Mahabharat Story: ଗାଈ ଚୋରି କରି ଅଭିଶାପ ପାଇଥିବା ଆଠ ଭାଇ ଓ ପୃଥିବୀକୁ ପୁଣି ଫେରି ଆସିଥିବା ଜଣେ ରାଜାଙ୍କ କାହାଣୀ

କାହିଁକି ସ୍ୱର୍ଗ ଯାଇଥିବା ରାଜା ପୁଣି ଫେରିଲେ ପୃଥିବୀକୁ? କାହା ଗାଈ ଚୋରି କରି ଅଷ୍ଟ ବାସୁ ଅଭିଶାପ ପାଇଲେ? କାହିଁକି ଜଣେ ମା ରାଜି ହେଲା ତା'ର ପୁଅମାନଙ୍କୁ ଜନ୍ମ ପରେ ନିଜ ହାତରେ ମାରିଦେବ? ଜାଣିବା ପାଇଁ ପଢନ୍ତୁ ଆଜିର ଅଧ୍ୟାୟ ।

mahabharat story

ସର୍ପ ଯଜ୍ଞର ପରିବେଶ ଭିତରେ ରାଜା ଜନ୍ମେଜୟଙ୍କୁ ତାଙ୍କ ବଂଶଧରଙ୍କ କାହାଣୀ କହିବା ଆରମ୍ଭ କଲେ ବୌଶଂପାୟନ ।

ବୌଶଂପାୟନ ଗପିଲେ-

ଇକ୍ଷକୁ ବଂଶରେ ମହାଭିଷ ନାମରେ ଜଣେ ମହାନ ଧର୍ମପରାୟଣ ରାଜା ଥିଲେ । ସେ ହଜାରେ ଅଶ୍ୱମେଧ ଯଜ୍ଞ କରିଥିଲେ । ଜୀବଦଶାରେ ଅର୍ଜନ କରିଥିବା ନିଜର ପୂଣ୍ୟ ବଳରେ ଦେବତାମାନଙ୍କୁ ସନ୍ତୁଷ୍ଟ କରି ସେ ଦିନେ ସ୍ୱର୍ଗକୁ ଗଲେ । ସ୍ୱର୍ଗରେ ପହଞ୍ଚି ଦେବସଭାରେ ଅପସରାମାନଙ୍କର ନୃତ୍ୟ, ଗନ୍ଧର୍ବମାନଙ୍କର ସ୍ୱର୍ଗୀୟ ସଙ୍ଗୀତ, ଅନ୍ୟ ଦେବା ଦେବୀମାନଙ୍କର ସାନିଧ୍ୟ ଆଦି ସ୍ୱର୍ଗର ସମସ୍ତ ସୁଖ ସୌନ୍ଦର୍ଯ୍ୟ ଉପଭୋଗ କଲେ ମହାଭିଷ ।

ଥରେ ପିତାମହ ବ୍ରହ୍ମାଙ୍କୁ ସାକ୍ଷାତ କରିବାକୁ ଦେବତାମାନେ ଯାଇଥାନ୍ତି । ସେଦିନ ପିତାମହଙ୍କୁ ସାକ୍ଷାତ କରିବାକୁ ଯାଇଥିବା ଅନ୍ୟ ରାଜର୍ଷି ଓ ଦେବତାମାନଙ୍କ ଗହଣରେ ମହାଭିଷ ମଧ୍ୟ ଥାଆନ୍ତି । ସେତିକିବେଳେ ପୂଣ୍ଣ୍ୟତୋୟା ଗଙ୍ଗା ନଦୀ ମଧ୍ୟ ବ୍ରହ୍ମାଙ୍କୁ ସମ୍ମାନ ଜଣାଇବାକୁ ପହଞ୍ଚିଥାନ୍ତି । ସେଇଠି ହଠାତ୍ ପବନ ଯୋଗୁଁ ଗଙ୍ଗାଙ୍କ ଛାତିରୁ ଲୁଗା ଖସିଗଲା । ଉପସ୍ଥିତ ଦେବତାମାନେ ଏମିତି ଏକ ଅପ୍ରିତୀକର ପରିସ୍ଥିତିରେ ଚୁପଚାପ ମଥାନତ କରି ଛିଡା ହୋଇଗଲେ । କିନ୍ତୁ ଦିବ୍ୟ ସୁନ୍ଦରୀ ଗଙ୍ଗାଙ୍କ ଶାରିରୀକ ସୌନ୍ଦର୍ଯ୍ୟରୁ ନିଜ ଆଖି ଖସେଇ ପାରିଲେନି ରାଜର୍ଷି ମହାଭିଷ । କଥାଟି କିନ୍ତୁ ବ୍ରହ୍ମାଙ୍କ ଆଖିରୁ ବାଦ ଗଲାନି । ସେ ମହାଭିଷଙ୍କୁ ଅଭିଶାପ ଦେଲେ ଯେ, ଏପରି ସାଧାରଣ ମଣିଷ ପରି ବ୍ୟବହାର ପାଇଁ ତାଙ୍କୁ ପୁଣିଥରେ ପୃଥିବୀକୁ ଫେରିଯିବାକୁ ହେବ। ଆଉଥରେ ମଣିଷ ଭାବରେ ଜନ୍ମ ନେବାକୁ ହେବ ।

ଅଭିଶାପ ପାଇଲା ପରେ ମହାଭିଷ ଭାବିଲେ ଯଦି ତାଙ୍କୁ ପୁଣି ମଣିଷ ଭାବରେ ଜନ୍ମ ନେବାକୁ ହେବ, ତେବେ ସେ ଏବେ କାହା ପାଖରୁ ଜନ୍ମ ନେବେ? ସେତେବେଳେ ଧରାପୃଷ୍ଠରେ ପୁରୁଙ୍କ ବଂଶରେ ପ୍ରତୀପ ନାମରେ ଜଣେ ରାଜା ଶାସନ କରୁଥିଲେ । ତେଣୁ ମହାଭିଷ ସେତବେଳର ଶ୍ରେଷ୍ଠ ନରପତି ପ୍ରତୀପଙ୍କୁ ତାଙ୍କ ବାପା ଭାବରେ ବାଛିଲେ । ଗଙ୍ଗାଙ୍କ ସ୍ୱର୍ଗୀୟ ସୁଷମା ଦେଖି ମହାଭିଷଙ୍କ ସଞ୍ଜମତା ଭଙ୍ଗ ଓ ବ୍ରହ୍ମାଙ୍କ ଅଭିଶାପ ପରେ ଗଙ୍ଗା ମଧ୍ୟ ସେଠାରୁ ବାହାରି ଚାଲିଗଲେ । ବାଟରେ ଗଙ୍ଗା ଅତ୍ୟନ୍ତ ମ୍ରିୟମାଣ ଓ ଦୁଃଖି ଅବସ୍ଥାରେ ସ୍ୱର୍ଗର ବସୁମାନଙ୍କୁ ଦେଖିଲେ । ସେମାନଙ୍କ ଅବସ୍ଥା ଦେଖି ଗଙ୍ଗା ପଚାରିଲେ କଥା କ'ଣ? ତୁମେମାନେ ଏତେ ଦୁଃଖୀ ଓ ଉଦାସ କାହିଁକି ଦିଶୁଛ?

ଆଠ ବସୁ କହିଲେ ସେମାନେ ଏବେ ଅଭିଶପ୍ତ । ସେମାନଙ୍କ କୃତକର୍ମ ପାଇଁ ଋଷି ବଶିଷ୍ଠ ଆମମାନଙ୍କୁ ଅଭିଶାପ ଦେଇଛନ୍ତି ପୃଥିବୀରେ ଯାଇଁ ମନୁଷ୍ୟ ଜନ୍ମ ନେବାକୁ । କିନ୍ତୁ ଆମମାନଙ୍କ ଜନ୍ମ ପାଇଁ ଆମେ କୌଣସି ଉପଯୁକ୍ତ ଗର୍ଭ ପାଉନୁ । ଆମେ କୌଣସି ସାଧାରଣ ଗର୍ଭରେ ଆଶ୍ରୟ ନେବାକୁ ଚାହୁଁନୁ । ତୁମକୁ ଦେଖି ଆମମାନଙ୍କ ମନରେ ଆଶାର କିରଣ ଦିଶୁଛି । ତୁମକୁ ଅନୁରୋଧ କରୁଛୁ ତୁମେ ଆମର ମା ହୋଇ ଆମମାନଙ୍କୁ ତୁମର ଦିବ୍ୟ ଗର୍ଭରେ ଧାରଣ କର ଓ ଜନ୍ମ ଦିଅ ।

ବସୁମାନେ ତାପରେ ଗଙ୍ଗାଙ୍କୁ ସେମାନଙ୍କ ଅଭିଶାପର କାହାଣୀ କହିଲେ । ମହାନ ଋଷି ବଶିଷ୍ଠ ମେରୁ ପର୍ବତ ପାଖରେ ତାଙ୍କର ଆଶ୍ରମ ସ୍ଥାପନା କରି ତପସ୍ୟା କରୁଥାନ୍ତି । ତାଙ୍କ ପାଖରେ ଥାଆନ୍ତି ସୁରଭୀ ଓ କଶ୍ୟପଙ୍କ କନ୍ୟା କାମଧେନୁ ନାମକ ଗାଈ । କାମଧେନୁଙ୍କର ବାଛୁରିଟେ ମଧ୍ୟ ଥାଏ । ତା'ର ନାମ ଦିଆ ଯାଇଥାଏ ନନ୍ଦିନୀ । କାମଧେନୁଙ୍କୁ ଯାହା ମାଗିଲେ ବି ମନସ୍କାମନା ପୁରଣ ହୋଇପାରୁଥିଲା । ଅମୃତ ତୁଲ୍ୟ କାମଧେନୁଙ୍କର କ୍ଷୀର ପାନ କଲେ ଜଣେ ନିରୋଗ ହୋଇ ଅନେକ ବର୍ଷ ବଞ୍ଚି ପାରୁଥିଲା ।

ଇନ୍ଦ୍ରଙ୍କ ସହଯୋଗୀ ଆଠ ଜଣ ବସୁ ସମଗ୍ର ବ୍ରହ୍ମାଣ୍ଡର ପ୍ରକୃତିକୁ ଦେଖାରଖା କରନ୍ତି । ଦିନେ ଦେବଲୋକର ସେହି ବସୁମାନେ ସେମାନଙ୍କ ପତ୍ନୀମାନଙ୍କୁ ଧରି ବଶିଷ୍ଠଙ୍କ ଆଶ୍ରମ ଥିବା ମେରୁ ପର୍ବତ ପାଖ ସେଇ ଜଙ୍ଗଲକୁ ବୁଲିବାକୁ ଆସିଥାନ୍ତି । ଏମିତି ବୁଲୁଥିବା ବେଳେ ପ୍ରଭାସ ନାମକ ଜଣେ ବସୁଙ୍କ ପତ୍ନୀ ସେ ଦିବ୍ୟ ଗାଈ କାମଧେନୁ ଓ ତା' ପଛରେ ବୁଲୁଥିବା ସାନ ବାଛୁରୀ ନନ୍ଦିନୀକୁ ଦେଖିଦେଲେ । ଏତେ ସୁନ୍ଦର ଗାଈର ସୌନ୍ଦର୍ଯ୍ୟ ଦେଖି ସେ ପ୍ରଥମେ ମୁଗ୍ଧ ହେଇଗଲେ । ତାପରେ କାମଧେନୁର ଗୁଣ ଗାରିମା ଜାଣିଲା ପରେ ଭାବିଲେ ଏ ଗାଈଟି ଆଉ ତା'ର ବାଛୁରୀ ମୋର ଦରକାର । ତାପରେ ସେ ତାଙ୍କ ସ୍ୱମୀ ପ୍ରଭାସଙ୍କୁ ଅନୁରୋଧ କଲେ ଯେ ତାଙ୍କର ଏ ସୁନ୍ଦର ରୂପର, ଗୁଣର ଗାଈଟି ଯେମିତିହେଲେ ଦରକାର । କାରଣ ଗାଈ ଓ ବାଛୁରୀକୁ ନେଇ ସେ ତାଙ୍କର ଜଣେ ରାଜକୁମାରୀ ବାନ୍ଧବୀ ଅଛନ୍ତି ତାଙ୍କୁ ଉପହାର ଭାବରେ ସମର୍ପଣ କରିବେ । ଫଳରେ ତାଙ୍କ ବାନ୍ଧବୀ ଏହି ଗାଈର କ୍ଷୀର ପିଇ ରୋଗ, କଷ୍ଟ ଓ ବାର୍ଦ୍ଧକ୍ୟରୁ ମୁକ୍ତ ହୋଇ ପାରିବ ଓ ଅନେକ ବର୍ଷ ବଞ୍ଚିପାରିବ ପାରିବ ।

କାମଧେନୁ ଋଷି ବଶିଷ୍ଠଙ୍କ ଗାଈ ବୋଲି ଜାଣି ବି ପତ୍ନୀଙ୍କ ଅନୁରୋଧ ଏଡାଇ ନପରି ପ୍ରଭାସ ନାମକ ବସୁ ତାଙ୍କର ଅନ୍ୟ ଭାଇମାନଙ୍କ ସହଯୋଗରେ କାମଧେନୁ ଓ ନନ୍ଦିନୀଙ୍କୁ ଚୋରେଇ ନେଲେ । ସେଦିନ ସନ୍ଧ୍ୟାରେ ମହର୍ଷି ବଶିଷ୍ଠ ତାଙ୍କ ଆଶ୍ରମକୁ ଫେରିଲା ପରେ ଜାଣିଲେ ସକାଳୁ ଜଙ୍ଗଲକୁ ଚରିବାକୁ ଯାଇଥିବା ତାଙ୍କ ପ୍ରିୟ କାମଧେନୁ ଓ ନନ୍ଦିନୀ ଆଶ୍ରମ ଫେରିନାହାଁନ୍ତି । ଋଷି ପ୍ରଥମେ ତାଙ୍କ ଶିଷ୍ୟମାନଙ୍କ ସହ ମିଶି ସେମାନଙ୍କୁ ଆଖ ପାଖ ଜଙ୍ଗଲରେ ଖୋଜିଲେ ଓ ନପାଇଲାରୁ ନିଜର ଦିବ୍ୟ ଦୃଷ୍ଟି ବଳରେ ଜାଣିପାରିଲେ ଯେ, ଦେବଲୋକର ବସୁମାନେ ଜଙ୍ଗଲ ଭିତରକୁ ବୁଲି ଆସିଥିଲେ ଓ ସେଇମାନେ ହିଁ ତାଙ୍କ ଗାଈ ଓ ବାଛୁରୀକୁ ଚୋରେଇ ନେଇଛନ୍ତି । ସତ କଥା ଜାଣିଲା ପରେ ବଶିଷ୍ଠ ମହର୍ଷି ଭୀଷଣ ରାଗିଗଲେ ଓ ତୁରନ୍ତ ବସୁମାନଙ୍କୁ ଅଭିଶାପ ଦେଲେ । ଅଭିଶାପ ଦେଇ କହିଲେ ମୋ ଗାଈ ବାଛୁରୀ ଚୋରୀ କରିଥିବା ବସୁମାନେ ମନୁଷ୍ୟ ରୂପରେ ଜନ୍ମ ପାଇବେ ଓ ପୃଥିବୀକୁ ଆସି ସାଧାରଣ ମଣିଷ ପରି ଦୁଃଖ କଷ୍ଟ ଭୋଗ କରିବେ ।

ବସୁମାନଙ୍କୁ ମହର୍ଷି ବଶିଷ୍ଠଙ୍କ କ୍ରୋଧ ଓ ଅଭିଶାପ ଅଛପା ରହିଲାନି । ସେମାନେ ଭୟାତୁର ହୋଇ ତୁରନ୍ତ ଋଷିଙ୍କ ପାଖରେ ପହଞ୍ଚି ଦୋଷ ସ୍ୱୀକାର କଲେ ଓ ଅନୁତପ୍ତ ହୋଇ ଅଭିଶାପକୁ ପ୍ରତ୍ୟାହାର କରିବାକୁ ଅନୁରୋଧ କଲେ । ବଶିଷ୍ଠ କହିଲେ ତାଙ୍କ ଅଭିଶାପ ଆଉ ଫେରିପାରିବନି । ଯେ କୌଣସି ଉପାୟରେ ବସୁମାନଙ୍କୁ ସେମାନଙ୍କ କଲା କର୍ମର ଫଳ ଅବଶ୍ୟ ଭୋଗ କରିବାକୁ ହେବ । ତେବେ ଏତିକି ଉପାୟ କରାଯାଇ ପାରିବ, ବସୁ ପ୍ରଭାସଙ୍କୁ ଛାଡି ଅନ୍ୟ ସାତ ବସୁଙ୍କର ଗୋଟେ ବର୍ଷ ଭିତରେ ଶାପମୋଚନ ହେବ ଓ ସେମାନେ ଦେବଲୋକକୁ ଫେରିଯାଇ ପାରିବେ । ଯେହେତୁ ପ୍ରଭାସ ତାଙ୍କ ପତ୍ନୀଙ୍କ କଥାରେ ପଡି କାମଧେନୁ ଓ ନନ୍ଦିନୀକୁ ଚୋରି କରିବାର ବୁଦ୍ଧି ପାଞ୍ଚିଥିଲେ, ସେଥିପାଇଁ କେବଳ ତାଙ୍କୁ ହିଁ ଅନେକ ବର୍ଷଧରି ଏ ପୃଥିବୀରେ ରହିବାକୁ ପଡିବ । ଅବଶ୍ୟ ପ୍ରଭାସ ଜଣେ ଧର୍ମପରାୟଣ ପ୍ରସିଦ୍ଧ ଯୋଦ୍ଧା ଭାବରେ ପରିଚୟ ପାଇବେ ।

ଗଙ୍ଗା ବସୁମାନଙ୍କ ଅନୁରୋଧ ଓ ଅଭିଶାପ ପଛର ସବୁ ଘଟଣା ଶୁଣି ସାରି ଟିକେ ଭାବିଲେ ଓ କହିଲେ ଠିକ ଅଛି ତୁମମାନଙ୍କ ଅନୁରୋଧ ମୁଁ ନିଶ୍ଚୟ ରକ୍ଷା କରିବି । କିନ୍ତୁ ତୁମମାନଙ୍କ ବାପା କିଏ ହେବ? କାହାକୁ ସ୍ୱାମୀ ଭାବରେ ମୁଁ ପୁଣି ବରଣ କରିବି? ତୁମେମାନେ ମୋ ଗର୍ଭରୁ ଜନ୍ମ ନେବ ଠିକ ଅଛି , କିନ୍ତୁ କାହା ଔରସରୁ ଜନ୍ମ ନେବ ଠିକ୍ କରିଛ କି? ବସୁମାନେ ଆଗରୁ ସବୁ କିଛି ଭାବିକରି ରଖିଥିଲେ । ସେମାନେ ସାଙ୍ଗେ ସାଙ୍ଗେ କହିଲେ ବ୍ରହ୍ମାଙ୍କ ଠାରୁ ଅଭିଶାପ ପାଇ ରାଜର୍ଷି ମହାଭିଷ ଏବେ ରାଜା ପ୍ରତୀପଙ୍କ ଔରସରୁ ମନୁଷ୍ୟ ଜନ୍ମ ନେବେ । ସେ ପ୍ରତୀପଙ୍କ ପରେ ଦେଶର ରାଜା ହେବେ । ଆମେ ସେହି ପ୍ରତୀପଙ୍କ ପୁତ୍ରଙ୍କୁ ହିଁ ବାପା ଭାବରେ ଠିକ କରିଛୁ । ବସୁମାନଙ୍କ ପ୍ରସ୍ତାବ ଶୁଣି ଗଙ୍ଗା କହିଲେ ହଁ ମୁଁ ବି ସେଇଆ ଭାବୁଥିଲି । ଗଙ୍ଗା ମନେ ପକାଇଲେ କିଛି ସମୟ ଆଗରୁ ବ୍ରହ୍ମାଙ୍କ ସାମ୍ନାରେ ପବନ ଯେତେବେଳେ ତାଙ୍କ ବକ୍ଷର ଲୁଗା ଖସେଇଦେଲେ ସେତେବେଳେ ତାଙ୍କୁ କେମିତି ଚାହିଁ ରହିଥିଲେ ମହାଭିଷ । ମୁହୂର୍ତ୍ତଟେ ପାଇଁ ହେଉ ପଛେ ମହାଭିଷଙ୍କ ଚାହାଣୀରେ ତାଙ୍କ ମନ ବି ସେତିକିବେଳେ କୋଉଠି ଟିକିଏ ଚହଲି ଯାଇଥିଲା ।

ବାପା ମାଆ କିଏ ହେବେ ତାହା ଠିକ୍ ହେଲାପରେ ଆଠ ବସୁ ଗଙ୍ଗାଙ୍କ ଆଗରେ ଏକ ଅଜବ ସର୍ତ୍ତ ରଖିଲେ । କହିଲେ ଆମମାନଙ୍କୁ ମନୁଷ୍ୟ ଜନ୍ମ ନେବାକୁ ଅଭିଶାପ ମିଳିଛି ସତ, କିନ୍ତୁ ସେ ଜୀବନକୁ ଆମେ ଲମ୍ବା ନକରି ସଂକ୍ଷିପ୍ତ କରିବାକୁ ଚାହୁଁଛୁ । ଅଭିଶାପ ପରେ ଆମମାନଙ୍କ ପ୍ରାର୍ଥନା ପରେ ଋଷିବର ବଶିଷ୍ଠ ବି ସେପରି ଆଶୀର୍ବାଦ ଦେଇଛନ୍ତି ।

ବସୁମାନଙ୍କ ଏପରି ବୁଲା ବଙ୍କା କଥା ଶୁଣି ଗଙ୍ଗା ପ୍ରଥମେ କିଛି ବୁଝିପାରିଲେନି । ତେଣୁ ବସୁମାନେ ତାଙ୍କୁ ଏଥର ବୁଝାଇ କହିଲେ । ମା ଭାବରେ ଗଙ୍ଗା ସେମାନଙ୍କୁ ଦଶ ମାସ ଦଶ ଦିନ ଗର୍ଭରେ ରଖି ଜନ୍ମ ତ ଦେବେ । କିନ୍ତୁ ଜନ୍ମ ପରେ ସେମାନଙ୍କୁ ଗୋଟି ଗୋଟି କରି ସେଇ ଶିଶୁ ଅବସ୍ଥାରେ ହିଁ ନଦୀ ଗର୍ଭକୁ ଫିଙ୍ଗିଦେବେ । ଫଳରେ ଜନ୍ମ ପରେ ପରେ ସେମାନେ ମୃତ୍ୟୁ ଲଭି ପୁଣି ସ୍ୱର୍ଗଲୋକକୁ ତୁରନ୍ତ ଫେରି ଆସିବେ । ତେଣୁ ସେମାନଙ୍କୁ ଆଉ ମଣିଷ ଭାବରେ ଜନ୍ମ ଓ ମୃତ୍ୟୁ ଛଡା ଅନ୍ୟ କିଛି ମାନବୀୟ ଦୁଃଖ- କଷ୍ଟ, ରୋଗ-ଶୋକ କିମ୍ବା ଜରା ଭୋଗିବାକୁ ପଡିବନି । କେବଳ ମାତ୍ର ଜଣେ ବସୁ ପ୍ରଭାସ ହିଁ ମଣିଷ ଭାବରେ ପୃଥିବୀରେ ରହିବେ । ଆମେ ଅନ୍ୟ ବସୁମାନେ ତାଙ୍କୁ ଆମ ଶକ୍ତିର ଆଠ ଭାଗରୁ ଭାଗେ କରି ପ୍ରଦାନ କରିବୁ । ଧରାଧାମରେ ଅନକେ ବର୍ଷ ପ୍ରଭାସ ରହିଲେ ବି ତାଙ୍କର କୌଣସି ସନ୍ତାନ ସନ୍ତତି ହେବେନି । ଜଣେ ବୀର ଯୋଦ୍ଧା ଓ ଧର୍ମଧାରୀ ଭାବରେ ତାଙ୍କର ପ୍ରଚଣ୍ଡ ପ୍ରତିଷ୍ଠା ଓ ପରିଚୟ ରହିବ ।

ବସୁମାନଙ୍କ କଥାରେ ଗଙ୍ଗା ରାଜି ହେଲେ । ବସୁମାନେ ବି ଏବେ ଆନନ୍ଦିତ । ସେମାନଙ୍କୁ ଧରାଧାମରେ ଜନ୍ମ ନେବା ପାଇଁ ଉପଯୁକ୍ତ ବାପା ଓ ମା ମିଳିଗଲେ । ଖୋଜୁଥିବା ପବିତ୍ର ଗର୍ଭ ମିଳିଗଲା । କେବଳ ପ୍ରଭାସ ମନେ ମନେ ଭାବୁଥିଲେ ଅନ୍ୟ ବସୁ ଭାଇମାନେ ତାଙ୍କୁ ଛାଡି ଚାଲିଆସିଲା ପରେ ପୃଥିବୀରେ ତାଙ୍କୁ ଏକା ଏକା, ଏକ ଲମ୍ବା ଜୀବନ କିନ୍ତୁ ବଞ୍ଚିବାକୁ ହେବ ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)