Advertisment

Suna Besha: ନାହିଁ ସେ ବେଶର ଉପମା, ବାକ୍ୟେ କେ ବର୍ଣ୍ଣିବ ମହିମା

ନାରାୟଣ ଅଳଙ୍କାର ପରିଧାନ ପ୍ରିୟ। ଶ୍ରୀଜଗନ୍ନାଥ ଯେହେତୁ ବିଷ୍ଣୁରୂପୀ ସେ ଅଳଙ୍କାର ଓ ଆଭୂଷଣ ପ୍ରିୟ। ଏଣୁ ତାଙ୍କର ବେଶରୂପ ବିଶେଷ ମହତ୍ତ୍ୱପୂର୍ଣ୍ଣ । ସେହିପରି ଏକ ବେଶ ହେଉଛି ସୁନାବେଶ । ଯାହାକୁ ‘ରାଜବେଶ' ରୂପେ ଗ୍ରହଣ କରାଯାଇଛି ।

ଅଦ୍ୟତନ ହୋଇଛି
Suna besha

Suna besha

Advertisment

ସେ ପତିତପାବନ ମହାବାହୁ, ସେ ବଳୀୟାରଭୂଜ ପ୍ରଭୁ ଶ୍ରୀ ଜଗନ୍ନାଥ । ଅନନ୍ୟ ତାଙ୍କର ମାନବୀୟ ଲୀଳା। ମଣିଷମାନଙ୍କ ପରି ଖାଦ୍ୟ, ବସ୍ତ୍ର, ଅଳଙ୍କାର ତଥା ବେଶ ଶୃଙ୍ଗାର ପ୍ରିୟ। ତାଙ୍କର ପ୍ରତି ଲୀଳା ପଛରେ ରହିଛି ଜଗତର ମଙ୍ଗଳ କାମନା । ସେଥିପାଇଁ ତାଙ୍କର ନୀତିକାନ୍ତି, ଭୋଗ, ବେଶ, ଶୃଙ୍ଗାର ସବୁକିଛି ମହିମା ମଣ୍ଡିତ। ବିଷ୍ଣୁ, ଶିବ ଓ ଶକ୍ତି ତିନିଦେବଙ୍କର ପ୍ରତୀକ ଜଗନ୍ନାଥ, ବଲଭଦ୍ର ଓ ସୁଭଦ୍ରା। ନାରାୟଣ ନାନା ଅଳଙ୍କାର ପରିଧାନ ପ୍ରିୟ। ଶ୍ରୀଜଗନ୍ନାଥ ଯେହେତୁ ବିଷ୍ଣୁରୂପୀ ସେ ଅଳଙ୍କାର ଓ ଆଭୂଷଣ ପ୍ରିୟ। ଏଣୁ ତାଙ୍କର ବେଶରୂପ ବିଶେଷ ମହତ୍ତ୍ୱପୂର୍ଣ୍ଣ । ସେ ସର୍ବରୂପୀ ବା ବହୁରୂପୀ  ତଥା ଏକାଧାରରେ କୃଷ୍ଣ,ବାମନ, ନୃସିଂହ, ରାମ ଓ ପର୍ଶୁରାମ ଅଟନ୍ତି। ତାଙ୍କ ପାଇଁ ବିବିଧ ବେଶର ଆବଶ୍ୟକତା ଅନୁଯାୟୀ ନାନା ବେଶ ବ୍ୟବସ୍ଥା ପ୍ରଚଳିତ ହୋଇଛି । ଏହି ସମସ୍ତ  ବେଶରୂପ ଉତ୍କଳୀୟ ଚଳଣି ଓ ଢ଼ଙ୍ଗଢ଼ାଙ୍ଗ ଦ୍ବାରା ପ୍ରଭାବିତ ହୋଇଥିବାରୁ ରାଧା ଦାମୋଦର ବେଶ, ଲକ୍ଷ୍ମୀ ନାରାୟଣ ବେଶ, ବାଙ୍କଚୂଡ଼ା ବେଶ, ଢ଼ାଳିକିଆ ବେଶ,  ନାଗାର୍ଜୁନ ବେଶ ପ୍ରଭୃତି ପ୍ରଚଳନ ଅଛି । ‘ପୁରୁଷୋତ୍ତମ ଗୀତା'ରେ ଶ୍ରୀଜିଉଙ୍କ ୨୪ଟି ବିଶିଷ୍ଟ ବେଶକୁ ୨୪ଟି ତତ୍ତ୍ବ ବା ଅବତାର ରୂପେ ଗ୍ରହଣ କରାଯାଇଛି ।

Advertisment

ଚତୁର୍ବିଂଶତି ତତ୍ତ୍ବ କଥା । ଚବିଶ ବେଶର ବ୍ୟବସ୍ଥା ॥
କିବା ଚବିଶି ଅବତାର । ଜନ୍ମିତ ବେଶେ ତୋ ପ୍ରଚାର ॥
ନାହିଁ ସେ ବେଶର ଉପମା । ବାକ୍ୟ କେ ବର୍ଣ୍ଣିବ ମହିମା ॥

ଏହାବ୍ୟତୀତ, ଭକ୍ତିଭାବ ବା ସମର୍ପଣ ଭାବରେ କେତୋଟି ବେଶ ପ୍ରଚଳିତ ହୋଇଛି । ଗ୍ରୀଷ୍ମ ଋତୁରେ ଚନ୍ଦନ ଲାଗି ବେଶ, ଶୀତ ଋତୁରେ ଘୋଡ଼ଲାଗି ବେଶ, ନିତ୍ୟ ଶୃଙ୍ଗାର ବେଶ ପ୍ରଭୃତି ଏହି ପର୍ଯ୍ୟାୟର। ଏସବୁ ଭକ୍ତମାନଙ୍କର ପ୍ରଭୁଙ୍କୁ ସନ୍ତୁଷ୍ଟ ରଖିବା ପାଇଁ ଆନ୍ତରିକ ଅଭିପ୍ରାୟର ବାହ୍ୟିକ ପରିପ୍ରକାଶ ବୋଲି କୁହାଯାଇପାରେ। କେତେକ ବ୍ୟକ୍ତିବିଶେଷଙ୍କର ଅଗାଧ ଭକ୍ତି ଓ ବିଶ୍ଵାସ ତଥା ବିଭିନ୍ନ ଅଲୌକିକ ଘଟଣାର ସ୍ମୃତିକୁ ଉଦ୍‌ଜୀବିତ ରଖିବା ପାଇଁ ମଧ୍ୟ କେତୋଟି ବେଶର ସୃଷ୍ଟି ହୋଇ ଆଜି ପର୍ଯ୍ୟନ୍ତ ପ୍ରଚଳିତ ହୋଇ ଆସୁଅଛି । ଯେପରି, ଚୋଡ଼ଗଙ୍ଗ ଦେବଙ୍କ ସମୟ (୧୧ଶ ଶତାବ୍ଦୀ)ରେ ରାଜଗୁରୁ ଗୌରୀ ଗୁରୁ ଚୁଡ଼ଙ୍ଗ ହନୁମାନଙ୍କ ସମ୍ମୁଖରେ ମାଦଳା ପାଞ୍ଜି ଲେଖା ଆରମ୍ଭ କରାଇ ଦଶହରା ଦିନ ଜଗନ୍ନାଥଙ୍କୁ ସ୍ୱର୍ଣାଳଙ୍କାରରେ ଭୂଷିତ କରାଇଥିଲେ । ସେହି ସମୟରୁ ‘ଦାମୋଦର ବେଶ’ ଆରମ୍ଭ ହେଲା । ଶ୍ରୀଚୈତନ୍ୟ ଓ ରାୟ ରାମାନନ୍ଦଙ୍କ ପ୍ରଚେଷ୍ଟାରେ ମହାପ୍ରଭୁଙ୍କର କୃଷ୍ଣଭାବାତ୍ମକ ବେଶଗୁଡ଼ିକ (କାଳୀୟଦଳନ ବେଶ, ବଣଭୋଜି ବେଶ, ପ୍ରଳମ୍ବାସୁରବଧ ବେଶ ପ୍ରଭୃତି) ପ୍ରଚଳିତ ହୋଇଅଛି । କପିଳେନ୍ଦ୍ର ଦେବ ପ୍ରଭୁ ଜଗନ୍ନାଥଙ୍କୁ ଓଡ଼ିଶାର ସମ୍ରାଟ ରୂପେ ପୁଷ୍ୟାଭିଷେକ ଅବସରରେ ଘୋଷଣା କରିଥିଲେ । ସେହି ଦିନୁ ଠାକୁରଙ୍କର ‘ସୁନାବେଶ’କୁ ‘ରାଜବେଶ' ରୂପେ ଗ୍ରହଣ କରାଯାଇଛି । ଏହିପରି ବିଭିନ୍ନ କାରଣ ନେଇ କାଳିଆ ସାଆନ୍ତ ବିଭିନ୍ନ ବେଶ  ହୁଅନ୍ତି ।

Advertisment

ସୁନା ବେଶ:

ମହାପ୍ରଭୁ ହେଉଛନ୍ତି – ଆଶ୍ଚର୍ଯ୍ୟ ଓ ଐଶ୍ୱର୍ଯ୍ୟର ଖଣି। ମହଣ ମହଣ ସୁନାରେ ସଜେଇ ହୁଅନ୍ତି ପ୍ରଭୁ । ରଥଯାତ୍ରା ଓ ବାହୁଡ଼ା ଯାତ୍ରା ସରିଗଲା ପରେ ପ୍ରଭୁ ବଳଭଦ୍ର, ସୁଭଦ୍ରା ଓ ଶ୍ରୀଜଗନ୍ନାଥ ରଥରେ ରହି  ବିଶ୍ରାମ ନିଅନ୍ତି । ତିନିଠାକୁରଙ୍କର ସୁନାବେଶ ଆଷାଢ଼ ଶୁକ୍ଳ ପକ୍ଷ ବଡ଼ ଏକାଦଶୀ ଦିନ ରଥ ଉପରେ ସମାହିତ ହୁଏ । ଏହା ବ୍ୟତୀତ ସୁନିଆଁ, ଦଶହରା , କାର୍ତ୍ତିକ ପୂର୍ଣ୍ଣିମା, ପୌଷପୂର୍ଣ୍ଣିମା, ଦୋଳପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ତିନି ଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହୋଇଥାଏ । ସ୍ୱପ୍ନାବିଷ୍ଟ ହୋଇ ସ୍ୱୟଂ ଇନ୍ଦ୍ରଦ୍ୟୁମ୍ନ ଠାକୁରମାନଙ୍କୁ ସୁନା ବେଶ କରାଇଥିଲେ ବୋଲି ବିଶ୍ୱାସ କରାଯାଉଛି ।  ତେବେ, ଗବେଷକଙ୍କ ତଥ୍ୟାନୁସାରେ ଗଜପତି କପିଳେନ୍ଦ୍ର ଦେବ ତାଙ୍କର ଦାକ୍ଷିଣାତ୍ୟ ବିଜୟ ବାହୁଡ଼ା ପରେ ଖ୍ରୀ ୧୪୬୦ ମସିହାରେ ୧୬ଗୋଟି ହାତୀରେ ବୋଝାଇ ଆଣିଥିବା ସ୍ୱର୍ଣ୍ଣରତ୍ନରେ ସ୍ଵର୍ଣ୍ଣ ମୁକୁଟ, ସ୍ଵର୍ଣ୍ଣଶ୍ରୀପୟର, ପଦକମାଳା, କୁଣ୍ଡଳ, ନଳୀଭୁଜ, ତିଳକ, ‘ବଡ଼ ତଡ଼ଉ’ ନାମକ କଣ୍ଠମାଳା ଆଦି ନିର୍ମାଣ କରାଇ ଗୁଣ୍ଡିଚାଘରୁ ରଥ ଫେରିବା ପରେ ଜୀଉମାନଙ୍କୁ ପ୍ରଥମେ ଏହି ବେଶ କରାଇଥିଲେ । ଅତୀତରେ ଏହା ‘ବଡ଼ ତଡ଼ଉ ବେଶ' ନାମରେ ମଧ୍ୟ ପରିଚିତ ଥିଲା । ତଡ଼ଉ ଅର୍ଥ ସୁନା।
ମୟୂରଭଞ୍ଜ, ପାରଳାଖେମୁଣ୍ଡି ପ୍ରଭୃତି ସ୍ଵନାମଧନ୍ୟ ରାଜାମାନେ ଏହି ରାଜ୍ୟବିଜୟର ସ୍ମାରକ ବେଶ ଦେଖୁବାକୁ ଆସୁଥିଲେ ଏବଂ ପ୍ରଭୁଙ୍କୁ ଉତ୍କଳର ସମ୍ରାଟ ବା ରାଜାଧୂରାଜ ରୂପେ ବନ୍ଦାପନା କରୁଥିଲେ । ଏହି ସୁନାବେଶ ବର୍ତ୍ତମାନ ଆଉ ସୁନିଆଁ (ଭାଦ୍ରବ ଶୁକ୍ଳ ଦ୍ଵାଦଶୀ) ଦିନ ଅନୁଷ୍ଠିତ ହେଉନାହିଁ, କାରଣ ସେଦିନ ଶ୍ରୀଜୀଉଙ୍କର ‘ବାମନ ବେଶ’ ହେଉଛି । ଅନ୍ୟ ପାଞ୍ଚଦିନର ବେଶ ଅନୁଯାୟୀ ଯଥାକ୍ରମେ ଆଷାଢ଼ ଶୁକ୍ଳ ଏକାଦଶୀରେ ତ୍ରିମୂର୍ତ୍ତିଙ୍କର ସମ୍ପୂର୍ଣରୂପ ଭାବରେ, ବିଜୟା ଦଶମୀରେ ବିଜୟୀ ରାମଚନ୍ଦ୍ରଙ୍କ ରୂପରେ, କାର୍ତ୍ତିକ ପୂର୍ଣ୍ଣିମାରେ ଦ୍ୱାରକାଧୀଶ ଭାବରେ, ପୁଷ୍ୟାଭିଷେକ (ପୌଷ ପୂର୍ଣ୍ଣିମା)ରେ ଅଯୋଧ୍ୟାନାୟକ ରୂପରେ ଏବଂ ଦୋଳପୂର୍ଣ୍ଣିମାରେ ଗୋପେଶ୍ବର ରୂପରେ ବେଶ ହୁଅନ୍ତି।

ରଥ ଉପରେ ରାଜବେଶ:

ସୁନାବେଶର ଅନ୍ୟ ନାମ ରାଜବେଶ ବା ରାଜରାଜେଶ୍ଵର ବେଶ ଓ ବଡ଼ ତଡ଼ାଉ ବେଶ । ତଡ଼ଉ ଅର୍ଥ ସୁନା । ସୁତରାଂ ରାଜବେଶ ହେଉଛି ଏକ ବଡ଼ ଧରଣର ସୁନା ବେଶ । ସେଥିପାଇଁ ରତ୍ନଭଣ୍ଡାର ବା ଭଣ୍ଡାରକରଣ ସେବକ ହେଉଛନ୍ତି ତଡଉକରଣ । ରତ୍ନବେଦୀରେ ତିନି ଦିଅଁଙ୍କ ଶ୍ରୀଅଙ୍ଗରେ ଅଣସର ସମୟକୁ ଛାଡ଼ି ବର୍ଷ ସାରା  କିଛି ନା କିଛି ଅଳଙ୍କାର ଲାଗି ହୋଇଥାଏ ।  ତିନି ଦିଅଁଙ୍କର ଶ୍ରୀଅଙ୍ଗରେ ସବୁବେଳେ ସୁବର୍ଣ୍ଣ ଝୋବା କଣ୍ଠି ଥାଏ । ପ୍ରତ୍ୟେକ ଧୂପ ପୂଜାରେ ଗୋଟିଏ ଲେଖାଏଁ ସୁବର୍ଣ୍ଣ ପଦକ ଲାଗି ହୁଅନ୍ତି । ନୀଳାଦ୍ରିବିଜେଠାରୁ ଚିତାଲାଗି ଅମାବାସ୍ୟା ଯାଏ ଶ୍ରୀଗୁଣ୍ଡିଚା ବେଶ ହୁଅନ୍ତି । ଏହି ବେଶରେ ଲାଗି ହେଉଥିବା ରତ୍ନ ଅଳଙ୍କାରମାନ ହେଲା- ନଳୀ ଭୁଜ-୨, କୁଣ୍ଡଳ-୨, ମାଳି-୧, ତିଳକ- ୧ଟି ଲେଖାଏଁ ଦୁଇଠାକୁରଙ୍କ ପାଇଁ ଏବଂ ମାଳି-୧, ତଡ଼କୀ-୨ ସୁଭଦ୍ରାଙ୍କ ପାଇଁ । ଆଉ କେତୋଟି ପର୍ବପର୍ବାଣି ଦିନରେ ଯଥା- ବାମନ ଜନ୍ମ, ରାଧା-ଦାମୋଦର ବେଶ, ଚାଚେରୀ ବେଶରେ ଅଧିକ ଅଳଙ୍କାର ଲାଗି କରାଯାଏ । କିନ୍ତୁ ରାଜବେଶରେ ସର୍ବାଧିକ ରତ୍ନ ଅଳଙ୍କାର ଲାଗି କରାଯାଏ । ସୁତରାଂ ସବୁ ରାଜବେଶ ସୁନାବେଶ, କିନ୍ତୁ ସବୁ ସୁନାବେଶ ରାଜବେଶ ନୁହେଁ ।

Advertisment

ରାଜବେଶର ଅଳଙ୍କାର:

ଆଷାଢ଼ ଶୁକ୍ଳ ପକ୍ଷ ବଡ଼ ଏକାଦଶୀ ଦିନ ରଥ ଉପରେ ପ୍ରଭୁ ସୁବର୍ଣ୍ଣ ଅଳଙ୍କାରରେ ଭରପୂର ହୋଇ ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟରେ ଭକ୍ତକୁ ସିଂହଦ୍ଵାର ସମ୍ମୁଖରେ ମୁଗ୍ଧ କରନ୍ତି । ୧୩୮ ପ୍ରକାର ସୁନା ଅଳଙ୍କାରରେ ମହଣ ମହଣ ସୁନାରେ ସଜେଇ ହୁଅନ୍ତି ପ୍ରଭୁ । ଏହି ରାଜବେଶରେ କେବଳ ଶଙ୍ଖଟି ରୂପା, ବାକି ସବୁ ଅଳଙ୍କାର ସୁନା । ରଥ ଉପରେ ହେଉଥିବା ରାଜବେଶରେ ଦୁଇଟି ପ୍ରଧାନ ଅଳଙ୍କାର ନଥାଏ । ତାହା ହେଲା : ସୁନାର ରାହୁରେଖା ଓ ରତ୍ନ ଚିତା । ରାଜବେଶରେ ପ୍ରଭୁ ବଳଭଦ୍ର ସୁନାର ହଳ ଓ ସୁନାର ଗଦା ସାଙ୍ଗକୁ ସୁନାର  ଶ୍ରୀପୟର, ଶ୍ରୀଭୁଜ, କିରଟି, ଓଡ଼ିଆଣି କୁଣ୍ଡଳ, ଚନ୍ଦ୍ର-ସୂର୍ଯ୍ୟ, ଆଡ଼କାନି ଘାଗଡ଼ାମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକାନ୍ତ, ହଳ ଓ ମୂଷଳ, ବାହାଡା଼ମାଳି, ବାଘନଖୂ ମାଳି,ସେବତୀମାଳି, ତ୍ରିଖଣ୍ଡିକା ଓ କମରପଟି ଅଳଙ୍କାରରେ ଭୂଷିତ ହୋଇଥାନ୍ତି।
ଦେବୀସୁଭଦ୍ରାଙ୍କ ଅଳଙ୍କାର ହେଉଚି କିରଟି, ଓଡ଼ିଆଣି, କାନ, ଚନ୍ଦ୍ର, ସୂର୍ଯ୍ୟ, ଘାଗଡ଼ାମାଳି, କଦମ୍ବମାଳି, ତାଡ଼ଗି ଏବଂ ସେବତୀମାଳି। ପ୍ରଭୁ ଶ୍ରୀଜଗନ୍ନାଥ ଉଭୟ ପୁରୁଷ ଓ ସ୍ତ୍ରୀଙ୍କର ଅଳଙ୍କାର  ପରିଧାନ କରନ୍ତି। ସୁନାର ଚକ୍ର ଓ ରୂପାର ଶଙ୍ଖ ସହିତ କିରଟି, ଶ୍ରୀଭୁଜ, ଶ୍ରୀପୟର, ଓଢିଆଣି, ଚନ୍ଦ୍ର ସୂର୍ଯ୍ୟ, କାନ, ଅଡକାନି, ଘାଗରାମାଳି, କଦମ୍ବ, ମାଳି, ତିଳକ, ଚନ୍ଦ୍ରିକା, ଅଳକ, ଝୋବାକାନ୍ତି, ବାହାଡ଼ାମାଳି, ତାବିଜମାଳି ସେବତୀମାଳି ଓ ତ୍ରିଖଣ୍ଡିକା କମରପଟି ମୁଖ୍ୟ ଅଳଙ୍କାର ଭାବରେ ଶ୍ରୀଜଗନ୍ନାଥଙ୍କ ଶୋଭା ବଢ଼ାଇଥାଏ।   ଭକ୍ତମାନେ ଦିଅଁମାନଙ୍କ ସୁନା, ହାତ, ପାଦ, ଆଙ୍ଗୁଳି ଦେଖୁବାର ସୁଯୋଗ ପାଆନ୍ତି ।

ଶ୍ରୀଜୀଉମାନେ ସଜେଇ ହେଉଥିବା  ସୁନା ଅଳଙ୍କାରର ଓଜନ ପ୍ରାୟ ୨ କ୍ୱିଣ୍ଟାଲ ୮ କିଲୋଗ୍ରାମ।ଓଡ଼ିଶାର କେଉଁ ରାଜାଙ୍କ ଶାସନ କାଳରେ ରାଜବେଶର ପ୍ରଚଳନ କରାଯାଇଥିଲା ତାହା ନିର୍ଦ୍ଦିଷ୍ଟ ଭାବରେ ଜଣାପଡେନାହିଁ । ପୁରୁଷୋତ୍ତମ-ଜଗନ୍ନାଥ ହିଁ ଓଡ଼ିଶା ରାଜ୍ୟର ରାଜା ବୋଲି ଗଙ୍ଗବଂଶର ରାଜା ଅନଙ୍ଗଭୀମ ଦେବ ୩ୟ (ଖ୍ରୀଷ୍ଟାବ୍ଦ ୧୨୧୧-୧୨୩୮) ଘୋଷଣା କରିଥିଲେ । ହୁଏତ ତାଙ୍କ ସମୟରେ ଏହି ବେଶ ପ୍ରଚଳନ କରାଯାଇଥିବ । ଅନ୍ୟ ମତରେ ସମ୍ରାଟ କପିଳେନ୍ଦ୍ର ଦେବ (ଖ୍ରୀଷ୍ଟାବ୍ଦ ୧୪୩୫-୧୪୬୮) ଓଡ଼ିଶାର ରାଷ୍ଟ୍ରଦେବତା ଶ୍ରୀଜଗନ୍ନାଥଙ୍କ ପାଇଁ ଏହି ରାଜବେଶର ପ୍ରଚଳନ କରାଇଥିଲେ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରାଜକୀୟତା ତାଙ୍କର ରାଜବେଶରେ ପ୍ରତିଫଳିତ ହୁଏ ।

Puri Jagannath Temple Rath Yatra Suna Besha Unique Rituals
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ