ପାଣ୍ଡବ ଭାଇମାନଙ୍କର ଖାଣ୍ଡବପ୍ରସ୍ଥରେ ସମୟ ଭଲରେ ଭଲରେ କଟୁଥାଏ । ସମସ୍ତେ ସୁଖ ଓ ଶାନ୍ତିରେ ଥାଆନ୍ତି । ଦିନେ କିଛି ବ୍ରାହ୍ମଣ ବଡ ବ୍ୟସ୍ତ ବିବ୍ରତ ହୋଇ ରାଜନଅରରେ ପହଞ୍ଚିଲେ । ସେତେବେଳେ ସେଇଠି ଅର୍ଜୁନ ଉପସ୍ଥିତ ଥାଆନ୍ତି । ଅର୍ଜୁନଙ୍କ ଆଗରେ ସେମାନେ ଅଭିଯୋଗ କଲେ ଯେ କିଛି ଚୋର ତସ୍କର ସେମାନଙ୍କ ଗାଈ ବାଛୁରିକୁ ଚୋରୀ କରି ନେଇଯାଉଛନ୍ତି । ଦାନ ଓ ଦକ୍ଷୀଣାରେ ସେମାନଙ୍କୁ ମିଳିଥିବା ଗୋଧନକୁ ଏମିତି ଚୋର ତସ୍କର ନେଇଗଲେ ସେମାନେ ଚଳିବେ କେମିତି? ଧର୍ମରାଜଙ୍କ ଶାସନରେ ଚାରିଆଡେ ସୁଖ ଶାନ୍ତି ବିରାଜମାନ କରୁଥିବା ବେଳେ, ଶାନ୍ତି ଭଙ୍ଗକାରୀ ଚୋରମାନଙ୍କୁ ଉପଯୁକ୍ତ ଦଣ୍ଡ ମିଳିବା ଦରକାର।
ଅର୍ଜୁନ ବ୍ରାହ୍ମଣମାନଙ୍କୁ ଶାନ୍ତ ହେବାକୁ କହିଲେ । କହିଲେ ବ୍ୟସ୍ତ ହୁଅନ୍ତୁନି, ଚୋରମାନେ ଗାଈ ବାଛୁରୀଙ୍କୁ ଚୋରେଇ ବେଶୀ ଦୂରକୁ ପଳେଇ ଯାଇନଥିବେ । ରଥରେ ସେମାନଙ୍କୁ ଅନୁଧାବନ କଲେ ସେମାନେ ଖୁବ ଶୀଘ୍ର ଧରା ପଡିଯିବେ। ଆପଣମାନେ ଅପେକ୍ଷା କରନ୍ତୁ ମୁଁ ମୋ ଅସ୍ତ୍ର ଶସ୍ତ୍ର ଧରି ପ୍ରସ୍ତୁତ ହୋଇ ଆସୁଛି ।
ଅର୍ଜୁନ ତାଙ୍କ ଅସ୍ତ୍ର ସେଦିନ ଦ୍ରୌପଦୀଙ୍କ କୋଠରୀରେ ରଖିଦେଇ ଆସିଥିଲେ । ଅସ୍ତ୍ର ଆଣିବା ପାଇଁ ଯାଇ ଦେଖନ୍ତି ପାଞ୍ଚାଳୀଙ୍କ ପାଖରେ ସେଇ ମୁହୂର୍ତ୍ତରେ ଧର୍ମରାଜ ଏକାନ୍ତରେ ଅଛନ୍ତି। ବଡ ଧର୍ମ ଶଙ୍କଟରେ ପଡିଗଲେ ଅର୍ଜୁନ। ସେ ସେପଟେ ବ୍ରାହ୍ମଣମାନଙ୍କୁ କଥା ଦେଇ ଆସିଛନ୍ତି ସେମାନଙ୍କ ଗାଈ ବାଛୁରୀକୁ ରକ୍ଷା କରିବେ। ଏପଟେ ପାଞ୍ଚାଳୀଙ୍କ କୋଠରୀ ଭିତରେ ପ୍ରବେଶ କରିବେ ତ ନୀୟମ ଭଙ୍ଗ ହେବ। ନୀୟମ ଭଙ୍ଗ କଲ ମାନେ ତାଙ୍କୁ ବାର ବର୍ଷ ପାଇଁ ବନବାସରେ ଯିବାକୁ ହେବ। ଏବେ କ'ଣ କରିବେ ସେ? କିଛି ସମୟ ଚିନ୍ତା କଲାପରେ ଅର୍ଜୁନଙ୍କୁ ଠିକ ଲାଗିଲା ନୀୟମ ଭଙ୍ଗର ଦଣ୍ଡ ସେ ବରଂ ଗ୍ରହଣ କରିବେ କିନ୍ତୁ ଧର୍ମର ପକ୍ଷ ନେବେ। ତାଙ୍କୁ ଅପେକ୍ଷା କରିଥିବା ଓ ତାଙ୍କ ଉପରେ ଆସ୍ଥା ରଖିଥିବା ବ୍ରାହ୍ମଣମାନଙ୍କୁ ନିଶ୍ଚୟ ସାହାଯ୍ୟ କରିବେ ।
ତାପରେ ଅର୍ଜୁନ ଆଉ ବିଳମ୍ବ ନକରି ପାଞ୍ଚାଳୀଙ୍କ କୋଠରୀରେ ପ୍ରବେଶ କଲେ ଓ ନିଜର ଅସ୍ତ୍ର ଶସ୍ତ୍ର ଧରି ରଥ ଚଢି ଗାଈ ଚୋରମାନଙ୍କୁ ଅନୁଧାବନ କରିବାକୁ ବାହାରି ଗଲେ । ସତକୁ ସତ ଚୋରମାନେ ବେଶୀ ଦୂର ଯାଇନଥିଲେ । ଅଳ୍ପ ସମୟ ଭିତରେ ଅର୍ଜୁନ ସେମାନଙ୍କୁ ପରାସ୍ତ କରି ବନ୍ଦୀ କଲେ ଓ ବ୍ରାହ୍ମଣମାନଙ୍କ ଗାଈ ବାଛୁରି ସବୁକୁ ଧରି ଫେରିଲେ । ବ୍ରାହ୍ମଣମାନେ ଆଶୀର୍ବାଦ ଦେଇ ଫେରିଗଲା ପରେ ଅର୍ଜୁନ ଯୁଧିଷ୍ଠିରଙ୍କୁ କହିଲେ ଏବେ ତାଙ୍କୁ ଘର ଛାଡି ବନବାସରେ ଯିବାକୁ ହେବ ।
ଧର୍ମରାଜ ଯୁଧିଷ୍ଠିର କିନ୍ତୁ ତାଙ୍କୁ ବୁଝାଇବାକୁ ଚେଷ୍ଟା କଲେ ଯେ, ସେ ଯେହେତୁ ସାନ ଭାଇ ତେଣୁ ବଡ ଭାଇର ଏକାନ୍ତ କୋଠରୀରେ ପ୍ରବେଶ କରିବା କିଛି ବଡ ଗର୍ହିତ କାମ ନୁହେଁ । କିନ୍ତୁ ବଡଭାଇ ସେମିତି ସାନଭାଇ ତା ପତ୍ନୀ ସହ ଏକାନ୍ତରେ ଥିବା ସମୟରେ ପ୍ରବେଶ କରିବା ନୀୟମ ବିରୁଦ୍ଧ । ଅର୍ଜୁନ କହିଲେ, ନା ଭାଇ ଆମେ ସମସ୍ତେ ମିଶି ଯେଉଁ ନୀୟମ ପ୍ରଣୟନ କରିଛେ ତାକୁ ଏମିତି ମୁଁ ଅମାନ୍ୟ କରିପାରିବିନି। ଧର୍ମ ଅନୁସାରେ ଏବେ ମୋତେ ନିଶ୍ଚୟ ବନବାସରେ ଯିବାକୁ ହେବ ।
ତାପରେ ଅର୍ଜୁନ ସମସ୍ତଙ୍କ ପାଖରୁ ବିଦାୟ ନେଇ ବନବାସରେ ବାହାରି ଗଲେ । ଅର୍ଜୁନ ଅନେକ ସୁନ୍ଦର ଗହନ ବଣ, ଜଙ୍ଗଲ, ନଦୀ, ପାହାଡ ସହ ଅନେକ ତୀର୍ଥସ୍ଥାନ ଆଦି ଭ୍ରମଣ କରି କରି ଶେଷରେ ଗଙ୍ଗା ନଦୀ କୂଳରେ ଯାଇଁ ପହଞ୍ଚିଲେ । ସେଠାର ସୁନ୍ଦର ପ୍ରାକୃତିକ ପରିବେଶରେ ଅର୍ଜୁନ ଅତି ଆନନ୍ଦରେ ଥାଆନ୍ତି । ଦିନେ ସକାଳୁ ଅର୍ଜୁନ ଗଙ୍ଗାନଦୀରେ ଗାଧୋଇ ସାରି ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ଜଳଦାନ କରି ଉପରକୁ ଉଠିବା ବେଳକୁ ହଠାତ୍ ଏକ ନାଗକନ୍ୟା ତାଙ୍କୁ ଟାଣି ପୁଣି ଥରେ ପାଣି ଭିତରକୁ ନେଇଗଲେ ।
ଅର୍ଜୁନ କିଛି ବୁଝିଲା ବେଳକୁ ସେ ନାଗକନ୍ୟା ତାଙ୍କୁ ନେଇ ନାଗଲୋକରେ ପହଞ୍ଚାଇ ସାରିଲେଣି । ଅର୍ଜୁନ ପରିଚୟ ମାଗିଲାରୁ ସେ ସୁନ୍ଦରୀ ନାଗକନ୍ୟା କହିଲେ, ହେ ବୀର ଶ୍ରେଷ୍ଠ ଅର୍ଜୁନ, ମୋ ନାମ ହେଲା ଉଲୁପି ଓ ମୁଁ ନାଗରାଜ ଐରାବତଙ୍କ ବଂଶଧର କୌରବ୍ୟଙ୍କ ଝିଅ । ତୁମକୁ ପାଣିରେ ଗାଧୋଉଥିବା ସମୟରେ ତୁମର ସୌନ୍ଦର୍ଯ୍ୟ ଓ ପୌରୁଷ ଦେଖି ମୁଁ ମୋହିତ ହେଇଗଲି । ତୁମକୁ ପାଖରେ ପାଇବାର କାମ ବାସନା ମୋର ଏତେ ତୀବ୍ର ହେଲା ଯେ, ମୁଁ ଆଉ ନିଜକୁ ନିୟନ୍ତ୍ରଣରେ ରଖି ପାରିଲିନି । ସେଇଥିପାଇଁ ତୁମକୁ ସାଙ୍ଗରେ ଆମ ନାଗଲୋକକୁ ଧରି ଚାଲିଆସିଲି ।
ଉଲୁପୀଙ୍କ ପ୍ରେମ ନିବେଦନ ଶୁଣି ଅର୍ଜୁନ କହିଲେ, ମୁଁ ଏବେ ବନବାସରେ ଅଛି ଓ ବ୍ରହ୍ମଚର୍ଯ୍ୟ ପାଳନ କରୁଛନ୍ତି । ତେଣୁ ତୁମର ଇଚ୍ଛା ପୁରଣ କରିପାରିବେନି । କିନ୍ତୁ ଉଲୁପୀ ବିଭିନ୍ନ ଯୁକ୍ତି ଦେଖାଇ ଅର୍ଜୁନଙ୍କୁ ରାଜି କରାଇଲେ । ଉଲୁପି ବୁଝାଇଲେ ଯେ ଜଣେ ନାରୀର କାମ ବାସନାକୁ ପୁରଣ ନକରିବା ଜଣେ ସୁପୁରୁଷ ପାଇଁ ଅଧର୍ମ ହେବ। ଜାଣିରଖ, ତୁମେ ମୋତେ ନ ମିଳିଲେ ମୋର ନିଶ୍ଚୟ ମୃତ୍ୟୁ ହେବ । ସେ ପାପରେ ତୁମେ ଭାଗିଦାରୀ ହେବ । ଶେଷରେ ଉଲୁପିଙ୍କ କଥାରେ ଅର୍ଜୁନ ରାଜି ହେଲେ ଓ ଦୁହିଁଙ୍କର ମିଳିନ ହେଲା । ଉଲୁପିଙ୍କ ପାଖରେ ଗୋଟେ ରାତି ରହି ଅର୍ଜୁନ ପରଦିନ ସକାଳର ସୂର୍ଯ୍ୟୋଦୟ ବେଳକୁ ନାଗରାଜ୍ୟରୁ ବିଦାୟ ନେଇଗଲେ ।
ତାପରେ ଅର୍ଜୁନ ଆହୁରି ଅନେକ ତୀର୍ଥ ସ୍ଥାନ ଭ୍ରମଣ କଲେ ଓ ସେଠାର ପବିତ୍ର ଜଳରେ ସ୍ନାନ କଲେ । ଏମିତି ବୁଲୁ ବୁଲୁ ସେ ଦିନେ ରାଜା ଚିତ୍ରବାହାନଙ୍କ ରାଜ୍ୟ ମଣିପୁରରେ ପହଞ୍ଚିଲେ । ଚିତ୍ରବାହାନଙ୍କର ଜଣେ ସୁନ୍ଦରୀ ଯୁବତୀ ଝିଅ ଥାଆନ୍ତି । ନା ତାଙ୍କର ଚିତ୍ରାଙ୍ଗଦା । ଜଣେ ନାରୀ ହୋଇ ବି ତାଙ୍କର ପୁରୁଷ ସୁଲଭ ସୌର୍ଯ୍ୟ ଓ ବୀରତ୍ୱ ଥାଏ । ଚିତ୍ରାଙ୍ଗଦାଙ୍କୁ ଦେଖି ଅର୍ଜୁନ ତାଙ୍କ ପ୍ରେମରେ ପଡିଗଲେ । ସେଉଠୁ ରାଜାଙ୍କ ପାଖରେ ପହଞ୍ଚି ଚିତ୍ରାଙ୍ଗଦାଙ୍କୁ ବିବାହ କରିବାର ପ୍ରସ୍ଥାବ ଦେଲେ । ରାଜା ଚିତ୍ରବାହନ କହିଲେ ଅନେକ ବର୍ଷ ତଳେ ଆମ ବଂଶର ଜଣେ ରାଜା ଥିଲେ ଓ ତାଙ୍କର କେହି ଉତ୍ତରାଧିକାରୀ ନଥିଲେ । ତେଣୁ ସେ ମହାଦେବ ଶିବଙ୍କୁ ତପ କରି ବର ପାଇଲେ ଯେ ଆମର ପ୍ରତି ପିଢିରେ ନିଶ୍ଚୟ ପୁଅଟିଏ ହେବ।
କିନ୍ତୁ ବ୍ୟତିକ୍ରମରେ ପ୍ରଥମକରି ମୋର ଝିଅଟିଏ ହେଇଛି । ମୁଁ ତାକୁ ପୁଅ ଠାରୁ କିଛି କମ ଭାବେନି। ତେଣୁ ଉତ୍ତରାଧିକାରୀ ଭାବରେ ସେ ହିଁ ମୋ ଅନ୍ତେ ସିଂହାସନରେ ବସିବ । ତେଣୁ ମୋର ସର୍ତ୍ତ ହେଲା ଝିଅ ମୋର ବିବାହ ପରେ ବି ଶାଶୁଘରକୁ ଯିବନି ଏଇଠି ରହିବ । ଚିତ୍ରାଙ୍ଗଦା ପରେ ତା ପୁଅ ଆମ ଦେଶର ରାଜା ହେବ। ଚିତ୍ରବାହାନଙ୍କର କଥାରେ ଅର୍ଜୁନ ରାଜି ହେଲେ ଓ ଚିତ୍ରାଙ୍ଗଦାଙ୍କୁ ବିବାହ କରି ତିନି ବର୍ଷ ମଣିପୁରରେ ରହିଲେ । କିଛିଦିନ ପରେ ଚିତ୍ରାଙ୍ଗଦା ଗର୍ଭବତୀ ହେଲେ । ଅର୍ଜୁନ ମଣିପୁର ଛାଡି ଚାଲିଆସିଲା ପରେ ଚିତ୍ରାଙ୍ଗଦାଙ୍କ ଗର୍ଭରୁ ପୁଅଟିଏ ଜନ୍ମ ହେଲା । ପୁଅର ନାମ ରଖାଗଲା ବବ୍ରୁବାହାନ ।
ତାପରେ ଅର୍ଜୁନ ଏକ ବିରାଟ ହ୍ରଦ ପାଖରେ ପରିତ୍ୟକ୍ତ ତୀର୍ଥସ୍ଥଳରେ ପହଞ୍ଚିଲେ । ସେ ହ୍ରଦରେ ପାଞ୍ଚୋଟି କୁମ୍ଭିରିଣୀ ବାସ କରୁଥିଲେ ଓ ଯିଏବି ସ୍ନାନ ଉଦ୍ଦେଶ୍ୟରେ ତୀର୍ଥକୁ ଆସୁଥିଲେ ସେମାନଙ୍କୁ ମାରି ଖାଉଥିଲେ । ସେଇଥିପାଇଁ ଆଉ କେହିବି ସେ ତୀର୍ଥକୁ ଆସୁନଥାନ୍ତି । ଅର୍ଜୁନ ସେ କଥା ଜାଣି ସରୋବରର ପାଣିରେ ପଶିଲେ ଓ ଗୋଟେ କୁମ୍ଭିରୀଣୀ ତାଙ୍କୁ ଆକ୍ରମଣ କଲା । ଅର୍ଜୁନ ତାକୁ ପରାସ୍ତ କରି ଉପରକୁ ଆଣିଲା ବେଳକୁ ସେ ଏକ ସୁନ୍ଦରୀ ନାରୀରେ ପରିଣତ ହୋଇଗଲା ।
ତାପରେ ସେ ନାରୀ ନିଜର ପରିଚୟ ଦେଇ କହିଲା, ମୁଁ ଜଣେ ଅପସରୀ । ଥରେ ଜଣେ ତପସ୍ୱୀଙ୍କୁ ମୁଁ ଓ ଅନ୍ୟ ଚାରି ଅପସରୀ ବାନ୍ଧବୀ ମଜାରେ ମଜାରେ ହଇରାଣ କରିଥିଲୁ। ଆମେ ଆମମାନଙ୍କ ସୌନ୍ଦର୍ଯ୍ୟରେ ତପସ୍ୱୀଙ୍କ ତପ ଭଙ୍ଗ କରିବାକୁ ଚେଷ୍ଟା କଲୁ । ସେଥିପାଇଁ ସେ ତପସ୍ୱୀ କ୍ରୋଧରେ ଆମ ପାଞ୍ଚ ଅପସରୀଙ୍କୁ କୁମ୍ଭିରିଣୀ ହେବାର ଅଭିଶାପ ଦେଇଥିଲେ । ଆମେମାନେ କ୍ଷମା ପାର୍ଥନା କଲାପରେ ସେ ଶାନ୍ତ ହୋଇ କହିଥିଲେ, ବୀର ଧନଞ୍ଜୟ ଦିନେ ଏଇ ତୀର୍ଥକୁ ନିଶ୍ଚୟ ଆସିବେ ଓ ତାଙ୍କ ଦ୍ୱାରା ତୁମେ ସବୁ ଶାପ ମୁକ୍ତ ହେବ । ତାପରେ ଅର୍ଜୁନ ଅନ୍ୟ ଚାରି ଅପସରୀଙ୍କୁ ମଧ୍ୟ ଶାପ ମୁକ୍ତ କରିସାରି ଅନ୍ୟ ଏକ ତୀର୍ଥ ସନ୍ଧାନରେ ଚାଲିଗଲେ ।
ଅନେକ ଦିନ ଧରି ଅର୍ଜୁନଙ୍କ ସହ କୃଷ୍ଣଙ୍କର ଦେଖା ହୋଇନଥିଲା । କୃଷ୍ଣ ପାଣ୍ଡବ ପରିବାରକୁ ଦେଖା କରିବାକୁ ଥରେ ଖାଣ୍ଡବପ୍ରସ୍ଥରେ ପହଞ୍ଚିଲେ । ସେଠି ପହଞ୍ଚି ଖବର ପାଇଲେ ଅର୍ଜୁନ ବନବାସରେ। ତେଣୁ କୃଷ୍ଣ ଭାବିଲେ ବନ୍ଧୁ ଅର୍ଜୁନଙ୍କୁ ଜଙ୍ଗଲରେ ଯାଇ ଥରେ ଦେଖାକରିବେ ।
ଅର୍ଜୁନ ସେତେବେଳକୁ ମଣିଭଦ୍ରା ପର୍ବତରେ ଥାଆନ୍ତି । ସେଦିନ ଏକ ବିରାଟ ବରଗଛ ତଳ ପଥର ମୁଣ୍ଡିଆରେ ବସି ଏକ ଧ୍ୟାନରେ ତାଙ୍କ ଧନୁ ଓ ତୀରକୁ ସଜ କରୁଥା'ନ୍ତି । କୃଷ୍ଣ ଯାଇଁ ପହଞ୍ଚି ଦେଖିଲେ, ସଖା ତାଙ୍କର ଅସ୍ତ୍ର ସଜାଇବାରେ ବ୍ୟସ୍ତ । ସିଧା ସଳଖ ଅର୍ଜୁନଙ୍କ ସାମ୍ନାକୁ ନଆସି ଟିକେ ମଜା କରିବାକୁ ଚକ୍ରଧର ତାଙ୍କ ବେଶ ବଦଳାଇଦେଲେ । କେହି କେବେ ଚିନ୍ତା କରିନଥିବା ଓ ଦେଖିନଥିବା ଅଜବ ରୂପ ଗୋଟେ ଧରିଲେ । କୁକୁଡାର ମୁଣ୍ଡ, ମୟୁରର ବେକ, ବୃଷଭର କୁଜ, ସାପର ଲାଞ୍ଜ, ସିଂହର କଟି । ପଛ ପଟର ଗୋଟେ ଗୋଡ ବାଘର ଓ ଗୋଟେ ଗୋଡ ଘୋଡାର। ଆଗର ଗୋଟେ ଗୋଡ ହାତୀର ଓ ଅନ୍ୟଟି ମଣିଷର ହାତ । ହାତରେ ପଦ୍ମ ଫୁଲ ।
ଏମିତି ରୂପ ଧରି କୃଷ୍ଣ ଯାଇଁ ଅର୍ଜୁନଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହିଁଲେ । ହେଲେ ଅର୍ଜୁନଙ୍କ ଧ୍ୟାନ ଭାଙ୍ଗୁନଥାଏ । କୃଷ୍ଣ ଅନେକ ପ୍ରକାର ନୃତ୍ୟ ଭଙ୍ଗୀ ଓ ଶବ୍ଦ କଲାପରେ ଅର୍ଜୁନ ଦେଖିଲେ ତାଙ୍କ ଆଗରେ ଏକ ଅପୂର୍ବ ଜୀବ ନୃତ୍ୟ କରୁଛି । ଏତେ ବର୍ଷ ଧରି ଏତେ ଅଞ୍ଚଳ ଓ ଏତେ ପାହାଡ ଜଙ୍ଗଲ ବୁଲିଲା ପରେ ବି ତାଙ୍କ ଆଖିରେ ଏମିତିକା ଅଭିନବ ନବଗୁଞ୍ଜର କେବେବି ପଡିନଥିଲା । ଇଏ କ'ଣ ସତରେ ଏକ ଜୀବ ନା କିଏ ମାୟା ଭିଆଣ କରିଛି? କିଏ ତେବେ ଏମିତିକା ରୂପ ଧରିଛି? କୋଉ ମାୟାବୀ ରାକ୍ଷସ ନା ସ୍ୱୟଂ ମାୟାଧର କୃଷ୍ଣ ? ସଖା କ'ଣ ତେବେ ଏମିତି ରୂପ ଧରି ମୋତେ ଭେଟିବାକୁ ଆସିଛନ୍ତି କି?
ଅର୍ଜୁନଙ୍କ ମନରେ ଅନେକ ପ୍ରଶ୍ନ । ଶେଷରେ ସେ ଭାବିଲେ ଯାଉଛି ଏ ମାୟାବୀ ଆଗରେ ଲମ୍ବ ହୋଇ ଶୋଇପଡିବି । ଯଦି କେହି ହିତାକାଂକ୍ଷୀ ହୋଇଥାଏ ଭଲକଥା, ଯଦି କୌଣସି ମାୟାବୀ ହୋଇଥିବ ଏଇକ୍ଷଣି ଭଷ୍ମ ହୋଇଯା କହି ଅର୍ଜୁନ ମାଟିରେ ଶୋଇପଡିଲେ ।
ଏବେ କୃଷ୍ଣ ଆଉ କ'ଣ କରିଥା'ନ୍ତେ । ଛଦ୍ମବେଶ ପରିହାର କରି ସ୍ୱରୂପ ଧରିଲେ ଓ ଅର୍ଜୁନଙ୍କୁ ତଳୁ ଉଠେଇ ଆଲିଙ୍ଗନ କଲେ । ଦୁଇ ବନ୍ଧୁ କିଛି ସମୟ ଭଲ ମନ୍ଦ କଥା ହେଲେ । କୃଷ୍ଣଙ୍କ ପାଖରୁ ଅର୍ଜୁନ ନିଜ ଅନ୍ୟ ଚାରି ଭାଇ, ମାଆ କୁନ୍ତୀ ଓ ପତ୍ନୀ ଦ୍ରୌପଦୀଙ୍କ ଖବର ପଚାରି ବୁଝିଲେ । କୃଷ୍ଣ ଅର୍ଜୁନଙ୍କୁ ତାଙ୍କ ସାଙ୍ଗରେ ଦ୍ୱାରକା ଯିବାକୁ ଡାକୁଥିଲେ, କିନ୍ତୁ ଅର୍ଜୁନଙ୍କର ବନବାସ ସମୟ ସରିନଥିଲା । ତେଣୁ ତାଙ୍କୁ ଏକା ଛାଡିଦେଇ କୃଷ୍ଣ ଦ୍ୱାରକା ଲେଉଟିଗଲେ । କୃଷ୍ଣଙ୍କ ନିମନ୍ତ୍ରଣ ରକ୍ଷା କରିବାକୁ ଅର୍ଜୁନ କଥା ଦେଲେ ଯେ ତାଙ୍କ ବନବାସର ଅବଧି ଶେଷ ହେଲାପରେ ସେ ନିଶ୍ଚୟ ଯାଇଁ ଦ୍ୱାରକାରେ ପହଞ୍ଚିବେ ।