ଭାଇ ଇକ୍ଷକୁ ସୂର୍ଯ୍ୟବଂଶର ପ୍ରତିଷ୍ଠାତା ଥିଲେ। ପୁରୁରବାଙ୍କ ଠାରୁ ମହୀରେ ଚନ୍ଦ୍ରବଂଶର ଶାସନ ଆରମ୍ଭ ହେଲା ।
ପୁରୁରବା ବଡ ହେଲାପରେ ବୁଧ ଥରେ ଇଳାଙ୍କୁ ତାଙ୍କ ଦୈତ୍ୟ ଜୀବନ ବିଷୟରେ ବୁଝାଇ କହିଲେ । ନିଜ ବର୍ତ୍ତମାନ ଓ ଅତୀତ ବିଷୟରେ ଜାଣିଲା ପରେ ସୁଦ୍ୟୁମ୍ନ ପୁଅ ପୁରୁରବାଙ୍କୁ ଧରି ଆପଣା ଦେଶକୁ ଲେଉଟି ଆସିଲେ । ଏବେ ତାଙ୍କୁ ତାଙ୍କ ଦୁଇଟି ଜୀବନକୁ ବ୍ୟବସ୍ଥିତ ଭାବରେ ନିୟନ୍ତ୍ରୀତ କରି ରଖିବାକୁ ହେବ । ସୁଦ୍ୟୁମ୍ନ ହେବା ସମୟ ତକ ସେ ରାଜ୍ୟର ଶାସନ ଭାର ସମ୍ଭାଳିଲେ ଓ ଇଳା ହେବାର ସମୟତକ ଏକାନ୍ତବାସରେ ରହିଲେ । କିଛି ବର୍ଷ ପୂର୍ବରୁ ସେ ନାରୀ ଇଳା ଭାବରେ ପୁରୁରବାଙ୍କୁ ଜନ୍ମ କରିଥିଲେ ଓ ରାଜ୍ୟକୁ ଫେରିଲା ପରେ ପୁରୁଷ ସୁଦ୍ୟୁମ୍ନ ଭାବରେ ସେ ଉତ୍କଳ, ଗୟା ଓ ହରିତାଶ୍ୱ ନାମରେ ତିନି ପୁଅ ମଧ୍ୟ ତାଙ୍କ ଔରସରୁ ଜନ୍ମ ହେଲେ । ଏମିତି ଦେଖିଲେ ଚନ୍ଦ୍ରବଂଶୀ ମାନଙ୍କର ଉଭୟେ ମା ଓ ବାପା ହେଲେ ସୁଦ୍ୟୁମ୍ନ ।
ଅନେକ ବର୍ଷ ଧରି ଶାସନ କଲା ପରେ ଶେଷରେ ସୁଦ୍ୟୁମ୍ନ ପୁଅ ପୁରୁରବାଙ୍କ ହାତରେ ଦେଶର ଶାସନ ଭାର ଦେଇ ତପସ୍ୟା କରିବାକୁ ଜଙ୍ଗଲକୁ ବାହାରିଗଲେ ।
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)