Mahabharat Story: ଇନ୍ଦ୍ରଙ୍କର ଗର୍ବ ଖର୍ବ କଥା ଓ ପାଞ୍ଚ ପତିର ବରଦାନ ବୃତ୍ତାନ୍ତ 

ଇନ୍ଦ୍ରମାନେ କାହିଁକି ଅଭିଶାପ ପାଇଲେ? କିଏ ସେଇ ନାରୀ, ଯାହାଙ୍କ ଆଖିର ଲୁହ ଟୋପାରେ ପଦ୍ମ ଫୁଟୁଥିଲା? ପୂର୍ବ ଜନ୍ମରେ ପାଣ୍ଡବମାନଙ୍କର ପରିଚୟ କ'ଣ ଥିଲା? ପୂର୍ବ ଜନ୍ମରେ ଦ୍ରୌପଦୀ କି ବର ପାଇଥିଲେ? ମହାଭାରତ ଭିତରୁ ଏମିତି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ । 

ଇନ୍ଦ୍ରଙ୍କର ଗର୍ବ ଖର୍ବ କଥା ଓ ପାଞ୍ଚ ପତିର ବରଦାନ ବୃତ୍ତାନ୍ତ 

ଏକାଥରେ ପାଞ୍ଚ ଭାଇଙ୍କ ସହ ନିଜ ଝିଅର ବିବାହ ନେଇ ରାଜା ଦ୍ରୁପଦଙ୍କ ମନରେ ସଂଶୟ ଆସିବାରୁ ବ୍ୟାସଦେବ ତାଙ୍କୁ ଏକ ନିକାଞ୍ଚନ ଯାଗାକୁ ଡାକି ଆଣିଲେ । ତାପରେ ପାଖରେ ବସେଇ ରାଜାଙ୍କ ସଂଶୟକୁ ମୋଚନ କରିବାକୁ କଥା ଗୋଟେ କହିବା ଆରମ୍ଭ କଲେ ।

ପୁରା କାଳର କଥା । ଥରେ ନୈମିଷା ଅରଣ୍ୟରେ ଦେବତାମାନେ ଏକ ଯଜ୍ଞ କରୁଥିଲେ । ଯଜ୍ଞର ପୁରୋହିତ ଥିଲେ ସ୍ୱୟଂ ଯମରାଜ। ଯଜ୍ଞ କର୍ମରେ ବ୍ୟସ୍ତ ରହୁଥିବାରୁ ସେ ସଂସାରର ମୃତ୍ୟୁ କଥା ବୁଝି ପାରୁନଥାନ୍ତି । ଫଳରେ ପୃଥିବୀର ଜୀବ ଜଗତରେ କାହାର ବି ଆଉ ମୃତ୍ୟୁ ହେଉନଥାଏ । ଫଳରେ ଧିରେ ଧିରେ ସଂସାରରେ ଜନସଂଖ୍ୟା ବଢିବାକୁ ଲାଗିଥାଏ । ଏସବୁ ଦେଖି ଥରେ ଇନ୍ଦ୍ର, ବରୁଣ, କୁବେର, ବସୁ ଓ ଅଶ୍ୱିନୀ କୁମାର ଏବଂ ଆହୁରି ଅନେକ ଦେବତା ମିଳିମିଶି ସୃଷ୍ଟିକର୍ତ୍ତା ପ୍ରଜାପତି ବ୍ରହ୍ମାଙ୍କ ପାଖରେ ପହଞ୍ଚିଲେ । ପ୍ରଜାପତିଙ୍କ ପାଖରେ ସେମାନେ ଅଭିଯୋଗ କରି କହିଲେ, ସଂସାରରେ ମଣିଷମାନଙ୍କର ସଂଖ୍ୟା ଏତେ ମାତ୍ରାରେ ବଢିଗଲାଣି ଯେ ଆମେ ଭୟ କଲୁଣି ।

ପ୍ରଜାପତି କହିଲେ ତୁମେ ଦେବତାମାନେ ତ ଅମୃତ ପାନ କରି ଅମର । ତୁମେମାନେ ପୁଣି ଅକାରଣରେ କାହିଁକି ମଣିଷମାନଙ୍କୁ ଭୟ କରୁଛ? ସେମାନେ ତୁମମାନଙ୍କର କ'ଣ ଅସୁବିଧା କରିପାରିବେ? ଦେବତାମାନେ କହିଲେ, ହେ ପିତାମହ ଏବେ ଆମ ଅମର ହେବାରେ କି ବା ଗୁରୁତ୍ୱ ରହିଲା । ମଣିଷମାନେ ତ ଏବେ ଆମ ଦେବତାଙ୍କ ପରି ଅମର ହୋଇ ସାରିଲେଣି । ଆଜିକାଲି ସେମାନଙ୍କର କାହାର ବି ମୃତ୍ୟୁ ହେଉନି । ଦେବତା ଓ ମଣିଷ ଭିତରେ ଆଉ ଫରକ କ'ଣ ରହିଲା?

ଇନ୍ଦ୍ରଙ୍କର ଗର୍ବ ଖର୍ବ କଥା ଓ ପାଞ୍ଚ ପତିର ବରଦାନ ବୃତ୍ତାନ୍ତ 

ପିତାମହ ବ୍ରହ୍ମା କହିଲେ ହଁ, ଯମଦେବ ଯଜ୍ଞରେ ବ୍ୟସ୍ତ ଅଛନ୍ତି ବୋଲି ମନୁଷ୍ୟମାନଙ୍କର ଆୟୁଷ ଲମ୍ବା ହୋଇଚାଲିଛି । ଖୁବ ଶୀଘ୍ର ଯଜ୍ଞରେ ପୂର୍ଣ୍ଣାହୁତି ଦିଆଯିବ । ଯମଦେବ ପୁଣିଥରେ ତାଙ୍କ ଦାୟିତ୍ୱକୁ ଫେରିବେ। ତୁମେମାନେ ବ୍ୟସ୍ତ ହୁଅନି । ବ୍ରହ୍ମାଙ୍କ ପାଖରୁ ଅଭୟ ବାଣୀ ଶୁଣି ଦେବତାମାନେ ବ୍ରହ୍ମଲୋକରୁ ବାହାରିଗଲେ । ବାଟରେ ଯାଉ ଯାଉ ସେମାନେ ଗଙ୍ଗାନଦୀରେ ଠାଏ ଧଳାରଙ୍ଗର ପଦ୍ମଫୁଲ ଫୁଟିଥିବାର ଦେଖିଲେ । ତାପରେ ଦେଖିଲେ ଜଣେ ଅତ୍ୟନ୍ତ ସୁନ୍ଦରୀ ନାରୀ ଗଙ୍ଗାରୁ ଜଳ ନେଉଛନ୍ତି ଓ କାନ୍ଦୁଛନ୍ତି । ସେ ସୁନ୍ଦରୀଙ୍କ ଲୁହ ଟୋପା ପାଣିରେ ପଡି ପଦ୍ମ ଫୁଲ ହୋଇଯାଉଛି । ତାପରେ ଦେବରାଜ ଇନ୍ଦ୍ର କାନ୍ଦୁଥିବା ସେ ସୁନ୍ଦରୀ ନାରୀଙ୍କ ପାଖକୁ ଗଲେ ଓ ତାଙ୍କ କାନ୍ଦିବାର କାରଣ ପଚାରିଲେ ।

ସେ ନାରୀ ଜଣକ ଇନ୍ଦ୍ରଙ୍କୁ କହିଲେ, ହେ ଦେବରାଜ ମୁଁ କିଏ ଓ କାହିଁକି କାନ୍ଦୁଛି ତା'ର କାରଣ ଜାଣିବାକୁ ଯଦି ଇଚ୍ଛା କରୁଛ, ତେବେ ମୋ ସାଙ୍ଗରେ ଆସ । ଇନ୍ଦ୍ର ସେ ନାରୀଙ୍କୁ ଅନୁସରଣ କଲେ । ସେ ସୁନ୍ଦରୀ ନାରୀଙ୍କୁ କିଛି ବାଟ ଅନୁସରଣ କଲାପରେ ଇନ୍ଦ୍ରଦେବ ହିମାଳୟ ଉପରେ ପହଞ୍ଚିଲେ । ସେଇଠି ଦେଖିଲେ ଜଣେ ସୈାମ୍ୟ ଦର୍ଶନ ଯୁବକ ସିଂହାସନ ଉପରେ ବସିଛନ୍ତି ଓ ପଶା ଖେଳୁଛନ୍ତି । ସେ ଯୁବକଙ୍କୁ ଅନେକ ସୁନ୍ଦରୀ ରମଣୀ ପୁଣି ଘେରି ରହିଥାନ୍ତି । ଇନ୍ଦ୍ର ସେଠି ନିଜର ପରିଚୟ ଦେଇ କହିଲେ ସେ ହେଉଛନ୍ତି ଦେବତାମାନଙ୍କର ରାଜା । ଏ ସାରା ବିଶ୍ୱ ବ୍ରହ୍ମାଣ୍ଡ ତାଙ୍କରି ନିର୍ଦ୍ଦେଶରେ ଆତଯାତ ହୁଏ ।

ଇନ୍ଦ୍ରଙ୍କ କଥାର କୌଣସି ପ୍ରଭାବ କିନ୍ତୁ ସେ ପଶା ଖେଳୁଥିବା ଯୁବକଙ୍କ ଉପରେ ପଡିଲାନି । ସେ ଆଡ ଆଖିରେ ଇନ୍ଦ୍ରଙ୍କୁ ଅନେଇଲେନି । ପଶା ଖେଳରେ ମଗ୍ନ ରହି ତାଙ୍କ ଉପସ୍ଥତିକୁ ଗୁରୁତ୍ୱ ଦେଉନଥିବାରୁ ଇନ୍ଦ୍ରଦେବ ରାଗିଗଲେ ଓ ଆହୁରି ଅଧିକ ଉଚ୍ଚ ସ୍ୱରରେ ପୁଣିଥରେ ତାଙ୍କ ପରିଚୟ କହିଲେ । ଏଥର ସେ ଯୁବକ ଜଣକ ଇନ୍ଦ୍ରଙ୍କ ଆଡକୁ ସାମାନ୍ୟ ଆଡ ଆଖିରେ ଚାହିଁଲେ ଓ ଓଠ ଧାରରେ ସ୍ମିତ ହସ ଧାରେ ହସିଲେ । ତାଙ୍କ ଚାହାଣୀ ପଡୁ ପଡୁ ଦେବରାଜ ଇନ୍ଦ୍ରଙ୍କର ପାଦ ଯେମିତି ପଥର ଖୁଣ୍ଟ ହେଇଗଲା ଓ ସେ ତାଙ୍କ ସମସ୍ତ ଚଳନ ଶକ୍ତି ହରାଇ ବସିଲେ।

ଏପଟେ ଇନ୍ଦ୍ର ତାଙ୍କର ଅସହାୟ ହୋଇ ଛିଡା ହୋଇଥାନ୍ତି କିନ୍ତୁ ଯୁବକ ଜଣକ ତାଙ୍କ ଖେଳରେ ବ୍ୟସ୍ତ ଥାଆନ୍ତି । କିଛି ସମୟ ପରେ ତାଙ୍କର ଖେଳ ସରିଲା ଓ ସେ କାନ୍ଦୁଥିବା ନାରୀ ଜଣଙ୍କୁ ଇନ୍ଦ୍ରଙ୍କୁ ତାଙ୍କ ପାଖକୁ ଆଣିବାକୁ ଆଦେଶ ଦେଲେ । ସେ ନାରୀ ଜଣକ ଇନ୍ଦ୍ରଙ୍କୁ ଛୁଉଁ ଛୁଉଁ ଇନ୍ଦ୍ର ଅସଢ ହେଇ ତଳେ ପଡିଗଲେ । ତାପରେ ସେ ଦିବ୍ୟ ତେଜର ଯୁବକ କହିଲେ, ହେ ଇନ୍ଦ୍ର ଭବିଷ୍ୟତରେ କେବେବି କାହାକୁ ଏମିତି ଦୁଃର୍ବ୍ୟବହାର କରିବନି । ଏବେ ଏ ପର୍ବତର ଶୃଙ୍ଗକୁ ତା' ସ୍ଥାନରୁ ଘୁଞ୍ଚେଇ ଦିଅ । ସେଠି ଗୋଟେ ଗର୍ତ୍ତ ପାଇବ । ସେଇ ଗର୍ତ୍ତ ଭିତରକୁ ଯାଅ । ସେଠି ତୁମପରି ଆହୁରି କେତେଜଣ ଅପେକ୍ଷା କରିଛନ୍ତି । ତୁମେ ବି ସେମାନଙ୍କ ସହ ମିଶି ଅପେକ୍ଷା କର । 

ଇନ୍ଦ୍ର ତାପରେ ସେ ଗିରୀ ଶୃଙ୍ଗକୁ ତା' ସ୍ଥାନରୁ ହଟାଇଲା ପରେ ସତକୁ ସତ ଏକ ଗୁମ୍ଫା ପରି ଗର୍ତ୍ତ ଦେଖିଲେ ଓ ଚାରିଜଣଙ୍କୁ ଅପେକ୍ଷା କରୁଥିବାର ଦେଖିବାକୁ ପାଇଲେ । ସେ ଚାରିଜଣଙ୍କୁ ଦେଖି ଇନ୍ଦ୍ର ବଡ ଦୁଃଖି ହୋଇଗଲେ ଓ ପଚାରିଲେ ତାଙ୍କୁ ବି କ'ଣ ଏମିତି ଏଇଠି ରହିବାକୁ ହେବ? ତାଙ୍କ କଥା ଶୁଣି ସେ ତେଜଦୀପ୍ତ ଯୁବକ କ୍ରୋଧପୂର୍ଣ୍ଣ ଆଖିରେ ଚାହିଁ କହିଲେ ହେ ବଜ୍ରଧାରୀ ପ୍ରଥମେ ଏ ଗୁମ୍ଫାରେ ପ୍ରବେଶ କର । କାରଣ ତୁମେ ତୁମର ଗର୍ବ ଓ ଚରମ ମୂର୍ଖତା ଦେଖାଇ ମୋତେ ଅପମାନିତ କରିଛ । ତା'ର ପରିଣାମ ତ ତୁମକୁ ଭୋଗିବାକୁ ହେବ । 

ଏମିତି ଅଭିଶାପ କଥା ଶୁଣି ଇନ୍ଦ୍ରଦେବ ଭୟରେ କମ୍ପିବାକୁ ଲାଗିଲେ । ହାତ ଯୋଡି କହିଲେ, ହେ ମହାତ୍ମା ମୋତେ କ୍ଷମା କରନ୍ତୁ ଓ ଏଠୁ ବାହାରିବାକୁ ମୁକ୍ତିର ରାସ୍ତା କୁହନ୍ତୁ । 

ଇନ୍ଦ୍ରଙ୍କ ଅନୁରୋଧ ଶୁଣି ସେ ଧର୍ନୁଧାରୀ ଦେବତା ସ୍ମିତ ହସ ସହ କହିଲେ, ଯିଏ ଏମିତିକା କର୍ମ କରେ ତାକୁ ମୁକ୍ତିର ପଥ ସହଜରେ ମିଳେନି । ତୁମ ଆଗରୁ ଏଠି ଉପସ୍ଥିତ ଥିବା ଅନ୍ୟମାନେ ବି ତୁମ ପରି ସମାନ ମୂର୍ଖତା କରି ଦଣ୍ଡ ଭୋଗୁଛନ୍ତି । ଏବେ ତୁମେ ସଭିଏଁ ଏଇ ଗୁମ୍ଫାରେ ପଡି ରୁହ । ଯିଏ ଯୋଉ କର୍ମ କରିବ ତା'ର ଫଳ ନିଶ୍ଚୟ ଭୋଗ କରିବ । ଏବେ ତୁମ ସମସ୍ତଙ୍କୁ ସମଦଶା ଭୋଗିବାକୁ ହେବ । ଏବେ ତୁମ ସମସ୍ତଙ୍କୁ ମାନବ ଜନ୍ମ ନେବାକୁ ହେବ । ମର୍ତ୍ତ୍ୟଲୋକରେ ଯୁଦ୍ଧ ଓ ହିଂସାରେ ଅନେକ ଲୋକଙ୍କ ଜୀବନ ନେଲାପରେ ଯାଇଁ ଆପଣା ଆପଣା ପୂଣ୍ୟ ଫଳ ଧରି ପୁଣି ଥରେ ଇନ୍ଦ୍ରଲୋକକୁ ଫେରିବ ।

ସେଉଠୁ ଇନ୍ଦ୍ର କହିଲେ, ମଣିଷ ଜନ୍ମ ନେଲା ପରେ ମର୍ତ୍ତ୍ୟଲୋକରୁ ସ୍ୱର୍ଗକୁ ଫେରିବା ସହଜ ନୁହେଁ । ତେଣୁ ଆମକୁ ଦେବତାମାନଙ୍କ ଔରସରୁ ଜନ୍ମ ହେବାର ସୁଯୋଗ ଦିଆଯାଉ । ମହେଶ୍ୱର ସେ କଥାରେ ରାଜି ହେଲେ । 

ତାପରେ ମହେଶ୍ୱର ତାଙ୍କ ଦେହରୁ କଳା ଓ ଧଳା ରଙ୍ଗର ଦୁଇଟି ଲୋମ ଉପାଡିଲେ । ସେ ଦୁଇ ଲୋମ ଯଦୁ ବଂଶର ଦୁଇ ନାରୀ ଯଥା ରୋହିଣୀ ଓ ଦେବକୀଙ୍କ ଗର୍ଭରେ ପ୍ରବେଶ କଲା । ଧଳା ଲୋମରୁ ଜନ୍ମ ନେଲେ ବଳରାମ ଓ କଳା ଲୋମରୁ ଜନ୍ମ ନେଲେ କେଶବ । ହିମାଳୟର ଶୃଙ୍ଗତଳ ଗୁମ୍ଫାରେ ଥିବା ପୂର୍ବର ଇନ୍ଦ୍ରମାନେ ହେଲେ ପାଣ୍ଡବ ଚାରି ଭାଇ । ସ୍ୱୟଂ ଇନ୍ଦ୍ରଙ୍କ ଅଂଶରେ ଅର୍ଜୁନଙ୍କ ଜନ୍ମ । 

ଇନ୍ଦ୍ରଙ୍କର ଗର୍ବ ଖର୍ବ କଥା ଓ ପାଞ୍ଚ ପତିର ବରଦାନ ବୃତ୍ତାନ୍ତ 

ତାପରେ ବ୍ୟାସଦେବ ରାଜା ଦ୍ରୁପଦଙ୍କୁ ଆଉ ଏକ କାହାଣୀ କହିଲେ । ପୁରା କାଳରେ ଜଙ୍ଗଲରେ ଜଣେ ତପସ୍ୱୀ ରହୁଥିଲେ । ତାଙ୍କର ଏକ ସୁନ୍ଦରୀ ଝିଅଟିଏ ଥାଏ । ହେଲେ ସେ ଝିଅକୁ ଉପଯୁକ୍ତ ବର ମିଳୁନଥାଏ । ସର୍ବଗୁଣ ସମ୍ପନ୍ନ ବର ପାଇବା ପାଇଁ ସେ ଭଗବାନ ଶଙ୍କରଙ୍କୁ ଆରାଧନା କଲେ । ଦିନେ ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହେଇ ଶଙ୍କର ପ୍ରକଟ ହେଲେ ଓ କହିଲେ ମାଆ ତୋ ତପସ୍ୟାରେ ମୁଁ ସନ୍ତୁଷ୍ଟ ହେଇଛି, ଏବେ କି ବର ମାଗୁଛୁ ମାଗ । ଯୁବତୀ ଜଣକ ଥର ଥର କରି ପାଞ୍ଚ ଥର ତାଙ୍କର କେମିତିକା ବର ଦରକାର କହିଲେ । ଶଙ୍କର କହିଲେ ଠିକ୍ ଅଛି ତୁ ଯେମିତି ଚାହୁଁଛୁ ସେମିତିକା ଗୁଣ ଥିବା ପାଞ୍ଚ ପତି ତୋତେ ମିଳିବେ । ଯୁବତୀ ଜଣକ ପାଞ୍ଚ ପତି କଥା ଶୁଣି କହିଲେ ମୁଁ କିନ୍ତୁ ଜଣେ ପୁରୁଷ ପାଖରେ ଏଇ ପାଞ୍ଚଟି ଗୁଣ ଥିବା କଥା ମାଗିଥିଲି । ଆପଣ ମୋତେ ପାଞ୍ଚ ପତିର ବର ଦେଇଦେଲେ । ଶଙ୍କର କହିଲେ ମୋତେ ତୁ ଗୋଟି ଗୋଟି କରି ପାଞ୍ଚ ଥର ବର ମାଗିଲୁ ଓ ପାଞ୍ଚ ଥର ମୁଁ ତଥାସ୍ତୁ କହିଲି । ଏବେ ମୋ କଥା ଆଉ ଫେରିପାରିବନି । ଆର ଜନ୍ମରେ ତୋତେ ଏକାବେଳେ ପାଞ୍ଚ ପତି ମିଳିବେ । 

ବ୍ୟାସଦେବ ରାଜାଙ୍କୁ ବୁଝାଇ କହିଲେ ଗଲା ଜନ୍ମରେ ଶଙ୍କରଙ୍କ ବର ପାଇଥିବା ସେଇ ଯୁବତୀ ଜଣକ ହେଉଛନ୍ତି ଆପଣଙ୍କ ଝିଅ ଦ୍ରୌପଦୀ । ଇନ୍ଦ୍ରମାନେ ହେଲେ ପଞ୍ଚୁ ପାଣ୍ଡବ । ଅନେକ ପୂର୍ବରୁ ସେମାନଙ୍କ ବିବାହ ବିଧି ନିର୍ଦ୍ଧିଷ୍ଟ । ଏଥିରେ ତୁମର କିବା ଆମର କିଛି କରିବାର ନାହିଁ । ଆମେ କେବଳ ଧର୍ମକୁ ସହଯୋଗ କରିବା କଥା । 

ବ୍ୟାସ ତାପରେ ପାଣ୍ଡବମାନଙ୍କର ପ୍ରକୃତ ସ୍ୱରୂପ ଜାଣିବାକୁ ରାଜା ଦ୍ରୁପଦଙ୍କୁ କିଛି ସମୟ ପାଇଁ ଦିବ୍ୟ ଚକ୍ଷୁ ପ୍ରଦାନ କଲେ । ଦିବ୍ୟ ଚକ୍ଷୁରେ ଦ୍ରୁପଦ ଦେଖିଲେ ସ୍ୱର୍ଣ୍ଣାଭ କାନ୍ତିରେ ସ୍ୱର୍ଗର ପାଞ୍ଚ ଦେବତା ଶହେ ସୂର୍ଯ୍ୟଙ୍କ ତେଜ ସହ ଉଜ୍ଜ୍ୱଳ ଲାଗୁଛନ୍ତି । ବିଭିନ୍ନ ପ୍ରକାର ଦୂର୍ମୁଲ୍ୟ ଅଳଙ୍କାର, ମୁକୁଟ ଓ ମାଳାରେ ସୁସଜ୍ଜିତ ହୋଇ ନିଜ ନିଜ ଆସନରେ ବସିଛନ୍ତି । 

ଏବେ ରାଜା ଦ୍ରୁପଦ ବୁଝିଗଲେ ତାଙ୍କ ଝିଅ ଦ୍ରୌପଦୀ କିଏ ଓ କିଏ ଏଇ ପାଣ୍ଡବ ପାଞ୍ଚ ଭାଇ । ବ୍ୟାସଙ୍କ କହିବା ପରେ ତାଙ୍କର ଆଉ କୌଣସି ମାନସିକ ଦ୍ୱିଧା ନଥିଲା । ସେ ତୁରନ୍ତ ବିବାହର ଆୟୋଜନ ପାଇଁ ନିର୍ଦ୍ଦେଶ ଦେଲେ । 

ରାଜ ପୁରୋହିତ ବେଦଜ୍ଞ ବ୍ରାହ୍ମଣ ବିବାହ କର୍ମ ସଂପନ୍ନ କଲେ । ଜଣ ଜଣ କରି ପାଞ୍ଚଭାଇ ଅଗ୍ନିଦେବଙ୍କୁ ପ୍ରଦକ୍ଷଣ କରି, ଅଗ୍ନିଙ୍କୁ ଏବଂ ଦଶ ଦିଗପାଳଙ୍କୁ ସାକ୍ଷୀ ରଖି ଯାଜ୍ଞସେନୀଙ୍କୁ ବିବାହ କଲେ। ବିବାହ ପରେ ରାଜା ଦ୍ରୁପଦ ପାଣ୍ଡବମାନଙ୍କୁ ଅନେକ ଧନରତ୍ନ, ମଣି ମାଣିକ୍ୟ , ଘୋଡା, ହାତୀ, ରଥ, ଦାସ ଓ ଦାସୀ ଆଦି ଉପହାର ଭାବରେ ଭେଟି ଦେଲେ । ଦ୍ରୁପଦଙ୍କ ଅନେକ ବନ୍ଧୁ ରାଜା ଏବଂ କୁନ୍ତୀଙ୍କ ଭାଇ ବସୁଦେବଙ୍କ ପୁଅ କୃଷ୍ଣ ଓ ବଳରାମ ଅନେକ ପ୍ରକାରର ଉପହାର ପଠେଇଲେ । 

ଏବେ ପାଣ୍ଡବ ଭାଇମାନେ ଓ ସେମାନଙ୍କ ମାଆ କୁନ୍ତୀ ବଡ ଖୁସିରେ ଥାଆନ୍ତି । ଲାଗୁଥାଏ ଦୁଃଖର ସମୟ ସରି ସରି ଆସୁଛି। ଲାଗୁଥାଏ ଏଥର ସବୁକିଛି ଧିରେ ଧିରେ ଠିକ ହେଇଯିବ।

ସେତିକିବେଳେ ହସ୍ତିନାପୁରରେ ଯୁବରାଜ ଦୁର୍ଯ୍ୟୋଧନଙ୍କ ପାଖରେ ତାଙ୍କର ବିଶ୍ୱସ୍ଥ ଚର ଯାଇଁ ପହଞ୍ଚିଲା ଓ ଖବର ଦେଲା ପାଣ୍ଡବ ପାଞ୍ଚ ଭାଇ ବଞ୍ଚିଛନ୍ତି ।