Advertisment

‘ରାଣୀ ଏଲିଜାବେଥ୍‌ଙ୍କ ମୁକୁଟରେ ଖଚିତ ଦୁର୍ଲଭ ହୀରା ଶ୍ରୀଜଗନ୍ନାଥଙ୍କର’

କୋହିନୂର ହୀରାକୁ ଭାରତ ଫେରାଇ ଆଣିବାକୁ ବଢ଼ିଲା ଦାବି। କୋହିନୂରର ଅସଲ ମାଲିକ ଶ୍ରୀଜଗନ୍ନାଥ ବୋଲି ଦାବି କରି ଦରକାର ହେଲେ ଅନ୍ତର୍ଜାତୀୟ ଅଦାଲତ ଯିବୁ ବୋଲି କହିଛି ଜଗନ୍ନାଥ ସେନା। ତେବେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଶୋଭା ପାଇବ କି କୋହିନୂର?

ଅଦ୍ୟତନ ହୋଇଛି
The owner of Kohinoor Diamond is Lord Jagannath

The owner of Kohinoor Diamond is Lord Jagannath

Advertisment

କୋହିନୂର ବଡ ଠାକୁର ଜଗନ୍ନାଥଙ୍କର। ବ୍ରିଟିଶ୍ ଶାସକ ଭାରତରୁ ଏହି ଦୁର୍ଲଭ ହୀରାକୁ ନିଜ ଦେଶକୁ ଲୁଟିନେଇଥିବା ଅଭିଯୋଗ ହୋଇ ଆସୁଥିବା ବେଳେ; କୁଇନ୍ ଏଲିଜାବେଥ୍ ଦ୍ୱିତୀୟଙ୍କ ଦେହାନ୍ତ ପରେ ଏହାକୁ ପୁଣି ସ୍ୱଦେଶ ଫେରାଇ ଆଣିବାକୁ ଦାବି ଜୋର୍ ଧରିଛି। ତେବେ ଏହା ଭିତରେ ସାମ୍ନାକୁ ଆସିଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ତଥ୍ୟ। ଦାବି ହୋଇଛି ଯେ, ପଞ୍ଜାବର ରାଜା ରଣଜିତ ସିଂହ କୋହିନୂରକୁ ଜଗନ୍ନାଥଙ୍କୁ ଦାନ କରିବାକୁ ଇଚ୍ଛାପତ୍ର ଲେଖିଥିଲେ। ତେଣୁ କୋହିନୂର କାଳିଆ ସାଆନ୍ତଙ୍କର ବୋଲି ଦାବି କରି, ଦରକାର ହେଲେ ଅନ୍ତର୍ଜାତୀୟ ଅଦାଲତ ଯିବୁ ବୋଲି କହିଛି ଜଗନ୍ନାଥ ସେନା।

Advertisment

ଇତିହାସ କହୁଛି, ୧୮୩୬ ମସିହାରେ ପଞ୍ଜାବର ମହାରାଜା ରଣଜିତ ସିଂହ ପୁରୀ ଆସି ୫୦ ଲକ୍ଷ ବ୍ରିଟିଶ ମୁଦ୍ରା ସହିତ ଏହି ଦୁର୍ଲଭ ହୀରାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦାନ କରିବେ ବୋଲି ସଂକଳ୍ପ ନେଇଥିଲେ। ରଣଜିତ ସିଂହଙ୍କ ଏହି ସ୍ୱଲିଖିତ ସଂକଳ୍ପପତ୍ର ଏବେବି ପୁରୀର କୌଳିକ ପଣ୍ଡା କଳିଯୁଗ ହରେକୃଷ୍ଣ ପ୍ରତିହାରୀଙ୍କ ପରିବାର ପାଖରେ ଥିବା ଚର୍ଚ୍ଚା ହୁଏ। ତେବେ ସମୟକ୍ରମେ ବ୍ରିଟିଶ ଶାସକ ଏହି ଶିଖ୍ ସାମ୍ରାଜ୍ୟକୁ ଆକ୍ରମଣ କରି, ରଣଜିତ୍ ସିଂହଙ୍କ ନାବାଳକ ଉତ୍ତରାଧିକାରୀ ଦିଲୀପ ସିଂହଙ୍କ ଠାରୁ କୋହିନୂରକୁ ଇଂଲଣ୍ଡ ନେଇଯାଇଥିବା ଅଭିଯୋଗ ହୁଏ।

ଐତିହ୍ୟ ବିଶାରଦ ଏସବୁ ବାସ୍ତବ କଥା ବୋଲି କହିଥିବା ବେଳେ, ଜଗନ୍ନାଥ ସେନା ପକ୍ଷରୁ କୋହିନୂରକୁ ତା’ର ପ୍ରକୃତ ମାଲିକ ମହାପ୍ରଭୁ ଜଗନ୍ନାଥଙ୍କୁ ଫେରାଇଦେବାକୁ ରାଣୀ ଏଲିଜାବେଥ୍‌ଙ୍କ ନିକଟକୁ ବାରମ୍ବାର ଚିଠି ମଧ୍ୟ ଲେଖାଯାଇଛି। ଆଉ ଏବେ ଏଲିଜାବେଥ୍‌ଙ୍କ ଦେହାନ୍ତ ପରେ କୋହିନୂର ଫେରାଇ ଆଣିବାକୁ, ଆବଶ୍ୟକ ପଡ଼ିଲେ ଇଣ୍ଟର୍‌ନ୍ୟାସ୍‌ନାଲ୍‌ କୋର୍ଟ ଅଫ୍ ଜଷ୍ଟିସ୍ ବା ଅନ୍ତର୍ଜାତୀୟ ଅଦାଲତକୁ ଯିବ ବୋଲି କହିଛି ଜଗନ୍ନାଥ ସେନା।

Advertisment

କୋହ୍-ଇ-ନୁର୍ ବା ଆଲୋକର ପର୍ବତ ଚତୁର୍ଦ୍ଦଶ ଶତାବ୍ଦୀରେ ଦକ୍ଷିଣଭାରତର ଗୋଲକୋଣ୍ଡା ଖଣିରୁ ମିଳିବା ପରେ ବହୁ ବିଦେଶୀ ଶାସକଙ୍କ ହାତକୁ ଯାଇସାରିଛି ଏହି ବିଶ୍ୱପ୍ରସିଦ୍ଧ ଦୁର୍ଲଭ ହୀରା। କେତେବେଳେ ମୋଗଲ୍, କେତେବେଳେ ଇରାନୀ ଯୋଦ୍ଧା ତ ଆଉ କେତେବେଳେ ଆଫଗାନ୍ ଶାସକ। ଶେଷରେ ୧୮୪୯ରେ ପଞ୍ଜାବର ରାଜା ଦିଲୀପ ସିଂହଙ୍କ ଠାରୁ ଏହା ବ୍ରିଟିଶ୍ ଶାସକଙ୍କ ହାତକୁ କେମିତି ଯାଇଥିଲା, ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। କିଏ କହେ ବ୍ରିଟିଶ ସେନା ଯୁଦ୍ଧ ଜିତି ଏହାକୁ ଲୁଟି ନେଇଥିଲେ, ତ ଆଉ କିଏ ଦାବି କରେ ଚୁକ୍ତି ମୁତାବକ ଏହାକୁ ପ୍ରଦାନ କରାଯାଇଥିଲା।

ହେଲେ ସତ ଯାହା ବି ହେଉ, ସେବେଠୁ ବ୍ରିଟିଶ ରାଜମୁକୁଟର ଶୋଭା ବଢ଼ାଇ ଆସୁଛି ଏହି ବହୁଚର୍ଚ୍ଚିତ ହୀରକ। ଏଣେ ୧୯୪୭ ପରଠୁ ୫-୬ ଥର ଭାରତ ପକ୍ଷରୁ ବିଧିବଦ୍ଧ ଭାବେ ଏହାକୁ ଫେରାଇ ଦେବାକୁ ଇଂଲଣ୍ଡ ନିକଟରେ ଦାବି ହୋଇଥିଲେ ବି ଆଜିଯାଏଁ ସ୍ୱଦେଶ ଫେରିପାରିନି କୋହିନୂର୍। ଏବେ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତେ କୋହିନୂର ତାଙ୍କ ଇଚ୍ଛାକ୍ରମେ ପୂତ୍ରବଧୂ ତଥା କିଙ୍ଗ୍ ଚାର୍ଲସ୍ ତୃତୀୟଙ୍କ ପତ୍ନୀ କୁଇନ୍ କାମିଲାଙ୍କ ପାଖକୁ ଯିବ ବୋଲି କୁହାଯାଉଛି। ହେଲେ ଦେଶବ୍ୟାପୀ ଦାବି ହେଉଛି ଯେ, ଏହାକୁ ଭାରତ ଫେରାଇ ଅଣାଯାଉ।

Advertisment

ପ୍ରଥମରୁ କୋହିନୂର ୧୮୬ କ୍ୟାରେଟ୍‌ର ଥିବାବେଳେ, ବ୍ରିଟିଶ ଶାସକ ଏହାକୁ ନୂଆ ଡିଜାଇନ୍ ଦେବାକୁ ଯାଇ ଅଣ୍ଡାକୃତିରେ କାଟିବା ଫଳରେ ଓଜନ ୧୦୫.୬ କ୍ୟାରେଟ୍‌କୁ ହ୍ରାସ ପାଇଥିଲା। ଏହି ହୀରାକୁ ନେଇ ଏକ ଅପବାଦ ମଧ୍ୟ ରହିଛି ଯେ, କେବଳ ଦେବାଦେବୀ କିମ୍ବା ମହିଳା ଏହାକୁ ଧାରଣ କରିପାରିବେ। ପୁରୁଷଙ୍କ ପାଇଁ ଏହା ଦୁର୍ଭାଗ୍ୟ ଆଣିଥାଏ ଏବଂ ସେମାନଙ୍କର ଅକାଳ ମୃତ୍ୟୁ ହୋଇଥାଏ।

(ରିପୋର୍ଟ : ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନ ଓ ପୁରୀରୁ ମଧୁସୂଦନ ମିଶ୍ର)

UK Queen Elizabeth II Britain Queen Kohinoor Diamond
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ