Advertisment

Mahabharat Story: ଏକାଥରେ ପାଞ୍ଚ ବରଙ୍କୁ କନ୍ୟାଦାନ ଓ ରାଜାଙ୍କ ଧର୍ମ ସଙ୍କଟ କଥା

ଛଦ୍ମ ବେଶରେ ଥିବା ଭାଇମାନଙ୍କୁ ରାଜା ଚିହ୍ନିଲେ କେମିତି? ଭାଇମାନଙ୍କ ପ୍ରକୃତ ପରିଚୟ ପାଇଲା ପରେ ଆନନ୍ଦରେ ରାଜା କାନ୍ଦିଲେ କାହିଁକି? ନୂଆ ବାହା ହୋଇଥିବା ରାଜକୁମାରୀଙ୍କ ଝରକା ପାଖରେ ରାତିର ଅନ୍ଧାରରେ କିଏ ଲୁଚି ବସିଥିଲେ? ମହାଭାରତ ମହାକାବ୍ୟରୁ ଏଇ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

ଅଦ୍ୟତନ ହୋଇଛି
Story of giving brides to five grooms and the king's religious crisis

Story of giving brides to five grooms and the king's religious crisis

Advertisment

ସବୁଦିନ ସନ୍ଧ୍ୟାରେ ପାଣ୍ଡବ ଭାଇମାନେ ଯାହା ଭିକ୍ଷା ସଂଗ୍ରହ କରିଥାନ୍ତି ସବୁ ଆଣି ମାଆ କୁନ୍ତୀଙ୍କ ହାତରେ ଦିଅନ୍ତି । ସେଦିନ ବି ଦେଲେ ଓ କୁନ୍ତୀ ସେ ଭିକ୍ଷାକୁ ଘରର ନୂଆ ବୋହୂ ପାଞ୍ଚାଳୀଙ୍କ ହାତର ସମର୍ପିଦେଲେ । ଦେଲାବେଳେ କହିଲେ, ମାଆ ଶୁଣ୍, ଏ ଭିକ୍ଷାରୁ ତୁ ଗୋଟେ ଅଂଶ ଦେବତାଙ୍କୁ ଦେବୁ, ଗୋଟେ ଭାଗ ବ୍ରାହ୍ମଣଙ୍କୁ ଦାନ କରିବୁ, ଗୋଟେ ଭାଗ ଦୁଃଖି ଦରିଦ୍ରଙ୍କୁ ଦେବୁ, ଗୋଟେ ଭାଗ ଆଖପାଖର କୌଣସି ଭୋକିଲା ଲୋକକୁ ଦେବୁ । ତାପରେ ଯାହା ବଳିବ ତାକୁ ସମାନ ଦୁଇ ଭାଗ କରିବୁ । ଗୋଟେ ଭାଗ ଭୀମସେନକୁ ଦେବୁ ଅନ୍ୟ ଭାଗକୁ ଅନ୍ୟ ଚାରି ଭାଇଙ୍କୁ ଦେବୁ । ତାପରେ ଯାହା ବଳିବ ଆମେ ଦୁହେଁ ସେତକ ଖାଇବା ।

Advertisment

ଶାଶୁଙ୍କ କଥା ମାନି ଦ୍ରୌପଦୀ ତାହାହିଁ କଲେ । ସମସ୍ତେ ଖାଇସାରିଲା ପରେ ସହଦେବ ସମସ୍ତଙ୍କ ପାଇଁ କୁଶ ଘାସର ବିଛଣା ବିଛାଇଲେ । ତାପରେ ସେ କୁଶ ଉପରେ ଆରାମରେ ଶୋଇବାକୁ ଯିଏ ଯାହାର ମୃଗ ଚମଡା ପାରିଲେ । ପାଞ୍ଚଭାଇ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଲେ । ପାଞ୍ଚ ପୁଅଙ୍କ ମୁଣ୍ଡ ଉପରକୁ ଆଡ଼ ବାଗରେ ଶୋଇଲେ କୁନ୍ତୀ ଓ ପାଞ୍ଚ ଭାଇଙ୍କ ଗୋଡ ପାଖରେ ଆଡ଼ ବାଗରେ ଶୋଇଲେ ଦ୍ରୌପଦୀ ।

ନିଦ ଆସିବା ଆଗରୁ ପାଞ୍ଚଭାଇ ବିଭିନ୍ନ ବିଷୟରେ କଥା ହେଉଥା'ନ୍ତି । ବେଶି ଭାଗ କଥା ପଡିଥାଏ ଯୁଦ୍ଧ, ଅସ୍ତ୍ର, ରଥ, ଘୋଡା, ହାତୀ, ଗଦା ଓ ଖଣ୍ଡାମାନଙ୍କ ବିଷୟରେ । ରାତିର ଅନ୍ଧାରରେ ଝରକା ସେପଟେ ରହି ଯିଏ ଏସବୁ କଥା ଶୁଣି ଖୁସି ହେଉଥାନ୍ତି, ସେ ଅନ୍ୟ କେହି ନୁହେଁ, ସେ ହେଲେ ପାଞ୍ଚାଳର ଯୁବରାଜ, ପାଞ୍ଚାଳୀଙ୍କ ଭାଇ ଧୃଷ୍ଟଦ୍ୟୁମ୍ନ । ଭଉଣୀର ବିବାହ ସ୍ୱୟଂବର ସମୟରେ ଜଣେ ବ୍ରାହ୍ମଣ ଯୁବକର ଧର୍ନୁବିଦ୍ୟାର କୌଶଳ ଦେଖି ସେ ଯେଉଁ ସନ୍ଦେହ କରିଥିଲେ ତାହା ଅମୂଳକ ନଥିଲା । ଏ ପାଞ୍ଚ ଭାଇ ଯେ ବ୍ରାହ୍ମଣ ନୁହଁନ୍ତି, ତାହା ନିଶ୍ଚିତ ହୋଇ ସେଇ ଅନ୍ଧାର ରାତିରେ ଧୃଷ୍ଟଦ୍ୟୁମ୍ନ ତାଙ୍କ ରାଜନଅରକୁ ଲେଉଟିଗଲେ ।

Advertisment
Story of giving brides to five grooms and the king's religious crisis ଏକାଥରେ ପାଞ୍ଚ ବରଙ୍କୁ କନ୍ୟାଦାନ ଓ ରାଜାଙ୍କ ଧର୍ମ ସଙ୍କଟ କଥା

ଘରକୁ ଫେରି ଧୃଷ୍ଟଦ୍ୟୁମ୍ନ ବଡ ଖୁସିଥିଲେ । ସେ ତାପରେ କୁମ୍ଭାର ଘରେ ଥିବା ବ୍ରାହ୍ମଣଙ୍କ ବିଷୟରେ ରାଜା ଦ୍ରୁପଦଙ୍କୁ ଗୋଟି ଗୋଟି କରି ସବୁ ବିବରଣୀ ଦେଲେ । କେମିତି ସେ ସ୍ୱୟଂବର ଓ ଅନ୍ୟ ରାଜାମାନଙ୍କ ସହ ଯୁଦ୍ଧ ପରେ ଦୁଇ ବ୍ରାହ୍ମଣ ଓ ପାଞ୍ଚାଳୀକୁ ଲୁଚି ଲୁଚି ଅନୁସରଣ କରି ନଗର ବାହାରେ ଥିବା କୁମ୍ଭାର ଘରେ ପହଞ୍ଚିଲେ, କେମିତି ସେ ସେଠାରେ ଆହୁରି ତିନିଭାଇ ଓ ସେମାନଙ୍କ ମାଆଙ୍କୁ ଦେଖିଲେ । ରାତିରେ ସେମାନେ କ'ଣ କେମିତି ଖାଇଲେ ଓ କେମିତି ଶୋଇଲେ । ଶୋଇଲା ବେଳେ କେମିତି ଯୁଦ୍ଧ, ଅସ୍ତ୍ର-ଶସ୍ତ୍ର ଏବଂ ଘୋଡା ହାତୀ ବିଷୟରେ କଥା ହେଲେ । ସେ ଅସ୍ତ୍ର ଓ ଯୁଦ୍ଧକଥା ସବୁ କ୍ଷତ୍ରୀୟଙ୍କ ବିନା ଅନ୍ୟ କୌଣସି ବର୍ଣ୍ଣର ଲୋକ କେବେବି କଥା ହେବେନି । ସେଇଥିରୁ ବୁଝାପଡୁଛି ସେମାନେ ନିଶ୍ଚୟ କ୍ଷତ୍ରୀୟ ଓ କୌଣସି ଅଜ୍ଞାତ କାରଣରୁ ବ୍ରାହ୍ମଣର ଛଦ୍ମ ବେଶରେ ଅଛନ୍ତି । ତାପରେ ଧୃଷ୍ଟ୍ରଦ୍ୟୁମ୍ନ ଆହୁରି କହିଲେ, ସେ କିଛି ବିଶେଷ ସୂତ୍ରରୁ ଶୁଣିବାକୁ ପାଇଛନ୍ତି ଜଉଘର ପୋଡା ଘଟଣାରୁ ପାଣ୍ଡବ ପାଞ୍ଚଭାଇ ଓ ତାଙ୍କ ମାଆ କୁନ୍ତୀ ଜୀବନ ରକ୍ଷା କରି କେଉଁଆଡେ ଚାଲିଯାଇଛନ୍ତି । ହୁଏତ ବ୍ରାହ୍ମଣ ବେଶରେ ଥିବା ଏଇ ପାଞ୍ଚ ଭାଇ ପଣ୍ଡୁପୁଅଙ୍କ ଛଡା ଆଉ କେହି ନୁହଁନ୍ତି ।

ପୁଅ ଧୃଷ୍ଟଦ୍ୟୁମ୍ନ ପାଖରୁ ଏ ସବୁ କଥା ଶୁଣି ରଜା ଦ୍ରୁପଦ ବି ଖୁସି ହେଲେ । ପରଦିନ ସେ ତାଙ୍କ ପୁରୋହିତଙ୍କୁ ପାଣ୍ଡବମାନେ ରହୁଥିବା କୁମ୍ଭାର ଘରକୁ ପଠେଇଲେ । ପୁରୋହିତ ଯାଇଁ ପାଣ୍ଡବ ଭାଇମାନଙ୍କୁ କହିଲେ ରାଜା ଦ୍ରୁପଦ ଆପଣମାନଙ୍କ ପ୍ରକୃତ ପରିଚୟ ଜାଣିବାକୁ ଚାହାଁନ୍ତି । ଆପଣମାନଙ୍କର ବର୍ଣ୍ଣ କଅଣ, ଗୋତ୍ର କଅଣ ଓ କେଉଁ ବଂଶରେ ଆପଣମାନେ ଜନ୍ମ ଲାଭ କରିଛନ୍ତି? ଆପଣମାନେ କେଉଁ ଦେଶରୁ ଆମ ଦେଶକୁ ଆସିଛନ୍ତି? ଇତ୍ୟାଦି।

Advertisment

ରାଜ ପୁରୋହିତଙ୍କ ଉପଯୁକ୍ତ ସତ୍କାର ପରେ ଯୁଧିଷ୍ଠିର ପୁରୋହିତଙ୍କୁ କହିଲେ, ସ୍ୱୟଂବରର ସର୍ତ୍ତ ଅନୁସାରେ ରାଜା ତାଙ୍କ କନ୍ୟାକୁ ବିଜେତାଙ୍କ ହାତରେ ଅର୍ପଣ କରିଛନ୍ତି । ତେଣୁ ଏ ବର୍ଣ୍ଣ, ଗୋତ୍ର, କର୍ମ ଓ ବଂଶରେ କ'ଣ ଅଛି? ଏବେ ସେ କଥା ଆଉ ପୁଣି କାହିଁକି? ରାଜାଙ୍କର ଏ ଅକାରଣ କଥାରେ ବ୍ୟସ୍ତ ହେବାର କିଛି ଆବଶ୍ୟକତା ନାହିଁ ।

ରାଜ ପୁରୋହିତ ଓ ଯୁଧିଷ୍ଠିରଙ୍କର କଥା ଚାଲିଥିବା ବେଳେ ରାଜା ଦ୍ରୁପଦଙ୍କର ଅନ୍ୟ ଜଣେ ରାଜଦୂତ ନିମନ୍ତ୍ରଣ ପତ୍ର ଧରି ସେଇଠି ପହଞ୍ଚିଲେ । ସେଦିନ ସନ୍ଧ୍ୟାରେ ରାଜାଙ୍କ ତରଫରୁ ରାଜନଗରରେ ଏକ ରାଜକୀୟ ଭୋଜିର ଆୟୋଜନ କରାଯାଇଥାଏ । ସେଇଥିପାଇଁ ରାଜା ଜଣେ ସ୍ୱତନ୍ତ୍ର ଦୂତ ହାତରେ ତାଙ୍କ ଝିଅ ଜୁଆଇଁ ଓ ପରିବାରର ଅନ୍ୟସବୁ ସଦସ୍ୟଙ୍କୁ ସେଥିରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି । କୁନ୍ତୀଙ୍କ ସମ୍ମତି ପରେ ରାଜଦୂତ ବାହାରିଗଲେ ଓ ସେଦିନ ଠିକ ସନ୍ଧ୍ୟା ଆଗରୁ ପାଣ୍ଡବ ପରିବାର ରହୁଥିବା ସେ କୁମ୍ଭାର ଘର ଆଗରେ ଦ୍ରୁପଦଙ୍କ ସୁସଜ୍ଜତ ରଥ ଆସି ପହଞ୍ଚିଲା ।

ଦ୍ରୁପଦଙ୍କ ରାଜନଅର ସୁନ୍ଦର ଭାବରେ ସଜା ହୋଇଥାଏ । ଦୀପମାଳାରେ ଚାରିଦିଗ ପୁରା ଆକର୍ଷଣୀୟ ଦିଶୁଥାଏ । ଭୋଜି ପାଇଁ ଅନେକ ପ୍ରକାରର ରାଜକୀୟ ବ୍ୟଞ୍ଜନର ଆୟୋଜନ କରାଯାଇଥାଏ । ପାଣ୍ଡବ ପରିବାର ରାଜବାଟିରେ ପହଞ୍ଚିଲା ପରେ ସେମାନଙ୍କୁ ଯଥାରୀତି ଆଦର ଅଭ୍ୟର୍ଥନା ସହ ଭିତରକୁ ପାଛୋଟି ନିଆଗଲା । ପାଞ୍ଚାଳୀ ଓ କୁନ୍ତୀଙ୍କୁ ଘରର ମହିଳାମାନେ ଅନ୍ତଃପୁରକୁ ପାଛୋଟିନେଲେ । ପଞ୍ଚୁପାଣ୍ଡବ ବ୍ରାହ୍ମଣ ବେଶରେ କଳା ରଙ୍ଗର ମୃଗ ଚମଡା ପରିଧାନ କରି ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଆସନମାନଙ୍କରେ ବସିଲେ ।

ରାଜା ଦ୍ରୁପଦ ଅତ୍ୟନ୍ତ ବିନୟର ସହ ଯୁଧିଷ୍ଠିରଙ୍କୁ ପଚାରିଲେ ମୁଁ ଆପଣମାନଙ୍କର ପ୍ରକୃତ ପରିଚୟ ଜାଣି ପାରିବିକି? ଆପଣମାନେ କ'ଣ ସତରେ ବ୍ରାହ୍ମଣ ନା କ୍ଷତ୍ରୀୟ? ନା ଆପଣମାନେ କୌଣସି ସ୍ୱର୍ଗର ଦେବତା? ମୁଁ ସତ୍ୟ ଜାଣିବାକୁ ଚାହେଁ । ତାପରେ ବିବାହର ଆୟୋଜନ କରିବାକୁ ହେବ ।

Story of giving brides to five grooms and the king's religious crisis ଏକାଥରେ ପାଞ୍ଚ ବରଙ୍କୁ କନ୍ୟାଦାନ ଓ ରାଜାଙ୍କ ଧର୍ମ ସଙ୍କଟ କଥା

ରାଜାଙ୍କର ପ୍ରଶ୍ନ ଶୁଣି ଯୁଧିଷ୍ଠିର କହିଲେ -ହେ ରାଜନ ଆପଣ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ଆପଣଙ୍କ କନ୍ୟା ଉପଯୁକ୍ତ ବର ପାଇଛନ୍ତି । ଅଜଣାତରେ ଆପଣ ଉଚ୍ଚ ବଂଶରେ ବନ୍ଧୁ ବାନ୍ଧିଛନ୍ତି । ସତ କଥା ହେଲା, ଆମେ ସମସ୍ତେ ହସ୍ତିନାପୁରର ରାଜା ପଣ୍ଡୁଙ୍କର ପୁଅ । ମୁଁ ସବୁଠାରୁ ବଡ ଯୁଧିଷ୍ଠିର । ସେଦିନ ସ୍ୱୟଂବର ସଭାରେ ପ୍ରତିଯୋଗିତା ଜିତିଥିବା ଧନୁର୍ଦ୍ଧର ହେଉଛନ୍ତି ବୀର ଫାଲଗୁନି । ସ୍ୱୟଂବର ପରେ ଅନ୍ୟ ରାଜାମାନଙ୍କୁ ଗଛରେ ପ୍ରହାର କରି ଯିଏ ଘଉଡେଇଥିଲେ ସେ ମଧ୍ୟମ ପାଣ୍ଡବ ଭୀମସେନ । ସାନ ଦୁଇ ଜଣ ହେଲେ ନକୁଳ ଓ ସହଦେବ । ମାଆ କୁନ୍ତୀ ବି ଆମ ସାଙ୍ଗରେ ଅଛନ୍ତି । ଆମେ ଅନେକ ଦିନ ହେଲାଣି ବିଭିନ୍ନ ପ୍ରତିକୂଳ ପରିସ୍ଥିତି ପାଇଁ ବ୍ରାହ୍ମଣର ଛଦ୍ମ ବେଶରେ ଘୁରିବୁଲୁଛୁ । ତେଣୁ ଆପଣ ଖୁସି ହୁଅନ୍ତୁ ଯେ ଆପଣ ଯାହା ଚାହିଁଥିଲେ ତାହା ହିଁ ଫଳିଛି । ଆପଣଙ୍କ ପରିବାର ସହ ବନ୍ଧୁ ବାନ୍ଧି ଆମେ ସମସ୍ତେ ବି ଖୁସି ଅଛୁ।

ଯୁଧିଷ୍ଠିରଙ୍କ କଥା ଶୁଣି ରାଜା ଦ୍ରୁପଦ ଏତେ ଖୁସି ହୋଇଗଲେ ଯେ କିଛି ସମୟ ପାଇଁ କିଛି କଥା କହିପାରିଲେନି । ତାଙ୍କ ଦୁଇ ଆଖିରୁ ଆନନ୍ଦର ଦୁଇ ଟୋପା ଲୁହ ନିଗିଡି ଗଲା । ତାପରେ ଯୁଧିଷ୍ଠିର ପାଞ୍ଚାଳ ନରେଶଙ୍କୁ ସେମାନେ କେବେ ଓ କେଉଁ କେଉଁ ପରିସ୍ଥିରେ ପଡି ଶେଷରେ ପାଞ୍ଚାଳ ଦେଶରେ ପହଞ୍ଚିଲେ, ସେ ସବୁ କଥା ଗୋଟି ଗୋଟି ବର୍ଣ୍ଣନା କରି କହିଲେ । ପାଣ୍ଡବମାନଙ୍କ ଠାରୁ ସବୁ ଶୁଣି ରାଜା ଦ୍ରୁପଦ କଥା ଦେଲେ ସେମାନଙ୍କୁ ସେମାନଙ୍କ ରାଜ୍ୟ ଓ ଅଧିକାର ଫେରିପାଇବାରେ ସେ ନିଶ୍ଚୟ ସବୁ ପ୍ରକାରର ସାହାଯ୍ୟ ସହଯୋଗ କରିବେ ।

ତାପରେ ବିବାହ କଥା ପଡିଲାରୁ ଯୁଧିଷ୍ଠିର କହିଲେ ବହୁ ଆଗରୁ ଆମେ ଠିକ୍ କରିଥିଲୁ ଆମ ଭିତରୁ ଯିଏ ଯାହାବି ରତ୍ନ ଲାଭ କରିବ, ତାହା ଆମ ପାଞ୍ଚ ଭାଇଙ୍କ ଭିତରେ ସମାନ ଭାବରେ ବଣ୍ଟା ଯିବ । ଅର୍ଜୁନ ସ୍ୱୟଂବର ପ୍ରତିଯୋଗିତା ଜିତି ଯାଜ୍ଞସେନୀଙ୍କୁ ପାଇଛନ୍ତି । ଆପଣଙ୍କ ଝିଅ କୌଣସି ମୂଲ୍ୟବାନ ରତ୍ନ ଠାରୁ କମ ନୁହଁନ୍ତି । ତେଣୁ ସେ ସମାନ ଭାବରେ ଆମ ସମସ୍ତଙ୍କର । ମାଆ କୁନ୍ତୀଙ୍କର ମଧ୍ୟ ସେଇ ଇଚ୍ଛା । ସେ ବି ସେଇଆ ଚାହାଁନ୍ତି । ତେଣୁ ଆପଣଙ୍କ ଅଲିଅଳୀ ଝିଅ ପାଞ୍ଚାଳୀ ଆମ ସମସ୍ତଙ୍କର ରାଣୀ ହୋଇ ରହିବେ ।

ଯୁଧିଷ୍ଠିରଙ୍କ କଥା ଶୁଣି ଦ୍ରୁପଦଙ୍କ ସହ ଉପସ୍ଥିତ ଅନ୍ୟମାନେବି ଆଶ୍ଚର୍ଯ୍ୟ ଚକିତ ହୋଇଗଲେ । ସମସ୍ତେ ଭାବୁଥିଲେ ଏମିତି କେମିତି ସମ୍ଭବ ହେବ? ଦ୍ରୁପଦ ପଚାରିଲେ ତେବେ ମୋତେ କୁହନ୍ତୁ ଧର୍ମରାଜ ଏ କେମିତି ସମ୍ଭବ ହେବ? ଆମେ ଜଣେ ପୁରୁଷ ବହୁ ପତ୍ନୀ ଗ୍ରହଣ କରିବା କଥା ଜାଣିଛୁ । ଏଥିରେ ଶାସ୍ତ୍ରର ସମ୍ମତି ବି ଅଛି । କିନ୍ତୁ ପାଞ୍ଚ ଜଣ ଭାଇ ଜଣେ ନାରୀକୁ ବିବାହ କରିବା ତ ଅସମ୍ଭବ କଥା । ଏ ତ ଧର୍ମର ବିପରୀତ କଥା । ଶାସ୍ତ୍ର ବିରୋଧ କଥା ।

Story of giving brides to five grooms and the king's religious crisis ଏକାଥରେ ପାଞ୍ଚ ବରଙ୍କୁ କନ୍ୟାଦାନ ଓ ରାଜାଙ୍କ ଧର୍ମ ସଙ୍କଟ କଥା

ଯୁଧିଷ୍ଠର କହିଲେ ମୁଁ ଧର୍ମର ପଥ ଛାଡିଲେ ଅନ୍ୟ ପଥରେ ଚାଲିବା ଜାଣିନି । ଧର୍ମର ପଥ ବଡ ସୂକ୍ଷ୍ମ । ଆମେ ତା'ର ଦିଗ ଜାଣିପାରିବାନି । ଆମେ କେବଳ ତାକୁ ଅନୁସରଣ କରି ବାଟ ଚାଲିପାରିବା । ପୂର୍ବରୁ ଆମ ପୂର୍ବପୁରୁଷ ଓ ମହାନ ଆତ୍ମାମାନେ ଯେଉଁ ରାସ୍ତାରେ ବାଟ ଚାଲିଛନ୍ତି ଆମେ ସେଇ ରାସ୍ତାରେ ହିଁ ଯିବା। ମାଆ ଆମର ଅଜଣାତରେ ଏ ପ୍ରସ୍ଥାବ ଦେଇଥିଲେ । ପ୍ରକୃତ ପରିସ୍ଥତି ଜାଣିଲାପରେ ମୋର ମତାମତ ପଚାରିଥିଲେ । ମୁଁ ଚିନ୍ତାକରି ମାଆଙ୍କ କଥାରେ ସମ୍ମତ ହୋଇଥିଲି ।

ଯୁଧିଷ୍ଠିରଙ୍କ କଥାରେ କିନ୍ତୁ ରାଜା ଦ୍ରୁପଦଙ୍କ ମନ ମାନୁନଥାଏ । ସେ ଗଭୀର ଚିନ୍ତାରେ ପଡି କେତେ କ'ଣ ଭାବୁଥା'ନ୍ତି । ସେତିକିବେଳେ ସେଇଠି ଆସି ହଠାତ୍ ତପସ୍ୱୀ ବ୍ୟାସ ଦେବ ପହଞ୍ଚିଲେ । ବ୍ୟାସଙ୍କୁ ଦେଖି ପାଣ୍ଡବ ଓ ଅନ୍ୟମାନେ ନିଜ ନିଜ ଆସନ ଛାଡି ଠିଆ ହେଇ ତପସ୍ୱୀଙ୍କୁ ସମ୍ମାନ ଜଣାଇଲେ । ବ୍ୟାସଙ୍କୁ ଆସନରେ ବସାଇଲା ପରେ ରାଜା ଅତ୍ୟନ୍ତ ବିଚଳିତ ସ୍ୱରରେ କହିଲେ, ହେ ତପସ୍ୱୀ ଆପଣ ଠିକଣା ସମୟରେ ଆମମାନଙ୍କ ପାଖରେ ପହଞ୍ଚିଛନ୍ତି । ମୋତେ ଏବେ କୁହନ୍ତୁ ଜଣେ ନାରୀ କ'ଣ ଏକାବେଳକେ ପାଞ୍ଚଜଣ ପୁରୁଷଙ୍କୁ ବିବାହ କରିପାରିବ? ମୋ ଜାଣିବାରେ ବଡ, ମଝିଆ ଓ ସାନ ଭାଇମାନେ ଜଣେ ନାରୀକୁ ସେମାନଙ୍କ ପତ୍ନୀ ଭାବରେ ଗ୍ରହଣ କରିବା ଘୋର ପାପର କଥା । ଶାସ୍ତ୍ର ବିରୋଧି କଥା । ମୁଁ ଏବେ ବଡ ଧର୍ମ ସଙ୍କଟରେ ପଡିଛି । ସେଥିରୁ ଉଦ୍ଧାର ହେବାର ବାଟ ମୋତେ ଦୟାକରି ଦେଖାନ୍ତୁ ।

ବ୍ୟାସଙ୍କୁ ପାଖରେ ପାଇ ଯୁଧିଷ୍ଠିର କହିଲେ ସେ ଜାଣିଛନ୍ତି ଅତୀତରେ ଗୌତମଙ୍କ ବଂଶରେ ଜଟିଳା ନାମରେ ଜଣେ ନାରୀ ଥିଲେ । ସେ ଏକାବେଳକରେ ସାତ ଜଣ ଋଷିଙ୍କର ପତ୍ନୀ ଥିଲେ। ମୁଁ କେବେବି କହିପାରିବିନି ସେମାନେ ଧର୍ମର ପଥରେ ନଥିଲେ । କୁନ୍ତୀ ତାପରେ ବ୍ୟାସଦେବଙ୍କୁ କହିଲେ ସେ ହିଁ ଅଜାଣତରେ ଏ କଥା ଉଠେଇଛନ୍ତି । ତାଙ୍କର ଡର ଯେ ତାଙ୍କର କଥା ରକ୍ଷା କରାନଗଲେ ସେ ମିଥ୍ୟାବାଦିନୀ ହୋଇଯିବେ ।

ସମସ୍ତଙ୍କର ସବୁ କଥା ଶୁଣିସାରି ବ୍ୟାସ କହିଲେ ଏଥିରେ କିଛିବି ପାପ ନାହିଁ କି ଅଧର୍ମ ନାହିଁ । କେହି ମିଥ୍ୟାବାଦୀ ହେବାର ପ୍ରଶ୍ନ ଉଠୁନି । ଏହା କିଛି ନୂଆ କଥା ବି ନୁହେଁ । ତାପରେ ବ୍ୟାସ ଦେବ ରାଜା ଦ୍ରୁପଦଙ୍କୁ କହିଲେ ଏ ବିଷୟରେ ମୁଁ ଏ ଭରା ସଭାରେ କିଛିବି କହିବିନି । ସେକଥା ମୁଁ କେବଳ ତୁମକୁ ହିଁ ଗୋପନରେ କହିବି । ସେଥିପାଇଁ ତୁମକୁ ମୋ ସାଙ୍ଗରେ ଏକା ଆସିବାକୁ ହେବ ।

ରାଜାଙ୍କୁ ସାଙ୍ଗରେ ଧରି ବ୍ୟାସ ଦେବ ସେଠୁ ବାହାରି ଗଲେ । ଅନ୍ୟମାନେ ସେମାନଙ୍କ ଫେରିବା ରାସ୍ତାକୁ ଅନେଇ ବସି ରହିଲେ ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Mahabharata Special Story Mahabharat Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ