Mahabharat Story: ଜୁଆ ଖେଳରେ ନିଜ ଭାଇ ଓ ସ୍ତ୍ରୀକୁ ବାଜି ରଖି ହାରିଥିବା ଜଣେ ରାଜାଙ୍କ କାହାଣୀ 

କାହିଁକି ଜଣେ ମହାନ ରାଜା ଜୁଆ ଖେଳିବାକୁ ରାଜି ହେଲେ? କ'ଣ ହେଲା ତା'ର ପରିଣାମ? କେମିତି ପୁଣି ସେ ରାଜା ନିଜ ଚାରି ଭାଇ, ନିଜକୁ ଓ ଶେଷରେ ନିଜ ସ୍ତ୍ରୀକୁ ବି ଖେଳରେ ହାରିଲେ? କ'ଣ ପାଇଁ ସେଠି ଉପସ୍ଥିତ ଥିବା ଜ୍ଞାନୀ ଗୁଣୀ ଲୋକମାନେ କେହି କିଛି ନକହି ଚୁପ ରହିଲେ ? ଏଇ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଏଇ ଅଧ୍ୟାୟ ।

ମହାଭାରତ କଥା

ପଶା ଖେଳ ଆରମ୍ଭ ହେଲା । ପ୍ରଥମ ବାଜି ପରେ କଥା ହେଲା କିଛି ଦ୍ରବ୍ୟ ପଣ ଭାବରେ ରଖାଯାଉ । କିଛି ପଣ ନରହିଲେ ହାର ଜିତର କିଛି ଆନନ୍ଦ ଆସୁନି । ତେଣୁ ଉଭୟ ପକ୍ଷର ସମ୍ମତିରେ ପ୍ରଥମେ ସାମାନ୍ୟ କିଛି ଅଳଙ୍କାର ରଖାଗଲା । ଶକୁନି ପଶାକାଠି ଗଡେଇ ନିର୍ଭୁଲ ଦାନ ଚଳେଇ ସେତକ ଅତି ସହଜରେ ହାସଲ କରିନେଲେ । ତାପରେ ଖେଳ ଆଗକୁ ବଢିଲା । ପର ପର ବାଜିରେ ଧନ ରତ୍ନ, ରଥ, ଘୋଡା, ଦାସ - ଦାସୀ, ସୈନ ସାମନ୍ତଙ୍କୁ ପଣ ଭାବରେ ରଖାଗଲା । ଗୋଟେ ପରେ ଗୋଟେ ବାଜି ଯୁଧିଷ୍ଠିର ହାରୁଥା'ନ୍ତି ଓ ପଣ ଦ୍ରବ୍ୟତକ ହରାଉଥାନ୍ତି । 

ଉପସ୍ଥିତ ସଭାସଦମାନେ ଜାଣୁଥିଲେ ପରିସ୍ଥିତି ଗମ୍ଭୀର ଦିଗକୁ ଯାଉଛି । ବିଦୂର ତାଙ୍କ ଆସନରୁ ଉଠି ଠିଆ ହେଲେ ଓ ରାଜା ଧୃତରାଷ୍ଟ୍ରଙ୍କ ଉଦ୍ଦେଶ୍ୟରେ କହିଲେ, ମହାରାଜ! ଆପଣ ଆଦେଶ ଦେଇ ତୁରନ୍ତ ଏ ଦ୍ୟୁତ କ୍ରୀଡାକୁ ବନ୍ଦ କରନ୍ତୁ । ଇର୍ଷା, ଲୋଭ ଓ କପଟତାରେ ଦୁର୍ଯ୍ୟୋଧନ ଓ ଶକୁନି ପାଣ୍ଡବମାନଙ୍କୁ ଘେରିବାକୁ ବସିଛନ୍ତି । ପାଣ୍ଡବମାନଙ୍କୁ ହରାଇ ଆପଣଙ୍କୁ ବହୁତ କିଛି ମିଳିବନି। ବରଂ ସେମାନେ କୁରୁବଂଶ ପାଇଁ ନିଶ୍ଚିନ୍ତ ବିପଦକୁ ଡାକିଆଣୁଛନ୍ତି । ମୁଁ ଜାଣେ ଆପଣ ଦୁର୍ଯ୍ୟୋଧନଙ୍କୁ କିଛି କହିବେନି ତଥାପି ଆପଣଙ୍କ ବିଶ୍ୱସ୍ଥ ପରାମର୍ଶଦାତା ଓ ହସ୍ତିନାପୁରର ହିତାକାଂକ୍ଷୀ ଭାବରେ ମୋ କହିବା କଥା ମୁଁ କହୁଛି । ଦୁର୍ଯ୍ୟୋଧନଙ୍କ ପାଇଁ ଖେଳରେ ବସିଥିବା ଶକୁନିଙ୍କ ଜୟରେ ଆପଣ ଏବେ ସିନା ଖୁସି ହେଉଛନ୍ତି କିନ୍ତୁ ମନେରଖନ୍ତୁ ଭବିଷ୍ୟତରେ ଏଇଥିପାଇଁ ଅନେକ ଦୁଃଖ ଭୋଗ କରିବାକୁ ପଡିବ । 

ବିଦୁରଙ୍କ କଥା ଶୁଣି ଦୁର୍ଯ୍ୟୋଧନ ଭୀଷଣ ଭାବରେ ରାଗିଗଲେ। ବଡ ପାଟି କରି କହିଲେ, ବିଦୁର କେବେବି ଆମମାନଙ୍କୁ ପସନ୍ଦ କରନ୍ତିନି । ପାଣ୍ଡବମାନେ ତାଙ୍କର ପ୍ରିୟ ଲୋକ । କୁରୁ ରାଜାଙ୍କ ଦ୍ୱାରା ପ୍ରତିପାଳିତ ହୋଇ ବି ଦେଖ ସେ କେମିତି ପାଣ୍ଡବମାନଙ୍କ ପକ୍ଷରେ କଥା କହୁଛନ୍ତି । 

ବିଦୁର କିନ୍ତୁ ଶାନ୍ତ ସ୍ୱରରେ କହିଲେ, ମହାରାଜ ମୁଁ ଜାଣିଛି, ଯୁଧିଷ୍ଠିରଙ୍କୁ ବୁଝାଇ କିଛି ଲାଭ ନାହିଁ । ମହୁ ବେପାରି ଯେମିତି ମହୁ ଧରିବାକୁ ଲୋଭରେ ଅଗମ୍ୟ ପାହାଡ ଶୀର୍ଷକୁ ଚଢେ ଓ ଶେଷରେ ତଳେ ପଡି ମରେ ଏବେ ଆପଣଙ୍କ ବଡ ପୁଅ ଦୁର୍ଯ୍ୟୋଧନଙ୍କ ଅବସ୍ଥା ସେଇଆ । କିନ୍ତୁ ଦେଶର ରାଜା ଭାବରେ ଆପଣଙ୍କୁ ସତର୍କ କରିଦେଉଛି । ଆପଣଙ୍କୁ ମଧୁର ଚାଟୁକଥା କହିବାକୁ ବହୁତ ଲୋକ ମିଳିବେ । ଏବେ ଆପଣ, ଆପଣା କୁଳ ଓ ଦେଶକୁ ରକ୍ଷା କରିବାକୁ ନିଜର ଲାଗୁଥିବା ଦୁଷ୍ଟ ଲୋକଙ୍କୁ ପରିତ୍ୟାଗ କରନ୍ତୁ । ଏବେବି ସମୟ ଅଛି ବଉଁଶ ବୁଡା ଜୁଆ ଖେଳକୁ ତୁରନ୍ତ ବନ୍ଦ କରାନ୍ତୁ । 

ଧୃତରାଷ୍ଟ୍ର କିନ୍ତୁ କିଛି କହିଲେନି । ନୀରବ ରହିଲେ । ସେ ତାଙ୍କ ପ୍ରିୟ ପୁତ୍ର ଦୁର୍ଯ୍ୟୋଧନ ମନରେ ଦୁଃଖ ଦେବାକୁ ଚାହୁଁନଥିଲେ । ପଶା ଖେଳରେ ପାଣ୍ଡବମାନେ ହାରିବା ବିଷୟରେ ସେ ଆଦୌ କିଛି ଭାବୁନଥିଲେ । ସେ କେବଳ ଦୁର୍ଯ୍ୟୋଧନଙ୍କ ଜିତିବା କଥା ଶୁଣି ଖୁସି ହେଉଥିଲେ । 

ବିଦୁର ଓ ଦୁର୍ଯ୍ୟୋଧନଙ୍କ ଯୁକ୍ତି ପରେ ପୁଣି ଥରେ ଖେଳ ଆରମ୍ଭ ହେଲା । ଯୁଧିଷ୍ଠିର ତାଙ୍କର ସମସ୍ତ ସମ୍ପତ୍ତି ହରାଇଲା ପରେ ଶକୁନି ପଚାରିଲେ ସବୁ କିଛି ସରିଲା ନା ଆଉ କିଛି ବାକି ଅଛି? ଯୁଧିଷ୍ଠିର ଡେରିନକରି ସାନଭାଇ ନକୁଳଙ୍କୁ ପଣ ଭାବରେ ରଖିଲେ । ଆଖି ପିଛୁଡାକରେ ଶକୁନି ପଶା କାଠି ଗଡେଇ ନକୁଳଙ୍କୁ ଜିତିନେଲେ । ତାପରେ ଦ୍ୟୁତକ୍ରୀଡାର ମାୟା ଜାଲରେ ସଂପୂର୍ଣ୍ଣ ଛନ୍ଦି ହୋଇସାରିଥିବା ଯୁଧିଷ୍ଠିର ସହଦେବଙ୍କୁ ବାଜିରେ ଲଗାଇଲେ । ଶକୁନିଙ୍କ କପଟ ପଶାରୁ ମୁକୁଳିବାର ବାଟ ନଥିଲା । ଶକୁନି ପଶାପାଲି ଉପରେ ଯୁଧିଷ୍ଠିରଙ୍କୁ ହରାଇ ସହଦେବଙ୍କୁ ଜିତିନେଲେ। 

ତାପରେ ଶକୁନି କହିଲେ ଧର୍ମରାଜ ଆପଣ ମାଦ୍ରୀଙ୍କ ଦୁଇ ପୁଅଙ୍କୁ ହରାଇଲେ । ନିଜର ପ୍ରିୟ ଅନ୍ୟ ଦୁଇ ଭାଇ ତ ବାକି ଅଛନ୍ତି । ନିଜ ମାଆ ପେଟର ଭାଇ ବୋଲି ସେମାନଙ୍କୁ ପାଖରେ ରଖିବାର ଯୋଜନା ରହିଛି କି? ଶକୁନିଙ୍କ ବୁଲା ବଙ୍କା କଥା ଶୁଣି ଯୁଧିଷ୍ଠିର କହିଲେ ଆମ ଭାଇମାନଙ୍କ ଭିତରେ କିଛି ବି ବିଭେଦ ନାହିଁ । ନିଚ୍ଚ ଲୋକ ପରି ଅଭିସନ୍ଧି ରଖି କଥା ହୁଅନି । ତୁମ ପରି କୁଟ କପଟ ଛଳନାରେ ବଂଚୁଥିବା ମଣିଷମାନେ ଆମ ଧର୍ମ ମାର୍ଗୀମାନଙ୍କ ଭାଷା ବୁଝିପାରିବନି । ତାପରେ ଯୁଧିଷ୍ଠିର କାଠି ଗଢେଇଲେ ଓ ଏଥର ବୀର ଧନଞ୍ଜୟଙ୍କୁ ପଣ ରଖିଲେ । 

ଶକୁନି କାଠି ଗଡେଇ ଦାନ ଚଳେଇ ବଡ ପାଟିରେ କହିଲେ ମହାରାଜ ଆମେ ଅର୍ଜୁନଙ୍କୁ ବି ଜିତିଗଲେ । ତାପରେ ଯୁଧିଷ୍ଠିରଙ୍କୁ ଅନେଇ ପଚାରିଲେ ଏବେ? ଯୁଧିଷ୍ଠିର ମହା ବଳଶାଳୀ ଭୀମଙ୍କୁ ପଶା ପାଲିର କାଠି ଓ ଦାନଙ୍କ ଗହଣରେ ପଣ ରଖିଲେ । ସାଙ୍ଗେ ସାଙ୍ଗେ ଶକୁନି ଭୀମଙ୍କୁ ବି ଜିତିନେଲେ। 

ଏବେ ଯୁଧିଷ୍ଠିର ସବୁ କିଛି ହରେଇ ସାରିଥିଲେ । ଦେଶ ଓ ସିଂହାସନ ପରେ ଚାରି ସାନଭାଇଙ୍କୁ ଶକୁନି ଜିତି ସାରିଥିଲେ । କୁରୁ ଭାଇମାନଙ୍କ ଭିତରେ ଆନନ୍ଦର କୋଳାହଳ । କର୍ଣ୍ଣ ଓ ଦୁର୍ଯ୍ୟୋଧନ ଖୁସି ହେଇ ପରସ୍ପରଙ୍କୁ ଚାହିଁଲେ । ସଭାସଦମାନେ ନୀରବ । ଶକୁନି ପଚାରିଲେ, ଧର୍ମରାଜ ସବୁ ସରିଲା ତ ଏବେ ? ଆପଣଙ୍କ ପାଖରେ ଆଉ ତ କିଛି ନାହିଁ । 

ଯୁଧିଷ୍ଠିର କହିଲେ ନାହିଁ କାହିଁକି? ମୁଁ ଏ ବାଜିରେ ନିଜକୁ ପଣ ରଖୁଛି । 

ମହାଭାରତ କଥା

ଶକୁନି କାଠି ଗଡେଇଲେ ଓ ଅତି ଖୁସିରେ ନିଜ ବସିବା ଆସନରୁ ଠିଆ ହୋଇ ପଡି ହସି ହସି କହିଲେ ଆମେ ଜ୍ୟେଷ୍ଠ ପାଣ୍ଡବଙ୍କୁ ବି ଜିତିନେଲେ । ଏବେ ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ ଓ ସହଦେବ ପାଣ୍ଡବ ପାଞ୍ଚଭାଇ ଦୁର୍ଯ୍ୟୋଧନଙ୍କ କ୍ରୀତଦାସ ହେଲେ । ଏଣିକି କୌରବ ଭାଇମାନେ ସେମାନଙ୍କୁ ଯୋଉ ଆଦେଶ ଦେବେ ସେମାନେ ଆଜ୍ଞାଧିନ ଭାବରେ ପାଳନ କରିବେ । ତାପରେ ଯୁଧିଷ୍ଠିରଙ୍କୁ ଅନେଇ କହିଲେ ତୁମେ ସବୁକିଛି ହରେଇ ସାରିଛ । ତଥାପି ତୁମ ପାଖରେ ଏବେ ବି ଦୃପଦ ନନ୍ଦିନୀ ପାଞ୍ଚାଳୀ ଅଛନ୍ତି । ତୁମେ ଏବେ ତୁମ ପାଞ୍ଚ ଭାଇଙ୍କ ପ୍ରିୟ ପତ୍ନୀ ସୁନ୍ଦରୀ ଦ୍ରୌପଦୀଙ୍କୁ ପଣ ଭାବରେ ରଖି ଆଉ ବାଜିଏ ଖେଳ ଖେଳି ପାରିବ । କିଏ ଜାଣେ ଯଦି ଭାଗ୍ୟଦେବୀ ପ୍ରସନ୍ନ ହୁଅନ୍ତି ତେବେ ତୁମେ ଏ ବାଜି ଜିତି ତୁମ ଭାଇମାନଙ୍କୁ ଓ ନିଜକୁ ଦାସ ପଣରୁ ମୁକୁଳେଇ ନେଇ ପାରିବ । 

କପଟ ପଶାର ଅନ୍ଧ ଗଳିରେ ସବୁକିଛି ହରେଇ ସାରିଲା ପରେ ଯୁଧିଷ୍ଠିରଙ୍କୁ ଆଗକୁ କିଛି ରାସ୍ତା ଦିଶୁନଥିଲା । ମତି ତାଙ୍କର ବିଭ୍ରମ ହେଇସାରିଥିଲା । ସେ ଶକୁନିଙ୍କ ପ୍ରସ୍ତାବ ଶୁଣି ଆଗ ପଛ ନଦେଖି, ଭଲ ମନ୍ଦର ବିଚାର ନକରି, ଜଣେ ଅତ୍ୟନ୍ତ ନିର୍ବୋଧ ବ୍ୟକ୍ତି ପରି କହିଲେ; ଠିକ୍ ଅଛି ମୁଁ ପାଞ୍ଚାଳୀଙ୍କୁ ଏଠି ପଣ ରଖୁଛି ।

ଶକୁନିଙ୍କ ଅଭଦ୍ର ପ୍ରସ୍ତାବ ଓ ଯୁଧିଷ୍ଠିରଙ୍କ ସେଥିରେ ରାଜି ହେବା ଦେଖି ସେଠାରେ ଉପସ୍ଥିତ ଥିବା ଅନେକ ଆଶ୍ଚର୍ଯ୍ୟ ଓ ସ୍ତବ୍ଧ ହୋଇଗଲେ । କାହା ପାଟିରୁ କିଛି ବି ଶବ୍ଦ ବାହାରିଲାନି । ବିଦୁରଙ୍କ ମୁହଁ ଦୁଃଖ ଓ ଗ୍ଲାନିରେ ତଳକୁ ହେଇଗଲା । ସେତିକିବେଳେ ଦୁର୍ଯ୍ୟୋଧନ ବିଦୁରଙ୍କୁ ଆଦେଶ ଦେବା ସ୍ୱରରେ କହିଲେ, ଯାଅ ସେ ପାଞ୍ଚ ପାଣ୍ଡବଙ୍କ ପତ୍ନୀ ପାଞ୍ଚାଳୀକୁ ଏଠିକୁ ଡାକିଆଣ । ସେ ଏବେ ଆମର ଦାସୀ ମାତ୍ର । ଏଣିକି ତାଙ୍କୁ ଆମ ଅନ୍ୟ ଦାସୀଙ୍କ ସହ ମିଶି ଘରର କାମରେ ସହାୟତା କରିବାକୁ ହେବ । 

ଦୁର୍ଯ୍ୟୋଧନଙ୍କ କଥା ଶୁଣି ବିଦୁରଙ୍କୁ ଆହୁରି ଦୁଃଖ ଲାଗିଲା । ସେ ଦୁଃଖ ଓ କ୍ରୋଧରେ ଫେଣ୍ଟି ହେଇଥିବା କମ୍ପିତ ସ୍ୱରରେ କହିଲେ, ହେ ଦୁର୍ଯ୍ୟୋଧନ, ତୁମେ କପଟ ପଶାର ସାହାରାରେ ଅଯଥା ଅହଂକାରରେ ପ୍ରମତ୍ତ ହେଇ ଯେପରି ଖୁସି ହେଉଛ, ତାହା ମୋତେ ବାଉଁଶ ଗଛରେ ଫୁଲ ଫୁଟିଲା ପରି ଦିଶୁଛି ।ମନେରଖ ଫୁଲ ଫୁଟିଲେ ବାଉଁଶ ବୁଦା ନାଶ ଯାଏ । ତୁମମାନଙ୍କର ନାଶ ଯିବା ସମୟ ଆସିଗଲାଣି । ତୁମେ ଜାଣିପାରୁନ ତୁମ କର୍ମ ତୁମକୁ ଯମ ଲୋକକୁ ଅଦୃଶ୍ୟ ପାପର ଦଉଡିରେ ଟାଣି ଟାଣି ନେଉଛି ।

ବିଦୁରଙ୍କୁ ଥରେ ଅବଜ୍ଞା ଦୃଷ୍ଟିର ଅନେଇ ଦୁର୍ଯ୍ୟୋଧନ ସେଠାରେ ଉପସ୍ଥିତ ଥିବା ତାଙ୍କ ସାରଥି ପ୍ରୀତିକାମଙ୍କୁ କହିଲେ ବିଦୁରଙ୍କୁ ଭୟ ଗ୍ରାସ କରିଛି । ସେ ପାଣ୍ଡବଙ୍କୁ ଏବେବି ଭୟ କରୁଛନ୍ତି । ପାଣ୍ଡବମାନେ ଆମର ଦାସ । ସେମାନଙ୍କୁ ଭୟ କରିବାର କିଛି କାରଣ ନାହିଁ । ତୁମେ ତୁରନ୍ତ ଯାଇ ରାଣୀ ହଂସପୁରରେ ଅୟସ କରୁଥିବା ସେ ଦ୍ରୌପଦୀକୁ ଏଠିକି ଡାକି ଆଣ । 

ଦୁର୍ଯ୍ୟୋଧନଙ୍କ ଆଦେଶରେ ପ୍ରୀତିକାମ ରାଣୀ ହଂସପୁରରେ ଯାଇ ଦ୍ରୌପଦୀଙ୍କ ପାଖରେ ପହଞ୍ଚି କହିଲେ, ବୋହୂମାଆ ଆପଣଙ୍କ ସ୍ୱାମୀ ଧର୍ମରାଜ ଯୁଧିଷ୍ଠିର ପଶା ଖେଳରେ ଆପଣଙ୍କୁ ପଣ ରଖି ହାରି ଯାଇଛନ୍ତି । ଆପଣ ଏବେ କୌରବମାନଙ୍କ ଦାସୀ । ଦୁର୍ଯ୍ୟୋଧନ ଆଦେଶ ଦେଇଛନ୍ତି ଆପଣ ଏବେ ପଶା ଖେଳ ମଣ୍ଡପକୁ ଯିବେ ଓ ଅନ୍ୟ ଦାସୀମାନଙ୍କ ସହ ସେଠି କାମ କରିବେ । 

ପ୍ରୀତିକାମଙ୍କ କଥା ଶୁଣି ଦ୍ରୌପଦୀ ପ୍ରଥମେ କିଛି ବୁଝିପାରିଲେନି । ତାପରେ ପ୍ରୀତିକାମଙ୍କ କଥାକୁ ହୃଦୟଙ୍ଗମ କରି ନିର୍ବାକ ନିଶ୍ଚଳ ହୋଇଗଲେ । ମାତ୍ର କିଛିଦିନ ତଳେ ରାଜସୂୟ ଯଜ୍ଞ ସମୟରେ ସେ ସମ୍ରାଟଙ୍କ ମହାରାଣୀ ଭାବରେ ଅନ୍ୟ ରାଜା ଓ ରାଜ ପରିବାର ପକ୍ଷରୁ କାହିଁରେ କେତେ ମାନ ସମ୍ମାନ ପାଇଥିଲେ । ମୁହୂର୍ତ୍ତକ ମଧ୍ୟରେ ସବୁକିଛି ଓଲଟ ପାଲଟ ହୋଇଗଲା କେମିତି? ସାମାନ୍ୟ ପ୍ରକୃତିସ୍ଥ ହେଲାପରେ ଦ୍ରୌପଦୀ କହିଲେ, ହେ ପ୍ରୀତିକାମ ମୋ ସ୍ୱାମୀଙ୍କ ପାଖରେ କ'ଣ ଆଉ କିଛି ନଥିଲା ଯେ, ସେ ମୋତେ ଜୁଆ ବାଜିରେ ପଣ ରଖିଥିଲେ? ମୋ ଅନ୍ୟ ସ୍ୱାମୀମାନେ ସେଠି କ'ଣ କରୁଥିଲେ? ମୁଁ ବୁଝିପାରୁନି ଜଣେ ରାଜଚକ୍ରବର୍ତ୍ତୀ ରାଜା କାହିଁକି ତାଙ୍କ ସ୍ତ୍ରୀକୁ ଜୁଆରେ ବାଜି ଲଗାଇବେ? 

ପ୍ରୀତିକାମ କହିଲେ, ନା ମହାରାଣୀ ଧର୍ମରାଜ ତା' ପୂର୍ବରୁ ସବୁ କିଛି ହରେଇ ନିଶ୍ୱ ହେଇ ସାରିଥିଲେ । ଧର୍ମରାଜା ପ୍ରଥମେ ସମସ୍ତ ସମ୍ପତ୍ତି ହାରିଲେ, ତାପରେ ଦେଶ । ତାପରେ ଗୋଟି ଗୋଟି କରି ସବୁ ଭାଇଙ୍କୁ ହାରିଲେ । ନିଜକୁ ପଣ ରଖି ହାରିଲା ପରେ ଶେଷରେ ଆପଣଙ୍କୁ ପଣ ରଖି ହାରିଗଲେ । 

ପ୍ରୀତିକାମଙ୍କ କଥା ଶୁଣି ଦ୍ରୌପଦୀକୁ ଭୀଷଣ ଭାବରେ ରାଗି ଗଲେ । କହିଲେ ତମେ ପ୍ରଥମେ ଯାଇ ସେ ଜୁଆଡି ରାଜାଙ୍କୁ ସେଇ ଜୁଆ ଆଡ୍ଡା ଭିତରେ ପଚାର ଯେ, ସେ ଆଗ ନିଜକୁ ପଣ ରଖି ହାରିଲେ ନା ଆପଣା ଭାର୍ଯ୍ୟାକୁ ରଖି ପଣ ହାରିଲେ ? ସେ କଅଣ ଉତ୍ତର ଦେଉଛନ୍ତି ମୋତେ ଆସି କୁହ । ତାପରେ ଯାଇ ତୁମ ସାଙ୍ଗରେ ମୁଁ ଯିବାକୁ ପ୍ରସ୍ତୁତ ହେବି ।